Unknown

 

 

 

 

 

 

 

 

 

ସୂର୍ଯ୍ୟ ଉଇଁଲେ ସ୍ୱପ୍ନ

ସାତକଡ଼ି ହୋତା

 

ବନ୍ୟାରେ ଭାସିଗଲା ଘର ଖଣ୍ଡକ । ମାଟିଘର । ଛଣ ଛପର । ଠିକ୍‌ ଦଳେଇଘାଇ ବନ୍ଧ ତଳେ । ଏତେବଡ଼ ବନ୍ୟାକୁ କିଏ ଅଟକେଇବ ? ବନ୍ଧବାଡ଼ ଭାଙ୍ଗିଗଲା । ନଦୀର ସୁଅ ଫିଟିଲା ସିଧା ପୂର୍ବକୁ । ଗାଁ ଖଣ୍ଡକ ପୋଛି ହୋଇଗଲା । ସମ୍ଭାଳି ପାରନ୍ତା ଘର ଖଣ୍ଡକ !

 

ସେଇ ଜାଗାଟି ଆଉ ଦିଶୁନାହିଁ । ସୁଅ ଧାଇଁଛି ସେହି ଜାଗାରେ । ଭଅଁର କାଟି ପାଣିର ସୁଅ ଆଗେଇ ଯାଉଛି ପୂର୍ବ ଆଡ଼କୁ । ଆହୁରି କେତେ ଗାଁଗଣ୍ଡା ପୋଛି ହୋଇଯିବ । କେତେ ସବୁଜ ଧାନଖେତ ବାଲିଚର ହୋଇଯିବ । ପୋତିହୋଇ ପଡ଼ିବ କେତେ ଆଶା ଓ ଦୀର୍ଘଶ୍ୱାସ, କେତେ ହସକାନ୍ଦ ଏବଂ କେତେ କାକୁତି । ପୋତି ହୋଇଯିବ ଅଦୃଷ୍ଟ ।

 

ଏମିତି ହୁଏ ।

 

ମଣିଷର ଅଦୃଷ୍ଟ ଇମିତି ପୋତି ହୋଇଯାଏ, ନିଭିଯାଏ ଭାଗ୍ୟଲିପି । ସବୁ ହସ ଲୁଚିଯାଏ ମୁହଁରୁ ।

 

ମୁହଁମାଡ଼ି ପଡ଼ିଥିବା ମଣିଷ ପୁଣି ଉଠେ, ଝାଡ଼ିଝୁଡ଼ି ହୋଇ ପୁଣି ଚାଲେ । ସମୟ ଭୁଲେଇ ଦିଏ ସବୁ । ପୁଣି ମୁହଁ ଉପରେ ହସ ଫୁଟେ । ଲଢ଼ୁଆ ମଣିଷ ଗହୀର ବିଲରେ ଲଙ୍ଗଳ ଚଳେଇ ନୂଆ ଭାଗ୍ୟ ତିଆରି କରେ ।

 

ବନ୍ଧବାଡ଼ ମରାମତି ହୁଏ । ଭାସିଯାଇଥିବା ଗାଁଗଣ୍ଡା ପୁଣି ମୁଣ୍ଡ ଟେକେ । ଜୀବନ ଥିବାର ସୂଚନା ଦେଇ ଘରଚାଳ ଡେଇଁ ଧୂଆଁ ଉଠେ ଶୂନ୍ୟକୁ । ନିଶୂନ ହୋଇଯାଇଥିବା ଗାଁଦାଣ୍ଡ ପୁଣି ଭର୍ତ୍ତି ହୁଏ କୋଳାହଳରେ । ନୂଆ ଧାନଖେତ ଉପରେ ପବନ ପହଁରେ । ନଦୀର ସୁଅ ନିଜ ଜାଗାକୁ ଫେରିଆସି ସହଜ ସରଳ ହୋଇ ମଣିଷର ସେବା କରିବାପାଇଁ ପୁଣି ପ୍ରବାହିତ ହୁଏ ।

 

କିଛି ନ ଦେଖିଥିବା ଲୋକ ଆଚମ୍ୱିତ ହୁଏ । କାହିଁ କିଛି ତ ଅଘଟଣ ଘଟିନାହିଁ । ଏତେବଡ଼ ବିପତ୍ତିକୁ ଅତିକ୍ରମ କରି ମଣିଷ ପୁଣି ନିଜ ବାଟ ବାଛି ନେଇଛି । କପାଳରୁ ଝାଳ ପୋଛି, ପାଦକୁ କଣ୍ଟା କାଢ଼ି ଫେର ମନକୁ ମନ କହିଛି, ହଅ, ଇଏ କଅଣ ନୂଆ ନା ଅଜଣା, ସବୁ କାଳର ରୀତି ଇଏ । ଭଙ୍ଗାଗଢ଼ା ତ ସଂସାର ରୀତି । ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ।

 

ନାଆ ରଖିଦେଇ ନବୀନ ବସିଲା ଘାଟ ଉପରେ ଠୁଳ ହୋଇଥିବା ଇଟା ଗଦା ଉପରେ-। ଆଉ ମାଟିଘର ନୁହେଁ, ପକ୍‌କାଘର ଖଣ୍ଡେ ତୋଳିବେ ସର୍ବେଶ୍ୱର ଦାସେ । ଦୁଇ ମହଲା ହବ ସେଇ ଘର । ନଈବଢ଼ିରେ ଭାସିଯିବ ନାହିଁ; ବରଂ ଉପରମହଲାରେ ବସି ଗରମ ଚୂଡ଼ାଭଜା ଚୋବେଇ ଦେଖିବେ ନଈବଢ଼ି ।

 

ନରୋତ୍ତମ ଇଟା ଗଦା ଉପରେ ଗୋଡ଼ ରଖି କହିଲା, ଘର ଖଣ୍ଡକ ଭାସିଗଲା ଭଲ ହେଲା । ଆଉ ଲଗାନାହିଁ କି ପଘା ନାହିଁ । ଏଥର ମୋ ନିଜର ବୋଲି ଆଉ କିଛି ରହିବ ନାହିଁ । ପୃଥିବୀଟା ତ ପଡ଼ିଛି ଆଖି ଆଗରେ । ମୁଣ୍ଡ ଉପରେ ଆକାଶର ଛତା । ଡର କାହାକୁ, ଭୟ କାହାକୁ, ନାଆ ପେଲିଦେ କଲିକତାକୁ । ସେ କଟକ, କଲିକତା ବୁଲିବ । ଦେଖିଆସିବ ଅଦେଖା ଜାଗା । ଶୁଣି ଆସିବ ଅଶୁଣା କଥା । ରାମଚନ୍ଦ୍ର ସେତୁବନ୍ଧ ବାନ୍ଧିଥିଲେ । ସେ ବନ୍ଧୁତ୍ୱର ବନ୍ଧ ବାନ୍ଧିବ-। ଅଜଣା ଅପରିଚିତ ହୋଇ ଆଉ କେହି ରହିବେ ନାହିଁ । ସେ ନୂଆବନ୍ଧ ଉପରେ ବସି କବିତା ଲେଖିବ, ବାଲିଚର ତଳୁ ଭୂଇଁ ଫଟେଇ ଉପରକୁ ଉଠୁଥିବା ଚାରା ଗଛଟିକୁ ଦେଖି ଗୀତ ଗାଇବ । କି ହେଲାରେ କହି ତ ନୁହଁଇ ଭାରତୀରେ ।

 

ନବୀନ କହିଲା, ନରୁଭାଇ ! ସତରେ ତୁମେ ଗାଁ ଛାଡ଼ି ଚାଲିଯିବ ?

 

ନରୋତ୍ତମ ନବୀନର କାନ୍ଧ ଉପରେ ହାତରଖି କହିଲା, ଘରଖଣ୍ଡିକ ବାନ୍ଧି ରଖିଥିଲା । ସେ ବନ୍ଧନ କଟିଯାଇଛି ।

 

–ଆଉ ଗୋଟେ ଘର ତୋଳ ନରୁଭାଇ । ଦେଖୁନ ସେଦିନ ନିଶ୍ଚିହ୍ନ ହୋଇଯାଇଥିବା ଗାଁଟା ପୁଣି ବାଉଁଶଗଜା ପରି ଗଜୁରି ଉଠିଛି କିପରି ।

 

ନରୋତ୍ତମର ଦୃଷ୍ଟି ପହଁରିଆସିଲା ଚାରିଆଡ଼ୁ । ମିଛ କହୁନି ନବୀନ । ବାଲିତଳେ ପୋତିହୋଇ ଯାଇଥିବା ମଣିଷର ଭାଗ୍ୟକୁ ପୁଣି ନୂଆକରି ତିଆରି କରିବାପାଇଁ କାମ ଚାଲିଛି ପୂରାଦମ୍‌ରେ ।

 

କୋଉଠାରେ ନିଅଁ ପଡ଼ୁଛି ତ ଆଉ କେଉଁଠାରେ କାନ୍ଥ ଉଠୁଛି । ଚୌଧୁରୀଘର ପକ୍‌କା କୋଠାଟିଏ ତୋଳିବାପାଇଁ ପଥର ଓ ଇଟା ଆଣି ଠୁଳ କଲେଣି କଳାଡିହ ଉପରେ ।

 

ସର୍ବେଶ୍ୱର ଦାସ ନଦୀର ସୁଅରେ ନିଶ୍ଚିହ୍ନ ହୋଇଯାଇଥିବା ନଡ଼ିଆଗଛ ଜାଗାରେ ନୂଆ ଗଛ ଲଗାଇ ସାରିଲେଣି । ଫଳନ୍ତି ଗଛ ନ ଥିଲେ ପରିବାରର ଶ୍ରୀ ରହେ ନାହିଁ । ଦାମ ରାଉତେ କଲମୀ ଆମ୍ୱଚାରା କଟକରୁ କିଣି ଆଣିଥିଲେ, ସୁନ୍ଦରୀ ଏବଂ ବାଇଗଣ ପଲି । ଅଣ୍ଟାଏ ବହଳର ବାଲି କାଢ଼ି ଲଗେଇ ଦେଇଛନ୍ତି ପାଞ୍ଚଟି ଆମ୍ବଗଛ ।

 

ନରୋତ୍ତମ କହିଲା, ଜୀବନଟା ଗୋଟେ ଜୁଆଖେଳ ପରିରେ ନବୀନ । ଲାଭ ଲୋକସାନ ବଡ଼ କଥା ନୁହେଁ, ବଡ଼କଥା ଖେଳିବା ।

 

ନବୀନ କହିଲା, ତୁମେ ଚାଲିଗଲେ ଆମ କ୍ଲବ ଭାଙ୍ଗିଯିବ । ଯାତ୍ରା ପାଇଁ ନୂଆ ନୂଆ ରସରସିଆ ଗୀତ ଆଉ ଲେଖାହେବ ନାହିଁ ।

 

ନରୋତ୍ତମର ଆଉ ଗୋଟେ ପରିଚୟ ଅଛି । ସେ କବି । ଗୀତ ଲେଖେ, କବିତା ଲେଖେ । ଗାଏ ବି ।

 

ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ ଉଚ୍ଚତା । ଗଠଣଟି ସାଧାରଣ । ଆଖି ଯୋଡ଼ିକ ଆକର୍ଷଣୀୟ । ସାଧାରଣ ସ୍ୱାସ୍ଥ୍ୟ । ଘନକୃଷ୍ଣ କେଶ । ଆଗେ ମୁହଁ ପରିଷ୍କାର ରହୁଥିଲା, ଏବେ ନିଶଦାଢ଼ିରେ ଭର୍ତ୍ତି ।

 

ନରୋତ୍ତମ କହିଲା, ଆଉ ଗୋଟେ ଜାଗାରେ ବାନ୍ଧି ହୋଇ ରହିବାକୁ ମନ ବଳୁନିରେ ନବୀନ । ସେଦିନ ପରା ରେଡ଼ିଓ ଶୁଣି ଗୁଣୁ ଗୁଣୁ ହଉଥିଲୁ–ପାଦ ଯେ ବୋଲଇରେ ମନ ସହସ୍ର ବଚନ, ଜଗନ୍ନାଥଙ୍କ ଶରଧା ବାଲିରେ ଚାଲିବାକୁ ମନ... । ମନ ହଉଚି ବୁଲିବି, ଲୋକଙ୍କ ସହିତ ମିଶିବି, ମୋ ଗୀତ ସେମାନଙ୍କୁ ଶୁଣେଇବି, ଆଉ ସେମାନଙ୍କ ଦୁଃଖସୁଖ ମୁଁ ଶୁଣିବି ।

 

ନବୀନ କହିଲା, ତୁମ ସହିତ ସାଙ୍ଗହବା ପାଇଁ ମନ ହଉଚି ନରୁଭାଇ । କିନ୍ତୁ କଅଣ ହବ, ମୁଁ ତ ପରାଧୀନ ହୋଇଯାଇଛି ।

 

ନରୋତ୍ତମ କହିଲା, କିପରି ? ତୁ ପରା ଏ ଦେଶର ସାର୍ବଭୌମ ସ୍ୱାଧୀନ ନାଗରିକ ।

 

ନବୀନ ହସିଦେଇ କହିଲା, ତୁମେ ସିନା ଆଉ କାହାରି ଦାୟିତ୍ୱ ନେଇ ନାହଁ, ମୋ କାନ୍ଧରେ ଜୁଆଳି ପଡ଼ିଛି ଯେ…. । ସୁଲୋଚନାର ଭାର ଜୀବନଯାକ ବହିଥିବି.......

 

ନରୋତ୍ତମ ତା’ପିଠି ଉପରେ ଥାପୁଡ଼ାଏ ମାରି କହିଲା, ଭଲରେ ନବୀନ । ସୁଲୋଚନା ସାଙ୍ଗରେ ତୁ ସୁଖରେ ଘର କରୁଥା, କେବେ ଗାଁକୁ ଫେରିଆସିଲେ ତୋ ଦୁଆରେ ଆଗ ପାଦ ଦେବି-

 

ସେ ତ ଭାଗ୍ୟର କଥା ହବ ନରୁଭାଇ । ତମେ ଆମ ଘରେ ରହିଲେ ବାହ୍ମୁଣ ସାଇର ଲୋକ ମାରିପକେଇବେ ମୋତେ ! କହିଲା ନବୀନ ।

 

ନରୋତ୍ତମ ନଦୀର ପାଣିରେ ଭାସିଯାଉଥିବା ଘାସ ଗୁଛାଏ ଉଠେଇନେଇ କହିଲା, ବାହ୍ମୁଣ ବାଉରୀ ଭେଦ ଦଳେଇ ଘାଇ ଭାଙ୍ଗିବା ଦିନ ବଢ଼ି ପାଣିର ସୁଅରେ ଭାସିଯାଇଛିରେ ନବୀନ-। ଦେଖିନୁ, ଗୋଟିଏ ଅଶ୍ୱତ୍‌ଥ ଡାଳକୁ ଆଶ୍ରା କରି କିପରି ବର୍ତ୍ତିଯାଇଥିଲେ ସର୍ବେଶ୍ୱର ଦାସଙ୍କ ସାନଭାଇ ଗଣେଶ୍ୱର ଦାସେ ଆଉ ଅପର୍ତ୍ତି ବାଉରୀ । ସେଇଦିନୁ ବାଉରୀ ସାହିର ସୀମା ମାଡ଼ୁ ନ ଥିବା ଗଣେଶ୍ୱର ଦାସେ ପୂରା ବଦଳି ଯାଇଛନ୍ତି ।

 

ନିଜେ ନ ଖାଇ ଅଣ୍ଟିରୁ କାଢ଼ି ଚୂଡ଼ାତକ ଗଣେଶ୍ୱର ଭାଇନାଙ୍କୁ ଅପର୍ତ୍ତି ଖୁଆଇଥିଲା ବୋଲି ସେ ବଞ୍ଚିଗଲେ । କହିଲା ନବୀନ ।

 

ନରୋତ୍ତମ କହିଲା, ଜାତିପ୍ରଥା ଭଗବାନ ସୃଷ୍ଟି କରିନାହାନ୍ତି । ଇଏ ମଣିଷକୃତ । ଦାର୍ଢ଼୍ୟତା ଭକ୍ତି ପଢ଼, ଦାସିଆ ବାଉରୀ କଥା ଜାଣିବୁ ।

 

–ଆଉ ସାଲବେଗ ? କହିଲା ନବୀନ ।

 

–ଦାସିଆ ବାଉରୀ, ସାଲବେଗ ସବୁ ଲୋକଙ୍କ କଥା ଅନୁସାରେ ହୀନ ଜାତିର । କିନ୍ତୁ ଏ ଦୁହେଁ ଜଗନ୍ନାଥଙ୍କ ଦୁଇ ଜଣ ବଡ଼ ଭକ୍ତ । ଯାହାକୁ କୁହନ୍ତି ଭକ୍ତ ଶିରୋମଣି ।

 

–ସାଲବେଗ ନାଟକ ତମେ ପରା ଲେଖିଥିଲ ନରୁଭାଇ ?

 

ଲେଖିଥିଲିରେ ନବୀନ, ମୋତେ ଯେପରି କିଏ ବାଧ୍ୟ କରି ଲେଖେଇଥିଲା । ଏତେ ଆନନ୍ଦ ଆଉ କୌଣସି ରଚନାରୁ ମୁଁ ପାଇ ନାହିଁ ।

 

ନବୀନ କହିଲା, ତମେ ଚାଲିଗଲେ ଗାଁ ଦାଣ୍ଡ ନିଶୂନ ହୋଇଯିବ । ଶ୍ରୀ ତୁଟିଯିବ ।

ହସିଲା ନରୋତ୍ତମ । ରହସ୍ୟମୟ ସେହି ହସ ।

 

ଏଇ ପୃଥିବୀ ସବୁ ଲୋକଙ୍କୁ ନେଇ ହସେ, ଜଣକୁ ନେଇ ନୁହେଁ । ସୃଷ୍ଟି ହବାଦିନୁ ଏଇ ନିୟମ ଚଳିଆସୁଛି । ବଣର ଗଛବୃଛ ମିଳିମିଶି ରହନ୍ତି ବୋଲି ସୁନ୍ଦର । ବର୍ଷା ସହସ୍ର ଧାରରେ ବରଷେ । ଫୁଲ ଫୁଟେ ଅଜସ୍ର । ଆଉ ଆକାଶରେ କଅଣ ଗୋଟିଏ ନକ୍ଷତ୍ର ? ଲକ୍ଷ ଲକ୍ଷ, କୋଟି କୋଟି । ପୃଥିବୀର କୋଳ ପୂର୍ଣ୍ଣ କରି ବଞ୍ଚନ୍ତି କେତେ ଜୀବ, କେତେ ଜନ୍ତୁ ଉଦ୍ଭିଦ ଓ ଜୀବଜଗତରେ ମଧ୍ୟ ଏକକ ଶୋଭା ପାଏ ନାହିଁ, ଅନେକର ଶୋଭା ।

ନରୋତ୍ତମ ପ୍ରହରାଜ ଏକା ସିନା ଜନ୍ମ ନେଇଛି ଏବଂ ଏକା ମରିବ; କିନ୍ତୁ ପୃଥିବୀରେ ସେ ଏକା ବଞ୍ଚିବ ନାହିଁ, ଏକା ଏକା ବଞ୍ଚିହୁଏ ନାହିଁ ।

ନରୋତ୍ତମ ନିଜ ପାଖରେ ଆହୁରି ରହସ୍ୟମୟ ହୋଇଉଠେ ।

ନବୀନ ବ୍ୟସ୍ତ ହୋଇ କୁହେ, ଘର ଖଣ୍ଡକ ଭାସିଗଲା ତ ସବୁ ସରିଗଲାନି ନରୁଭାଇ ! ତୁମେ ଅଛ । ମୁଁ ଅଛି । ଏତେ ଲୋକ ଅଛନ୍ତି । ତୁମ କଳାଡିହ ଖଣ୍ଡକ ବାଲିରେ ପୋତିହୋଇ ପଡ଼ିଛି ସିନା ଭାଗ୍ୟ ପୋତି ହୋଇ ଯାଇ ନାହିଁ । ତୁମେ ସମସ୍ତଙ୍କ ପାଇଁ ଏତେ କର, ତୁମେ ଘର ଖଣ୍ଡକ ଅତୋଳା ରହିଯିବ ?

ନରୋତ୍ତମ କହିଲା, ମୁଁ ସେକଥା କହୁନାହିଁରେ ନବୀନ । ସମସ୍ତେ ଥାଉଁ ଥାଉଁ ମୋର ଦକ ନାହିଁକି ଭାବନା ନାହିଁ । କିନ୍ତୁ.......

–ତୁମେ ଗାଁ ଛାଡ଼ି ଚାଲିଗଲେ ଆମ ଯାତ୍ରାଦଳ ଭାଙ୍ଗିଯିବ, ଆମେ ପଞ୍ଚଦୋଳରେ ଆଉ ଦଶ ଖଣ୍ଡ ଗାଁକୁ ହରେଇ ପାରିବୁ ନାହିଁ । ଆଉ ତୁମ ଭଉଣୀ ସୁଲୋଚନା କଥା ମନରେ ଭାବ । ଗଛର ପ୍ରଥମ ପାଚିଲା ଆମ୍ୱଟି ଠାକୁରଙ୍କୁ ନ ଦେଇ ସେ ତୁମପାଇଁ ରଖେ । କଅଣ ହବ ତା’ ମନ-?

ନରୋତ୍ତମ ଅନ୍ୟମନସ୍କ ହୋଇଯାଏ ।

ପଚିଶ ଛବିଶ ବର୍ଷ ପୂର୍ବେ ଆଉଥରେ ଭାଙ୍ଗିଥିଲା ଦଳେଇ ଘାଇ । ସେତେବେଳେ ବି ଭାସିଯାଇଥିଲା ଅନେକ ଗାଁ ଗଣ୍ଡା, ବାଲିରେ ପୋତି ହୋଇ ପଡ଼ିଥିଲା ସବୁଜ ଧାନଖେତ । ଛବିଶ ବର୍ଷ ପରେ ଅଗଷ୍ଟ ତିରିଶ ତାରିଖରେ ପୁଣି ପୁନରାବୃତ୍ତି ଘଟିଲା ସେହି ଘଟଣାର । ଦଳେଇ ଘାଇ ଭାଙ୍ଗିଗଲା ସ୍ପଷ୍ଟ ଦିବାଲୋକରେ ।

ସେତେବେଳେ ଚାରି ବର୍ଷର ପିଲା ସେ । ଏବେ ତିରିଶି ବର୍ଷର ଯୁବକ ।

ମାସେ ଅତିକ୍ରାନ୍ତ ହୋଇଗଲାଣି ଘାଇ ଭାଙ୍ଗିବା ଦିନରୁ । ଏଇ ମାସକ ଭିତରେ ଛୋଟ ମଣିଷ ଉଚ୍ଚ ଦିଶୁଛି, ଆଉ ବଡ଼ ମଣିଷ ଛୋଟ ହୋଇଯାଇଛି ।

ଘାଇ ଏବଂ କେନାଲର ମରାମତି କାର୍ଯ୍ୟରେ ଲାଗିଛନ୍ତି ପାଞ୍ଚ ହଜାର ଲୋକ । କାମ ଚାଲିଛି ଦିନରାତି । ଯାହା ଯାଇଛି ଆଉ ଫେରିଆସିବ ନାହିଁ । ସବୁ ଯାଇଛି ବୋଲି ହାତଗୋଡ଼ ବାନ୍ଧି ବସିରହିଲେ ବି କେହି ଖୁଆଇ ଦେଇଯିବ ନାହିଁ । ଆମ୍ଭ ବିଶ୍ୱାସ ରଖି ଦୃଢ଼ତାର ସହିତ ଲାଗିବାକୁ ହବ । ହଜିଯାଇଥିବା ଦିଗ୍‌ବଳୟଟି ପୁଣି ଆଖି ଆଗରେ ଉଦ୍ଭାସିତ ହୋଇଉଠୁଛି । ସ୍ପଷ୍ଟ, ନିର୍ମଳ । ଶୋଇପଡ଼ିଥିବା ଧାନଖେତ ଜୀର୍ଣ୍ଣ ହୋଇଗଲାଣି ବାଲିତଳେ । ବାଲି ସଫା କରି ପୁଣି ଚାଷ କାମ ଆରମ୍ଭ ନ କଲେ ଉଛୁର ହୋଇଯିବ ।

ନବୀନକୁ ଶୁଣାଇବା ପାଇଁ ନରୋତ୍ତମ ରଚନା କରିଥିବା ଶେଷ କବିତାଟି ପଢ଼ିଲା ।

ଏଇ ଅତି ସାଧାରଣ ଅସହାୟ ମଣିଷ ନରୋତ୍ତମର ଆଖିରେ କିପରି ଅସାଧାରଣ ଶକ୍ତିମାନ ପୁରୁଷ ହୋଇଯାଏ ତାହା ବୁଝିପାରେନି ନବୀନ । କବିମାନଙ୍କର ବୋଧହୁଏ ତୃତୀୟ ନେତ୍ର ଅଛି । ସମସ୍ତେ ଦେଖି ପାରୁନଥିବା ବସ୍ତୁକୁ ସେମାନେ ଦେଖନ୍ତି, ଯାହା ଅବୋଧ୍ୟ ସେମାନଙ୍କୁ କଷ୍ଟ ହୁଏ ନାହିଁ ତାହା ବୁଝିବା ପାଇଁ ।

 

କବିତା ଚେତନା ଲହରୀ ଭାଙ୍ଗୁଥିଲା ନରୋତ୍ତମର ମୁହଁ ଉପରେ ।

 

କେତେଜଣ ଲୋକ ଠୁଳ ହୋଇଥିଲେ ସେତେବେଳକୁ । ନାଆର ମଙ୍ଗ ଧରି ସାଙ୍ଗକୁ ଡାକିଲା ନବୀନ ।

 

ନରୋତ୍ତମର ବିଦାୟ ନବାର ବେଳ ହୋଇଗଲା ।

 

ନବୀନ ହାତଯୋଡ଼ି ନମସ୍କାର କରି କହିଲା, ଯିବା ଆଗରୁ ଆମ ଘରକୁ ଆସିବ ନରୁ ଭାଇ ।

 

ମଥା ହଲାଇଲା ନରୋତ୍ତମ ।

ଅଳ୍ପ ସମୟ ମଧ୍ୟରେ ନାଆ ଛାଡ଼ିଦେଲା ନବୀନ ।

ନରୋତ୍ତମ ଏକା ହୋଇଗଲା ।

 

 

ଚାରିଆଡ଼େ କିନ୍ତୁ ଲୋକାରଣ୍ୟ । ବନ୍ଧ ମରାମତି କାର୍ଯ୍ୟ ଚାଲିଛି ଦ୍ରୁତ ଗତିରେ । ହଜାର ହଜାର ଶ୍ରମିକଙ୍କ ଦେହରୁ ବହିପଡ଼ୁଛି ଝାଳ । ଶାନ୍ତି ନାହିଁ, କ୍ଳାନ୍ତି ନାହିଁ । ଦୁର୍ଦ୍ଦମନୀୟ ଏଇ ଜନଶକ୍ତି-। କେବଳ ସେମାନଙ୍କୁ ଠିକଣା ପଥରେ ବିନିଯୋଗ କରିପାରିଲେ ହେଲା ।

 

ବିଧବାଟିଏ ଆସି ଛିଡ଼ା ହେଲା ପାଖରେ ।

ନରୋତ୍ତମ କହିଲା, କାମ ପାଇନ କି ମାଉସୀ ?

 

ବିଧବାଟି କହିଲା, ସ୍ୱାମୀକୁ ହରେଇଥିଲି ଗତ ବନ୍ୟାରେ । ଏଥର ପୁଅ ଗଲା । ମୁଁ କେବଳ ବଞ୍ଚି ରହିଛି ସବୁ କଷଣ ସହିବାପାଇଁ । କାମ ମୋତେ ଦବ କିଏରେ ପୁଅ ?

 

ନରୋତ୍ତମ କହିଲା, ଏତେ ଲୋକ କାମ କରୁଛନ୍ତି, ତୁମକୁ ମନା କରିବ କିଏ ?

 

ବିଧବାଟି କହିଲା, ନାଁ, ମନା କେହି କରିନାହିଁ, ଠିକାଦାରଙ୍କ ଲୋକ କହୁଥିଲା ଯେ ମାଇପେ ଏ କାମ ପାରିବେ ନାହିଁ ।

 

ନରୋତ୍ତମ ଅନେଇଲା କାମ କରୁଥିବା ଲୋକଙ୍କ ଆଡ଼କୁ । ପୁରୁଷ ବେଶି । ସ୍ତ୍ରୀ ଲୋକ ବି ଥିଲେ କିଛି ।

 

ତା ମୁହଁର ଭାବ ବୁଝିପାରି ବିଧବା କହିଲା, ସେମାନେ ଆଦିବାସୀ, ସବୁ କାମକୁ ପାରଙ୍ଗମ । ଦଇତାରୀ ଅଞ୍ଚଳରୁ ଆସିଛନ୍ତି ।

 

ସତ । ବ୍ରାହ୍ମଣ, କରଣ, ଚଷା ଘର ମହିଳାମାନେ ମାଟି କାମ କରିପାରନ୍ତି ନାହିଁ । ଅଭ୍ୟାସ ନାହିଁ ।

 

ନରୋତ୍ତମର ପକେଟ ଖାଲିଥାଏ ସଦା । କିନ୍ତୁ କି ସୌଭାଗ୍ୟ ! ଦୁଇଟା ଟଙ୍କା ପଡ଼ିଥିଲା ପକେଟରେ । ସେତକ ବିଧବା ହାତକୁ ବଢ଼େଇଦେଇ କହିଲା ସେ, ଚା ଜଳଖିଆ ଟିକେ ଖାଇ ନିଅ ମାଉସୀ...

ବିଧବା ଆଖି ପୋଛିଲା ।

ବନ୍ୟା ସମସ୍ତଙ୍କୁ ସମାନ କରିଦେଇଛି । ଥିବାବାଲା, ନ ଥିବାବାଲା ସମସ୍ତେ ସମାନ । କାହାରି ଘର ନାହିଁ । ସମସ୍ତଙ୍କର ଜମି ବାଲୁଚର ହୋଇଯାଇଛି । କରଣ ଘରର ସେଇ ନିରାଶ୍ରିତା ବିଧବାଟିର ମୁଣ୍ଡ ଉପରେ ଆକାଶ ଭାଙ୍ଗିପଡ଼ିଛି । ସ୍ୱାମୀ ନାହିଁ କି ପୁତ୍ର ନାହିଁ । ସେ ଏକାକିନୀ । ଘରଦ୍ୱାର ମାଟିରେ ମିଶିଯାଇଛି । ପୋତି ହୋଇଯାଇଛି ଆସବାବପତ୍ର, ବାସନକୁସନ, ସାମାନ୍ୟ ସଞ୍ଚୟ ।

ଚାନ୍ଦା ଭେଦା ଦିଅନ୍ତି ଶ୍ରମିକମାନେ । ଏତେ ଦୁଃଖ ଭିତରେ ବି ମାନବିକତାକୁ ହରେଇ ନାହାନ୍ତି ସେମାନେ । ସୁଖ ଦୁଃଖ ସମସ୍ତଙ୍କର । ବାଣ୍ଟି କୁଣ୍ଟି ନିଅନ୍ତି ଯାହା ମିଳେ ।

ନିଆଶ୍ରୀ ବିଧବାଟି ଚଳିଯାଏ କଷ୍ଟେମଷ୍ଟେ ।

ନରୋତ୍ତମର ଟିକେ ଦୂରରେ ଜିପ୍‌ଗାଡ଼ି ଗୋଟେ ଧୂଳି ଉଡ଼େଇ ଛିଡ଼ା ହେଲା ଆସି ।

ଗାଡ଼ି ଭିତରୁ ଓହ୍ଲେଇ ପଡ଼ିଲେ ସାହେବ । ତାଙ୍କ ପଛେ ପଛେ ତଳିଆ କର୍ମଚାରୀ ।

 

ଅସ୍ତବ୍ୟସ୍ତ ହୋଇ ଦଉଡ଼ିଆସିଲେ ଠିକାଦାର ଆଉ ତାଙ୍କ ଲୋକ । ବୁଲିବୁଲି କାମ ଦେଖିଲେ ସାହେବ । ଆଦେଶ, ପରାମର୍ଶ ବି ଦେଲେ । ଅଧଘଣ୍ଟାଏ ବୁଲିବାବେଳକୁ ଝାଳେଇ ଯାଇଥିଲେ ସାହେବ । ତାଙ୍କ ମଥା ଉପରେ ଛତା ଧରି ଠିକାଦାର କହିଲେ, ଅଶିଣ ମାସର ଖରା ଖୁବ୍‌ଟାଣ ସାର୍‌... ।

 

ପଇଡ଼ କେତୋଟି ଧରି ସେତେବେଳକୁ ପହଞ୍ଚି ସାରିଥାଏ ପାଖଲୋକ । ମୁହଁରେ ପାଇପ୍‌ ଲଗେଇ ପଇଡ଼ ପାଣି ପିଇଲେ ସାହେବ ଏବଂ ତାଙ୍କ ନିଜ ଲୋକେ ।

 

ମଜୁରୀ ବଢ଼େଇ ଦେଇଛ ତ ଠିକାଦାର ବାବୁ ? ପଚାରିଲେ ସାହେବ ।

–ଆଜ୍ଞା

 

–ସେଥିରେ କମ୍‌ ନ କରନ୍ତି ଯେପରି । ସରକାରଙ୍କ କଡ଼ା ହୁକୁମ୍‌ ଟଙ୍କାଏ କରି ଅଧିକ ମଜୁରୀ ଦବା ପାଇଁ । ଏପରି ବିପତ୍ତି ସମୟରେ.... ।

 

ସାହେବଙ୍କ ମୁହଁରୁ କଥା ଛଡ଼ାଇ ନେଇ ଠିକାଦାରଙ୍କ ପକ୍ଷ ନେଇ କହିଲା ଜଣେ–ଆଜ୍ଞା, ସରକାର ବାହାଦୂରଙ୍କ କଥା ଅମାନ୍ୟ କରିବାକୁ ସାହସ କରିବ କେହି ! ଠିକାଦାର ପ୍ରତାପରୁଦ୍ର ମହାନ୍ତିଙ୍କ କଥା ଅନ୍ୟ ରକମର । ସେ ଯେପରି ବେପରୁଆଭାବେ ଖର୍ଚ୍ଚ କରୁଛନ୍ତି ଦୁର୍ଗତଙ୍କ ପାଇଁ ଲାଭ ଗୁଡ଼ ପିମ୍ପୁଡ଼ି ଖାଇ ନ ଗଲେ ରକ୍ଷା !

 

ସାହେବ ଚିହ୍ନି ନ ଥିଲେ ତାଙ୍କୁ ।

ପରିଚୟ କରାଇଦେଲେ ଠିକାଦାର ।

 

ସ୍ଥାନୀୟ ଜନସେବୀ ବିଭୁପଦ ଅଧିକାରୀ । ଉଚ୍ଚବଂଶଜ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ବିଧାନସଭା ସଦସ୍ୟ ହରିପଦ ଅଧିକାରୀଙ୍କ ଏକମାତ୍ର ପୁତ୍ର । ବାପାଙ୍କ ଅକ୍ଷୟକୀର୍ତ୍ତି ରକ୍ଷା କରିବା ପାଇଁ ଝାସ ଦେଇଛନ୍ତି ଦେଶସେବାରେ ।

 

ଖୁସି ହୋଇ କହିଲେ ସାହେବ–ଅମରେନ୍ଦ୍ର ଜଗଦ୍ଦେବ ଭଲ କାମ କରିବାର ଏଇ ସୁଯୋଗ ବିଭୁପଦବାବୁ । ଲୋକଙ୍କ ବିପତ୍ତି ସମୟରେ ପାଖରେ ଛିଡ଼ା ହେଲେ ସେମାନେ ଅକୃତଜ୍ଞ ହୁଅନ୍ତି ନାହିଁ ।

 

ଠିକାଦାର ଗଳା ସଫା କରି କହିଲେ, ଯୁବ କର୍ମୀମାନଙ୍କର ସଭାପତି ଇଏ । ୟାଙ୍କର ଜୟ ଜୟକାର ଚାରିଆଡ଼େ । ବଡ଼ ନେତାଙ୍କ ନିଜ ଲୋକ ।

 

ତାଙ୍କୁ ପଇଡ଼ ଗୋଟେ ଦେବା ପାଇଁ ଆଦେଶ କଲେ ସାହେବ ।

 

ବିଭୁପଦ ପଇଡ଼ ପାଣିଦ୍ୱାରା ତୃଷା ନିବାରଣ କରି କହିଲା, ମୁଁ ଏଇ କ୍ୟାମ୍ପରେ ରହୁଛି ସାର୍‌... । ଦରକାର ହେଲେ ମୋତେ ଡକେଇ ପଠେଇବେ ।

 

ଅମରେନ୍ଦ୍ର ବାବୁ କହିଲେ, ଏଇ କ୍ୟାମ୍ପରେ ରହୁଛନ୍ତି ?

 

–ନ ହେଲେ ଅନ୍ୟ ଦଳର ଲୋକେ ମିଥ୍ୟାପ୍ରଚାରଦ୍ୱାରା ଏମାନଙ୍କୁ ବିଭ୍ରାନ୍ତ କରିବେ । ଆମ ଦଳର ସୁଖ୍ୟାତି ଅଛି । ବ୍ୟକ୍ତିଗତ କଷ୍ଟ କିଛି ନୁହେଁ । ଦଳହିଁ ବଡ଼ ।

–ଭଲ, ଭଲ । ଆପଣ ଅନେକ ଆଗେଇବେ ବିଭୁପଦବାବୁ । କହିଲେ ଇଂଜିନିଅର ଅମରେନ୍ଦ୍ର ଜଗଦ୍ଦେବ ।

ବିଭୁପଦ ନିକଟତର ହବା ପାଇଁ କହିଲା, ବୟସରେ ମୁଁ ଆପଣଙ୍କ ପୁଅ ବୟସର । ମୋତେ ‘ଆପଣ’ ନ କହି ‘ତୁମେ’ କହିଲେ ଖୁସି ହେବି ସାର୍‌ ।

–ହଉ ତାହାହିଁ ହବ ବିଭୁପଦ ।

ଇଂଜିନିଅର ସାହେବ ସଲାପରାମର୍ଶ ଶେଷ କରି କର୍ମଚାରୀ ଓ ଠିକାଦାରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇସାରି ଜିପ୍‌ଗାଡ଼ିରେ ଚଢ଼ିବାବେଳକୁ ଗୋଟେ ବଡ଼ ରୋହୀମାଛ ଗାଡ଼ି ଭିତରକୁ ଠେଲିଦେଇ କହିଲେ ଠିକାଦାର, ଗଣ୍ଡରୁ ସବୁ ମାଛ ବାହାରି ଗଲେ ସାର୍‌ । ଆଜି ଗୋଟେ ଧରିଥିଲା ଆମ ଲୋକ । ପୁରୁଣା ରୋହୀ । ଓଜନ ପାଞ୍ଚ ସାତ କିଲୋରୁ କମ୍‌ ହବ ନାହିଁ ।

ଅମରେନ୍ଦ୍ର ବାବୁ ନ ଶୁଣିବା ପରି କହିଲେ, ଶୋଇବାବୁ ସମୟ ମିଳୁନି, ଘରେ ବସି ଓଳିଏ ଭଲ କରି ଖାଇବା ପାଇଁ ସମୟ କାହିଁ ? କାମ, ଖାଲି କାମ ।

ତାଙ୍କ କାନ ପାଖରେ କଅଣ କହିଲେ ଠିକାଦାର ଶୁଣାଗଲା ନାହିଁ । ଜିପ୍‌ଗାଡ଼ି ଧୂଳି ଉଡ଼େଇ ଚାଲିଯିବା ପରେ ନରୋତ୍ତମ ଜଣେ ଶ୍ରମିକକୁ ପାଖକୁ ଡାକି ପଚାରିଲା, ଦିନକୁ ମଜୁରୀ କେତେ ପାଅ ଭାଇ ?

ଲୋକଟି ଶଙ୍କିତ ଚିତ୍ତରେ ଚାହିଁଲା ନରୋତ୍ତମର ମୁହଁକୁ ।

ନରୋତ୍ତମ ପୁନରାବୃତ୍ତି କଲା, କେତେ ମଜୁରୀ ପାଅ ?

ଲୋକଟି ଶୁଷ୍କ କଣ୍ଠରେ କହିଲା, ଚାରିଟଙ୍କା ।

 

–କିନ୍ତୁ ସରକାର ତ ପାଞ୍ଚଟଙ୍କା ମଜୁରୀ ଧାର୍ଯ୍ୟ କରିଛନ୍ତି । ଏହା ଉପରେ ଆଉ ଟଙ୍କାଏ ବେଶୀ । କହିଲା ନରୋତ୍ତମ ।

 

ଲୋକଟି ଫିସ୍‌ଫିସ୍‌ କରି କହିଲା, ମଜୁରୀ କଥା କହିଲେ ବାହାର କରିଦେବେ କାମରୁ । ଘର ଖଣ୍ଡକ ତ ଯାଇଛି ମୂଲ ନ ଲାଗିଲେ ପିଲାଗୁଡ଼ା ଠୋ ଠୋ ମରିଯିବେ ।

 

ନରୋତ୍ତମ ତାକୁ ସାହାସ ଦବା ପାଇଁ କହିଲା, ଏତେ ଡର ଭୟ କାହିଁକି । ସାହେବଙ୍କୁ କହିଲନି ସବୁକଥା ।

 

ଜିଭ କାମୁଡ଼ି କହିଲା ଲୋକଟି, ଆଲୋ ମୋ ବୋପାଲୋ ! ଗଣ୍ଡିମୁଣ୍ଡ ଅଲଗା କରି ନଦୀ ଜଳରେ ଭସେଇ ଦେବେନି !

 

ନରୋତ୍ତମ ଆଉକିଛି କହିବା ପୂର୍ବରୁ କାଳେ ତାକୁ କେହି ଲକ୍ଷ୍ୟ କରିପାରେ ଏଇ ଆଶଙ୍କାରେ ଧୀରେ ଧୀରେ ସେଠାରୁ ଅପସରିଗଲା ଲୋକଟି ।

 

ନରୋତ୍ତମ ଦୀର୍ଘ ନିଶ୍ୱାସଟିଏ ଛାଡ଼ିଲା ।

 

କେନାଲ ବନ୍ଧ ଉପରେ ଶହ ଶହ ଲୋକ ଆଶ୍ରୟ ନେଇଥାଆନ୍ତି । ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ମୁଣ୍ଡ ଉପରେ ସରକାରୀ ସୂତ୍ରରୁ ସାହାଯ୍ୟ ମିଳିଥିବା ତିରପାଲ ଛାତ ଥିବା ଅସ୍ଥାୟୀ ବାସସ୍ଥାନ । କାନ୍ଥ ନାହିଁ କି ଚଟାଣ ନାହିଁ । ବାଆକୁ ବତା ପରି । ଟିକେ ବର୍ଷା ହେଲେ ବର୍ଷାପାଣି ଭିତରକୁ ପଶିଯାଏ, ପବନ ଟିକେ ପ୍ରବଳ ହେଲେ ବାଉଁଶ ଖମ୍ୱ ଚାରୋଟି ଦୋହଲେ । ବନ୍ୟା ସମୟରେ ବଣ ଜଙ୍ଗଲରୁ ଭାସିଆସିଥିବା ସରୀସୃପ ବି ଆଶ୍ରୟ ନେଇଥାଆନ୍ତି କେନାଲ ବନ୍ଧରେ । ମଣିଷମାନଙ୍କ ସହିତ ଗୋରୁଗାଈ, ଛେଳି, ମେଣ୍ଢା ଏବଂ ବର୍ତ୍ତି ଯାଇଥିବା ଯତ୍‌ସାମାନ୍ୟ ସମ୍ପତ୍ତି । ଯିଏ ତିରପାଲ ପାଇନାହିଁ, ସିଏ ତାଳ ବରଡ଼ା ବା ଆଉ ଯାହା ପାଇଲା ସେଇଥିରୁ କିଛି ପକେଇ ଦେଇଛି ଉପରେ । ଚାଳିଆ ଖଣ୍ଡେ ସାହାଭରସା । ସକାଳ ସଂଧ୍ୟା ସେଇ ଗୋଟାଏ ଦୃଶ୍ୟ-

 

ଅସହାୟ ମଣିଷର ଆକୁଳ ପ୍ରାର୍ଥନା ।

ହେ ଈଶ୍ୱର, ରକ୍ଷାକର ।

ଈଶ୍ୱର ସ୍ୱର୍ଗରେ ନା ମର୍ତ୍ତ୍ୟରେ, ଗୋଲକରେ ନା ପାତାଳପୁରୀରେ ?

କେଉଁଠାରେ ?

ନାଳରକ୍ତ ଝାଡ଼ାରେ ପେଟ ପିଠି ଲାଗିଗଲାଣି ପିଲାଟିର । ଔଷଧ ନାହିଁ କି ପଥି ନାହିଁ-

 

କାଲି ସ୍ୱେଚ୍ଛାସେବକମାନେ ଆସି ନାମ ଲେଖି ନେଇଥିଲେ । ଦୁଇ ତିନୋଟି ଧଳା ବଟିକା ଦେଇଯାଇଥିଲେ ପିଲାକୁ ଖୁଆଇ ଦବା ପାଇଁ । ସେତକ ଦିଆ ସରିଛି । ଫଳ କିଛି ହୋଇନାହିଁ । ସେଇ ନାଳରକ୍ତ ଝାଡ଼ା ଦେଇ ପରମାୟୁ ଶେଷ ହୋଇଆସୁଛି । ଶେତା ଦିଶୁଛି ମୁହଁ । କୋଟର ଭିତରକୁ ପଶିଯାଇଛି ଆଖି ।

 

ପେଡ଼ି ଫିଟାଇବାକୁ ଯାଇ ରଡ଼ି ଛାଡ଼ିଲା ଲକ୍ଷ୍ମଣର ସ୍ତ୍ରୀ ।

ପେଡ଼ିକୁ ଲାଗି ନାଗ ସାପଟିଏ ଗର୍ଜନ ଛାଡ଼ୁଛି ।

ଆ ଲୋ ମୋ ମାଆ ଲୋ !

ଦଉଡ଼ି ଆସିଲେ ପାଖ ଲୋକ ।

କିଏ ଜଣେ ସାହସ କରି ହାତ ବଢ଼ାଇ ଟେକିଆଣିଲା ରୋଗିଣା ପିଲାଟାକୁ ।

ମା’ ତାର ବେହୋସ ହୋଇଯାଇଛି ।

 

ସାପଟାକୁ ମାରିବା ଆଗରୁ କେନାଲବନ୍ଧ ତଳେ ଅଦୃଶ୍ୟ ହୋଇଗଲା । ସବୁ ଉଦ୍ୟମ ନିଷ୍ଫଳ ହେଲା । ବର୍ତ୍ତିଗଲା ନାଗସାପ । ମଣିଷର ଜୀବନ ଅପେକ୍ଷା ତାର ଜୀବନର ଆବଶ୍ୟକତା ବେଶୀ ବୋଧହୁଏ ।

 

ବେହୋସ ହୋଇଯାଇଥିବା ସ୍ତ୍ରୀଲୋକଟିର ମୁହଁରେ ପାଣି ଛିଞ୍ଚି ପଙ୍ଖା କଲା ଶକୁନ୍ତଳା ।

ଚେତା ଫେରିବାବେଳକୁ ପୁଣି ସେଇ ଚିତ୍କାର–ଆଲୋ ମୋ ମାଆ ଲୋ.... ।

କଅଣ କହି ତାକୁ ସାଷ୍ଟାଙ୍ଗ କରିବ ଶକୁନ୍ତଳା ?

 

ମଣିଷର ସାହା ଭରସା ଲୋପ ପାଇଯାଇଛି । ବିଶ୍ୱାସ ଭାଙ୍ଗିଯାଇଛି । ସାହସ ହଉନାହିଁ-। ଅଣ୍ଟା ଭାଙ୍ଗିଯାଇଛି ।

 

ବଢ଼ିପାଣି ସହିତ ଭାସିଯାଇଛି ହାଡ଼ସନ୍ଧିର ବଳବୀର୍ଯ୍ୟ ।

 

ଶକୁନ୍ତଳା ତାକୁ ଆଉ ବ୍ୟସ୍ତ ନ କରି ଶୋଇବାକୁ ଦେଲା । ନିଶ୍ଚେତନ ହୋଇ ରହିବା ବରଂ ଭଲ । ଭଲମନ୍ଦ ଜାଣିବାର ଜ୍ଞାନ ଥିଲେ ମଣିଷ ଡହଳ ବିକଳ ହୁଏ, ଶଙ୍କା ଓ ଶୋଚନା କରେ-। ଚେତନାଶୂନ୍ୟ ମନ ଅସମର୍ଥ ଏସବୁ ଭାବିବା ପାଇଁ ।

 

ଶକୁନ୍ତଳା ପୁଅକୁ ଉଠେଇ ନେଇ ତା ମୁହଁ ପୋଛିଦେଲା ଏବଂ ତାକୁ ଶାନ୍ତ କରିବା ପାଇଁ ଖେଳାଇବାକୁ ଲାଗିଲା ।

 

ଅପୁଷ୍ଟିକର ବା ଅଖାଦ୍ୟ ଖାଇବାର ଫଳ ଭୋଗୁଛି ପିଲାଟି । ପେଟ ଖଣ୍ଡକ ବାହାରିପଡ଼ିଛି ବାହାରକୁ । ଆଖିଯୋଡ଼ିକ ପଶିଯାଇଛି କୋଟର ଭିତରେ । ଦୃଷ୍ଟି ନିଷ୍ପ୍ରଭ । ଦେହ ନିସ୍ତେଜ ।

 

ସ୍ତ୍ରୀଲୋକଟିର ସ୍ୱାମୀ କାମକୁ ଯାଇଛି ଯେ ଫେରିନାହିଁ ଏ ଯାଏ । ଫେରିବାବେଳକୁ ସଞ୍ଜ ହବ ।

 

ଶକୁନ୍ତଳା ପଡ଼ୋଶୀ ଘରର ଝିଅ । ବଡ଼ଘରର ନ ହେଲେ ମଧ୍ୟ ମଧ୍ୟବିତ୍ତ ପରିବାରର । ସମାଜ ବିଜ୍ଞାନର ବି.ଏ ପାସ୍‌ କରି ବସିଛି ଘରେ । ଗୌରବର୍ଣ୍ଣ । ଦୃଷ୍ଟି ଆକର୍ଷଣ କରିବାଭଳି ମଥାର ଘନକୃଷ୍ଣ ଆଜାନୁଲମ୍ୱିତ କେଶଗୁଚ୍ଛ । ସାଧାରଣ ସ୍ୱାସ୍ଥ୍ୟ । ଦେଖିବାକୁ ଭଲ । ଦେହର ଲାବଣ୍ୟ ଦଣ୍ଡେ ଚାହିଁ ଦେଖିବାଭଳି ।

 

ଓଦା ମାଟି ଉପରେ କିଛି ପତର ପକେଇ ତା ଉପରେ ସପ ପାରି ଦିଆହୋଇଛି । ମଝିରେ ମଝିରେ ବର୍ଷା ହେଉଥିବାରୁ ପରିବେଶଟି ଅସ୍ୱାସ୍ଥ୍ୟକର ହୋଇଉଠିଛି ।

 

ସାନ ବଡ଼, ଧନୀ ନିର୍ଦ୍ଧନୀ, ଶିକ୍ଷିତ ଅଶିକ୍ଷିତ ସମସ୍ତେ ଲଗାଲଗି ହୋଇ ରହିଛନ୍ତି । ସବର୍ଣ୍ଣ ଅସବର୍ଣ୍ଣଙ୍କ ମଧ୍ୟରେ ଥିବା ବହୁକାଳର ବିଭେଦ ଆଉ ଦୃଷ୍ଟିରେ ପଡ଼ୁ ନାହିଁ । ସଂକଟ ଯେ ସମସ୍ତଙ୍କୁ ସମାନ କରିବାର ଏକ କ୍ଷମତାଶାଳୀ ମାଧ୍ୟମ ତାହା ସ୍ୱୀକାର କରିବାକୁ ହୁଏ ।

 

ଶକୁନ୍ତଳା ପୁଅ ମୁହଁରେ କିଛି ଆହାର ଦବାପାଇଁ ନିଜ କୁଡ଼ିଆକୁ ଯାଇ ନେଇଆସିଲା ଚୂଡ଼ା ଗିନାଏ । ଚୂଡ଼ାକୁ ଧୋଇ ଟିକେ ସିଝାଇ ଦେଇ ନରମ କରିଦେଲା । ସେଥିରୁ ଅଳ୍ପ କିଛି ପୁଅକୁ ଖୁଆଇ ସାରି ବାକୀତକ ରଖିଦେଲା ରାତି ପାଇଁ ।

 

ଚୂଡ଼ା, ଚାଉଳ, ତେଲ, ଲୁଣ ଏବଂ ଅନ୍ୟାନ୍ୟ ଖାଦ୍ୟପଦାର୍ଥ ନ ଥାଏ ସମସ୍ତଙ୍କ ଘରେ । ସମ୍ପତ୍ତି ସବୁ ଭାସିଯାଇଛି । କିଛି ଭାଙ୍ଗି ଖାଇବା ପାଇଁ ଯାହା ପାଖରେ ଥିଲା ସରିଗଲାଣି । ସ୍ତ୍ରୀଲୋକମାନଙ୍କ ହାତ ଖାଲି । କଂସା ବାସନ ବନ୍ଧାପଡ଼ିଛି ନୋହିଲେ ବିକ୍ରୀ ହୋଇଯାଇଛି । ରକ୍ଷା ପାଇଯାଇଥିବା ଗୋରୁଗାଈ କେତୋଟି ଖାଦ୍ୟ ନ ପାଇ ଅସ୍ଥିକଂକାଳସାର ହେଲେଣି । ସେମାନଙ୍କୁ ଖାଦ୍ୟ ଯୋଗାଇ ନ ପାରି ଏବଂ ଗୁଜୁରାଣ ମେଣ୍ଟାଇବା ପାଇଁ ଅନେକ କନ୍ଦରପୁର ପ୍ରଭୃତି ବଜାରରେ ବିକ୍ରୀ କରିଦେଲେଣି ଗାଈଗୋରୁ । ତଥାପି ଯେଉଁ କେତୋଟି ଅଛନ୍ତି ସେମାନଙ୍କର ଚର୍ଚ୍ଚା କରିବା ମୁଷ୍କିଲ ହୋଇପଡ଼ୁଛି । ଧାନଗଛ ବାଲିତଳେ ବା ପାଣିତଳେ ନିଶ୍ଚିହ୍ନ ହୋଇଯାଇଛି । ଘାସ ଯାହା ଅଛି, ତାହା ବିବର୍ଣ୍ଣ । ଗୋରୁଗାଈ ମୁହଁ ନୂଆଁଇ ପୁଣି ଉଠେଇ ନିଅନ୍ତି, ଖାଆନ୍ତି ନାହିଁ । କେନାଲ କୁଳ ମଣିଷ, ପଶୁ ଓ ସରୀସୃପମାନଙ୍କର ପ୍ରଧାନ ଆଶ୍ରୟସ୍ଥଳ । ବିକିଭାଙ୍ଗି ଖାଇବା ପାଇଁ ଯାହା ଘରେ କିଛି ନାହିଁ, ତାର ଦୁର୍ଦ୍ଦଶା ଚରମରେ ପହଞ୍ଚିଛି । ସରକାରୀ ସାହାଯ୍ୟ ସାତଦିନ ପାଇଁ ମିଳିଥିଲା । ତା’ପରେ ବନ୍ଦ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଯାହା ବାଣ୍ଟିଥିଲେ ତାହା ମଧ୍ୟ ସମୁଦ୍ରକୁ ଶଙ୍ଖେ ପଣାପରି । ବନ୍ଧବାଡ଼ ମରାମତି କାମରେ ଅବଶ୍ୟ ଅନେକ ଲାଗିଛନ୍ତି । ଯୋଉମାନଙ୍କର ଦୈହିକ ଶ୍ରମ କରିବାର ଅଭ୍ୟାସ ନାହିଁ, ସେମାନେ ବି ପେଟ ବିକଳରେ ଦିନ ମଜୁରିଆ ପାଲଟିଛନ୍ତି । ଘରର ବୋହୂଝିଅ ବଞ୍ଚିବାପାଇଁ ମାଟି ବୋହୁଛନ୍ତି ମୁଣ୍ଡ ଉପରେ । ପନ୍ଦର ଷୋହଳ ବର୍ଷର ପିଲା ସ୍କୁଲକୁ ନ ଯାଇ ଠିକାଦାରର କାମରେ ଲାଗିଛନ୍ତି ।

 

ଶକୁନ୍ତଳା ବି ବାହାରିଥିଲା ମାଟି ବୋହିବାପାଇଁ । ଆଖିରେ ଆଖିଏ ଲୁହ ନେଇ ବାରଣ କଲେ ଗୌତମ । ଯୋଉ ଝିଅ ନିଜ କାମ କରିପାରୁ ନ ଥିଲା, ତା’ ହାତକୁ ମାଟିଝୁଡ଼ି ଟେକି ଦେଇ ସେ ଅଏସ କରିବେ ଘରେ । ଗୌତମ ଜେନା ନିଜ ହାତର ମୁଦି ଏବଂ ସ୍ତ୍ରୀଙ୍କ ଗଳାର ହାର ଖଣ୍ଡକ ବିକି ସାରିଲେଣି । ସେଇଥିରେ ଚଳୁଛି ସଂସାର । କିଛି ବାଉଁଶ ବି କିଣା ହୋଇଛି ଘରଖଣ୍ଡିଏ ତୋଳିବା ପାଇଁ ।

 

ଚାରିଆଡ଼େ ବିଷାଦର ଛାୟା, ଦୁଃଖର ବୋଝ ବୋହି ନ ପାରି ଆଣ୍ଠେଇ ପଡ଼ିଥିବା ମଣିଷର ଚିତ୍ର ।

 

ଶକୁନ୍ତଳା ପିଲାଟିକୁ ଶୁଆଇ ଦେଲା । ଖାଇସାରିବା ପରେ ଟିକେ ବୁଲେଇ ଦବାରୁ ନିଶ୍ଚିନ୍ତରେ ସେ ଶୋଇପଡ଼ିଲା ।

 

ଶକୁନ୍ତଳା ଟିକେ ଫୁରସତ୍‌ ପାଇ ବାହାରକୁ ଆସିଲା । ସୂର୍ଯ୍ୟଦେବତା ମେଘ ଆଢ଼ୁଆଳରେ ଢୁଳଉ ଥିବାରୁ ଖରାରେ ତେଜ ନ ଥାଏ । ନଦୀ ଆଡ଼ୁ ପବନ ବହୁଥିଲା ଧୀରେ ଧୀରେ ।

 

ମୁହଁର ଝାଳ ପୋଛି ପବନମୁହାଁ ହୋଇ ଦଣ୍ଡେ ଛିଡ଼ା ହେଲା ଶକୁନ୍ତଳା ।

ବନ୍ୟା ବିଧ୍ୱସ୍ତ ପୃଥିବୀ ଲମ୍ୱିଯାଇଛି ପୂର୍ବରେ ।

 

ଇମିତି ଅନେକ ସଙ୍କଟ ଅତିକ୍ରମ କରି ଅଗ୍ରଗତି କରିଛି ମଣିଷ । କେତେବେଳେ ଦୁଃଖରେ ଆଣ୍ଠେଇ ପଡ଼ିଛି ତ ଆଉ କେତେବେଳେ ସୁଖର ପ୍ରଗଳ୍‌ଭତାରେ ଧାଇଁଛି । ସୁଖ ଦୁଃଖର ସଂସାର ଏଥିପାଇଁ ବୋଧେ ସୁନ୍ଦର । ଖାଲି କଟଣା ସୁଖର ସମୟ ଲୁଣପଡ଼ି ନ ଥିବା ତରକାରୀ ପରି ଅଲଣା, ଅସୁଆଦ ।

 

ନରୋତ୍ତମକୁ କେନାଲ କୂଳେ କୂଳେ ଯାଉଥିବାର ଦେଖିଲା ଶକୁନ୍ତଳା ।

କବି ନରୋତ୍ତମ ।

 

ନରୋତ୍ତମ ତାକୁ ଜନ୍ମ ଦିନରେ ଉପହାର ଦେଇଥିବା କବିତାଟି ଆଉ ତା ପାଖରେ ନାହିଁ, ଭାସିଯାଇଛି ବନ୍ୟା ଜଳରେ ।

 

କାଗଜ ଖଣ୍ଡକ ସିନା ନାହିଁ, ସେଇ କବିତାର ପ୍ରତ୍ୟେକ ଅକ୍ଷର ଲେଖି ହୋଇଯାଇଛି ମନରେ । ଶକୁନ୍ତଳା ପଂକ୍ତିଏ କବିତା ଆବୃତି କଲା ।

 

ନରୋତ୍ତମ ତାକୁ ବାହାରେ ଛିଡ଼ା ହୋଇଥିବାର ଦେଖି କହିଲା, କଅଣ କରୁଛ ? ଆଉ ସବୁ ଭଲ ତ !

 

ଶକୁନ୍ତଳା ତଳକୁ ଓହ୍ଲେଇ ଆସିବା ଆଗରୁ କେନାଲ ଉପରକୁ ଉଠିଆସିଲା ନରୋତ୍ତମ-

 

ଶକୁନ୍ତଳା ସେହି ପ୍ରଶ୍ନର ଉତ୍ତର ନ ଦେଇ କହିଲା, ତମେ ସତରେ ଗାଁ ଛାଡ଼ି ଚାଲିଯାଉଛ ନରୁଭାଇ ?

 

ନରୋତ୍ତମ କହିଲା, ତୁ ବି ସେଇ ଏକା ପ୍ରଶ୍ନ ପଚାରୁଛୁ ଶକୁ ? ମୁଁ ଗାଁ ଛାଡ଼ି ସିନା ଚାଲିଯାଉଛି; କିନ୍ତୁ ସମସ୍ତଙ୍କୁ ତ ଛାଡ଼ି ଯାଉନି । ପୃଥିବୀଟା ଏତେ ବଡ଼ ଯେ, ଯେକୌଣସି ଜାଗାରେ ରହିହୁଏ, ପୁଣି ଏତେ ଛୋଟ ଯେ ଯେଉଁଠି ରହିଲେ ବି ବାରମ୍ବାର ସେଇ ପୁରୁଣା ଜାଗାକୁ ଫେରିହୁଏ ।

 

ଶକୁନ୍ତଳା ଏକ ଅପରିଚିତ ସ୍ୱରରେ କହିଲା, ଏଇ ମନ ଥିବ ସବୁଦିନ ନରୁଭାଇ । ତୁମେ ପରା କବି ! ହୁଏତ ଜାଣିଥିବ... ।

 

ନରୋତ୍ତମ ଶକୁନ୍ତଳାର ମୁହଁକୁ ଚାହିଁଲା ମୁହୂର୍ତ୍ତେ । ସେଇ ମୁହଁର ଭାଷା ଏଡ଼େ ସହଜ ଏବଂ ସୁବୋଧ୍ୟ ବୋଲି ଆଗରୁ କେବେ ଜାଣି ନ ଥିଲା ନରୋତ୍ତମ ।

 

ସେ କହିଲା, ବୈକୁଣ୍ଠ ପଟ୍ଟନାୟକଙ୍କ କବିତା ମନେଅଛି ସକୁ ? ସେଇ ଯେ ଦିନେ ତୁ ଆବୃତ୍ତି କରୁଥିଲୁ–‘ଜୀବନପାତ୍ର ମୋ ଭରିଛ କେତେ ମତେ ନ ଦେଲ ବୋଲି କିଛି କହିବି କି ହେ ଆଉ... ।’

 

ଶକୁନ୍ତଳା ମୁହଁ ବୁଲାଇନେଲା ନିଜକୁ ଲୁଚାଇବା ପାଇଁ ।

 

ନରୋତ୍ତମ କଅଣ ବୁଝିଲା କେଜାଣି, ତାର ହାତଟିକୁ ଧରିପକେଇ କହିଲା, ଏଇ ଗାଁ, ଏଇ ଦାଣ୍ଡ, ଏଇ ତୋଟା, ଆଉ ଏହାର ଲୋକମାନଙ୍କୁ ମୁଁ କେବେ ଭୁଲିପାରିବି ? ଏଇ ନଦୀ, ଏଇ କେନାଲ, ଏଇ ବନ୍ୟା କେବେ ମନରୁ ଲିଭିଯିବ ନାହିଁ । ତୁ ବ୍ୟସ୍ତ ହଅ ନା... । ମୁଁ ପୁଣି ଫେରିଆସିବି ।

 

ଶକୁନ୍ତଳା ସେତେବେଳକୁ ସଜାଡ଼ି ନେଇଥିଲା ନିଜକୁ । ସେ କହିଲା, ଫେରିଆସିବ ଯଦି ଗାଁ ଛାଡ଼ି ଯାଉଛ କାହିଁକି ? ଏଇ ଗାଁରେ ରହି ଯୋଉଠାକୁ ଇଚ୍ଛା ସେଠାକୁ ଯାଉନା, କିଏ ମନା କରୁଛି ?

 

ନରୋତ୍ତମ କହିଲା, ତୋ କଥାହିଁ ସତ ହେବ ଶେଷରେ । ଏରୁଣ୍ଡ ଯାଇ ଯାଇ ବାରୁଣ୍ଡା ମୁଣ୍ଡା । କିଛିଦିନ ବୁଲାବୁଲି କରି ଫେରିଆସିବି ।

 

ଶକୁନ୍ତଳା ସୁଯୋଗ ଉଣ୍ଡୁଥିଲା । ସେହି ସମୟ ଉପସ୍ଥିତ ଜାଣି କହିଲା, ଲୋକମାନଙ୍କର ଦୁଃଖ ତ ଆଖିରେ ଦେଖୁଛ, ଅଙ୍ଗରେ ଲିଭାଉଛ । ତୁମେ ସେଦିନ କହୁଥିଲ ଯେ...ରାଜଦ୍ୱାରେ ଶ୍ମଶାନେ ଚ ଯ ତିଷ୍ଠତି ସ ବାନ୍ଧବ । ଯିଏ ରାଜଦ୍ୱାରରେ ଏବଂ ଶ୍ମଶାନ ପାଖରେ ଥାଏ, ସେହି କେବଳ ବନ୍ଧୁ ।

 

ନରୋତ୍ତମ କହିଲା, କେତେବେଳେ କଅଣ କହିଥିଲି ସବୁ ମନେରଖିଛୁ ଶକୁ, କିଛି ଭୁଲିନାହୁଁ । ଆଉ ଯାହା ହବାର ହଉ, ତୋତେ ମୁଁ କିନ୍ତୁ ଭୁଲି ପାରିବି ନାହିଁ... ।

 

ଶକୁନ୍ତଳାର ମୁହଁ ଉପରେ କିଏ ଯେପରି ଅବିର ବୋଳିଦେଲା ।

ସେ କହିଲା ଧୀରେ ଧୀରେ, ଏଇ ଯଥେଷ୍ଟ ନରୁଭାଇ.... ମୁଁ ଆଉ କିଛି ଚାହେଁ ନାହିଁ ।

ନରୋତ୍ତମ ଚମକି ପଡ଼ିଲା ଶକୁନ୍ତଳାର ଆଖିରେ ଲୁହ ଦେଖି ।

 

ସେ ଜନ୍ମହବା ଦିନରୁ ତାକୁ ଦେଖିଆସୁଛି ନରୋତ୍ତମ । ଦୁହିଙ୍କ ମଧ୍ୟରେ ସାତବର୍ଷର ବ୍ୟବଧାନ । ତଥାପି ଆଜି ଶକୁନ୍ତଳାକୁ ଯେପରି ଦେଖୁଛି ନରୋତ୍ତମ ଆଉ କେବେ ଦେଖି ନ ଥିଲା, ଯେପରି ଜାଣୁଛି ତାକୁ ଆଉ କେବେ ଜାଣିବାର ସୁଯୋଗ ପାଇ ନ ଥିଲା ।

 

ଶକୁନ୍ତଳାକୁ କିପରି ସାନ୍ତ୍ୱନା ଦବ ତାହା ଭାବିପାରୁ ନ ଥିଲା ନରୋତ୍ତମ ।

 

କିନ୍ତୁ ଶକୁନ୍ତଳା ତାକୁ ସେହି ସଙ୍କଟରୁ ଉଦ୍ଧାର କରି କହିଲା, ବନ୍ୟାରେ ତ ସବୁ ଭାସିଗଲା ନରୁଭାଇ । ତୁମେ ଦେଇଥିବା କବିତାଟି ବି ବାଦ୍‌ଗଲା ନାହିଁ । ମୋ ପାଖରେ ତୁମ ନିଜର କିଛି ଚିହ୍ନ ରହିବ ନାହିଁ ?

 

ନରୋତ୍ତମ ଭାଷା ଖୋଜି ପାଇଲା ଏଥର ।

 

ସେ କହିଲା, ଯୋଉସବୁ କବିତା ପାଣ୍ଡୁଲିପି ହୋଇ ଏ ଯାଏ ରହିଗଲା, ତାକୁ ଛାପିବା ପାଇଁ କେହି ପ୍ରକାଶକ ମିଳିଲେ ନାହିଁ, ସେଇସବୁତକ କବିତାକୁ ତୋ ହାତରେ ଦେଇଯିବି ଶକୁ । ଯଦି କେବେ ସମୟ ହୁଏ, ସୁବିଧା ହୁଏ, ତୁ ପଢ଼ିବୁ ସେଇ କବିତା । ସେଥିରୁ ବୁଝିବୁ ଏଇ କୋଳାହଳମୟ ପୃଥିବୀରେ ମୁଁ କେଡ଼େ ଏକୁଟିଆ ।

 

ଆଉ ଅପେକ୍ଷା ନ କରି ବ୍ୟାଗ ଭିତରୁ ଖାତାଟିଏ ବାହାର କରି ଶକୁନ୍ତଳା ହାତକୁ ବଢ଼େଇଦେଲା ନରୋତ୍ତମ । ତାପରେ ଏକମୁହାଁ ହୋଇ ଦ୍ରୁତପଦରେ କିଛିଦୂର ଆଗେଇଯାଇ ଫେରି ଚାହିବାବେଳକୁ ଦେଖିଲା, ଶକୁନ୍ତଳା ଠିକ୍‌ ସେହି ସ୍ଥାନରେ ତାହାରି ଆଡ଼କୁ ଅନାଇ ରହିଛି ।

 

ଶକୁନ୍ତଳା ନିଜ ଚାଳିଆକୁ ଫେରିବାବେଳକୁ ସଂଧ୍ୟା ହୋଇଯାଇଥିଲା । ଲକ୍ଷ୍ମଣ କାମରୁ ନ ଫେରିବା ପର୍ଯ୍ୟନ୍ତ ଫେରିଆସିବା ପାଇଁ ଉପାୟ ନ ଥିଲା ତା ପାଖରେ । ପିଲାଟି ବହୁଦିନର କ୍ଳାନ୍ତି ପରେ ଶୋଇପଡ଼ିଥିଲା ନିଘୋଡ଼ ନିଦରେ । ବାହାରର ଜଞ୍ଜାଳ ଓ ଯନ୍ତ୍ରଣା, ଦୁଃଖ ଏବଂ ଶୋକ ତାକୁ ସ୍ପର୍ଶ କରୁ ନ ଥିଲା । ପୃଥିବୀର ଈର୍ଷା ଏବଂ ଅହଙ୍କାର ବହୁ ଦୂରରେ ଥିଲା ତାର । ଅପାପବିଦ୍ଧ ସେହି ସୁକୁମାର ସନ୍ତାନ କିନ୍ତୁ ପାପ ଓ ପ୍ରାୟଶ୍ଚିତ କରିବାପାଇଁ ଜନ୍ମିଥିଲା ଯେପରି । କାହାର ପ୍ରାରବ୍‌ଧ ଭୋଗ କରିବାପାଇଁ ଜନ୍ମଗ୍ରହଣ କରିଛି ସେ ନିଜର ନା ନିଜର ବାପା ମାଆଙ୍କର-? ସେ କିଛି ଜାଣେ ନାହିଁ । ଜାଣିବାର ଆବଶ୍ୟକତା ମଧ୍ୟ ନାହିଁ । ଯେତେବେଳେ ଦୁଃଖ ବା ଅଭାବବୋଧର ଗ୍ଳାନିରେ ମ୍ରିୟମାଣ ହୁଏ, ଏ ଦେଶର ଲୋକ ସେତେବେଳେ ସେ ଗୋଟିଏ ସହଜ କାରଣ ଆବିଷ୍କାର କରେ–ସବୁ ପ୍ରାରବ୍‌ଧର ଫଳ । ଏଇ ପ୍ରାରବ୍‌ଧ କାହାର କୃତକର୍ମର ଫଳ ସେ ଜାଣେ ନାହିଁ । ପୂର୍ବଜନ୍ମ ପରବର୍ତ୍ତୀ ଜନ୍ମ ପରି ଅନ୍ଧକାରରେ । ଅତୀତ ଏବଂ ଅନାଗତକୁ ଜାଣି ବର୍ତ୍ତମାନକୁ ନିୟନ୍ତ୍ରିତ କରିବାର ସମର୍ଥ ପୁରୁଷ ଏପର୍ଯ୍ୟନ୍ତ ଧରାଧାମରେ ଜନ୍ମଗ୍ରହଣ କରିନାହାନ୍ତି ।

 

ଶକୁନ୍ତଳା ପ୍ରାରବ୍‌ଧକୁ ସ୍ୱୀକାର କରେ ନାହିଁ । ଅତୀତ ସହିତ ଅତୀତର କର୍ମଫଳ ଶେଷ ହୋଇଛି । ସେହି ଜୀବନ ଆଉଥରେ ସେହି ରୂପରେ ଏକାପଥରେ ଆଉ ଚାଲେ ନାହିଁ । ତେଣୁ ଯଦି କୌଣସି ପ୍ରାଣୀ ପ୍ରତି ତୁମର ଟିକିଏ ଅନୁକମ୍ପା ବା ଅନୁରାଗ ଥାଏ, ତା ହେଲେ ସେ ଯାହାକଲେ ଉପକୃତ ହେବ ତାହା ମୁହୂର୍ତ୍ତେ ମାତ୍ର ବିଳମ୍ୱ ନ କରି ଏହି ଶୁଭ ମୁହୂର୍ତ୍ତରେ ଆରମ୍ଭ କର; କାରଣ ତୁମେ ଏଇ ଶରୀରରେ ଏଇ ଜୀବନରେ ଆଉ ଏହି ଏକା ପଥରେ ଆସିବ ନାହିଁ ।

 

ଶକୁନ୍ତଳା ସେଥିପାଇଁ ଯାହା ସମ୍ଭବ କରିବା ପାଇଁ ଚାହେଁ, ଏଇ ଜୀବନରେ । କେତେବା ପରମାୟୁ ମଣିଷର ! କଳିଷଠା ଷାଠିଏ । ଷାଠିଏ ପରେ ସୁସ୍ଥ ସମର୍ଥ ହୋଇ କେତେଜଣ ବଞ୍ଚନ୍ତି ଅଭାବଗ୍ରସ୍ତ ଏଇ ଭାରତ ବର୍ଷରେ ? ସତୁରୀ, ପଞ୍ଚସ୍ତରୀ ବା ଅଶୀ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଛନ୍ତି ଲୋକେ-। କିନ୍ତୁ ତାହା ସହିତ ସାଧାରଣ ଜୀବନର ପରମାୟୁର ସମ୍ପର୍କ ନାହିଁ । ବରଂ ସେହି ଦୀର୍ଘଜୀବୀମାନେ ଅନ୍ୟକୁ ବଞ୍ଚିତ କରି ଜୀବିତ ରହନ୍ତି, ଯାହାର ବଞ୍ଚିବା ନିହାତି ଆବଶ୍ୟକ, ତାହାରି ଭାଗ ଛଡ଼ାଇ ନେଇ ନିଜକୁ ପୁଷ୍ଟିକର ଖାଦ୍ୟ ଓ ପାନୀୟ ଯୋଗାଇଦେଇ ସୁଖୀ ହବାପାଇଁ ଚେଷ୍ଟା କରନ୍ତି ।

 

ଶକୁନ୍ତଳାର ମନ ବିଦ୍ରୋହୀ ହୋଇଉଠେ । ସେ କାରଣ ଖୋଜେ ଅକାଳ ମୃତ୍ୟୁରେ । ଛଅ ମାସର ଶିଶୁଟି ନିର୍ଦ୍ଦୋଷ, ନିଷ୍ପାପ ଏବଂ ନିର୍ମଳ । ଅଥଚ ସେ ବଞ୍ଚିପାରେ ନାହିଁ ମାଆ କୋଳରେ । ତାକୁ ଛଡ଼ାଇ ନିଏ ମହାକାଳ । ଆଜୀବନ ଈଶ୍ୱରଙ୍କୁ ନାମ ଜପୁଥିବା ସନ୍ନ୍ୟାସୀ ଦୂରାରୋଗ୍ୟ ବ୍ୟାଧିରେ ଦୟନୀୟ ଓ ଅବହେଳିତ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରନ୍ତି । ଆଉ ଯିଏ ପ୍ରତି ମୁହୂର୍ତ୍ତରେ ଅନ୍ୟର ଅମଙ୍ଗଳ କରେ, ଅନ୍ୟକୁ ଶୋଷଣ କରେ, ନିଜକୁ ସମୃଦ୍ଧ କରିବାପାଇଁ, ତା ମୁଣ୍ଡ ଉପରେ ପାଟଛତି, ନୀଳଚକ୍ରର ବାନା ହୁଏତ ମଇଳା ହୋଇଯାଏ ବା ଫାଟିଯାଏ, କିନ୍ତୁ ତା’ର ବାନା ଫର ଫର ଉଡ଼େ ଆକାଶରେ । ସବୁ ଭାଗ୍ୟ ନନ୍ଦିଘୋଷ ରଥଚକ ତଳେ ପେଷି ହୋଇଯାଉଥିଲେ ବି ସେହି କଳିଯୁଗ ପୁରୁଷର ଭାଗ୍ୟଲିପି ଲେଖାହୁଏ ଅଲିଭା କାଳିରେ ।

 

ଲକ୍ଷ୍ମଣ ଫେରିଆସି ଶକୁନ୍ତଳା ମୁହଁରୁ ସବୁ ଶୁଣି କାନ୍ଦି ପକେଇଥିଲା । ଆଉ ଯୁଝିବା ପାଇଁ ତା ଦିହରେ ଯେପରି ଶକ୍ତି ନାହିଁ, ମନରେ ବଳ ନାହିଁ ।

 

ଲକ୍ଷ୍ମଣର ସ୍ତ୍ରୀ ସେତେବେଳକୁ ସାଷ୍ଟାଙ୍ଗ ହୋଇଥାଏ । ସେ ମଥାରେ ହାତଯୋଡ଼ି କହିଲା, ଆମପରି ଅର୍କ୍ଷିତ ଲୋକଙ୍କର ସାହାଭରସା ଭଗବାନ ନୁହଁନ୍ତି, ମଣିଷ । ଏଇ ଶକୁନ୍ତଳା ସାହସ କରି ସାପ ମୁହଁରୁ ପୁଅକୁ ଉଠେଇ ନେଇ ନ ଥିଲେ କଅଣ ହୋଇଥାଆନ୍ତା କିଏ କହିବ ।

 

ଲକ୍ଷ୍ମଣ ସ୍ତ୍ରୀକୁ କହିଲା, ଭଗବାନ ମଣିଷ ବେଶରେ ଆସନ୍ତି ମଣିଷକୁ ଉଦ୍ଧାର କରିବା ପାଇଁ । ଶକୁ ଝିଅ ବକଟେ ନୁହେଁ ଯେ ସେଇ ସୀତା ସାବିତ୍ରୀଙ୍କ ଅଂଶ ।

 

ଲକ୍ଷ୍ମଣର ସ୍ତ୍ରୀ ସତ୍ୟଭମା ଶକୁନ୍ତଳାକୁ ଅନାଇଦେଇ ଆସିବାବେଳେ ତାର ହାତ ଦୁଇଟି ଧରିପକାଇ କହିଲା, ଆମେ ଛୋଟ ଜାତିର ଲୋକ । ତମେ ବଡ଼ ଘରର ଝିଅ । ବାପା ଗୋସେଇଁ ବାପାଙ୍କ ନାମ ଡାକ ଅଛି ଅଞ୍ଚଳରେ । ଆମ ଘରକୁ ଆସିଥିଲେ ବୋଲି ଘରେ କାହାକୁ କହିବ ନାହିଁ ଦେଇ ।

 

ସତ୍ୟଭାମାର ହାତ ଯୋଡ଼ିକ ଥରୁଥିଲା ଭୟରେ । ସେଇ ହାତର ଝାଳ ଲାଗିଲା ଶକୁନ୍ତଳାର ହାତରେ ।

 

ସେ ତାକୁ ନିର୍ଭୟ ହବାକୁ କହି ଆଗେଇ ଯିବାବେଳେ କହିଗଲା, ଏଇ କେନାଲ କୂଳରେ କୁଡ଼ିଆ ବାନ୍ଧି ରହିଥିବା ଶହ ଶହ ଲୋକଙ୍କର କେବଳ ଗୋଟିଏ ମାତ୍ର ପରିଚୟ-ସମସ୍ତେ ମଣିଷ । ସେଥିପାଇଁ କୌଣସି ବାଛ ବିଚାର ନ କରି ସମସ୍ତଙ୍କୁ ଏକତ୍ର କରିବା ପାଇଁ ପ୍ରକୃତ ଆୟୋଜନ କରିଥିଲା ଏଇ ଧ୍ୱଂସଲୀଳା । ନୋହିଲେ କଟକ, ଭୁବନେଶ୍ୱର ରାଜସୁଖ ଛାଡ଼ି ଝାଳନାଳ ହୋଇ ଆମେ କିମିତି ଅଛୁ ଦେଖି ଫଟୋ ଉଠେଇବା ପାଇଁ ଆସୁଥାଆନ୍ତେ ଏତେଲୋକ-! ସେମାନେ ନ ଆସି ଯଦି ପେଟ୍ରୋଲ ଖର୍ଚ୍ଚତକ ପଠେଇ ଦିଅନ୍ତେ, ରାମକୃଷ୍ଣ ମିସନ ବା ଭାରତସେବାସଙ୍ଘର ସନ୍ୟାସୀମାନଙ୍କ ହାତରେ ତା ହେଲେ ଆମ ଭିତରୁ ଚଉଠେ ଲୋକଙ୍କର ଗୁଜୁରାଣ ମେଣ୍ଟି ଯାଆନ୍ତା ।

 

ସତ୍ୟଭାମା ଏତେ କଥା ବୁଝିପାରେ ନାହିଁ ।

ତାକୁ ପଛରେ ପକେଇ ଘରକୁ ଫେରିବା ବେଳକୁ ମୁହଁ ସଞ୍ଜ ।

 

କିରାସିନି ମିଳୁନାହିଁ । ଛିନ୍ନ ବିଚ୍ଛିନ୍ନ ହୋଇଥିବା ବିଜୁଳି ସରବରାହ ଲାଇନ୍ ଓ ଉପୁଡ଼ି ପଡ଼ିଥିବା ବିଜୁଳିବତୀ ଖୁଣ୍ଟର ମରାମତି କାମ ଏବେବି ଶେଷ ହୋଇନାହିଁ । ଚତୁର୍ଦ୍ଦିଗରୁ ଘୋଟିଆସୁଛି ଅନ୍ଧକାର । ନଦୀ ପାଣିରେ କିନ୍ତୁ ମୁହଁ ଦେଖୁଥାଆନ୍ତି କେତୋଟି ସନ୍ଧ୍ୟା ତାରା ।

 

ଶକୁନ୍ତଳାକୁ ଫେରିବାର ଦେଖି ସାହାସ ପାଇଲେ ଗୌତମ ଜେନା । ତୋ ପାଇଁ ମୁଁ ବ୍ୟସ୍ତ, ତୋ ମାଆ ତ ହାତଯୋଡ଼ି ବସିଛି...ସେ କହିଲେ ଝିଅକୁ ।

 

ଶକୁନ୍ତଳା ତାଙ୍କ ମୁହଁକୁ ଚାହିଁ ଟିକିଏ ହସିଦେଇ କହିଲା, ମୁଁ କଅଣ ପିଲାଟିଏ ହୋଇଛି ଯେ ହଜିଯିବି ।

 

ଗୌତମ କହିଲେ, ବାପା ମା ଆଖିରେ ଝିଅ ପୁଅ ଯେତେବଡ଼ ହେଲେ ବି ପିଲା ! ତାପରେ ଦିନକାଳ ଭଲ ନୁହେଁ ।

 

ଶକୁନ୍ତଳା ବୋଉଙ୍କ ପାଖକୁ ଯାଇ ତାଙ୍କ କୋଳଘସି ବସିପଡ଼ିଲା । ସରଳା ପ୍ରାଣ ପାଇଲେ ଯେପରି ।

 

ଚାଳିଆରେ ରହିବା ଦିନୁ ଏତେବଡ଼ ସଂସାରଟା ଛୋଟ ହୋଇଯିବା ପରି ଲାଗୁଛି । ଯିଏ ଯିମିତି ପାରିଲା ମୁଣ୍ଡ ଗୁଞ୍ଜିବା ପାଇଁ ଚାଳିଆଟିଏ କରିଛି । କେଉଁଟି କେବଳ ତାଳପତ୍ରରେ ତ ଆଉ କେଉଁଟି ଉପରେ ପାଲ ପଡ଼ିଛି । ଗୌତମ ଜେନା ଭାଗ୍ୟବାନ । ସେ ପାଲଟିଏ ପାଇଥିଲେ ଉପରେ ପଳାଇବାପାଇଁ । ଇମିତି ପଲିଥିନ୍‌ର ପାଲି ଶହ ଶହ ଆସିଛି ଦାତବ୍ୟ ଓ ସରକାରୀ ସଂସ୍ଥାମାନଙ୍କରୁ । କିଛି ବଣ୍ଟା ହୋଇଛି । କିଛି ହୋଇନାହିଁ । ଅନେକଗୁଡ଼ା ପାଲ କଲିକତା ବଜାରକୁ ଚାଲିଯାଇଥିବାର ଗୁଜବ ବି ଶୁଣାଯାଏ ।

 

ସରଳା କିଛି କିରାସିନୀ ତେଲ ରଖିଥିଲେ । ମିଞ୍ଜି ମିଞ୍ଜି ହୋଇ ଘର ଭିତରେ ଡିବିଟିଏ ଜଳୁଛି ।

 

ସେ କହିଲେ, ଏଇ ଟିକେ ଆଗରୁ ଟିକେ ପାଖରେ ରକ୍ତାରକ୍ତି ହୋଇଗଲା ।

ଆଶ୍ଚର୍ଯ୍ୟ ହୋଇ କହିଲା ଶକୁନ୍ତଳା, କାହିଁକି ?

 

–ରିଲିଫ୍‌ବଣ୍ଟାରେ ପାତର ଅନ୍ତର କାରିବା ପାପ । ପେଟ ବିକଳରେ ଲୋକମାନେ ତ ପାଗଳ କୁକୁର ପରି ବୁଲୁଛନ୍ତି । ଜଣେ ଦୁଇଜଣ କୌଶଳ କରି କିଛି ବେଶୀ ନେଇଗଲେ ଅନ୍ୟମାନେ ଛାଡ଼ିବେ ।

 

ଶକୁନ୍ତଳା ଏପରି ଘଟଣା ଅନେକ ଶୁଣିଛି । ତଥାପି କହିଲା, ଭୋକକଷ୍ଟ ସମ୍ଭାଳି ପାରୁନାହାନ୍ତି ।

 

–ବାଉରୀ ସାହିର ଧନିଆ ତରକିଯାଇ ନନ୍ଦ ନାଏକ ଦିହରେ ହାତ ବଜେଇ ଦେଲା । ତାପରେ ତ ଦୁଇ ଦଳଙ୍କ ଭିତରେ କୁରୁକ୍ଷେତ୍ର ଲଢ଼େଇ । ଭାଗ୍ୟକୁ ତୋ ବାପ ଦଉଡ଼ିଗଲେ କଥା ଶୁଣି-। ନୋହିଲେ ଧନିଆ କି ନନ୍ଦ ଭିତରୁ ମରିଥାଆନ୍ତା ଜଣେ ।

 

ଶକୁନ୍ତଳାର ଆଖି ଆଗରେ ମଣିଷର ରୂପ ବଦଳିବାରେ ଲାଗିଛି ।

 

ତାପରେ ଲକ୍ଷ୍ମଣର ଚାଳିଆରେ ଯାହା ଘଟିଥିଲା ଗୋଟି ଗୋଟି କରି କହିଲା ସବୁ ମାଆଙ୍କୁ । ସରଳଙ୍କ ହାଲୁକା ଶୁଖିଗଲା ଝିଅ ମୁହଁରୁ କଥା ଶୁଣି । ସେ କାନ୍ଦିପକେଇ କହିଲେ, କାଳ କେତେବେଳେ ବିଶ୍ୱାସଘାତକତା କରିବ କିଏ ଜାଣେ । ସବୁ ଭାଗ୍ୟ ।

 

ରାତିର ପ୍ରଥମ ପ୍ରହର । ସନ୍ଧ୍ୟା ପରେ ସାପ ଶବ୍ଦ ଉଚ୍ଚାରଣ କରିବା ମନା । ସେଥିପାଇଁ ସାପକୁ କାଳ କୁହନ୍ତି ସରଳା ।

 

ତାଙ୍କୁ ସାନ୍ତ୍ୱନା ଦେଲା ଶକୁନ୍ତଳା । ଯିଏ ଯାହାର ଭାଗ୍ୟ ନେଇ ଜନମି ନାହିଁ ବୋଉ, ପୃଥିବୀରେ ଭାଗ୍ୟ ତିଆରି କରୁଛି ମଣିଷ । ସେଥିପାଇଁ ଦେଖୁନୁ କିଛି ଭଲ କାମ ନ କରି ବି ଗୋବିନ୍ଦ ମଉସାଙ୍କ ଘର ସେମିତି ମଥା ଟେକି ରହିଛି; ଅଥଚ ମାଛିକୁ ମ କହୁ ନ ଥିବା ଭାଗୁ କକେଇଙ୍କ ଘରବାଡ଼ି ଖାଲି ବାଲୁଚର ହେଲା ନାହିଁ, ସ୍ତ୍ରୀ ପୁଅଝିଅ ତିନିଜଣ ହାତ ଧରାଧରି ହୋଇ ଚାଲିଗଲେ ବନ୍ୟାରେ । ସେ ଆଉ ସଜାଡ଼ି ପାରିବେ ନିଜଘର ? ସମୟ ସବୁ ଭୁଲାଇ ଦବ-। ତାପରେ ଲୋକେ କହିବେ ଭାଗୁଟା ଅକ୍ଷମ, ଅପଦାର୍ଥ । କଅଣ ପାପ କରିଥିଲା କେଜାଣି ସ୍ତ୍ରୀ ପରିବାର ଭାସିଗଲେ ବନ୍ୟାରେ ।

 

ଶକୁନ୍ତଳା ସହିତ ଯୁକ୍ତିରେ ପାରନ୍ତି ନାହିଁ ସରଳା ।

 

ପାଠପଢ଼ା ଝିଅ ଶକୁନ୍ତଳା । ବି.ଏ. ପାସ୍‌କରି ଘରେ ବସିଛି, ନୋହିଲେ ଦୁଇବର୍ଷ ହବ ଚାକିରୀ କରୁଥାଆନ୍ତା । ବାହା ହୋଇଥିଲେ ପୁଅ କି ଝିଅର ମା’ ହୋଇ ସଂସାର ମେଲାଇ ବସିଥାଆନ୍ତା ଖୁସିରେ । ସେ ସୌଭାଗ ତାଙ୍କର ନାହିଁ । ଝିଅର ହାତକୁ ଦି’ହାତ କରିପାରିଲେ ନାହିଁ-। ତା’ କପାଳ ଖାଲି । ସିନ୍ଦୂର ବିନ୍ଦୁଟିଏ ସ୍ୱପ୍ନ ହୋଇ ରହିଛି ।

 

ସେ ପ୍ରସଙ୍ଗ ବଦଳାଇ କହିଲେ, ଆଉ କେତେଦିନ ଏଇ ଚାଳିଆ ଭିତରେ କଟିବ ଭଗବାନ ଜାଣନ୍ତି ! ଭାଗ୍ୟ ଫାଟିଯାଇଛି । ଆଉ ଯୋଡିହବ ନାହିଁ ।

 

ତାଙ୍କ ଆଖିରୁ ପୁଣି ଅଶ୍ରୁ ଝରିଲା ।

 

ଶକୁନ୍ତଳା ମାଆଙ୍କର ଆଖିର ଲୁହ ପୋଛିନେଇ କହିଲା, ଖାଲି ଆମର ଭାଗ୍ୟ ଫାଟିନାହିଁ ବୋଉ, ସମସ୍ତଙ୍କର ସେଇ ଏକ ଦଶା । କିନ୍ତୁ ସବୁ ସଙ୍କଟରୁ ଉଦ୍ଧାର ପାଇବାର ପ୍ରଣବ ମନ୍ତ୍ର ଜଣାଅଛି ମଣିଷକୁ । ସେଥିପାଇଁ ଦେଖୁନୁ, କେତେ ବଢ଼ି ଓ ମରୁଡ଼ି ପରେ ବି ବଞ୍ଚିଛି ମଣିଷ । କେତେ ଭୂମିକମ୍ପ ହୁଏ, ଅକାଳ ପଡ଼େ, ମହାମାରୀ ଆସେ; କିନ୍ତୁ ମଣିଷର ଯୁଝିବାର ଶକ୍ତି ଅସୀମ । ଏ ଶକ୍ତି କୋଉଠୁ ଆସେ, କିଏ ଦିଏ, କିଛି ବୁଝି ହୁଏ ନାହିଁ ବୋଲି ମଣିଷ ଭାଗ୍ୟକୁ ନିନ୍ଦା ବା ପ୍ରଶଂସା କରେ । କିନ୍ତୁ ଟିକେ ତଳେଇ କରି ଦେଖିଲେ ଜାଣିହୁଏ କିପରି ଲୁଚି ରହିଛି ମଣିଷ ଭିତରେ ଅସୀମ ସମ୍ଭାବନା । ସେ ଶକ୍ତିର ଉତ୍ସ । ଦେବତାମାନେ ନୁହନ୍ତି, ମଣିଷ ଅସାଧ୍ୟ ସାଧନା କରେ, ନିଜ ଭାଗ୍ୟ ନିଜେ ତିଆରି କରେ ।

 

ସରଳା ଝିଅର ବୁଦ୍ଧିପାଇଁ ଈଶ୍ୱରଙ୍କୁ କୃତଜ୍ଞତା ଜଣାନ୍ତି । ଦଶମାସ ଭାଗବତ ଶୁଣିବା ପରେ ଏଇ ଝିଅ ଆସିଛି କୋଳକୁ ।

 

ଶକୁନ୍ତଳାକୁ ଆହୁରି ବେଶି ପଢ଼େଇବା ପାଇଁ ଇଚ୍ଛା ଥିଲା ଦୁହିଁଙ୍କର । କିନ୍ତୁ ହେଲା ନାହିଁ-। ନାନାଦି ଉଡ଼ା ଖବର ଶୁଣି ଶଙ୍କିଗଲେ ସରଳା । ଝିଅ ଘିଅ । ଯେତେଦିନ ଦୁଇହାତ ହେଇନି ପାଖରେ ରଖିବେ, ଆଖିରେ ଦେଖୁଥିବେ । ଆଖିର ଉହାଡ଼ ସବୁ ଅନ୍ଧାର । ଏଇ ବୟସଟା ବି ଏଇପରି । ମନ ମାନେନି । ବିବେକ କଥା ଶୁଣେ ନାହିଁ ।

 

ଗୌତମ ତାଙ୍କୁ ଅନେକ ବୁଝାଇଥିଲେ । ସେ କେତେଥର କହି ନ ଥିବେ, ଶକୁ ଆମର ସେପରି ନୁହେଁ, ସିଏ ଆଉ ଚାରିଜଣଙ୍କ ପରି ନୁହେଁ । ସେ ଖଣ୍ଡେ ଶୁଦ୍ଧସୁବର୍ଣ୍ଣ, ତା ପାଇଁ ଚିନ୍ତା କରନାହିଁ । କିନ୍ତୁ ଚିନ୍ତା ତାଙ୍କୁ ଛାଡ଼ିଲା ନାହିଁ । ଯୋଉଦିନଠାରୁ ଶୁଣିଲେ ଯେ, କନ୍ଦରପୁରର କାଶ୍ୟପ ମିଶ୍ରଙ୍କ ପୁଅ ଜଗତସିଂପୁରର ମୋହନ ସ୍ୱାଇଁଙ୍କ ଝିଅକୁ ନେଇ ପୁରୀରେ ବାହା ହୋଇପଡ଼ିଛି, ସେହିଦିନ ମନ ସ୍ଥିର କରି ପକେଇଲେ ସରଳା । ଏକାସାଙ୍ଗରେ କଟକରେ ପଢ଼ୁଥିବା ପିଲା ଦୁଇଟା ଯଦି ଜାତି ଗୋତ୍ର ସାମାଜିକ ବାଧାବନ୍ଧନ ନ ମାନି ବାପା ମାଆଙ୍କୁ ନ ପଚାରି, ବାହାହୋଇ ଚାଲିଗଲେ ବଡ଼ଦାଣ୍ଡରେ, ସେ କୋଉ ସାହସରେ ଝିଅକୁ ପଠେଇ ଥାଆନ୍ତେ ବାଣୀବିହାରକୁ ଏମ୍. ଏ. ପଢ଼ିବା ପାଇଁ । ସେଠାରେ କୁଆଡ଼େ ଝିଅ, ପୁଅଙ୍କର ଅଫୁରନ୍ତ ସ୍ୱାଧୀନତା, ଅବାଧ ମିଳାମିଶା ।

 

ଗୌତମ ତଥାପି ତାଙ୍କୁ ଭରସା ଦବା ପାଇଁ ଦିନେ ଭୁବନେଶ୍ୱର ନେଇଯାଇ ବାଣୀବିହାରରୁ ବୁଲାଇ ଆଣିଥିଲେ । ଝିଅମାନଙ୍କର ହଷ୍ଟେଲ ଚାରିପାଖ ଖାଲି ପାଚେରୀ ନାହିଁ । ଯିଏ ଯେତେବେଳେ ଇଚ୍ଛା ପଶୁଛି ବାହାରୁଛି । ସରଳା ମାନିଲେ ନାହିଁ । ଜିଦ୍‌ଧରି କହିଲେ, ଯଦି ଝିଅ ଏଠାରେ ରହି ପଢ଼ିବ, ମୁଁ ମୁଣ୍ଡ କୋଡ଼ି ଦେବି । ରହିବା ଯଦି ସମସ୍ତେ ଏକାଠି ରହିବା । ଭଡ଼ା ଘର ନିଅ । ଆମ ପାଖରେ ରହି ପାଠ ପଢ଼ିବ ଶକୁ ।

 

ଗୌତମ ଜେନାଙ୍କର ଏତେ ସମ୍ପଦ ନ ଥିଲା ଭୂବନେଶ୍ୱରରେ ଘରଭଡ଼ା ନେଇ ସମସ୍ତେ ରହି ଝିଅକୁ ପାଠ ପଢ଼େଇବା ପାଇଁ । ତେଣୁ ତାଙ୍କର ଇଚ୍ଛା ସତ୍ତ୍ୱେ, ଶକୁନ୍ତଳାର ଶତ ଅନୁରୋଧ ସତ୍ତ୍ୱେ, ପାଠପଢ଼ାର ଇତି ହେଲା ସେହିଠାରେ ।

 

ସରଳା ଖୁସି ହୋଇ କହିଥିଲେ, ମୋ ଝିଅ ବି. ଏ. ପାସ୍‌ କରିଛି । ତୁମେ ତ ଆଇ. ଏ. ଫେଲ୍‌ ହୋଇ ପୁଣି ଏତେଦୂର ଆସିଛ ।

 

ଗୌତମ ମନେ ମନେ ହସିଥିଲେ ସେଦିନ । ସଂସାରଟା ଏ ଭିତରେ କେତେଦୂର ଆଗେଇ ଆସିଲାଣି ସେ ଖବର ରଖୁନଥିବା ଲୋକକୁ ସେ କଅଣ ବୁଝେଇ ଥାଆନ୍ତେ ।

 

ଆଜି ଝିଅକୁ ପୁଣିଥରେ ପାଖରେ ପାଇ ସରଳା କହିଥିଲେ-‘ମୁଁ ଯେତେଦିନ ବଞ୍ଚିଛି ମୋ ଆଖି ଆଗରେ ରହିଥା । ମୁଁ ଆଖି ବୁଜିଲେ ବାପା ଝିଅ ଯାହାଇଛା କରୁଥିବ ।’

 

ଶକୁନ୍ତଳା ବୋଉଙ୍କର ବ୍ୟାକୁଳତା ବୁଝେ । ଜନନୀର ଉତ୍କଣ୍ଠା ସବୁ ସ୍ୱାର୍ଥର ଊର୍ଦ୍ଧ୍ୱରେ । ସେଠାରେ କେବଳ ରାଶି ରାଶି ଆଶୀର୍ବାଦ । ଜନନୀର ହୃଦୟ ଆକାଶ ପରି ଉଦାର, ବର୍ଷାପାଣି ପରି ସ୍ୱଚ୍ଛ ଏବଂ ପୃଷ୍ପ ପରି ଶୁଦ୍ଧ ।

 

କିନ୍ତୁ ଆଉ ଦୁଇବର୍ଷ ପଢ଼ି ଏମ୍. ଏ.ଟା ପାସ୍‌ କରି ଆସିଥିଲେ ସେ ଅଧିକ ସୁଖୀ ହୋଇଥାଆନ୍ତା । ସବୁକଥା ସଦାବେଳେ ହୁଏ ନାହିଁ । ମନର ସବୁ ଆଶା ପୂର୍ଣ୍ଣ ହୁଏ ନାହିଁ । ସେଥିପାଇଁ ଆଉ ବେଶୀ ଶୋଚନା କରେ ନାହିଁ ଶକୁନ୍ତଳା । ବାପା ବୋଉଙ୍କ ଇଚ୍ଛାହିଁ ତା ପାଖରେ ବଡ଼ ।

 

ଗୌତମ ଚାଳିଆ ଭିତରକୁ ଆସି କହିଲେ, ସାଧାରଣ ଅବସ୍ଥାରେ ଲୋକର ଚରିତ୍ର ବୁଝାପଡ଼େ ନାହିଁ । ବିପତ୍ତି ବେଳେ କିଏ ଛୋଟ, କିଏ ବଡ଼. ଜାଣିହୁଏ ସହଜରେ ।

 

ସରଳା କହିଲେ, ତମର ତତ୍ତ୍ୱ କଥା ଶୁଣିବାପାଇଁ ଲୋକ କାହାନ୍ତି ?

–ତୁମେ ଅଛ । ରସିକତା କରି କହିଲେ ଗୌତମ ।

–ମୋର କାମ ନାହିଁ ଯେ ତୁମ କଥା ଶୁଣିବି ।

 

କିନ୍ତୁ ଶୁଣିବାକୁ ହବ ଯେ.... । ଏଠାରେ ତ ଉଆସ ନାହିଁ ଯେ ପଳେଇଯିବ ପାଖରୁ, ବାଧ୍ୟ ହବ ଶୁଣିବା ପାଇଁ ।

 

–ବାହାରେ ଅନେକ ଜାଗା ଅଛି ।

ବାପା ବୋଉଙ୍କ ମଧ୍ୟରେ ତର୍କ ହେଲେ ମଜାଲାଗେ ଶକୁନ୍ତଳାକୁ ।

 

ସେ ବାପାଙ୍କ ପକ୍ଷ ନେଇ କହିଲା, ବାପାଙ୍କ ମୁହଁରୁ ତ ଭାଗବତ ଶୁଣୁ, ଏକଥା ବି ଶୁଣ୍‌-

 

ତାଙ୍କ ଶୁଣିବାକୁ ଅପେକ୍ଷା ନ କରି ଗୌତମ କହିଲେ, ସରକାରୀ ସାହାଯ୍ୟ ସାତଦିନ ପାଇଁ ଆସିଥିଲା । ସାତଦିନ ପରେ ଲୋକଙ୍କୁ କାମ ଯୋଗେଇ ଦବା କଥା । ସେଥିପାଇଁ ବନ୍ଧବାଡ଼ ମରାମତି କାମ ଆରମ୍ଭ କରାଯାଇଛି । କିନ୍ତୁ ମଜୁରୀ କମ୍ ମିଳୁଛି ଲୋକଙ୍କୁ । ଠିକାଦାର ସହିତ ଅଫିସର ଆଉ ଟାଉଟର ମେଳିବାନ୍ଧି ବାଟମାରଣା କରି ନଉଛନ୍ତି ସବୁ । ବେସରକାରୀ ଅନୁଷ୍ଠାନମାନଙ୍କ ପକ୍ଷରୁ ଚୂଡ଼ା, ଚାଉଳ, ଔଷଧପତ୍ର କିଛି ଆସୁଛି । କିନ୍ତୁ ସମୁଦ୍ରକୁ ଶଙ୍ଖେ ପଣା ପରି-। ଏପରି ଅବସ୍ଥାରେ ଲୋକେ ବଞ୍ଚିବେ କେମିତି ? ପିଲାଙ୍କ ମୁହଁରେ ଆହାର ଦେବେ କିପରି-?

 

ଶକୁନ୍ତଳା କହିଲା, ମୁଁ ଶୁଣିଥିଲି ଯୋଉ ଚାଉଳ ସରକାର ପଠାଇଥିଲେ ଶସ୍ତା ଦରରେ ଲୋକଙ୍କୁ ବିକ୍ରୀ କରିବାପାଇଁ, ସେଥିରୁ ଅଧେ କନ୍ଦରପୁର ବଜାରରେ ଛଣ ଦରରେ ବିକ୍ରୀ ହେଲା ।

 

ସରଳା କହିଲେ, ବାପ ଝିଅ ବଡ଼ ବଡ଼ କଥା କହୁଛ ଯେ ତୁମେ ଦୁହେଁ କଅଣ କରିପାରିବ ! ତୁମ ହାତରେ ତ ମୁଗ ସିଝିବ ନାହିଁ କି ଶାଗ ସିଝିବ ନାହିଁ । ତୁମ କଥା କିଏ ଶୁଣିବ-?

 

ଗୌତମ କହିଲେ, କଥା ଶୁଣିବା ଅବସ୍ଥାରେ କେହି ନାହାନ୍ତି ଆଉ । ଯେଉଁମାନେ ଫାଇଦା ଉଠଉଛନ୍ତି ବିପତ୍ତିରୁ ସେମାନେ ତମ୍ବାରେ ମୁଣ୍ଡ ବାନ୍ଧି ନାହାନ୍ତି, ଦିନେ ସବୁ ସମ୍ପତି ଛାଡ଼ି ଅନ୍ୟ ଜାଗାକୁ ଯିବାକୁ ଯିବାକୁ ହେବ, କାହାପାଇଁ ରଖିଯାଇଛନ୍ତି ଏତେ ?

 

ସରଳା ଝଙ୍କାର ତୋଳି କହିଲେ, ତୁମେ ସିନା ସଂସାର କଥା ନ ବୁଝି ମାଳ ଗଡ଼ଉଛ । ସେମାନେ କଅଣ ଏତେ ମୂର୍ଖ ଯେ ସେୟା କରନ୍ତେ । ପୁଅ ଝିଅ, ନାତି ନାତୁଣୀଙ୍କ ପାଇଁ କିଛି ସଞ୍ଚି ନ ଯାଇ ଖାଲି ଖାଲି ଚାଲିଯିବେ !

 

ଗୌତମ ଜେନାଙ୍କର ଦୃଷ୍ଟି ତେଜ ହୋଇଗଲା ଯେପରି ! ସେ ଚଢ଼ ଗଳାରେ କହିଲେ, ଯୋଉମାନେ ପାଇବା କଥା ଅଥଚ ପାଉନାହାନ୍ତି, ସେମାନେ ଧର୍ମ ଯୁଯେଷ୍ଟି ନୁହନ୍ତି ଯେ ଚିରକାଳ ମୁହଁ ବୁଜି ସର୍ବସ୍ୱ ପଣକରି ସହିଯିବେ । ସେମାନଙ୍କ ଭିତରେ ଭୀମ, ଅର୍ଜ୍ଜୁନଙ୍କ ସଂଖ୍ୟା ବଢ଼ୁଛି ସରଳା-। ଦୁର୍ଯ୍ୟୋଧନ ସିନା ବିନା ଯୁଦ୍ଧରେ ସ୍ୱଚ୍ୟଗ୍ର ମେଦିନୀ ଦବାକୁ ନାରାଜ, ସେମାନେ କିନ୍ତୁ ବିନା ଯୁଦ୍ଧରେ ସ୍ୱଚ୍ୟଗ୍ର ମେଦିନୀ ନବାପାଇଁ ବି ନାରାଜ । ଯୁଦ୍ଧ ଅବଶ୍ୟମ୍ଭାବୀ; କିନ୍ତୁ ମନେରଖ, ଏ ଯୁଦ୍ଧ କୁରୁକ୍ଷେତ୍ର ଯୁଦ୍ଧଠାରୁ ବି ଆହୁରି ଭୟଙ୍କର ହେବ.... ।

 

ସରଳା ଶଙ୍କିଯାଇ କହିଲେ, ଯିଏ ନିଆଁ ଖାଇବ, ସିଏ ଅଙ୍ଗାର ହଗିବ । ଆମର ଲୋଭ ନାହିଁକି ଆମେ ଅନ୍ୟକାହାରି ଭାଗରୁ ଅଂଶ ନେଉନାହୁଁ । ଆମକୁ ପ୍ରଭୁ ଯାହା ଦଉଛନ୍ତି ସେତକ ଯଥେଷ୍ଟ ।

ଆମେ ସିନା ମୁହଁ ବୁଜି ସବୁ ଅଧର୍ମ, ସବୁ ଅନ୍ୟାୟ ସହିଯିବା । ସମସ୍ତେ କାହିଁକି ସହିବେ ? କହିଲେ ଗୌତମ ।

ସହିବା ଉଚିତ ନୁହେଁ ବାପା ? କହିଲା ଶକୁନ୍ତଳା ।

ଆଚରଣରୁ ନ୍ୟାୟଧର୍ମ ଲୋପ ପାଇଗଲାଣି । ଦିନ ଆସିବ ଯେତେବେଳେ ସମସ୍ତେ ପାଗଳା କୁକୁର ପରି କାମୁଡ଼ାକାମୁଡ଼ି ହେବେ । କହିଲେ ଗୌତମ ।

କିନ୍ତୁ ସେଦିନ ତ ଅନେକ ଡେରି ଅଛି ବାପା । ସେତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ? କହିଲା ଶକୁନ୍ତଳା ।

ଧର୍ମର ନାମରେ, ଭଗବାନ ଓ ଭାଗ୍ୟ ନାମରେ ଏ ଦେଶର କୋଟି କୋଟି ଲୋକଙ୍କୁ ନିଶାଗସ୍ତ କରି ରଖାଯାଇଛି । ସେମାନଙ୍କର ବିଶ୍ୱାସ ଯେ ଏସବୁ ଦୁର୍ଭୋଗ ସେମାନଙ୍କର କୃତକର୍ମର ଫଳ । ଭଲ ବିହନ ଯୋଗେଇ ନ ଦେଇ ପୋକରା ବିହନ ଯୋଗେଇ ଦେଇଥିବାରୁ ଶସ୍ୟ ନ ହବାର ପ୍ରକୃତ କାରଣ ହେଲେ ମଧ୍ୟ ଚାଷୀ କୁହେ, ପ୍ରାରବ୍‌ଧ, ଭାଗ୍ୟ ! ଅଦୃଷ୍ଟବାଦୀ ମଣିଷକୁ ଭୌତିକବାଦୀ ମଣିଷ ଠକୁଛି ସର୍ବତ୍ର । ଯେଉଁଦିନ ପର୍ଯ୍ୟନ୍ତ ଅଦୃଷ୍ଟ ଉପରେ ସବୁ ଦାୟିତ୍ୱ ଲଦିଦେଇ ଅନ୍ୟାୟ, ଅନୀତି ବିରୁଦ୍ଧରେ ସଂଗ୍ରାମ କରିବାକୁ ପଛଉଥିବେ ଲୋକେ, ସେପର୍ଯ୍ୟନ୍ତ ସବୁ କଷଣ ସହୁଥିବେ, ଅକାଳ ମରଣ ଭୋଗୁଥିବେ, ତଳିତଳାନ୍ତ ହଉଥିବେ ।

 

ପ୍ରତିକାର କିଛି ନାହିଁ ? ପଚାରିଲା ଶକୁନ୍ତଳା ।

 

ପ୍ରତିକାର ନିଜ ହାତରେ । ସମସ୍ତେ ଏହା ନ ବୁଝି ଅନ୍ୟ ମୁହଁକୁ ଅନାଇଲେ କି ସବୁ ଜଞ୍ଜାଳରୁ ତ୍ରାହି ପାଇବାପାଇଁ ଠାକୁରଙ୍କ ପାଖରେ ଭୋଗ ଯାଚିଲେ ଏ ରିଷ୍ଟ ଖଣ୍ଡନ ହେବ ନାହିଁ । ପ୍ରତିକାରର କେବଳ ଗୋଟିଏ ପଥ, ବିବେକାନନ୍ଦଙ୍କ ଭାଷାରେ, ଉଠ ଜାଗ ବରଲାଭ ନ କରିବା ପର୍ଯ୍ୟନ୍ତ ଆଗକୁ ଚାଲ... ।

 

ଏତେଦିନ ଆଗକୁ ନ ଚାଲି କଅଣ ସମସ୍ତେ ପଛଉଛନ୍ତି ? ପଚାରିଲେ ସରଳା ।

ହଁ । ଆଗକୁ କେହି ଯାଉଥିବାର ଦୃଶ୍ୟହେଉ ନାହିଁ ।

 

ଶକୁନ୍ତଳା ବାପାଙ୍କ ସହିତ ଏକମତ ହୋଇ କହିଲା, ନରୁଭାଇ ବି ଏଇ କଥା କୁହନ୍ତି ବାପା । ସେଦିନ ସେ ଯାତ୍ରାର ନିୟତି ମୁହଁରେ ଏଇକଥା ଗୀତରେ ଶୁଣେଇଥିଲେ ।

 

ଗୌତମ କହିଲେ, ସେ ନିଆଁ ଟୁକୁରାଏ । ପୁଙ୍କିଦେଲେ ମାଡ଼ିଯିବ... ।

କିନ୍ତୁ ସେ କୁଆଡ଼େ ଗାଁ ଛାଡ଼ି ଚାଲିଯାଉଛି ? କହିଲେ ସରଳା ।

 

ଯିବ ଆଉ କୁଆଡ଼େ ? ପୁଣି ଫେରିଆସିବ ଏଇ ଗାଆଁକୁ । କିଛି କରିବାପାଇଁ ଇଚ୍ଛାଥିଲେ ଏଇ ଗାଁରେ କରିବାକୁ ହବ । ସହରଗୁଡ଼ାକରେ ବାହାରର ଶୋଭା ଅଛି, ଜୀବନ ନାହିଁ; ଗାଆଁରେ ଐଶ୍ୱର୍ଯ୍ୟ ଅଛି; କିନ୍ତୁ ଆଡ଼ମ୍ବର ନାହିଁ ।

 

ସବୁ କାଲିପରି ଲାଗୁଛି । ପ୍ରହରାଜ ଘର ପୁଅ ସେ । କଟକ ଜିଲ୍ଲାରେ ନାମ ଡାକ ଥିଲା-। କହିଲେ ସରଳା ।

 

ନରୋତ୍ତମ ସେଇ ବଂଶର ଶେଷ ବଂଶଧର । ସେ କିନ୍ତୁ ପ୍ରହରାଜ ନ ହୋଇ କେବଳ ନରୋତ୍ତମ ରହିଯାଇଛି । କହିଲେ ଗୌତମ ।

 

ତା’ ବୋଉର ଗୁଣ ନେଇଛି ନରୁ । ମୁଁ ନୂଆହୋଇ ଆସିଥାଏ ତୁମ ଘରକୁ । ନଈକୂଳରେ ଦେଖା । କି ଆଦର ! ସ୍ନେହ ଝରୁଥିଲା ତାଙ୍କ କଣ୍ଠରୁ । ସେ ନାହାଁନ୍ତି । ନରୁକୁ ଛାଡ଼ି ଆଉ କେହି ବି ନାହାଁନ୍ତି । ସବୁ ସପନ ପରି ଲାଗୁଛି । ସରଳା କହିଲେ ପୂର୍ବ ବୃତ୍ତାନ୍ତ ।

 

ଗୋପ ଭାଇନା କଅଣ କମ୍‌ ଥିଲେ କି ! ଆମ ବଂଶରେ ଭ୍ରାତୃବିବାଦ ଲାଗିଥାଏ । ମୋ ପାଖରୁ ଅଲଗା ହୋଇ ଯାଉ ଥାଆନ୍ତି ଭାଇମାନେ । କଳାଡିହ ଖଣ୍ଡକ ମୋତେ ନ ଦେଇ ଦୁଇଭାଇ ଜବରଜସ୍ତି ମାରିନେଲେ । ପଞ୍ଚାୟତ ବସିଲା । ନିଷ୍ପତ୍ତି ହେଲା ନାହିଁ । ମୁଁ ସଜ ହଉଥିଲି ଅଦାଲତକୁ ଯିବା ପାଇଁ । ଭାଗବତ ଘର ପାଖରେ ମୋ ସାଙ୍ଗରେ ଭେଟ ହୋଇଗଲା ତାଙ୍କର । ଗୋପ ଭାଇନା କହିଲେ–କିରେ ଗୌତମ, ଶେଷରେ ଭାଇମାନଙ୍କ ସାଙ୍ଗରେ ଲଢ଼ିବୁ ?

 

ମୁଁ କହିଲି, ନାଚାର ଭାଇନା । ମୋ ପିଲା ମୁଣ୍ଡ ଗୁଞ୍ଜିବେ କୋଉଠି ? କଳାଡିହ ତ ସେଇ ଖଣ୍ଡକ । ସେଥିରୁ ମୋତେ ଦୁଇଗୁଣ୍ଠ ଛାଡ଼ି ଦେଇଥିଲେ ମହାଭାରତ ଅଶୁଦ୍ଧ ହୋଇ ଯାଇ ନ ଥାନ୍ତା ।

 

କିନ୍ତୁ ସବୁ ଶୁଣିସାରି ଗୋପଭାଇନା କହିଲେ, କଳାଡିହ ଆହୁରି ଅଛି । ମଣିଷ ମାରି ନେଇ ହୁଏ ନାହିଁ । ତୁ ଛାଡ଼ି ଦେ । ଦୁଇଗୁଣ୍ଠ ପାଇ ଥାଆନ୍ତୁ, ପାଞ୍ଚଗୁଣ୍ଠ କଳାଡିହ ପଡ଼ିଆ ପଡ଼ିଛି ମୋର । ତୁ ଘର ତୋଳ । ନଡ଼ିଆ, ଆମ୍ବ ଗଛ ଲଗାଇଦେ । ଶୁଭସ୍ୟ ଶୀଘ୍ରମ୍‌ ।

 

ମୋ କଥା ଶୁଣିଲେ ନାହିଁ । ଦାମ୍‌ ନେଲେ ନାହିଁ । କହିଲେ, ଜମି ଖଣ୍ଡକ ମୋ ସାଙ୍ଗରେ ସ୍ୱର୍ଗକୁ ଯିବ ନାହିଁ ମ ! ତୁ କିନ୍ତୁ ମନେପକାଇବୁ ଗୋପ ଭାଇନାକୁ ।

 

ସେଇଦିନୁ ତାଙ୍କ କଳାଡ଼ିହ ଉପରେ ମୁଁ ଘର କଲି । ତୁମେ ଆସି ନ ଥାଅ । ତା ଆଗର କଥା । କୋଉ ଶୁଭ ମୁହୁର୍ତ୍ତରେ ସେ ମୋତେ ରଖେଇଥିଲେ ସେଠାରେ କେଜାଣି, ତାପରେ ନଡ଼ିଆଗଛ ପରି ମୁଁ ବଢ଼ିଛି, ମୋ ଭାଗ୍ୟରେ ସୁନା ଫଳିଛି । ଆଜି ଲାଗୁଛି ତାଙ୍କରି ପୁଣ୍ୟଫଳ ମୁଁ ଅବା ଭୋଗ କରୁଛି ।

 

ସରଳା କହିଲେ, ଜଣଙ୍କର ପୁଣ୍ୟଫଳ ଆଉଜଣେ ଭୋଗ କରେ ?

 

–ନ ହେଲେ ପୃଥିବୀକୁ ବୋହି ପାରନ୍ତା ବାସୁକୀ ? ମଣିଷର ଯୁଗ ଯୁଗର ସଞ୍ଚିତ ପୁଣ୍ୟଫଳ ଭୋଗ କରୁଛେ ଆମେ । ଆମ ପୂର୍ବପୁରୁଷଙ୍କ ପୂଣ୍ୟରୁ ଆଜି ବି ନ୍ୟାୟ, ଧର୍ମ ସମ୍ପୂର୍ଣ୍ଣ ଲୋପ ପାଇ ଯାଇନାହିଁ । ଆଜି ବି ଚନ୍ଦ୍ର, ସୂର୍ଯ୍ୟ, ବାୟୁ, ଅଗ୍ନି ନିଜର କର୍ତ୍ତବ୍ୟ କରୁଛନ୍ତି । ସେଥିପାଇଁ ଭାଗବତରେ ଜଗନ୍ନାଥ ଦାସେ କହିଛନ୍ତି-

 

ପିତା ମାତାଙ୍କ ପୂଣ୍ୟବଳେ

ସୁପୁତ୍ର ଉପୁଜଇ କୂଳେ ।

 

ପୁଣ୍ୟ କର, ନିଜ ପାଇଁ ନୁହେଁ ଆଗାମୀ ବଂଶଧରଙ୍କ ପାଇଁ । ବ୍ୟାଙ୍କ୍‌ ବାଲାନ୍‌ସ, ପୋଷ୍ଟ ଅଫିସର ସେଭିଂ ଡିପୋଜିଟ୍‌ କିଛି କାମରେ ଲାଗିବ ନାହିଁ, ଯଦି ପୂଣ୍ୟ ସଞ୍ଚୟ କରି ଛାଡ଼ିଦେଇ ଯାଇ ନ ଥାଅ ଉତ୍ତରପୁରୁଷଙ୍କ ପାଇଁ । ଆମେ ଚାଲିଯିବା; କିନ୍ତୁ ଶକୁନ୍ତଳା ରହିବ, ତାପରେ ଆସିବେ ତା ପୁଅ ଝିଅ, ତାପରେ ସେମାନଙ୍କ ପୁଅ ଝିଅ । ଉର୍ଜିସ୍ୱଳା ପୃଥିବୀକୁ ଭୋଗ କରିବାପାଇଁ ପୂଣ୍ୟ ବଳ ଦରକାର । ପାପର ପରିମାଣ ବଢ଼ିଲେ ବନ୍ୟା ହଉଥିବ, ଧୋଇ ମରୁଡ଼ି ଚାଲିଥିବ, ନଅଙ୍କ ପଡ଼ୁଥିବ ।

 

ଏହାପରେ କିଛି ସମୟ ପରେ ନୀରବ ହୋଇଗଲେ ସମସ୍ତେ । ସବୁକଥା ଯେପରି କହିସାରିଛନ୍ତି ଗୌତମ, କହିବାକୁ ବାକୀ କିଛି ରହିନାହିଁ ।

 

କିଛି ସମୟ ପରେ ସରଳା କହିଲେ, ତୁମେ ବୁଝେଇଲେ ନରୁ ବୁଝିଯାଆନ୍ତା, ଗାଁ ମାଟି ଛାଡ଼ି ଅଚିହ୍ନା ଜାଗାକୁ ଯାଆନ୍ତା ନାହିଁ ।

 

ଗୌତମ କହିଲେ, ସେ ପିଲା ନୁହେଁ, ଭଲମନ୍ଦ ବୁଝେ । ତଥାପି ତାକୁ କହିଛି । ଏଇ ଗାଁ ଏ ଦେଶର ହୃତ୍‌ପିଣ୍ଡ । ଏଠାରେ ବିଜୁଳି ଆଲୁଅର ତରାସ ନ ଥାଉ, ବିଳାସର ପ୍ରାଚୁର୍ଯ୍ୟ ନ ଥାଉ, ଅଛି ପ୍ରଚୁର ସ୍ନେହ ମମତା, ଅର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ଏବଂ ଅସୀମ ସମ୍ଭାବନା । ଆହୁରି ଅଛି କାମ କରିବାର କ୍ଷେତ୍ର ।

 

ମୋର ବିଶ୍ୱାସ ଶେଷରେ ସେ ଫେରିଆସିବ । ସେ ବୁଲିବାପାଇଁ ଯାଉ ନାହିଁ, ଶିଖିବାପଇଁ ଯାଉଛି । ଦେଶକୁ ଚିହ୍ନିବା ଆଗରୁ ଲୋକଙ୍କୁ ଚିହ୍ନିବାକୁ ହୁଏ, ରୋଗର ନିଦାନ ଲେଖିବା ପୂର୍ବରୁ ସେମାନଙ୍କର ନାଡ଼ି ନକ୍ଷତ୍ର ଜାଣିବାକୁ ହୁଏ । କିଛି ନ ଜାଣି ସବୁ ଜାଣିଛନ୍ତି ବୋଲି ଯେଉଁମାନେ ବାହାସ୍ଫୋଟ ମାରନ୍ତି, ସେମାନଙ୍କ ଯୁଗ ଶେଷ ହୋଇଯାଇଛି ।

 

–କଳିଯୁଗର ଲକ୍ଷଣ ଇଏ । କହିଲେ ସରଳା ।

–କିନ୍ତୁ କଳିଯୁଗ ଅସରନ୍ତି ନୁହେଁ, ଏହା ବି ଦିନେ ଶେଷ ହବ । କହିଲେ ଗୌତମ ।

–ଅପେକ୍ଷା କରିବାକୁ ପରମାୟୁ ଥିଲେ ହେଲା । ସରଳାଙ୍କ ସରଳ ଉତ୍ତର ।

 

–ଆଊ ଅଧିକ କାଳ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଲକ୍ଷଣ ଦେଖାଯାଉଛି । ସେଥିପାଇଁ ମଣିଷର ସ୍ୱଭାବ କିମିତି ବଦଳୁଛି ଦେଖୁଥିବ ।

 

ସର୍ବତ୍ର ଉଗ୍ରତା, ଅସହିଷ୍ଣୁତା, ନିଷ୍ଠୁରତା । ଜଣେ ଆଉଜଣକୁ ସହିପାରୁ ନାହିଁ । ଜଣେ ଆଉଜଣକର ନାଯ୍ୟଦାବୀ ଛଡ଼ାଇ ନଉଛି । ସାମାନ୍ୟ ସ୍ୱାର୍ଥସିଦ୍ଧି ପାଇଁ ଜଣେ ଆଉଜଣକୁ ହତ୍ୟା କରିପାରୁଛି ।

 

ମାଲିକା ବି କହିଛି ଏୟା ହବ । ପାପର ଭାର ବଢ଼ିବ । କେହି କାହାକୁ ମାନିବେ ନାହିଁ, ନ୍ୟାୟ ନୀତି ରହିବ ନାହିଁ, ପୂଣ୍ୟବାନ ଦଣ୍ଡିତ ହେବେ, ପର ଦାରା ଧର୍ଷିତା ହେବେ..... । ମଣିଷ ରାବଣ ପରି ଚଣ୍ଡାଳ ହୋଇଯିବ । ଗୌତମ କହିଲେ ।

 

ସେତିକିବେଳେ ସମସ୍ତଙ୍କୁ ସଂହାର କରିବାପାଇଁ ଆସିବେ କଳ୍‌କି । ତାଙ୍କରି ଖଣ୍ଡାଧାରରେ ଟଳିପଡ଼ିବେ ପାପୀ, ଦୃଷ୍ଟ, ଅତ୍ୟାଚାରୀ...... । କହିଲେ ସରଳା ।

 

ଶକୁନ୍ତଳା କହିଲା, ସତରେ କଳ୍‌କି ଆସିବେ ବାପା ।

 

ଗୌତମ ଟିକେ ରହିଯାଇ କହିଲେ, ହଁ, ସେଥିରେ ଭୁଲ, ସନ୍ଦେହ ନାହିଁ । ମା । ସ୍ୱୟଂ ଜଗନ୍ନାଥ କଳ୍‌କି ରୂପରେ ଅବତୀର୍ଣ୍ଣ ହେବେ । ସେଇ ମୁହୁର୍ତ୍ତକୁ ଆକୁଳ ଉତ୍କଣ୍ଠାରେ ଅପେକ୍ଷା କରୁଛି ଧରିତ୍ରୀ ।

 

କଟକ ସହର ଉଠୁଥାଏ ପଡ଼ୁଥାଏ ।

ଦୁଲୁକୁଥାଏ ରାଜଧାନୀ ଭୁବନେଶ୍ୱର ।

 

ବନ୍ୟାରେ ସର୍ବସ୍ୱାନ୍ତ ହୋଇଥିବା ଦୁଃସ୍ଥ ଏବଂ ଦୁର୍ଗତିମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସଭା ସମିତି ଓ ଶୋଭାଯାତ୍ରା ଚାଲିଥାଏ । ଦାବୀର ଫର୍ଦ୍ଦ ବଢ଼ୁଥାଏ ଦିନକୁ ଦନ । ଏହି ଜାତୀୟ ବିପତ୍ତିରୁ ଲୋକଙ୍କୁ ରକ୍ଷାକରିବା ସକାଶେ ସରକାରୀ କଳ ଅସମର୍ଥ ବୋଲି ବିପକ୍ଷ ଦଳମାନେ କହୁଥିବାବେଳେ ଏକ ପ୍ରାକୃତିକ ବିପର୍ଯ୍ୟୟରୁ ରାଜନୈତିକ ସୁବିଧା ନ ଉଠେଇବା ପାଇଁ ସେମାନଙ୍କୁ ସତର୍କ କରି ଦେଉଥାଆନ୍ତି ସରକାରୀ ଦଳ ।

 

ଏହାକୁ କୁହନ୍ତି ରାଜନୀତି ।

 

ଲୋକଙ୍କର ଦୁର୍ଦ୍ଦଶା ମୋଚନ ଅପେକ୍ଷା କିଏ କାହା ବିରୁଦ୍ଧରେ କେତେ ଅଭିଯୋଗ କରିପାରିଲା ତାହାହିଁ ଯେପରି ଏହି ସମୟର ପ୍ରଧାନ କାର୍ଯ୍ୟ ।

 

ଖବରକାଗଜ ପୃଷ୍ଠା ତର୍କବିତର୍କରେ ଭର୍ତ୍ତି । ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କର କରୁଣ କାହାଣୀ ଅପେକ୍ଷା ଖବରକାଗଜ ପୃଷ୍ଠାରେ ବେଶୀ ପ୍ରଧାନ୍ୟ ଲାଭ କରୁଥାଏ ବିବୃତି ଓ ପ୍ରତି ବିବୃତି ।

 

ଦେଶଟାଯାକ ଯେପରି ବିବୃତିସର୍ବସ୍ୱ ହୋଇପଡ଼ିଛି । ଜିପ୍‌ ବା ଟ୍ରେକର୍‌ ଚଢ଼ି ପାଞ୍ଚଶହ ଟଙ୍କାର ପେଟ୍ରୋଲ ପୋଡ଼ି ସାତ ଆଠଶହ ଟଙ୍କାର ସାହାଯ୍ୟ ବିତରଣ କରି ଫଟୋ ସହିତ ତାହାର ସମ୍ପୂର୍ଣ୍ଣ ବିତରଣୀ ଖବରକାରଗଜର ପୃଷ୍ଠାରେ ଛାପିବା ହୋଇଥାଏ ମୁଖ୍ୟକାର୍ଯ୍ୟ । ଆଧୁନିକ ରାଜନୀତିର ମୂଳ ଉଦ୍ଦେଶ୍ୟ, ନିଜର ନାମକୁ ଜନମାନସରେ ଚାଲୁ ରଖିବା । ପ୍ରତିଦିନ କୌଣସି ନା କୌଣସି ଆଳରେ ଖବରକାଗଜ ପୃଷ୍ଠାରେ ବା ଆକାଶବାଣୀ ଜରିଆରେ ନିଜର ନାମ ପ୍ରଚାରିତ ହେବା ଆବଶ୍ୟକ । ସେଥିପାଇଁ ଯଦି ଦରକାର ହୁଏ ସାମ୍ବାଦିକମାନଙ୍କୁ ପାନ ଓ ଭୋଜନ ଏବଂ ପ୍ରୟୋଜନ ସ୍ଥଳେ କିଞ୍ଚିତ ପାରିତୋଷିକ ମଧ୍ୟ ଦବାରେ କାହାରି କୁଣ୍ଠା ନାହିଁ ।

 

ତେଣୁ ଏପରି ଏକ ମହାନ୍‌ ସୁଯୋଗ ନ ହରେଇ ଏହାର ପୂର୍ଣ୍ଣ ଉପଯୋଗ କରିବା ନିମନ୍ତେ କାମ ନ ଥାଇ ବେକାର ହୋଇ ବୁଲୁଥିବା ନେତୃବର୍ଗ ଏବଂ ସେମାନଙ୍କର ପଛଗୋଡ଼ାଣିଆମାନେ ବ୍ୟସ୍ତ ରହିବା ସ୍ୱାଭାବିକ ।

 

ଚାନ୍ଦା ସଂଗ୍ରହ ନିମନ୍ତେ ବନ୍ୟା ସୃଷ୍ଟି କରିଛି ଏକ ସୁବର୍ଣ୍ଣ ସୁଯୋଗ । ଏହାର ଆଉ ଗୋଟିଏ ଭଲଦିଗ ହେଉଛି ଏହି ଯେ, ଯିଏ ଯେଉଁଠି ମୂକ ହୋଇ ଆଜି ପର୍ଯ୍ୟନ୍ତ ବସିଥିଲା, ସିଏ ହଠାତ୍‌ ବାଚାଳ ହୋଇଗଲା । ବକୃତା, ବିତ୍ତିବୃ ଏହାର ଉତ୍ପାଦିତ ସାମଗ୍ରୀ ।

 

ବିଭିନ୍ନ ଦଳ, ଗୋଷ୍ଠୀ ଏବଂ ବ୍ୟକ୍ତିବିଶେଷ ବନ୍ୟାକ୍ଲିଷ୍ଟ ଲୋକମାନଙ୍କୁ ସାହାଯ୍ୟ କରିବା ସକାଶେ ଚାନ୍ଦା ସଂଗ୍ରହ କରିବାରେ ଲାଗିପଡ଼ିଲେ । ଟଙ୍କା ଖାଦ୍ୟସାମଗ୍ରୀ, ନୂତନ ବା ପୁରାତନ ବସ୍ତ୍ର, ଗୃହ ଉପକରଣ, ଔଷଧ, ଗୃହ ନିର୍ମାଣ ସାମଗ୍ରୀ ପ୍ରଭୃତି ସଂଗୃହୀତ ହବାକୁ ଲାଗିଲା । ସରକାରୀ ଏବଂ ବେସରକାରୀ ଅନୁଷ୍ଠାନମାନଙ୍କ ପକ୍ଷରୁ ଦୁର୍ଗତମାନଙ୍କ ମଧ୍ୟରେ ବିଚରଣ କରିବାପାଇଁ ମଧ୍ୟ ଅର୍ଥ ଏବଂ ଅନ୍ୟାନ୍ୟ ଉପକରଣ ଦିଆଗଲା । ବନ୍ୟାର ପ୍ରଥମ ସାତ ଆଠଦିନ ଖାଦ୍ୟସାମଗ୍ରୀ ବିତରଣ କରାଯିବା ପରେ, ଆଉ ପ୍ରସ୍ତୁତ ଖାଦ୍ୟ ଯୋଗାଇ ନ ଦେଇ ଚାଉଳ, ଗହମ, ତେଲ, ଲୁଣ ଚିନି, ଡାଲି, ଯୋଗାଇ ଦବାପାଇଁ ଦୋକାନ ଖୋଲାଗଲା । ଔଷଧପତ୍ର ବିତରଣ କରିବା ଏବଂ ରୋଗୀମାନଙ୍କର ଚିକିତ୍ସା କରିବାପାଇଁ ବ୍ୟବସ୍ଥା ମଧ୍ୟ କରାଗଲା ।

 

ଚାରିଆଡ଼ୁ ଏପରିକି ଦେଶ ବିଦେଶର ବିଭିନ୍ନ ଅଞ୍ଚଳରୁ ସାହାଯ୍ୟ ପହଞ୍ଚିବାରେ ଲାଗିଲା-। ବନ୍ୟାଞ୍ଚଳରେ କାମ କରିବାପାଇଁ ଆଗରୁ କେତେକ ସ୍ୱେଚ୍ଛାସେବକ ଏବଂ କର୍ମଚାରୀ ଆସିଥିଲେ-। ବନ୍ୟାଜଳ ଛାଡ଼ିଯିବା ପରେ ସେହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା । ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ରାସ୍ତା, ବନ୍ଧବାଡ଼ର ପୁନର୍ନିର୍ମାଣ ହାତକୁ ନିଆଗଲା ।

 

ପ୍ରଚୁର ଅର୍ଥ ଖର୍ଚ୍ଚ କରାଗଲା, କିନ୍ତୁ ସୁଫଳ ସେହି ପରିମାଣରେ ପରିଦୃଷ୍ଟ ହେଲା ନାହିଁ । ଚାଉଳ ଟ୍ରକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପୂର୍ବରୁ ସେଥିରୁ ଏକ ତୃତୀୟାଂଶ ତତୋଽଧିକ ଟାଉଟର ଏବଂ ଅସାଧୁ କର୍ମଚାରୀଙ୍କ ଚକ୍ରାନ୍ତ ଫଳରେ ବାଟମାରଣା ହୋଇଗଲା । ସାହାଯ୍ୟ ପାଇଁ ଅଧୀର ଉତ୍କଣ୍ଠାରେ ଅପେକ୍ଷା କରୁଥିବାବେଳେ ସାହାଯ୍ୟ ଆବଶ୍ୟକ କରୁ ନ ଥିବା ଥୋଡ଼େ ଲୋକ ସାହାଯ୍ୟ ପାଇଗଲେ । ପ୍ରୀୟାପ୍ରୀତି ତୋଷଣ ବା ଗୋଷ୍ଠୀ ସ୍ୱାର୍ଥକୁ ସୁରକ୍ଷା କରିବା କାର୍ଯ୍ୟରେ ତ୍ରାଣସାମଗ୍ରୀ ମଧ୍ୟ ବ୍ୟବହୃତ ହେଲା ।

 

ଏଣେ ବନ୍ୟାଜଳ ଛାଡ଼ିଯିବା ପରେ ପରେ ଝାଡ଼ାରୋଗ ଓ କ୍ରମାଗତ ଶୂନ୍ୟ ଆକାଶ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହିବାରୁ ଅନ୍ୟାନ୍ୟ ଉପସର୍ଗ ବ୍ୟାପିବାରେ ଲାଗିଲା । କୂଅ ଓ ପୁଷ୍କରିଣୀ ଏବଂ ନଦୀ ଓ କେନେଲ ଜଳରେ ମୃତ ପଶୁପକ୍ଷୀ ଏବଂ ମଣିଷଙ୍କ ଶବ ପଚିବାଦ୍ୱାରା ଦୂଷିତ ହୋଇଯାଇଥାଏ । ଠାଏ ଠାଏ ପିଇବାପାଣି ମଧ୍ୟ ଦୁଷ୍ପ୍ରାପ୍ୟ ।

 

ଏଭଳି ଏକ ଜାତୀୟ ବିପତ୍ତି ସମୟରେ ସାହସ ଓ ଦୃଢ଼ ଆାତ୍ମବିଶ୍ୱାସର ସହିତ ତା’ର ମୁକାବିଲା କରିବାକୁ ଲୋକେ ବାହାରୁଥିବାବେଳେ ସାହାଯ୍ୟ ବଣ୍ଟନରେ ଅନ୍ୟାୟ ପନ୍ଥା ଅବଲମ୍ବନ କରାଯିବାରୁ ସେମାନଙ୍କର ମନୋବଳ ଭାଙ୍ଗିଗଲା ।

 

ଏପରି ଏକ ପରିବେଶରୁ ମଣିଷକୁ ଉଦ୍ଧାର କରିବା କାର୍ଯ୍ୟ କିପରି କଷ୍ଟସାଧ୍ୟ ଏବଂ ଦୁରୂହ ତାହା ସହଜରେ ଅନୁମେୟ । ରାଜନୈତିକ ଉଦ୍ଦେଶ୍ୟରେ ବିଭିନ୍ନ ଦଳ ଏହି ସମସ୍ୟାକୁ ଉପଭୋଗ କରିବା ଫଳରେ ପରିସ୍ଥିତି ଆହୁରି ଜଟିଳ ହବାକୁ ଲାଗିଲା । କେତେ ଅଞ୍ଚଳରେ ସାହାଯ୍ୟ ସାମଗ୍ରୀ ସ୍ଥାନୀୟ ଲୋକେ ଲୁଟି ନେଲେ ବା ଆଉ କେତେକ ସ୍ଥାନରେ ସାହାଯ୍ୟ ବଣ୍ଟନ କରିବା ସକାଶେ ନିଯୁକ୍ତ ଥିବା କର୍ମଚାରୀ ଲାଞ୍ଛିତ ହେଲେ । ରାସ୍ତାଘାଟ ଅଭାବରୁ ଏବଂ ବନ୍ୟାଜଳ ନିଷ୍କାସନରେ ବିଳମ୍ବ ଘଟିବା ଯୋଗୁ କେତେକ ଅଞ୍ଚଳକୁ ସାହାଯ୍ୟ ସାମଗ୍ରୀ ଏବଂ ସ୍ୱେଚ୍ଛାସେବକ ପହଞ୍ଚିବାରେ ସମୟ ଲାଗିଲା ।

 

କିନ୍ତୁ ସବୁଠାରୁ ବଡ଼ ଆଶ୍ୱାସନାର କଥା ଯେ ଏହି ଜାତୀୟ ବିପତ୍ତି ସମୟରେ ଦୂରଦୂରାନ୍ତରୁ ବହୁ ସାହାଯ୍ୟ ଓ ସହାନଭୁତି ଆସି ପହଞ୍ଚିଲା ଏବଂ ପୁନଃନିର୍ମାଣ କାର୍ଯ୍ୟରେ ସାର୍ବଜନୀକ ସହାୟତାର ପ୍ରତିଶ୍ରୁତି ମିଳିଲା । ସବୁ ସ୍ଖଳନ ଏବଂ ଅପୂର୍ଣ୍ଣତା ସତ୍ତ୍ୱେ ସବୁ ମଣିଷ ଯେ ନୀଚ ଏବଂ ନିଷ୍ଠୁର ହୋଇଯାଇ ନାହାଁନ୍ତି ଏବଂ ଏବେ ବି ଯଥେଷ୍ଟ ସଂଖ୍ୟକ ଅତି ସାଧାରଣ ଅଥଚ ଉତ୍ତମ ନାଗରୀକ ଦେଶର ସର୍ବତ୍ର ଅଛନ୍ତି ତାହାର ଅନେକ ପ୍ରମାଣ ଦୃଷ୍ଟିଗୋଚର ହେଲା ।

 

ରାମକୃଷ୍ଣ ମିସନର ସନ୍ୟାସୀମାନେ ସମସ୍ତଙ୍କୁ କଲେରା ପ୍ରତିଷେଧକ ଟୀକା ଦେଇ ଏବଂ ପେଟରୋଗ ଭୋଗୁଥିବା ଶିଶୁ ଓ ସାଧାରଣ ରୋଗୀଙ୍କର ସେବା ଶୁଶ୍ରୁଷା କରି ଛାଡ଼ିବାବେଳକୁ ଗୋଟେ ଜିପ୍‌ ଆସି ଛିଡ଼ାହେଲା ସଦାଶିବପୁର ଗ୍ରାମ ଦାଣ୍ଡରେ ।

 

ଗ୍ରାମ ତ ଆଉ ନାହିଁ, ସବୁ ଘରଦ୍ୱାର ମାଟିରେ ମିଶିଯାଇଛି । ଲୋକେ ଚାଳିଆ ତିଆରି କରିଅଛନ୍ତି କେନାଲ ବା ନଦୀବନ୍ଧ ଭଳି ଉଚ୍ଚ ଜାଗାରେ । ପାଣି ଛାଡ଼ିଗଲାଣି, କିନ୍ତୁ ଗ୍ରାମବାସୀ ଫେରି ନାହାନ୍ତି । ତଥାପି କେତେଜଣ ସେହି ବିଧ୍ୱସ୍ତ ଗାଁ ଦାଣ୍ଡରେ ଚଳପ୍ରଚଳ ହେଉଥିଲେ କ୍ଷୟକ୍ଷତି ସମ୍ପର୍କରେ କଳନା କରିବାପାଇଁ ।

 

ଜିପ୍‌ରୁ ବିଭୁପଦ ଓହ୍ଲେଇ ପଡ଼ିବାବେଳକୁ ତାକୁ ଘେରିଗଲେ ସେମାନେ ।

ବିଭୁପଦ କହିଲା, ମୁଁ ତୁମ୍ଭମାନଙ୍କୁ ଖୋଜି ଖୋଜି ଆସୁଛି ।

 

ବିଧ୍ୱସ୍ତ ସଦାଶିବପୁର ଗ୍ରାମରେ ସ୍କୁଲ ଶିକ୍ଷକ ନରେନ୍ଦ୍ର କହିଲା, ମାସେ ହବାକୁ ବସିଲାଣି, ଘର ତୋଳିବାପାଇଁ କାଠ କି ବାଉଁଶ କିଛି ମିଳିଲା ନାହିଁ ।

 

କଟକ କିଲଟରୀ ଅଫିସରେ ପିଅନ କାମ କରୁଥିବା ଜନାର୍ଦ୍ଦନ ପ୍ରଧାନ କହିଲା, ଚାଉଳ ମିଳୁନାହିଁ । କିଲୋ ଚାରିଟଙ୍କା କରି ବିକ୍ରୀ ହଉଛି ବଜାରରେ । ହାତରେ ପଇସା ନାହିଁ । ପିଲାମାନେ କାଲିଠାରୁ ଓପାସ....... ।

 

ଇମିତି କେତେ ଲୋକଙ୍କର କେତେ ଦୁଃଖ, କେତେ ଜଞ୍ଜାଳ । ବିଭୁପଦ କିନ୍ତୁ ସେମାନଙ୍କ ମନରେ ପ୍ରତ୍ୟାଶା ସୃଷ୍ଟି କରି କହିଲା, ଟିକେ ସମ୍ଭାଳି ଯାଅ, ସାହାଯ୍ୟ ଆସୁଛି, ଦେଶରେ ପ୍ରଚୁର ଖାଦ୍ୟଶସ୍ୟ ଅଛି, ଦାତା ବି ଅନେକ । ଖାଲି ଟିକେ ଦମ୍ଭ ଧର ।

 

ଜିପ୍‌ଗାଡ଼ି ଚାରିପାଖରେ ସେତେବେଳକୁ ଠୁଳ ହୋଇଥିବା ଲୋକମାନଙ୍କର ମୁହଁ ଉପରେ ପଡ଼ନ୍ତି ସୂର୍ଯ୍ୟର ଆଭା ଝଟକି ଉଠୁଥିଲା ।

 

ସେମାନେ ଯେ ମରିବେ ନାହିଁ ନିଶ୍ଚିତ ହୋଇଗଲେ ।

 

ବିଭୁପଦ ଆହୁରି ଦମ୍ଭର ସହିତ ଘୋଷଣା କଲା, ଖାଦ୍ୟ ବା ଚିକିତ୍ସା ବିନା କାହାକୁ ମରିବାକୁ ଦିଆଯିବ ନାହିଁ ।

 

ତାର ସାହସ ଦେଖି ତଟସ୍ଥ ହୋଇଗଲେ ଲୋକମାନେ । ସେମାନଙ୍କୁ ଲାଗୁଥିଲା ଯେପରି ଯମଦେବତାଙ୍କୁ ବି ଅନୁମତି ନବାକୁ ହବ ବିଭୁପଦ ପାଖରୁ କାହାରି ଜୀବନ ନବା ଆଗରୁ-

 

ଏଇ ଗାଆଁର ଲୋକ ସହଜରେ ବିଶ୍ୱାସ କରିଯାଆନ୍ତି ବୋଲି ସେମାନେ ପ୍ରତିଶ୍ରୁତି ପାଇ ଆଉ ପ୍ରଶ୍ନ ପଚାରନ୍ତି ନାହିଁ । ପ୍ରତିଶ୍ରୁତି ପାଳନ ନ କଲେ ମଧ୍ୟ ସେମାନେ କୈଫିୟତ ତଲବ କରନ୍ତି ନାହିଁ, କାରଣ ସେତେବେଳକୁ ଦିଆଯାଇଥିବା ପ୍ରତିଶ୍ରୁତିଟି ମନେ ନ ଥାଏ ସେମାନଙ୍କର ।

 

ଆହାରେ ! ଏଇ ଦେଶର ଲୋକମାନେ ଯଦି ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ାକୁ ଲେଖି ରଖି ପାରୁଥାଆନ୍ତେ ତାହେଲେ ସେମାନେ ଜାଣନ୍ତେ ଯେ, ସେଇ ପ୍ରତିଶ୍ରୁତିର ବୋଝ ବୋହି ବୋହି ସେମାନେ କୁର୍ମ ପାଲଟି ଯାଇଛନ୍ତି, ପୁରା ମଜୁରୀ ପାଇବା ଆଶାରେ ଅଧା ମଜୁରୀରେ କାମ କରି କରି ସେମାନଙ୍କର ହାତରେ ବିଣ୍ଡି ବସିଯାଇଛି, ଆଶାରେ ବଞ୍ଚି ବଞ୍ଚି ଛାତି ତଳର କଲିଜା କ୍ଷୟ ରୋଗର ଯନ୍ତ୍ରଣାରେ ଜର୍ଜରିତ ହୋଇଛି ।

 

ତଥାପି ବିଶ୍ୱାସ କରିବାକୁ ମନହୁଏ । ଅବିଶ୍ୱାସ କରି ଶିଖି ନାହିଁ ସରଳ, ସହଜ ମଣିଷ ।

ବିଭୁପଦ ସମସ୍ତଙ୍କର ଚିହ୍ନା ।

 

ପ୍ରାକ୍ତନ ଲୋକପ୍ରତିନିଧିଙ୍କର ତେଜସ୍ୱୀ ପୁତ୍ର । ପିତାଙ୍କ ପରି ତାହାରି ରକ୍ତରେ ବି ଦେଶ ଭକ୍ତିର ସୁଅ ପ୍ରବାହିତ ହଉଛି ।

 

କନ୍ଦରପୁରରେ ପରିବା ବିକ୍ରୀକରି ଚଳୁଥିବା ଅନନ୍ତ କହିଲା, ତୁମ ତୁଣ୍ଡରେ ଫୁଲଚନ୍ଦନ ପଡ଼ୁ ବାବୁ... । ତୁମ ବାପା କହୁଥିଲେ ଏବେ ତୁମ ପାଳି ।

 

ସୁଯୋଗ ଉଣ୍ଡି ବିଭୁପଦ ସାଙ୍ଗରେ ଆସିଥିବା ଲୋକନାଥ କହିଲା, କଥାରେ ଅଛି ଗହ୍ମା ପୁନେଇଁରେ ମାଇଁ କହିଲେ ଚଳିବ ନାହିଁ । ଯିଏ ରାଜଦ୍ୱାର ଶ୍ମଶାନ ଉଭୟ ସ୍ଥାନରେ ଛିଡ଼ାହୁଏ, ସେଇ ପ୍ରକୃତରେ ବନ୍ଧୁ । ୟାଙ୍କୁ, ଚିହ୍ନିରଖ । ଆଉ ଦୁଇଟା ବର୍ଷ ପରେ ସୁଯୋଗ ପାଇବ ଋଣ ପରିଶୋଧ କରିବାପାଇଁ ।

 

ବିଭୁପଦ ନିରାସକ୍ତ କରି କହିଲା, ନିର୍ବାଚନ କଥା ଆଜି ନୁହେଁ, ସେ ସମୟ ପରେ ଆସିବ । ଆଜି ଏମାନଙ୍କ ପାଖରୁ ନବାର କିଛି ନାହିଁ, କେବଳ ଦବାକୁ ଅଛି ।

 

ସେ ସାଙ୍ଗରେ ଆଣିଥିବା କେତେ ପୁଡ଼ିଆ ଗୁଣ୍ଡ ଦୁଧ, କେତେ ପ୍ୟାକେଟ ଦିଆସିଲି ଓ ପାଉଁରୁଟି ଏବଂ ଦୁଇ ଗଣ୍ଠିଲି ପୁରୁଣାଲୁଗା କେନାଲ କୂଳରେ ଚାଳିଆ ଭିତରେ ରହିଥିବା ସଦାଶିବପୁରର ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା ।

 

ସେଇ କାମ ଶେଷ କଲାବେଳକୁ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଯାଇଥାଏ ।

 

କେନାଲ କୂଳେ କୂଳେ ଜିପ୍‌ରେ ଯିବାବେଳେ ରିଲିଫ ଆସୁଥିବାର ଆଶା କରି ଅନେକ ଆସି ରାସ୍ତା ଉପରେ ଛିଡ଼ାହେଲେ । ସେମାନଙ୍କୁ ଶୀଘ୍ର ରିଲିଫ ଆସୁଥିବାର ସନ୍ଦେଶ ଦେଇ ବିଭୁପଦ ଅଗ୍ରସର ହେଲା ।

 

ମଣିଷ ମାନ ସମ୍ମାନ ଭୁଲିଯାଇଛି ।

 

ପେଟ ଚାଖଣ୍ଡକ ପାଇଁ ହାତ ପତେଇ ମାଗୁଛନ୍ତି ଗତକାଲି ସ୍ୱେଚ୍ଛାକୃତ ଭାବରେ ଭିକାରୀକୁ ଭିକ୍ଷା ଦଉଥିବା ଲୋକେ । ସମୟ ବଦଳି ଯାଇଛି । ସେମାନେ ଆଉ ଦାତା ନୁହଁନ୍ତି, ଗ୍ରହୀତା ।

 

ସକାଳୁ ବାହାରିଛି ଯେ ବିଭୁପଦ ଏଯାଏ ଫେରି ନାହିଁ କ୍ୟାମ୍ପକୁ । ଦଳେଇଘାଇ ତଳେ ଶୁଖିଲାଜାଗା ବାଛି ଠିକାଦାରଙ୍କ କ୍ୟାମ୍ପକୁ ଲାଗି ତାକୁ ଛାଡ଼ି ଦିଆଯାଉଛି ଗୋଟେ କୋଠରୀ ।

 

ଗୋଟେ ଟ୍ରକ୍‌ ସେଇ ବାଟ ଦେଇ ଆସି ପହଞ୍ଚିଲା । ବଟବଣା ହୋଇ ଇଆଡ଼େ ଚାଲି ଆସିଥିବାର ସନ୍ଦେହ କରି ଡ୍ରାଇଭରକୁ ପଚାରିଲା ବିଭୁପଦ, କାହାର ଟ୍ରକ୍‌, କୁଆଡ଼େ ଯାଉଛି-?

 

ଡ୍ରାଇଭର ଉତ୍ତର ନ ଦେଇ ଉତ୍ତରଦେଲା ଆଉଜଣେ ! ସେତେବେଳକୁ ଟ୍ରକ୍‌ ଛିଡ଼ା ହୋଇସାରିଥାଏ ସେଇ ଅପ୍ରଶସ୍ତ ପଥ ଉପରେ । ବାଲିରେ ପୋତି ହୋଇ ଯାଉଥାଏ ଚକ ।

 

ସେମାନେ ସ୍ୱେଚ୍ଛାସେବକ । ସମ୍ବଲପୁରରୁ ଆସିଥାଆନ୍ତି ରିଲିଫ ବାଣ୍ଟିବା ପାଇଁ । କିନ୍ତୁ ରାସ୍ତା ଖରାପ ଥିବାରୁ ଆଉ ଭିତରକୁ ପାଶି ନ ପାରି ବାଧ୍ୟହୋଇ ଫେରୁଛନ୍ତି କେନାଲ କୂଳେ କୂଳେ-। ରିଲିଫ ବଣ୍ଟା ନ ହୋଇ ସେହିପରି ପଡ଼ି ରହିଛି ଟ୍ରକ୍‌ରେ ।

 

ଖାଇବା ଜିନିଷ ନୁହେଁ ତ ? ଉତ୍କଣ୍ଠିତ ସ୍ୱରରେ ପଚାରିଲା ବିଭୁପଦ ।

 

–ନା, ତିରପାଲ, କିଛି ନୂଆଲୁଗା ଏବଂ ଶିଶୁମାନଙ୍କ ପାଇଁ କିଛି ଟିଣଦୁଧ ଓ ପୋଷାକ । କେତେ ବାକ୍‌ସ ଆଲୁମିନିୟମ ବାସନ ଆଉ ଚାରି ଗଣ୍ଠିଲି କମ୍ବଳ । ଚୁଡ଼ା ଦଶ ମହଣ । ଗୁଡ଼ କିଛି ।

 

ଖୁସିହୋଇ କହିଲା ବିଭୁପଦ, ଏଇ ଯେ ବାହାଦୂରୀ । କିଏ କହେ ଦେଶ ଖଣ୍ଡ ଖଣ୍ଡ ହୋଇଯିବ, କିଏ କହେ ଲୋକଙ୍କ ମଧ୍ୟରେ ଏକତା ନାହିଁ, ପରସ୍ପର ମଧ୍ୟରେ ସହଯୋଗ ଓ ସହାନଭୁତି ନାହିଁ ? ଏ ଅଞ୍ଚଳର ଲୋକଙ୍କ ପାଇଁ ଆଉ ଗୋଟିଏ ଅଞ୍ଚଳର ଲୋକ ଯେ ବ୍ୟଥା ଅନୁଭବ କରନ୍ତି ଏଇ ଟ୍ରକ୍ ତାର ଚାକ୍ଷୁଷ ପ୍ରମାଣ ।

 

ତାପରେ ସେ ସେମାନଙ୍କୁ କହିଲା, ତୁମେ ସବୁ ମୋ ସାଙ୍ଗରେ ଆସ । ମୋ ନାମ ବିଭୁପଦ ଅଧିକାରୀ । ମୁଁ ସ୍ଥାନୀୟ ରିଲିଫି କମିଟିର ସଭାପତି । ଇଚ୍ଛା ହେଲେ ସବୁ ରିଲିଫି ମୋ ଜିମା ଦେଇ ଫେରିଯାଇପାର । ନ ହେଲେ ଯଦି ନିଜ ହାତରେ ବାଣ୍ଟିବାକୁ ଚାହଁ, ସକାଳେ ମୁଁ ନେଇଯିବି ଆହୁରି ତଳ ଅଞ୍ଚଳକୁ । ସେଠାରେ ରିଲିଫି ପହଞ୍ଚି ନାହିଁ । କିନ୍ତୁ ଦଶମାଇଲ ପାଦରେ କାଦୁଅ ପଙ୍କରେ ଚାଲିବାକୁ ହବ । ପୁରା ଦିନଟିଏ ଝାଳନାଳ ହୋଇ ଭୋକ ଉପାସରେ ରହି ରିଲିଫି କାମ କରିବାକୁ ହବ ।

 

ସ୍ୱେଚ୍ଛାସେବକମାନେ ନିଜ ମଧ୍ୟରେ ପରାମର୍ଶ କଲେ ।

 

ଏତେଦୂରକୁ ଏତେ କଷ୍ଟକରି ଯାଇ ଲାଭ ଆଉ କଅଣ ? ରିଲିଫି କମିଟର ସଭାପତିଙ୍କ ହାତରେ ସବୁ ଜମା ଦେଇ ଫେରିଯିବା ପାଇଁ ସ୍ଥିରକଲେ ସେମାନେ ।

 

ବିଭୂପଦ ସେମାନଙ୍କୁ ଠିକାଦାରଙ୍କ ଡେରା ପାଖରେ ବସେଇ, ରିଲିଫ ସାମଗ୍ରୀ ଟ୍ରକ୍‌ ଛଉତାରି ନିଜ କୋଠରୀ ଭିତରେ ଭର୍ତ୍ତିକରି, ପ୍ରାୟ ଘଣ୍ଟାକ ପରେ ଫେରିଆସି କହିଲା, ଏତେବାଟ ଆସିଛନ୍ତି, ଭୋକ ଶୋଷ କରୁଥିବ । ଆମ କ୍ୟାମ୍ପରେ ଭାତ ଡାଲମା ଯାହା ଅଛି ଗଣ୍ଡେ ଖାଇଦିଅ !

 

ସେମାନେ ଏତକ ଶୁଣିବା ପାଇଁ ଅପେକ୍ଷା କରୁଥିଲେ ଯେପରି ।

 

ଠିକାଦାରଙ୍କ କୋଠରୀ ପାଖରେ ଯୋଉ ଖୋଲା ଜାଗାଟା ଥିଲା ସେଠାରେ ସେମାନଙ୍କୁ ବସେଇ ଦେଲା ବିଭୁପଦ । ଭାତ, ଡାଲମା, ଖଟା ପରଷା ହେଲା ପତରରେ । ସେମାନେ ଖାଇସାରି ପାଣି ପିଇ କହିଲେ, ଜୀବନ ଆସିଲା ଏଥର । ରିଲିଫ ବାଣ୍ଟିବା ପାଇଁ ଜାଗା ଠିକଣା କରି ନ ପାରି ଦୁଇ ପ୍ରହର ଯାକ ବୁଲିଛୁ କେତେଜାଗା । ନିରାଶ ହୋଇ ଫେରିବାବେଳକୁ ଆପଣଙ୍କ ସହିତ ସାକ୍ଷାତ୍‍ । ଭଗବାନ ଅଛନ୍ତି । ନୋହିଲେ ଏତେ ଦୟା ନ ଥାନ୍ତା ପୃଥିବୀରେ ।

 

ସେମାନେ ଫେରିଯିବା ପରେ ଠିକାଦାରଙ୍କ ଟ୍ରକ୍ ଡ୍ରାଇଭରକୁ ଉଠେଇ ଟ୍ରକ୍ ଉପରେ ପୁଣି ଅଧିକାଂଶ ରିଲଫ ସାମଗ୍ରୀ ବୋଝେଇ କରି କହିଲା ବିଭୁପଦ, କଟକ ଯିବାକୁ ପଡ଼ିବ ।

 

ତା’ପରେ ସକାଳେ କିଛି ପାଉଁରୁଟି, ଗୁଣ୍ଡଦୁଧ, କିଛି ଚୂଡ଼ା ଓ ଗୁଡ଼ ଦୁଃସ୍ଥ ଓ ଦୁର୍ବଳମାନଙ୍କ ମଧ୍ୟରେ ବାଣ୍ଟିବାପାଇଁ ବ୍ୟବସ୍ଥା କରିସାରି ସେ ନିଜେ ଚଢ଼ି ବସିଲା ଟ୍ରକ୍‌ରେ ।

 

ସହସ୍ର ମଣିଷଙ୍କର ଭାଗ୍ୟଲିପି ସିନା ଲୁଚି ଯାଇଥିଲା ବାଲିତଳେ; କିନ୍ତୁ ବୁଭୁପଦର ଭାଗ୍ୟଲିପି ଲେଖାହେଉଥିଲା କଟକ ନଗରର ମାଲଗୋଦାମରେ ।

 

ଖାଲି କଟକ କାହିଁକି, ସମଗ୍ର ଓଡ଼ିଶାର ଭାଗ୍ୟଲିପି ତ ଏଇଠାରେ ଲେଖାହୁଏ, ଏଇଠାରେ ଦେଶ ସେବାର ଲାଭକ୍ଷତିର ଅଙ୍କ କଷା ହୁଏ ।

 

କଟକ ମାଲଗୋଦାମ ପଣ୍ୟ ସାମଗ୍ରୀର ଭଣ୍ଡାରଘର ନୁହେଁ, ଏହା ନୂତନ ସଂସ୍କୃତିର ଚାରଣଭୂମି ଧନୀ ହେଉଥିବା ପୂଣ୍ୟାତ୍ମାମାନଙ୍କର ତୀର୍ଥକ୍ଷେତ୍ର !

 

ନବୀନର ଉପାର୍ଜନ କମି ଯାଇଛି । ନାଆରେ ନଦୀପାରି ହବାପାଇଁ ଲୋକ ଆସୁ ନାହାନ୍ତି । ହାତକୁ ଯାହା ଆସୁଛି ସେଥିରେ ପରିବାରର ଭରଣପୋଷଣ କରିବା ସମ୍ଭବ ନୁହେଁ । ଆଗୁ ଆଠଥର ଯା’ଆସ କରୁଥିଲା, ଏବେ ତାହା ଚାରିଥରକୁ କମି ଆସିଛି । ସମସ୍ତେ ଚିହ୍ନା ପରିଚୟ-। ସମସ୍ତଙ୍କର ଦୁଃସମୟ । ଅନେକ ପଇସା ଦେଇପାରନ୍ତି ନାହିଁ । ସେମାନଙ୍କୁ ସେପରି ପାରି କରିଦିଏ ନବୀନ ।

 

ଯେଉଁଦିନ ଦଳେଇ ଘାଇ ଭାଙ୍ଗିଯାଇ ସୁଅ ଫିଟିଲା ଗାଁ ଭିତରେ, ସେଦିନ ନିଜ ଜୀବନକୁ ପାଣି ଛଡ଼େଇ ସାଇପଡ଼ିଶାଙ୍କୁ ଉଦ୍ଧାର କରିଥିଲା ନବୀନ । ପାଞ୍ଚଫୁଟ ତିନି ଇଞ୍ଚର ବକଟେ ମଣିଷ । ତା’ ସାନଭାଇ ଉଦ୍ଧବ । ଦୁହେଁ ମିଳି ଗାଁ ଭିତରେ ଅଟକି ଯାଇଥିବା ଅସମର୍ଥ ବା ଅଥର୍ବ କେତେଜଣଙ୍କୁ ବୋହି ଆଣିଥିଲେ କେନାଲବନ୍ଧ ଉପରକୁ । ଆମ୍ବଗଛ ଉପରକୁ ଚଢ଼ିଯାଇ ବସିଥିଲେ ଗୋପାଳ ଏବଂ ତା’ ପୁଅ ସୁରେଶ । ଅଣ୍ଟା ସହିତ ଗଛଡାଳରେ ଗାମୁଚ୍ଛା ବାନ୍ଧି ଅପେକ୍ଷା କରୁଥିଲେ ଅନ୍ତିମ ମୁହୂର୍ତ୍ତର । ଭରସା ନ ଥିଲା ବଞ୍ଚିବାପାଇଁ । ଚାରିଆଡ଼େ ପାଣି । ସୁଅ ମୁହଁରେ ଭାସିଯାଉଥାଏ ବଡ଼ ବଡ଼ ବନସ୍ପତି । ଦୁଇ ଦିନ ଦୁଇ ରାତି ସେଇ ଆମ୍ବଗଛ ଉପରେ କଟେଇଦେଲେ ବାପପୁଅ । ପାଖର ନଡ଼ିଆ ଓ ଆମ୍ବଗଛ ଶୋଇଗଲେଣି ସେତେବେଳକୁ । ପେଟ ପିଠି ଲାଗିଯାଇଥାଏ ଭୋକରେ । ତାଳୁ ଶୁଖି ଯାଇଥାଏ ଶୋଷରେ । ବଞ୍ଚିବାର ଆଶା ଛାଡ଼ି ମୃତ୍ୟୁକୁ ଅପେକ୍ଷା କରୁଥିବାବେଳେ ନାଆ ଛାଡ଼ିଲା ନବୀନ । ସାଙ୍ଗରେ ଉଦ୍ଧବ । ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଭଉଁରୀ କାଟି ନାଆ ଚାଲିଲା ଗଛମୂଳକୁ । ଗଛ ଦିହରେ ନାଆକୁ ବାନ୍ଧି ଉଦ୍ଧବ ଉପରୁ ଓହ୍ଲେଇ ଆଣିଲା ବାପ ପୁଅକୁ । ନାଆକୁ ଆସି ଆଉ ହୋସ୍ ରହିଲା ନାହିଁ ଗୋପାଳର । ଭଗବାନ ସହାୟ ହେଲେ ଶେଷରେ । ସେମାନଙ୍କୁ ଆଣି କୂଳରେ ପହଞ୍ଚାଇଦେଇ ପୁଣି ଅନେଇବା ବେଳକୁ ଆମ୍ବଗଛ ଆଉ ନ ଥିଲା ସେଠାରେ । ଛାତି ଭିତରଟା ହେମାଳ ହୋଇଯାଇଥିଲା ସେତେବେଳେ । ଗୋପାଳ ଆଉ ତା’ ପୁଅ ସୁରେଶକୁ ରକ୍ଷା କରିବାପାଇଁ କେହି ତାକୁ କହି ନ ଥିଲା । ସେ କିନ୍ତୁ ପଣ କରିଥିଲା ନିଜ ପାଖରେ, ତାରିଖ ଦେଇଥିଲା ଭାଗ୍ୟକୁ । ସେମାନେ ଉଦ୍ଧାର ପାଇଗଲେ । ନବୀନ ଈଶ୍ୱରଙ୍କୁ ସେଦିନ ପାଣି ସୁଅରେ ଦେଖିଥିଲା । ସତେ ଯେପରି ଅଗାଧ ଜଳରେ ଭାସିଯାଉଥିବା ମାର୍କଣ୍ଡ ଋଷିଙ୍କୁ ରକ୍ଷା କଲାପରି ତା’ପରି ଅଧମ, ନଗଣ୍ୟକୁ ରକ୍ଷା କରିବାପାଇଁ ଓହ୍ଲେଇ ଆସିଥିଲେ ।

 

ସେଇଦିନୁ ନବୀନର ବିଶ୍ୱାସ ହୋଇଯାଇଛି ଯେ ସହଜରେ ମରିବ ନାହିଁ । ସେ ନିହାତି ଅଦରକାରୀ ନୁହେଁ; ତା ଦେଇ ବି କିଛି କାମ ହବ ।

 

ନବୀନ ଦଳେଇଘାଇକୁ ଦେଖିଆସୁଛି ପିଲାଦିନୁ । ଦେବୀ ନଦୀର ଗଣ୍ଡରେ ସେ ମାଛ ଧରିଛି । ନଦୀର ଚକାଭଉଁରୀ କାଟି ‘ଗଲାଣି ତ ଗଲା କଥାରେ ସଙ୍ଗାତ’ ଗୀତ ଗାଇ ସବୁଠାରୁ କଷ୍ଟକର ଜାଗାଟାକୁ ପାର ହୋଇ ଆସିଛି ।

 

ବନ୍ଧ ବାନ୍ଧି ମହାନଦୀକୁ ରୋକିଦେଲେ ବୋଲି ଗର୍ବ କରୁଥିଲେ ସହରର ବାବୁମାନେ । ଏବେ ଆଖି ଆଗରେ ପ୍ରମାଣ ହୋଇଗଲା । ପ୍ରକୃତିକୁ ବାନ୍ଧିରଖିବାପାଇଁ ମଣିଷ ପାଖରେ ଏତେ କୌଶଳ ନାହିଁ, ଏତେ ବୁଦ୍ଧି କାହିଁ ? ନିୟତିର ଇଚ୍ଛା ଏଇ ବନ୍ୟା ଜଳ ପରି, ଦଳେଇଘାଇ ପରି ଶହ ଶହ ବନ୍ଧ ଭାଙ୍ଗି ଖେଳେଇ ହୋଇଯାଏ ଆଗରେ; ରୋକିହୁଏ ନାହିଁ, ମଣିଷ ଆଚମ୍ବିତ ହୋଇ ସେଇ ଅପରାଜେୟ ଅଦୃଷ୍ଟ ଶକ୍ତିକୁ ଦେଖିବା ପାଇଁ ଦୃଷ୍ଟି ପକାଏ । କିନ୍ତୁ ଦିଶେ କଅଣ ? ବିଶ୍ୱରୂପ । ସମସ୍ତ ପୃଥିବୀ ଜଳମୟ । ସର୍ବତ୍ର ବନ୍ୟାର ତାଣ୍ଡବଲୀଳା ।

 

ଏଇ ନଦୀ କିନ୍ତୁ ମମତାର ଭଣ୍ଡାର । ପୂଣ୍ୟତୋୟା ସେ । ଭାଙ୍ଗିବା ଅପେକ୍ଷା ଗଢ଼େ ବେଶୀ । ଜୀବନର ଉତ୍ସ । ତାହାରି ପ୍ରବାହରେ ପ୍ରଗତି । ଶସ୍ୟଶ୍ୟାମଳା ସମୃଦ୍ଧ ଧରଣୀ । କେତେ ସୁଖ, ଦୁଃଖ । କେତେ ଦବାନବା । କେତେ ପ୍ରେମ ଓ ବିରହ ।

ନବୀନ ଆଶ୍ଚର୍ଯ୍ୟ ହୋଇ ଜୀବନକୁ ଦେଖେ । ଜୀବନର ଅଭିରାମ ରୂପ ନବ ନବ ବେଶରେ ଉଭାହୁଏ ଆଗରେ ।

ତାକୁ ନାଆର ମଙ୍ଗ ଉପରେ ବସି ଏକ ଲୟରେ ନଦୀକୁ ଚାହିଁଥିବାର ଦେଖି ପଚାରିଲା ନରୋତ୍ତମ, ତୋ ଘରେ ଶେଷ ବକତ ଖାଇ କନ୍ଦରପୁରରୁ ଗାଡ଼ି ଧରିବିରେ ନବୀନ । ସୁଲୋଚନାକୁ କହିଦବୁ ।

ନବୀନ ସୁଖ ଦୁଃଖର ଦୁନିଆକୁ ଫେରିଆସି କହିଲା, କେତେବେଳୁ ଏଇମିତି ଠିଆହୋଇଛ ବା ନରୁଭାଇ ? ତମେ ଏମନ୍ତ ପର କରିଦେଲେ ବଞ୍ଚିବ ମଣିଷ !

ନରୋତ୍ତମ କହିଲା, ତୁ କବିତା ଶୁଣିବୁ କହୁଥିଲୁନା ? ସେଥିପାଇଁ ନିରୋଳା ଦେଖି ଚାଲିଆସିଲି ।

ନବୀନ କହିଲା, ସୁଲ ଥିଲେ ସେ ବି ଶୁଣନ୍ତା... ।

–ସୁଲଟା କାନ୍ଦୁରୀ । ମୋତେ ଦେଖି କାନ୍ଦିବ, କବିତା ପଢ଼େଇ ଦବ ନାହିଁ ।

–ତମେ ଚାଲିଯିବା କଥା ଶୁଣିବାବେଳୁ କାନ୍ଦୁଛି, ଆଖିରୁ ଲୁହ ଶୁଖୁ ନାହିଁ ।

–ତାକୁ ବୁଝେଇ ଦେଲୁନୁ ନବୀନା ! ମୁଁ କଅଣ ସବୁଦିନ ପାଇଁ ଚାଲିଯାଉଛି ?

–ଈଶ୍ୱର ଜାଣିଥିବେ । ତମ କଥା ଆଉ ବିଶ୍ୱାସ କରିପାରୁ ନାହିଁ ।

ନରୋତ୍ତମ ହସିଦେଇ କହିଲା, ଦାର୍ଶନିକ ପରି କଥା କହୁଛୁ ଯେ... ।

 

ନବୀନ କହିଲା, ଆମ ଯାତ୍ରାଦଳ ଭାଙ୍ଗିଯିବ । ଆଉ ଯଦି ବି ରୁହେ, କିଏ ଗୀତ ଲେଖିବ, କିଏ ସୁର ଦବ ଗୀତରେ । ମନେଅଛି ନରୁଭାଇ, ଆମ ଯାତ୍ରା ଫାଷ୍ଟ ହୋଇଥିଲା ପଞ୍ଚୁ ଦୋଳରେ ।

 

ନରୋତ୍ତମ କହିଲା, ସେଇ ଯାତ୍ରାରେ ଗାଇବାପାଇଁ ଗୀତଟିଏ ଲେଖିଚି, ଶୁଣି ଯା ନବୀନା-

 

ନବୀନା ମଙ୍ଗ ଉପରେ ସଳଖ ହୋଇ ବସି କହିଲା, ଶୁଣାଅ ନରୁଭାଇ ।

ନରୋତ୍ତମ ଗୋଟେ କାଗଜ ପକେଟରୁ ବାହାରକରି ପଢ଼ିବାକୁ ଲାଗିଲା ।

 

ଦଳେଇ ବନ୍ଧ ଭାଙ୍ଗି ଧାଇଁଛି

ନଦୀର ବନ୍ୟାଜଳ

ସୁଅରେ ସୁଅରେ କମାଣ ଫୁଟୁଚି

ଲଙ୍ଘି ଯାଉଛି କୂଳ ।

 

ରଣ ଡାକ ତାର ଶୁଭୁଚି କାନରେ

ମରଣ ଦୁଆରେ ଉଭା

ଜୀବନ କି ଖାଲି ଜଳିଯିବା ପାଇଁ

ମରିବାରେ ତାର ଶୋଭା

 

 

ବନ୍ଧୁ ହେ ମୁଁ ତ ଶପଥ ନେଇଚି ଥରେ

ଚିର ଦୁର୍ମଦ ଚରଣ ଚାଳି ମୁଁ ଆଗେଇବି ବାରେ ବାରେ ।

 

ନବୀନ କହିଲା, ବାଃ ନରୁଭାଇ ବାଃ ! ତମେ ଇମିତି ଗୀତ ବୋଲି ପାର, ଇମିତି ଲଢ଼ୁଆ କବିତା ପଢ଼ିପାର... ।

 

ନରୋତ୍ତମ କହିଲା, ନଦୀର କଥା ଶୁଣୁଛି ?

 

ନବୀନା କହିଲା, ହାଲିଆ ହୋଇଆସିଲାଣି । ଆଉ ବଳ ନାହିଁ । ଖାଲି ଅନୁତାପ କରୁଛି-। କିମିତି ଅନୁତାପ କରୁଛି ଶୁଣୁନୁ ତା’ ଫିସ୍ ଫିସ୍ ଶବ୍ଦରୁ !

 

କାନଡ଼େରି କହିଲା, ନରୋତ୍ତମ, ସତ କହିଛୁରେ ନବୀନ । କୂଳ ଭାଙ୍ଗି ଘରଦ୍ୱାର, ଗଛବୃଛ ଭସେଇ କେଇଦିନ ଆମେ ମାଡ଼ିଯାଇଥିବା ନଦୀ ଆଜି କୂଳ ମହତ ରଖିବାପାଇଁ ପାଗଳ-। ଦିନକୁ ଦିନ ତନୁ କ୍ଷୀଣ, ଯେସନେ ପୁରୁଣା ବସନ... । ମନେପଡ଼ୁଛି ଭାଗବତ କଥା ?

 

ନବୀନ କହିଲା, ଗୋଟେ କଥା କହିବି ନରୁଭାଇ ?

–ମୋତେ କୋଉ ଦିନୁ ଭୟ କରିବାକୁ ଆରମ୍ଭ କଲୁରେ ନବୀନ ?

–ସୁଲୋଚନା କେତେଥର କହିଲାଣି, ହେଲେ ଭରସି କରି କହିପାରେନି, ଭୁଲିଯାଏ ।

–ସୁଲ ମୋତେ କହିନି ତ କିଛି ।

 

–ତମକୁ କହିବା କଥା ମୋତେ କହିଛି । ତମକୁ ଦେଖିଲେ ତା’ ଦିହରୁ ଝାଳ ବୋହିଯାଏ ।

 

–କାହିଁକି ?

–ପାଠୁଆ ପିଲା ତମେ । ତମ ସାଙ୍ଗରେ କଥାଭାଷା ହବାକୁ ତା’ ଜିଭ ଲେଉଟେ ନାହିଁ ।

 

–ଇମିତି କହିଲେ ଆଉ ଯିବି ନାହିଁ ରେ ତୋ ଦୁଆରକୁ । ଜିଭ କାମୁଡ଼ି କହିଲା ନବୀନ, ସେ କଥା ଆଉ ତୁଣ୍ଡରେ ଧରିବ ନାହିଁ ନରୁଭାଇ । ମୋର କାଇଲି । ମୋତେ ମାଫ୍ କରିଦିଅ ।

 

–ହଉ କହିଯା କଅଣ କହିଛି ସୁଲ ।

–ତମେ ବାହାହୋଇ ପଡ଼ ନରୁଭାଇ ।

–କନ୍ୟା ଦେଖିଛି ସୁଲ ? ପରିହାସ ଛଳରେ କହିଲା ନରୋତ୍ତମ ।

–ହଁ, ସେଥିପାଇଁ ଏତେ କଥା ନା !

–କୋଉ କନ୍ୟା ବେକରେ ଦଉଡ଼ି ଦବାପାଇଁ ସ୍ଥିର କରିଛି କହିଲୁ ?

–ଜାତି ଗୋତ୍ର ସିନା ପଡ଼ୁନି...କିନ୍ତୁ ତମେ ତ ମାନନାହିଁ ସେସବୁ ।

–ଏତେ ଗୌରଚନ୍ଦ୍ରିକା ନକରି ସିଧା ନାମଟା କହିପକାରେ ନବୀନ ।

–ଗୌତମ ଜେନାଙ୍କ ଝିଅ ଶକୁନ୍ତଳା । ନାଙ୍କରା ହବ ନରୁଭାଇ ?

ନରୋତ୍ତମ ପାଣିରେ ଝଟକୁଥିବା ତାର ପ୍ରତିବିମ୍ବକୁ ଚାହିଁଦେଇ ସ୍ତବ୍‌ଧ ହୋଇଗଲା ।

 

ଚାନ୍ଦକୁ ତୋଳିଆଣିବା ପାଇଁ ଏଇ ନରୋତ୍ତମ ପ୍ରହରାଜ ଆକାଶକୁ ସିଡ଼ି ବାନ୍ଧୁଛି ତା’ ହେଲେ ।

 

ତାକୁ ଚମକିପଡ଼ିବା ପରି ଦେଖି କହିଲା ନବୀନ, ସୁନାନାଖି ଝିଅଟିଏ । ରୂପ ଯିମିତି, ଗୁଣ ବି ସିମିତି । ଗୋଟିଏ ବୋଲି ଝିଅ ।

 

ନରୋତ୍ତମ ଭେଲେକା ପରି ଅନେଇଥାଏ ।

 

କହି ଚାଲିଥାଏ ନବୀନ, ପାଠ ବି ପଢ଼ିଚି । ତମ ସାଙ୍ଗରେ ସମାନ ନରୁଭାଇ । ତୁମେ ହଁ କଲେ ସଦାଶିବପୁର ଦୁଲୁକିବ ତେଲେଙ୍ଗି ବାଜାରେ ।

 

ନରୋତ୍ତମ ନବୀନର ହାତ ଧରିପକେଇ ଧୀରେ ଧୀରେ କହିଲା, ମୋ ଆଗେ ଯାହା କହିଲୁ, ଆଉ କାହା ଆଗରେ କହିବୁ ନାହିଁ ନବୀନ ! ଲୋକେ ହସିବେ ।

 

ଅଶିଣର ଟାଣ ଖରାରେ ନଦୀର ପାଣିରେ ନରୋତ୍ତମ ଦେଖୁଥିଲା ନିଜର ଉଦାସ ରୂପ-। ସବୁଜ ସରସ ଧରଣୀ ଉପରେ ପବନ ଆଉ ପହଁରୁ ନାହିଁ । ଧାନଗଛ ଆଉ ଆଖିରେ ପଡ଼ୁନାହିଁ ।

 

ନରୋତ୍ତମର ଉଦାସଦୃଷ୍ଟି ମିଶିଯାଇଥିଲା ନଦୀ, ଆକାଶ ସର୍ବତ୍ର ।

 

ସେ କିଛି ହୋଇ ନ ଥିବା ପରି କହିଲା, ନବୀନ, ଖାଇବାକୁ ଦବୁପରା, ଚାଲଯିବା ତୋ ଘରକୁ । ସୁଲ ଅନିଶା କରିଥିବ ।

 

ନଦୀକୂଳରେ ନାଆ ବାନ୍ଧି ବନ୍ଧ ଆଡ଼ିଲେ ଚାଲିଲେ ଦୁହେଁ ।

 

ଉଦୁଉଦିଆ ଦୁଇପହର । ଖରାକୁ ଚାହିଁ ହଉ ନ ଥାଏ । ଗୋରୁଗାଈ ପାଣି କଡ଼ରେ ଆଶ୍ରା ନେବାପାଇଁ ଗୋଟି ଗୋଟି କରି ଗଡ଼ୁଥାଆନ୍ତି ବନ୍ଧ ତଳକୁ । ହାଡ଼ମାଳ । ଖାଦ୍ୟବିନା ମଣିଷ ପରି ପଶୁ ବି ବେଶୀଦିନ ବଞ୍ଚିପାରେ ନାହିଁ । ପାଣିତଳେ ଧାନଗଛ ଘାସସବୁ ପଚିଗଲା । ପାଣି ଉଠିଥିବା ଜାଗା ପର୍ଯ୍ୟନ୍ତ ଚିହ୍ନ ରହିଯାଇଛି ଘର କାନ୍ଥରେ, ଗଛ ଦିହରେ । ଟାଉଁସିଆ ରଙ୍ଗର କିଛି ଧାନଗଛ ଏବେ ବି ଅଛି; କିନ୍ତୁ ଗୋରୁଗାଈ ମୁହଁ ଲଗାଇ ଉଠେଇ ନିଅନ୍ତି । ଖାଇ ପାରନ୍ତି ନାହିଁ । ଖାଦ୍ୟ ନାହିଁ-। ଅଖାଦ୍ୟ ବି ନାହିଁ । ସମ୍ବଲପୁର, ବ୍ରହ୍ମପୁର ଅଞ୍ଚଳରୁ ନଡ଼ା ବୁହାହୋଇ ଆସୁଛି । କୁଣ୍ଡା ଏବଂ ଅନ୍ୟାନ୍ୟ ଗୋଖାଦ୍ୟ ବି ଆସୁଛି । କିନ୍ତୁ ତାହା ଅତି ଅଳ୍ପ, ସବୁ ଜାଗାରେ ପହଞ୍ଚିପାରୁ ନାହିଁ । ଗଛର ଡାଳ ଭାଙ୍ଗି ଦିଆଯାଉଛି ଗୋରୁଗାଈଙ୍କୁ । ପଶୁମାନେ ବି ମଣିଷପରି ଅପେକ୍ଷା କରନ୍ତି ଦାତାକୁ ।

 

ମଣିଷମାନେ ଭିକାରୀ ହୋଇ ଯାଉଛନ୍ତି ।

 

ବାହାରୁ କେହି ବନ୍ୟାଞ୍ଚଳକୁ ମାଡ଼ିଆସିଲେ ସାହାଯ୍ୟ ଆଶାରେ ଶହ ଶହ ପୁରୁଷ, ନାରୀ, ଶିଶୁ ଓ ବୃଦ୍ଧ ହାତ ପତେଇ ଦୌଡ଼ନ୍ତି ସେମାନଙ୍କ ଆଗକୁ । ସର୍ବତ୍ର ଦିଅ, ଦିଅର ଆକୁଳ ଚିତ୍ର ।

 

ସମସ୍ତଙ୍କୁ ଦଉଥିବା ଓଡ଼ିଆଜାତିର ମେରୁଦଣ୍ଡ ଭାଙ୍ଗିଯାଇଛି । ବାତ୍ୟାପରେ ଆସିଛି ବନ୍ୟା !

 

ଏ ଜାତିର ଭାଗ୍ୟଲିପି ଯେପରି ଲେଖାହୋଇଛି ବାତ୍ୟା, ବନ୍ୟା ଓ ମରୁଡ଼ିରେ । ବାତ୍ୟାରେ ଉଡ଼ିଯାଏ ଲୋକଙ୍କର ସୌଭାଗ୍ୟ, ବନ୍ୟାରେ ଭାସିଯାଏ, ଆଉ ମରୁଡ଼ିରେ ଶୁଖି ଶୁଖି ମରିଯାଏ । ତଥାପି ଲୋକମାନଙ୍କୁ ବଞ୍ଚେଇ ରଖିବାପାଇଁ ଚାଲିଛି ଅପ୍ରାଣ ପ୍ରଚେଷ୍ଟା । ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସାହାଯ୍ୟ ନେଇ ଆସୁଥାଆନ୍ତି ଅନେକ ଲୋକ । କିନ୍ତୁ ମଣିଷ ଏଡ଼େ ନୀଚ ହୋଇଯାଇଛି ଯେ ଏପରି ବିପତ୍ତି ସମୟରେ ବି ସାହାଯ୍ୟ ସାମଗ୍ରୀରୁ ମାରିନଉଛି କିଛି-। ଅବା ଆତ୍ମସାତ୍ ହୋଇଯାଉଛି । ଲୋକଙ୍କ ନାମରେ ଦିନରାତି ବଞ୍ଚୁଥିବା ପ୍ରତିନିଧିମାନେ ରକ୍ଷକ ନ ହୋଇ ଭକ୍ଷକ ହୋଇଯାଉଛନ୍ତି ।

 

କିନ୍ତୁ ଚତୁର୍ଦ୍ଦିଗରେ ଛୋଟ ହୋଇଯାଉଥିବା ମଣିଷ ମେଳରେ ଜଣେ ଜଣେ ଏପରି ଲୋକ ଆଖିଆଗକୁ ଆସନ୍ତି, ଯେଉଁମାନଙ୍କ ଛାତି ଖୁବ୍ ଚୌଡ଼ା, କାନ୍ଧରେ ଅନେକ ବଳ, ଆଉ ମନଟି ସମ୍ବେଦନାରେ ପ୍ରସ୍ରବଣ । ସେମାନେ ଲୁହ ପୋଛି ଦିଅନ୍ତି ଲୋକମାନଙ୍କ ଆଖିରୁ, ଧୂଳି, କାଦୁଅ ପୋଛିଦିଅନ୍ତି ସେମାନଙ୍କ ଦିହରୁ, ପିଠିରେ ହାତ ବୁଲେଇ ଆଣି ସାନ୍ତ୍ୱନା ଦିଅନ୍ତି, ସାହସ ଦିଅନ୍ତି ବଞ୍ଚିବାପାଇଁ । ଶୁଖିଆସୁଥିବା ଆଖି ଦିଓଟି ହଠାତ୍ ସଜଳ ହୋଇଉଠେ; ବଞ୍ଚିବାକୁ ଇଚ୍ଛାହୁଏ-

 

ନରୋତ୍ତମ ଖୋଜୁଥିଲା ସେପରି ଲୋକଙ୍କୁ ।

 

ସେମାନଙ୍କ ଚରଣତଳେ ନମସ୍କାର କରି କହିବାକୁ ଇଚ୍ଛା ହୁଏ ତା’ର–ତୁମେ ତ ସେଇ ଦାରୁବ୍ରହ୍ମର ଅମୃତସନ୍ତାନ । ଆସ । ତୁମ ପଥ ଚାହିଁ ଅପେକ୍ଷା କରୁଛନ୍ତି ହତଭାଗ୍ୟମାନେ । ସେମାନଙ୍କ ମୁହଁରେ ହସ, ମନରେ ସାହସ ଦବାପାଇଁ ଟିକେ ବସ ସେମାନଙ୍କ ସାଙ୍ଗରେ ।

 

ପୁରୁଷୋତ୍ତମକ୍ଷେତ୍ରରେ ବଡ଼ଦେଉଳ ଭିତରେ ଛପନ ପଉଟି ଭୋଗ ଖାଇ ନୀଳାଚଳବିହାରୀ କଅଣ ସୁଖରେ ବସିଥିବେ ଚିରକାଳ ? ତାଙ୍କରି ଅମୃତାୟନ ଦୃଷ୍ଟି ଝରିପଡ଼ୁ ଆକାଶରୁ, ବହିଆସୁ ନଦୀର ସୁଅରେ, ଆଉ ଝରିପଡ଼ୁ ସହସ୍ର ଲୋକଙ୍କର ବଞ୍ଚିବାପାଇଁ ଅମାନିଆ ପଣରେ ।

 

ମରିବା ପାଇଁ ମଣିଷ ରାଜି ହୁଏ ନାହିଁ ।

ସେଥିପାଇଁ ପଡ଼ିଉଠି ଲଢ଼େ । ବାଧା ବିପତ୍ତି ଅତିକ୍ରମ କରି ଆଗକୁ ଚାଲେ ।

 

ସେଇ ମଣିଷର ଛବି ଦେଖିଛି ନରୋତ୍ତମ କାନ୍ଥର ଛବିରେ, କ୍ୟାଲେଣ୍ଡରର ଫଟୋରେ-

 

ନବୀନ କହିଲା, ଗୋରୁଗାଈ ହାଡ଼ମାଳ । ମଣିଷର ପେଟପିଠି ଏକ ହୋଇଯାଇଛି । ଆଉ ବଞ୍ଚିବେ ସେମାନେ ?

 

ବଞ୍ଚିବେ । ମରଣ ଏଡ଼େ ଶିଘ୍ର ଆସେ ନାହିଁରେ ନବୀନ !

 

କିମିତି ବଞ୍ଚିବେ, ଖାଦ୍ୟ କାହିଁ, ରୋଜଗାର କାହିଁ, ଏତେ ଲୋକଙ୍କୁ ଯୋଗେଇଦେବ କିଏ ?

 

ସବୁ ହବ । ସକଳ ବିପତ୍ତି ଅତିକ୍ରମ କରି ପୁଣି ଠିଆହେବ ଏଇ ମଣିଷ । ଗାଁ ଦାଣ୍ଡ ପୁଣି ପୁରିଉଠିବ ହରିବୋଲରେ, ପିଲାମାନଙ୍କ ଲୁଚିକାଳି ଖେଳରେ ।

 

ବିଶ୍ୱାସ ହୁଏ ନାହିଁ... । କେଜାଣି, ଯଦି ସେହି ଜଗନ୍ନାଥେ ରଖନ୍ତି... ।

ଜଗନ୍ନାଥେ ସବୁଠି ଅଛନ୍ତି । ସବୁ ମଣିଷଙ୍କ ଦେହରେ ତାଙ୍କରି ବିଭୂତି ।

–ବାଉରୀ, କଣ୍ଡରା, ହାଡ଼ି, ମେହେନ୍ତର ?

 

–ସମସ୍ତେ ତାଙ୍କରି ସନ୍ତାନ । ମଣିଷଜାତି, ଗୋଷ୍ଠୀ, ସମ୍ପ୍ରଦାୟ ତିଆରି କରିଛି । ବଣ କାଟି ଧାନକିଆରୀ ତିଆରି କରିଛି । ଆଉ ଆକାଶ ପରି ଉଦାର ମନକୁ ଭାଗ ଭାଗ କରି କୋଠରୀ ତିଆରି କରିଛି ।

 

–ତମେ କେତେ ପାଠ ପଢ଼ିଛ । ଆମେ ମୁରୁଖ । ଏତେ ବିଦ୍ୟା ବୁଝିବା ପାଇଁ ଜ୍ଞାନ କାହିଁ ?

 

–ଦିନ ଆସିବ ସମସ୍ତେ ବୁଝିବେ । ଅନ୍ୟାୟ ଓ ଅନୀତିର ପ୍ରତିକାର ହବ । ମଣିଷ ଆଉ ମଣିଷକୁ ମାରିବ ନାହିଁ ।

 

–ଆମେ ତ ନ ଥିବା ସେତେବେଳେ... ।

 

–ଆମେ ନ ଥିଲେ ଆମ ପୁଅ ନାତି ଥିବେ, ସେମାନେ ନ ଥିଲେ ଥିବେ ସେମାନଙ୍କର ନାତି, ଅଣନାତି, ପଣନାତି... । କିନ୍ତୁ ସେହି ସୁଦିନ ନିଶ୍ଚୟ ଆସିବ । ଧରିତ୍ରୀରେ ଜନ୍ମ ନବ ନୂତନ ଜୀବନ ।

 

–ଶାସ୍ତ୍ର କହିଛି ଏକଥା ?

 

–ହଁ, ମୁଁ ମନକୁ କହୁନାହିଁରେ ନବୀନ । ସେଇ ନୂତନକୁ ବରଣ କରିବାପାଇଁ ଆମ ଶରୀରରେ ଶକ୍ତି, ମନରେ ନିର୍ମଳତା, ପ୍ରାଣରେ ଆକୁଳ ଅସ୍ପୃହା ଏବଂ ଆଚରଣରେ ଶୁଦ୍ଧତା ଲୋଡ଼ା-। ଏହା ସର୍ତ୍ତସାପେକ୍ଷ । ଯେତେଶୀଘ୍ର ସର୍ତ୍ତ ପୂର୍ଣ୍ଣ ହେବ, ସମର୍ପଣ ସମ୍ପୂର୍ଣ୍ଣ ହେବ, ସତେଶୀଘ୍ର ଅବତରଣ କରିବ ନୂତନ ଆଲୋକ, ନୂତନ ଜୀବନ ।

 

ନବୀନ, ନରୋତ୍ତମ ଦୁହେଁ କୋଳାହଳ ଶୁଣି ଛିଡ଼ା ହୋଇଗଲେ ।

ଦଳେ ଲୋକ କଳି କରୁଥିଲେ ବନ୍ଧ ତଳେ । ଚାଳିଆରେ ରହୁଥିବା ବସ୍ତୁହରା ସମସ୍ତେ ।

 

ସେମାନେ ପାଖରେ ପହଞ୍ଚିବାବେଳକୁ ଝଗଡ଼ା ପଞ୍ଚମକୁ ଉଠିଥାଏ । ଅକଥ୍ୟ, ଅଶ୍ରାବ୍ୟ ଭାଷା ବାହାରୁଥାଏ ମୁହଁରୁ ।

 

–ଆରେ ଅଳପେଇସା, ଝାଡ଼ାବାନ୍ତିଆ, ଚୁଲିପସାରେ...

–ଆଲୋ ଯୋଗିନୀ, କଞ୍ଚାଖାଇ, ଘଇତାଖାଇ ଲୋ... ।

 

–ଆରେ ତୋ ବୋପା ଚଉଦପୁରୁଷ ତେପନପୁରୁଷ ସମସ୍ତେ ତ ଥିଲେ ଚୋର...ତୁ ନଈସୁଆ, କୁଷ୍ଠରୋଗିଆ ବାଦ୍‌ ପଡ଼ନ୍ତୁ ! –ଆହା ! ମରିଯାଉଥାଏ ଲୋ ! ମୋ ପୁଅର ମୁହଁରୁ ଆହାର ଛତରଖିଆ ମରଣମୁହାଁ ଟାଣି ନେଲାରେ । ଖଣ୍ଡେ ରୁଟିକୁ ଅଳପେଇସାର ଶାଗୁଣା ଲୋଭ...

 

କାନ୍ଦୁଥାଏ, ଆଉ ଗାଳି ଦଉଥାଏ ସ୍ତ୍ରୀଲୋକଟି, କେଉଟ ସାହିର ନଟର ସ୍ତ୍ରୀ ନେତ ।

 

ବାପ ଚଉଦପୁରୁଷର ନାମ ଶୁଣି ଠେଙ୍ଗାଟାଏ ଧରି ଚିହିଁକି ଆସିଲା ମାଳି ସାହିର ଦାମ ମାଳି । ତା ବଂଶର ସୁନାମ ମାଟିରେ ମିଶିଯାଇଛି । ନେତକୁ ପାନେ ଦେଇ ଉଦ୍ଧାର କରିବ ବଂଶର ସୁନାମ ।

 

ହାଁ ହାଁ କରି ମଝିରେ ଛିଡ଼ା ହୋଇଗଲା ନରୋତ୍ତମ ।

 

ସେତେବେଳକୁ ଡେରି ହୋଇଯାଇଥିଲା ! ମୁଣ୍ଡରେ ଆଘାତ ପାଇ ଗଛ କାଟିବାପରି ତଳେ ପଡ଼ିଗଲା ନରୋତ୍ତମ ।

 

ଚେତା ବୁଡ଼ିଗଲା ମୁହୂର୍ତ୍ତକରେ ।

 

ନରୋତ୍ତମର ଚୈତନ୍ୟଶୂନ୍ୟ ଶରୀରକୁ କୋଳରେ ଧରି ଆକୁଳ ଚିତ୍ତରେ କହିଲା ନବୀନ, ଇୟେ କଅଣ କଲୁ ଦାମ, ନରୁଭାଇକୁ ମାରିପକେଇଲୁ !

 

ଦାମ ଦିହରୁ ଭୟରେ ଝାଳ ବୋହିଯାଉଥାଏ ସେତେବେଳକୁ । ସେ ଆଣ୍ଠେଇପଡ଼ି କହିଲା, ଆରେ କିଏ କୋଉଠି ଅଛରେ, ପାଣି ଢାଳେ ଆଣ, ପଙ୍ଖା କର... । ମୁଁ ଚଣ୍ଡାଳ କଅଣ କଲି ! ଶେଷରେ ନରୁଭାଇ ଉପରେ.... ।

 

ଦାମର ରଡ଼ି ଶୁଣି ନରମିଗଲା ନେତ କେଉଟୁଣୀ ।

 

ଦଉଡ଼ିଯାଇ ସେ ପାଣି ଢାଳେ ନେଇଆସିଲା ଘରୁ । ପଙ୍ଖା ନେଇଆସିଲା ଆଉ ଜଣେ-

 

ମୁହଁ ଉପରେ ପାଣି ଛିଞ୍ଚି ପଙ୍ଖା ନବୀନ ।

 

ତାହାରି ମୁହଁ ଉପରକୁ ଦଶଜଣ ସତୃଷ୍ଣ ନୟନରେ ଅନାଇ ରହିଲେ । କଅଣ ହବ ନରୁ ଭାଇର ? ସେ ବଞ୍ଚି ଯାଉ–ଭଲ ଲୋକଙ୍କର ଅଭାବଥିବା ଜଗତରେ ସେ ଆମ ସମସ୍ତଙ୍କର ପରମାୟୁ ନେଇ ବଞ୍ଚିରହୁ ।

 

ଭୋ ଭୋ କାନ୍ଦି ଦାମ ମାଳି କହିଲା, ମୋ ପରମାୟୁ, ମୋ ଭାରିଯାର ପରମାୟୁ ନରୁଭାଇକୁ ଦିଅ ମା ଜାଗୁଳାଇ । ରଜସଂକ୍ରାନ୍ତି ଦିନ କାଳିଆବୋଦା ଗୋଟେ ବଳି ଦେଇ ମନତୋଷ କରିବି ତୁମର ।

 

ନେତ କହୁଥିଲା, ଆହା ! ମୋ ଭାଇର କଅଣ ହେଲାରେ...ମୋ ଗୁହାରୀ ଶୁଣାହେଉ ପ୍ରଭୁ...ନରୁ ଭାଇ ଭଲ ହୋଇଯାଉ... ।

 

ଲାଠି ବାଜିଥିବା ସ୍ଥାନଟା ଫୁଲିଉଠିଥିଲା ସେତେବେଳକୁ । ରକତ ଜମିଥିଲା ଠାଏ ଠାଏ-। ବନ୍ୟାରେ ତ ସବୁ ଭାସିଯାଇଛି । ଆଇଓଡ଼ିନ କି ଡେଟଲ ଟିକେ ମିଳିଲା ନାହିଁ । ଗୌତମ ଜେନାଙ୍କ କାନରେ କଥାଟା ପଡ଼ିଲା ଯାଇ । ସକାଳେ କଟକରୁ ଆସି ସ୍ୱେଚ୍ଛାସେବକମାନେ ଦେଇଥିବା ଫାଷ୍ଟ-ଏଡ-ବାକ୍‌ସ ଧରି ସେ ଧାଇଁ ଧାଇଁ ଆସି ପହଞ୍ଚିଗଲେ ସେଠାରେ । କ୍ଷତ ସ୍ଥାନକୁ ଧୋଇଦେଇ ଔଷଧ ଲଗାଇ ପଟି ବାନ୍ଧିଦେଲେ ।

 

ସେବା, ଶ୍ରୁଶ୍ରୂଷା ପାଇ ଉଠି ବସିଲା ନରୋତ୍ତମ ।

ଦାମ ହାତଯୋଡ଼ି ଚାହିଁଥିଲା ନରୋତ୍ତମର ମୁହଁକୁ–

ନେତ ପାଦ ଉପରେ ହାତ ବୁଲଉଥିଲା ।

ଗୌତମ ଜେନା ପଚାରିଲେ, ଟିକେ ଭଲ ଲାଗୁଛି ବାବା... ।

–ହଁ ମଉସା ! ସଂକ୍ଷିପ୍ତ ଉତ୍ତର ନରୋତ୍ତମର ।

 

–ରାଗ ମଣିଷକୁ ଚାଣ୍ଡାଳ କରେ । ଆଉ ଇମିତି ଦିନେ ହେଲେ କରିବୁ ନାହିଁ ଶପଥ କର ଦାମ ।

 

ଦାମ ଖନେଇ ଖନେଇ କହିଲା, ମୁଁ ଶପଥ କରୁଛି ସାଆଁନ୍ତ । ମୁଁ ମହାପାପୀ । ମୋ ହାତ ବସିଲା ନରୁଭାଇ ମୁଣ୍ଡରେ ।

 

ନରୁ ଦାମର ହାତ ଗୋଟିକୁ ନିଜ ହାତମୁଠାରେ ରଖି କହିଲା, ନେତ ତୋ ଭଉଣୀ ।

ତା’ପରେ ନେତ ମୁହଁକୁ ଅନେଇ କହିଲା–

 

ଭାଇ ଭଉଣୀ ଭିତରେ କଳି ବି ହୁଏ, ଭଲ ପାଇବା ବି ରୁହେ । ଦାମ ତୋର ବଡ଼ ଭାଇ-। ମାନ୍ୟ କରିବୁ ଆଜିଠାରୁ ।

 

ସେମାନେ ମାନିଗଲେ ।

ଖଣ୍ଡେ ରୁଟିରୁ ମହାଭାରତ ଯୁଦ୍ଧ ।

 

ନରୋତ୍ତମ କହିଲା, ବନ୍ୟା ମଣିଷକୁ ଛୋଟ କରିଦେଇଛି । ତା’ର ବିବେକ ବିଚାର ରହୁନାହିଁ ।

 

ଗୌତମ ତାକୁ ସାଙ୍ଗରେ ନେଇ ଫେରିଲେ ଘରକୁ ।

ଶକୁନ୍ତଳା ସବୁ ଶୁଣି କହିଲା, ତୁମେ ଆଉ ଇମିତି ଦୁଃସାହସ କରିବ ନାହିଁ ନରୁଭାଇ ।

 

ନରୋତ୍ତମ ତା ମୁହଁକୁ ଅନାଇବାବେଳକୁ ଶକୁନ୍ତଳା ଆଖି ଦୁଇଟାକୁ ସମସ୍ତଙ୍କ ଆଖି ଆଗରୁ ଲୁଚାଇ ରଖିବା ପାଇଁ ମୁହଁ ଲେଉଟାଇ ଦେଇଥିଲା ।

 

କଟକରୁ ପାରାଦୀପକୁ ଯାଇଥିବା ରେଳରାସ୍ତା ଭାଙ୍ଗି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ବନ୍ୟାରେ । କନ୍ଦରପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ଅନେକ ସ୍ଥାନରେ ରେଳ ପହି ଶୂନ୍ୟରେ ଝୁଲୁଛି କେବଳ; ତଳୁ ମାଟି, ଗୋଡ଼ି, ପଥର ସବୁ ଧୋଇ ହୋଇ ଯାଇଛି । ପୋଲ କେତୋଟି ଭାଙ୍ଗିଯାଇଛି-। ଠାଏ ଠାଏ ପନ୍ଦର କୋଡ଼ିଏ ଫୁଟ ଗାଢ଼ । ରେଳଲାଇନର ଦୁଇ ପାଖରେ ଥିବା ଧାନକ୍ଷେତ ବାଲି ଓ ବଢ଼ିପାଣିରେ ପୋତି ହୋଇପଡ଼ିଛି ।

 

କଟକ ପାରାଦୀପ ସଡ଼କ ପଥ ରକ୍ଷା ପାଇଯାଇଛି । କିନ୍ତୁ ଟେଲିଫୋନ ଖୁଣ୍ଟ ସବୁ ଉପୁଡ଼ି ପଡ଼ିଛି । କନ୍ଦରପୁର, ଜଗତସିଂପୁର, ପାରାଦୀପ, ରଘୁନାଥପୁର, କୁଜଙ୍ଗ, ଜୟପୁର, ମଣିଜଙ୍ଗା, ଅସ୍ତରଙ୍ଗ ସବୁଠାରେ ବିଜୁଳି ଲାଇନ ବିପର୍ଯ୍ୟସ୍ତ । ବହୁଦିନ ମରାମତି କାମ କରିବା ଆବଶ୍ୟକ ହେବ । ଯୋଗାଯୋଗ ପ୍ରାୟ ବିଚ୍ଛିନ୍ନ ।

 

ପାରାଦୀପ ବନ୍ଦର ଭିତରେ ବଢ଼ିପାଣି ପଶିଯାଇଥିବାରୁ ଲୋକେ ପଳେଇ ଆସିଥିଲେ ଉଚ୍ଚ ଜାଗାକୁ ।

 

ବନ୍ୟାପାଣି ଛାଡ଼ିଯିବା ପରେ ପରେ ଲୋକ ଫେରିବାକୁ ଆରମ୍ଭ କଲେଣି । କିନ୍ତୁ ଉଚ୍ଚ ଜାଗାରୁ ଚାଳିଆ ଉଠେଇ ନେଇ ନାହାନ୍ତି । ଗାଁରେ ରହିବା ସମ୍ଭବ ନୁହେଁ । ମାଟିଘର ଧସିପଡ଼ିଛି । କୁଟା କାଠ ଭାସିଯାଇଛି । କଳା ଡିହ ଖଣ୍ଡକ ମାଟି ଓ ବାଲିରେ ପୋତି ହୋଇଯାଇଛି । ଆଉ ଯାହାର ଘର ଧସି ନ ଯାଇ ବର୍ତ୍ତିଯାଇଛି ସେ ଘର ବାସଯୋଗ୍ୟ ନୁହେଁ । ସେଠାରେ ସାପ ମାଳ ମାଳ । ବନ୍ୟାରେ ଭାସି ଆସି ଆଶ୍ରୟ ନେଇଛନ୍ତି କେତେ ତମ୍ପ, ନାଗ ଓ ଚିତାସାପ... ।

 

ସର୍ବତ୍ର ତତ୍ପରତା ପ୍ରକାଶ ପାଉଛି ଆଉଥରେ ନୂତନ କରି ଗଢ଼ିବା ପାଇଁ । ବାଉଁଶ ଠାଏ ଠାଏ ଠୁଳ କରାଗଲାଣି । ଠାଏ ଠାଏ କାଠ । କିନ୍ତୁ ଗୃହ ଉପକରଣ କିଣିବା ପାଇଁ ପଇସା ନାହିଁ ହାତରେ । ସରକାର ଦେଇଥିବା ସାହାଯ୍ୟ ଖର୍ଚ୍ଚ ହୋଇଗଲାଣି ଅନ୍ୟ କାର୍ଯ୍ୟରେ । ଜମି ବନ୍ଧକ ଦେଇ ବା ବିକ୍ରୀ କରି କିଛି କହିବାକୁ ହେବ । ସୁନା, କଂସାବାସନ ବି ବିକ୍ରୀ ବା ବନ୍ଧକ ଦିଆଯାଇପାରେ । ସେଇ କାମ ଆରମ୍ଭ ହୋଇଯାଇଛି । ଖୁବ୍ ଅଳ୍ପ ମୂଲ୍ୟରେ ମୂଲ୍ୟବାନ ଅଳଙ୍କାର ବା ଜମି କିଣି ନେଉଛନ୍ତି ମହାଜନମାନେ ।

 

ଋଣର ଭାର ବହି ମେରୁଦଣ୍ଡ ଭାଙ୍ଗିଯାଇଛି ଚାଷୀଙ୍କର । ଗତ କେତେବର୍ଷ ହେବ ବାତ୍ୟା ବନ୍ୟା ଲାଗି ରହିଛି । ସଞ୍ଚୟ ଘରଶୂନ୍ୟ । କୋଉଠୁ ଆସିବ ଟଙ୍କା, କିଏ ଦବ ଅର୍ଥ ? ହାତରେ ପଇସା ନ ଥାଇ ପାଦେ ଚାଲି ହବ ନାହିଁ ।

 

ମାସିକ ଟିକଟ କରି ଖୁବ୍ ଶସ୍ତାରେ କନ୍ଦରପୁର, ଜୟପୁର ଝଙ୍କଡ଼ ଅଞ୍ଚଳରୁ ପ୍ରତିଦିନ ସଜ ପରିବା, ପଇଡ଼, ଦୁଧ ଦହି, ଅଣ୍ଡା, ମାଛ ଓ ପାନ ନେଇ ରେଳରେ କଟକ ଯାଉଥିବା ଲୋକମାନଙ୍କର ଜୀବିକାର୍ଜନର ପଥ ବନ୍ଦ ହୋଇ ଯାଇଛି । ଆହୁରି ମାସେ ଲାଗିବ ରେଳରାସ୍ତା ଠିକ୍ ହବାପାଇଁ । ବସ୍‍ରେ ଯିବାକୁ ଏତେ ପଇସା ନାହିଁ ହାତରେ । ପରିବା ବଗିଚା ପାନବରଜ ସବୁ ନଷ୍ଟ ହୋଇଯାଇଛି । ଶହ ଶହ ନଡ଼ିଆଗଛ ଶୋଇ ଯାଇଛି ଭୂଇଁରେ । ଭାସି ନ ଯାଇ ବର୍ତ୍ତି ଯାଇଥିବା ଗାଈଗୋରୁ ଖାଇବାକୁ ନ ପାଇ ଦୀର୍ଘଶ୍ୱାସ ଛାଡ଼ୁଛନ୍ତି ।

 

ଗୋଟିଏ ଗାଁରୁ ଆଉ ଗୋଟିକୁ ଯିବାପାଇଁ ନାଆ ଦରକାର ହେଉଥିଲା । ଚତୁର୍ଦ୍ଦିଗ ଦିଶୁଥିଲା ମହୋଦଧି ପରି । ପାଣି ଖାଲି ପାଣି । ଏବେ ନାଆ ଆଉ ଦରକାର ହଉ ନାହିଁ । ପାଣି ଛାଡ଼ିଗଲାଣି । ରାସ୍ତା ଫିଟିଗଲାଣି । ଶହ ଶହ ଶ୍ରମିକ ରାସ୍ତା ତିଆରି କରିବା କାମରେ ନିଯୁକ୍ତ । ଦୁଇ ଚାରିଟା ଦୋକାନରେ ପୁଣି ବିକାକିଣା ଚାଲିଲାଣି । ଶାସନକଳକୁ ତତ୍ପର କରାହୋଇଛି ।

 

କଟକରୁ କନ୍ଦରପୁରକୁ ଫେରି ନ ଆସି ବିଭୁପଦ ଫେରିଲା ରାଜଧାନୀ ହୋଇ । ରାଜଧାନୀ ରାଜ୍ୟର ପ୍ରାଣକେନ୍ଦ୍ର । ଦେଶର ନାଡ଼ିନକ୍ଷେତ୍ର ଜାଣିହୁଏ ସେଠାରେ । ପ୍ରତିଦିନ ପାଣିପାଗର ଖବର ଆକାଶବାଣୀରୁ ପ୍ରଚାରିତ ହବା ପରି ଶାସକ ଓ ଶାସିତମାନଙ୍କର କେତେ ଗୋପନ କଥା ପ୍ରଚାରିତ ହୁଏ, ରାଜଧାନୀରେ ଲୋକ ମୁହଁରେ । ପ୍ରତ୍ୟେକ ପ୍ରତ୍ୟେକଙ୍କର ଗୋହିଖୋଳିବା ଏଠାର ପରମ କର୍ତ୍ତବ୍ୟ । ବିରୋଧୀଦଳଙ୍କ ଆଖିକୁ ଯେପରି କିଛି ଭଲ କାମ ଦିଶେ ନାହିଁ, ଶାସକଦଳ ସେହିପରି ଭୁଲ ଭ୍ରାନ୍ତି କିଛି କରେ ନାହିଁ । ଦୁହେଁ ସାଧାରଣ ଲୋକର କାନ୍ଧରେ ସବାର ହୋଇ ଅତିକ୍ରମ କରନ୍ତି, ମହାନଦୀ, ବ୍ରାହ୍ମଣୀ, ବୈତରଣୀ ।

 

ବୋଝ ବୋହି ନିଜ ଝାଳର ସୁଆଦ ନିଜେ ଚାଖୁଥିବା ଲୋକଟିର ଦୀର୍ଘଶ୍ୱାସ କାହା କାନକୁ ଶୁଭେ ? ସ୍ୱାମୀ, ସନ୍ତାନକୁ ହରାଇ ନିଃସ୍ୱ ହୋଇଯାଇଥିବା ସ୍ତ୍ରୀଲୋକଟିର ବୁକୁଫଟା କରୁଣ କ୍ରନ୍ଦନ କାହା କାନରେ ପଡ଼େ ? ଆଉ ଟିକେ ଔଷଧ, ମୁଠେ ଭାତ ନ ପାଇ ମରଣ ଦୁଆରକୁ ଠେଲିହୋଇ ଯାଉଥିବା ଲୋକଟିର ସହାୟତା କିଏ କରେ ?

 

କିନ୍ତୁ ତଥାପି ଏଇ ନଗଣ୍ୟ, ଅତି ସାଧାରଣ ଲୋକଟିର ବିଶ୍ୱାସ ତୁଟେ ନାହିଁ, ଅନୁରାଗ ସରିଯାଏ ନାହିଁ । ସମସ୍ତେ ତାକୁ ପ୍ରତାରିତ କଲେ ମଧ୍ୟ ସେ କାହାକୁ ପ୍ରତାରିତ କରେ ନାହିଁ । ନେତାମାନଙ୍କ କଥା ଶୁଣିବା ପାଇଁ ସଭାକୁ ଯାଏ, କାମ ମାରା କରି ଭୋଟ ଦେବାକୁ ଯାଏ, ଆଉ ପୁଅର ମୁହଁରୁ ଆହାର ଉଦ୍‍ବୃତ୍ତ ରଖି ସେଇ ସଞ୍ଚୟରୁ କିଛି କିଛି ଚାନ୍ଦା ଦିଏ, ନେତାଙ୍କ ପାଖ ଲୋକ ଆସିଲେ ତାଙ୍କୁ ଫଳମୂଳ, ଦହି ବା ମାଛ ଭୁଞ୍ଜାଏ ।

 

ବିଭୁପଦ ଅନେକ ଲୋକଙ୍କୁ ମଣିଜଙ୍ଗ ଡାକବଙ୍ଗଳାକୁ ଆସିବାପାଇଁ ଖବର ପଠାଇଥିଲା-। ସେ ଏକା କେତେ ଆଡ଼କୁ ଯାଇପାରିବ ? ସବୁ ଅଞ୍ଚଳକୁ ତ ରାସ୍ତା ଫିଟି ନାହିଁ । ଯୋଉଠି ରାସ୍ତା ଫିଟିଛି, ଠିକାଦାରଙ୍କ ଜିପ୍ ଚଢ଼ି ସେଠାକୁ ଅବଶ୍ୟ ଆପତ୍ତି ନାହିଁ । ଯାଏ ମଧ୍ୟ ।

 

ତଥାପି ବିଭୁପଦ ତରତର ହୁଏ । କାମର ବେଳ ଇଏ, ବସି ବସି ଗୁଲିଖଟି ଗପ କରିବାର ସମୟ ନୁହେଁ । କାମ ମଞ୍ଜୁର ହୋଇଛି । ଆହୁରି ଅନେକ ନୂଆ କାମ ହାତକୁ ଆସିବ । ଟଙ୍କାର ଅଭାବ ନାହିଁ । ଦେବୀ ନଦୀର ପାଣି ପରି ସୁଅ ଛୁଟୁଛି ଅର୍ଥର । ଚୁଡ଼ା ଗୁଡ଼, ପାଉଁରୁଟି ବା ଦିଆସିଲିକାଠି ବାଣ୍ଟିବାର ବେଳ ଅତିକ୍ରାନ୍ତ ହୋଇଛି । ପୁନର୍ଗଠନର ବେଳ ଆସିଛି । ରେଳପଥ ନିର୍ମାଣ, ସଡ଼କ ନିର୍ମାଣ, ଭାସିଯାଇଥିବା ଘରର ମରାମତି ସବୁ ହାତକୁ ଆସୁଛି । ହାତକୁ ଆସିଛି ନଦୀ ଓ କେନାଲ ବନ୍ଧର ନିର୍ମାଣ କାମ, ବିଜୁଳି ସରବରାହକୁ ପୁଣି ଚାଲୁକରିବା ପାଇଁ ଯୋଡ଼ାଯୋଡ଼ି ଓ ଖମ୍ବ ପୋତିବା କାର୍ଯ୍ୟ ।

 

ଏଇ ସୁଯୋଗ । ବିଭୁପଦ ସୁଯୋଗର ପୂର୍ଣ୍ଣ ଉପଯୋଗ କରିବ ।

ଦେଶରେ ସର୍ବତ୍ର ବିକାଶର ଚିହ୍ନ ପରିଲକ୍ଷିତ ହୁଏ ।

 

ବ୍ୟକ୍ତି ନିଜର ଅକ୍ଷମତାକୁ ଭୁଲିଯାଇ ବଡ଼ ହବାକୁ ଚାହେଁ । ନିଜର ଶ୍ରମ, ବିଦ୍ୟା ଓ ବୁଦ୍ଧି ବଳରେ ଯୋଉମାନେ ଆଗେଇ ନ ପାରି ପଛେଇ ଯାଆନ୍ତି ବା ସ୍ଥାଣୁ ପରି ଗୋଟିଏ ସ୍ଥାନରେ ଛିଡ଼ାହୋଇ ରୁହନ୍ତି, ସେମାନଙ୍କ ପ୍ରତି ଦୟା ହୁଏ ବିଭୁପଦର । ରାଜଧାନୀର ଗଳିରେ ଗଳିରେ, କଟକ ସହରର ନଦୀ କୂଳେ କୂଳେ, ସମୁଦ୍ର କୂଳର କେତେ ନୂଆ କୋଠା ନିର୍ମାଣ କରାଯାଇଛି । ରାସ୍ତାରେ ମୋଟରଗାଡ଼ି ପାଇଁ ଜାଗା ଅଣ୍ଟୁନାହିଁ । ଆମୋଦ ପ୍ରମୋଦ ପାଇଁ ଖୋଲିଛି ସିନେମା ଥିଏଟର, ଭୋଜନାଳୟ । ଯେଉଁଠିକି ଯାଅ ଦୃଷ୍ଟିରେ ପଡ଼ିବ ନିତ୍ୟବର୍ଦ୍ଧମାନ ନୂତନ ଧନୀଗୋଷ୍ଠୀର ଜୟଯାତ୍ରା । ଯାହା ଏତେ ଶ୍ରମ ଏବଂ ସମୟସାପେକ୍ଷ ମନେହେଉଥିଲା, ତାହା ଅଳିନ୍ଦ ଭିତରେ ଏତେ ପାଖରେ ଥାଏ ବୋଲି ଆମେ ଜାଣି ନ ଥିଲୁ ବିଭୁପଦ । ସେଥିପାଇଁ ବିଏ ଫେଲ ହୋଇ ଚାରିବର୍ଷ ଆକାଶକୁ ଚାହିଁ ସେ ଛିଡ଼ା ହୋଇଥିଲା କର୍ମଯୋଗାଣ ଅଫିସ୍ ଆଗରେ । ଫଳ କିଛି ହୋଇନାହିଁ । ସେ ଭଲ ମଣିଷଟିଏ ହବାପାଇଁ ଚାହୁଁଥିଲା । ଦିନେ ବାପା କହିଲେ, ତୁ ଗୋପବନ୍ଧୁ ବା ମଧୁବାରିଷ୍ଟର ହବା ଦରକାର ନାହିଁ । ସ୍ୱ ତୋ ଆଗରେ ଦୃଷ୍ଟାନ୍ତ ରହିଛି । ମୁଁ ଯେଉଁଠାରେ ଛାଡ଼ିଚି ତୁ ସେଇଠାରୁ ଆରମ୍ଭ କର । ବଡ଼ ସଂଜ୍ଞା ବଦଳିଯାଇଛି । ତୁ ଯଦି ଏଇ ରାସ୍ତା ନ ଧରି ନୂଆ ନୂଆ ରାସ୍ତା ଖୋଜିବୁ, ସମୟ ଗଡ଼ିଯିବ, ସୁଯୋଗ ନଷ୍ଟ ହବ ।

 

ସେଇଦିନ ଭଲ ମଣିଷଟିଏ ହବାପାଇଁ ଯୋଉ ଆଶା ଥିଲା, ତାକୁ ବଙ୍ଗୋପସାଗରରେ ସଲିଳ ସମାଧି ଦେଇ ସେ ବାହାରିପଡ଼ିଲା । ଆଉ ଅଟକି ଯାଇନାହିଁ, ପଛକୁ ଫେରି ଚାହିଁନାହିଁ । ଏଇ ବର୍ଷ କେତୁଟାରେ ଡାକଘରେ ଥିବା ସେଭିଂସ୍ ଆକାଉଣ୍ଟ ବନ୍ଦ କରିଦେଇ ସେ ତିନିଟା ନୂଆ ଆକାଉଣ୍ଟ ଖୋଲିଚି ବ୍ୟାଙ୍କରେ । କୌଣସି କାମରେ ନ ଲାଗି ଘରେ ପଡ଼ିଥିବା ଲୁହା ସିନ୍ଦୁକ ବି କାର୍ଯ୍ୟରେ ଲାଗୁଚି । ତା’ ନାମରେ ସିନେମା ହଲଟିଏ ତୋଳାଯାଉଛି । ଅବଶ୍ୟ ସେଥିରେ ପ୍ରାୟ ସବୁ ଭାଗ ନେତାଙ୍କର; କିନ୍ତୁ କଟକର ପେଟ୍ରୋଲ ପମ୍ପ ତା’ ନିଜର ।

 

ବନ୍ୟା, ବାତ୍ୟା, ମରୁଡ଼ି ଆଣିଦିଏ ଅଦ୍ଭୂତପୂର୍ବ ସୁଯୋଗ । ମହାନଦୀର ବନ୍ୟାଜଳ ପରି ବହିଯାଏ ଅର୍ଥ । ଦେଶସେବାର ମୁଖାତଳେ ସେଥିରୁ କିଛି ନିଜର ସଞ୍ଚୟଖାତାରେ ଜମାକରିବା ଏପରିକିଛି କଷ୍ଟସାଧ୍ୟ ବ୍ୟାପାର ନୁହେଁ । ଅଫିସରମାନେ ତା’ ନିଜଲୋକ । ବାବୁମାନେ ବି ତା’ ହାତର ଲୋକ । ଆଉ ଅଡ଼ୁଆ ସୃଷ୍ଟି ହେଲେ ରାଜଧାନୀରେ ତା’ କଥା ବୁଝିବାପାଇଁ ବି ଲୋକ ଅଛନ୍ତି–ତଳେ ଏବଂ ଉପରେ । ବିଭୁପଦ ପରି ଏହି ନୂତନ ସଂସ୍କୃତିକୁ ଜୀବନଚର୍ଯ୍ୟାରେ ପରିଣତ କରିଦେଇଛନ୍ତି ଅନେକ ଲୋକ ।

 

ମଣିଜଙ୍ଗ ଡାକବଙ୍ଗଳାରେ ଭିଡ଼ ଜମିଥାଏ ।

 

ବିଭୁପଦ ତିର୍ତ୍ତୋଲରୁ ଆସିଥିବା ହରେକୃଷ୍ଣକୁ ଗୋଟିଏ ନିଭୃତି ସ୍ଥାନକୁ ଡାକିନେଇ କହିଲା, ‘‘ସବୁ ଚୂଡ଼ା, ତିରପାଲ କଲିକତା ବଜାରରେ ବିକ୍ରୀ ହୋଇଗଲା ତ ?’’

 

ହରେକୃଷ୍ଣ ନିଶ ଉପରେ ହାତ ପକାଇ କହିଲା –‘‘ହରେକୃଷ୍ଣ କାମ ନ କରି ଫେରିଆସିଛି କେବେ ? ସବୁ ବିକ୍ରୀ ହୋଇଯାଇଛି । ତୁମ କହିବା ଅନୁସାରେ ସେଠାରେ ତୁମ ନାମରେ ଆକାଉଣ୍ଟ ଖୋଲି ସବୁ ଜମା କରିଦେଇ ଆସିଛି । ବଡ଼ ସାହେବ, ସାନ ସାହେବ ଲୋକ ପଠାଇଥିଲେ । ସେମାନଙ୍କର ପ୍ରାପ୍ୟ ଦେଇସାରିଛି । ମୋ’ କଥା ତୁମେ ନିଜେ ବୁଝିବ ।’’

 

ବିଭୁପଦ କହିଲା–‘‘କେତେ ଦେଲୁ, କେତେ ରଖିଲୁ ?’’

‘‘ଲକ୍ଷେ ଦଶହଜାର ଦେଇଛି, ଲକ୍ଷେ ତିରିଶ ହଜାର ରଖିଚି ।’’

‘‘ସେଥିରୁ ତୋ’ ନାମରେ କୋଡ଼ିଏ ହଜାର ରଖିଦେଇ ପାରି ଥାଆନ୍ତୁ ।’’

 

ଜିଭ କାମୁଡ଼ି ହରେକୃଷ୍ଣ କହିଲା–‘‘ଠାକୁର ଭୋଗରେ ହାତ ଦେବି ମୁଁ, ଦଇବ ସହିତ ମୋତେ ?

 

ବିଭୁପଦ କହିଲା–‘‘ଚିନ୍ତା ନାହିଁ, ତୋ ଭାଗ ଆଜି ନେଇଯିବୁ ।’’

 

ତା’ପରେ ଟିକେ ଚିନ୍ତା କରି କହିଲା ବିଭୁପଦ –‘‘ଗାଆଁର ମୁଖିଆମାନେ ଆସିବେ । ଲୋକଙ୍କ ଭିତରେ ଆମ ଅନୁଷ୍ଠାନ ପକ୍ଷରୁ ବାଣ୍ଟିବାପାଇଁ କିଛି ଦବାକୁ ହବ । ଦଶ ହଜାର ଦେଲେ ଚଳିବ । ସମୁଦ୍ରକୁ ଶଙ୍ଖେ ପଣା । କିନ୍ତୁ ଲୋକେ ତ ଜାଣିବେ କିଏ ଦଉଛି, କିଏ ସେମାନଙ୍କ ପାଖରେ ଛିଡ଼ା ହୋଇଛି ଦୁର୍ଦ୍ଦିନରେ । ସେଇ ଯଥେଷ୍ଟ ଭବିଷ୍ୟତ ପାଇଁ । ଆଉ ବର୍ଷ ଦୁଇଟା ପରେ ପୁଣି ତ ଏମାନଙ୍କ ଦ୍ୱାରସ୍ଥ ହବାକୁ ପଡ଼ିବ ।’’

ହରେକୃଷ୍ଣ କହିଲା–‘‘ତୁମେ ଗୁରୁଦେବ । ଯାହା ଆଜ୍ଞା ଦବ, ପାଳନ କରିବି ମୁଁ । ଲଛମୀଲାଲକୁ କେନାଲ ମରାମତି କାମ କରେଇଦେଲେ ସେ ଉପରେ ଯାହା ଦବାକଥା ଦବ, ଆଉ ଅଲଗା କରି ତମକୁ ଦବ ଲକ୍ଷେ ଟଙ୍କା ।’’

‘‘ଶଳା ଖୁବ୍ ସିଆଣିଆ ହୋଇଛି । ଦୁଇ କୋଟି ଟଙ୍କାର କାମ ପାଇବ । ଏଇ ଲକ୍ଷେ ଟଙ୍କାରେ ଖସିଯିବ ଭାବିଛି । ଇଞ୍ଜିନିୟର ମୋ ହାତଲୋକ । ମାପ୍ ଚୁପ୍‍ ବେଳେ ଦୁଇ ଗୁଣ ବଢ଼େଇ ଦିଆଯାଇଛି । ଏଷ୍ଟିମେଟ୍ ବି ସେପରି ହୋଇଛି । ପଚାଶ ଭାଗରେ ତ ଧୋଇ ମରୁଡ଼ି କିଛି ନାହିଁ । ଆଉ ପଚାଶ ଭାଗରୁ ବି କିଛି ମିଳିବା ଦରକାର ।’’

‘‘ଉପରେ ବି ଦବାକୁ ହବ ତ !’’

‘‘ଦଉ । ମୋ ପାଉଣା ମୁଁ ଛାଡ଼ିବି ନାହିଁ । ତାକୁ ଭଲକରି କହିଦେ । ସେ ରାଜି ନ ହେଲେ ଆଉ ମିଛଟାରେ ଏତେ କଷ୍ଟ କରି ମୁଁ କଟକ ଯିବି କାହିଁକି ?’’

ହରେକୃଷ୍ଣ ଆଜ୍ଞା ତାଲିମ କରିବାପାଇଁ ତରତର ହୋଇ ଚାଲିଗଲା ।

ସବୁ ମୁଖିଆମାନେ ଆସିଥିଲେ । ଏ ଅଞ୍ଚଳରେ ରିଲିଫ୍ ବାଣ୍ଟିବାର ସମନ୍ୱୟ କାର୍ଯ୍ୟ କରିବାପାଇଁ ଅନୁଷ୍ଠାନଟିଏ ଗଢ଼ିଥିଲା ବିଭୁପଦ-‘ଉତ୍କଳମଣି ରିଲିଫ୍ କମିଟି’ । ବିଭୁପଦ ଅଧିକାରୀ ସଭାପତି । ହରେକୃଷ୍ଣ ମଲିକ ସମ୍ପାଦକ ।

କିଛି ନ କରି ବି ଉତ୍କଳମଣିଙ୍କୁ ବିକିଭାଙ୍ଗି ଖାଉଛନ୍ତି କିଛି ଲୋକ । କିନ୍ତୁ ସେ ତାଙ୍କରି ପ୍ରଦର୍ଶିତ ମାର୍ଗ ବାଛିନେଉଛି ଲୋକଙ୍କର ସେବା କରିବାପାଇଁ । ଦୁର୍ଗମ ଏ ପଥ । ସେ କିନ୍ତୁ ହଟିଯାଇ ନାହିଁ । ପାଣି, କାଦୁଅ, ପଙ୍କ ଅତିକ୍ରମ କରି ସାହାଯ୍ୟ ବାଣ୍ଟିଛି । ବନ୍ୟାଞ୍ଚଳରେ ବିଭୁପଦକୁ ଦେଖି ଦୁଃସ୍ଥ ଓ ଦୁର୍ଗତମାନେ କହିଛନ୍ତି -‘‘ଉତ୍କଳମଣିଙ୍କ ପରେ ଏପରି ଗୋଟିଏ ଲୋକ ଆଖିରେ ପଡ଼ି ନଥିଲା ।’’ ସେମାନଙ୍କ ମୁହଁରୁ ଏତକ ଶୁଣି ଛାତି ଫୁଲିଉଠୁଛି ବିଭୁପଦର ।

ମୁଖିଆମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇ ବିଦାୟ ଦେଲା ବିଭୁପଦ । ତା’ ପରେ ନିଭୃତରେ ଆଲୋଚନା କରିବାପାଇଁ କୋଠରୀ ଭିତରକୁ ଗଲା । ଅପେକ୍ଷା କରିଥିଲେ ଅଫିସର ଏବଂ କେତେକ ସମଧର୍ମୀ । ଅନେକ ରାତି ପର୍ଯ୍ୟନ୍ତ ପରାମର୍ଶ ଚାଲିଲା । ସବୁ ଅବେଳରେ ରିଲିଫ୍ କାମ କରିବାର ମୋଟାମୋଟି ଗୋଟେ ଚିତ୍ର ତିଆରି ହୋଇଗଲା । ରାଜଧାନୀକୁ ଯାଇ ଯଥାସ୍ଥାନରେ ସବୁ କଥା କହି ଅର୍ଥ ମଞ୍ଜୁର କରିବାପାଇଁ ବିଭୁପଦ ଉପରେ ଦାୟିତ୍ୱ ଦିଆଗଲା ।

ସହକାରୀ ଇଞ୍ଜିନିଅର କହିଲେ–‘‘ମୋ ବଦଳି ବନ୍ଦ ନ ହେଲେ ମୁଁ କିପରି କାମ କରିବି-? ବଦଳି ଅଡ଼ରଟା ଧାରୁଆ ତରଓ୍ୱାଲ ପରି ଝୁଲୁଚି ମୁଣ୍ଡ ଉପରେ ।’’

ବିଭୁପଦ କହିଲା–‘‘ବନ୍ୟାଞ୍ଚଳରେ କୌଣସି ବଦଳି ଅଡ଼ର ଲାଗୁ ହବନାହିଁ ବୋଲି ସରକାରୀ ଆଦେଶ ରେଡ଼ିଓରୁ ଶୁଣିନାହାନ୍ତି ?’’

ସରକାରୀ ଇଞ୍ଜିନିଅର କହିଲେ–‘‘ମୋ ଉପରେ ଶନିଦୃଷ୍ଟି ପଡ଼ିଛି । ଆପଣ ଟିକେ ନ ଲାଗିଲେ.... ।’’

ବିଭୁପଦ ତାଙ୍କୁ ଆଶ୍ୱସ୍ତ କରିବାପାଇଁ କହିଲା–‘‘ଆପଣ ନିବୃତ୍ତ ହୁଅନ୍ତୁ । ଆପଣଙ୍କ ଦାୟିତ୍ୱ ମୋ’ ଉପରେ... ।

ଇଞ୍ଜିନିଅର କହିଲେ, ମୋ ସ୍ତ୍ରୀ କେତେଥର କହିଲେଣି ଆପଣଙ୍କୁ ଭେଟିବାପାଇଁ; କିନ୍ତୁ ସୁଯୋଗ ହୋଇ ନ ଥିଲା । ସେ ନିଜେ ବାହାରିଥିଲେ ସାକ୍ଷାତ୍‍ କରିବାପାଇଁ ।

ବିଭୁପଦ କହିଲା–‘‘କଲେଜରେ କବିତା ମୋର ଦୁଇବର୍ଷର ଜୁନିଅର । ତାଙ୍କୁ କହିବେ, କିଛି ଭୟ ନାହିଁ । ଆପଣ ଏଇଠି ପାଞ୍ଚବର୍ଷ ଅଛନ୍ତି, ପ୍ରମୋସନ ହେଲେ ବି ଏଇଠି ରହିବେ ।’’

ଆପଣଙ୍କୁ କାମ କରିବାକୁ ସୁଯୋଗ ମିଳିବ ।

ଭଲ କଥା । ଏଇ ଅଞ୍ଚଳକୁ ଆପଣ ଆଉ ମୁଁ ନୂଆକରି ଗଢ଼ିବା ।

ସରୋଜରଞ୍ଜନ କାନୁନ୍‍ଗୋ ଖୁସି ହୋଇ ବାହାରି ଆସିଲେ ।

କୋଠରୀ ଭିତରେ ପ୍ରବେଶ କଲେ ପଶୁପାଳନ ବିଭାଗର ଅଧିକାରୀ ନରନାରାୟଣ ଦତ୍ତ ।

ନରନାରାୟଣଙ୍କୁ ଦେଖି କହିଲା ବିଭୁପଦ, ‘‘ବୁଝି ବିଚାରି କାର୍ଯ୍ୟକଲେ, ଆପଦ ନ ପଡ଼ଇ ଭଲେ । ଇଏ ମୋ ତୁଣ୍ଡକଥା ନୁହେଁ, ଭାଗବତର କଥା । ମନେ ନ ଥାଏ ଯେପରି ।’’

ନରନାରାୟଣ କହିଲେ–‘‘ମୁଁ ସବୁ ଠିକ୍ କରି ରଖିଛି । ବନ୍ୟାଜଳରେ ଭାସିଯାଇଥିବା ଗୋରୁଗାଈ ଓ ଗୃହପାଳିତ ପଶୁଙ୍କ ସଂଖ୍ୟା ଯେପରି ହିସାବ କରିବା କଥା, କରିଛି । ଏଇ ଅଞ୍ଚଳର ସଠିକ୍ ହିସାବ ଚାରିହଜାର ତେଷଠି । ମୋ’ ଖାତାରେ ଛଅ ହଜାର ଏଗାର ।’’

 

‘‘ସରକାରୀ ହିସାବ ଠାକୁରଙ୍କ ପୋଥିଗଦା ପରି । କେହି ପ୍ରଶ୍ନ ପଚାରନ୍ତି ନାହିଁ । ସବୁ ଗୃହୀତ ହୋଇଯାଏ’’ –କହିଲା ବିଭୁପଦ ।

 

‘‘ତା’ପରେ ଯେତେବେଳେ ସରକାରୀ ସାହାଯ୍ୟ ପହଞ୍ଚିବ, ବୁଝି ବିଚାରି ବାଣ୍ଟିବା...’’ କହିଲେ ନରନାରାୟଣ ଦତ୍ତ ।

 

ହଁ । ଗୋଟେ ମୋଟା ଅଙ୍କ ଅଲଗା କରି ରଖିବେ । ‘ନଅଶ ନଉ ଶୂନ ନେଇଗଲା ଡାମରା କାଉ’ ପରି କଥା ନ ହୁଏ ଯେପରି । ବଡ଼ ବଡ଼ିଆ ବି ବଞ୍ଚିବେ, ଆମେ ବି ବଞ୍ଚିବୁ ।

 

‘‘ସବୁବେଳେ ତ ଏପରି ସୁଯୋଗ ଆସିବ ନାହିଁ ।’’ କହିଲେ ନରନାରାୟଣ ।

 

ହଁ । ଆସନ୍ତା ବର୍ଷକୁ ବନ୍ୟା ନ ଥିବ କି ଗୋରୁଗାଈ କିଣା ବି ନ ଥିବ । କିନ୍ତୁ ଆମେ ଥିବା-। ମୁଁ, ଆପଣ, ଆମର ପିଲାକୁଟୁମ୍ବ ।

 

ଆପଣ ନାମ ତ ପ୍ରତ୍ୟେକ ଲୋକ ମୁହଁରେ । ଆମକୁ ଦେଖିବାକ୍ଷଣି ରଟିବା ପରି ରଟନ୍ତି–ବିଭୁପଦ...ବିଭୁପଦ... ।

 

–ଲୋକମାନଙ୍କ ମୁହଁରେ ନାମଟାକୁ ଚାଲୁ ରଖିବାକୁ ହୁଏ । ଚଳନ୍ତି ମଣିଷ ଭୋଗ ଖାଏ, ଚଳନ୍ତି ଠାକୁର ଦେଖନ୍ତି ।

 

ଆଉ ଦୁଇଟା ବର୍ଷପରେ ନିର୍ବାଚନ ।

ସେତେବେଳେ ମୋ କାମ କରିବେଟି ?

 

ଆଜ୍ଞା, ମୁଁ ଆପଣଙ୍କ ନିଜ ଲୋକ । ଆପଣ ଯଦି ମିନିଷ୍ଟର ହୁଅନ୍ତି, ମୋତେ ପି.ଏ. କରିନେବେ ଏଇ ଆଶାରେ ଲାଗିଚି ।

 

ନିଶ୍ଚୟ, ନିଶ୍ଚୟ । ଆପଣଙ୍କ ପରି ଯୋଗ୍ୟଲୋକ ଥିବାବେଳେ... । କିନ୍ତୁ ମୋ ଭାଗରେ ପଶୁପାଳନ ବିଭାଗ ଯଦି ନ ପଡ଼େ !

 

ପଡ଼ିବ ନାହିଁ କାହିଁକି ? ଆପଣଙ୍କ ପରି ବିଦ୍ୟାବୁଦ୍ଧି କେତେ ଜଣଙ୍କର ଅଛି । ଗୋପବନ୍ଧୁଙ୍କ ଛାପ ଲାଗିଛି ଆପଣଙ୍କ ଛାତିରେ ।

 

ସେଇ ମୋର ମୂଳଧନ । ଗୋପବନ୍ଧୁଙ୍କ ନାମ ଶୁଣିଲେ ଛାତି ଭିତରଟା କରତି ହୋଇଯାଏ । ଏତେ ତ୍ୟାଗ, ଏତେ ମହିମା ! ପରପାଇଁ ଏତେ ମମତା !

 

ସେଦିନ ଆପଣଙ୍କ କାନ୍ଦ ଦେଖି ତ ଲୋକମାନେ ତଟସ୍ଥ । ସେମାନେ କଅଣ କହିଲେ ଜାଣନ୍ତି-ବାପପରି ପୁଅ, ବାପାଙ୍କୁ ବଳିଯିବେ ଆପଣ ।

 

ବାପାଙ୍କ ଆଖିରେ ମୁଁ ଅଯୋଗ୍ୟ । ଅନ୍ତତଃ ସେ ସେୟା ଭାବନ୍ତି ।

 

ସେକାଳର ମଣିଷ ସେ । ବୟସ ବି ହେଲାଣି । ଆପଣଙ୍କୁ ଆହୁରି ବଡ଼ କରିବାପାଇଁ ଇଚ୍ଛା ।

 

ଚେଷ୍ଟା ତ କରୁଛି । ସେ ତ ମୋ ଖ୍ୟାତିକୁ ମୁଣ୍ଡରେ ବୋହି ସ୍ୱର୍ଗକୁ ଯିବେ ନାହିଁ ତାହା ମୋ ପାଖେ ପାଖେ ରହିବ ।

 

ଆପଣଙ୍କୁ ଦେଖିଲେ ବିସ୍ମୟ ଜାଗେ ମନରେ । ସେଥିପାଇଁ ସେଦିନ କମିସନର କହୁଥିଲେ–ଆପଣ ତ ମଣିଷ ନୁହନ୍ତି ଗୋଟିଏ ଡାଇନେମୋ । ଅକଳନ୍ତି କର୍ମଶକ୍ତି....ଅପୂର୍ବ ଉତ୍ସାହ-

 

ଗୋପବନ୍ଧୁ କହିଥିଲେ ପରା–‘‘କର୍ମେ ଜୀଏଁ ନର କର୍ମ ଏକ ତା’ର ଜୀବନର ମାନଦଣ୍ଡ-।’’

 

କର୍ମ କରିବାକୁ ହେବ । କର୍ମଫଳ ତ ହାତେ ହାତେ । ଗୋଟିଏ ହାତରେ କର୍ମ କଲେ ଆଉ ଗୋଟିଏ ହାତରେ ଫଳ ।

 

ନରନାରାୟଣଙ୍କର ବି ଜ୍ଞାନ ବଢ଼ୁଚି । ନୂତନ ତତ୍ତ୍ୱ ମନକୁ ଉସୁକାଉଛି । ତାଙ୍କ ବାପା ହରିନାରାୟଣ ଅଜ୍ଞାନ ରୂପକ ଅନ୍ଧକାରରେ ଘାଣ୍ଟିହୋଇ ସର୍ବଦା କୁହନ୍ତି–‘‘କର୍ମ କରି ଯାରେ ନର...କର୍ମଫଳ ଈଶ୍ୱରଙ୍କ ହାତରେ । ସେ ଯାହା କରିବେ ।’’

 

ଏହି କାରଣରୁ ଭୋଗନ୍ତି ସେ । ଅର୍ଥବ ହୋଇପଡ଼ିଛନ୍ତି ଘରେ ପାଞ୍ଚବରଷ ହବ । ଜୀବନଯାକ କେବଳ ଦେଲେ, ନେଲେ ନାହିଁ । ଜମାଘର ଶୂନ । ଖର୍ଚ୍ଚଘର ବଢ଼ି ବଢ଼ି ଚାଲିଛି । ନରନାରାୟଣ ଯାହା ପଠାନ୍ତି ସବୁ, ଦାନକରି ଦିଅନ୍ତି ପୂଣ୍ୟ ଅର୍ଜନପାଇଁ । କିନ୍ତୁ ପାପ ଯଦି ସାଙ୍ଗରେ ଯିବ ନାହିଁ, ପୂଣ୍ୟ ବି ଯିବ ନାହିଁ । ପାପପୂଣ୍ୟ ମନର ଖେଳ । ଗୋଟିଏ ପଇସାର ଦୁଇ ପାଖ । ଟସ୍ କରି ଦେଖ । ଯୋଉ ପାଖ ଉପରକୁ ମୁହଁ କରିବ, ସେଇ ପାଖରୁ ଖେଳ ଆରମ୍ଭ କର-। ବିଜୟ ନିଶ୍ଚିତ ।

 

ନରନାରାୟଣ ବିଦାୟ ନେଲେ । ତା’ପରେ ଆସିଲେ ଅନ୍ୟମାନେ । ଜଣ ଜଣ କରି ସବୁ ବୁଝିଲା ବିଭୁପଦ ।

 

କିଏ କୁହେ ଅର୍ଥ ସବୁ ଅନର୍ଥର କାରଣ । ଅର୍ଥ ନ ଥାଇ ପାଦେ ଆଗେଇ ହବ ନାହିଁ । ଅର୍ଥହିଁ ଏ ଯୁଗର ପରମାର୍ଥ, ନିର୍ମାଲ୍ୟ । ବିଭୁପଦ ବାଟବଣା ହୋଇ କିଛିଦିନ ପାଗଳ ପରି ଏଣେତେଣେ ବୁଲିଥିଲା । ଏବେ ଠିକ୍ ବାଟରେ ଚାଲିଛି ।

 

ନରୋତ୍ତମଟା କିନ୍ତୁ ବଦଳିଲା ନାହିଁ । କଟକରେ ଚାରିବର୍ଷ ଇଞ୍ଜିନିଅରିଂ ପଢ଼ିସାରି ଚାକିରୀ ନ କରି କିଛିଦିନ କବିତା ଲେଖିଲା । ଏବେ କବିତା ନ ଲେଖି ଧ୍ୟାନ ଶିଖୁଛି । ଆହା, ମଣିଷର କି ଦୁର୍ଗତି !

 

ସମସ୍ତେ ବିଦାୟ ନବା ବେଳକୁ ରାତି ଦେଢ଼ଟା ବାଜିଯାଇଥିଲା । ଆଉ ସେଠାରେ ଅପେକ୍ଷା ନ କରି ସେ ଜିପ୍ ଚଢ଼ି ଫେରିଆସିଲା କନ୍ଦରପୁର । ବେଶ୍ କ୍ଲାନ୍ତ ଲାଗୁଥିଲା । ରିଲିଫ୍ କମିଟିର ଅଫିସ୍ କୋଠରୀରେ ଶୋଇପଡ଼ିଲା ନିଶ୍ଚିନ୍ତରେ ।

 

ଗାଁ ଛାଡ଼ି ଚାଲିଯିବାପାଇଁ ନରୋତ୍ତମର ସିଦ୍ଧାନ୍ତରେ ପରିବର୍ତ୍ତନ ହେଲା । ଏପରି ବିପତ୍ତି ସମୟରେ ନିଜ ଲୋକଙ୍କୁ ମରଣ ମୁହଁରେ ଛାଡ଼ିଦେଇ ଦୂରକୁ ଚାଲିଯିବାଟା ଅତିଶୟ ସ୍ୱାର୍ଥପରତା ହେବ; କିନ୍ତୁ ମୁହଁ ବନ୍ଦକରି ବି ଆଉ ରହିବା ଉଚିତ ହେବ ନାହିଁ ବୋଲି ସ୍ଥିର କଲା ନରୋତ୍ତମ ।

 

ଦୁଃଖରେ ରଗଡ଼ି ହୋଇଯାଉଛି ମଣିଷ । ତଥାପି ଶୋଇପଡ଼ୁନି । ଉଠି ବସି ଚାଲିଚି । ନରୋତ୍ତମ ଜୀବନର ଜୟଗାନ ଶୁଣେଇବ ସଭିଙ୍କୁ । କବିଗୁରୁ ରବିନ୍ଦ୍ରନାଥଙ୍କର ‘‘ଏଇ ଭାରତେର ମହାମାନବେର ସାଗର ତୀରେ’’ ସେ ଉତ୍ସବ କରିବ ନିଜକୁ ।

 

ଅନ୍ଧ ଓ କନ୍ଧ କବି ଭୀମ ଭୋଇଙ୍କ ଜଣାଣ ପଢ଼ି ରୋମାଞ୍ଚ ହୁଏ ନରୋତ୍ତମର । ରେଢ଼ାଖୋଲର ଯେଉଁ ଏକ ଅଖ୍ୟାତ ପଲ୍ଲୀରେ ଜନ୍ମହୋଇ ଧର୍ମ, ଗୋତ୍ର, ପ୍ରବର, ବର୍ଣ୍ଣ ଓ ଗୋଷ୍ଠୀର ସୀମା ଅତିକ୍ରମ କରି ସେ ସ୍ୱପ୍ନ ଦେଖିଥିଲେ ଜଗତର । ଏଇ ବସୁଧାର ସକଳ ପ୍ରାଣୀ ଏକ ପରିବାରର, ନିଜେ ନର୍କ କଷ୍ଟ ଭୋଗ କରି ଜଗତକୁ ନର୍କ ଯନ୍ତ୍ରଣାରୁ ଉଦ୍ଧାର କରିବାପାଇଁ ସେ ସ୍ୱପ୍ନ ଦେଖିଥିଲେ । ସେହି ସ୍ୱପ୍ନ ଆଉଥରେ ଦେଖିଲେ ଗୋପବନ୍ଧୁ । କେତେ ସୁଖ ଓ ସମ୍ଭାବନାକୁ ଜଳାଞ୍ଜଳି ଦେଇ ସେ ଜନସେବାରେ ଉତ୍ସର୍ଗ କରିଥିଲେ ନିଜକୁ । ବଢ଼ି ମରୁଡ଼ିରେ ଚୁଡ଼ା, ଚାଉଳ ଧରି ସେ ଗାଁ ଗାଁ, ଘର ଘର ବୁଲି ସାହାଯ୍ୟ ବାଣ୍ଟୁଥିଲେ । ଦୁଃଖୀର ଆଖିରୁ ଲୁହ ପୋଛି ନିଜେ କାନ୍ଦୁଥିଲେ । ନିଜ ପୁଅକୁ ମରଣ ମୁହଁରେ ଏକା ଯୁଝିବା ସକାଶେ ଛାଡ଼ିଦେଇ ସେ ଯାଇଥିଲେ ଶହ ଶହ ନିରାଶ୍ରିତ ପୁତ୍ର କନ୍ୟାକୁ ବନ୍ୟା କବଳରୁ ରକ୍ଷା କରିବା ସକାଶେ । ସେ ତ୍ୟାଗ କାହିଁ, ସେ ଦରଦ କାହିଁ ? ମଣିଷ ବରଂ ଆହୁରି ନିର୍ମମ, ଆହୁରି ନିଷ୍ଠୁର ଓ ନୀଚ ହୋଇଯାଇଛି । ଭୀମ ଭୋଇ ବା ଗୋପବନ୍ଧୁଙ୍କ ପୂଣ୍ୟଫଳ ଭୋଗ କରିବାପାଇଁ ଏ ଜାତିର ତରୁଣମାନେ ଯୋଗ୍ୟ ବିବେଚିତ ହୋଇନାହାନ୍ତି ।

 

ନରୋତ୍ତମଙ୍କୁ ଏକମୁହଁ । ଚାଲିଯାଉଥିବାର ଦେଖି ପଛରୁ କହିଲା ବନମାଳି-‘‘ନରୁଭାଇ, ଏକମୁହାଁ ହୋଇ ଦଉଡ଼ିଛ ଯେ....ରହିଯାଅ ଟିକେ ।’’

 

ନରୋତ୍ତମ ସମସ୍ତଙ୍କର ଭାଇ । ଛୋଟ ବା ସମବୟସ୍କ ସମସ୍ତେ ତାକୁ ଆଦରରେ ଡାକନ୍ତି ନରୁଭାଇ ।

 

ସେଇ ପରିଚିତ ଡାକ ଶୁଣି ଛିଡ଼ା ହୋଇପଡ଼ିଲା ନରୋତ୍ତମ ।

କାର୍ତ୍ତିକ ଚାଲିଛି । ଆକାଶ ନିର୍ମଳ । ବନ୍ୟା ପରେ ଆଉ ବର୍ଷା ହୋଇନାହିଁ ।

 

ପାଖକୁ ଆସି କହିଲା–‘‘ବନମାଳି ସାହୁ ଜମିର ଅବସ୍ଥା ଦେଖୁଛ ତ ଯେଉଁ ଜମି ବାଲିଚର ନ ହୋଇ ବର୍ତ୍ତିଯାଇଛି, ସେଇ ଜମିରେ ପାଣି ନାହିଁ । କେନାଲବନ୍ଧ ଭାଙ୍ଗିଯାଇଛି । ଫସଲ କରିବାକୁ ଆଉ ପାଣି ମିଳିବ ନାହିଁ ।

 

ନରୋତ୍ତମ ପୁଣ୍ୟାତ୍ମା ଭକ୍ତକବି ମଧୁସୂଦନ ରାଓଙ୍କ କବିତାରୁ ଗାଇଲା–

 

ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠମାସ

ପ୍ରଚଣ୍ଡ ରୌଦ୍ର ପରକାଶ ।

ବର୍ଷାରେ ଆଷାଢ଼ ଶ୍ରାବଣ

ମେଘ ବରଷେ ଘନ ଘନ

ଭାଦ୍ର ଆଶ୍ୱିନ ଶରତରେ

ନିର୍ମଳ ଶୋଭା ଜଗତରେ ।

ହିମେ କାର୍ତ୍ତିକ ମାର୍ଗଶୀର

ରାତିରେ ପଡ଼ଇ ଶିଶିର ।

 

 

କିନ୍ତୁ ଋଷିଙ୍କ କଥା ଆଉ ଫଳୁ ନାହିଁ । ଋତୁ ବଦଳି ଯାଉଛି । ବନ୍ୟା ପରେ ବାଲି ପୋତି ହୋଇ ନ ଥିବା ବା ହିଡ଼ବାଡ଼ ଭାଙ୍ଗି ନ ଥିବା ଜମିରେ ପଟୁପଡ଼ି ଭଲଫସଲ ହବା କଥା । କିନ୍ତୁ କାଳର କୁଟୀଳ ଗତି । ବନ୍ୟା ପରେ ମରୁଡ଼ିର ପଦଧ୍ୱନି ଶୁଣିବାକୁ ମିଳୁଛି । ତଳି ଧରି ଲୋକେ ଅପେକ୍ଷା କରୁଛନ୍ତି ।

 

ମୁଁ ସେଇକଥା କହୁଥିଲି ନରୁଭାଇ । ତମେ ତ ପଣ୍ଡିତ ଲୋକ । ମୁଁ ତମ ସାଙ୍ଗରେ ପାଶକ । କହିଲା ବନମାଳି ।

 

କୁଆଡ଼େ ମାଡ଼ି ଯାଉଛି ବନଭାଇ ? ପଚାରିଲା ନରୋତ୍ତମ ।

 

ବନମାଳୀ ଢୋକ ଗିଳି କହିଲା, ସେକଥା ଆଉ କୁହନାହିଁ । ତଳି ଆଣିଛି । କିନ୍ତୁ ସାର ନାହିଁ ହାତରେ । ପିଲାଟା ତେଣେ ବେମାରୀ ପଡ଼ିଛି । ଡାକ୍ତରବାବୁ କହୁଛନ୍ତି କଟକ ବଡ଼ ଡାକ୍ତରଖାନାକୁ ନେଇଯିବା ପାଇଁ । ତିନିଭାଗ ଜମିରୁ ତ କୁଟାଖିଏ ମିଳିବ ନାହିଁ । ବୁଦ୍ଧି ଦିଶୁନି କଅଣ କରିବି । ଜମି ଖଣ୍ଡେ ବିକ୍ରୀ କରିଦଉଛି ଯେ, ଯାଉଛି ରେଜିଷ୍ଟ୍ରି କରିଦେବି ।

 

ଜମି ବିକୁଛ ?

ହଁ ।

ଜମି ବିକ୍ରୀ ନ କରି କାମ ଚଳାଇ ପାରିବ ନାହିଁ ?

ପାରିଥିଲେ ଅଧମାଣେ ଜମି ହାତଛଡ଼ା କରନ୍ତି ନାହିଁ ।

କେବେ ବିକିଲ ?

 

ଦୁଇଦିନ ହୋଇଗଲା । ଟଙ୍କା ନେଇ ସାରିଛି । ବିଶ୍ୱାସରେ ସବୁ । ଆଇନକୁ ମାନ୍ୟ କରି ରେଜିଷ୍ଟ୍ରି କରିବା କଥା । ଦୁଇଦିନ ହବ ଦଉଡ଼ିଚି....

 

କାହିଁକି ?

 

ଏଟା ନାହିଁ ତ ସେଟା ନାହିଁ କହୁଚନ୍ତି ବାବୁ । ପଚାଶ ଟଙ୍କା ତ ଦେଇସାରିଛି । ଆହୁରି ଦେଢ଼ଶହ ନେବେ । ନ ହେଲେ ଟିକଟ କାଗଜ ମିଳିବ ନାହିଁ ।

 

କାହିଁକି ? ଜମି ତ ଯିବ । ଇଏ କଅଣ ଦକ୍ଷିଣା ।

ଦକ୍ଷିଣା କୁହ ଘୁସ୍ କୁହ । ନ ଦେଲେ କାମ ହବନାହିଁ, ଦଉଡ଼ିବା ସାର ହେବ ।

 

ଚାଲ ମୁଁ ତମ ସାଙ୍ଗରେ ଯିବି ।

 

ନରୋତ୍ତମର ମୁହଁକୁ ଚାହିଁ ଶଙ୍କିଗଲା ବନମାଳୀ । ସେଇ ମୁହଁରେ ଅଳ୍ପ ସମୟ ପୂର୍ବର କୋମଳତା ନ ଥିଲା, ଫୁଟିଉଠିଥିଲା କଠୋର ଦୃଢ଼ତା ।

 

ବନମାଳୀ ଖନେଇ ହୋଇ କହିଲା, ଗୋଳମାଳ କରି ଲାଭ ନାହିଁ ନରୁଭାଇ । ତମେ ବରଂ କାମରେ ଯାଅ । ମୁଁ ମୋ କାମ ସାରିନିଏ ।

 

ନରୋତ୍ତମ ତା’ ହାତକୁ ଧରିପକେଇ କହିଲା, ଯେତେଦିନ ଅନ୍ୟାୟ ସହୁଥିବ ସେତେଦିନ ଅନ୍ୟାୟ ହଉଥିବ ବନୁଭାଇ । ଅନ୍ୟାୟ କରିବା ଯେପରି ଅଧର୍ମ, ଅନ୍ୟାୟ ସହିଯିବା ବି ସେହିପରି ଧର୍ମ ସମ୍ମତ ନୁହେଁ ।

 

ବନମାଳୀ ତିନିମାଣ ଜମିରେ ଚାଷ କରେ । ସେଥିରୁ ସବୁତକ ଦୋ’ ଫସଲ । ପନିପରିବା ଚାଷ ବି କିଛି ଅଛି । କଷ୍ଟେମଷ୍ଟେ ଚଳିଯାଏ ।

 

ବଡ଼ ଡାକ୍ତରଖାନାକୁ ଖାଲି ହାତରେ ଯିବା ନିଷେଧ । ଡାକ୍ତରବାକୁ ଚିଠିଖଣ୍ଡେ ଲେଖିଦେବେ କହିଛନ୍ତି । ତାଙ୍କ ସାଙ୍ଗ କୁଆଡ଼େ ସେଠାରେ ବଡ଼ ଚିଠିଖଣ୍ଡେ ଲେଖିଦେବେ କହିଛନ୍ତି-। ତାଙ୍କ ସାଙ୍ଗ କୁଆଡ଼େ ସେଠାରେ ବଡ଼ ଡାକ୍ତର । ତଥାପି ପାଞ୍ଚଶହ ନ ଦେଲେ ଏତେ ବଡ଼ କେସ୍ ହାତକୁ ନେବେ ? ଆଉ ଘର ଖର୍ଚ୍ଚ ତ ଅଛି । ବାପା, ଗୋସେଇଁ ବାପା ତିନିମାଣ ରଖିଥିଲେ, ସେଥିରୁ ଅଧମାଣେ ବନମାଳୀର ହାତ ଦେଇ ବିକ୍ରୀ ହୋଇଯିବ ।

 

ବନମାଳୀ କହିଲା–ନରୁଭାଇ, ତୁମେ ରହିଯାଅ ଆମ ସହିତ । ତୁମେ ଗାଁ ଛାଡ଼ି କଟକ କି ଭୁବନେଶ୍ୱର ଚାଲିଗଲେ ଆମ କଥା କହିବ କିଏ ? ଭଲରେ ମନ୍ଦରେ ପାଖରେ ଛିଡ଼ାହେବାକୁ ଆଉ ତ ଲୋକ ନାହାନ୍ତି । ନେଇ ଜାଣନ୍ତି ସମସ୍ତେ । କିନ୍ତୁ ଦବା କଅଣ ଏଡ଼େ ସହଜ ? ତୁମେ ରହିଯାଅ ନରୁଭାଇ ।

 

Unknown

ନରୋତ୍ତମ କହିଲା, ମୁଁ ଗୋଟିଏ ପାଞ୍ଚ ଫୁଟ ପାଞ୍ଚ ଇଞ୍ଚର ମଣିଷ । ମୋ କାନ୍ଧରେ ଶକ୍ତି କାହିଁ ଏତେ ବୋଝ ବୋହିବି !

 

ବନମାଳୀ ନ ଶୁଣିବା ପରି କହିଲା, ତୁମେ ଏକା ପାରିବ, ମୋ ଜମି ଅଧମାଣେ ଚାଲିଯାଉ । କିନ୍ତୁ ଅନ୍ୟମାନଙ୍କର ଜମି ହାତଛଡ଼ା ନ ହୁଏ ଯେପରି ।

 

ବନମାନଳୀ ବିଦାୟ ନେଇ ଚାଲିଗଲା ରେଜିଷ୍ଟ୍ରେସନ ଅଫସରେ ଠିକ୍ ସମୟରେ ନ ପହୁଞ୍ଚିଲେ ସବୁ ଭଣ୍ଡୁର ହୋଇଯିବ । ହାତଗୁଞ୍ଜା ବେଶୀ ଦବାକୁ ହବ ।

 

ସମସ୍ତେ ହାତଗୁଞ୍ଜା ନବା ପାଇଁ ହାତ ପତାନ୍ତି ଯେପରି ହାତ ପତାନ୍ତି ବନ୍ୟାର୍ତ୍ତ, ଦୀନ ଦୁଃଖୀ ଭିକ୍ଷୁକ.... ।

 

ଏ ଜାତିଟା ହଠାତ୍ ଫତୁର ହୋଇଗଲା କିପରି ? କୋଉ ପାପରୁ ଏପରି ହେଲା ? ଦାତାପଣ ପତାକା ପାଇଁ ଉଡ଼ାଉଥିବା ଜାତିର ଏପରି ଅଧୋଗତି କାହିଁକି ହେଲା ? ନିଜ ଉପରୁ ବିଶ୍ୱାସ ତୁଟି ଯାଇଚି । ନିଜେ କିଛି ଉପାୟ ନ କରି ହା ଅନ୍ନ ହା ଅନ୍ନ ହା ଅନ୍ନ ତୁଣ୍ଡରେ ଜପାମାଳି କରି ନଅଙ୍କିଆ ପରି ହାତ ଲମ୍ବେଇ ଦେଉଛନ୍ତି ସମସ୍ତେ–ମାଗିବା ପାଇଁ । ଭିକ ମୁଠେ ଦିଅ, ସାହାଯ୍ୟ କିଛି ଦିଅ, ଘୁସ୍ ଦିଅ... । ଦିଅ, ଖାଲି ଦିଅ ଓ ଦିଅ ।

 

ବାତ୍ୟାରେ ନଡ଼ିଆ ଗଛ ପାଞ୍ଚଟା ଗଡ଼ିପଡ଼ିଲେ ବା ଘରର ଛତା ପୁଞ୍ଜାଏ ଉଡ଼ିଗଲେ, ବର୍ଷା ବେଶୀ ହୋଇ ଗାଁଦାଣ୍ଡରେ ବର୍ଷାପାଣି ଠୁଳ ହେଲେ ରିଲିଫ ମାଗନ୍ତି ଓଡ଼ିଆମାନେ । ରାଜକୋଷ ଖାଲି ସେମାନଙ୍କ ହାତକୁ କେହି ବଢ଼େଇ ଦିଅନ୍ତା କି ! ପରର ବିତ୍ତ ଅପହରଣ କରିବାର ଏଇ ନୂତନ କୌଶଳ ବଡ଼କୁ କରୁଛି ଛୋଟ, ଛୋଟକୁ କରୁଛି ବାମନ । ଖସୁଥିବା ପାଦ ତଳକୁ ତଳକୁ । ନେତା, ପ୍ରତିନିଧି, ପାଠୁଆ, ଅପାଠୁଆ, ଅଫିସର ବା ତଳିଆ କର୍ମଚାରୀ ସମସ୍ତେ ଏଇ ସୁଯୋଗରେ ପରିଶ୍ରମ ନ କରି କିଛି ଉପାର୍ଜନ କରି ନିଅନ୍ତି । ସବୁରି ମନ କିଛି ଆୟ ଉପାୟ ନ କରି ରାତାରାତି ପରଧନରେ ବଡ଼ ହବା ପାଇଁ । ଏହା କୌଣସି ଦେଶରେ ସମ୍ଭବ ହେଇନାହିଁ, କୌଣସି କାଳରେ ସମ୍ଭବ ହେବ ନାହିଁ । ଯେଉଁମାନେ ଅନ୍ୟର ସମ୍ପତ୍ତି କଳେବଳେ କୌଶଳେ ଅପହରଣ କରି କୋଠା ତୋଳୁଛନ୍ତି, ମୋଟରଗାଡ଼ି ଚଢ଼ୁଛନ୍ତି, ବ୍ୟାଙ୍କ୍ ବାଲାନ୍‌ସ ରଖୁଛନ୍ତି ବା ଆଗାମୀ ତିନି ପୁରୁଷଙ୍କ ସୁଖ ଓ ସୁରକ୍ଷା ନିମନ୍ତେ ଦୁର୍ଗ ତୋଳି ଦେଉଛନ୍ତି, ସେମାନଙ୍କର ଦିନ କାଳ ଶେଷ ହୋଇ ଆସୁଛି । ଲୋକମାନେ ସେମାନଙ୍କୁ ଚିହ୍ନି ଗଲେଣି । ସେମାନଙ୍କୁ ନାଶ କରିବାପାଇଁ ହାତରେ ବାରହାତ ଖଣ୍ଡା ଧରି କଳ୍‌କୀ ଜନ୍ମ ନେଇଚି ଏଇ ଧରଣୀରେ । ପଳେଇବାର ସବୁ ପଥ ଅବରୁଦ୍ଧ । ଆଉ ନିସ୍ତାର ନାହିଁ ଏଥର ।

ନରୋତ୍ତମ ମନକୁ ମନ ଉଚ୍ଚ ସ୍ୱରରେ କହିଲା, ଆଉ ନିସ୍ତାର ନାହିଁ, ଆଉ ନିସ୍ତାର ନାହିଁ... ।

କାହାକୁ କହୁଛ ନରୁଭାଇ ? ଏକା ଏକା ଚାଲିଛ...ସାଙ୍ଗରେ ତ ଆଉ କେହି ନାହିଁ ।

ନବୀନର ସ୍ୱର ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ନରୋତ୍ତମ । କାୟା ସହିତ ଛାୟା ଲାଗିରହିବା ପରି ତା’ ପଛେ ପଛେ ଗୋଡ଼ାଏ ନବୀନ । ସେ ଯେପରି ନାଟକର ନାୟକ, ଆଉ ନବୀନ ଏକ ମନ୍ତ୍ରମୁଗ୍‌ଧ ଚରିତ୍ର ।

ନବୀନ କିରେ...କୁଆଡ଼େ ମାଡ଼ିଯାଉଛୁ...? କହିଲା ନରୋତ୍ତମ ।

ତୁମକୁ ଖୋଜି ବାହାରିଛି.... । କହିଲା ନବୀନ ।

ମୁଁ ହଜିଯାଇ ନାହିଁରେ... ।

ମାନ ବା ନମାନ, ତୁମେ ହଜିଯାଇଛ ନରୁଭାଇ... । ତୁମର ନାଗାଲ ପାଇବା କଷ୍ଟକର... ।

ସତେ ! ତୁ ଦାର୍ଶନିକ ପରି କଥା କହୁଛୁ... ।

ସୁଲୋଚନା ଶୁଣିଛି ଯେ ତୁମେ ମନ ବଦଳେଇଛ ଗାଁ ଛାଡ଼ି ଆଉ ଯିବ ନାହିଁ । ମୋତେ ତ ଖାଲି ଖେଞ୍ଚିଲା ଆସିବା ପାଇଁ । ତମକୁ ଆମ ଘରକୁ ଧରି ନବା ପାଇଁ ।

ମୋ ପ୍ରତି ଏତେ ମମତା କାହିଁକିରେ ନବୀନ ? ସୁଲୋଚନା ମାଛ ତିଅଣ କରିଛି କି ?

ଆଜି ନାଆ ନେଇ ଫେରିବାବେଳେ ମାଛ ଗୋଟାଏ ନେଇ ଆସିଥିଲି । ଭେକେଟି... ।

ମୁଁ ନରିପୁର ଗାଁ ହୋଇ ଫେରିବି ତୋ ଘରକୁ ।

ନରିପୁର ଗାଁରେ ଝାଡ଼ାବାନ୍ତି ରୋଗରେ କେତେଜଣ ମଲେଣି ନରୁଭାଇ । ତମେ ସେଇ ଗାଁକୁ ଯିବ ?

ସେମାନଙ୍କୁ ମରିବାକୁ ଛାଡ଼ିଦେଇ ଆମେ ସବୁ ଭଞ୍ଜସଙ୍ଗୀତ ଚର୍ଚ୍ଚା କରୁଥିବା ?

ଆମ ହାତରେ କଅଣ ହେବ ! ଆମେ ଡାକ୍ତର ନୋହୁଁକି ବୈଦ୍ୟ ନୋହୁଁ ।

ଆମେ ମଣିଷ । ମଣିଷ ଆଉଜଣେ ମଣିଷର ଭାଇ । ଭଗାରୀ ନୁହେଁ । ଔଷଧ ଆମ ପାଖରେ ନାହିଁ । କିନ୍ତୁ ସ୍ନେହ ଅଛି, ଶୁଶ୍ରୂଷା କରିବାର ଶକ୍ତି ଅଛି । ଏତକ ଦବାକୁ କାର୍ପଣ୍ୟ କରିବା-?

ମୋ ମନକୁ କିନ୍ତୁ ପାଉନି କଥାଟା ନରୁଭାଇ । ତମେ ଜଗତସିଂପୁର କି କଟକକୁ ଖବର ଦେଲନାହିଁ । ସରକାରୀ ଲୋକେ ଆସନ୍ତେନି ! ସେମାନଙ୍କର ମୋଟର ଗାଡ଼ି ଅଛି, ସାଜ ସରଞ୍ଜାମ ଅଛି ।

ସେମାନେ ଆସିବେ । କିନ୍ତୁ ତା’ ଆଗରୁ ଆମେ ପହଞ୍ଚିବା ଦରକାର ।

ସମସ୍ତେ ଶ୍ମଶାନକୁ ଯିବା ପରେ ସେମାନେ ଆସିବେ ?

ସେମାନେ ସରକାରୀ ହାକିମ । ହୁକୁମ ଦିଅନ୍ତି । ହୁକୁମ ତାଲିମ୍ କରନ୍ତି ନାହିଁ । ସେମାନେ ସର୍ବୋସର୍ବା, ସେବକ ନୁହଁନ୍ତି... ।

ଆଉ ଆମେ ?

ଆମେ ସେମାନଙ୍କ ଜ୍ଞାତିଭାଇ । ଆମେ ସେବା କରିବା ସେମାନଙ୍କର ।

ସୁଲୋଚନାକୁ ଏଇ କଥା କହିଦେବି ?

ହଁ । ସୁଲୋଚନାକୁ ଆହୁରି କହିବୁ, ପିଇବା ପାଣି ଫୁଟେଇ ରଖିବ । ସମସ୍ତଙ୍କୁ ଏଇ କଥା କହିଦବ ।

ଆଉ ?

ତୁ ଯାଇ ଥାନା ବାବୁକୁ ଖବର ଦେଇ ଆସିବୁ । କନ୍ଦରପୁର ବାଟ ଦୁଇକୋଶ ।

ଯାଉଚି । କିନ୍ତୁ ଆସିବ ନିଶ୍ଚୟ । ଅନିଶା କରିଥିବି ।

ଆଗ କାମ ଆଗ କର ।

ନବୀନ ଚିହ୍ନେ ନରୋତ୍ତମକୁ । ଆଉ ଉଚ୍ଚବାଚ୍ୟ ନ କରି ଯିମିତି ପହଞ୍ଚି ଯାଇଥିଲା, ସିମିତି ହଠାତ୍ ଅଦୃଶ୍ୟ ହୋଇଗଲା ।

ବର୍ତ୍ତମାନ ତା’ ହାତରେ ଅନେକ କାମ । ନରୁଭାଇ ଆଦେଶ ଅମାନ୍ୟ କରିବାର ଶକ୍ତି ନାହିଁ ତା’ ପାଖରେ ।

କାର୍ତ୍ତିକ ମାସରେ ଆଉ ଶିଶିର ପଡ଼ିଲା ନାହିଁ । ଗଛର ସବୁଜିମା ମଳିନ ପଡ଼ିଗଲାଣି । ବିଲରେ ପାଣି ନାହିଁ । ଦେଶ ସାରା ଚହଳ ପଡ଼ିଛି । ବଞ୍ଚିବା କିପରି ?

ବାତ୍ୟା ପରେ ବନ୍ୟା । ତା’ପରେ ମରୁଡ଼ି ।

ଏପରି ଅଦ୍ଭୁତପୂର୍ବ ଅବସ୍ଥାର ପଟାନ୍ତର ନାହିଁ ଇତିହାସରେ । ନାମମାତ୍ର କୃଷକ ଏବଂ ଖଟିଖିଆର ମେରୁଦଣ୍ଡ ଭାଙ୍ଗିଯାଇଛି । ରାଜ୍ୟ ସାରା ହା ହା କାର । ସର୍ବତ୍ର ସେଇ ଗୋଟିଏ ପ୍ରଶ୍ନ-କିପରି ବଞ୍ଚିବା ?

ସମସ୍ତେ ସମସ୍ତଙ୍କ ମୁହଁକୁ ଅନାନ୍ତି । ସମସ୍ତଙ୍କ ଦୃଷ୍ଟିରେ ସେଇ ଗୋଟିଏ ପ୍ରଶ୍ନ-କିପରି ବଞ୍ଚିବା ।

ବୁଡ଼ିଯିବା ଲୋକର ଗୋଡ଼ ତଳକୁ ତଳକୁ । ଋଣ ଭାରରେ ଜର୍ଜରିତ ଚାଷୀକୁଳ ଆତଙ୍କରେ ଥରୁଛନ୍ତି । ଭରସା ଥିଲା ବନ୍ୟା କବଳରେ ପଡ଼ି ନ ଥିବା ଜମିରୁ ଭଲ ଫସଲ ମିଳିବ । ସେଇ ଆଶା ନିରାଶାରେ ପରିଣତ ହେଲା ।

ସବୁଜ ଧାନଗଛ ଟାଆଁସିଆ ଦିଶୁଛି ।

ମାଟି ଫାଟି ଆଁ କରିଛି ବିଲରେ ।

ଶୁଖି ଶୁଖି ଝାଉଁଳି ଗଲାଣି ଧାନଗଛ । ଆଖି ଆଗରେ କୋଟି କୋଟି ଶିଶୁକୁ ଯେପରି କେହି ଶୁଖେଇ ଶୁଖେଇ ମାରୁଛି ।

ଶୂନ୍ୟକୁ ଅନେଇ ଦୀର୍ଘଶ୍ୱାସ ମାରୁଛି ଚାଷୀ ।

ନଈବଢ଼ି ପରେ ବାଲି ପୋତି ହୋଇଥିବା ଜମିରୁ ବାଲି କାଢ଼ିବା ପାଇଁ କାମ ଆରମ୍ଭ ହୋଇଥିଲା । ସେହି କାମ ଅଧାରେ ରହିଗଲା । ଯାହାର ଘରଦ୍ୱାର ଭାସିଯାଇଛି ସେ ତ ସର୍ବସ୍ୱାନ୍ତ ହୋଇଯାଇଛି । ଯେଉଁଠାକୁ ବଢ଼ିପାଣି ଯାଇନାହିଁ, ସେଠାରେ ଲୋକେ ଭଲ ଫସଲ ପାଇବେ ବୋଲି ଆଶା ରଖିଥିଲେ । ସେମାନେ ମରୁଡ଼ି ଅବସ୍ଥା ଦେଖି ଆଉ ଧାନ ବାହାର କଲେନାହିଁ । ଫଳରେ ସରକାରୀ କାମ ଛଡ଼ା ଆଉ କୌଣସି କାମ ରହିଲା ନାହିଁ ଲୋକଙ୍କ ପାଖରେ । ଯେଉଁମାନେ ନାମକୁ ମାତ୍ର ଚାଷୀ ବା ଖଟିଖିଆ, ସେମାନେ ପଞ୍ଚାକ୍ଷର ମନ୍ତ୍ର ଜପିବାକୁ ଆରମ୍ଭ କଲେ-କ’ଣ କରିବା ?

କାହା ପାଖରେ ଏହାର ଉତ୍ତର ନାହିଁ ।

କେହି କେହି ବଡ଼ବଡ଼ିଆ ଆସି ଆଶ୍ୱାସନା ଦେଇ କହିଲେ, ବିନା ଖାଦ୍ୟରେ କେହି ମରିବେ ନାହିଁ, କାହାକୁ ମରିବାକୁ ଦିଆଯିବ ନାହିଁ ।

ସବୁ ଶୁଣି ସାରି ପାଟ ଧୋବଣୀ କହିଲା, ଯମ କାହା ପାଖରୁ ଅନୁମତି ନବ ଜୀବନ ନବା ଆଗରୁ ? ଅଳପେଇସାଏ । ପାଟିରେ ବାଟୁଳି ବାଜୁ ନାହିଁ । କହି ବୁଲୁଚନ୍ତି ପୁଣି ଭୋକରେ କାହାକୁ ମରିବାକୁ ଦିଆଯିବ ନାହିଁ । ଦୁଇଦିନ ହେଲା ଖାଇ ନାହିଁ । କିଏ ବୁଝୁଛି ମୋ କଥା । ମୁଁ ତ ଅନାଥା, ନିଆଶ୍ରୀ ବିଧବା ।

ପାଟ ଧୋବଣୀର ଗିରସ୍ତ ମରିଯାଇଚି ପାଞ୍ଚବର୍ଷ ହବ । କେହି କେହି କହନ୍ତି, ନୂଆ ରକମର ଲୁଗା ବଜାରକୁ ଆସିବାରୁ ଆଉ ଧୋବାକୁ ନ ଦେଇ ନିଜେ ସଫା କରିନେଲେ ଘରେ । ଲୁଗା ସଫା କରିବାପାଇଁ କେତେ ପ୍ରକାର ପାଉଡ଼ର ବାହାରିଛି । ବାଲ୍‌ତିଏ ପାଣିରେ ସର୍ଫ ଟିକେ ବା ତିନୋପଲ ଟିକେ ପକେଇଦେଲେ ଲୁଗା ଜାମା ଧୋବ ଫର ଫର । ଥିଲାବାଲା ନିଜ ହାତରେ ସଫା କଲେ । ଲୁଗା ନଷ୍ଟ ହେବା ବା ହଜିଯିବା ଆଶଙ୍କାରେ ଝିଅ ବୋହୂମାନେ ଆଉ ଧୋବାକୁ ଡାକିଲେ ନାହିଁ । ଘରେ ଘରେ ଇସ୍ତ୍ରୀ ଚାଳିଲା । ଯୋଉ କେତେଜଣ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଅଭାବୀ ଲୋକେ ଲୁଗା ଦଉଥିଲେ, ଧୋବାକୁ ସେମାନେ ବି ଆଉ ଦେଲେ ନାହିଁ । ବନ୍ୟାରେ ସର୍ବସ୍ୱ ହରେଇଚନ୍ତି । ଲୁଗା ସଫା କରେଇବା ପାଇଁ ହାତରେ ପଇସା କାହିଁ ?

ପାଟ ଧୋବଣୀ ଗାଳିଦେଲା । ସହରରୁ ଆଶ୍ୱାସନା ଦବାକୁ ଆସିଥିବା ବାବୁମାନଙ୍କର ସପ୍ତପୁରୁଷ ଉଦ୍ଧାର କଲା ।

 

ଷାଠିଏ ବର୍ଷ ପାଖାପାଖି । ଦେହ ଦେଖି ବୟସ ବାରିହୁଏ ନାହିଁ । କାମିକା ଦିହ ।

 

ପୁଅ କଲିକତାରେ ରହିଗଲା ଯେ ଆଉ ଫେରିଲା ନାହିଁ । କିଏ ଗଦ ଶୁଙ୍ଘେଇ ଦେଇ ମେଣ୍ଢାକରି ରଖିନେଲା । ଚିଠିପତ୍ରର ଉତ୍ତର ନାହିଁ । ବାର୍ତ୍ତା ବି ପଠାଏ ନାହିଁ ।

 

ଝିଅକୁ ବାହାଦେଇ ଜ୍ୱାଇଁ କରିଥିଲା । ଜ୍ୱାଇଁ କିଏ, ପୁଅ କିଏ । ଭଗବାନ ଏତେ ସୁଖ ସହିଲେ ନାହିଁ । ଝିଅ ଓ ଜ୍ୱାଇଁ ଡକାଡକି ହୋଇ ଚାଲିଗଲେ ଗତବର୍ଷ । ବଇଦ ବେମାରୀ ନିର୍ଣ୍ଣୟ କରିପାରିଲା ନାହିଁ ।

 

ପାଟ ଧୋବଣୀ ଘର ଜଗି ବସିଚି ଏକା । ବଖୁରାଏ ଘର । ଢିପ ଉପରେ ଘର ଖଣ୍ଡିକ ଥିଲା ବୋଲି ବର୍ତ୍ତିଗଲା, ନୋହିଲେ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକେ ନ ଥାନ୍ତା । ଯୋଉ ବଡ଼ ବଡ଼ ମହୀରୁହ ତଳେ ପକ୍ଷୀ, ସରୀସୃପ ଏବଂ କେତେ ଅନାଥ ଓ ଅସହାୟ ଏକତ୍ର ସହାବସ୍ଥାନ କରୁଥିଲେ, ସେଇ ବଡ଼ ବଡ଼ ଗଛଗୁଡ଼ା ଶୋଇଗଲେ ସୁଅ ମୁହଁରେ । ବନ୍ୟା ଜଳ ଛାଡ଼ିଯିବା ପରେ ଘର କରିବାପାଇଁ ବା ଚୂଲିରେ ଜାଳ କରିବାପାଇଁ ଯିଏ ପାରିଲା କାଟି ନେଇଗଲାଣି ।

 

ପାଟ ଧୋବଣୀ ଭିକମାଗି ଫେରିଲା ଗାଳି ଦେଇ ଦେଇ । ବାଡ଼ିପଶା । ଏତେ ମିଛ କହିଆସେ ? ଏତେ ଲୋଭ ଦେଖେଇ ଆସେ । କହୁଛି କଅଣ ନା କାହାକୁ ମରିବାକୁ ଦିଆଯିବ ନାହିଁ । ତମ ପାଖରୁ ଅନୁମତି ନବାପାଇଁ ବାରତା ପଠେଇବ ଯମ ଦେବତା !

 

ଥୁ ଥୁ କରି ନେଣ୍ଡାଏ ଛେପ ପକାଇଲା ପାଟ ।

 

ଘାସଭାର ବୋହି ଗୋହିରୀ ଆଡ଼ୁ ଆସୁଥିବା ଶଙ୍କରା କହିଲା, କାହାକୁ ଅଭିଶାପ ଦଉଛୁ ମାଉସୀ ?

 

ପାଟ ପଛକୁ ନ ଚାହିଁ ସେଇପରି ଗରଗର ହୋଇ ମନକୁ ମନ କହୁଥାଏ-ସବୁ ମରିବେ, କେହି ବାଦ୍ ଯିବେ ନାହିଁ । ମୁଁ ଦିନରାତି କାନ୍ଦୁଛି, ସମସ୍ତେ କାନ୍ଦିବେ ।

 

ଶଙ୍କରା ଗଉଡ଼ ଗାଈ ଦୁଇଟିକୁ ନେଇ ସଂସାର ଚଳଉଥିଲା । ଗୋଟିଏ ବନ୍ୟାରେ ଭାସିଗଲା । ଆଉ ଗୋଟିକୁ ଫାଟୁଆ ରୋଗ ଧରିଛି, ଉଠିପାରୁ ନାହିଁ ।

 

ଫାଟୁଆ ରୋଗ ସଂକ୍ରାମକ ହୋଇଯାଇଛି ।

ପ୍ରତିଦିନ ଗୋରୁଗାଈ ମରୁଛନ୍ତି । ପ୍ରତିକାର କରାଯାଇ ପାରୁନାହିଁ ।

 

ଘାସ ବିକ୍ରୀକରି ଚଳୁଛି ଶଙ୍କରା । ଭାରେ ଘାସ ଆଣିଦେଲେ ଟଙ୍କାଟିଏ । ଘାସ ତ ସବୁଠାରେ ମିଳେ ନାହିଁ । ଚାରିଆଡ଼ ବୁଲି ଭାରେ ଘାସ ଆଣିବାପାଇଁ ଓଳିଏ ଚାଲିଯାଏ ।

 

ଶଙ୍କରାକୁ ପାଖକୁ ଦେଖି କହିଲା ପାଟ ଧୋବଣୀ, କାହାକୁ ଆଉ ଗାଳି ଦେବିରେ ପୁଅ... ନିଜ କର୍ମକୁ ନିନ୍ଦୁଛି । ନୋହିଲେ ବୁଢ଼ା ଏକା ଏକା ଚାଲିଗଲା । ଝିଅ ଜ୍ୱାଇଁ ଚାଲିଗଲେ । ମୁଁ ଏକା ପଡ଼ିରହିଥାଆନ୍ତି ଏତେ ସବୁ ଦେଖିବା ପାଇଁ ।

 

ଶଙ୍କରା ଗଉଡ଼ କହିଲା, ବେଉରା ଦିଏନି ? ବର୍ତ୍ତା ପଠାଏ ନି ?

ବୁଢ଼ୀ ନ ଶୁଣିବା ପରି ରହିଗଲା ।

 

ତା’ପରେ କହିଲା, ପୁଅ ଖଣ୍ଡେ । ସିଏ ଭଲରେ ଥାଉ । ମା’ ଜାଗୁଳାଇ ତା’ର ବଡ଼ତି କରନ୍ତୁ । କୋଟି ପରମାୟୂ ହଉ । ବନସ୍ତରେ ହାତୀ ବଢ଼ିଲେ ରଜାର ।

ଶଙ୍କରା ସବୁ ବୁଝିଗଲା ।

ଚାଉଳଭଜା ଗଣ୍ଡାଏ ବାନ୍ଧିଥିଲା ଅଣ୍ଟାରେ । ଏଯାଏ ଖାଇ ନାହିଁ । ସେତକ କାଢ଼ି ବୁଢ଼ୀ ଆଗରେ ପୋଟଳାଟି ଥୋଇଦେଇ କହିଲା, ପେଟ ପିଠି ତ ଲାଗିଗଲାଣି ମାଉସୀ । ଏତକ ଖାଇ ପାଣି ମୁନ୍ଦେ ପିଇନେ ।

ପାଟ ଧୋବଣୀ ଘଡ଼ିଏ ଜଳ ଜଳ କରି ଅନେଇଲା ଶଙ୍କରାକୁ । ତା’ପରେ ତା’ ଆଖିରୁ ଠସ୍ ଠସ୍ ଖସିପଡ଼ିଲା କେଇବୁନ୍ଦା ତାତିଲା ଲୁହ ।

ଶଙ୍କରାର ହାତ ଦୁଇଟାକୁ ଧରି ପାଟ ଧୋବଣୀ କହିଲା, କିଏ କହେ ଜାଗୁଳାଇ ନାହାନ୍ତିରେ ବାପା ! ସମସ୍ତେ ଅଛନ୍ତି । ନ୍ୟାୟ, ଧର୍ମ ଅଛି । ଚନ୍ଦ୍ର ସୂର୍ଯ୍ୟ ଅଛି ।

ଶଙ୍କରା କହିଲା, କିନ୍ତୁ ଇମିତି ଆଉ କେତେଦିନ ଚଳିବ ମାଉସୀ ? ମରୁଡ଼ି ଯୋଗୁ ତ ଘାସ ବି ଶୁଖିଗଲାଣି ଜମିରୁ ।

ପାଟ ଆଖି ଜୁଳୁ ଜୁଳୁ କରି ଅନେଇଲା ଶୂନ୍ୟକୁ । କାହାକୁ ଖୋଜିଲା ଯେପରି । ତା’ ପରେ ଶଙ୍କରାର ମୁଣ୍ଡ ଉପରେ ହାତ ବୁଲେଇ ଦେଇ କହିଲା, ତୁ ବଞ୍ଚିରହରେ ପୁଅ....ଜାଗୁଳେଇ ତୋତେ ରକ୍ଷା କରନ୍ତୁ ।

 

ପାଟକୁ ତା’ ଘରେ ଛାଡ଼ି ଫେରିବା ବେଳକୁ ଆହୁରି ଉଛୁର ହୋଇଯାଇଥାଏ; କିନ୍ତୁ ତା’ ପେଟ ଯେପରି ପୁରିଯାଇଛି ସେପରି ଲାଗୁଥିଲା ତାକୁ । ସେଇ ସକାଳୁ ତୋରାଣୀ ମୁନ୍ଦେ ପିଇ ଯାଇଥିଲା ଘାସ କାଟିବାପାଇଁ । ବେଳ ମୁଣ୍ଡ ଉପରେ । ଆଖି ଆଗରେ ଚମକ ଲଗେଇଦେଇ ଖେଳି ହୋଇଯାଇଛନ୍ତି ସୂର୍ଯ୍ୟଦେବ କାର୍ତ୍ତିକର ସବୁଜିମା ଆଉ ହସୁନାହିଁ, ଶେତା ପଡ଼ିଯାଇଛି ।

 

ଶଙ୍କରା ଗଉଡ଼ ଘାସବୋଝ ଥୋଇଦେଇ ଦେହ ମୁଣ୍ଡରୁ ଝାଳ ଶୁଖେଇବା ଲାଗି ଦଣ୍ଡେ ବସିଲା ଦାଣ୍ଡରେ । ପବନ ଲାଗି ହାଲୁକା ଲାଗିଲା ଦେହ । ଶୁଖିଆସିଲା ଝାଳ ।

 

ଶକୁନ୍ତଳା ତା’ ହାତକୁ ଟଙ୍କାଟିଏ ବଢ଼େଇଦେଇ କହିଲା, କଅଣ ଖାଇଛ ଶଙ୍କରା ଭାଇ-?

 

ଶଙ୍କରା ହସିଲା । ବିଚିତ୍ର ସେ ହସ । କିନ୍ତୁ ସେଇ ହସର ଅମୃତ ଛୁଇଁଲା ଶକୁନ୍ତଳାର ହୃଦୟକୁ । ସେ କହିଲା, ଟିକେ ରୁହ, ମୁଁ ଆସୁଛି... ।

 

ଟିକେ ପରେ କିଛି ମୁଢ଼ି ଆଉ ପାଣି ଢାଳେ ଶଙ୍କରା ଆଗରେ ଥୋଇ ଦେଇ କହିଲା ଶକୁନ୍ତଳା, ବାପା ଖୋଜୁଥିଲେ, ଦେଖାକରି ଯିବ । ଏଇନେ ଖାଇନିଅ ମୁଢ଼ି ଦିଓଟି... ।

 

ତା’ ମୁହଁକୁ ଅନେଇଲା ଶଙ୍କରା ।

ମନେପଡ଼ିଗଲା ପାଟ ଧୋବଣୀର ସ୍ନେହବୋଳା ଦୃଷ୍ଟି ।

 

କାର୍ତ୍ତିକମାସ ସିନା ଶୁଖିଲା ପଡ଼ିଚି; କିନ୍ତୁ ମଣିଷର ଅନ୍ତର ଶୁଖି ଯାଇ ନାହିଁ । ଦୁଇଟି ନାରୀର ହୃଦୟରେ ଏକ ଅମୃତର ପ୍ରସ୍ରବଣ ।

 

ଶଙ୍କରା ମୁଢ଼ି ଖାଇ ଢାଳକ ପାଣି ପିଇଦେଲା ।

ସେତେବେଳକୁ ଗୌତମ ଫେରି ଆସିଥାଆନ୍ତି ଘରକୁ ।

 

ସେ ଶଙ୍କରାଜୁ କହିଲେ, ଘର କାମ ସରିଆସିଲାଣିରେ ଶଙ୍କରା । ଆଉ ଦିନେ ଓଳିଏ ହାତ ଲଗେଇ ଦେଲେ ସରିଯିବ । ତୁ ଦିନ ଦୁଇଟା ଯଦି ଆସନ୍ତୁ କାଲି ପାଖରୁ ।

 

ଶଙ୍କରା କହିଲା, ଆସିବି କକେଇ । କାଲି ସକାଳୁ ସକାଳୁ ଚାଲିଆସିବି ଯେ ମୁଣ୍ଡି ମାରିମାରିଦବା ଦୁଇ ପହର ହବା ଆଗରୁ ।

 

ଶଙ୍କରା ଦାଣ୍ଡେ ଦାଣ୍ଡେ ଅଦୃଶ୍ୟ ହୋଇଗଲା ।

ଗୌତମ ଚାଳିଆ ଭିତରକୁ ଯାଇ କହିଲେ ସରଳାଙ୍କୁ, ତମେ କିଛି ବୁଝିଲ ?

ସରଳା କହିଲେ, କୋଉ କଥା ?

ସେଇ ବିଭାଘର କଥା ମ ! ଭରତ ମନେ ପକେଇ ଦେଲେ ଆଜି ।

 

ଶକୁ ଶୁଣିସାରି ତ ମୁହଁମାରି ବସିଚି ଶୁଣିବା ଦିନୁ । ଭଲକରି କଥା ପଦେ କହୁନି ମୋ ସାଙ୍ଗରେ ।

 

ମନକୁ ପାଉନି ?

ମନକୁ ପାଇଥିଲେ ଇମିତି ହୁଅନ୍ତା !

 

ଭରତ କହୁଥିଲେ ଯେ ବିଭୁପଦ କୁଆଡ଼େ ଭବିଷ୍ୟତରେ ମିନିଷ୍ଟର ହୋଇପାରେ । ପୁରୀର ପଣ୍ଡିତେ କୋଷ୍ଠି ଦେଖି କୁଆଡ଼େ କହିଲେ ରାଜଯୋଗ ଅଛି । ମନ୍ତ୍ରୀ ବା ସେହିପରି କିଛି ଉଚ୍ଚ ସରକାରୀ ପଦବୀର ଅଧିକାରୀ ହବ ବିଭୁପଦ ।

 

ତୁମେ ସେଥିରେ ବିଶ୍ୱାସ କର ?

 

ତୁମେ ଯେତିକି ବିଶ୍ୱାସ କର, ମୁଁ ବି ସେତିକି; କିନ୍ତୁ ଏସବୁକୁ ଗୁଲିଖଟି ଗପ ବୋଲି ତ ଉଜେଇ ଦେଇହବନି ।

 

ଘରଦ୍ୱାର ନାହିଁ ଚାଳଚୂଳି ଏଯାଏ ହୋଇନି । ତୁମେ ବାହାରୁଛ ଝିଅ ବିଭାଦବା ପାଇଁ ।

ଘର ତ ଦିନ ଦିଇଟାରେ ସମ୍ପୂର୍ଣ୍ଣ ହୋଇଯିବ ।

 

ଯୋଗ ଫିଟିଲେ କେହି ଅଟକାଇ ପାରିବେ ନାହିଁ । ବାହାଯୋଗ ଅଛି କି ନାହିଁ ଦେଖ...-। ଏଠାରେ ନ ହେଲେ ଆଉ କୋଉଠି... ।

 

ଆଉ କେହି ପ୍ରସ୍ତାବ ଦେଇ ନାହାନ୍ତି ।

ଗୋଡ଼ଯାକି ବସି ନ ରହି ବାହାରିପଡ଼ । ଖୋଜ । ଅନେକ ଭଲପିଲା ଅଛନ୍ତି ।

ମୁଁ ଚେଷ୍ଟାରେ ତ୍ରୁଟି କରିନାହିଁ ।

ଆହୁରି ଚେଷ୍ଟାକର ।

ତା ହେଲେ ଭରତ ବାବୁଙ୍କୁ ମନା କରିଦିଏ... ।

 

ପରେ ମନା କରିବ । କିଛି ନ କହିଲେ ସେ ବୁଝିଯିବେ । ଝିଅର ବାପ ହୋଇ ମନା କରାଯାଏ ନାହିଁ... ।

 

ସରଳା ସ୍ୱାମୀଙ୍କ ପାଖକୁ ଆସି କହିଲେ, ବିଭୁଟା କୁଆଡ଼େ ଅବାଗିଆ ହୋଇଯାଉଚି । ଟିକେ ଖବର ନିଅ ।

 

ଗୌତମ ଜେନା କହିଲେ, ମୁଁ ବି ଯେ କିଛି ଶୁଣିନାହିଁ ସେପରି ନୁହେଁ । ମରଦ ପିଲା । ଘରେ ତ ବସି ରହିବ ନାହିଁ । କାମ କଲେ ଦଶ କଥା ଶୁଣିବାକୁ ହୁଏ । ଦେଖୁନ ଏଇ ନରୁକୁ । ଅଜାତଶତ୍ରୁ । କିନ୍ତୁ ତା’ ବିଷୟରେ ବି ଖଚମିଛ କରିବାପାଇଁ ଲୋକ ଅଛନ୍ତି ।

 

ସେପରି ପିଲାଟିଏ ହେଲେ କେଡ଼େ ଭାଗ୍ୟର କଥା ହୁଅନ୍ତା... କହିଲେ ସରଳା ।

ନରୋତ୍ତମ କଥା କହୁଛ ? ବିସ୍ମିତ ହୋଇ କହିଲେ ଗୌତମ ।

କ୍ଷତି କଅଣ । ଗୁଣରେ, ରୂପରେ କିଏ ବଳିଯିବ ତାକୁ ?

ସେମାନେ ବ୍ରାହ୍ମଣ, ଆମେ ଖଣ୍ଡାୟତ... ।

 

ତମେ ସେଦିନ କହୁଥିଲ ଯେ ଜାତି ଗୋଟିଏ । ମଣିଷ ଜାତି । କେହି ବ୍ରାହ୍ମଣ ନୁହଁନ୍ତି କି ଖଣ୍ଡାୟତ ନୁହନ୍ତି, ହିନ୍ଦୁ ନୁହଁନ୍ତି କି ମୁସଲମାନ ନୁହଁନ୍ତି, ସମସ୍ତେ ମଣିଷ ।

 

କହିଥିଲି; କିନ୍ତୁ...

ନରୁର ମନକଥା ବୁଝିବାକୁ ଚେଷ୍ଟା କର ।

ତାକୁ ତ ଦେଖୁଛ ପ୍ରତିଦିନ । କିମିତି ମନେହୁଏ ?

ଯେତିକି ଦେଖେ ପାଖରେ ସେତିକି ଦୂରକୁ ସେ ଚାଲିଯାଏ ।

କିନ୍ତୁ ତୁମପ୍ରତି ତା’ର ଅନେକ ଶ୍ରଦ୍ଧା । ଶକୁ ସାଙ୍ଗରେ ତ ଭାଇଭଉଣୀ ପରି ।

 

ଆଉସବୁ ଠିକ୍ ଅଛି । କିନ୍ତୁ ବଡ଼ ପ୍ରତିବନ୍ଧକ ଏଇ ଜାତି ଓ ଗୋତ୍ର । ଏସବୁ ଚଳିବନି ଏଯାଏ । କେବେ ସିନା ପାଚେରୀ ଭାଙ୍ଗିବ, ଆମ ହାତରେ ଆରମ୍ଭ କଲେ ଅନେକ କଷଣ ସହିବାକୁ ହବ ଯେ ଡରିଯାଉଛ ସେଥିପାଇଁ ? ଆମେ ରଜାର ପ୍ରଜା ନୋହୁଁ କି ସାହୁର ଖାତକ ନୋହୁଁ । ଭଗବାନ ଦାନାକନା ଦେଇଛନ୍ତି... ।

 

ସେ କଥା ସତ ଯେ..... କିନ୍ତୁ ସମାଜ ତ ଅଚଳ ମହାମେରୁ ପରି ବସି ରହିଚି । ବଦଳୁ ନାହିଁ । ମନର ରଙ୍ଗ ବି ସେହିପରି । ପରିବର୍ତ୍ତନର ଲକ୍ଷଣ ଦେଖାଯାଉ ନାହିଁ ।

 

କେହି ତ ପୁଣି ଆରମ୍ଭ କରିବ...ସମାଜ ବଦଳିଯିବନି ମନକୁ । ସେଥିପାଇଁ କାମ କରିବାକୁ ହବ ।

 

ତୁମେ ଶକୁର ମନକଥା ବୁଝ... ତା’ ପରେ ମୁଁ ଆଗେଇବି । ଗୋଟିଏ ବୋଲି ଝିଅ । ପୁଅ ସେଇ ଝିଅ ସେଇ । ତା’ ମନରେ କଷ୍ଟଦେଇ କିଛି କରିବା ଠିକ୍ ହବନାହିଁ ।

 

ଶକୁନ୍ତଳା ପହଞ୍ଚି ଯାଇ କହିଲା, ନରୁଭାଇ କଥା ଶୁଣିଛ ବାପା ?

ଗୌତମ ଝିଅ ମୁହଁକୁ ଆଗ୍ରହରେ ଅନାଇ ରହିଲେ ।

 

ତାଙ୍କ ଚିଠି ଖବର କାଗଜରେ ବାହାରିବାରୁ ଅନେକ ଲୋକ ସିନା ଜାଣିଲେ ଏ ଅଞ୍ଚଳର ପ୍ରକୃତ ଅବସ୍ଥା; କିନ୍ତୁ ଅନେକ ତାଙ୍କ ବିରୁଦ୍ଧରେ ଲାଗିଚନ୍ତି ।

 

କିଏ କହିଲା ?

 

ଏଇନେ ଲକ୍ଷଣ କହୁଥିଲା ଯେ ତାକୁ ଘର ତୋଳେଇ ନ ଦବା ପାଇଁ ଗାଁବାଲା କୁଆଡ଼େ ମସୁଧା ଆଣ୍ଟୁଚନ୍ତି ।

 

ସେ ତା’ ଡିହରେ ଘର ତୋଳିବ । ଗାଁ ବାଲା କିଏ କହିବାକୁ ?

ସେଇ ଡିହ ଖଣ୍ଡିକ ନରୁଭାଇର ଗୋସେଇଁବାପା ଜବରଦସ୍ତ ଦଖଲ କରିନେଇଥିଲେ ।

ପଚାଶବର୍ଷ ପରେ ନରୁ ତା’ର ପ୍ରାୟଶ୍ଚିତ କରିବ ?

ନରୁଭାଇ କିନ୍ତୁ ଜିଦ୍‌ଧରି ବସିଚନ୍ତି.... ।

କଅଣ ?

 

ସେ ସେଇ ଜାଗାରେ ଘର ତୋଳିବେ । ଗୋଟିଏ ବଖରା ନିଜପାଇଁ, ଆଉ ବଖରାଏ ଅନ୍ୟମାନଙ୍କ ପାଇଁ । ସ୍କୁଲ ଖୋଲିବେ ।

 

ନରୁ ଆଉ ଏଆଡ଼କୁ ତ ଆସିନାହିଁ ।

ନା... ।

ସେ ଜାଣିବା ଉଚିତ ଯେ ଆମେ ତା’ ସାଙ୍ଗରେ..... ସେ ଏକ ନୁହେଁ ।

 

ଆସିଲେ କହିବି । ସେ ତ ଭଲକଥା କହନ୍ତି, ସମସ୍ତଙ୍କ ହିତପାଇଁ କାମ କରନ୍ତି । ଅଥଚ ତାଙ୍କ ବିରୋଧରେ... ।

 

ଭଲଲୋକ ସବୁ କାଳରେ କଷ୍ଟସହେ ମା । ଏଇ ତ ସଂସାରର ନିୟମ ।

ରାମକୃଷ୍ଣ ପରମହଂସ ଇମିତି କହିଥିଲେ... ।

 

ଭଲ ଲୋକ ନିୟମ ମାନେ, ନିୟମ ବଦଳାଏ ବି । ସେ ଆଦର୍ଶ ପଛରେ ଗୋଡ଼ାଏ । ନ୍ୟାୟ, ନୀତି, ଧର୍ମ ପ୍ରକାଶ ପାଏ ତା’ର ଆଚରଣରେ ।

 

ଭଲ କାମଟିଏ କରିବା ସହଜ ନୁହେଁ । ଏକାଦିନକେ ଘରଟିଏ ତୋଳିନାହିଁ–କହିଲେ ସରଳା ।

 

ନରୋତ୍ତମ ତୋତେ କିପରି ମନେହୁଏ ମା ? ସିଧା ପଚାରିଦେଲେ ଗୌତମ ।

 

ସେଇ ପ୍ରଶ୍ନରେ କଅଣ ଥିଲା କେଜାଣି ଶକୁନ୍ତଳାର ମୁହଁ ଉପରେ ଉକୁଟି ଉଠିଲା ସୂର୍ଯ୍ୟୋଦୟ ପୂର୍ବର ରକ୍ତିମା । ସେ ନୀରବରେ ଛିଡ଼ାହୋଇ ରହିଲା ।

 

ସରଳା ସଠିକ ଉତ୍ତର ପାଇ କହିଲେ, ସେ କଅଣ ଜ୍ୟୋତିଷ ଯେ ଅନ୍ୟର କଥା କହିପାରିବ ?

 

ଶକୁନ୍ତଳା ନିଷ୍କୃତି ପାଇ କେନାଲ ବନ୍ଧ ଉପରକୁ ଉଠିଯାଇ ଅନେଇଲା ନଦୀକୁ ।

 

କେଉଁ ଅନନ୍ତକାଳରୁ ବହୁଛି ଏ ନଦୀ ଅବିରାମ ଗତିରେ । କ୍ଲାନ୍ତି ନାହିଁ । ଅବସାଦ ନାହିଁ-। ମଣିଷ ସଭ୍ୟତା ଗଢ଼ିଉଠିଛି କୂଳେ କୂଳେ ପାଣିକୁ ଆଶ୍ରା କରି । ମଣିଷକୁ ପାଳିପୋଷି ବଡ଼ କରିଛି ଏଇ ନଦୀ । ଅଥଚ ସେଇ ନଦୀକୁ ଆଜିଯାଏ ବିଶ୍ୱାସ କରିପାରୁନି ମଣିଷ । ସବୁ ସ୍ନେହ ଶରଧା, ମାୟା ମମତା, ହାସ୍ୟ ଓ ଅଶ୍ରୁର ସ୍ୱାଦକୁ ଏକା ନିଃଶ୍ୱାସରେ ଶୋଷିନେଇ ନଦୀ ଧ୍ୱଂସ କରିଛି ନିଜର ସୃଷ୍ଟି, ନଷ୍ଟ କରିଛି ନଗର ଓ ଜନପଦ ।

 

ଏତେ ଆପଣାର ଏବଂ ପୁଣି ଏତେ ନିକଟରେ ।

 

କିନ୍ତୁ ଏଇ ନିକଟରେ ବି ଏପରି ଏକ ଦୂରତ୍ୱ ଅଛି ଯାହା ମଣିଷ ମନର ଅଗମ୍ୟ । ସବୁଦିନ ତାହା ରହସ୍ୟାବୃତ ।

 

ଜମି ଉପରେ ବସି ଅନେକ କାନ୍ଦିଲା ଯୁଧିଷ୍ଠିର ନାଏକ ।

 

ମାଆର ଗର୍ଭରୁ ଶିଶୁ ଜନ୍ମି ନ ପାରିବାର ଦୁଃଖ କେବେ ଦେଖିଛ ? କେବେ ଅନୁଭବ କରିଛ ତରଳ ତାରୁଣ୍ୟ ଶୁଖିଯିବାର କଷ୍ଟ ? ଘଇତାମାରି ପାଟରେ କେରାଏ କଞ୍ଚା ଧାନଗଛ ଆଖିରେ ପଡ଼ୁନାହିଁ ।

 

ଧାନବିଲରେ ବସି ସେତକ ଦେଖୁଥିଲା ଯୁଧିଷ୍ଠିର ।

 

ଧାନବିଲରେ ଶୁଖିଯାଇଛି ଧାନଗଛ । ମାଟି ଫାଟି ଆଁ କରିଛି । ଯେଉଁ ଗହୀର ଜମିରେ ପାଣିମାଡ଼େ, ସେଠାରେ ଧାନଗଛ ଗର୍ଭଧାରଣ କରି ତା’ପରେ ଶୁଖି ଶୁଖି ମରିଗଲା ।

 

ସେଇ ଧାନଗଛମାନଙ୍କ ଛାତି ଉପରେ ଜାକିଧରି ଅନେକ କାନ୍ଦିଲା ଯୁଧିଷ୍ଠିର ।

 

ପଚାଶ ବର୍ଷର ଯୁଧିଷ୍ଠିର ନାଏକର ଆଖିର ଲୁହ ପଡ଼ି ଭିଜିଗଲା ଟିକେ ମାଟି । ମାଟି ଆଁ କରି ରହିଯାଇଛି ପାଣି ଟୋପେ ପାଇଁ । ବର୍ଷାହେଲା ନାହିଁ । କେନାଲର ବନ୍ଧବାଡ଼ ତ ଭାଙ୍ଗିଯାଇଛି । ଶୁଖିଲା ପଡ଼ିଛି କେନାଲ । କେନାଲ କୂଳକୁ ପାଣି ପିଇବାଲାଗି ଆସି ନିରାଶ ହୋଇ ଫେରିଯାଆନ୍ତି ଗୃହପାଳିତ ପଶୁ । ଟିକେ ଭଲକରି ପହଁରିବା ପାଇଁ କେନାଲ କୂଳକୁ ଆସି ପାଣି ନ ଦେଖି ହତାଶ ହୋଇ ଫେରିଯାଆନ୍ତି ଗାଆଁର କିଶୋର, କିଶୋରୀ ।

 

ସବୁ ଯେପରି ଓଲଟ ପାଲଟ ହୋଇଗଲା ।

ସବୁ ଗଣନା ଭୁଲ ହୋଇଗଲା ।

 

ଖରିଫର ବଳକା ଧାନ ବିକି ଝିଅର ବିଭାଦବା ଲାଗି ଭାବିଥିଲା ଯୁଧିଷ୍ଠିର ତାହା ଆଉ ହବନାହିଁ ।

 

ରବି ବେଳକୁ କଅଣ ହବ କେଜାଣି । ଆହୁରି ପାଞ୍ଚ ଛଅ ମାସ ବାକୀ । ଗୋଟେ ମାସ ଚଳିବା ସକାଶେ ହାତରେ ସଞ୍ଚୟ ନାହିଁ । ଛଅମାସ ଚଳିବ କିପରି ? ମହାଜନ ସବୁ ହାତ ଗୋଟେଇ ନେଲେଣି । ଅବସ୍ଥା ଚାହିଁ ବ୍ୟବସ୍ଥା । ଧାର ଉଧାର ବନ୍ଦ । ମହାଜନମାନେ ଋଣ ଦବାପାଇଁ ମନା କରିଦେଇଛନ୍ତି । ଜମି ବନ୍ଧକ ବ୍ୟାଙ୍କ୍‌ରୁ କିଛି ଋଣ ମିଳିପାରେ । କିନ୍ତୁ ଦଉଡ଼ି ଦଉଡ଼ି ପାଦରେ ବାକୁଲି ବାହାରି ପଡ଼ିବ । ଶତକରା ଦଶ ସେଇ ଅଫିସରେ ଦେଇ ଆସିବାକୁ ହେବ । ହାତଗୁଞ୍ଜା ନ ଦେଲେ କାମହବ ନାହିଁ । ଦେହସୁହା ହୋଇଗଲାଣି । ଆଉ ବାଧେନାହିଁ । କିନ୍ତୁ ବ୍ୟାଙ୍କକୁ ଆଉ ଯିବାକୁ ଇଚ୍ଛା ବି ହୁଏ ନାହିଁ । ସମବାୟ ବ୍ୟାଙ୍କ ବି ସେହିପରି । କୂଅ ଖୋଳିବାଲାଗି ବା ଜମିର ଉନ୍ନତି ସାଧନ କରିବାଲାଗି ଅନ୍ୟ ବ୍ୟାଙ୍କ୍‌ମାନେ ବି ଋଣ ଦିଅନ୍ତି । ହରି ସାହୁ ତ କୂଅ ଖୋଳିବ କହି ପାଞ୍ଚ ହଜାର ଟଙ୍କା ବ୍ୟାଙ୍କ୍‌ରୁ ଆଣି ଝିଅ ବାହାଘରରେ ଖର୍ଚ୍ଚ କରିଦେଲା । ନ କରି ଉପାୟ ନାହିଁ । ଶତକରା ଦଶ ପନ୍ଦର ହାତଗୁଞ୍ଜା ନିଅନ୍ତୁ ପଛକେ ଅସମୟରେ କିଏ ଚାହେଁ ମୁହଁକୁ-। କିନ୍ତୁ ବିହନ ଓ ସାର କିଣିବା ଲାଗି କିଛି ଋଣ ନେଇଥିଲା ଯୁଧିଷ୍ଠିର । ସେତକ ଶୁଝିବାର ଉପାୟ ନାହିଁ । କୋଉ ମୁହଁରେ ଅଧିକ ମାଗିବ ? ତାକୁ ଦବ କିଏ ? ଆଉ ଯଦିବା ଦିଏ ସେ ଶୁଝିବ କିପରି-? ଋୁଣ ନ ନେଇ ଝିଅ ବାହାଘର ବି କରି ହବ ନାହିଁ । କଂସାବାସନ, ଅଳଙ୍କାର, ଖଟ ଓ ବାକ୍‌ସ କିଣି ରଖିଛି । କିନ୍ତୁ ଲୁନାଟିଏ ନ ଦେଲେ ତାଙ୍କ ଘରେ ହୋଇପାରିବ ନାହିଁ ବୋଲି କହିଯାଇଛନ୍ତି ମଧ୍ୟସ୍ଥ । ଜ୍ୱାଇଁ କେତେଦିନ ସାଇକେଲ ଠେଲି ଠେଲି ସ୍କୁଲକୁ ଯିବେ । ସ୍କୁଲ ତ ନିଜ ଗାଆଁରେ ନୁହେଁ । ସେଥିପାଇଁ ପାଞ୍ଚ ମାଇଲ ଯିବାକୁ ହୁଏ । ଲୁନା ଖଣ୍ଡକ ଯୋଗାଡ଼ କରିବା ବି ଆଉ ସମ୍ଭବ ହବ ନାହିଁ । ସ୍ତ୍ରୀର ଅଳଙ୍କାରତକ ବନ୍ଧକ ରଖି ଯାହା ଆଣିଥିଲା ଘର ତୋଳିବାରେ ସେତକ ଖର୍ଚ୍ଚ ହୋଇଯାଇଚି । ବଳଦ ହଳକ ଭାସିଗଲେ । ଆଉ ହଳେ ବଳଦ ଅଛନ୍ତି ପାଖରେ । କିନ୍ତୁ ସେତକରେ କାମ ଶେଷ ହବନାହିଁ ।

 

ଯେତିକି ଭାବିଲା ସେତିକି କୋହ ଉଠିଲା । ଯୁଧିଷ୍ଠିର ଅନେକ ସମୟ ଧାନବିଲରେ ବସି କାନ୍ଦିଲା ।

 

ସାହସୀ, ସମର୍ଥ ପୁରୁଷର ନିଜ ଉପରୁ ବିଶ୍ୱାସ ତୁଟିଯାଇଛି । କିପରି ଗୋଟେ ଅସହାୟତା ବୋଧ ଗ୍ରାସ କରୁଛି ମନକୁ । ଦୁର୍ବଳ ହୋଇଯାଉଛି ମନ । ଲଢ଼ିବାକୁ ସାହସ କୁଳଉ ନାହିଁ ।

 

ଏଇ ସମୟରେ ଧାନଗଛରେ ଫୁଲଧରେ । ଧାନଫୁଲର ବାସ୍ନାରେ ଚଉଦିଗ ମହକେ । ଧାନଗଛ ନାହିଁ । ଫୁଲ ବି ନାହିଁ । କେବଳ ପାଣି ଆଶ୍ରାଥିବା ଜମିରୁ ଯାହା ମିଳିବ ସେପରି ଜମି ନାହିଁ ଯୁଧିଷ୍ଠିରର ।

 

କୋଉଠୁ ଆଣି ସେ ପୁଅଝିଅଙ୍କ ମୁହଁରେ ଆହାର ଦବ ? କୋଉ କାଳରୁ ସ୍ଥାନ ମାଡ଼ିବସିଥିବା ନାଏକ ବଂଶ କଅଣ ଏଇଠାରେ ଶେଷ ହୋଇଯିବ ? ନିଜ ପିଣ୍ଡା ଉପରେ ବସି ଗରମ ଦୁଧ ସାଙ୍ଗରେ ଚକୁଳି ପିଠା ଖାଉଥିବା ପିଲାଗୁଡ଼ା ଅନ୍ନଛତ୍ରରେ ପଶିବେ ଶେଷରେ ?

 

ଆଉ ଭାବିପାରିଲା ନାହିଁ ଯୁଧିଷ୍ଠିର ।

 

ସେ ଆହୁରି କେତେ ସମୟ ସେଇ ବିଲରେ ବସି ଦେହରୁ ଝାଳ, ଆଖିରୁ ଲୁହ ଖସେଇ ଥାଆନ୍ତା । କିନ୍ତୁ ତାକୁ ଉଠେଇଦେଇ କହିଲା ନରୋତ୍ତମ, ତମେ ଏଇଠି ବସିଛ କକେଇ । ତେଣେ ହାଲୋm ପଡ଼ିଛି ଘରେ । ବେଳ ଗଡ଼ିଗଲାଣି । ଗାଧୁଆ ଖିଆ ହବନାହିଁ ?

 

ଯୁଧିଷ୍ଠିର ଉଠି ବସି କହିଲା, ଏଡ଼େ ଶୀଘ୍ର ଏ ହୀନ ଜୀବନ ଯିବନିରେ ନରୁ । ପାପର ଭାର ବଢ଼ୁଛି । ମଣିଷ ନିଜ ପାପର ଫଳ ଭୋଗିବ ନାହିଁ ? ଭାଗବତ କହି ନାହାନ୍ତି, ଆପଣା କଲା କର୍ମମାନ, ଆଗୁ ହୋଇବ ସାବଧାନ । କେହି ତ ସାବଧାନ ହେଲେ ନାହିଁ । ପାପ, ପୁଣ୍ୟର ବିଚାର ହେଲା ନାହିଁ । ପାପ ଯୋଗୁଁ ଆଜି ମେଦିନୀ କମ୍ପୁଛି, ବାତ୍ୟା ବନ୍ୟା ମରୁଡ଼ି ହଉଛି, ମଡ଼କ ବ୍ୟାପିଯାଉଛି ।

 

ନରୋତ୍ତମ କହିଲା, ଡରିଗଲେ ଚଳିବ ନାହିଁ, ପଛେଇଗଲେ ହବ ନାହିଁ କକେଇ । ବଞ୍ଚିବାକୁ ହେବ । ଲଢ଼ିବାକୁ ହେବ । ପୃଥିବୀ ନିର୍ବାନ୍ଧବ ହୋଇ ନାହିଁ । ଏବେ ବି ଅନେକ ଭଲ ଲୋକ ଅଛନ୍ତି । ଏବେ ବି ନ୍ୟାୟ, ଧର୍ମ ଅଛି । ଭଲ ମନ୍ଦ ତ ଜୀବନର ଦୁଇଟି ଦିଗ । କେହି କାହାଠାରୁ ଅଲଗା ନୁହେଁ । ଯେପରି ଟଙ୍କାର ଦୁଇପାଖ ।

 

ଯୁଧିଷ୍ଠିର କହିଲା, ସବୁ ଜାଣୁଚି, ବୁଝୁଚିରେ ନରୁ । କିନ୍ତୁ ତଥାପି ମନ ଅବୁଝା ହଉଚି । ଦମ୍ଭ ରହୁ ନାହିଁ ।

 

ଦୁଃଖ ସୁଖ ହଉ ହଉ ବାଟ କେତେବେଳେ ସରିଗଲା ଜାଣିହେଲା ନାହିଁ । ଘରେ ପାଦ ଦବାକ୍ଷଣି ଲୀଳାବୋଉ କହିଲା, ବିବାହ ପ୍ରସ୍ତାବ ଭାଙ୍ଗିଗଲା । ମଧ୍ୟସ୍ଥ ମନା କରିଦେଇଗଲେ । ଲୁନା ତମେ ସିନା ଦେଲ ନାହିଁ, ହରିପୁର ନାଏକ ଘର ମୋଟର ସାଇକଲ ଦଉଛନ୍ତି ।

 

ଯୁଧିଷ୍ଠିର ଦାର୍ଶନିକ ପରି କହିଲା, ହଉ, ଭଲ ହେଲା । ତାଙ୍କ ଝିଅଟି ଉଠିଯାଉ । ଭଗବାନ ମଙ୍ଗଳ କରନ୍ତୁ ।

 

ଲୀଳାବୋଉ କହିଲା, ଅକଲ ଥିଲେ ତମେ ଇମିତି କୁହନ୍ତ !

 

ନରୋତ୍ତମ କହିଲା, ସବୁ ଠିକ୍ ହୋଇଯିବ ଖୁଡ଼ୀ । ଟିକେ ଥୟ ଧର । ମୁଁ ଲୀଳା ଲାଗି ପାତ୍ର ଖୋଜିବି ।

 

ଲୀଳା ପଶିଆସୁଥିଲା ଘର ଭିତରକୁ । ନିଜ ବିବାହ ପ୍ରସଙ୍ଗ ପଡ଼ିଥିବାର ଜାଣି ଦଉଡ଼ି ପଳେଇଗଲା ସେଠାରୁ ।

 

ସେ ମନ୍ଦ ଖବରଟା ଜାଣି ନ ଥିଲା ଏଯାଏ ।

 

ଆହା ! ଏଥରକୁ ମିଶେଇ ଚାରି ଜାଗାରେ ଭାଙ୍ଗିଲା ପ୍ରସ୍ତାବ । ଏଇଟା ଟିକେ ଆଗେଇଥିଲା । କିନ୍ତୁ ଅଧାବାଟରେ ରହିଲା ।

 

ଯୁଧିଷ୍ଠିରକୁ ପୁଣି ପାତ୍ର ଖୋଜିବାକୁ ହବ ।

ଲୀଳାକୁ ପୁଣି ଅପେକ୍ଷା କରିବାକୁ ହବ ବାପ ଘରେ ।

କୋଡ଼ିଏ ବର୍ଷ କିଛି ନୁହେଁ ।

ତଥାପି ଝିଅ ଘିଅ ।

 

ବାପା ବୋଉ ମୁଣ୍ଡ ଉପରେ ବୋଝ ହୋଇ କେତେଦିନ ରହିବ ? ଠାକୁର ଏଡ଼େ ନିର୍ଦ୍ଦୟ-! ସବୁ ଗୁହାରୀ ନିଷ୍ଫଳ ହୋଇଯାଉଛି ।

 

ନରୁ ଫିସ୍ ଫିସ୍ କରି କହିଲା, ଲୀଳା କାନରେ ଆଉ ପକେଇବନି ଖୁଡ଼ି !

ଲୀଳାବୋଉ କହିଲେ, କୋଉ ପାପରୁ ଝିଅ ଜନମ ହୁଏ କେଜାଣି !

 

ନରୋତ୍ତମ କହିଲା, ପାପରୁ ନୁହେଁ ପୂଣ୍ୟରୁ । କିନ୍ତୁ ସମାଜଟା ପୁରୁଣା ହୋଇଗଲାଣି । ସମୟକୁ ଚାହିଁ ବଦଳୁ ନାହିଁ । ଲୋକେ ବି ସେଇ କଳଙ୍କିଲଗା ପୁରୁଣା ବ୍ୟବସ୍ଥାକୁ ଜାକିଧରି ବସିଛନ୍ତି । ନୂଆ ବାଟ ଦିଶୁନାହିଁ । ପୁରୁଣାର ମୋହ କଟୁ ନାହିଁ । କିନ୍ତୁ ସମୟ ଆସିବ, ସବୁ ବଦଳିଯିବ.... ।

 

–ସେତେଦିନ ଜୀବନ ଥିଲେ ଏ ଆଖି ଦେଖିବରେ ପୁଅ... । କହିଲା ଯୁଧିଷ୍ଠିର ।

–ସେଇ ସୁଦିନର ଅପେକ୍ଷାକରି ଦୁର୍ଦ୍ଦିନକୁ ପାରି ହୋଇ ଯାଅ କକେଇ । ଆଶା ରଖ ।

 

ଯୁଧିଷ୍ଠିର ଘରୁ ବିଦାୟ ନେଇ ଯିବାବେଳେ ଲୀଳାବୋଉ କହିଲେ, ବାଡ଼ିରେ କାକୁଡ଼ି ଫଳିଛି । ଦୁଇଟା ନେଇଯାଅ ପୁଅ ।

 

ଲୀଳାକୁ କହିଲା ଲୀଳାବୋଉ ।

 

ଲୀଳା କାକୁଡ଼ି ଦୁଇଟା ନରୋତ୍ତମ ହାତକୁ ବଢ଼େଇଦେଇ କହିଲା, ଆଉ କେବେ ଆସିବ ?

 

ନରୋତ୍ତମ କହିଲା, ଆଗ ଖୋଜି ସାରେ, ତା’ ପରେ ଆସିବିନି ?

ଛାଟିପିଟି ହୋଇ ପୁଣି ଦଉଡ଼ି ପଳେଇଗଲା ଲୀଳା ।

 

ଯୁଧିଷ୍ଠିର କହିଲା, ତୁ ରହିଗଲୁ ଯେ ଭଲ ହେଲାରେ ନରୁ । ଅନ୍ଧାର ଘୋଟି ଆସିବାବେଳକୁ ଦୀପଟିଏ ଜାଳିଦବା ପାଇଁ ଲୋକଟିଏ ନ ଥିଲେ ଏ ସଂସାର ରହିବ ନାହିଁ ।

 

ନରୋତ୍ତମ କହିଲା, ତୁମେ ସବୁ ମୋ ପକ୍ଷ ନେଇ ନ ଥିଲେ ଘରଖଣ୍ଡକ ହୋଇଥାଆନ୍ତା-?

 

–ଟାଉଟରଙ୍କ ଯୁଗ ଇଏ । ତୋ ବାପଗୋସେଇଁ ବାପ ଅମଳର କଳାଡିହ । ସେତକ ମାରିନବା ପାଇଁ ବସିଥିଲେ ।

 

–ଇମିତି ହୁଏ କକେଇ । ସେମାନେ ତ ଶେଷରେ ପୁଣି ବୁଝିଲେ ।

–ହଁ । ଗୌତମ ଭାଇ ନ ଥିଲେ କଥାଟା ଖରାପ ଆଡ଼କୁ ଯାଇଥାଆନ୍ତା ।

 

–କିନ୍ତୁ ସେଇ ଘର ଖଣ୍ଡକ ମୁଁ ଛାଡ଼ି ଦଉଛି କକେଇ । ସ୍କୁଲ ହବ ଗାଆଁ ପିଲା ଅନ୍ୟ ଗାଆଁକୁ ଆଉ ଯିବେ ନାହିଁ ।

 

–ଆଉ ତୁ ରହିବୁ କୋଉଠି ? ଆଶ୍ଚର୍ଯ୍ୟ ହୋଇ କହିଲା ଯୁଧିଷ୍ଠିର ।

 

–ମୁଁ ଏକା ଲୋକ । ଗୋଟିଏ କୋଠରୀ ହେଲେ ଚଳିଯିବ । ନବୀନ ମୋ ପାଇଁ କୋଠରୀଟିଏ ଛାଡ଼ି ଦେଇଚି ।

 

–ତୁ ନିଜ ଘର ଛାଡ଼ି ପରଘରେ ରହିବୁ ?

 

ନବୀନ ପର ନୁହେଁ କକେଇ । ତମେ ଅଛ, ନବୀନ ଅଛି । ଗୌତମ ମାଉସା ଅଛନ୍ତି । ଗାଆଁରେ ଏତେ ଲୋକ ଅଛନ୍ତି । ମୋର ଅସୁବିଧା ହବନାହିଁ ।

 

ତା’ ବୋଲି ପୂର୍ବପୁରୁଷର କଳାଡିହ ଛାଡ଼ି ଚାଲିଯିବୁ ? ଇଏତ କଳାଡିହ ନୁହେଁ, ପୁଣ୍ୟଭୂମି । ଏଇ ଭୂମିର ଆକାଶରେ ଆତଯାତ ହୁଅନ୍ତି ପୂର୍ବପୁରୁଷମାନଙ୍କର ଅମର ଆତ୍ମା । ସେମାନେ ଶାନ୍ତି ପାଇବେ ?

 

ସେମାନେ ଶାନ୍ତିରେ ଅଛନ୍ତି କକେଇ । ସେମାନଙ୍କର ବଂଶ ମୋ’ଠାରେ ଶେଷ ହୋଇଗଲେ ପୃଥିବୀର କିଛି କ୍ଷୟବୃଦ୍ଧି ହବନାହିଁ ।

 

ଆଉ ଏ ଅସନା କଥାଗୁରା ତୁଣ୍ଡରେ ଧରନି ନରୁ । କହିଲା ଲୀଳାବୋଉ ।

 

ତା’ ପାଖରେ ପ୍ରହରାଜ ବଂଶ ଶେଷ ହେଲେ କ୍ଷତି କଅଣ ? କୋଟି କୋଟି ଲୋକ ତ ତା ପରେ ବି ଭୋଗ କରିବେ ଏଇ ବସୁନ୍ଧରାକୁ । ଭୋଗ କରିବେ ଏହାର ସମ୍ପଦ, ସୁଖ, ଦୁଃଖ... ।

 

ନରୋତ୍ତମକୁ କିନ୍ତୁ ସୁଖ ଲାଗୁଥାଏ ଯେ ସେ ଘରଡିହ ଖଣ୍ଡିକ ଛାଡ଼ିଦେଲା । ନିଜ ମୁଣ୍ଡଉପରୁ ଉହ୍ଲେଇ ଦେଇପାରିଲା ସମ୍ପତ୍ତିର ବୋଝ । ସେ ବର୍ତ୍ତମାନ ସ୍ୱାଧୀନ । ଜମି କେତେମାଣ ଅଛି । ଟ୍ରଷ୍ଟ କରିଦବ । ସେଇ ଜମିର ଆୟରୁ ସ୍କୁଲ ଚଳିବ । ପାଟ ଧୋବଣୀ ବଞ୍ଚିଥିବା ପର୍ଯ୍ୟନ୍ତ ତାକୁ ସେଥିରୁ ମାସକୁ ତିରିଶ ଟଙ୍କା ଦିଆଯିବ । ତା’ ପରେ ଆଉ କେହି ଅନାଥା, ଅସହାୟା ପାଇବେ ସେଇ ଟଙ୍କା । ବର୍ଷକୁ ହଜାରେ ଟଙ୍କା ଖର୍ଚ୍ଚ ହବ ଚିକିତ୍ସା ବ୍ୟବସ୍ଥା କରିବାପାଇଁ । କେହି ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ପାଇପାରୁ ନ ଥିଲେ ତାକୁ କିଛି ଅର୍ଥ ସାହାଯ୍ୟ ଦିଆଯିବାର ବ୍ୟବସ୍ଥା ରଖାଯାଇଛି ।

 

ନରୋତ୍ତମ ନବୀନ ଘରେ ପହଞ୍ଚିବା ବେଳକୁ ଅନେକ ବେଳ । ତାକୁ ଲାଗୁଥିଲା ସେ ଯେପରି ନୂଆକରି ଜନ୍ମ ହୋଇଚି ପୃଥିବୀରେ । ନୂଆ କରି ସେ ପୁଣି କାମ ଆରମ୍ଭ କରିବ ।

 

ହଠାତ୍ ବିଭୁପଦକୁ ଦାଣ୍ଡଦୁଆରେ ଅପେକ୍ଷା କରୁଥିବାର ଦେଖି ଚକିତ ହୋଇଗଲା କବିତା ।

ଏକା କଲେଜରେ ପଢ଼ୁଥିଲେ । କିନ୍ତୁ ବିଭୁପଦ ଦୁଇବର୍ଷର ସିନିଅର । ତଥାପି ଚିହ୍ନାପରିଚୟ ଥିଲା ।

 

ଏବେ ବିଭୁପଦ ଅଞ୍ଚଳର ନାମକରା ନେତା । ଆଗାମୀ ନିର୍ବାଚନରେ ଏମ୍. ଏଲ୍. ଏ କି ଏମ୍. ପି ହବା ବିଚିତ୍ର ନୁହେଁ । ମନ୍ତ୍ରୀ ହବାର ଯୋଗ୍ୟତା ବି ଅଛି । ଏପରି ଲୋକଙ୍କୁ ଲାଳନ କରିବା ଉଚିତ ବୋଲି କହିଥିଲେ ସରୋଜ ।

 

ଖାଲି ଚାକିରୀ କଲେ ଚଳିବ ନାହିଁ । ଯେଉଁମାନେ କ୍ଷମତାରେ ଅଛନ୍ତି ବା କ୍ଷମତାକୁ ଯିବେ, ସେହିପରି କେତେଜଣଙ୍କୁ ହାତରେ ନ ରଖିଲେ ପୈତୃକ ପ୍ରାଣ ଖଣ୍ଡକ ରହିପାରେ; କିନ୍ତୁ ଚାକିରୀ ଖଣ୍ଡକ ହାତଛଡ଼ା ହୋଇଯିବାର ସମ୍ଭାବନା ଅଛି ।

 

ସରୋଜ ଥିଲେ ସଙ୍ଖୋଳି ଥାଆନ୍ତେ ବିଭୁପଦକୁ । ତଥାପି ଆଗକୁ ଆସି ନମସ୍କାର କରି କହିଲା କବିତା, କେତେବେଳୁ ଆସିଲେଣି ?

 

ବିଭୁପଦ କହିଲା, ପାଞ୍ଚମିନିଟ୍ ହବ କି ନାହିଁ । ସରୋଜବାବୁ ତ ନାହାଁନ୍ତି...କାମ ଥିଲା ।

କବିତା କହିଲା, କାମ ନଥି ଲେ ଆସନ୍ତେନି ବୋଧେ...

 

ବିଭୁପଦ କହିଲା, ‘‘ନା ନା ସେକଥା ନୁହେଁ ଯେ... କହୁ କହୁ କହିଦେଲି । ସରୋଜବାବୁ ନାହାଁନ୍ତି; କିନ୍ତୁ ତୁମେ ଅଛ...

 

କବିତା ତାକୁ ଘର ଭିତରକୁ ଡାକିନେଇ ଡ୍ରଇଁରୁମ୍‌ରେ ବସେଇଲା । ଡ୍ରଇଁରୁମ୍‌ଟି ଛୋଟହେଲେ ବି ସୁନ୍ଦର ଭାବରେ ସଜା ହୋଇଥିଲା । ବିଭୁପଦର ଆଖିରେ ପଡ଼ିଲା ସବୁ । ଯାହାହେଉ କବିତାର ରୁଚିଅଛି ।

 

ଚା ଆଣିବାପାଇଁ କବିତା ଚାଲିଗଲା ଭିତରକୁ ।

 

ସେଣ୍ଟର ଟେବୁଲ ଉପରୁ ‘ସ୍ୱାଗତ’ ମାସିକ ପତ୍ରିକାଟିକୁ ଉଠେଇ ନେଇ ସୂଚୀପତ୍ର ଉପରେ ଆଖି ବୁଲେଇ ଆଶ୍ଚର୍ଯ୍ୟ ହୋଇଗଲା ବିଭୁପଦ ।

 

କବିତା ଯେ ଗପ ଲେଖେ, ଏଇ ପ୍ରଥମ ଜାଣିଲା ସେ । କଲେଜ ଛାଡ଼ିବା ପରେ ସାହିତ୍ୟ ସହିତ ତା’ର କୌଣସି ସମ୍ପର୍କ ନ ଥିଲା । କଲେଜରେ ଅବଶ୍ୟ ଥରେ କବିତା ପ୍ରବନ୍ଧ ଲେଖି ପୁରସ୍କାର ପାଇଥିବାର ମନେଅଛି ତା’ର । ତା’ପରେ ସାତ ବରଷ ବିତିଗଲାଣି । ଏ ଭିତରେ କବିତା ଯେ ଲେଖିକା ଭାବରେ ସ୍ୱୀକୃତ ପାଇସାରିଛି ‘ସ୍ୱାଗତ’ରେ ପ୍ରକାଶ ପାଇଥିବା ଗଳ୍ପ ‘ଅହଙ୍କାର’ ତା’ର ଉଜ୍ୱଳ ଦୃଷ୍ଟାନ୍ତ ।

 

କବିତା ଚା ଓ ଜଳଖିଆ ନେଇ ଆସିବା ବେଳକୁ ପ୍ରାୟ ଗଳ୍ପର ଅଧେ ପଢ଼ିସାରିଥିଲା ବିଭୁପ୍ରଦ ।

 

କବିତା କହିଲା, ହଠାତ୍ ପହଁଞ୍ଚିଗଲେ...ଯାହା ଥିଲା ଆଣିଲି । ସେ ଥିଲେ ଆଉକିଛି ବ୍ୟବସ୍ଥା କରିଥାଆନ୍ତେ ।

 

ପତ୍ରିକା ଉପରୁ ମୁହଁ ନ ଉଠାଇ କହିଲା ବିଭୁପଦ, ତୁମେ ଏତେଦୂର ଅଗ୍ରସର ହେଲଣି...ମୁଁ ଜାଣି ନାହିଁ...‘ତୁମର ଗଳ୍ପ ପଢ଼ୁଥିଲି ।’

 

ଲାଜମିଶା ହସ ଟିକେ ଝରିପଡ଼ିଲା କବିତାର ଓଠରୁ ।

ଆଗ ଚା’ଟା ପିଇ ନିଅନ୍ତୁ । ଥଣ୍ଡା ହୋଇଯିବ ଯେ–କହିଲା କବିତା ।

ନା, ଆଗ ପଢ଼ିସାରେ । ଗଳ୍ପରେ ଏତେ ପ୍ରବାହ ଥାଏ ଏହା ଜାଣି ନ ଥିଲି ଆଗରୁ ।

 

ପତ୍ରିକା ଉପରୁ ଆଖି ନ ଉଠାଇ ‘ସ୍ୱାଗତ’ରେ ଛାପା ହୋଇଥିବା କବିତାର ଗଳ୍ପଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପଢ଼ିଗଲା ବିଭୂପଦ ।

ତା’ପରେ ଆଉ କପେ ଗରମ ଚା ତା’ ଆଗରେ ଥୋଇଦେଇ କହିଲା କବିତା–କିମିତି ଲାଗିଲା ?

ଚା’ରେ ଚୁମୁକ୍ ଦେଇ କହିଲା ବିଭୁପଦ, ଚକତ୍କାର ହୋଇଛି । ଠିକ୍ ଏଇ ଚା ପରି ସୁଆଦିଆ ।

କବିତା କହିଲା, ଜଳଖିଆରୁ କିଛି ଖାଇଲେ ନାହିଁ ଯେ...

ବିସ୍କୁଟ ଖଣ୍ଡେ ଉଠାଇନେଇ କହିଲା ବିଭୁପଦ, ଥାଉ । ଏଇ ଗପ ପରେ ଆଉ ଜାଗା ନାହିଁ ପେଟରେ । ମନ ବି ଭର୍ତ୍ତି । କଂଗ୍ରାଚୁଲେସନସ୍ । ତମେ ଏତେ ସୁନ୍ଦର ଲେଖିପାର ।

–ଆପଣଙ୍କ ପରି ବିଦଗ୍‌ଧ ପାଠକ ଥିଲେ ଲେଖିବାକୁ କଷ୍ଟ ହୁଏନି । ଆପେ ଆପେ ଲେଖି ହୋଇଯାଏ ।

–ବହି ବାହାରିଲାଣି ?

–ନା... ପ୍ରକାଶକ ବାହାରୁ ନାହାଁନ୍ତି ।

 

–ସମସ୍ତେ ଇଡ଼ିଅଟ୍ । ସେମାନେ ପ୍ରକାଶ ନ କରନ୍ତୁ ମୁଁ କରିବି । ତୁମେ ଗପଗୁଡ଼ାକୁ ମୋତେ ଦିଅ... ।

 

–ପନ୍ଦରଟି ପ୍ରକାଶିତ ଗପ ଅଛି ମୋ ପାଖରେ । ତା’ ପରେ ଆଉ ସବୁ ପାଣ୍ଡୁଲିପିରେ । ଏଇ ପନ୍ଦରଟି ଗୋଟିଏ ବହି ପାଇଁ ଯଥେଷ୍ଟ ।

 

–ଭଲ ହେଲା । ମୁଁ ତୁମ ଘରକୁ ଆସିବାର ଲାଭ ହେଲା ଏକ । ବହିର ନାମ କଅଣ ହବ ?

 

–ଏଇ ଗପଟା ଯେତେବେଳେ ଏତେ ଭଲ ଲାଗିଚି, ଏଇ ନାମରେ ବହି ହଉ... ।

 

–ଅଂହକାର । ଭଲ ନାମଟି ତ । ଏହା ଭିତରେ ଅଭିମାନ ଅଛି, ମର୍ଯ୍ୟାଦାବୋଧ ବି ଅଛି । ଆଉ ଅଛି ସ୍ପର୍ଦ୍ଧା... ।

 

–ଆପଣ ସାହିତ୍ୟରେ ଅନର୍ସ ନେଇଥିଲେ । ମଝିରେ ଛାଡ଼ିଦେଇ ନ ଥିଲେ....

 

–ଛାଡ଼ ସେ କଥା । କଲେଜର ସୁନେଲି ଦିନଗୁଡ଼ାକ ଆଉ ଫେରିବ ନାହିଁ । ଫେରିବ ନାହିଁ ସେଇ ସମୟର ସ୍ପନ୍ଦନ ।

 

–ମୋର ମନେପଡ଼ୁଛି ପଛକଥା । ଏଇ ସେଦିନ ପରି ଲାଗୁଚି । କଲେଜ ୟୁନିଅନର ଇଲେକ୍‌ସନରେ ଜିତି ଯୋଉଦିନ ଆପଣ ସେକ୍ରେଟାରୀ ହେଲେ ସେଦିନ ଲେଡ଼ିଜ ହଷ୍ଟେଲକୁ ଆସି ନିଜେ କୃତଜ୍ଞତା ଜଣାଇ ଯାଇଥିଲେ ।

 

–ସବୁ ମନେଅଛି ତୁମର । ମୁଁ ଆଜି ବି ତୁମ ପାଖରେ କୃତଜ୍ଞ । ତୁମେ ସେ ଦିନ ମୋ ରାଜନୈତିକ ଜୀବନର ମୂଳଦୁଆ ପକେଇଥିଲ ।

 

ଟିକେ ଲାଜେଇଗଲା କବିତା ।

 

ବିଭୁପଦ କହିଲା, ଆଜି ଆଉ ମୋର ଅନୁତାପ ନାହିଁ । ମୁଁ କେବଳ ଆଗେଇ ଚାଲିଛି...-

 

ସବୁରି ମୁହଁରେ ଆପଣଙ୍କ ନାମ । ଏତେ ଶୀଘ୍ର ଆପଣ କେତେ ଉପରକୁ ଉଠିଗଲ ।

–ଉପରକୁ ଉଠିଲି ଆଉ କେଉଁଠି ? ଏ ଯାଏ ବିଧାନସଭାକୁ ବି ମାଡ଼ି ନାହିଁ ।

 

–ଏଇ ବାତ୍ୟା, ବନ୍ୟା ପରେ ବିଧାନସଭାକୁ ଯିବାର ରାସ୍ତାଟା ସହଜ ହୋଇଗଲା । ଆଉ କେହି ଅଟକାଇ ପାରିବେ ନାହିଁ ।

 

-ରାଜନୀତିରେ ନିଜକୁ ଲୋକଙ୍କ ଭିତରେ ଚାଲୁରଖିବାକୁ ହୁଏ । ଅଚଳ ନାମ ଚଳେ ନାହିଁ ରାଜନୀତିରେ । ନମଟା ପ୍ରତିଦିନ ଲୋକଙ୍କ ମୁହଁରୁ ଶୁଣିବାକୁ ଭଲ ଲାଗେ, ଖବରକାଗଜ ପୃଷ୍ଠାରୁ ପଢ଼ିବାକୁ ଭଲ ଲାଗେ... ।

 

–ଆପଣଙ୍କ ନାମ ତ ଅନେକ ପଢ଼ୁଚି ଖବରକାଗଜରେ । ଅବଶ୍ୟ କାମ ବି କରୁଛନ୍ତି ଯେ ଏତେ... ।

 

–ତୁମର ପ୍ରଶଂସା ପାଇଁ ଧନ୍ୟବାଦ । କିନ୍ତୁ ତଥାପି ସମସ୍ତଙ୍କୁ ସନ୍ତୁଷ୍ଟ କରିହୁଏ ନାହିଁ । ଦଳେ କୁହନ୍ତି ଯେ ମୁଁ କୁଆଡ଼େ ନିଜ ହାତ ଚିକ୍‌କଣ କରିବାପାଇଁ ଦେଶ ସେବା କରୁଚି ।

 

–ନିନ୍ଦୁକମାନଙ୍କର ଦୃଷ୍ଟି କୁଆର ଦୃଷ୍ଟି ପରି । ଭଲ ଜିନିଷ ଦେଖାଯାଏନି ସେମାନଙ୍କ ଆଖିକୁ । ରାଜନୀତି ନ କରି ଯଦି ଶିଳ୍ପଟିଏ କରିଥାଆନ୍ତେ କି ଚାକିରୀଟିଏ କରିଥାଆନ୍ତେ ଆପଣଙ୍କ ଉନ୍ନତିକୁ କେହି ବନ୍ଦ କରି ପାରି ନ ଥାନ୍ତେ ।

 

–ଦେଶସେବା ସହିତ ରାଜନୀତି ଜଡ଼ିତ । ଗୋଟିକୁ ଛାଡ଼ି ଆଉ ଗୋଟିଏ ସମ୍ଭବ ନୁହେଁ-। ଦେଶସେବା କରିବାପାଇଁ ମୁଁ ରାଜନୀତିରେ ପଶିଚି, ରାଜନୀତି କରିବାପାଇଁ ଦେଶ ସେବକ ସାଜି ନାହିଁ ।

 

–ଭଲ କରିଛନ୍ତି । ସେ ବି ସେଇ କଥା କୁହନ୍ତି । ଆପଣଙ୍କର ନାମ ଅଛି, ଯଶ ବି ବଢ଼ୁଚି-। ଆପଣ ଠିକ୍ ପାରିବ ।

 

ଖୁସି ଲାଗୁଥାଏ ବିଭୁପଦକୁ । ସେ ତା’ ହେଲେ ଆଉ କର୍ମୀ ହୋଇ ରହି ନାହିଁ । ତା’ ଅଜ୍ଞାତରେ ତାକୁ ଲୋକେ ନେତା ଭାବରେ ଗ୍ରହଣ କରି ନେଇ ସାରିଛନ୍ତି । ନେତୃତ୍ୱ ତା’ ହାତକୁ ଚାଲି ଆସିଛି ।

 

କବିତା କହିଲା, ଇଏ ତ ମୁହଁ ଖୋଲି କାହାକୁ କିଛି କହିବେ ନାହିଁ । କିଏ ସବୁ ଖଚମିଛ କହିଥିବେ, ନ ହେଲେ ବଦଳି ଅର୍ଡ଼ର ହୁଅନ୍ତା କାହିଁକି ?

 

ସଳଖ ହୋଇ ବସି କହିଲା ବିଭୁପଦ, ଯିମିତି ବଦଳି ଅର୍ଡ଼ର ହୋଇଚି ସିମିତି କ୍ୟାନ୍‌ସେଲ ଅର୍ଡ଼ର ବି ହବ । ମୁଁ ତ ସରୋଜ ବାବୁଙ୍କୁ କହିସାରିଚି । ମୁଁ ଉପରେ କହିସାରିଚି । ଇଏ ଏ ଅଞ୍ଚଳରୁ ଗଲେ ସବୁ ଡେଭେଲପମେଣ୍ଟ କାମ ବନ୍ଦ ହୋଇଯିବ ।

 

–ଦିନରାତି ତ ଦଉଡ଼ୁଚନ୍ତି । ଏତେ କାମ କୋଉଠିଥାଏ କେଜାଣି ବିଭୁପଦକୁ ଚାହିଁ କହିଲା କବିତା ।

 

ବିଭୁପଦର ଚକ୍ଷୁରେ ତାରକା ବୁଲିଆସିଲା କବିତାର ଚାରିପାଖରେ । ବିଚିତ୍ର ସେଇ ଦୃଷ୍ଟି । ମଧ୍ୟାହ୍ନ ସୂର୍ଯ୍ୟର ଝଲକାଏ ଆଲୋକ ଗୋଟିଏ ବିନ୍ଦୁରେ ଯେପରି ମୂର୍ତ୍ତି ହୋଇଉଠିଲା ।

ଅନୁସନ୍ଧାନ ଆରମ୍ଭ କରି କହିଲା ବିଭୁପଦ, ସରୋଜବାବୁଙ୍କ କହିବ ଏତେ ଦଉଡ଼ାଦଉଡ଼ି କରି ଦେହଟାକୁ ନଷ୍ଟ କରନ୍ତୁ ନାହିଁ ।

–ସିଏ ଶୁଣିବେ ମୋ କଥାହିଁ ଚାକିରୀ ତାଙ୍କର ପ୍ରଥମ ପତ୍ନୀ । ମୁଁ ଦ୍ୱିତୀୟ... ।

ହୋ ହୋ କରି ହସିଉଠିଲା ବିଭୁପଦ ।

କବିତା ବି ଯୋଗଦେଲା ସେଇ ହସରେ ।

ତା’ ପରେ ବିଭୁପଦ-କହିଲା, ଗୋଟେ ଗପ ଲେଖ ସରୋଜ ବାବୁଙ୍କ ଉପରେ... ।

–ତାଙ୍କୁ ମୋ ଗପ ପଢ଼ିବାପାଇଁ ସମୟ କାହିଁ ?

–ବଡ଼ ଅନ୍ୟାୟ କଥା । ଘରେ ଲେଖିକା ସ୍ତ୍ରୀ । ଏହାଠାରୁ ଆଉ ବଡ଼ ଗର୍ବର ବିଷୟ କିଛି ଥାଇ ନ ପାରେ ।

–କିନ୍ତୁ ସେ ଅନ୍ୟରକମର କୁହନ୍ତି । ଲେଖକମାନେ କଳ୍ପନାବିଳାସୀ, ବାସ୍ତବତା ସହିତ ସେମାନଙ୍କର ସମ୍ପର୍କ ନାହିଁ । ଆକାଶରେ ଘର କରିହୁଏ ନାହିଁ ।

–କିନ୍ତୁ କଳ୍ପନା କରିବାକୁ ଭଲ ଲାଗେ । ଭଲ ଲାଗେ ଆକାଶରେ କୋଠା ତୋଳିବା ପାଇଁ । ଆହୁରି ଭଲ ଲାଗେ ବାସ୍ତବ ଜଗତରେ କୋଳାହଳ ଭିତରେ ଆଉ ସ୍ୱର ଜଗତରେ ସ୍ୱର ଶୁଣିବା ପାଇଁ, ନିଜ ଭିତରେ ଆଉ ଗୋଟିଏ ଚରିତ୍ରର ସ୍ପନ୍ଦନ ଅନୁଭବ କରିବାପାଇଁ ।

–ଆପଣ କବି ହୋଇପାରି ଥାଆନ୍ତେ । ସେ ପ୍ରତିଭା ଅଛି ।

–କବି ହବାର ସମୟ ଅତିକ୍ରାନ୍ତ ହୋଇଯାଇଛି କବିତା ?

 

ବିଭୁପଦ ଇମିତି ସୁନ୍ଦର ଭାବରେ କହିଲା ଯେ ମୁଗ୍‌ଧ ହୋଇଗଲା କବିତା । ସୁଯୋଗ ସବୁବେଳେ ଆସେ ନାହିଁ । ଦୁର୍ଲଭ ଏହାର ଆଗମନ ।

 

କବିତା କହିଲା, ନା, ନା... । ନେତା ଆଉ କବି ଉଭୟଙ୍କର ଗୋଟିଏ ବିଶେଷତ୍ୱ ଅଛି । ଅନୁଭୂତି । ଜୀବନକୁ ଅନୁଶୀଳନ କରିବା । ପରିବେଶକୁ ପର୍ଯ୍ୟବେକ୍ଷଣ କରିବା, ଅନୁଶୀଳନ ଭିତରୁ ଆସେ ଉପଲବ୍‌ଧି । ସେଇ ଉପଲବ୍‌ଧି ସହିତ ଆବେଗର ସଂମିଶ୍ରଣ ତ କବିତା, ଗଳ୍ପ, ଉପନ୍ୟାସ... ।

 

–ଠିକ୍ କହିଚ । ସେଥିପାଇଁ ଗୋପବନ୍ଧୁ ଏକାଧାରରେ ଦେଶସେବକ, ନେତା ଏବଂ କବି । ସେଥିପାଇଁ... ।

 

ବାଧ ପଡ଼ିଲା ଆଲୋଚନାରେ ।

 

ପିଅନ ଆସି କହିଗଲା । ସାହେବ ଖାଇବାପାଇଁ ଆସିବେ ନାହିଁ । କଟକରୁ ବଡ଼ ସାହେବ ଆସିଚନ୍ତି । ଆଇ. ବି ରେ ବ୍ୟବସ୍ଥା ହୋଇଚି ।

 

ବିଭୁପଦ କହିଲା, ସରୋଜ ତା’ ହେଲେ ଫେରୁ ନାହାନ୍ତି । ତାଙ୍କ ସାଙ୍ଗରେ ତୁମ ଘରେ ଆଉ ଦେଖାହୋଇ ପାରିଲା ନାହିଁ ।

 

କବିତା କହିଲା, ଏଇ ଖରାରେ କୁଆଡ଼େ ବାହାରିଚନ୍ତି ଯେ... । କାମ ତ ଲାଗି ରହିଥିବ... । ଟିକେ ବିଶ୍ରାମ କରନ୍ତୁ । ଖାଇସାରି ବେଳ ଗଡ଼ିଲେ ଯିବେ... ।

 

ବିଭୁପଦ କହିଲା, ତୁମକୁ କଷ୍ଟ ଦବାହିଁ ସାରହେବ ।

 

–ନା ନା କଷ୍ଟ କଅଣ ? ଏତେଦିନ ପରେ ଆସିଚନ୍ତି । ରହି ଯାଆନ୍ତୁ । ବେଶ୍ ଗପ ଜମିବ । ଆପଣଙ୍କ ମୁହଁରୁ ଆହୁରି ଅନେକ ଶୁଣିବାପାଇଁ ଅଛି ଯେ... ।

 

ବିଭୁପଦର ଅନ୍ତର୍ଭେଦୀ ଦୃଷ୍ଟି ପହଁରି ଆସିଲା କବିତାର ମୁହଁରୁ ଅଣ୍ଟା ପର୍ଯ୍ୟନ୍ତ ।

ବିଭୁପଦ ବହୁ ବ୍ୟସ୍ତତାର ଛଳନା ଦେଖାଇ ଶେଷରେ କିନ୍ତୁ ରହିଗଲା ସେଠାରେ ।

 

ମଧ୍ୟାହ୍ନର ଆଖିର ଦୃଷ୍ଟି ଖୁବ୍ ତୀବ୍ର, ଖୁବ୍ ଉଷ୍ମ । ସେଥିପାଇଁ ପୃଥିବୀ ସେହି ଦୃଷ୍ଟିର ଜ୍ୱାଳା ସହ୍ୟ କରି ନ ପାରି ଟିକେ ଘୁମେଇପଡ଼େ । ଦେହରୁ ଝାଳ ପୋଛି କଡ଼ ନେଉଟାଏ ମଣିଷ ।

 

କାର୍ତ୍ତିକରେ ପାଟକୁ ଚାହିଁଦେଲେ ପେଟ ପୁରିଯାଏ । ଧାନଗଛର ଫୁଲରେ ମହକିଉଠେ ଚତୁର୍ଦ୍ଦିଗ । ବର୍ଷକର ଶ୍ରମର ଫଳ, ସର୍ବତ୍ର ଦେଖି ଆତ୍ମହରା ହୁଏ କୃଷକ । ଧାନଗଛର ଗର୍ଭ ଚିରି ଧାନ ଶିଷା ବାହାରିବାର ଦୃଶ୍ୟରେ ହସିଉଠେ ଦିଶଦିଗ ।

 

ସେଇ ହସର ଲହରୀ ଆଉ ଶୁଭୁ ନାହିଁ । ନଦୀ କୂଳରେ, କେନାଲ ତୁଠରେ ବା ପାଟ ମଝିରେ ।

 

ସବୁଜର ରାଜତ୍ୱ ଶେଷ ହୋଇଯାଇଛି ।

 

ବିଭୁପଦର କିନ୍ତୁ କିଛି ଯାଏ ଆସେ ନାହିଁ । ସେ ପ୍ରାକୃତିକ ବିପର୍ଯ୍ୟୟକୁ ସ୍ୱାଗତ କରେ । ଦୁର୍ଜେୟ ସଙ୍କଟକୁ ଅଭିନନ୍ଦନ ଜଣାଏ ।

 

ଦୁର୍ଯ୍ୟୋଗ ଭାଗ୍ୟଲିପି ଲିଭାଏ ନାହିଁ ସଦାବେଳେ, ବେଳେ ବେଳେ ସୁଯୋଗ ଆଣିଦିଏ, ସୌଭାଗ୍ୟ ସୃଷ୍ଟି କରେ ।

 

ମରୁଡ଼ିର ବୋଝ ବୋହି ନ ପାରି ଧଇଁ ପେଲୁଥିବା ଲୋକର ମୁହଁକୁ ଅନେଇ ସେ ଆଶ୍ୱାସନା ଶୁଣାଏ, ବଞ୍ଚିବାର ଫର୍ଦ୍ଦ ତିଆରି କରେ ।

 

ତା’ ମୁହଁକୁ ହାଁ କରି ଅନାନ୍ତି ଲୋକେ ।

 

ବିଭୁପଦ କହେ–ଦମ୍ଭଧର, ମନରେ ବିଶ୍ୱାସ ରଖ । ଦୁର୍ଦ୍ଦିନ ଚାଲିଯିବ । ନିର୍ମେଘ ହବ ଭାଗ୍ୟାକାଶ । ତୁମ କଥା ଭାବିବା ପାଇଁ ଅନ୍ୟ ଲୋକ ବି ଅଛନ୍ତି । ଗୋପବନ୍ଧୁ ସିନା ନାହାନ୍ତି ତାଙ୍କର ପୂଣ୍ୟଫଳରୁ ଅନେକ ଗୋପବନ୍ଧୁ ଜନ୍ମଗ୍ରହଣ କରିଚନ୍ତି ଓଡ଼ିଶା ମାଟିରେ । ଭୋକରେ କାହାକୁ ମରିବାକୁ ଦିଆଯିବ ନାହିଁ । କେହି କ୍ଷୁଧାରେ ବିନିଦ୍ର ରଜନୀ ଅତିବାହିତ କରିବେ ନାହିଁ ।

 

ଯେଉଁ କେତେଜଣ ଲୋକ ତା’ ସହିତ ସାକ୍ଷାତ୍‍ କରିବାକୁ ଆସିଥିଲେ ସେମାନଙ୍କୁ ଆଶ୍ୱାସନା ଦେଇ ଆଶାବାଡ଼ି ଧରେଇ ପଠେଇଦେଲା ବିଭୁପଦ ।

 

କବିତା ତା’ର ଦକ୍ଷତା ଦେଖି ମୁଗ୍‌ଧ ହୋଇଗଲା । ଏହାଙ୍କୁ କହନ୍ତି ନେତା ।

ସେ ବିଭୁପଦ ପାଖରେ ବସିପଡ଼ି କହିଲା, ଆପଣଙ୍କର ଭବିଷ୍ୟତ ବି ଏଇ ମଧ୍ୟାହ୍ନ ପରି ନିଶ୍ଚିତ, ଉଜ୍ୱଳ ।

ଟିକେ ହସିଲା ବିଭୁପଦ । କିଛି କହିଲା ନାହିଁ ।

ମଧ୍ୟାହ୍ନର କେରାଏ ଆଲୁଅ ପଡ଼ିଥିଲା କବିତାର ମୁହଁ ଉପରେ ।

ମଧ୍ୟାହ୍ନରେ ସକାଳର ଫୁଲ ପରି ବିକଶିତ ହେଉଥିଲା କବିତା ।

ବିଭୁପଦ ବିଦାୟ ନବାକୁ ଉଠି କହିଲା, ଆଜିଯାଏ, ଆଉ ଦିନେ ପୁଣି ଆସିବ... । କେତେ ଲୋକ ଅପେକ୍ଷା କରିଥିବେ ।

କବିତା କହିଲା, ଆପଣଙ୍କୁ ଏତେ ଲୋକ ଅପେକ୍ଷା କରନ୍ତି, ଆପଣ କାହାର ଅପେକ୍ଷା କରନ୍ତି ନାହିଁ ?

ତା’ ମୁହଁକୁ ଚାହିଁଲା ବିଭୁପଦ ।

ସାତବର୍ଷ ତଳେ କଲେଜ ପଡ଼ିଆରେ ଛାଡ଼ି ଆସିଥିବା ବାନ୍ଧବୀର ଆମନ୍ତ୍ରଣ ଆଉ ଥରେ କବିତାର ଆଖିର ଭାଷାରେ ପଢ଼ିଲା ବିଭୁପଦ ।

ସମୟ ସେହିପରି ଅଛି ।

ପୃଥିବୀ ବଦଳି ନାହିଁ ।

 

ହଠାତ୍ ବିଭୁପଦ ଆଗରେ ଜାତୀୟ ରାଜପଥ ପରି ଲମ୍ବିଗଲା ନୂତନ ଜୀବନ ପଥ ।

 

ସେ ପାଦ ବଢ଼େଇବା ଆଗରୁ କହିଲା, ସେ ଅପେକ୍ଷାର ଅନ୍ତ ନାହିଁ । ସେଠାରେ କେବଳ ଅନ୍ତଃହୀନ ବିସ୍ତାରିତ ଅପେକ୍ଷା ।

 

ବିଭୁପଦର ଜିପ୍ ଖଣ୍ଡକ ଅଦୃଶ୍ୟ ହୋଇଯିବା ପରେ ମଧ୍ୟ ପୋଡ଼ା ପେଟ୍ରୋଲର ଗନ୍ଧ ଲାଗି ରହିଥିଲା ପବନରେ ।

 

ସେଇ ଗନ୍ଧରୁ ଆଉ ଏକ ଆମୋଦ ପାଇଲା କବିତା ।

 

ଭରତ ପାଟଯୋଶି କୋଷ୍ଠି ଗଣନା କରିସାରି କହିଲେ, ରାଜଯୋଗ । ଝିଅର ରାଜରାଣୀ ହବାର ଯୋଗ ଅଛି ।

ଗୌତମ ଜେନାଙ୍କର ମନଟା ନରମି ଆସିଲା । ଜିଦ୍‌କରି ବିବାହ ପ୍ରସ୍ତାବଟାକୁ ଭାଙ୍ଗିଦେଲେ ଆଉ କାହାର କ୍ଷତି ହେବ ନାହିଁ, ହବ ତାଙ୍କର ।

ସରଳାଙ୍କୁ ଡାକି ପଠେଇଲେ ଭିତରୁ ।

ସରଳା ପାଟଯୋଶିଙ୍କ ମୁହଁକୁ ଅନେଇ କହିଲେ, ଚାଷ ଉପରେ ନିର୍ଭର ନ କରି ଚାକିରୀ କରୁଥିଲେ କିଛି କହନ୍ତି ନାହିଁ । ଝିଅ ଆଉ ସହରର ମୁହଁ ଦେଖିପାରିବ ନାଇଁ । ଗାଆଁରେ ଚୂଲି ଜାଳି ଜୀବନ ବିତେଇଦବ ।

ଭରତ ପାଟଯୋଶି କହିଲେ, ଆଜି ସିନା ଏଇ କଥା କହୁଚ ଭାଉଜ, ପାଞ୍ଚଟା ବର୍ଷପରେ ଆଉ ଚିହ୍ନିପାରିବ ନାହିଁ ବିଭୁପଦକୁ । ସିଡ଼ି ପଡ଼ିଚି ତା’ ଆଗରେ । ସେ ଉଠିଲେ ହେଲା !

ଆକାଶ କଇଁଆ ଚିଲିକା ମାଛ କେବେ ସେ ସିଡ଼ିରେ ଉଠିବ କିଏ ଜାଣେ ?

ଚାକିରିଆ ସିଡ଼ି ଉଠେ ପାହୁଚ ପାହୁଚ କରି । ନେତାଏ ଉଠନ୍ତି ଦୁଇ, ତିନି, ଚାରି ପାହୁଚ କରି । ଚାକିରିଆର ଜୀବନ ଦାଣ୍ଡକିରି ମାଛ । ନେତା ଦଳେଇ ଗଣ୍ଡର ରୋହୀ, ଭାକୁର ପରି । ମୋ ସାନକୁହା ମାନ । ମାନିଯାଅ ।

ଗୌତମ କହିଲେ, ଆଉ ଟିକେ ଭାବିବାକୁ ଦେ ଭରତ । ସମୟ ଯଥେଷ୍ଟ ଅଛି ହାତରେ-। ବାହାଯୋଗ ଯେତେବେଳେ ଫିଟିଚି କୋଉଠି ନା କୋଉଠି ହବ ନିଶ୍ଚୟ ।

ଭରତ ପାଟଯୋଶି କହିଲେ, ବିଚାର କରି ମୋତେ ଜବାବ ଦେଲେ ମୁଁ ହରି ବାବୁଙ୍କୁ କହିବି । ଗୋଟିଏ ବୋଲି ପୁଅ ତ । ସେ ଏମ୍.ଏଲ୍.ଏ ରେ ରହିଗଲେ । ଏତକ ଉପରକୁ ଉଠିବା ପାଇଁ ଜିଅଲ ଯାଇଥିଲେ, ମାଡ଼ ଗାଳି ଖାଇଥିଲେ । ଏବେ ସ୍ୱାଧୀନତା ସଂଗ୍ରାମୀ ପେନ୍‌ସନ୍ ପାଆନ୍ତି ଘରେ ବସି । ତମ୍ବାପଟା ଖଣ୍ଡକ ଦୁଇବର୍ଷ ତଳେ ରାଜ୍ୟପାଳ ନିଜେ ଦେଇଥିଲେ । ସ୍ୱାଧୀନ ଦେଶର ଏମ୍.ଏଲ୍.ଏ ହବାପାଇଁ ଜିଅଲ ଯିବାକୁ ହୁଏ ନାହିଁ କି ଜୋରିମାନା ଦବାକୁ ପଡ଼େ ନାହିଁ । ନେତାର ପୁଅ ନେତା । ସେ ଏମ୍.ଏଲ୍.ଏ ଥିଲେ ଇଏ ମନ୍ତ୍ରୀ ହବ... ।

ସରଳା କହିଲେ, ଇଏ ବି ସେଇ କଥା କହୁଚନ୍ତି । କିନ୍ତୁ ଅଦୃଷ୍ଟ କଥା କିଏ କହି ପାରିବ-?

ଭରତ ପାଟଯୋଶି ପାଞ୍ଜିଖଣ୍ଡକ ଥଳିରେ ଭର୍ତ୍ତିକରି କହିଲେ, ମୁଁ ଉଠିଲି । କିଛି ନିଷ୍ପତ୍ତି ହେଲା ନାହିଁ । ତାଙ୍କୁ କଅଣ କହିବି ଭାଉଜ ?

ଗୌତମ କହିଲେ, ଟିକେ ସମୟ ନେ ଭରତ । ସବୁକଥା ଚିନ୍ତା କରିବାପାଇଁ ଟିକେ ସମୟ ଦରକାର ।

ଭରତ କହିଲେ, ତା’ ଅବଶ୍ୟ ସତ... । ଝିଅ ବାହାଘର ବା ପୁଅ ବାହାଘର ଯୋଉ କଥା ହଉ ପଛକେ ଭାବିଚିନ୍ତି ସ୍ଥିର କରିବା ଉଚିତ । ତମେ ଚିନ୍ତାକର ତମ ଭାଇ । କିନ୍ତୁ ମୁଁ କହି ରଖୁଚି ଏପରି ପ୍ରସ୍ତାବ ସହଜରେ ଆସେ ନାହିଁ ।

ଭରତ ପାଟଯୋଶି ଚାଲିଯିବା ପରେ ଗୌତମ ମନକୁ ମନ ଭାବିଲେ ପୁଣି । ଭରତ ମିଛ କହିନାହିଁ । ହରିପଦ ଅଧିକାରୀ ସାମାନ୍ୟ ଲୋକ ନୁହଁନ୍ତି । ତାଙ୍କ ପୁଅ ବି ମୂର୍ଖ ନୁହେଁ; ବି.ଏ ପଢ଼ିଚି । ପାସ୍ ଫେଲ୍‌ଟା ଏଠାରେ ବଡ଼ ପ୍ରଶ୍ନ ନୁହେଁ, ବଡ଼ ପ୍ରଶ୍ନ ଝିଅ କୋଉଠି ସୁଖରେ ରହିବ । ଶକୁନ୍ତଳା ପରି ଝିଅଟିଏ ଯାହା ଘରକୁ ବୋହୂ ହୋଇ ଯିବ, ଉଜ୍ୱଳ ଦିଶିବ ତା’ଘର ।

 

କିନ୍ତୁ ତାଙ୍କ ଘର ଅନ୍ଧାର ହୋଇଯିବ ।

 

ଝିଅ ଓ ପୁଅ ଉଭୟ ସେ । ତାହାରି ମୁହଁକୁ ଚାହିଁ ଦିନ ଆରମ୍ଭ ହୁଏ, ତାହାରି ମୁହଁ ଦେଖି ଶୋଇବାକୁ ଯାଆନ୍ତି ଗୌତମ । ଖୁବ୍ ଗେହ୍ଲାରେ ବଢ଼ିଛି । ତାଙ୍କ ଆଖିରେ ତାର ବୟସ ବଢ଼ୁନାହିଁ, ସେ ଅଲିଅଳୀ ସାତବରଷର ଝିଅଟିଏ । କିନ୍ତୁ ହଠାତ୍ ତାଙ୍କୁ ମନେପକେଇ ଦେଇ ଭରତ ଯୋଉଦିନ ପ୍ରସ୍ତାବ ଦେଲେ ବିବାହର, ସେଦିନ ସେ ପୁଣି ଅନେଇବା ବେଳକୁ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଯେ ତାଙ୍କର ଦୃଷ୍ଟିର ଆଢ଼ୁଆଳରେ ଅନେକ ବଡ଼ ହୋଇଯାଇଚି ଶକୁନ୍ତଳା । ସେ ଆଉ ଛୋଟ ଝିଅଟିଏ ନୁହେଁ କି ଚପଳା କିଶୋରୀଟିଏ ନୁହେଁ; ସେ ତରୁଣୀ କନ୍ୟା । ତା’ ଦିହରେ ଜଗତର ସବୁ ଲାବଣ୍ୟ ଲୀଳା କରୁଛି ।

 

ସେଇଦିନୁ ସତରେ ଝିଅର ଚିନ୍ତା ଘାରିଲା ତାଙ୍କୁ । ଏଯାଏ ସରଳାଙ୍କ କଥାକୁ ଫୁଟୁକିମାରି ଉଡ଼େଇ ଦଉଥିଲେ ସେ । ଏବେ ତାଙ୍କୁ ପାଖରେ ବସେଇ କହିଲେ, ଚାହୁଁ ଚାହୁଁ ଶକୁ କେଡ଼େ ବଡ଼ ହୋଇଯାଇଛି ଦେଖିଚ ।

 

ସାରଳା କହିଲେ, ସେଇ କଥା ମୁଁ କେତେଥର କହିଛି; କିନ୍ତୁ ତୁମେ ମାନୁ ନ ଥିଲ । ଏବେ ବାହାର ଲୋକେ କଅଣ ଭାବନ୍ତି ଶୁଣିଲ ତ ! ଝିଅ ଘିଅ । ସବୁଦିନପାଇଁ ସେ ଆମଘରେ ରହିବ ନାହିଁ ।

 

ଗୌତମ କହିଲେ, କିନ୍ତୁ ତାର ବି ଗୋଟେ ମନ ଅଛି, ବିଚାର ବୁଦ୍ଧି ଅଛି । ତାକୁ ପଚାର...ତରତର ହୋଇ କିଛି କରିବା ଭଲ ହବ ନାଇଁ ।

 

ସେ ସ୍ପଷ୍ଟକରି କିଛି କୁହେ ନାହିଁ । କିନ୍ତୁ ନିରୋତ୍ତମଙ୍କୁ ଦେଖିଲେ ସେ କିମିତି ଫୁଲିଉଠେ ତମ ଆଖିରେ ପଡ଼ିଥିବ ନିଶ୍ଚୟ... ।

 

ଗୌତମ ଚିନ୍ତାରେ ପଡ଼ିଗଲେ ।

 

ଚାଳଚୂଲି ନ ଥିବା ନିରୋତ୍ତମ ଖାଣ୍ଟି ମଣିଷଟିଏ । ଶହେଲୋକ ମେଳରେ ବାରିହୋଇ ପଡ଼ିବ । ବିଦ୍ୟାବୁଦ୍ଧି ଅଛି । କିନ୍ତୁ ସଂସାର ଜ୍ଞାନ ନାହିଁ । ପୈତୃକ ସମ୍ପତ୍ତି କମ୍ ନ ଥିଲା । ସବୁ ଟ୍ରଷ୍ଟ କରିଦେଇ ଏବେ ନିଗୃହୀତ କରୁଛି ନିଜକୁ । ଇଏ ରାଜନୀତି ନୁହେଁ କି ଦେଶସେବା ନୁହେଁ । ନିଜର ସମ୍ପତ୍ତି ବାଣ୍ଟିଦେଇ ଚାରିପାଖର ଦୁଃଖଦୈନ୍ୟକୁ ପୋଛିଦେଇ ହୁଏ ନାହିଁ । ନିଜେ ନିଃସ୍ୱ ହୋଇ ଯିବାଦ୍ୱାରା ପୃଥିବୀର ସୁଖ ସମ୍ପତ୍ତି ବଢ଼ିଯିବ ନାହିଁ ।

 

ସେଥିପାଇଁ ବେଳେ ବେଳେ ନରୋତ୍ତମର ଭଲ ଗୁଣଗୁଡ଼ାକ ତାଙ୍କ ଆଖିରେ ପଡ଼େ ନାହିଁ । ସେ ମନକୁ ମନ କୁହନ୍ତି, ପାଗଳଟିଏ । ଏଇ ସଂସାରରେ ଚଳିବା ପାଇଁ ଟିକେ ଆସକ୍ତି ଦରକାର, ଟିକେ ଲୋଭ ରହିବା ଭଲ ।

 

ସରଳା କହିଲେ, ତୁମେ ଚିନ୍ତାକର । ମୁଁ ସୁବିଧା କରି ବୁଝିନେବି ତା’ ପାଖରୁ । କିନ୍ତୁ ବିଭୁ କଅଣ କରେ, କୁଆଡ଼େ ଯାଏ ସେ ସମ୍ପର୍କରେ ଖବର ନିଅ । ତରତର ହୋଇ କିଛି କରନାହିଁ-

 

ସରଳା ଚାଲିଗଲେ ଖଞ୍ଜା ଭିତରକୁ । ରାଜ୍ୟର କାମ ବାକୀ ପଡ଼ିଛି । ନୂଆ ହୋଇ ପୁଣି ସେ ସଂସାର ଆରମ୍ଭ କରିଛନ୍ତି ଯେପରି । ଘରଟିଏ ଭାସିଯାଇ ନାହିଁ ଯେ କଳାକନା ବୁଲେଇ ଦେଇଛି । ନୂଆକରି ସବୁ ଆରମ୍ଭ କରିବାକୁ ହଉଚି । ଚୂଲି, ଭାତହାଣ୍ଡିଠାରୁ ଆରମ୍ଭକରି ଠାକୁରଘରେ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ରଙ୍କ ମୂର୍ତ୍ତିସ୍ଥାପନ କରିବା ପର୍ଯ୍ୟନ୍ତ ସବୁ ନୂଆ କରି କରିବାକୁ ହେଲା । ବାଡ଼ିଟାରେ ଖାଲି ହୋଇ ଯାଇଥିଲା । ନୂଆଘରକୁ ଉଠି ଆସିବା ପରେ ଲାଉ, କଖାରୁ, ବାଇଗଣ ଓ ଭେଣ୍ଡି ମଞ୍ଜି କେତୋଟି ପୋତି ଦେଇଥିଲେ । ଗଛସବୁ ବଡ଼ ହେଲେଣି । ଗଛସବୁ ଫୁଲ ଓ କଷିରେ ଭର୍ତ୍ତି । ଫଳନ୍ତି ଗଛ ପରି ସଫଳ ମଣିଷ । ସେ ଏକା ନୁହେଁ । ତା’ ଚାରିପାଖରେ ସ୍ତ୍ରୀ ପୁଅ, ଝିଅ, ପଡ଼ୋଶୀ... । ଗଛର ଫୁଲଫଳ ପରି ସଂସାରର ଶୋଭା ବି ବଢ଼େ ସେମାନେ ଥିଲେ ।

 

ଗୌତମଙ୍କ ମନ ଅସ୍ଥିର ହେଲେ, କୌଣସି ସିଦ୍ଧାନ୍ତ କରି ନ ପାରିଲେ ଭାଗବତ ପଢ଼ନ୍ତି-। ସବୁ ତାଙ୍କରି ଲୀଳା । ସେ ଯାହା କରିବେ ହବ, ମଣିଷ ନିମିତ୍ତ ମାତ୍ର ।

 

ଉଦ୍ଧବ ପରି ଏତେ ବଡ଼ ଭକ୍ତ ବି ତାଙ୍କୁ ଚିହ୍ନି ନ ପାରି ଖୋଜିଲା । କିନ୍ତୁ ସେ ତ ସର୍ବମୟ-। ସର୍ବତ୍ର ବିରାଜିତ । ସେ ରଥ ଉପରେ, ସିଏ ଶଗଡ଼ ଉପରେ, ସିଏ ପୁଣି ପାଣି ଭିତରେ ସିଏ ସର୍ବତ୍ର । ସେ ଥାଉଁ ଥାଉଁ ଏତେ ଭାବି ଲାଭ କଅଣ ? ସେ କିଛି ନା କିଛି କରିବେନି !

 

ଦାଣ୍ଡରେ କୋଳାହଳ ଶୁଣାଗଲା ।

 

ଅନେକ ଲୋକଙ୍କ ସ୍ୱର । ଗୌତମ କାନ ପାରିଲେ । ତାଙ୍କ ଘର ଆଡ଼କୁ ସେମାନେ ଆସୁଥିବାର ଅନୁମାନ କରି ପୋଥି ସାଇତି ରଖି ଉଠିପଡ଼ିଲେ ସେ ।

 

ବନମାଳୀ, ନବୀନ, ନେତ୍ରାନନ୍ଦ, ଦାମମାଳି, ଶଙ୍କରା ଗଉଡ଼, ନଟ କେଉଟ ଓ ଯୁଧିଷ୍ଠିର ସମସ୍ତେ ଆସି ଛିଡ଼ା ହୋଇଗଲେ ତାଙ୍କ ଆଗରେ ।

 

ନବୀନ ଓଳଗି ହୋଇ କହିଲା, କିଛି ଗୋଟେ ମୀମାଂସା କରିବାକୁ ହବ । ଆଉ ମୁହଁ ବୁଜି ସବୁ ସହିହବ ନାହିଁ ।

 

ସେ ବେଶ୍ ଉତ୍ତେଜିତ ହୋଇ ପଡ଼ିଥିବାର ତା’ ସ୍ୱରରୁ ଅନୁମାନ କଲେ ଗୌତମ ।

ବନମାଳୀକୁ ଠେଲିଦେଇ କହିଲା ନବୀନ, କହୁନୁ କଅଣ ହେଲା... ।

 

ବନମାଳୀ ତହସିଲ ଅଫିସରେ ଯାହା ହୋଇଥିଲା ଗୋଟି ଗୋଟି କରି ସବୁ କହିଗଲା-

 

ତା’ର ଅଧମାଣେ ପୈତୃକ ସମ୍ପତ୍ତି ସେ ଯେ ବିକ୍ରୀ କରିପାରିଲା ନାହିଁ ତାହା ନୁହେଁ, ସାନି ବନ୍ଦୋବସ୍ତ ସମୟରେ ବିକ୍ରୀ କରିବାପାଇଁ ସ୍ଥିର କରିଥିବା ଜମି ଖଣ୍ଡକ ହରିପଦ ଅଧିକାରୀଙ୍କ ନାମରେ ପଟ୍ଟା ହୋଇ ଯାଇଚି । ଏହା ଆଜିଯାଏ ଜାଣି ନ ଥିଲା ବନମାଳୀ । ଜମି ବିକ୍ରୀ କରିବାକୁ ଯାଇ ବନ୍ଦୋବସ୍ତର କାଗଜପତ୍ର ଘାଣ୍ଟିବାରୁ ପ୍ରମାଣ ମିଳିଲା ଯେ ସେଇ ଜମିଖଣ୍ଡକ ତା’ର ନୁହେଁ, ହରିପଦ ଅଧିକାରୀଙ୍କର ।

 

ହରିପଦ ଅଧିକାରୀ !

ପୂର୍ବତନ ସ୍ୱାଧୀନତା ସଂଗ୍ରାମୀ ।

ଜଗତସିଂପୁର ଅଞ୍ଚଳର ବିଶିଷ୍ଟ ଜନସେବୀ ।

 

ଯେପରି କେହି ମ୍ୟାଜିକ୍ ଦେଖଉଚି ଗୌତମଙ୍କୁ । ବିସ୍ମୟରେ କିଛି ସମୟ ଚୁପ୍ ହୋଇଗଲେ ସେ । ତା’ପରେ ଧୀରେ ଧୀରେ କହିଲେ, ବିଷୟଟା ଖୁବ୍ ଜଟିଳ ମନେ ହେଉଚି । ଚକବନ୍ଦୀ ଓ ବନ୍ଦୋବସ୍ତ ପ୍ରାୟ ଏକ ସମୟରେ ସରିଛି ତିନିବର୍ଷ ହେଲା । ତିନିବର୍ଷ ପରେ ନିଜର ଜମି ଅନ୍ୟନାମରେ ବନ୍ଦୋବସ୍ତ ରେକର୍ଡ଼ରେ ଉଠିଯାଇଥିବା ଏବେ ଜାଣିଲା ବନମାଳୀ ।

ନବୀନ କହିଲା, ବନମାଳୀର ସବୁକଥା ଆପଣ ଜାଣନ୍ତି । ଜମି ଖଣ୍ଡକ ତା’ ହାତରୁ ଖସିଗଲେ ସେ ଭାସିଯିବ ।

ଗୌତମଙ୍କର ଗୋଟିଏ କଥା ମନେ ପଡ଼ିଗଲା । ତା’ ସହିତ ଆଖି ଆଗରେ ଭାସିଉଠିଲା ଜଣେ ସାଧାରଣ ଅଥଚ ପ୍ରବଳ ପ୍ରତାପୀ ସରକାରୀ କର୍ମଚାରୀର ରୂପ । ସେ ଆଉ କେହି ନୁହେଁ, ଜଣେ ଅ...ମି...ନ ।

ଯୁଧିଷ୍ଠିର କହିଲା, ଏକା ବନମାଳୀର ଜମି ଯେ ଅନ୍ୟ ନାମରେ ଚକବନ୍ଦୀ ସମୟରେ ବନ୍ଦୋବସ୍ତ ହୋଇଯାଇଚି ତାହା କିଏ କହିବ । ମୋତେ ଆଇନ କାନୁନ୍ ଜଣାନାହିଁ । ମୋ ଝିଅ ବାହାଘର ଠିକ୍ ହୋଇଗଲେ ମୁଁ ବି ଅଧମାଣେ ବିକିବି ।

ଗୌତମ କହିଲେ, ଏ ସବୁ କଥା ଆଜି ଚିନ୍ତା ନ କରି ଆଗରୁ କରିଥାଆନ୍ତ... ।

ନବୀନ କହିଲା, ଆପଣ ସବୁ ଜାଣନ୍ତି । ଏମାନେ କେତେକର ମଣିଷ ଯେ... । ଏଣ୍ଡୁଅର ଗତି ବାରୁଣା ମୁଣ୍ଡ । ଆପଣ ଉପାୟ କରନ୍ତୁ ।

ଗୌତମ କହିଲେ, ଅମିନ ବାବୁଙ୍କ ନ ଧରି କିଛି କରିହବ ନାହିଁ ।

ବନମାଳୀ କହିଲା, ତାଙ୍କୁ ମୁଁ ଯଥାସାଧ୍ୟ ଦେଇଥିଲି ।

–କେତେ ଦେଇଥିଲୁ ? ପଚାରିଲା ନବୀନ ।

–ଅଢ଼େଇ ଶହ । ଚାଉଳ କୁଇଣ୍ଟାଲେ ଆଉ କୋଡ଼ିଏ କିଲୋ ବିରି... ।

କିଛି ସମୟ ଚୁପ୍‌ହୋଇ ବସିରହିଲେ ଗୌତମ ।

 

କନ୍ଦରପୁରର ମାଷ୍ଟରବାବୁ ଗୋକୁଳାନନ୍ଦ ନାଏକ ତାଙ୍କୁ ଯାହା କହିଥିଲେ ସେଇ କଥାର ପୁନରାବୃତ୍ତି କଲେ ଗୌତମ । ସେ କହିଲେ, ସମସ୍ତେ ମନଦେଇ ଶୁଣ–

 

ଅ ରେ ଅନିଷ୍ଟକାରୀ

ମି ରେ ମିଥ୍ୟାବାଦୀ

ନ ରେ ନଷ୍ଟଚରିତ୍ର ।

 

ଆମ ଦେଶର ଅମିନର ଚରିତ୍ର ଏହିପରି । ଭଲଲୋକ ଯେ ସେମାନଙ୍କ ମଧ୍ୟରେ ନାହାନ୍ତି ତାହା ନୁହେଁ; କିନ୍ତୁ ଅନେକ ଏହିପରି । ସେମାନଙ୍କର ଫିତା ଏବଂ ଖାତା ଚିତ୍ରଗୁପ୍ତର ପାଞ୍ଜିଠାରୁ ବି ଶକ୍ତିଶାଳୀ । ଯାହା ଅମିନବାବୁ ଚାହିଁବେ ତାହାହିଁ ହବ । ସ୍ୱୟଂମ୍ଭୂ ।

 

ନବୀନ କହିଲା, ଶଳାର ମୁଣ୍ଡ ପଟେଇ ଦେବି ! ଯୁଧିଷ୍ଠିର କହିଲା, ଗରୀବ ମାଇପ ସମସ୍ତଙ୍କ ଶାଳୀ । ଦଶପୁରୁଷର ଜମି ଅନ୍ୟନାମରେ ବନ୍ଦୋବସ୍ତ ହୋଇଯିବ କାନ ଏଇ ପ୍ରଥମ ଶୁଣିଲା, ଆଖି ପ୍ରଥମ ଦେଖିଲା ।

 

ଗୌତମ କହିଲେ, ଟିକେ ଶାନ୍ତ ହୋ ନବୀନ । ମୁଣ୍ଡ ଗରମ କଲେ କାମ ହୁଏନାହିଁ । ଅନ୍ୟପକ୍ଷ ପ୍ରବଳ ପ୍ରତାପୀ । ଜନସେବକ । ସବୁ ମହଲକୁ ଦୌଡ଼ ଅଛି ତାଙ୍କର ! ଭାବିଚିନ୍ତି କରିବାକୁ ହବ ।

 

ନବୀନ କହିଲା, ତୋ ସାଙ୍ଗରେ ମୁଁ ଅଛି ବନଭାଇ । ଶଳା ଅମିନର ମୁଣ୍ଡ ଫଟେଇବି, ନେତାଙ୍କୁ ଘୁଅ ଶୁଙ୍ଘେଇବି... ନ ହେଲେ ମୋ ନାଁରେ କୁକୁର ପୋଷିବୁ ।

 

ଗୌତମ ବିଷମ ସମସ୍ୟାରେ ପଡ଼ିଗଲେ ।

ସେ କହିଲେ, ନରୋତ୍ତମ ଶୁଣିଛି ?

 

ବନମାଳୀ କହିଲା, ସେଦିନ ବାଟରେ ଦେଖା ହୋଇଥିଲା । ମୁଁ ରେଜେଷ୍ଟ୍ରି ଅଫିସକୁ ଯାଉଥିଲି । ତା’ପରେ ଦେଖା ହୋଇନି ।

 

ନବୀନ କହିଲା, ସେ ପିଲାଲୋକ । ଜମିବାଡ଼ିର ନିୟମ କାନୁନ ତାକୁ ଅଜଣା । ଆପଣ ନିଷ୍ପତ୍ତି କରି ଦିଅନ୍ତୁ ।

 

ଗୌତମ କହିଲେ, ମୋତେ ଟିକେ ସମୟ ଦିଅରେ ନବୀନ । ମୁଁ ଭାବେ ଟିକେ... ।

 

ଯୁଧିଷ୍ଠିର କହିଲା, ହରିପଦ ବାବୁଙ୍କୁ ଥରେ କହିଲେ କେମିତି ହୁଅନ୍ତା... ସେ ଆମ ଲୋକ । ଦିନେ ଆମର ପ୍ରତିନିଧି ଥିଲେ । ଦେଶ ପାଇଁ କାମ କରିଛନ୍ତି ।

 

ନବୀନ କହିଲା, ଦେଶସେବାର ନୂଆ ରୂପ ଏବେ ଫୁଟି ବାହାରିଲା... ଇଏ ସେବକ ନା ଭକ୍ଷକ ବା ? ଥୁ... କହିସାରି ଛେପ ଲଣ୍ଡାଏ ପକେଇଲା ନବୀନ ।

 

ସେମାନଙ୍କୁ ବୁଝେଇ ସୁଝେଇ ପଠେଇଦେଇ କେନାଲ ବନ୍ଧ ଉପରକୁ ଯାଇ ଛିଡ଼ାହେଲେ ଗୌତମ ।

 

ଆଗରେ ନବୀନ କୃଶତନୁ । ଆଉ ଦୁଇକୂଳ ଖାଇ ପାଣି ବହୁନାହିଁ । ଅନୁତାପରେ ବୋଧହୁଏ ଗୋଟେଇ ନେଇଛି ଦେହ ।

କେନାଲରେ ପାଣି ଛଡ଼ାଯାଇଚି । କୋଉଠି କିମିତି ଡାଳୁଆ ପାଇଁ କାମ ଆରମ୍ଭ ହୋଇଗଲାଣି ଖରିଫ ଗଲା । ରବି ଯଦି କିଛି ହୁଏ । କେନାଲ ପାଣି ବେଶୀ ଦୂରକୁ ଏପର୍ଯ୍ୟନ୍ତ ଯାଇ ନାହିଁ । ଶେଷ ମୁଣ୍ଡଯାଏ ମରାମତି କାମ ସରିନାହିଁ । ତଥାପି କିଛି ଭରସା । ଯଦି ରବିରେ କିଛି ଫସଲ ହାତକୁ ଆସେ ଭୋକ ଉପାସରୁ ବର୍ତ୍ତିଯିବେ ଲୋକମାନେ ।

ଏଇ ଋତୁମତି ଧରଣୀର କେତେ ଫସଲ ହୁଏ । ଫୁଲ, ଫଳରେ ଭରିଉଠେ ବସୁନ୍ଧରା ।

ଋତୁର ନୂଆ ଫସଲ ଅମଳ କରି ଆଗକଥା ଭାବେ ଚାଷୀ ।

ନୂଆ ଫସଲ । ଧରଣୀର ନୂଆରୂପ । ଆକାଶର ନୂଆରଙ୍କ । ପ୍ରତିଦିନଟି ନୂଆ ସମ୍ଭାବନାର ପ୍ରତୀକ ।

କିନ୍ତୁ ମନ ନୂଆ ହେଉନାହିଁ ।

ହୃଦୟ ବଦଳୁ ନାହିଁ ।

ଦେଶ ସେବାର ମୋହର ବେକରୁ ଝୁଲେଇ କେବଳ ହରିପଦ ଚାଲୁ ନାହାନ୍ତୁ, ତାଙ୍କ ପାଦଚିହ୍ନ ଅନୁସରଣ କରି ପଛରୁ ଆସୁଚନ୍ତି ଅନ୍ୟଲୋକ । ଧାଡ଼ି କ୍ରମଶ ଲମ୍ୱ ହେଉଚି । ଦେଶ ସେବକର ସ୍ୱରୂପ ପରି ଦେଶ ସେବାର ଢାଞ୍ଚା ମଧ୍ୟ ବଦଳି ଯାଇଚି ।

ହଠାତ୍‌ ମଥାଟା ବୁଲେଇ ଦବା ପରି ମନେହେଲା । ବନ୍ଧ ଉପରେ ବସିପଡ଼ି ମନକୁ ମନ କହିଲେ ଗୌତମ, ଶକୁନ୍ତଳାର କଅଣ ହବ ତାହେଲେ ?

ଏହାପରେ ତାଙ୍କ ଘରକୁ ବୋହୂ ହୋଇ ଯିବ ଶକୁନ୍ତଳା ।

ବସୁ ବସୁ ଅନେକ ସମୟ ବସିଗଲେ ଗୌତମ । ଆହୁରି କେତେ ସମୟ ବସିଥାଆନ୍ତେ-। କିନ୍ତୁ ଗୋପାଳ ବାରିକ ତାଙ୍କୁ ସେଠାରେ ଠାବକରି ଫୁଟୁକି ମାରି କହିଲା, ମୁଁ ପୃଥିବୀ ଖୋଜୁଚି । ଆପଣେ ଏଇଠି ବସିଚନ୍ତି... ।

ଗୌତମଙ୍କର ଚିନ୍ତାରେ ବାଧା ପଡ଼ିଲା ।

ସେ ଅନେଇଲେ ଗୋପାଳ ମୁହଁକୁ ।

ବାବାଜି ମହାରାଜ ଖୋଜୁଥିଲେ ।

 

ହଠାତ୍‌ ସେଇ ନାମଟାକୁ ଦୋହରାଇ କୂଳକିନାରୀ କିଛି ସ୍ଥିର କରି ନ ପାରି ଅନ୍ୟମନସ୍କ ପରି କହିଲେ ଗୌତମ, କିଏ ?

 

ବାବାଜି ମହାରାଜ ଖୋଜୁଥିଲେ ଆପଣଙ୍କୁ । ସମୟ କରି ଟିକେ ମାଡ଼ିଯିବେ ତାଙ୍କ ଆଡ଼େ ।

 

ଏବେ ମନେପଡ଼ିଲା ତାଙ୍କର ।

ହରିପଦ ଅଧିକାରୀଙ୍କର ଆଉଗୋଟେ ନାମ ବାବାଜି ମହାରାଜ ।

 

ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ଚାରିପାଞ୍ଚବର୍ଷ ଘର ଛାଡ଼ି ବାହାରେ ବୁଲିଥିଲେ, ଜେଲ୍‌ରେ କଟେଇଥିଲେ ସେ । ସେଇଦିନୁ ଏଇ ନାମଟା ରହିଯାଇଛି । ହରିପଦ ଅଧିକାରୀ କହିଲେ ହୁଏତ ଅଧିକାଂଶ ଲୋକଙ୍କ ମନରେ ଏକାଧିକ ହରିପଦ ଅଧିକାରୀ ଥିବାର ସଂଶୟ ଜାତ ହୋଇପାରେ; କିନ୍ତୁ ବାବାଜି ମହାରାଜ କହିଲାକ୍ଷଣି ଆଉ ଚିହ୍ନିବାରେ ଭୁଲ ହବ ନାହିଁ ।

 

ତଥାପି ଗୌତମ ନିଃସନ୍ଦେହ ହେବାପାଇଁ କହିଲେ, ହରିଭାଇ ?

 

ହଁ ହଁ । ମୁଁ ଆସୁଥିଲି ଯେ ମୋ ହାତରେ ଖବର ପଠେଇଦେଲେ, ନ ହେଲେ ଆଉ କାହାକୁ ପଠେଇଥାଆନ୍ତେ ।

 

ଗୌତମ ପୁଣି ଅନ୍ୟମନସ୍କ ହୋଇଗଲେ ।

ସୂର୍ଯ୍ୟ ସେତେବେଳକୁ ନଇଁ ଆସୁଥାଏ ପଶ୍ଚିମ ଦିଗନ୍ତରେ ।

ଶିରି ଶିରି ଶୀତଳ ପବନ ବହିଆସୁଥାଏ ଉତ୍ତରରୁ ।

 

ତାଙ୍କ କାନ୍ଧ ଉପରେ ମୁହଁ ନୂଆଁଇ କହିଲା ଗୋପାଳ, ଶୁଭ ଖବରଟା ଶୁଣି ମନଟା ଫୁଲିଉଠିଲା । ସୁନାରେ ସୁହାଗା ପରି ହବ । ଠିକ୍‌ ନଳ ଦମୟନ୍ତୀଙ୍କ ପରି... ।

 

ଗୌତମ ଗୋପାଳ ବାରିକର ମୁହଁକୁ ଇମିତି ଭଙ୍ଗୀରେ ଚାହିଁଲେ ଯେ, ତା’ ମୁହଁର କଥା ଅସମ୍ପୂର୍ଣ୍ଣ ହୋଇ ରହିଗଲା ।

 

ଶକୁନ୍ତଳା ବସି ବସି ଭାବେ ।

 

କେନାଲ କୂଳରେ ଚାଳି ବାନ୍ଧିଥିବା ସମୟରେ ନରୋତ୍ତମ ସହିତ ସାକ୍ଷାତ୍‍ ହେଉଥିଲା । ତାହା ଏବେ ବିରଳ ହୋଇଯାଇଚି ।

 

ନରୋତ୍ତମ ଆଉ ଶୀଘ୍ର ଶୀଘ୍ର ଆସେନାହିଁ । ଜାଣି ଜାଣି ସେ ଯେପରି ଆସିବା କମେଇ ଦେଇଚି ।

 

କେତେଥର ତାକୁ ଗାଆଁରୁ ନେଇ କଲେଜରେ ପହଞ୍ଚାଇ ଦେଇଛି ନରୋତ୍ତମ । ପାଖରେ ଥାଇ ବି ସେ ଅନେକ ଦୂରରେ ଥିବା ପରି ସେତେବେଳେ ଲାଗୁଥିଲା ତାକୁ । ଏତେବେଳେ ଆହୁରି ପାଖକୁ ଆସି ବି ସେଇ ଦୂରତ୍ୱ କମି ନାହିଁ ।

 

ନରୋତ୍ତମ ଆଉଟିକେ ନିକଟତର ହୁଅନ୍ତା କି !

ତା’ ପାଖରେ ବସି ଆଉଥରେ ବସ୍‌ରେ କଟକ କି ଭୂବନେଶ୍ୱର ଯାଆନ୍ତା କି !

ସେଇ ଦିନଗୁଡ଼ା କେଡ଼େ ସୁନ୍ଦର, କେଡ଼େ ରୋମାଞ୍ଚକର ।

ଅଥଚ ଆଜି ସ୍ମୃତି ହୋଇଯାଇଚି ।

 

କାହିଁକି ନିକଟରେ ଥାଇ ବି ଦୂରତ୍ୱ ସୃଷ୍ଟିକରେ ସେ । ଶକୁନ୍ତଳା ଏହାର କାରଣ ଖୋଜିବାକୁ ଯାଇ ହଜିଯାଏ ନିଜ ପାଖରେ । ପୁଣି ଚେତନାକୁ ଫେରିଆସି ସେ ପୁଲକିତ ହୋଇ ଅନୁଭବ କରେ ସେଇ ଦୂରତ୍ୱ ହିଁ ନିକଟତ୍ୱ । ଆକାଶର ଚନ୍ଦ୍ର ଆଉ ପୋଖରୀର କଇଁପରି ସେଇ ସମ୍ପର୍କ ଚିରକାଳର । ପାଦରୁ ଶିର ପର୍ଯ୍ୟନ୍ତ ସଞ୍ଚରିଯାଏ ସ୍ପନ୍ଦନ । ଠିକ୍‌ ଯେପରି ପଥର ସନ୍ଧିରୁ ଡେଇଁପଡ଼େ ଉଷ୍ଣ ପ୍ରସ୍ରବଣ ।

 

ଶକୁନ୍ତଳା ମନକୁ ମନ କୁହେ, ତୁମେ କଅଣ ଜାଣି ଜାଣି ଦୂରରେ ରୁହ... ପାଖକୁ ଆସିବାକୁ ମନ ହୁଏନି ? ଏଡ଼େ ଭୁଲାମନ... ?

 

ସ୍ନେହ ଘର ଭିତରକୁ ପଶିଆସି କହିଲା, ବାହାରେ ଏତେ ଆଲୋକ... ଏତେ ରଙ୍ଗ... ଆଉ ତୁ ଏଇ ଘରଭିତରେ ବସି ଏକାନ୍ତରେ କୋଉ ବନ୍ଧୁର ମୁହଁ ଦେଖୁଛୁ ଲୋ ବଉଳ ?

 

ଶକୁନ୍ତଳା ସ୍ନେହକୁ କୁଣ୍ଢେଇ ପକେଇ କହିଲା, ଯାଃ... ତୋ ତୁଣ୍ଡ ଖଣ୍ଡକ ଖୁବ୍‌ ଧାରୁଆ ହୋଇଚି ଦେଖୁଛି । ସୁବାସ ଶିଖେଇଚନ୍ତି ପରା ?

 

ସ୍ନେହ ତା କାନ୍ଧ ଉପରେ ମୁହଁ ରଖି କହିଲା, ଏକରୁ ଦୁଇ ପୁଣି ଦୁଇରୁ ଏକ ହେଲେ ବୁଝିବୁ ଲୋ ବଉଳ । ଇଏ ଗୁପତ କଥା । କହିଦିଏ ନାଇଁ କୁହାଯାଏ ନାଇଁ ।

 

ଶକୁନ୍ତଳା ବଉଳର ମୁହଁକୁ ଚାହିଁ ଅଟକିଗଲା ।

ସ୍ନେହର ଶୁଖିଲା ମୁହଁଟି କେଡ଼େ ସୁନ୍ଦର ଦିଶୁଚି । ଲାବଣ୍ୟ ଲାଗିଚି ଦେହରେ ।

ସେ ଶୁଣିଛି ବାହାପାଣି ପଡ଼ିଲେ ଦେହରଙ୍ଗ ବଦଳିଯାଏ । ମନର ରଙ୍ଗବି ।

–ଡାଆଣୀ ପରି ଚାହିଁଛୁ ଯେ...ଗିଳି ପକେଇବୁ ନା କଅଣ ବା ? କହିଲା ସ୍ନେହ ।

–କେତେ ବଦଳିଗଲୁଣି ତୁ, ସେୟା ଦେଖୁଥିଲି ।

 

ତୁବି ବଦଳିଯିବୁ ଯେ... ସମସ୍ତେ ବଦଳନ୍ତି । ଏଇଟା ତ ବଦଳିବାର ବେଳ । ସ୍ୱାମୀର ସ୍ତ୍ରୀ ହବା ପରେ ଆଉ ଏକ ଜୀବନର ମୂଳଦୁଆ ପଡ଼େ... ।

–ତୁ ଭାଗ୍ୟବତୀ । ମନଲାଖି ବର ପାଇଛୁ, ଘର ପାଇଛୁ ।

କିନ୍ତୁ ଯେତେବେଳେ ନୂଆ ହୋଇ ତାଙ୍କ ଘରକୁ ଗଲି, ଭୟରେ ଶୁଖିଯାଇଥିଲା ଦେହ, ସଙ୍କୁଚିତ ହୋଇଯାଇଥିଲା ମନ... ।

କାହିଁକି ?

ଅଜଣା ଲୋକଗୁଡ଼ାଙ୍କୁ ହଠାତ୍‌ ଆପଣାର କରିନେଇ ପାରିବି କି ନାହିଁ ଭୟ ଥିଲା ମନରେ । ଯୋଉଠି ଜନ୍ମରୁ ଚେର ଲାଗିଛି, ସେଇ ଜୀବନ ସହିତ ଶାଶୁଘରର ଜୀବନ କେଡ଼େ ତଫାତ୍‌ । କେତେ ଆଶା, କେତେ ଆଶଙ୍କା । କେତେ ବୁଝାମଣା ପୁଣି କେତେ ଭୁଲ ବୁଝାବୁଝି । ପ୍ରତିଦିନ ନୁହେଁ, ପ୍ରତିଟି ମୁହୂର୍ତ୍ତରେ ଅଗ୍ନି ପରୀକ୍ଷା ଦବାକୁ ହୁଏ । ଉତ୍ତୀର୍ଣ୍ଣ ହେଲେ ବିଜୟିନୀ ପରି ଚାଲିହୁଏ, ଆଉ ହାରିଗଲେ ଅଥଳ ଜଳରେ ବୁଡ଼ି ମରିବାହିଁ ସାର ହୁଏ ।

ଶକୁନ୍ତଳା ଯେ ଏଇ କଥାଗୁଡ଼ା ଆଗରୁ ଆଉ କାହା ମୁହଁରୁ ନ ଶୁଣିଛି ତାହା ନୁହେଁ । ସମସ୍ତଙ୍କର ଏକା ଅନୁଭବ । କିନ୍ତୁ ସମସ୍ତେ କୁହନ୍ତି ନୂଆ ଢଙ୍ଗରେ, ନୂଆ ଭାଷାରେ ।

ଶାଶୁଘର ଅଲଗୁଣା ସହି ସରିଯାଏ ନୂଆ ମଣିଷ ସହିତ ଘର କରିବାର ମୋହ । ସବୁ ନୀରସ ମନେହୁଏ ।

ଶକୁନ୍ତଳା ଶଙ୍କି ଯାଏ ।

କାହା ହାଣ୍ଡିରେ ସେ ଚାଉଳ ପକେଇଛି କେଜାଣି; କିନ୍ତୁ ସବୁ ଯଦି ଅଦୃଷ୍ଟ, ତା’ହେଲେ ସେହି ଅଦୃଷ୍ଟ ସହିତ ଥରେ ସାକ୍ଷାତ୍‍ କରିବାକୁ ଇଚ୍ଛାହୁଏ ।

ଶକୁନ୍ତଳା କହିଲା, ତୋ ଦିହର ରଙ୍ଗ ବଦଳି ଯାଇଚି ।

ସ୍ନେହ କହିଲା, ଦେହର ରଙ୍ଗ ବଦଳେ । ମନର ରଙ୍ଗ ବି ବଦଳେ । ଯାହାର ବଦଳେ ନାହିଁ, ଜାଣିବୁ ସେ ସୁଖୀ ହୋଇନାହିଁ ।

ଶକୁନ୍ତଳା ସ୍ନେହର କୋଳରେ ଆଉଜିପଡ଼ି କହିଲା, ଆମେ ପିଲାବେଳେ ବରକନ୍ୟା ଖେଳୁଥିଲୁ । ଆଜି ପୁଣି ସେଇ ଖେଳ ଖେଳିବାପାଇଁ ମନହୁଏ ଲୋ ବଉଳ । ତୁ ବର ଆଉ ମୁଁ କନିଆ ।

ସ୍ନେହ କହିଲା, ନା –ତୁ ବର ମୁଁ କନିଆ ।

ହଉ ହେଲା...

ଏବେ ଗେଲ କର ମୋତେ ।

ଲାଜରେ ଲାଲ୍ ପଡ଼ିଗଲା ଶକୁନ୍ତଳା ।

 

ସ୍ନେହ ତା’ର ଓଠରେ ଚୁମାଟିଏ ବସେଇଦେଇ କହିଲା, ମୋ ଚୁମା ଲୁଣିଆ, ତୋ ବର ଚୁମା ଲାଗିବ ମିଠା... ଖୁବ୍‌ମିଠା... । ସେଇ ଚୁମାର ସମୟ ଯେତିକି ଦୀର୍ଘ, ମନରେ ବି ସେତିକି ତୃପ୍ତି ।

 

ଶକୁନ୍ତଳା କହିଲା, ଯା, ତୁ ଖୁବ୍‌ ଫାଜିଲ ହୋଇଗଲୁଣି ।

ବରକନ୍ୟା ଖେଳିବୁ ପରା । ଫାଜିଲାମି ନକଲେ ଏ ଖେଳ ଜମେନି... ।

ଅନ୍ୟକଥା କହ ।

କୋଉ କଥା... ।

 

ତୋ ବର କଅଣ ଚାକିରୀ କରନ୍ତି, କୋଉଠି କରନ୍ତି । ସେ ଗସ୍ତରେ ଗଲେ ତୁ ଏକା ଏକା ରହୁ ଯେ ଡର ଲାଗେ ନାହିଁ ?

 

ବିନା ଫିସ୍‌ରେ ସବୁ ଜାଣି ନବାକୁ ଚାହୁଁ ? ଖୁବ୍‌ ସିଆଣିଆ ତ...

ନା; ନା...

 

ସେ ଗସ୍ତରେ ଗଲେ ଘରଟା ମାଡ଼ି ମାଡ଼ି ପଡ଼େ । ଡର ଲାଗେ । ରାତିରେ ନିଦ ହୁଏନି-

 

ଜାଗର ଜାଳି ବସିଥାଉ... ।

 

ହଁ ସେୟା ନୁହେଁ ତ କଅଣ । ସେ ଫେରିଆସିବା ପର୍ଯ୍ୟନ୍ତ କାହିଁରେ ମନ ଲାଗେ ନାହିଁ, ମନର ଉଦାସ ଭାବଟା ଯାଏନାହିଁ... । ଆଉ ଫେରି ଆସିଲେ ପୁଣି ନୂଆ ଅନୁଭବ, ନୂଆ ରୋମାଞ୍ଚ... ।

 

ଆଜିରୁ ଏତେ ?

 

ଅଙ୍ଗେ ନିଭେଇଲେ ପରତେ ଯିବୁ ଲୋ ବଉଳ ! ସେ ଏକ ନୂଆ ଜଗତ । ସେ ଏକ ନୂଆ ଅନୁଭବ । ଥରେ ସାଙ୍ଗହୋଇ ଶୋଇଜାଣିଲେ ଏକା ଏକା ଆଉ ଶୋଇହୁଏନି... ଖାଲି ଖାଲି ଲାଗେ... ଯିମିତି ନିଜର ଦେହ ଓ ମନର ଚାରିପଟେ ମହାଶୂନ୍ୟ ।

 

ଶକୁନ୍ତଳା କହିଲା, ତୋ ଭାଗ୍ୟ ଭଲ... ।

ସ୍ନେହ କହିଲା, ତୋ ବାହାଘର ପାଖେଇ ଆସୁଚି ଶୁଣିଲି ।

କିଏ କହିଲା ?

 

ଗାଁରେ ଟୁପ୍‌ଟାପ୍‌ କଥା ଉଠିଲାଣି । ବିଭୁଭାଇନା ସାଙ୍ଗରେ; କିନ୍ତୁ ମନ୍ଦ ହବନି ଲୋ ବଉଳ ।

 

ସ୍ନେହର ଆଖି ଉପରେ ଆଖି ରଖି କହିଲା ଶକୁନ୍ତଳା, ଏଇ କଥା ତୁ କହିପାରୁଛୁ ?

 

ସ୍ନେହର ବି କହିବାକୁ ଇଚ୍ଛା ନ ଥିଲା; କିନ୍ତୁ କଥାଟା ଶୁଣିବା ବେଳୁ ଭଲ ଲାଗୁ ନ ଥିଲା । ଏଣୁ ପ୍ରଥମ ସୁଯୋଗରେ ପଚାରିଦେଲା ସେ । ବିଭୁପଦ ପ୍ରକୃତରେ ଯେ ଶକୁନ୍ତଳାର ଯୋଗ୍ୟପାତ୍ର ନୁହେଁ, ଏହା ସେ ବୁଝିଥିଲା; କିନ୍ତୁ ଏ ଦେଶରେ ସ୍ୱାମୀ ନିର୍ବାଚନରେ ଝିଅମାନଙ୍କର ହାତ ନ ଥାଏ । ସେଥିପାଇଁ ବାପା, ମା, ଭାଇ ଯାହାକୁ ବାଛନ୍ତି ତାଙ୍କରି ସହିତ ସ୍ୱାମୀ ସ୍ତ୍ରୀ ଭାବରେ ସଂସାର କରିବାକୁ ହୁଏ । ସ୍ନେହ ବି ସେହିପରି ଜଣକର ସ୍ତ୍ରୀ ହୋଇଛି । କିନ୍ତୁ ତା’ର ଭାଗ୍ୟ ଭଲ । ସେ ଯୋଗ୍ୟ ସ୍ୱାମୀଟିଏ ପାଇଛି । ଦୁହିଁଙ୍କର ଅଭେଦ ପ୍ରୀତି । କିନ୍ତୁ ଶକୁନ୍ତଳାର ଭାଗ୍ୟରେ କଅଣ ଲେଖାଅଛି କିଏ ଜାଣେ ।

 

ସ୍ନେହ ଚୁପ୍‌ ହୋଇ କଅଣ ଭାବୁଥିବାର ଦେଖି କହିଲା ଶକୁନ୍ତଳା –ସମସ୍ତେ ଯେ ବାହାହେବେ ତା’ର କିଛି ମାନେ ନାହିଁ ବଉଳ । ଧରିନେ ମୁଁ ଜଣେ ବ୍ୟତିକ୍ରମ । ବାହା ନ ହୋଇ ବି ବଞ୍ଚିହୁଏ... ।

 

ତୁ ଆଜିସିନା ଏକଥା କହୁଛୁ; କିନ୍ତୁ ଏଇ ସଂସାରକୁ ଯେତିକି ଦେଖିବୁ, ସେତିକି ଯାଣିବୁ ଝିଅହୋଇ ଜନମ ହେଲେ ସେ ଜୀବନଯାକ କେଡ଼େ ଅସହାୟ । ସେ ଖୋଜେ ଟିକେ ନିର୍ଭୟ ନିରାପଦ ଆଶ୍ରୟ । କିନ୍ତୁ ସମସ୍ତଙ୍କୁ ଏଇ ସାମାନ୍ୟ ଜିନିଷଟି ବି ମିଳେ ନାହିଁ । ନାରୀ କିନ୍ତୁ ସବୁ ସହି ପଡ଼ିରହେ ଧରିତ୍ରୀ ପରି; କାରଣ ଆଉ କିଛି କରିବାପାଇଁ ତା’ ପାଖରେ ଉପାୟ ନ ଥାଏ ।

 

ଦୀର୍ଘ ନିଶ୍ୱାସଟିଏ ବହିଗଲା ଶକୁନ୍ତଳାର ଛାତି ତଳୁ । କାନ୍ଦିବାକୁ ଇଚ୍ଛା ହେଲା । କିନ୍ତୁ ଆଖିରେ ଲୁହ ନାହିଁ । ଛାତି ଉପରେ କେହି ଯେପରି ପଥରଟିଏ ରଖିଦେଇଚି ।

 

ଅନେକ ସମୟ ବସି ଗଳ୍ପ କଲେ ଦୁଇଜଣ । ପରେ ସବୁକଥା ସ୍ନେହକୁ ଖୋଲି କହିଲା ଶକୁନ୍ତଳା । ତା’ର ଇଚ୍ଛା ବିରୁଦ୍ଧରେ ବିଭୁପଦ ସହିତ ଯଦି ତାକୁ ବାହାକରି ଦିଆଯାଏ, ସେ ତାହା ସହ୍ୟ କରିପାରିବ ନାହିଁ । କଥା ପ୍ରସଙ୍ଗରେ ଏକଥା ସ୍ପଷ୍ଟ ହୋଇଗଲା ଯେ ନରୋତ୍ତମ ପ୍ରତି ଢଳିଛି ଶକୁନ୍ତଳା । ସେଇ ତା’ର ମାନସପୁରୁଷ । ସେ ତା’ର ବାଗ୍‌ଦତ୍ତା ।

 

ସ୍ନେହ କହିଲା, ନରୁଭାଇଟା କି ବୋକାଲୋ ବଉଳ । ପ୍ରଥମେ ଗାଁ ଛାଡ଼ି ପଳେଇବ ବୋଲି ଜିଦ୍‌ ଧରି ବସିଲା । ତା’ପରେ କଅଣ ହେଲା କେଜାଣି ହଠାତ୍‌ ମତ ବଦଳାଇ ରହିଗଲା ଏଠାରେ । କିନ୍ତୁ ପୈତୃକ ସମ୍ପତ୍ତି ସବୁ କୁଆଡ଼େ ଟ୍ରଷ୍ଟ କରିଦେଇଛି । ସେ ସାମାନ୍ୟ କିଛି ପାଇବ ସେଥିରୁ ସଂସାର କରିବାର ଇଏ ତ ଲକ୍ଷଣ ନୁହେଁଲୋ ବଉଳ ।

 

ଶକୁନ୍ତଳା ସହସା ଉତ୍ତର ଦେଇପାରିଲା ନାହିଁ । କିନ୍ତୁ ତା’ପରେ ସ୍ନେହର ହାତଖଣ୍ଡକ ମୁହଁ ଉପରେ ଥାପି କହିଲା ସ୍ପଷ୍ଟ ସ୍ୱରରେ, ଦୁନିଆକୁ ନିଜର ଘର କରିନେଲେ ସମସ୍ତେ ଆପଣାର ହୋଇଯାଆନ୍ତି, ସବୁ ସମ୍ପତ୍ତି ନିଜର ହୋଇଯାଏ; ଆଉ କିଛି ସ୍ୱତନ୍ତ୍ର ଭାବରେ ରଖିବାର ପ୍ରୟୋଜନ ହୁଏ ନାହିଁ ।

 

ଏ ବଡ଼ ଗହନ ପଥ ବଉଳ । ମୁଁ ତ ବୁଝି ପାରେନି ଏତେ ତତ୍ତ୍ୱ । ମୋର ଖାଲି ଭୟହୁଏ ତୁ ନରୁଭାଇ ପାଖକୁ ଯାଇ ସଙ୍କଟରେ କାଳେ ପଡ଼ିବୁ ।

 

ଯାହା ହବାର ଥିବ ହବ । ମୁଁ ଭବିଷ୍ୟତକୁ ଯଦି ଦେଖିପାରୁ ନାହିଁ, ସବୁ ଯଦି ଖାଲି କଳ୍ପନା, ତାହେଲେ କଳ୍ପନାରେ ସୁଖ ଟିକେ ପାଇଲେ କ୍ଷତି କଅଣ ?

 

ସ୍ନେହ କହିଲା, ବେଳ ଗଡ଼ିଗଲାଣି । ମୁଁ ଆସୁଚି ବଉଳ । ଯିବା ଆଗରୁ ମାଉସୀଙ୍କୁ କହିଯିବି ତୋ କଥା । ଆଉ ଯା’ହେଉ, ବିଭୁପଦ ସହିତ ଆଗେଇବା ଉଚିତ ହବ ନାଇଁ ।

 

ସ୍ନେହ ଚାଲିଯିବା ପରେ ବି ସେଇ ଗୋଟିଏ ଜାଗାରେ ବସିରହିଲା ଶକୁନ୍ତଳା ।

 

ଏତେ ଗଛବୃଛ, ଘରଦ୍ୱାର ଭାସିଗଲେ ବି ରହିଯାଇଛି ଅଗଣାର ପୁରୁଣା ଆମ୍ବଗଛଟି । କୋଉ କାଳର ଗଛ । ଗୌତମ କୁହନ୍ତି ତାଙ୍କ ବାପାଙ୍କ ଗୋସେଇଁ ବାପା ଲଗେଇଥିଲେ ଏଇ ଗଛକୁ । ଶ୍ରୀକ୍ଷେତ୍ରରୁ ରଥଯାତ୍ରା ଦେଖି ଫେରିବାବେଳେ ଆମ୍ବ ଚାରାଟିଏ ନେଇ ଆସିଥିଲେ । ସେଇ ଚାରା ତା’ପରେ ଫଳନ୍ତି ଗଛ ହୋଇ ଖରାବର୍ଷା, ଶୀତ କାକର, ବନ୍ୟା ଓ ବାତ୍ୟା ସହି ରହିଛି ଏଯାଏ । ଆମ୍ବଗଛର ଦେହ ବା ଶାଖା ପ୍ରଶାଖାରେ କିନ୍ତୁ ଅନୁତାପ, ଅନୁଶୋଚନାର ତିଳେମାତ୍ର ଚିହ୍ନ ନାହିଁ । ମହାକାଳପରି ସବୁ ସମୟକୁ ଅଙ୍ଗରେ ମାଖି ଛିଡ଼ାହୋଇଛି ନିର୍ବିକାର, ନିର୍ଲିପ୍ତ ପୁରୁଷ ପରି । ତା’ର ଛାୟା ଶୀତଳ କରିଛି ପରିବେଶକୁ । ଫଳ ଦାନ କରିଛି ତିଳେମାତ୍ର କୁଣ୍ଠା ନ କରି କେତେବେଳେ କିମିତି ପୂଜା ପାର୍ବଣ ବା ଅନ୍ୟ କିଛି ଶୁଭକର୍ମରେ ଶାଖାପ୍ରଶାଖାରୁ ଡାଳ ଭାଙ୍ଗି ନିଆଯାଇଛି, ପତ୍ର ତୋଳା ହୋଇଛି, କିନ୍ତୁ ସେ ମନା କରିନାହିଁ; ଖାଲି ଦେଇଛି । ମଣିଷ ଏତେ ନିଏ ଗଛ ପାଖରୁ । ଏହାସତ୍ତ୍ୱେ ବି ସେଇ ଗଛ ସହିତ ଶେଷରେ ବିଶ୍ୱାସଘାତକତା କରିବାକୁ ପଛାଏ ନାହିଁ ମଣିଷ ! ପୂର୍ବପୁରୁଷଙ୍କର ସୁଖ, ଦୁଃଖ ଓ ସଂଗ୍ରାମ ପ୍ରତ୍ୟେକ୍ଷକରି ଛିଡ଼ାହୋଇଛି ଆମ୍ବଗଛ । ଇତିହାସର ମୂକସାକ୍ଷୀ ।

 

ଆମ୍ବଗଛର ଶାଖା ପ୍ରଶାଖାରେ ପହଁରୁଥିବା ସୂର୍ଯ୍ୟାଲୋକ କେଡ଼େ ସୁନ୍ଦର ଦିଶିଲା ଆଖିକୁ ।

 

କୋଇଲିଟିଏ ବସାକରି ରହିଚି ଗଛ ଡାଳରେ ।

 

ଶକୁନ୍ତଳାକୁ ଖୁସି କରିବା ପାଇଁ ସେ ଦିନେ ତା’ର ଗୀତ ଶୁଣେଇବ । ସେଇଦିନୁ ସେ ଅପେକ୍ଷା କରିଛି ଅଧୀର ଉତ୍କଣ୍ଠାରେ ।

 

ଦାଣ୍ଡ ଖଞ୍ଜାରେ କାହାର ତୁଣ୍ଡ ଶୁଭୁଛି । ସ୍ନେହ ଚାଲିଯିବଣି । ଆଉ ହୁଏତ କିଏ ଆସିଛି । ପୁରୁଷର କଣ୍ଠସ୍ୱର, ଭାରି ଗଳା ।

 

କାନ ପାରିଲା ଶକୁନ୍ତଳା ।

 

ତାହାରି ବିଷୟରେ କେହି କହିଲେ କିଛି । ସ୍ପଷ୍ଟ ଶୁଣି ପାରଲା ନାହିଁ ସେ । ଘୁଞ୍ଚିଗଲା ଝରକା ପାଖକୁ ।

 

ହରିପଦ ଦଦେଇଙ୍କ ସ୍ୱରପରି ଲାଗୁଛି । ଝରକାର ଫାଙ୍କ ଦେଇ ଉଙ୍କି ମାରି ପଲକ ମଧ୍ୟରେ ଦେଖିନେଲା ଶକୁନ୍ତଳା । ବସିବା ଘରେ ହରିପଦ ଦଦେଇ ବାପାଙ୍କ ସହିତ କଥାଭାଷା ଆରମ୍ଭ କରିଦେଇଛନ୍ତି ।

 

ବାପା କହିବାର ଶୁଣିଲା ଶକୁନ୍ତଳା, ତମେ ଚାଲିଆସିଲ ଭାଇନା କି ଅପୂର୍ବ ! କି ସୌଭାଗ୍ୟ ମୋର । ମୁଁ ଯିବି ଯିବି ହୋଇ ଯାଇ ପାରି ନ ଥିଲି... ।

 

ହରିପଦ କହିଲେ, ଯିଏ ହେଲେ ଜଣେ ପ୍ରଥମ ଆରମ୍ଭ କରିବା କଥା । ତୁ ଯେତେବେଳେ ଆସିଲୁ ନାଇଁ ମୁଁ ଚାଲିଆସିଲି... । ଏକା କଥା ।

 

ଗୌତମ କହିଲେ, ତମ କୋଠା ଖଣ୍ଡକ କେବଳ ଅକ୍ଷତ ରହିଯାଇଥିଲା ବନ୍ୟାରେ... ।

ହଁ । ତା’ର ନିଅଁ ମୁଁ ନିଜେ କମେଇଥିଲି । କମ୍‌ ପଥର ପକେଇଛି ନିଆଁରେ ।

–ଏବେ ପ୍ରମାଣ ମିଳିଗଲା ।

 

–ଏ ସଂସାରରେ କିଏ କେତେଦିନ ରହିବ । ଯାହା ଏତେ ସଉକରେ କରୁଥିଲି, ଆଜି ଲାଗୁଛି ସବୁ ମିଛ, ସବୁ ମାୟା । ଦେଖିଲୁ ତ ଆଖି ପଲକରେ ସବୁ ଅଦୃଶ୍ୟ ହୋଇଗଲା... ।

 

–ହଁ, ଇମିତି ଭୟଙ୍କର ବନ୍ୟା ସାତପୁରୁଷ ଦେଖି ନ ଥିଲେ ।

 

–ମୁଁ ବିଧାନସଭାରେ ଥିବାବେଳେ ଏଥିପାଇଁ ଖୁବ୍‌ ଲଢ଼ିଥିଲି । ବନ୍ୟାର ସ୍ଥାୟୀ ପ୍ରତିକାର କରିବାପାଇଁ କହିଥିଲି । ତାହାର ଫଳ ହୀରାକୁଦ ବନ୍ଧ... । ଆମ ସମୟରେ ଆମେ ଯାହାହେଉ ଗୋଟେ କିଛି କଲୁ; କିନ୍ତୁ ତା’ପରେ ଆଉ ତ କିଛି ହେଲା ନାହିଁ ।

 

–ରେଙ୍ଗାଲି ହଉଚି । ଟିକିରପଡ଼ା ହବ । କିଏ କହୁଚି ଟିକରପଡ଼ା ନୁହେଁ ମଣିଭଦ୍ରା... ।

 

–ଯାହା କରିବାର ଶୀଘ୍ର ଶୀଘ୍ର କର । ହୀରାକୁଦ ବନ୍ଧ ହବାର ପଚିଶ ବର୍ଷ ହୋଇଗଲା-। ତର୍କ ସରି ନାହିଁ... ।

 

–ନା ନା ମୁନିଙ୍କ ନାନା ମତ ।

 

–ସେମାନଙ୍କ, ମତ ବଜାୟ ରଖିବାକୁ ଯାଇ ମାରୁଛନ୍ତି ନିରୀହ ଲୋକଙ୍କୁ । ଏଇଯେ ହଜାର ହଜାର ଲୋକଙ୍କର ଘରଦ୍ୱାର ଭାସିଗଲା, ହଜାର ହଜାର ମାଣ ପାଟ ବାଲିଚର ହୋଇଗଲା-। ଏଥିରେ କାହାର କ୍ଷତି ହେଲା ? ସବୁ ସହି ଯୋଉ ଚାଷୀକୂଳ ପଡ଼ି ରହିଚନ୍ତି ଆଜି ତାଙ୍କ କଥା କେହି ଚିନ୍ତା କରୁନାହାନ୍ତି । ସବୁ ଚିନ୍ତା କଟକ ସହର ପାଇଁ । କାରଣ କଟକ ବୁଡ଼ିଗଲେ ବଡ଼ ବଡ଼ିଆମାନେ ବୁଡ଼ିବେ । କନ୍ଦରପୁର, ଜଗତସିଂପୁର ବୁଡ଼ିଗଲେ ସେମାନଙ୍କର କିଛି ଯାଏ ଆସେ ନାହିଁ ।

 

–ସତ କହିଛ । ଗାଁ ଲୋକଙ୍କ କଥା କେହି ଭାବନ୍ତି ନାଇଁ, ଆମ କଥା କେହି ଶୁଣନ୍ତି ନାଇଁ ।

 

–ଆମ ସମୟରେ ନେତା ଥିଲେ, ଦାତା ବି ଥିଲେ । ଆଜି ତ ସେ ଗୌତମ ଖାଲି ନବା ପାଇଁ ନେତା... ।

 

–ଏଇଟା ମୁଦ୍ରା ଦୋଷ ପରି ମାଡ଼ିଯାଉଛି ସମାଜରେ ।

 

–ବିଭୁକୁ ଦେଖିଥିବୁ । ତା’ କଥା ଶୁଣୁଥିବୁ । ମୋ ପୁଅ ବୋଲି ମୁଁ ବଢ଼େଇ କରି କହୁନାହିଁ, ଲୋକେ ଯାହା କୁହନ୍ତି ସେଇ କଥା କେବଳ କହୁଚି । ଜୀବନକୁ ପାଣି ଛଡ଼େଇ ସେଇ ଯେ କାମ ଆରମ୍ଭ କରିଥିଲା ଘାଇ ଭାଙ୍ଗିବା ଦିନରୁ, ସେ କାମ ଏ ଯାଏ ସରି ନାହିଁ । ଚାଲିଛି । ଖିଆପିଆର ଠିକ୍‌ ନାହିଁ । ଦେହ ପ୍ରତି ନଜର ନାହିଁ... ।

 

–ବିଭୁର ଶକ୍ତି ଅଛି । ତୁମର ପୁଅଟିଏ ସେ ! ବାପଠାରୁ ବଳିଯିବ ଦେଖୁଚି । କରୁ ଯାହା ପାରୁଚି । ବାଧା ଦିଅନି । ଲୋକେ କଲ୍ୟାଣ କରିବେ ।

 

ମୋ ବଅସ କେତେ ହେଲାଣି ଜାଣିଛୁ ? ସତୁରୀ । ଏଇନେ ଅଛି, ଆଉ ଟିକେ ପରେ ନ ଥିବି ।

 

ତମେ ତ ଷାଠିଏ ପରି ବି ଦିଶୁନ ।

 

ଏହା ମୋର କୃତୀତ୍ୱ ନୁହେଁରେ ଗୌତମ । ଗାନ୍ଧୀ ଗୋପବନ୍ଧୁର ଶିଷ୍ୟ ହୋଇ ସେଇ ପୁଣ୍ୟାତ୍ମାମାନଙ୍କଠାରୁ ଯାହା ଶିଖୁଥିଲି ଇଏ ତାହାରି ଫଳ । ସକାଳ ଚାରିରୁ ଉଠୁଥିଲୁ, ଯୋଗାସନ କରୁଥିଲୁ, ଅରଟରେ ସୂତା କାଟୁଥିଲୁ, ବଗଡ଼ା ଖାଉଥିଲୁ... । ସତ୍ୟାଗ୍ରହ କରି ମାଡ଼ ଖାଉଥିଲୁ, ଜିଅଲ ଯାଉଥିଲୁ... ।

 

ସେଦିନର କଥା ଆଜି ଇତିହାସ । କିନ୍ତୁ ଆଜିର ପିଲାଏ ଜାଣନ୍ତିନି ତମେ ସବୁ ଦେଶକୁ ସ୍ୱାଧୀନ କରିବା ଲାଗି କେତେ ଦୁଃଖ ସହିଥିଲ, କେତେ ତ୍ୟାଗ ସହିଥିଲ । ଏତେ ଶୀଘ୍ର ପିଲାମାନେ ସ୍ୱାଧୀନତା ସଂଗ୍ରାମର ଅମର କାହାଣୀକୁ ଭୁଲିଯିବା କିଛି ସୁସ୍ଥ ଲକ୍ଷଣ ନୁହେଁ । ମନ୍ତବ୍ୟ କଲେ ଗୌତମ ।

 

–ସମୟ ବଦଳି ଯାଇଚି । ନିଜର ସଂସ୍କୃତି, ସାହିତ୍ୟ, ଭୂଗୋଳ ଅଚିହ୍ନା ହୋଇଯାଇଚି । ଆଦର ବଢ଼ୁଚି ବିଦେଶୀର... ।

 

–ଯାହା ତୁମେ ସବୁ ଛାଡ଼ି ଦେଇଥିଲ ସେ ସବୁର ଆଦର ବଢ଼ୁଚି ।

 

–ହଁ । କିନ୍ତୁ ନିଜକୁ ଚିହ୍ନିବାକୁ ହେବ, ନିଜର ଇତିହାସକୁ ପଢ଼ିବାକୁ ପଡ଼ିବ । ବିଭୁକୁ ମନାକଲେ ବି ଶୁଣିବନି, ବିଲାତି କପଡ଼ା ବ୍ୟବହାର ନ କରି ଖଦଡ଼ ପିନ୍ଧିବ । ଆଉ ଜାତି ଗୋତ୍ର ତ ମୁଁ ମାନେ ନାହିଁ ତୁ ଜାଣିଛୁ । ସେ ଆହୁରି ବଡ଼ ବିପ୍ଳବୀ ।

 

–ସତକଥା ଯେ... । କିନ୍ତୁ ସମସ୍ତେ ତ ସମାନ ନୁହଁନ୍ତି । ଆଉ ପାଞ୍ଚଜଣଙ୍କ ପରି ହେଉ ନ ଥିବାର ଦେଖି କୁହନ୍ତି, କିମିତି ଅବାଗିଆ ଲାଗୁଚି ଯେ... । ଘର ସଂସାର କରିବଟି ? ଆଉ ଜାତି ଗୋତ୍ର କଥା କହୁଚ ଯେ ତାହା ଚଳଣିରେ ପଡ଼ିରହିଛି । ଲୋକେ ମାନିଯାଇଛନ୍ତି । ନ ମାନିବାଟା ବରଂ ଅପରାଧ ।

 

ମଣିଷ ସୃଷ୍ଟି ହେଲାବେଳେ ଜାତି ଗୋତ୍ର ନ ଥିଲା । ଛୁଆଁ ଅଛୁଆଁ ନ ଥିଲା । ବ୍ରାହ୍ମଣ ଖଣ୍ଡାୟତ ନ ଥିଲେ । ସମସ୍ତେ ଥିଲେ ଶୁଦ୍ର ନ ହେଲେ ବ୍ରାହ୍ମଣ ।

 

–ଚଳଣିରେ ଯାହା ପଡ଼ିଯାଇଛି ତାହା ବଦଳିବାକୁ ସମୟ ଲାଗିବ । ଯୁଗ ଯୁଗ ଧରି ଜାତିପ୍ରଥା ରହିଆସିଚି ଦେଶରେ । ହୁଏତ ଆହୁରି କେତେ ଯୁଗ ଲାଗିବ ଏ ସମାଜକୁ ବଦଳେଇବା ପାଇଁ ।

 

–କିନ୍ତୁ ଦିନେ ବଦଳିବ ନିଶ୍ଚୟ । କେହି ତ ପ୍ରଥମ କରି ଆରମ୍ଭ କରିବ । ଆମଠାରୁ ଆରମ୍ଭ ହେଲେ କ୍ଷତି କଅଣ । ସେଥିପାଇଁ ଆସିଚି ଗୁହାରୀ କରିବାକୁ । ଶକୁନ୍ତଳାକୁ ମୋ ଘରକୁ ଛାଡ଼ି ଦେ...ମୋ ଘର ପୁରିଉଠୁ ।

 

ହରିପଦ ଆସିବା ସମୟରୁ ଏହିପରି କିଛି ଶୁଣିବେ ବୋଲି ଅପେକ୍ଷା କରୁଥିଲେ ଗୌତମ । ତେଣୁ ସେ ଆଉ ଆଶ୍ଚର୍ଯ୍ୟ ହେଲେ ନାହିଁ ।

 

ହଠାତ୍‌ ତାଙ୍କ ହାତ ଯୋଡ଼ିକ ଧରିପକେଇ କହିଲେ ହରିପଦ, ତୁ ଆଉ ମନା କରନା । ବୋହୁଙ୍କୁ ବି ମୋ କଥା କହ, ମାସର ସାତଦିନରେ ଭଲ ଯୋଗ ଅଛି । ମୁଁ ଆସି ନିର୍ବନ୍ଧ କରିଦେଇ ଯିବି ।

 

ଗୌତମ କିଛି କହିପାରିଲେ ନାହିଁ ।

 

ତାଙ୍କର ଅନ୍ତର କେବଳ ଆଶା ଓ ଆଶଙ୍କାରେ ପୂର୍ଣ୍ଣ ହୋଇ ଉଠୁଥିଲା । କହିବା କଥା ଅଟକି ଯାଇଥିଲା ତଣ୍ଟି ପାଖରେ ।

 

ଯୁଧିଷ୍ଠିର ନାଏକର ଝିଅ ଲୀଳାର ବିବାହ ହୋଇଗଲା ତିର୍ତ୍ତୋଲ ସରକାରୀ ଡାକ୍ତରଖାନାରେ ବେହେରା କାମ କରୁଥିବା ପ୍ରହ୍ଲାଦ ନାଏକ ସହିତ ।

 

ଲୀଳା ନୂଆବୋହୂ ହୋଇ ସ୍ୱାମୀ ସାଙ୍ଗରେ ଯିବା ଆଗରୁ ଯେତେବେଳେ ବିଦାୟ ନବା ପାଇଁ ନରୋତ୍ତମ ପାଖକୁ ଆସିଲା, ସେତେବେଳେ ତା ମଥା ଉପରେ ହାତ ରଖି ତାକୁ ଆଶୀର୍ବାଦ କରି କହିଲା ନରୋତ୍ତମ, ସ୍ୱାମୀ, ଶାଶୁ, ଶ୍ୱଶୁର ସମସ୍ତଙ୍କୁ ନିଜର କରିନବୁ ଲୀଳା । ତୋର ସେବା, ଯତ୍ନ, ନିଷ୍ଠାଦ୍ୱାରା ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରିବୁ । ନାରୀ ଏକ ପଣ୍ୟ ଦ୍ରବ୍ୟ ନୁହେଁ, ଜୀବନ୍ତ ମାତୃମୂର୍ତ୍ତି । କନ୍ୟା, ଜାୟା, ଭଗ୍ନୀ ଏବଂ ଜନନୀ ସବୁରି ଭୂମିକାରେ ଅବତୀର୍ଣ୍ଣ ହୁଏ ସେ । ତାହାରି ଦ୍ୱାରା ଏଇ ପୃଥିବୀ ଏଡ଼େ ଆନନ୍ଦମୟ... ।

 

ଲୀଳା ଅନେକ କାନ୍ଦିଲା ନରୋତ୍ତମର ପାଦତଳେ ମୁଣ୍ଡ ରଖି ।

 

ପ୍ରହ୍ଲାଦର ହାତ ଯୋଡ଼ିକୁ ଧରି କହିଲା ନରୋତ୍ତମ ଚରମ ଦୁର୍ଦ୍ଦିନରେ ବି ହତାଶ ନ ହୋଇ ନିଜ ଉପରେ ବିଶ୍ୱାସ ରଖ । ଦେଶର ଅଗଣିତ ଅଜଣା ଲୋକଙ୍କର କଥା ମନେପକାଅ । ଦେଖିବ ସେମାନଙ୍କର ସେବା କରିବାପାଇଁ ଭଗବାନ ଯେଉଁ ସୁଯୋଗ ଦେଇଛନ୍ତି ତୁମକୁ, ତାର ସଦୁପଯୋଗ କର । ଆଉ ଲୀଳା କଥା ଲାଗିଲା ତୁମକୁ । କକେଇ ତ କିଛି ଦେଇପାରିଲେ ନାହିଁ, ତଥାପି ଯାହାକୁ ଦେଇଚନ୍ତି ତାକୁ ପାଇ ତୁମ ପୂର୍ଣ୍ଣ ହୋଇଉଠିବ... ।

 

ପ୍ରହ୍ଲାଦ ଏବଂ ଲୀଳା ସବାରୀର ବସିଲେ ।

ସବାରୀ ବାହକମାନେ ହାଙ୍କ ଛାଡ଼ିଲେ ।

 

ସବାରୀ ଆଖି ଆଗରୁ ଅଦୃଶ୍ୟ ହୋଇଯିବା ପରେ ପାଟ ଧୋବଣୀ କହିଲା, ଏତେବଡ଼ ପୂଣ୍ୟ କାର୍ଯ୍ୟଟିଏ ଏ ପାପ ଆଖି ଦେଖିଲାରେ ପୁଅ... ତୋତେ କୋଟି ପରମାୟୁ ଦିଅନ୍ତି ପ୍ରଭୁ... । ତୋର ଆହୁରି ବଡ଼ତି ହେଉ ।

 

ଯୁଧିଷ୍ଠିର, ଲୀଳାବୋଉ ନରୋତ୍ତମକୁ କହିଲେ, ଋଣ ରହିଗଲା ପୁଅ...ଏ ଜନ୍ମରେ ଆଉ ପରିଶୋଧ କରିହବ ନାଇଁ । ଲୀଳା ଖାଲି ହାତରେ ଯାଇଚି । ଦୃଷ୍ଟି ରଖିଥିବ ।

 

ସେମାନଙ୍କୁ ସାନ୍ତ୍ୱନା ଦେଇ ଘରକୁ ଫେରିବା ବେଳକୁ ଗାଧୁଆ ବେଳ ।

ସେତେବେଳକୁ ସ୍କୁଲରେ ପଣ ଆରମ୍ଭ ହୋଇସାରିଥାଏ ।

ବାଉରୀ ସାହିର ପିଲା ସମସ୍ତେ ।

ମୋଟ ଆଠଜଣ ।

 

ବର୍ଣ୍ଣବୋଧ ସାରି ଦେଲେଣି । ପଣିକିଆ ଶେଷକରି ମିଶାଣ, ଫେଡ଼ାଣ ଆରମ୍ଭ କଲେଣି-

 

ନରୋତ୍ତମକୁ ଦେଖି ମାଷ୍ଟର ଚୁପ୍‌ ହୋଇଗଲେ । ପିଲାମାନେ ଛିଡ଼ା ହୋଇପଡ଼ିଲେ ।

 

ନରୋତ୍ତମ କହିଲା, ମୁଁ ଏଥର ଅନ୍ୟବାଟ ଦେଇ ଯିବା ଆସିବା କରିବି । ପାଠପଢ଼ା ସମୟରେ ବିଘ୍ନ ସୃଷ୍ଟି କରିବା ଭଲ ନୁହେଁ ।

 

ଶିକ୍ଷକ ବସିଲେ । ପିଲାମାନେ ମଧ୍ୟ ବସିଲେ । ପୁଣି ପାଠପଢ଼ା ଚାଲିଲା ।

ଚଉଦ ପୁରୁଷର ଭିଟାମାଟିଏ ।

 

ନରୋତ୍ତମ ଗାଧୋଇ ସାରି ପ୍ରସ୍ତୁତ ହବାବେଳକୁ ଶିକ୍ଷକ ଏବଂ ଛାତ୍ରମାନେ ଅପେକ୍ଷା କରୁଥିଲେ ।

 

ସ୍କୁଲହତା ଚାରି ପାଖରେ କେତୋଟି ଆମ୍ବ, ପଣସ, ଚମ୍ପା, ନଡ଼ିଆ, ପିଜୁଳି ଚାରା ଗୋଟିଏ ଦୁଇଟି କରି ସମସ୍ତେ ପୋତିଲେ । ନିରୋତ୍ତମର ବାପା ଲଗେଇଥିବା ନଡ଼ିଆଗଛ ଗୋଟିଏ ହେଲେ ଆଉ ନାହିଁ । ବନ୍ୟାରେ ଉପୁଡ଼ିଗଲା । ନୂଆକରି ସବୁ ଆରମ୍ଭ କରିବାକୁ ହେଉଛି-

 

ନରୋତ୍ତମ ପିଲାମାନଙ୍କୁ ବୁଝେଇଲା । ମଣିଷର ଇତିହାସ ପରି ଗଛର ଇତିହାସ ବି ପୁରୁଣା ଏବଂ ଚମକପ୍ରଦ । ଗଛଟିଏ ପିଲାପରି । ଆଦର ଯତ୍ନ କରିବାକୁ ହୁଏ । କୁଣ୍ଠା ନ କରି ଗଛ ନିଜର ଫୁଲ, ଫଳ, ପତ୍ର ଏବଂ ଛାଇ ଦାନକରେ ମଣିଷକୁ । ତା’ ବଦଳରେ ସେ ଲୋଡ଼େ ସୁରକ୍ଷା । ଗଛ ଲଗାଇବା ଯେପରି ପୁଣ୍ୟ କାର୍ଯ୍ୟ, ଗଛ କାଟିବା ସେହିପରି ପାପକାର୍ଯ୍ୟ । ଗଛଠାରୁ ଶିକ୍ଷା କରିବାର ଯଥେଷ୍ଟ ଅଛି । ଗଛର ସହ୍ୟଶକ୍ତି ଅସୀମ, କେହି ତାକୁ କାଟିଲେ ମଧ୍ୟ ପ୍ରତିବାଦ କରେ ନ କରି ସବୁ ସହିଯାଇ ମରିବା ପର୍ଯ୍ୟନ୍ତ ଫୁଲ, ଫଳ ଦାନ କରେ । ଗଛ ଉଦାର । ମଣିଷର ଶତ୍ରୁତା ସତ୍ତ୍ୱେ ସେ ତାକୁ ଛାଇ ଦିଏ, ପକ୍ଷୀମାନଙ୍କୁ ଆଶ୍ରୟ ଦିଏ । ଗଛର ଚେତନା ଊର୍ଦ୍ଧ୍ୱମୁଖୀ । ଆକାଶର ଅନନ୍ତ ନୀଳିମା ଓ ଆଲୋକର ଅସୀମ ବିସ୍ତାରକୁ ଛୁଇଁବାପାଇଁ ଗଛ କେବଳ ଉର୍ଦ୍ଧ୍ୱକୁ ଉଠେ । ଊର୍ଦ୍ଧାୟନ ତାର ଗତି । ଗଛ ମଣିଷର ଶିକ୍ଷକ ।

 

ତା ପରେ ଦତ୍ତାକ୍ରେୟଙ୍କର ଗୁରୁଙ୍କ ସମ୍ପର୍କରେ ପିଲାମାନଙ୍କୁ ଗଳ୍ପଟିଏ କହିଲା ନରୋତ୍ତମ-

 

ଚତୁର୍ଦ୍ଦିଗରେ ପୁଣି ସବୁଜର ସମ୍ଭାର । କହିଲେ ଗଛର ପୁରୁଣା ପାଚିଲା ପତ୍ର ଝରିପଡ଼ି ନୂତନ କିଶଳୟ ମଞ୍ଜୁରିବାକୁ ଆରମ୍ଭ କରିଛି ଶାଖା ପ୍ରଶାଖାରେ । ଆମ୍ବଗଛ ବଉଳରେ ଭର୍ତ୍ତି । କେନାଲ କୂଳେ କୂଳେ ଡାଳୁଅ ଧାନଗଛର ସବୁଜ ଶୋଭା । କୋଉଠି କିମିତି ପରିବା ଖେତ । ବୋଇତି କଖାରୁ, ବାଇଗଣ, ଭେଣ୍ଡି, ପୋଇ ।

 

ପୁଣି ଜୀବନର ସ୍ୱରରେ ଛନ୍ଦ ଜୀବନ୍ତ ହୋଇଉଠିଚି । ଛନ୍ଦହୀନ ଜୀବନ ବନ୍ୟାର ପାଣିପରି ମଣିଷ ମନରେ ଦାଗ ରଖିଦେଇଛି ସତ; କିନ୍ତୁ ତାକୁ ଭୁଲୁଣ୍ଠିତ କରିପାରି ନାହିଁ ।

 

ବାଲୁଚର ସଫାକରି କୋଉଠି କିମିତି ମୁଗ, ବିରି, ବାଦାମ ଚାଷ କରାଯାଇଚି । ଫସଲ ଅମଳ କରିବାର ବେଳ ହୋଇଗଲାଣି ।

 

କେନ୍ଦେରା ବଜେଇ ବଜେଇ ହରି ଯୋଗୀ ଗାଁଆଡ଼ୁ ଆସି ପହଞ୍ଚିଲେ ନରୋତ୍ତମ ପାଖରେ ।

 

ହରିଯୋଗୀ ଭଲ କେନ୍ଦେରା ବଜାନ୍ତି । ଭଲ ଗୀତ ବି ଗାଆନ୍ତି । ବୟସ ପଚାଶ ସରିକି-। ନିଜର ଠିକଣା ଛାଡ଼ି ମଣିଷର ଠିକଣା ଖୋଜି ଖୋଜି ବାହାରିଚନ୍ତି ଯେ, ଯୁଆନ ବୟସରୁ ଏଯାଏ କେତେ ସହସ୍ର କୋଶ ଚାଲିଲେଣି; କିନ୍ତୁ ଅସଲ ଠିକଣା ପାଇନାହାନ୍ତି; ସେଥିପାଇଁ ଅଟକି ନ ଯାଇ ଚାଲିଚନ୍ତି । ସକାଳୁ ସନ୍ଧ୍ୟା ଅଟକି ଯାଇ ନାହାନ୍ତି । ଚାଲିବା ପଥର ଶେଷ ନାହିଁ ।

 

ନରୋତ୍ତମ କହିଲା, ପାଇଲ ଠିକଣା ?

 

ହରିଯୋଗୀ କହିଲେ, ଗୋବିନ୍ଦ ଚନ୍ଦ୍ର ବର୍ଷ ବର୍ଷ ଧରି ଖୋଜିଥିଲେ । ମୁଁ ତ ଏଇ ଆରମ୍ଭ କରିଚି ପୁଅ । ଜୀବନଯାକ ଖୋଜୁଥିବି । ପୁଣ୍ୟ ତ ଅର୍ଜନ କରିନାଇଁ, ପାଇବି କିମିତି ?

 

ପାଇବା ପାଇଁ ପୁଣ୍ୟ ଅର୍ଜନ କରିବାକୁ ହୁଏ ।

 

ନରୋତ୍ତମ କହିଲା, ଖରାବେଳଟା ଏଇଠି ବସିଯାଅ । ଭାତ ଗଣ୍ଡାଏ ଫୁଟୁଚି । ଭାଗକରି ଖାଇବା ।

 

ହରିଯୋଗୀ କହିଲେ, ତୋ ମୁହଁଦେଇ ଗୋବିନ୍ଦ କହୁଚିରେ ପୁଅ ରହିଯିବା ପାଇଁ, ଭାତ ଗଣ୍ଡାଏ ଖାଇବାପାଇଁ । ମନା କରିବି ?

ହରିଯୋଗୀ କେନ୍ଦେରା ଖଣ୍ଡକ ଝୁଲି ଉପରେ ପରମ ଯତ୍ନରେ ରଖିସାରି ଗୋଡ଼ ଲମ୍ବେଇ ମୁହଁର ଝାଳ ପୋଛି କହିଲେ, କେତେ ପାପରୁ ଏତେ ହନ୍ତସନ୍ତ ହଉଚି ମଣିଷ । ଆହା ! ସବୁ ତ ତାହାରି ମାୟା । କିନ୍ତୁ ମଣିଷ ବୁଝେ ନାହିଁ । ବୁଝିପାରେ ନାହିଁ । ଭାବେ ସେ ସବୁ କରୁଚି । କିନ୍ତୁ ମଣିଷର ଶକ୍ତି କାହିଁ ସୃଷ୍ଟି କରିବ । ଭାଗବତରେ କହି ନାହାନ୍ତି ଜଗନ୍ନାଥ ଦାସେ, ନିଜ ରକ୍ଷଣେ ଅସମ୍ଭବ, ସେ କାହୁଁ ଅନ୍ୟକୁ ରଖିବ ।

ନରୋତ୍ତମକୁ ପ୍ରବଚନ ଶୁଣିବାପରି ଲାଗେ । ଖୁସିହୁଏ ।

ଭାତହାଣ୍ଡି ଓହ୍ଲେଇ ସାରିବା ପରେ ହଠାତ୍ ନରୋତ୍ତମର ଖିଆଲ ହେଲା ଯେ ତରକାରୀ କରିବାପାଇଁ କଷି କୁନ୍ଦୁରୀଟିଏ ବି ନାହିଁ ଘରେ । ହରିଯୋଗୀ ବକତେ ଖାଆନ୍ତି । ତାଙ୍କୁ ଇମିତି ବାଢ଼ିଦବ ?

ବସି ବସି ଟିକେ ଆରାମ କରିବାକୁ କହି ନରୋତ୍ତମ ନିଜେ ଦୌଡ଼ିଲା ଗାଁ ଭିତରକୁ ।

ଦାଣ୍ଡ ଖଞ୍ଜାରେ ଶକୁନ୍ତଳା ସହିତ ଦେଖା ହୋଇଗଲା ।

ନରୋତ୍ତମ ଗୌରଚନ୍ଦ୍ରିକା ନ କରି ସବୁ କହିଦେଲା ତା’ ପାଖରେ ।

ଶକୁନ୍ତଳା ହସିବ କି କାନ୍ଦିବ ? ନିଜର ଠିକ୍‌ ଠିକଣା ନ ଥିବା ଲୋକଟି ଅନ୍ୟକଥା ବୁଝିବାକୁ ବାହାରିଛି । ହାଣ୍ଡିରେ ଭାତ ଶୀତଳ ହଉଛି । ହାତରେ ପରିବା କଷିଟିଏ ବି ନାହିଁ । ଇମିତି ପାଶୋରା ମନ ।

ତା’ ଆଖି ଯୋଡ଼ିକ ସଜଳ ହୋଇଆସିଲା ।

ବୋଉ ପାଖକୁ ଯାଇ ସବୁ କହିଲା ଶକୁନ୍ତଳା ।

 

ଖାଇବାବେଳ ହୋଇ ସାରିଥିଲା । କେବଳ ଗୌତମ ପାଟରୁ ଫେରି ନ ଥିଲେ ବୋଲି ବିଳମ୍ବ ହଉଥିଲା ଖାଇବାରେ । ସରଳା ଗୋଟିଏ ଥାଳିରେ କିଛି ଖେଚେଡ଼ି, ତରକାରୀ, ଭଜା, ଖଟା, ଶାଗ ଏବଂ ବଡ଼ିଭଜା ସଜେଇ ଦେଇ ତା ଉପରେ ଖଲିପତ୍ରଟିଏ ଢାଙ୍କି ଶକୁନ୍ତଳା ହାତକୁ ବଢ଼େଇ ଦେଇ କହିଲେ, ନରୁକୁ କହିବୁ ପରେ କେତେବେଳେ ଆସିବ । ମାସେ ହବ ତା ସହିତ ଦୁଃଖ ସୁଖ ହୋଇ ନାହିଁ ।

 

ଥାଳିଟି ନବାବେଳେ ନରୋତ୍ତମର ହାତର ପରଶ ପାଇଲା ଶକୁନ୍ତଳା ।

ଯୁଗ ଯୁଗର ସଞ୍ଚିତ ସ୍ପନ୍ଦନ ଶରୀର ଭିତରେ ଚମକ ଲଗାଇଦେଲା !

ସେଇ ଗୋଟିଏ ମୁହୂର୍ତ୍ତ । ଅନାଦି ଓ ଅନନ୍ତ କାଳର ।

ଶକୁନ୍ତଳା ମୁହଁରୁ ଭାଷା ସ୍ଫୁରିଲା ନାହିଁ ।

 

ନରୋତ୍ତମ କହିଲା, ଟିକେ କିଛି ନବାପାଇଁ ଆସି ଏତେ ସାମଗ୍ରୀ ନେଇ ଫେରୁଚି । ତୁ ଅନ୍ନପୂର୍ଣ୍ଣାର ଭଣ୍ଡାର ଖୋଲି ବସିଚୁ ଶକୁ !

 

ଶକୁନ୍ତଳାର ଚେତନାରେ ସେଇ ଅବିସ୍ମରଣୀୟ ମୁହୂର୍ତ୍ତଟି ଲୀଳା କରୁଥିଲା ।

ଅନ୍ନପୂର୍ଣ୍ଣାର ଭଣ୍ଡାର । ଯେତେହେଲେ ବି ଶେଷ ହୁଏ ନାଇଁ ।

କିନ୍ତୁ କଅଣ ଦେଇଚି ଶକୁନ୍ତଳା ?

ସେ ଯେ କେତେ ଦବା ପାଇଁ ଚାହେଁ; କିନ୍ତୁ କଣିକାଏ ବି ଦେଇପାରି ନାହିଁ ଏଯାଏ ।

ଶକୁନ୍ତଳାର ଓଠ ଥରିଉଠିଲା ।

ସେ କହିଲା, ଆମକୁ ପର କରିଦେଲ ନରୁଭାଇ !

ନରୋତ୍ତମର ମୁହଁରେ ସେଇ ସଦା ପରିଚିତ ମନଛୁଆଁ ନିର୍ମଳ ହସ ।

 

ସେ କହିଲା, ନିଜ ଲୋକ କେବେ ପର ହୁଅନ୍ତିନିରେ ଶକୁ । ନ ଦେଖି ବି ସେମାନଙ୍କୁ ଦେଖି ହୁଏ, କଥାଭାଷା ନ କରି ବି ସେମାନଙ୍କ ସ୍ୱର ମନେପଡ଼େ । ତୁ ତ ଏତେ ପାଖରେ... ।

 

କେତେ କହିବାକୁ ଇଚ୍ଛା ହଉଥିଲା ଶକୁନ୍ତଳାର, କିନ୍ତୁ କିଛି କହିପାରିଲା ନାହିଁ । ପେଟ ପୁରି ଯାଇଥିଲା ।

 

ଗାଁ ଦାଣ୍ଡରେ ମୋଡ଼ ଭାଙ୍ଗିବା ବେଳେ ନରୋତ୍ତମ ଚାହିଁଲା ପଛକୁ ।

ଶକୁନ୍ତଳା ଦାଣ୍ଡ ଦୁଆରେ ତାହାରି ଆଡ଼କୁ ଏକ ଲୟରେ ଅନାଇଥିଲା ପୂର୍ବପରି ।

 

ନରୋତ୍ତମର ଅନ୍ତର ଭିତରେ ବି ବେଳେ ବେଳେ ଆଲୋଡ଼ନ ସୃଷ୍ଟି ହୁଏ । ତାର ଚେତନାରେ ବି ବିଜୁଳିର ଚମକ ଲାଗେ । ସେତେବେଳେ ଶକୁନ୍ତଳା ସାକାର ହୋଇ ଧରାଦିଏ ତାର ମନରେ । କିନ୍ତୁ ସେଇ କ୍ଷଣକ ତାର ସ୍ଥିତି । ସେଇ ମୁହୂର୍ତ୍ତ ସ୍ଥାୟୀ ହେବା ଆଗରୁ ମନକୁ ସଙ୍କୁଚିତ କରିନେଇ ନିଜକୁ ଶାସନ କରେ ନରୋତ୍ତମ ।

 

ହରି ଯୋଗୀ ଅନ୍ନ ଓ ବ୍ୟଞ୍ଜନକୁ ଉତ୍ସର୍ଗ କରି କହିଲେ, ସେଇ କାହ୍ନୁର ମନ ହେଲା ଖେଚେଡ଼ି ଖାଇବା ପାଇଁ । ମନର କଥା ମନରେ ଥିଲା । ତୋତେ ବି କହିନି ପୁଅ । କିନ୍ତୁ ଦେଖିଲୁ ତୁ ଗିନାଏ ତରକାରୀ ଆଣିବାକୁ ଯାଇ ଅନ୍ନବ୍ୟଞ୍ଜନ ନେଇ ଫେରିଲୁ । ସେ ଅନ୍ତର୍ଯ୍ୟାମୀ, ସେ କରୁଣାମୟ । ତାଙ୍କରି ସବୁ ଇଚ୍ଛା । ମଣିଷର ସାଧ୍ୟ କାହିଁ ବୁଝିବ !

 

ହରି ଯୋଗୀଙ୍କୁ ଯତ୍ନ କରି ଖୁଆଇଲା ନରୋତ୍ତମ । ପରିତୃପ୍ତ ଭୋଜନ ପରେ ହରି ଯୋଗୀ କହିଲେ, ତୋ ପାଖରେ ଜନନୀର ଭାବ ଅଛି ବାବା । ତୁ ଯଶସ୍ୱୀ ହବୁ । ଭଗବାନ ତୋତେ ଦୀର୍ଘଜୀବୀ କରନ୍ତୁ ।

 

ନରୋତ୍ତମର ଚେତନାକୁ ଆଚ୍ଛନ୍ନ କରି ରହିଲା ଶକୁନ୍ତଳା । ଗୋଟିଏ ବଡ଼ ଲଜ୍ୟାରୁ ଆଜି ଶକୁନ୍ତଳା ରକ୍ଷା କଲା ତାକୁ ।

 

ସବୁ ଭଲ ଲାଗୁଥିଲା ନରୋତ୍ତମକୁ ?

 

ପରିବେଶ, ଆକାଶ, ବତାସ, ଗଛବୃଛ, ମଣିଷ ଓ ପଶୁପକ୍ଷୀ ସବୁ ଆପଣାର ମନେ ହେଉଥିଲେ ।

 

ନଦୀର ବହନ୍ତି ଜଳଧାର ନିରବଚ୍ଛିନ୍ନ ଜୀବନ ପ୍ରବାହର ସ୍ତୁତି ପାଠ କରି ବହି ଚାଲିଚି ଅନନ୍ତକାଳରୁ । ଅନନ୍ତକାଳ ଯାଏ ବହୁଥିବ । ଗୋଟିଏ ମଣିଷର ପରମାୟୁରେ ଜୀବନ ଶେଷ ହୋଇାଯାଏ ନାଇଁ । ନଦୀର ପ୍ରବାହ ପରି ଜୀବନର ପ୍ରବାହ । ଗୋଟିକ ଭିତରେ ଆଉ ଗୋଟିକର ପ୍ରକାଶ ଏବଂ ପ୍ରତିଷ୍ଠା ।

 

ହରି ଯୋଗୀ ବାର ବର୍ଷ ବୟସରୁ ବୈରାଗୀ ହୋଇ ବୁଲୁଚନ୍ତି । ନିଜର ଗୃହ ସିନା ଛାଡ଼ି ଦେଇ ଆସିଲେ, ନିଜ ଲୋକଙ୍କର ସ୍ୱର ସିନା ଆଉ ଶୁଣିବାକୁ ପାଆନ୍ତି ନାହିଁ; କିନ୍ତୁ ସେ ସବୁଜ ପୃଥିବୀକୁ ଛାଡ଼ି ଅନ୍ୟ କୌଣସି ସ୍ଥାନକୁ ଯାଇପାରିଲେ ନାଇଁ । ସଂସାର ନ କରି ମଧ୍ୟ ସଂସାର ତାଙ୍କୁ ଘେରି ରହିଚି । ଘେରି ରହିଚି ମଣିଷର ସ୍ନେହ, ମାୟା, ମମତା ।

 

ନରୋତ୍ତମ ବି ଏଇପରି ନିଜକୁ ସବୁ ବାଧା ବନ୍ଧନରୁ ଉପାଡ଼ି ଆଣି ବିଶ୍ୱମୟ କରିଦେଇ ପାରନ୍ତା କି ! ନିଜକୁ ମିଶାଇଦେଇ ପାରନ୍ତା କି ବିଶ୍ୱଚେତନା ସହିତ !

 

ଭୂମାର ଚେତନା ସ୍ପନ୍ଦିତ ହୁଏ ପ୍ରାଣରେ କ୍ଷଣକ ପାଇଁ । ସେଇ ମୁହୂର୍ତ୍ତକର ଆନନ୍ଦ କଅଣ କମ୍‌ ।

 

ଶକୁନ୍ତଳାର ହାତର ପରଶ ଏବେବି ଲାଗିରହିଛି ତା’ ହାତରେ, ଅନ୍ତରରେ । ସୂକ୍ଷ୍ମରୁ ସ୍ଥୂଳକୁ ସେ ଚାଲିଆସୁଚି ପୁଣି ।

 

ଆହାର ଶେଷ କରି ହରି ଯୋଗୀଙ୍କ ପାଖରେ ବସି କହିଲା ନରୋତ୍ତମ, ମୋତେ ଖାଲି ଆର୍ଶୀବାଦ କର ବାବାଜି, ମୁଁ ମୋର ଲୋକମାନଙ୍କୁ ଆହୁରି ଭଲ ପାଏ, ମୋ ଭଲ ପାଇବା ହେଉ ନିର୍ମଳ ଏବଂ ନିସ୍ୱାର୍ଥପର ।

 

ହରି ଯୋଗୀ ସବୁ ଜାଣିବା ପରି ହସିଲେ । କିଛି କହିଲେ ନାହିଁ, କେବଳ ପରମ ସ୍ନେହରେ ନରୋତ୍ତମର ପିଠି ଉପରେ ହାତ ବୁଲାଇ ଆଣିଲେ ।

 

ନିୟମ ଭଙ୍ଗ ନ କରି ଉଠିଲେ ହରି ଯୋଗୀ । କୌଣସି ଗୃହସ୍ଥାଶ୍ରମରେ ଓଳିକରୁ ବେଶି ରହିବା ନିୟମ ବିରୁଦ୍ଧ ସଂସାର ବୈରାଗୀ ସନ୍ୟାସୀ ପକ୍ଷରେ ।

 

ନରୋତ୍ତମ ତାଙ୍କୁ ବିଦାୟ ଦେବାବେଳେ ସେ କହିଲେ, ଦେଶର କାମ କରବାପାଇଁ ଯୋଗୀ ହବା ଦରକାର ନାହିଁ । ଗୃହସ୍ଥର ଧର୍ମ ପରୋପକାର । ସେବାହିଁ ସର୍ବଶ୍ରେଷ୍ଠ ବ୍ରତ । ବଡ଼ ଦୁର୍ଗମ ଏ ପଥ ବାବା । କିନ୍ତୁ ତୁ ପାରିବୁ ।

 

ନରୋତ୍ତମ ପାଦଧୂଳି ନେଲା ।

 

ଯୋଗୀ କେନ୍ଦେରାରେ ସୁର ଦେଇ ଗାଇଲେ ଚିରନ୍ତନ ଜୀବନର ସେଇ ଅମର ସଙ୍ଗୀତ-। ସେ ଅଦୃଶ୍ୟ ହୋଇଗଲେ କେନାଲ ବନ୍ଧ ଉପରେ ।

 

ନରୋତ୍ତମ ହଠାତ୍‌ ଦେଖିଲା, ନୂଆ ହୋଇ ଲଗାଇଥିଲା ସଦାବିହାରୀ ଗଛରେ ପ୍ରଥମ ଫୁଲର ସମାରୋହ ।

 

ସେ ଆଖି ଉଠେଇ ନେଇ ପାରିଲାନାହିଁ ।

 

ସରୋଜ ରଞ୍ଜନ ମହାନ୍ତିଙ୍କର ସ୍ଥଗିତ ରଖାଯାଇଥିବା ବଦଳି ଆଦେଶ ଆଉ ଥରେ ଜାରୀ ହେଲା ।

 

ଏଇ ଗୋଟିଏ ଜାଗାରେ ରହିଗଲାଣି ପାଞ୍ଚ ବର୍ଷ । ଜାଗାଟା ଆଉ ନୂଆ ନୁହେଁ । ଲୋକମାନେ ବି ଚିହ୍ନା ହୋଇଗଲେଣି ।

 

ସରୋଜ ଆସିଥିଲେ ମଣିଜଙ୍ଗକୁ ଚାକିରି କରିବାର ଚାରିବର୍ଷ ପରେ । ଏଇ ତାଙ୍କର ଦ୍ୱିତୀୟ ନିଯୁକ୍ତି ।

 

ଇଞ୍ଜିନିଅରିଂ କଲେଜରେ ଯାହା ପାଠ ପଢ଼ିଥିଲେ, ତାହା ଆଉ କୌଣସି କାମରେ ଲାଗେ ନାହିଁ । ଏଠାରେ ଅନ୍ୟ ହିସାବ କରୁ କରୁ କାମ ହୋଇଯାଏ । ରାସ୍ତା ତିଆରି, କୋଠାବାଡ଼ି ତିଆରି ଇମିତି କିଛି ଜଟିଳ କାମ ନୁହେଁ । କାମର ପରିଣାମକୁ ଚାହିଁ ସବୁ ବ୍ୟବସ୍ଥା ଅଛି । ପରସେଣ୍ଟେଜ୍‌ ମିଳେ । ଏହା ଧରାବନ୍ଧା ନିୟମ । ଏତିକିରେ ବ୍ୟତିକ୍ରମ ହୁଏ ନାହିଁ । ତଳଠାରୁ ଆରମ୍ଭ କରି ଅନେକ ଉପରେ ମୁଣ୍ଡ ପର୍ଯ୍ୟନ୍ତ ପରସେଣ୍ଟେଜ୍‌ ଦବାକୁ ହୁଏ । ତା’ପରେ ବଡ଼ବଡ଼ିଆଙ୍କୁ ସଙ୍ଖୋଳିବାରେ କିଛି ଖର୍ଚ୍ଚ ହୁଏ । ଡାକବଙ୍ଗଳାରେ କେହି ପଇସା ଦେଇ ରହନ୍ତି ନାହିଁ । ଖାଇବା ପିଇବା ସବୁ ଅନ୍ୟ ମୁଣ୍ଡରେ । ଉପରିସ୍ଥମାନଙ୍କ ଚର୍ଚ୍ଚା କରିବା ନିୟମ ହୋଇଯାଇଚି । ସେଥିରେ ପୁଣି କିଏ କୁକୁଡ଼ା ନ ହେଲେ ଖାଏ ନାହିଁ ତ ଆଉ କିଏ କୁକୁଡ଼ା ସାଙ୍ଗକୁ ସୁରା ନ ହେଲେ ସବୁ ଆୟୋଜନ ନିରର୍ଥକ ମନେକରେ । ଏଥିପାଇଁ ଗୋଟେ ବଡ଼ ଅଂଶ ଖର୍ଚ୍ଚ ହୁଏ । ଠିକାଦାରକୁ କହିଦିଅନ୍ତି ସରୋଜ । ଆଉ ସବୁ ବ୍ୟବସ୍ଥା ଠିକାଦାରଙ୍କର । ବାରମ୍ବାର କହିବାକୁ ପଡ଼େ ନାହିଁ ।

 

ଚିଫ୍‌ ଇଞ୍ଜିନିଅର ଶାକାହାରୀ । ସେଥିପାଇଁ ସେ ଯୋଉଦିନ ଆସିଥିଲେ ସେଦିନ ଅନୁରୂପ ବ୍ୟବସ୍ଥା କରିଥିଲେ ସରୋଜ । କିନ୍ତୁ ଚିଫ୍‌ଙ୍କର ଶାକାହାର ଭୋଜନ ପରେ ଆଉ କିଛି ପ୍ରୟୋଜନ ହୁଏ ବୋଲି ସେ ଜାଣି ନ ଥିଲେ କି ତାଙ୍କୁ କେହି କହି ନ ଥିଲେ । ବୁଢ଼ାଲୋକଟାର ଏତେ ସଉକ ଥାଇପାରେ ସେ କେବେ ବିଶ୍ୱାସ କରି ନ ଥିଲେ । ସେଥିପାଇଁ ଯେତେବେଳେ ସେ ସରୋଜଙ୍କୁ କହିଲେ ମନକଥା, ସରୋଜ ଆକାଶରୁ ପଡ଼ିଲେ ଯେପରି । ରାତି ହେଲାଣି ସେତେବେଳକୁ । ଭାଗ୍ୟକୁ ଗ୍ରାମସେବିକା ସେବତୀ ଆଶ୍ଚର୍ଯ୍ୟ ରାଜି ହୋଇଗଲା ସିନା, ନୋହିଲେ ସେ କବିତାକୁ କହିଥାଆନ୍ତେ । ପରେ ସବୁ ଶୁଣି କବିତା କହିଲା, ମୋତେ କଅଣ ପାଇଲ କି ! ସେଇ ବୁଢ଼ା ସାଙ୍ଗରେ ମୁଁ ଶୁଅନ୍ତି... ତୁମ ଚାକରି ରହିଲେ ରହୁ, ଗଲେ ଯାଉ... । କବିତା ସିନା ଏତକ କହିଦେଲା; କିନ୍ତୁ ସେ ନିଜେ ଜାଣନ୍ତି ଚାକିରିଟି ଛାଡ଼ିଦେଲେ ଆଉ ମିଳିବ ନାହିଁ । ଚାକିରି ଖାଲି ଭଲ କାମକଲେ ରହେ ନାହିଁ, ସେଥିପାଇଁ ଆହୁରି କିଛି କରିବାକୁ ହୁଏ । ଉପରିସ୍ଥ ଅଫିସରମାନଙ୍କର ପରସେଣ୍ଟେଜ୍‌ର ବ୍ୟବସ୍ଥା କରିଦବାକୁ ହୁଏ । ସେମାନଙ୍କ ପୁତ୍ର କନ୍ୟା, ଜ୍ୱାଇଁ ଝିଅଙ୍କ କଥା ବୁଝିବାକୁ ହୁଏ, ଯିଏ ପରିଦର୍ଶନରେ ଆସି ଡାକବଙ୍ଗଳାରେ ରହେ ତାଙ୍କ ଚେଲା ଚାମୁଡ଼ାଙ୍କ ସହିତ ଚର୍ଚ୍ଚା କରିବାକୁ ହୁଏ । ଏହା ବାଦ୍ ସୁରା ଓ ସାକୀର ବି ପ୍ରୟୋଜନ ହୁଏ । ସମସ୍ତଙ୍କର ନ ହେଲେ ବି କେତେକଙ୍କର । ଉପରିସ୍ଥଙ୍କର ଘରେ ବାହାବ୍ରତ ବା ଅନ୍ନପ୍ରାସନ୍ନ ହେଲେ ମାଛ ଓ ମିଠାଠାରୁ ଲୁଗା, ଅଳଙ୍କାର ଓ ଖଟପଲଙ୍କ ବି ବ୍ୟବସ୍ଥା କରିବା କର୍ତ୍ତବ୍ୟ ଭିତରକୁ ଆସି ଯାଇଚି ।

 

ସରୋଜ ସବୁ ତୁଲାନ୍ତି ।

 

କିନ୍ତୁ ସେଦିନ ମନ୍ତ୍ରୀଙ୍କ କାନରେ କିଏ କଅଣ କହିଲା କେଜାଣି, ସେ ମୁହଁ ବୁଲାଇ ନେଲେ । ତା’ପରେ ସ୍ଥଗିତ ଥିବା ବଦଳି ଅର୍ଡ଼ରଟା ପୁଣି ଚାଲୁ ହେଲା ।

 

ବଡ଼ ମୁସ୍କିଲରେ ପଡ଼ିଗଲେ ସରୋଜ ।

 

ହରେକୃଷ୍ଣ ମଳିକକୁ ଡକେଇ ପଠେଇଥିଲେ ସେ । ଲୋକଟା ଧୂର୍ତ୍ତ ହେଲେ କଅଣ ହବ, ପାରଙ୍ଗମ । ଯୋଉ କାମ ଦିଅ ସବୁ କରିବାର କୌଶଳ ତାକୁ ଜଣା । ତା’ପରେ ସଂଯୋଗ ଅଛି । ଯିବାଆସିବା କରେ ବଡ଼ବଡ଼ିଆମାନଙ୍କ ଘରକୁ । ମନ୍ତ୍ରୀଙ୍କଠାରୁ ବିଡ଼ିଓଙ୍କ ପର୍ଯ୍ୟନ୍ତ ସର୍ବତ୍ର ତାର ଅବାଧ ଗତି ।

 

ହରେକୃଷ୍ଣ ଯଥାସମୟରେ ଆସି ନମସ୍କାର କଲା ।

 

ସରୋଜବାବୁ କହିଲେ, ବଡ଼ଲୋକ ହବ, ନ ହେଲେ ବଡ଼ଲୋକଙ୍କ ପାଖରେ ଥିବ । ଏଇ ଦୁଇଟିଯାକ ତୁମ ପ୍ରତି ପ୍ରଯୁଜ୍ୟ ହରେକୃଷ୍ଣ...

 

ହରେକୃଷ୍ଣ ନିଶରେ ହାତ ବୁଲାଇ କହିଲା, ଆମେ ମଳିମୁଣ୍ଡିଆ ସାହେବ ଆମ କଥା ଛାଡ଼ନ୍ତୁ । ଆମେ କେବେ ମୁଣ୍ଡ ହୋଇପାରିବୁ ନାହିଁ, ଲାଞ୍ଜ ହୋଇ ରହିଥିବୁ ।

 

ହରେକୃଷ୍ଣକୁ ପାନ ଗୋଟେ ଦେଇ କହିଲେ ସରୋଜ, ତୁମେ ଜାଣ ସବୁ । ପଞ୍ଚାୟତ କୋଠାରୁ କୁଆଡ଼େ ମୁଁ ଲକ୍ଷେ ଟଙ୍କା ଖାଇଗଲି । ମନ୍ତ୍ରୀଙ୍କ କାନରେ ପଡ଼ିଚି ଏକଥା... ।

 

ହରେକୃଷ୍ଣ କହିଲା, କିଏ ନ ଖାଉଚି ଯେ ଆପଣ ଖାଇଗଲେ ବୋଲି ହୁରି ପଡ଼ିଚି । ଖଜୁରୀ ଗଛ ତ ମୂଳରୁ ପାହୁଚ ପାହୁର୍ତ୍ତ ।

 

କିନ୍ତୁ ମୋ ମୁଣ୍ଡରେ ଚଡ଼କ ପଡ଼ିଚି । ଯିଏ ଯିମିତି ଖସିଗଲେ ।

ଆପଣ ଡରିଲେ ହବ !

ମୁଁ ତ ଏକା ନୁହେଁ । ପିଲାଛୁଆ ଅଛନ୍ତି ।

 

କିନ୍ତୁ ସେଇ ପୋଲ କାମଟା କିଛି ଭଲ ହେଲା ନାହିଁ, ଆଜ୍ଞା । ପୋଲଟା ଯଦି ବର୍ଷା କାଳରେ ଭୁଷୁଡ଼ି ପଡ଼େ ।

 

ତମ କାନକୁ ବି ଗଲାଣି ସେକଥା । ଓହୋ ! ଏ ପୃଥିବୀଟା ଅହଙ୍କାରୀ ହୋଇଉଠୁଚି । ମୁଁ କଅଣ କରିବି କୁହ, ଦଶ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । କାମ ଆରମ୍ଭ କରିବା ଆଗରୁ ଉପରକୁ ଲକ୍ଷେ ଟଙ୍କା ଦେଇ କାମ ପାଇଲା ଠିକାଦାର । ବାକୀ ଟଙ୍କାରୁ ପ୍ରାୟ ଆହୁରି ଅଢ଼େଇ ଲକ୍ଷ ଦବାକୁ ପଡ଼ିଲା ଅନ୍ୟମାନଙ୍କୁ । ଯେତିକି ରହିଲା ସେତିକିରୁ ଲାଭ ରଖି, ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ବ୍ୟବସ୍ଥା କରି କାମ ହେଲା । ଏବେ ତୁମେ ବୁଝୁଥିବ କିମିତି କାମ ହୋଇଥିବ ସେଥିପାଇଁ ମୁଁ କହେ, ଯୋଉଠୁ ନବ ନିଅ କିନ୍ତୁ ପୋଲର ଛାତ କି ଘରର ଛାତରୁ କମାଅ ନାହିଁ । ଭୁଷୁଡ଼ି ପଡ଼ିବ-। ଭିଜିଲାନ୍‌ସ୍‌ ହାତକୁ ଜାଣି ନିଜର ଚୁଟି ବଢ଼େଇ ଦବ କାହିଁକି । କିନ୍ତୁ କିଏ ଶୁଣୁଚି ସେ କଥା । ଖାଲି ଶୁଭୁଚି...ଦିଅ, ଦିଅ, ଦିଅ... । ଅନ୍ନଛତ୍ରରେ ସମସ୍ତେ ପଶିଚନ୍ତି ଯେପରି ।

 

ହରେକୃଷ୍ଣ କହିଲା, କାହିଁକି ଅଧମକୁ ମନେ ପକେଇଲେ କୁହନ୍ତୁ ସାର୍‌ ।

 

ସରୋଜ କହିଲେ, ବିଭୁପଦ ବାବୁଙ୍କ ବିଶ୍ୱାସୀ ଲୋକ ତୁମେ । ତାଙ୍କୁ ମୁଁ ଆଗରୁ କହିଚି-। ଆମ ଘରକୁ ସେଦିନ ଆସିଥିଲେ, ମୋ ସ୍ତ୍ରୀ ବି କହିଚି । କିନ୍ତୁ ଫଳ କିଛି ହୋଇନି...ବଦଳି ଅର୍ଡ଼ର ପୁଣି ରିନିଉ ହୋଇଚି ।

 

ହରେକୃଷ୍ଣ ଫୁଟୁକି ମାରି କହିଲା, ଏଇ କଥାକୁ ନାଆ ପେଲିଦେଲି କଲିକତାକୁ...। ଆପଣ ନିଶ୍ଚିନ୍ତ ରୁହନ୍ତୁ ।

 

–ଚିନ୍ତା ତ ମାଡ଼ି ବସିଚି ମନକୁ ।

–ନିଶ୍ଚିନ୍ତ ହୋଇ ମଉଜ କରନ୍ତୁ ।

–ତୁମେ ଚାକିରି କରିନ ନୋହିଲେ ବୁଝନ୍ତ ।

–ଆଜ୍ଞା ସବୁ ବୁଝିଚି । ମୁଁ ଅମିନ ଥିଲି ପରା ପାଞ୍ଚବର୍ଷ । ପୋଷେଇଲାନି ଛାଡ଼ିଦେଲି ।

Unknown

ଅମିନ ତ ଭଲ ଚାକିରି...ବେଶ୍‌ ଦୁଇପଇସା ଅଛି ।

 

ହଁ ସବୁ ଅଛି । କିନ୍ତୁ ସରକାରୀ ଚାକିରି ପାଦରେ, ହାତରେ ବେଡ଼ି ପିନ୍ଧେଇ ଦିଏ... ନିଜ ମୁହଁ ଆଉ ଦିଶେ ନାହିଁ, ପର ମୁହଁର ଭାବ ଦେଖି ନିଜର ଭାବଅଭାବ ବୁଝିବାକୁ ହୁଏ ।

 

ସତ । ଭଲ କରିଚ । କିନ୍ତୁ ଆମେ ହନ୍ତସନ୍ତ ହଉଚୁ । ଲୋକଙ୍କର ସେବା କରିବାକୁ ବ୍ରତ ଗ୍ରହଣ କରି ଏବେ ଦୁର୍ଦ୍ଦଶାର ସୀମା ନାହିଁ ।

 

ମୁଁ ବିଭୁବାବୁଙ୍କୁ କହିବି । ତାଙ୍କ କଥା ଆପଣ ବୁଝିବେ । ଟୋକାଲୋକ ମନ ଜୟ କଲେ ଆମର କିଛି ଭୟ ନାଇଁ ।

 

ମଁ ସବୁ ବ୍ୟବସ୍ଥା କରିବି । ତୁମ କଥା ବି ମନେଅଛି । ଗତଥର ତୁମ ପ୍ରାପ୍ୟ ତ ପାଇଥିଲ ?

 

ଆଜ୍ଞା ! ଆପଣମାନଙ୍କ ପାଇଁ ତ ବଞ୍ଚିବା କଥା ।

 

ପାଞ୍ଚ ବରଷ ରହିଚି ଏଠି । ଆଉ ପାଞ୍ଚଟା ବରଷ ରହିଗଲେ ପିଲା ବଡ଼ ହୋଇଯିବେ । ମଣିଜଙ୍ଗରେ ରହିଲେ ଯାହା, ଆନନ୍ଦପୁରରେ ରହିଲେ ମଧ୍ୟ ତାହା ।

 

ହରେକୃଷ୍ଣ କହିଲା, ବନ୍ୟାପରେ ମରୁଡ଼ିର ରିଲିଫ କାମ ଚାଲିଚି । ଟିକେ ପରସେଣ୍ଟେଜ୍‌ଟା ବଢ଼ାଇଦେଲେ କିଛି କ୍ଷତି ନାହିଁ । ପୁଣି ତ ବଢ଼ି ଆସିବ ପୁଣି ମରୁଡ଼ି ହବ । କିଏ ଜାଣୁଚି ବାଲି, ପଥର କୁଆଡ଼େ ଗଲା ?

 

ବିଭୁପଦ ବାବୁ ବି ଏଇ କଥା କହୁଥିଲେ । କିନ୍ତୁ ବିରୋଧୀ ପକ୍ଷ ପାଟିତୁଣ୍ଡ କରୁଛନ୍ତି ଯେ... ।

 

ମାରଗୋଲି ଶଳାଙ୍କୁ । ଶଳା ନିଷ୍କର୍ମାଗୁଡ଼ାଏ । ଖାଲି ବାଦ ପ୍ରତିବାଦରେ ଦେଶ ଚାଲେ ନାହିଁ ବା... ପରିଶ୍ରମ କରିବାକୁ ହୁଏ ।

 

ସମସ୍ତେ ସେ କଥା ବୁଝନ୍ତି ନାହିଁ ।

 

ନ ବୁଝନ୍ତୁ । ଛାଟିପିଟି ହୋଇ ତାଟିଆ କାମୁଡ଼ନ୍ତୁ । ସେମାନେ କ୍ଷମତାରେ ଥିଲାବେଳେ ଯେ ଚରି ଯାଉଥିଲେ ସେ କଥା ଏତେ ଶୀଘ୍ର ବିସ୍ମରଣ ହୋଇଗଲା । ଆହାରେ ! ନିଜ ଆଖିରେ କେହି ଆଙ୍ଗୁଳି ଗେଞ୍ଜେ !

 

ମୁଁ ଏକା ପଡ଼ିଯାଇଚି । ଏକ୍‌ଜିକିଉଟିଭ ଇଞ୍ଜିନିଅରଙ୍କ ଶଳାର ଚର୍ଚ୍ଚା ବିଘ୍ନିତ ହବା ଦିନଠାରୁ ସେ ଲାଗିଚନ୍ତି ମୋ ପଛରେ ।

 

ଲାଗନ୍ତୁ । ତାଙ୍କ ବଥ ତ ଏତେ ବଡ଼, ସେ ନିଜ କଥା ସମ୍ଭାଳନ୍ତୁ ।

ଟିକେ ଚେଷ୍ଟାକର । ଅଡ଼ରଟାକୁ ଏକାବେଳେ କ୍ୟାନ୍‌ସେଲ କରେଇ ଆଣ ।

ସେ ଦାୟିତ୍ୱ ମୋ ଉପରେ ।

ମୁଁ ତାହେଲେ ଆଗଉଚି ...

 

ଆଗେଇ ଯାଆନ୍ତୁ... । କାଲି ସକାଳେ କମିସନର ସାହେବ ରାସ୍ତାରେ ଆସୁଚନ୍ତି ଯେ...ଜାଣିଥିବେ ।

 

ହଁ, ସେଥିପାଇଁ ତ ଭୟ ଲାଗୁଚି । ଚୋପାଛଡ଼ା ଲୋକଟା...ଖୋଳି ତାଡ଼ି ଭିତରକୁ ଯିବା ତାଙ୍କର ପ୍ରକୃତି ।

 

ସେଇ ସୁଯୋଗ ପାଇବେ ନାଇଁ । ଗଣଧାରଣା ଦିଆଯିବ ।

କିଏ କରିବ, ବିରୋଧୀ ଦଳ ?

 

ନା, ଆମ ଲୋକ ଧାରଣା ଦେବେ । ଆମ ଅଞ୍ଚଳକୁ ବେଶି ଟଙ୍କା ନ ଆସି ଅନ୍ୟ ଅଞ୍ଚଳକୁ ଯାଉଚି । ବେଶି କାମ ଏ ଅଞ୍ଚଳରେ ନ କଲେ ଆମେ ପଛୁଆ ହୋଇଯିବୁ ଯେ... ।

 

ସତକଥା । ଏଇ ଦେଖ, ମୋ ହାତକୁ ମାତ୍ର ଅଶିଲକ୍ଷ ଟଙ୍କାର କାମ ଆସିଚି । ଅନ୍ତତଃ ଦୁଇକୋଟି ଅଶିଲକ୍ଷ ହବାର କଥା ।

 

ଆମେ ଲଢ଼ିବା ସେଥିପାଇଁ । ଦସ୍ତଖତ୍‌ ସଂଗ୍ରହ ଚାଲିଚି । ଗଣ ପିଟିସନ ଦିଆଯିବ । ପାଞ୍ଚ ହଜାର ଲୋକ ଦସ୍ତଖତ କରିଛନ୍ତି ।

 

ବେଶ୍‌ ଭଲକଥା...ଆମ ବିରୁଦ୍ଧରେ କିଛି ଅଭିଯୋଗ ନାହିଁତ ?

ଆପଣଙ୍କ ପ୍ରଶଂସା ଅଛି ସେଥିରେ... ।

ସତେ ?

ମୁଁ କେବେ ଧୋକା ଦିଏ ନାହିଁ । ଯାହାର ଲୁଣ ଖାଏ ତାର ଗୁଣ ଗାଏ ।

ସାହେବ ଯଦି ଭାବନ୍ତି ଏସବୁ ମୋର କାମ... ।

 

ତାଙ୍କ ଭାବିବାଟା ବଡ଼କଥା ନୁହେଁ । ଉପରେ ଜାଣନ୍ତୁ ଯେ ଭଲ କାମ କରି ଆପଣ ବିପଦରେ ପଡ଼ିଛନ୍ତି ।

 

କମିସନର ସାହେବ ବଡ଼ କଡ଼ା ଲୋକ...ଦେଖି ଚାହିଁ ଯାହା କରିବ ।

 

ସେ ତାଙ୍କ ଘରେ କଡ଼ା ହୁଅନ୍ତୁ ସାଦା ହୁଅନ୍ତୁ, ଆମ ପାଖରେ ଜଣେ ସରକାରୀ କର୍ମଚାରୀ । ଆମେ ଲୋକପ୍ରତିନିଧି । ଆମ କଥା ଶୁଣିବାକୁ ହବ । ଇଏ ଗଡ଼ଜାତି ଚବିଶ ଘଣ୍ଟିଆ ଶାସନ ଚାଲି ନାହିଁ ଯେ ଆମ କଥା ଶୁଣାହବ ନାଇଁ, ସିଏ ଯାହା କହିବେ ସେୟା ।

 

ସରୋଜ ଖୁସି ହେଲେ । ହରେକୃଷ୍ଣ ଲୋକଟି ଉପରେ ନିର୍ଭର କରିବାକୁ ଇଚ୍ଛା ହେଲା । ଆଉ ଖଣ୍ଡେ ପାନ ତା’ ହାତକୁ ବଢ଼େଇ ଦେଇ କହିଲେ, ସମୟ ପାଇଲେ ଚାଲିଆସିବ । ବିଭୁବାବୁଙ୍କୁ କହିଦବ । ସେଇ ଯେ ଆସିଥିଲେ... ଏତେଦିନ ଗଲାଣି । ଆଉଥରେ ଆସିବେ ।

 

ନମସ୍କାର କରି ବିଦାୟ ନେଲା ହରେକୃଷ୍ଣ ।

 

ସରୋଜବାବୁ ଖବରଟା ଘରେ ଦବାପାଇଁ ଉଠିବାବେଳକୁ ହରେକୃଷ୍ଣ ଫେରିଆସି କହିଲା, ବିଭୁବାବୁ କହିଥିଲେ କିଛି ନେଇଯିବା ପାଇଁ । ଦରକାର ଥିଲା ତାଙ୍କର । ଦେଶସେବା ତ ଖାଲି ହାତରେ କରିହୁଏ ନାହିଁ ।

 

ସରୋଜବାବୁ ଉଚ୍ଚବାଚ୍ୟ ନ କରି ଭିତରକୁ ପଶି ଗୋଟେ ଲଫାପା ଆଣି ହରେକୃଷ୍ଣ ହାତକୁ ବଢ଼େଇ ଦେଇ କହିଲେ, ବଡ଼ ଲଫାପା ଭିତରେ ଗୋଟେ ଛୋଟ ଲଫାପା ଅଛି, ସେଇଟା ତୁମର ଆଗୁଆ । ବଡ଼ ଲଫାପାଟା ବିଭୁବାବୁଙ୍କର... ।

 

ହରେକୃଷ୍ଣ ସଲାମ କରି ଚାଲିଗଲା ।

ଘର ଭିତରକୁ ଯାଇ କବିତାକୁ ସବୁ କହିଲେ ସରୋଜରଞ୍ଜନ ।

କବିତା କହିଲା, ତମର ବୁଦ୍ଧି ଏଡ଼େ କମ୍‌ବୋଲି ଜାଣିଥିଲେ...

–କାହିଁକି, କଅଣ ହେଲା ?

 

ତମକୁ ସେଦିନ କହିଥିଲି ନା ଅନ୍ୟ ହାତରେ ଦବାନବା କରିବ ନାଇଁ, ଯାହା ଦବ ନିଜ ହାତରେ... ।

 

ସେ ମାଗି ପଠେଇଥିଲେ । ହରେକୃଷ୍ଣ ତାଙ୍କ ନିଜ ଲୋକ ।

 

ଆମେ କଅଣ ପରଲୋକ ? ହାତରେ ଦେଲେ ଦବାଟା ସଫଳ ହୁଏ । କଥାଟା ମନେରହେ ।

 

ତାହେଲେ ?

 

ତାଙ୍କୁ ନିମନ୍ତ୍ରଣ କର । ଆସନ୍ତା ପଚିଶ ତାରିଖ ମୋ ଜନ୍ମଦିନ ପଡ଼ୁଚି । ତାଙ୍କୁ ଡାକ । ମନା କରିପାରିବେ ନାହିଁ ।

 

ଭଲକଥା କହିଚ ତମର ସାଙ୍ଗ ସେ । ତମର ଜନ୍ମଦିନ ପାଳିବା ତାଙ୍କ ଗହଣରେ... ।

ମୋତେ କଅଣ ଦବ ?

ବନାରସୀ ଖଣ୍ଡେ ତ ସେଦିନ ରାଠୋର ଦେଇଯାଇଚି ।

ଖାଲି ବନାରସୀ ଖଣ୍ଡକରେ ସରିବ ସବୁ ?

ବେଳ ଭଲ ନୁହେଁ ।

ବେଳ ଭଲ, କିନ୍ତୁ ତୁମ ମନ ନିଅଣ୍ଟ... ।

ନାଇଁ, ନାଇଁ ...

ହାରଟା ପୁରୁଣା ହୋଇଗଲାଣି ।

ଉପରୁ ଶନିଦୃଷ୍ଟି ପଡ଼ୁଚି । ଯେତେ ଦେଲେ ବି ଶଳେ ସନ୍ତୁଷ୍ଟ ନୁହଁନ୍ତି...

ସେମାନଙ୍କୁ ଦବ, ମୋ ବେଳକୁ ଖର୍ଚ୍ଚ କାଟ... ।

 

ନାଇଁ ନାଇଁ, କିଛି ଗୋଟେ ବ୍ୟବସ୍ଥା ହୋଇଯିବ । ଅଗ୍ରବାଲ ଏ ଭିତରେ । ପୋଲଟା ତ ଧୋଇଯିବ ନିଶ୍ଚୟ । ଶଳା ଅଧକରୁ ବେଶୀ ସଫା କରିଦେଇଚି ।

 

ସମସ୍ତେ ଆଖିବୁଜି ନଉଚନ୍ତି, ତମେ ନବାରେ କୃପଣ ହବ କାହିଁକି ।

 

ତାପରେ ସରୋଜ ନଇଁପଡ଼ି କବିତାର ଗାଲରେ ଚୁମାଟିଏ ବସେଇ ଦେଇ କହିଲେ, ଅଠେଇଶରେ ପାଦ ଦବ...କିନ୍ତୁ ଅଠର ପରି ଦିଶୁଚ । କିଏ କହିବ ଦୁଇଟା ପିଲାର ମା... ।

 

ଧ୍ୟାତ୍‌ ! ଫାଜିଲାମି କରୁଚ ଏଇ ଦିନଟାରେ...କାଳେ ମୁନ୍‌ମୁନ୍‌କି ଆଉ କେହି ଯଦି ଦେଖେ...

 

କେହି ଦେଖୁ ନାହାନ୍ତି । ମୋ ଦୃଷ୍ଟିରେ କେହି ପଡ଼ୁ ନାହାନ୍ତି !

କାମ କରି କରି ରୂପ କେମିତି ହେଲାଣି ଦେଖୁଚ... ।

.ମୋତେ ବେଳ କାହିଁ ଦେଖିବାକୁ । ତମେ ଦେଖିବା ଲୋକ... ।

 

ମୋ ପାଇଁ କୋଉ ଅପେକ୍ଷା କର ଯେ ତମେ...ନ ହେଲେ ପ୍ରତିଦିନ ଫେରନ୍ତ ରାତି ବାଆରରେ... ।

 

କାମ ସରେ ନାହିଁ...ସବୁ କାମ ନିଜେ ନ ଦେଖିଲେ ନ ହୁଏ ।

ବାଜେ କଥା କୁହନା । ତୁମେ ସେଇ ମାଇକିନିଆ ପଛରେ ଦଉଡ଼ୁନ ?

କିଏ ?

ବ୍ଳକ୍‌ ସ୍କୁଲର ମାଷ୍ଟରାଣୀ...ସୁନନ୍ଦା ନା କଅଣ ନାମ...!

ସୁନନ୍ଦା ମୋ ପାଖକୁ ଆସେ ନାହିଁ...ମୋ ଉପରବାଲାଙ୍କ ପାଖକୁ ଯାଏ... ।

 

ମୁଁ ଜାଣିଚି ସବୁ । ତୁମେ ତା’ ପାଇଁ ପାଗଳ । ସେଇଠି ରୁହ । ମୋ ପାଖରେ ଆଉ ସ୍ଥାନ ନାହିଁ... ।

 

ସରୋଜ ସତକୁ ସତ ଡରିଗଲେ । ନ ଜାଣିବା କଥାଟା ଜାଣି ଯାଇଚି କବିତା ।

 

କବିତା ଝଙ୍କାର ତୋଳି କହିଲା, ଚଉଦ ଘାଟରେ ପାଣି ପିଏ ସେଇ ମାଇକିନିଆ । ଯୋଉ ତ ରୂପ...ତାହାରି ପାଲରେ ଶେଷରେ ପଡ଼ିଲ ତମେ... ।

 

ହଠାତ୍‌ ସରୋଜ କବିତାର ଦୁଇହାତ ଧରିପକେଇ କହିଲେ, ତମେ ଇମିତି ହେଲେ ଚଳିବ...ବଡ଼ ସାହେବଙ୍କ ପାଖକୁ ତାକୁ ନେଇଯିବାକୁ ହୁଏ...

 

ମିଛ...ସବୁ ମିଛ...ଚିତ୍‌କାର କଲା କବିତା । ତା’ ଆଖିରେ ରଡ଼ ନିଆଁର ଝଲକ ଦେଖି ଶଙ୍କିଗଲେ ସରୋଜ ।

 

ଶକୁନ୍ତଳାର ଚେତନାରେ ଆହୁରି ନିକଟତର ହୁଏ ନରୋତ୍ତମ । ସେ ମନେପଡ଼ିବା କ୍ଷଣି ଶିହରଣ ଖେଳିଯାଏ ସର୍ବାଙ୍ଗରେ, ରୋମ ଟାଙ୍କୁରି ଉଠେ ଏବଂ ମନେହୁଏ ଶକୁନ୍ତଳାର ଯେପରି ତା ଭିତରର ବରଫ ପାହାଡ଼ଟା କେବଳ ତରଳିବାକୁ ଆରମ୍ଭ କରିନି ଚହଲିବାକୁ ବି ଆରମ୍ଭ କରିଚି ଏବଂ ହୃଦୟର ସ୍ପନ୍ଦନ ଗଣି ଗଣି ବହିବାକୁ ଆରମ୍ଭ କରିଚି ଏକ ସ୍ରୋତସ୍ୱିନୀ ।

 

ନରୋତ୍ତମର ଦେହର ପରଶର ମଧୁରତା ପାଶୋରି ପାରେନି ମନରୁ । ଭାବିବା କ୍ଷଣି ସ୍ପନ୍ଦନ ଖେଳିଯାଏ ରକ୍ତକୋଶରେ । ସହସ୍ର କଳିକା ଏକ ସମୟରେ ଫୁଟିଉଠେ । ମହକି ଉଠେ ଅନ୍ତର । ଶୀତଳ ଶରୀରଟା ଉଷୁମ ହୋଇଯାଏ ।

 

ଆଉଥରେ ତାକୁ ଛୁଅଁନ୍ତା କି ନରୋତ୍ତମ ।

ଆକାଙ୍‌କ୍ଷିତ ସେଇ ସ୍ପର୍ଶର ଉତ୍ତାପ ବୋଳି ଦିଅନ୍ତାକି ସର୍ବାଙ୍ଗରେ ।

ଶକୁନ୍ତଳା ଅବାକ୍‌ ହୋଇଯାଏ । ସେ ଉପଲବ୍‌ଧି କରେ ଏକ ଅନନୁଭୁତ ଆବେଗ ।

ବଉଳର କଥାଗୁଡ଼ାକ ମନେପଡ଼େ ।

ମୁହଁ ଲାଲ ହୋଇଯାଏ ଲଜ୍ୟାରେ । କାନ ଯୋଡ଼ିକ ଉତ୍ତାପରେ ଉଦଗ୍ର ହୁଏ ।

 

ଧ୍ୟାତ୍‌, ବଡ଼ ଫାଜିଲ ହୋଇଯାଇଚି ସ୍ନେହ । ବାହା ହୋଇଗଲା ପରେ ତା’ର ସ୍ୱର ବଦଳିଯାଇଚି । ତା’ର ଚେହେରା ବି ବଦଳିଚି । ପରିବର୍ତ୍ତନର ଆଭାସ ସର୍ବତ୍ର ।

 

ଶୀତ ଦିନରେ ଘୋଡ଼ିଘାଡ଼ି ଯୋଡ଼ିହୋଇ ଶୁଏ ସ୍ନେହ ।

 

ସ୍ୱପ୍ନ ଦେଖି ଚମକିପଡ଼ିବା ବେଳକୁ ଛାତି ଉପରକୁ ଭିଡ଼ି ନେଇ ତା’ର ସ୍ୱାମୀ କୁଆଡ଼େ ବୋକ ଦେଇ କୁହନ୍ତି, ମୁଁ ତ ପାଖେ ପାଖେ ଅଛି, ଚମକି ପଡ଼ୁଛ କାହିଁକି ?

 

ଶକୁନ୍ତଳାର ଏଡ଼େ ଭାଗ୍ୟ ହବ ନରୋତ୍ତମ ପାଖରେ ନିବେଦନ କରିବ ନିଜକୁ ।

 

ନରୁକୁ ଆଗରୁ କେତେ ଦେଖିଚି । ଏକା ସାଙ୍ଗରେ କଟକ ଯାଇଛନ୍ତି ଦୁହେଁ । ତାକୁ ହଷ୍ଟେଲରେ ଛାଡ଼ି ଦେଇ ନିଜ ହଷ୍ଟେଲକୁ ଯାଇଛି ନରୋତ୍ତମ । ତା’ ଦିହର ପରଶ ବି ଲାଗିଚି । କିନ୍ତୁ ସିଏ ଅନ୍ୟ ରକମର । ସେଠାରେ ଉଷ୍ମା ନ ଥିଲା କି ଶିତ୍‌କାର ନ ଥିଲା, ଆବେଗ ନ ଥିଲା କି ଅପେକ୍ଷା ନ ଥିଲା । ସେତେବେଳେ ତାକୁ ଭଉଣୀ ପରି ସ୍ନେହ କରୁଥିଲା ନରୋତ୍ତମ ।

 

ସେଇ ଲୋକଟି ତା’ ପାଖରେ ଏତେ ବଦଳିଗଲା । ତାକୁ ସ୍ମରଣ କଲାକ୍ଷଣି ମନ ପାଖୁଡ଼ା ମେଲାଏ, ଏକ ହୋଇଯିବା ପାଇଁ ଇଚ୍ଛାହୁଏ ।

 

ବାପା ବୋଉଙ୍କୁ କିମିତି ବୁଝେଇବ ଏଇ ସତ କଥା । ମନରେ ଏଇ ଏକାନ୍ତ ଗୋପନୀୟ କଥା କିପରି କହିବ ସେମାନଙ୍କୁ ! ନରୋତ୍ତମ ଯେ ତାର ନିଷ୍କୃତିର ପଥ, ମୁକ୍ତିର ମାର୍ଗ ସେଇ କଥା କିପରି ଘୋଷଣା କରିବ ସମସ୍ତଙ୍କ ଆଗରେ ।

 

ଏଇ ଲଜ୍ୟାର କି ଅନୁପମ ମଧୁରତା ।

ଏଇ ମଧୁରତା କେଡ଼େ ଉଷ୍ମ ଏବଂ ସୁନ୍ଦର ।

ଭଲ ଲାଗେ ଭାବିବା ପାଇଁ । ଆହୁରି ଭଲ ଲାଗେ ଭଲ ପାଇବା ପାଇଁ ।

 

ଶକୁନ୍ତଳାର ସ୍ୱର ଆଉ ଜଣକର ସ୍ୱର ନୁହେଁ । ଦ୍ୱୈତ କଣ୍ଠର ଗୀତ ଶୁଭୁଚି ଅନ୍ତର ଭିତରୁ ।

 

ବିସ୍ତାର ହୋଇଛି ସଙ୍କୁଚିତ ହୃଦୟର ।

ଅଙ୍ଗେ ଅଙ୍ଗେ ନୂତନ ରଙ୍ଗ, ନୂତନ ରାଗିଣୀ । ନୂତନ ଛନ୍ଦ । ନୂତନ ଲାବଣ୍ୟ ।

ସେ ଆଉ ସ୍ଥିର ହୋଇ ରହିପାରୁ ନାହିଁ । ମନକୁ ନିଶ୍ଚଳ କରି ପାରୁନାହିଁ ।

ସର୍ବତ୍ର ପ୍ରବାହ ।

 

ସେ ସ୍ରୋତସ୍ୱିନୀ । ତାର ଲକ୍ଷ୍ୟ ଅନନ୍ତ କାଳର । ସଙ୍ଗମକୁ ଖୋଜି ସେ ଯାତ୍ରାରମ୍ଭ କରିଛି ।

 

ଆହୁରି କେତେ କଥା ଭାବିଥାଆନ୍ତା ଶକୁନ୍ତଳା । ଆହୁରି କେତେ ଚିତ୍ର ଦେଖିଥାଆନ୍ତା ମନରେ ।

 

ସେଇ ଯେ ଆସିଥିଲା ନରୋତ୍ତମ । ପନ୍ଦର କୋଡ଼ିଏ ଦିନ ହବ । ତାପରେ ଆସି ନାହିଁ-

 

ଆଗେ ଶୀଘ୍ର ଶୀଘ୍ର ଦେଖା ହେଉଥିଲା । ଖୁସିଗପ କରିବାପାଇଁ ବି ସମୟ ମିଳୁଥିଲା । ଆଉ ସେଇ ସୁସମୟ ନାହିଁ ତା’ ପାଖରେ । ତାକୁ ଅପେକ୍ଷା କରିବାକୁ ହୁଏ । କାଳେ ନରୋତ୍ତମ ଆସି ତାକୁ ନ ପାଇ ଫେରିଯିବ ବୋଲି ଶକୁନ୍ତଳା କାହାରି ଘରକୁ ପ୍ରାୟ ଯାଏ ନାହିଁ । ବୋଉ କହନ୍ତି, ଘରଭିତରେ ଇମିତି ମନମାରି ବସିଲେ ଦେହ ରହିବ–ଯା ଯା ବୁଲି ଆସିବୁ । ସାଥି ସଙ୍ଗାତଙ୍କ ସାଙ୍ଗରେ ଖେଳି ଆସିବୁ ।

 

ପାଠ ପଢ଼ୁଥିଲେ ଏ ଜଞ୍ଜାଳ ନ ଥାନ୍ତା । ପାଠପଢ଼ା ଶେଷ ହୋଇଯାଇଛି ।

 

ଶକୁନ୍ତଳା ଅନେକ ବହି ରଖିଥିଲା । ବନ୍ୟାରେ ଅନ୍ୟ ଜିନିଷ ସହିତ ବହି –ବାକ୍‌ସ ବି ଭାସିଗଲା । ଟେବୁଲ ଉପରେ ଥିବା ଖାତା ଓ ବହିଗୁଡ଼ାକ ପାଣିରେ ଭିଜି କାଦୁଅରେ ମିଶିଗଲା ।

 

ବହି ପଢ଼ି ସମୟ କଟାଇ ଦେଉଥିଲା ଶକୁନ୍ତଳା । ଆଉ ସମୟ କଟୁ ନାଇଁ । ବହିପରି ବନ୍ଧୁଟିଏ ମିଳୁନାହିଁ ।

 

ବହି ପଢ଼ିବାର ଅଭ୍ୟାସଟା ନରୋତ୍ତମ ଶିଖେଇଥିଲା ତାକୁ, ଏକା ଏକା ଶୂନ୍ୟ ମନରେ ନ ବସି ମନକୁ ପୁଲକ ଯୋଗାଇ ହୁଏ ବହି ପଢ଼ିବାଦ୍ୱାରା । ନରୋତ୍ତମର ଅନେକ ବହି, ଅନେକ ପତ୍ରିକା । କେତେ ଅଛି, କେତେ ନଷ୍ଟ ହେଲା ହିସାବ ରଖିନାହିଁ । କିନ୍ତୁ ନରୋତ୍ତମର ବହି ପାଗଳ ମନଟି ବଦଳି ନାହିଁ ।

 

ଦିନେ ଗୋଟେ ଉପନ୍ୟାସ ପଢ଼ିବା ପାଇଁ ମାଗି ଆଣିଥିଲା ଶକୁନ୍ତଳା ।

 

ନରୋତ୍ତମ ତାକୁ ବହିଟି ଦବ କି ନାହିଁ ସ୍ଥିରକରି ପାରି ନ ଥିଲା ସହଜରେ । ତା’ପରେ ଆଉଥରେ ଶକୁନ୍ତଳା ମନେପକେଇ ଦେବାରୁ ସେ ଯାହା କହିଥିଲା ଏଯାଏ ଭୁଲିଯାଇନି ସେ ।

 

ଉପନ୍ୟାସ ପଢ଼ିବାକୁ ମନା ନାହିଁ । କିନ୍ତୁ ଏତେ ତରତର କାହିଁକି ? ସମୟ ବହୁତ ମିଳିବ ଉପନ୍ୟାସ ପଢ଼ିବା ପାଇଁ । ମନ ଚଞ୍ଚଳ ହବ । ଯାହା ପଢ଼ିବା କଥା ଅପଢ଼ା ରହିଯିବ ।

 

ଅଥଚ ସାଙ୍ଗମାନେ ଠିକ୍‌ ଭିନ୍ନ କଥା କହନ୍ତି । ଉପନ୍ୟାସଟିଏ ପଢ଼ିଲେ ସ୍ନେହକୁ ନିଦ ହୁଏ, ଗଳ୍ପ ବା ଉପନ୍ୟାସ ପଢ଼ିଲେ ସବିତାକୁ ଭୋକ ହୁଏ । ଆଉ କବିତା ପଢ଼ି ପ୍ରେମ ପତ୍ର ଲେଖନ୍ତି କେତେକ ।

 

ପ୍ରଥମ ଉପନ୍ୟାସଟି ଜୀବନର ପ୍ରଥମ ବିସ୍ଫୋରଣ ପରି । ଉପନ୍ୟାସ ପଢ଼ିସାରି ସେ ନିଜକୁ ଚିହ୍ନି ଚମକି ପଡ଼ିଥିଲା । ତା’ ଭିତରେ ଗୋପନରେ ଆଉ ଜଣେ ଅଲିଅଳ ପ୍ରେମମୟୀ ରାଜକୁମାରୀ ଅପେକ୍ଷା କରୁଥିବାର ସେ ସେଇ ପ୍ରଥମ ଜାଣିଲା । ତାପରେ ଅନେକ ଉପନ୍ୟାସ ପଢ଼ିଚି ପ୍ରକାଶ୍ୟରେ ବା ଗୋପନରେ । ଗୋଟେ ଗୋଟେ ଉପନ୍ୟାସକୁ କବାଟ ବନ୍ଦ କରି ପଢ଼ା ଆରମ୍ଭ କରି ରାତି ଅନିଦ୍ରା ହୋଇ ପଢ଼ା ଶେଷ କରିଚି । ଉପନ୍ୟାସର ଚରିତ୍ର ଏବଂ ଘଟଣାବଳୀ ତାକୁ ଦେଇଛି ନୂଆ ଅନୁଭବ, ଆଖିରେ ଦେଇଛି ନୂଆ ଦୃଷ୍ଟି ଏବଂ ହୃଦୟକୁ ଦେଇଛି ବିସ୍ତାର । ସେ ସେଇଦିନୁ ନିଜକୁ ଖୋଜୁଚି । ଖୋଜୁଛି ନିଷ୍କୃତିର ପଥ, ମୁକ୍ତିର ମାର୍ଗ । ସେଇଦିନୁ ଖୋଜୁଛି ନିଜ ଭିତରେ ଆଉ ଜଣକୁ ଯାହାକୁ ସେ ଅନନ୍ତ କାଳରୁ ଭଲ ପାଏ, ଯାହା ବିନା ତା’ର ଜୀବନ ବ୍ୟର୍ଥ ତାର ବଞ୍ଚିବା ନିରର୍ଥକ ।

 

ନରୋତ୍ତମ ଉପନ୍ୟାସର ନାୟକ ପରି ।

ସେ ମନ ଓ ହୃଦୟକୁ ଅଧିକାର କରିନେଇଚି ।

ତାକୁ କଅଣ ପାଇବ ଶକୁନ୍ତଳା ?

 

ଅସ୍ଥିର ହୁଏ ମନ । ନାନା ପ୍ରଶ୍ନବାଚୀ ଉଦୟ ହୁଏ ମନରେ । ସେ ଉତ୍ତର ପାଏ ନାହିଁ । ଉତ୍ତର ତା ହାତରେ ନାହିଁ ।

 

ଉତ୍ତର ଦବାର ମଣିଷଟି ନିର୍ଲିପ୍ତ, ଉଦାସ ହୋଇ ବୁଲୁଚି । ପଦେ ଚମ୍ପୂ ପରି ଶକୁନ୍ତଳା ଉଡ଼ୁଚି ଆକାଶରେ । କାଳେ ଯଦି ଭେଟ ହୋଇଯାଏ । କାଳେ ଯଦି ସେଇ ପଦିଏ ଚମ୍ପୂର ମୂର୍ଚ୍ଛନାକୁ ତୋଳି ନିଏ ନରୋତ୍ତମ ।

 

ନରୋତ୍ତମ ବତ୍କୃତା ଦିଏ ।

 

ବିବାହ ନ କରି ବି ମଣିଷ ବଞ୍ଚିପାରେ, ବଡ଼ ହୁଏ । ବିବାହର ଆବଶ୍ୟକତା ଅଛି; କିନ୍ତୁ ଏହା ଅପରିହାର୍ଯ୍ୟ ନୁହେଁ । ସମସ୍ତେ ସଂସାର କରି ନିଜ ନିଜର ସୁଖ ଦୁଃଖ ନେଇ ରହିଲେ ସମାଜର କଥା କିଏ ବୁଝିବ, ଯାହାଙ୍କର କଥା ବୁଝିବାପାଇଁ କେହି ନାହାନ୍ତି ସେମାନଙ୍କ କଥା କିଏ ବୁଝିବ ? ସେଇଥିପାଇଁ ଲୋକ ଦରକାର । ଯୋଗୀ ବା ସନ୍ନ୍ୟାସୀ ନ ହୋଇ ବି ସେଇ କାମ କରିହୁଏ ।

 

ନରୋତ୍ତମ ସେଇ କାମ କରିବ ।

ସେମାନେ ତା ମୁହଁକୁ ଅନାଇ ରହିଚନ୍ତି ।

 

ଶକୁନ୍ତଳା ବି ଅନେଇଚି ସେଇ ପଥକୁ । କେତେବେଳେ ସେ ଆସିବ ? କେତେବେଳେ ଆଖି ସହିତ ଆଖିର ଏବଂ ହୃଦୟ ସହିତ ହୃଦୟର ମିଳନ ହବ ?

ବାପା, ବୋଉଙ୍କ ତୁଣ୍ଡ ବାରି ହୋଇ ପଡ଼ୁଚି । ଆହୁରି କିଏ ଆସିଲା ଏଇ ଦୁଇ ପହରଟାରେ ? ଦେହର ଅଳସ ଭାଙ୍ଗି କେତେ କଥା ଭାବୁଥିଲା ସେ । ଭାବିବାରେ ବି ସୁଖ ଥାଏ । ଭାବିବାରେ ବି ଉତ୍ତାପ ସଞ୍ଚରିତ ହୁଏ ମନରେ । ଭାବନାର ସାମ୍ରାଜ୍ୟର ସୂର୍ଯ୍ୟଟି ବଡ଼ ଉଷ୍ମ । ତା’ର ଉତ୍ତାପ ଦଗ୍‌ଧ କରେ । ବରଫ ତରଳି ସ୍ରୋତ ହୁଏ ।
ଶକୁନ୍ତଳାକୁ ବୋହୂ କରି ନବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଚି ।

ବିଭୁପଦ ସହିତ ବିବାହ ପ୍ରସ୍ତାବ ନେଇ ସ୍ୱୟଂ ହରିପଦ ଆସିଥିଲେ ।

କଟକର ଜୀବନାନ୍ଦନ ବାବୁ ଚିଠି ଲେଖିଥିଲେ ତାଙ୍କ ପୁଅ ଅଚ୍ୟୁତାନନ୍ଦ ପାଇଁ । ପାରାଦୀପରେ ଡାକ୍ତର । ଝିଅ ପସନ୍ଦ ହୋଇଛି । ଖାଲି ବାପା ରାଜି ହେଲେ ହେଲା । ସମୟ ଗଡ଼ିଯାଉଚି । ବାପାଙ୍କ ତୁଣ୍ଡ ଆହୁରି ସ୍ପଷ୍ଟ ।

ଶକୁନ୍ତଳା ତକିଆ ଉପରେ ଆଉଜି ପଡ଼ି କାନ ଡେରିଲା ।

ବାପା କହୁଚନ୍ତି–

ଏଇ ଝିଅ ପୁଅ ଉଭୟ । ଯାହା ଦବା କଥା ସବୁ ଦେବି । ବିତ୍ତ ମୋର କଅଣ ହବ ଯେ-! ଆମେ ଦୁଇଟା ବୁଢ଼ା ବୁଢ଼ୀ କେତେବେଳେ ଗଡ଼ି ପଡ଼ିବୁ ! ବୟସ ବସି ରହୁନାହିଁ । ଚିତ୍ରଗୁପ୍ତର ପାଞ୍ଜିରେ କେତେ ସମୟ ଅଛି କିଏ କହି ପାରିବ?

ଆଗନ୍ତୁକଙ୍କର ସ୍ୱର ବୋଧହୁଏ । ସେ କହିଲେ–

ଦବାନବାଟା ବଡ଼ କଥା ନୁହେଁ । ଲକ୍ଷ୍ମୀପ୍ରତିମା ପାଇବା ପରେ ଆଉ ଟଙ୍କା ସୁନା ଚାହିଁବ କୋଉ ମୁର୍ଖ । ଆପଣ ରାଜି ହୋଇଯାଆନ୍ତୁ... ।

 

ଟିକେ ସମୟ ଦିଅ ନାହାକେ । ଟିକେ ଭାବିବାକୁ ଦିଅ...ପୁଅ ଝିଅ ଥିଲେ ପ୍ରସ୍ତାବ ହୁଏ । ସବୁ କିନ୍ତୁ ତାଙ୍କରି ହାତରେ । ଜଗନ୍ନାଥେ ଯାହା ଚାହିଁବେ ତାହା ହେବ ।

 

ଆପଣ ସବୁ ସତ କହୁଚନ୍ତି । ଭାଗବତ କହିଛନ୍ତି–ତ୍ରିଗୁଣ ରଜ୍ଜୁ ହସ୍ତେ ଧରି, ମୃଗୀ ନଚାଏ ନରହରି । ସବୁ ତାହାରି ଖେଳ । ତଥାପି ନିମିତ୍ତ ହୋଇ ଆମେ ଯାହା କରିବା କଥା ।

 

ତମେ ଜୀବନାନନ୍ଦ ବାବୁଙ୍କୁ ବୁଝେଇଦବ ନାହାକେ । ଟିକେ ସମୟ ଦରକାର... ।

 

ସବୁ କହିବି ଆଜ୍ଞା । ଆଜିକାଲିର ଲୋକଚରିତ୍ର ବୁଝିବା କଷ୍ଟ । କିଏ କଅଣ ଖଚ ମିଛ କହିଦବ । ପ୍ରସ୍ତାବ ଭାଙ୍ଗିଯିବ । ସେଦିନର କଥା । ମୋ ମାଉସୀ ଝିଅ ଭଉଣୀ ଅହଲ୍ୟା । ବେଶ୍‌ ଡଉଲ ଡାଉଲ ଝିଅଟିଏ । ବାହାଘର ଠିକ୍‌ ହୋଇଗଲା । ବର ଓ ବରଯାତ୍ରୀଙ୍କୁ ସଙ୍ଖୋଳି ଆଣିବା ପାଇଁ ବରଧରା ଗଲା । ବର କିନ୍ତୁ ଆସିଲା ନାଇଁ । ମଙ୍ଗୁଳା କନ୍ୟା ଘରେ ରହିଗଲା । ଶୁଣ ଶୁଣ କିଏ ଯାଏ ଖଚମିଛ କହିଚି । ଅହଲ୍ୟା କୁଆଡ଼େ ଉଆଁସୀ କନ୍ୟା । କଥାଟା ଗୁପତ କରି ଝିଅ ଉଠେଇ ଦବା ପାଇଁ କାରସାଦି କରିଚନ୍ତି କନ୍ୟାର ବାପ ଭାଇ ।

 

ଇମିତି ଅନେକ କଥା ଶୁଣାଯାଏ ନାହାକେ । ମୁଁ କିନ୍ତୁ ଖଚମିଛ ଶୁଣେ ନାହିଁ । ଆଗ୍ରହ ବି ନାହିଁ । ତୁମେ ମଧ୍ୟସ୍ଥ । ଯାହା କହିବାର ତୁମେ କହିବ ।

 

ଆଜ୍ଞା ସେଇ ବିଶ୍ୱାସ ଟିକକ ଥାଉ ଏ ଗରୀବ ଉପରେ । ହେଲେ ପ୍ରସ୍ତାବଟି ଭଲ ବୋଲି ମୁଁ ପକେଇଥିଲି ନା...ଆପଣ ବିଚାର କରନ୍ତୁ ।

 

ନିଶ୍ଚୟ, ନିଶ୍ଚୟ ।

 

ହରିପଦ ବାବୁଙ୍କ ଘରେ ବି ପ୍ରସ୍ତାବ ପଡ଼ିଚି ଶୁଣିଲି । ସେ ତ ବଡ଼ବଡ଼ିଆ । ଆମ ଆଖିପାଏ ନାହିଁ । ଲୋକେ ତ ଅସହିଷ୍ଣୁ, କେତେ କଥା କହନ୍ତି... ।

 

କଅଣ ଶୁଣିଚ ନାହାକେ ?

ପଚାରିଲେ ସରଳା ।

 

ବାପପରି ପୁଅ । ବାହାହବା କି ଦରକାର । ବାହାରେ କେତେ ସୁଯୋଗ । ଆଉ ଯୁଗ ବି ସେଇପରି । କଳିକାଳ । ପର ସ୍ତ୍ରୀକୁ ଖରାପ ଦୃଷ୍ଟିରେ ଦେଖିବେ । ମଦ ମାଉଁସ ଖାଇବେ... ।

 

ମୋର ଗୋଟିଏ ବୋଲି ଝିଅ ନାହାକେ...ମୁଁ ତାକୁ କଂସେଇ ହାତକୁ ଟେକିଦେଇ ପାରିବି ନାଇଁ । କହିଲେ ସରଳା ।

 

ସବୁ ଶୁଣିବା କଥା ସତ ନୁହେଁ । ମୁଁ ଥିରି ହୋଇ ବସିନାହିଁ । ଅନୁସନ୍ଧାନ କରୁଚି । ପୁଅପିଲା ଦାଣ୍ଡର । ଝିଅ ହୋଇନି ଯେ ଘରଭିତରେ ବସିରହିବ । ଅଳପ ଦିନରେ ନାମ କରିଚି ବିଭୁପଦ... ।

 

ଆପଣ ଜ୍ଞାନୀ ଗୁଣି ଲୋକ । ସବୁ ବୁଝନ୍ତୁ । ଜୀବନାନନ୍ଦ ବାବୁଙ୍କ ପୁଅ ଡାକ୍ତର । ନୂଆହୋଇ କାମ ଆରମ୍ଭ କରିଚି । ହାତଯଶ ଅଛି । ଅଳ୍ପଦିନରେ ନାମ କଲାଣି... ।

 

କିଛି ଭାବିବ ନାହିଁ ନାହାକେ କହୁଚି ବୋଲି । ସେ କୁଆଡ଼େ ପଢ଼ିବାବେଳେ କୋଉ ନର୍ସକୁ ଧରି ପଳେଇ ଥିଲା । ପରେ ବୁଝାବୁଝି କରି ଫେରେଇ ଆଣିଥିଲେ ଜୀବନାନନ୍ଦ ବାବୁ ।

 

ଏଇ ଶୁଣନ୍ତୁ କଥା । ମୁଁ ଟିକେ ଆଗରୁ କହୁଥିଲି ନା କେତେ ଲୋକ ପ୍ରସ୍ତାବ ଭାଙ୍ଗିବା ପାଇଁ ଖଚମିଛ କହିବେ, ଯୋଉ ପିଲା ମାଛିକୁ ମ’ କହେନାହିଁ, ତା’ ବରୁଦ୍ଧରେ ବି ଅଭିଯୋଗ । ଇଏ ଆଉ କାହାରି ଦୋଷ ନୁହେଁ –ଦୋଷ ଏଇ କାଳର । ଜଗନ୍ନାଥ ଦାସେ କହି ନାହାନ୍ତି –ସର୍ବେ ହୋଇବେ ଅଳ୍ପାୟୁଷ ପାପେ ସକଳେ ଯିବେ ନାଶ ।
 

ସମସ୍ତେ ମରିବେ । କଳ୍‌କି ଜନ୍ମିବ ଏଇ ଭୂଇଁରେ । ଓହୋ ! କି ଘୋର କଳିକାଳ ଇଏ । କାହାରି ଭଲ କେହି ଦେଖିବେ ନାହିଁ ।

 

ମୁଁ ଏସବୁ କଥା ବିଶ୍ୱାସ କରେ ନାହିଁ । ଯାହା ଦେଖିବ ନିଜ ନୟନେ, ପରତେ ନ ଯିବ ଗୁରୁବଚନେ । କଥାଟା ନିହାତି ସତ ।

 

ନାହାକେ ଚାଲିଗଲେ ଚା ପିଇ, ପାନ ଖାଇ ।

 

ଇମିତି ଚା, ଜଳଖିଆ ଚାଲିଚି । କେତେ ଆସୁଛନ୍ତି ନୂଆ ନୂଆ ପ୍ରସ୍ତାବ ନେଇ । କେତେ ଆସୁଛନ୍ତି ପୁରୁଣା ପ୍ରସ୍ତାବର ଫଳାଫଳ ଜାଣିବା ପାଇଁ ।

 

କନ୍ୟାଟିଏ ଥିଲେ ନିଶ୍ଚିନ୍ତରେ ବସିହୁଏ ନାହିଁ ।

 

ବରପକ୍ଷରୁ ଆସିଥିବା ଲୋକର ମନୋରଞ୍ଜନ ପାଇଁ କଥା କହିବାକୁ ହୁଏ, ସୁଖ ରୋଚକ ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ହୁଏ ।

 

ସରଳା କାନ୍ଦିବା ସ୍ୱରରେ କହିଲେ, ସବୁ ଶୁଣିଲ ତ ?

 

ଗୌତମ କହିଲେ, ସବୁ ଶୁଣିଚି । ନିଆଁ ନ ଥିଲେ ଧୂଆଁ ଉଠେନି । କଅଣ କରିବି ବୁଦ୍ଧି ଦିଶୁନାଇଁ । ଝିଅକୁ ଆବୋରି କେତେଦିନ ରଖି ପାରିବ ?

 

ତା’ ବୋଲି ଏଇ ବିଭୁପଦ, ଅଚ୍ୟୁତାନନ୍ଦ ହାତରେ ଦେଇଦେବି ?

 

ଆମ ସମାଜର ନିୟମ ଭିନ୍ନ । ପୁଅ ଏଠି ସଦା ପବିତ୍ର । ଝିଅ ଘିଅ । ନ ଛୁଇଁବା ଆଗରୁ ବି ପୁରୁଣା ହୋଇଯାଏ । ପବନ ନ ବାଜି ବି ଅପବିତ୍ର... ।

 

ସରଳା କହିଲେ, ଶକୁ ଯଦି ଶୁଣିବ ଏସବୁ......

ଛି, ଛି, ସେ ଯେପରି ଘୃଣାକ୍ଷରେ ବି ନ ଜାଣେ ଏସବୁ । ତାକୁ କିଛି କହିବ ନାହିଁ ।

ଏତେ ପାଠ ପଢ଼େଇଥିଲ କାହିଁକି ?

 

ସବୁ ଜାଣିବ, ବୁଝିବ ବୋଲି । ପରେ ତାକୁ ସବୁ କହିବ । ତୁମେ ନ ପାରିଲେ ମୁଁ କହିବି-। ତାର ମତ ନ ନେଇ ମୁଁ କିଛି ଫାଇନାଲ କରିବି ନାହିଁ ।

 

ସେ ଯେମିତି ମୁହଁ ଚାପା ତୁମେ ତ ଜାଣ । ମରିଯିବ ପଛେ ଯୋଉଠି ମନ ନ ଥିବ ଟୁଁ ଶବ୍ଦଟିଏ କରିବ ନାହିଁ ।

 

ତୁମେ ମା । ତୁମେ ତା’ କଥା ବେଶିଜାଣ ।

–ହରିପଦ ଭାଇଙ୍କୁ ମନାକରିଦିଅ । ଜୀବନାନନ୍ଦଙ୍କୁ ବି । ଅନ୍ୟ କେଉଁଠି ଦେଖ ।

–ନିଶ୍ଚିନ୍ତ ହୋଇ ବସି ନାହିଁ । ନିଦ ହଉନି ରାତିରେ ।

 

–ଚେଷ୍ଟାକର । ସବୁ ଦାବୀ ଦିଆଯିବ । ତା’ପରେ ଯାହା ରହୁ ବା ନ ରହୁ, ଆମେ କଷ୍ଟେ ମଷ୍ଟେ ଚଳିଯିବା ।

 

–ମୁଁ ବି ଭାବିଛି ସେକଥା ।

ଶକୁନ୍ତଳା ପାଖଘରେ ବସି ସବୁ ଶୁଣୁଥିଲା । ହଠାତ୍‌ କୋହ ଉଠିଲା ପେଟ ଭିତରୁ ।

ଏଇ ବାପା ବୋଉଙ୍କୁ ଛାଡ଼ି ସେ ସ୍ୱର୍ଗକୁ ଗଲେ ବି ସୁଖ ପାଇବ ନାହିଁ ।

ଶକୁନ୍ତଳା ଆଉ କିଛି ସମୟ ବସିଲା । ନିଜକୁ ସଜାଡ଼ି ନବାକୁ ସମୟ ଲାଗିଲା ।

 

ତାପରେ ଦାଣ୍ଡଘରକୁ ପଶିଯାଇ କହିଲା ସେ, ମୁଁ ଚାକିରି କରିବି ବାପା । ଟିକେ ଚେଷ୍ଟାକର । ମାଷ୍ଟାରାଣୀ ହେଲେ ଭଲ । ନ ହେଲେ ସମାଜ ସେବିକା କି କିରାଣୀ... ।

 

ତା’ ମୁହଁକୁ ଏକ ସମୟେ ଅନେଇଲେ ଗୌତମ ଆଉ ସରଳା ।

ଦୁହିଁଙ୍କ ଦୃଷ୍ଟିରେ ବିସ୍ମୟ ।

ଅବିଶ୍ୱାସ କଲାପରି କହିଲେ ସରଳା, ଚାକିରି କରିବୁ ?

–ହଁ । ଶକୁନ୍ତଳାର ସ୍ୱର ଆହୁରି ସ୍ପଷ୍ଟ, ଆହୁରି ଦୃଢ଼ ।

 

ସରଳା ମୁହୂର୍ତ୍ତେ କିଛି କହିପାରିଲେ ନାହିଁ । ଝିଅକୁ ନୂଆକରି ଦେଖୁଛନ୍ତି ଯେପରି ।

 

ଗୌତମ କହିଲେ, ଭଲ କଥା ମା, ମୁଁ ବୁଝାସୁଝା କରେ... । ଚାକିରି ଯେପରି ଦୁଷ୍ପ୍ରାପ୍ୟ ହେଲାଣି ...... ।

 

–ତମେ ବି ପାଗଳ ହେଲ ନା କ’ଣ ? ଶକୁ ଚାକିରି କରିବ ? ଆମ ସାତପୁରୁଷର ସମ୍ମାନ ନଈସୁଅରେ ଭସାଇ ଦେବ ? କହିଲା ସରଳା ।

 

–ସେ ପାଠ ପଢ଼ିଚି । ଯାହା ଭଲ ଭାବିବ କରିବ । ତାକୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ... ।

 

–ଇମିତି ସାହସ ଦେଇ ତା’ ମୁଣ୍ଡଟାକୁ ତମେ ବିଗାଡ଼ି ଦେଇଛ । ଏଇନେ କହୁଥିଲେ ଝିଅ ଦାଣ୍ଡର ନୁହେଁ, ଘରର । ଆଉ ଏଇନେ ଝିଅକୁ ଦେଖିଦବା ପରେ ତୁମ ମତ ବଦଳି ଗଲା । ସେ କଥା ହବ ନାହିଁ । ମୁଁ ବଞ୍ଚିଥିବା ଯାଏ ......।

 

ଶକୁନ୍ତଳା ବୋଉକୁ ଚିହ୍ନେ । ତାଙ୍କ କୋଳ ଘସି ବସି ପଡ଼ି କହିଲା, ଏଇ ଘର ଭିତରେ ବସି ମନ ଖରାପ ହଉଚି । ଚାଲ୍‌ ଟିକେ ବୁଲି ଆସିବା ।

 

ସରଳା କହିଲେ, ବଢ଼ିଲା ଝିଅକୁ ସଙ୍ଗରେ ଧରି ବୁଲି ବାହାରିବା ବି ସମସ୍ତଙ୍କୁ ସହ୍ୟ ହୁଏ ନାହିଁ ଶକୁ । ତୁ ବରଂ ଖବର ଦେ, ସ୍ନେହ ଚାଲିଆସୁ, ସଂଧ୍ୟାବେଳେ ଖାଇପିଇ ଫେରିବ । ତା’ ହାତରେ ଅନେକ ସମୟ ...... ।

 

ଶକୁନ୍ତଳା ଖୁସି ହୋଇ କହିଲା, ସେୟା ହବ । କିନ୍ତୁ ବାପା ! ତୁମେ କିନ୍ତୁ ବୋଉ କଥା ନ ଶୁଣି ମୋ ପାଇଁ ଚେଷ୍ଟାକର ମୁଁ ଚାକିରି କରିବି । ଏତେ ଝିଅ ଚାକିରି କରୁଛନ୍ତି । ଝିଅମାନେ କୋଉ ଗୁଣରେ ଊଣା ପୁଅମାନଙ୍କଠାରୁ ? ତୁମେ ତ ମୋତେ ସବୁ ଶିଖେଇଚ । ଆଜି ମୋ କଥା ଶୁଣି ପଛେଇଯିବ କାହିଁକି ?

 

ସ୍ତ୍ରୀଙ୍କ ମୁହଁକୁ ଚାହିଁଲେ ଗୌତମ ।

 

ସରଳା କହିଲେ, ପୋଥିପଢ଼ା ପାଠକଥା କହୁଚ ବାପ ଝିଅ । ସଂସାର କଥା କହୁନ । ସମୟ ଅନୁସାରେ ଜଗିରଖି ନ ଚଳିଲେ ପରାଭବ ପାଇବା ସାର ହେବ ।

 

ଶକୁନ୍ତଳା ବୋଉକୁ ବୁଝେଇବାପାଇଁ କହିଲା, ତୋ ବୋଉ ଘରୁ ପଦାକୁ ବାହାରୁ ନ ଥିଲେ । ତୁ ଦାଣ୍ଡକୁ ବାହାରୁଚୁ । ଓଢ଼ଣା ନ ଟାଣି କଥା କହିପାରୁଚୁ । ମୁଁ ଚାକିରି କରିବି ନାହିଁ ? ତୁମ ଦୁହିଁଙ୍କ ମୁଣ୍ଡ ଉପରେ ବୋଝ ହୋଇ ରହିବି ।

 

ଏତେବେଳେ ସବୁ କଥା ସ୍ପଷ୍ଟ ହୋଇଗଲା ସରଳାଙ୍କ ଆଗରେ । ଶକୁନ୍ତଳା ଅଭିମାନ କରିଚି ମନରେ । ବାପା ବୋଉଙ୍କ ଉପରେ ବୋଝ ହୋଇ ନ ରହି ନିଜ ପାଦରେ ଚାଲିବ ଏଥର । ସ୍ୱାଧୀନ ହେବ ।

 

ସେ ଝିଅର ମଥାଉପରୁ ହାତ ବୁଲେଇଆଣି କହିଲେ, ତୁ ତ ଛୋଟ ଝିଅଟିଏ ନୋହୁଁ ଯେ ତୋତେ ଆକଟ କରିବି । ତୁ ବଡ଼ ହୋଇଛୁ । ଅନେକ ପାଠ ପଢ଼ିଚୁ । ଏବେ ଆଖି ଫିଟିଚି । ବାପା ବୋଉଙ୍କୁ ପର କରିଦେଇ ଏଥର ଯିବୁ ଚାକିରି କରି । ଟଙ୍କା ଉପାର୍ଜନ କରିବୁ...... । ମୋର ଆଉ ସେ ଟଙ୍କା ଦରକାର ନାହିଁ ଶକୁ । ତୋତେ ଚାକିରି କରିବାପାଇଁ ଘରୁ ପଠେଇବା ଆଗରୁ ମୋ ଜୀବନ ଚାଲିଯାଉ...... ।

 

ଶକୁନ୍ତଳା ତାଙ୍କ ମୁହଁ ଉପରେ ହାତ ଜାକି କହିଲା, ଥାଉ......ଥାଉ.... ଆଉ କିଛି କହନା...... ଭଲକଥା ମୁହଁରୁ ବାହାରୁନି ଆଉ...... ।

 

ଗୌତମ ମା ଓ ଝିଅକୁ ଛାଡ଼ି ପିଣ୍ଡା ଉପରକୁ ଗଲେ ।

ପଧାନ ଘର ପିଣ୍ଡାରେ ତାସ ଖେଳ ଜମିଚି । ବେଶ୍‌ ଉତ୍ସାହରେ ଚାଲିଚି ଖେଳ ।

ଦେଉଳ ଆଗରେ ଦଳେ ପିଲା ବି ତାସ ପକେଇଚନ୍ତି । ଡାକ ଶୁଭୁଚି ।

ଗୌତମଙ୍କର ଭ୍ରୁ କୁଞ୍ଚିତ ହେଲା ।

ତାସରୁ ପଶା । ତାପରେ ଭାଙ୍ଗ । ତାପରେ ଗଞ୍ଜେଇ ।

 

ଦେଖା ଶିଖା ମଣିଷ । ଯାହା ପିଲାଏ ଦେଖିବେ ତାହା ଶିଖିବେ । ସ୍କୁଲ ଘର ତୋଳା ହୋଇନି ଏଯାଏ । ଛଅମାସ ଗଡ଼ିଗଲାଣି । ଆମ୍ବତୋଟାରେ ପଢ଼ା ହଉଚି । ପିଲାଙ୍କ ମନ ଲାଗୁନାହିଁ । ଗଛର ଡାଳମାନଙ୍କରେ କେତେ ଚଢ଼େଇଙ୍କ କିଚିର ମିଚିର । ଗଛଡ଼ାଳରୁ ସବୁ ଆମ୍ବ କଷି ଅବସ୍ଥାରେ ହିଁ ଶେଷ ହୋଇଯାଇଚି ।

 

ଗାଁ ଦାଣ୍ଡରେ ଧୂଳି ଉଡ଼େଇ ଜିପ୍‌ଗାଡ଼ି ଗୋଟିଏ ଛିଡ଼ା ହେଲା ଆସି ।

ଓହ୍ଲେଇ ପଡ଼ିଲେ ତିନିଜଣ ।

 

ଏକ୍‌ଜିକିଉଟିଭ ଇଞ୍ଜିନଅର ଅମରେନ୍ଦ୍ର ଜଗଦ୍ଦେବ, ଠିକାଦାର ପ୍ରତାପରୁଦ୍ର ମହାନ୍ତି, ଆଉ ସ୍ଥାନୀୟ ଯୁବନେତା ବିଭୁପଦ ଅଧିକାରୀ ।

 

ଗୌତମ ସେମାନଙ୍କ ଦୃଷ୍ଟିରେ ପଡ଼ିଲେ ପ୍ରଥମେ ।

ବିଭୁପଦ ଚିହ୍ନେଇଦେଲା ତାଙ୍କୁ ଅନ୍ୟମାନଙ୍କ ସହିତ ।

ଗୌତମ କହିଲେ, ଭିତରକୁ ଆସନ୍ତୁ, ସମସ୍ତେ ସେଇଠି ବସିବା ହୁଅନ୍ତୁ... ।

ପ୍ରତାପରୁଦ୍ର କହିଲେ, ଖରାବେଳଟାରେ ବାହାରିଚୁ । ଶୋଷ କଲାଣି ଜେନାଏ... ।

 

ସେମାନଙ୍କୁ ଘର ଭିତରକୁ ପ୍ରବେଶ କରୁଥିବା ସମୟରେ ଶକୁନ୍ତଳାର ଦୃଷ୍ଟି ପଡ଼ିଲା ବିଭୁପଦ ଉପରେ ।

 

ବିଭୁପଦ ବି ଚାହିଁ ରହିଲା ମୁହୂର୍ତ୍ତେ ।

 

ଶକୁନ୍ତଳା ବୋଉ ସହିତ ତରତର ହୋଇ ଘର ଭିତରୁ ଚାଲିଯିବାବେଳେ ଝୁଣ୍ଟି ପଡ଼ୁ ପଡ଼ୁ ସମ୍ଭାଳି ନେଲା ।

 

ଅମରେନ୍ଦ୍ର ଚୌକିରେ ବସି କହିଲେ, ଆଉ କୁଆଡ଼େ ବୁଲିବା ଦରକାର ନାହିଁ । ଏଇଠି ବସି ସବୁ ଶୁଣିବା ।

 

ବିଭୁପଦ କହିଲା, କକେଇ ତୁମେ କୁହ । ତୁମ ମୁହଁରୁ ଶୁଣିବାପାଇଁ ଆସିଚନ୍ତି ସାହେବ ।

 

ପ୍ରତାପରୁଦ୍ର କଥାଟାକୁ ଆଉ ଟିକେ ପ୍ରାଞ୍ଜଳ କରି କହିଲେ, ଏଇ ଗାଆଁର ଲୋକେ ପିଟିସନ ପଠେଇଚନ୍ତି ମନ୍ତ୍ରୀଙ୍କ ପାଖକୁ । ରାସ୍ତାଘାଟ, କେନାଲବନ୍ଧ ମରାମତି ନ କରି ଠିକାଦାର ଆଉ ଅଫିସର ମିଶି ସବୁ ଖାଇଗଲେ । ଆପଣ ସାର୍‌ଙ୍କୁ କୁହନ୍ତୁ ରିଲିଫ ସମସ୍ତେ ପାଇଚନ୍ତି କି ନାହିଁ, କେନାଲବନ୍ଧ ମରାମତି ହୋଇଚି କି ନାହିଁ, ଗାଁକୁ ଆସିବା ରାସ୍ତାଟା ମରାମତି ହୋଇଚିକି ନାହିଁ ।

 

ଗୌତମ କହିଲେ, ଛିଦ୍ରାନ୍ୱେଷୀ ମଣିଷ । ସେଥିରୁ କଅଣ ମିଳିବ । କାମ କରିବାକୁ ବାହାରି ଭୟ କଲେ ଚଳେ ନାହିଁ ।

 

ବିଭୁପଦ କହିଲା, ଏଇ ଗାଁ ପାଇଁ ମୁଁ ଲଢ଼ୁଚି । ଅନ୍ୟ ଜାଗାରେ ଖର୍ଚ୍ଚ ନ କରି ଏଇ ଗାଁର କେନାଲବନ୍ଧ ଆଗ ମରାମତି ହୋଇଚି । ଏଇ ଗାଁ ଲୋକଙ୍କୁ ଆଗ ଋଣ ମିଳିଚି ଭୁବନ୍ଧକ ବ୍ୟାଙ୍କ୍‌ରୁ ।

 

–ସ୍କୁଲ ଘର ଏ ଯାଏ ହେଲାନାହିଁ ବୋଲି କହୁଚନ୍ତି ଲୋକେ । କହିଲେ ଗୌତମ ।

 

–ସ୍କୁଲ ଘର ପାଇଁ ଟଙ୍କା ମଞ୍ଜୁର ହୋଇଚି । ଠିକାଦାର ବି ମନୋନୀତ ହୋଇଚନ୍ତି । କାମ ଶୀଘ୍ର ଆରମ୍ଭ ହବ ।

 

–ସେ ଟଙ୍କା କୁଆଡ଼େ ଅନ୍ୟ କାମରେ ଖର୍ଚ୍ଚ ହୋଇଯାଇଚି । କହିଲେ ଗୌତମ ।

 

–ସେଥିରେ ଗାଁ ବାଲାଙ୍କର ଯାଏ ଆସେ କେତେ । ଗାଁରେ ସ୍କୁଲ ହେଲେ ହେଲା । କହିଲା, ବିଭୁପଦ ।

 

–କେତେ ଟଙ୍କା ମଞ୍ଜୁର ହୋଇଚି ? ପଚାରିଲେ ଗୌତମ ।

–ପଚାଶ ହଜାର । ଇଞ୍ଜିନିଅର କହିଲେ ।

–ଲକ୍ଷେ ଟଙ୍କା ମଞ୍ଜୁର ହୋଇଚି ବୋଲି ହୁରି ପଡ଼ିଚି ।

 

ଲକ୍ଷେ ଟଙ୍କାର କାମ ହବ । ଗାଁ ଲୋକେ ଶ୍ରମଦାନ କରି ପଚାଶ ହଜାର ଟଙ୍କାର କାମ କରିଦେବେ କହିଲେ ଠିକାଦାର ।

 

ବନ୍ୟାପରେ ମରୁଡ଼ି । ଲୋକଙ୍କର ଅଣ୍ଟା ଭାଙ୍ଗିଯାଇଚି । ଶ୍ରମଦାନ କାରିବାର ସମୟ ଇଏ ନୁହଁ । ସେମାନଙ୍କୁ କାମ ମିଳିଲେ ପିଲା କୁଟୁମ୍ବ ଚଳିଯିବେ । କହିଲେ ଗୌତମ ।

 

କାମ ଦବାପାଇଁ ତ ଏତେ ବ୍ୟବସ୍ଥା । କିନ୍ତୁ ମୂଳରୁ କାମ ନ କରି ପିଟିସନ ଦେଲେ କାମ କିପରି ହେବ ? କହିଲେ ଇଞ୍ଜିନିଅର ।

 

କାମ ଆରମ୍ଭ ହେଉ । ଲୋକେ କାମହବା ଦେଖିଲେ ସବୁ ଭୁଲିଯିବେ ।

 

ତା’ ଆଗରୁ କାମ ଠିକ୍‌ ଚାଲିଛି ଲେଖିବାକୁ ହବ । ଏତକ କହି ଆଉ ଅଧିକ ଟଙ୍କା ଦାବୀକଲେ ମିଳିବ । ଟଙ୍କାର ଅଭାବ ନାହିଁ ଦେଶରେ । ମନର ଅଭାବ । କାମ କରିବାର ଶକ୍ତିର ଅଭାବ ।

 

ଠିକାଦାର ଗୋଟେ କାଗଜ ବାହାର କରି କହିଲେ, ଏଇ କାଗଜରେ ଦସ୍ତଖତ୍‌ କରିବାକୁ ହବ । ଆପଣଙ୍କଠାରୁ ଆରମ୍ଭ ହେଉ ଜେନାଏ ।

 

ଗୌତମ କାଗଜଟା ହାତକୁ ନେଇ ଆମୂଳଚୂଳ ପଢ଼ିଗଲେ ।

କାମ ସବୁ ଠିକ୍‌ ଚାଲିଚି ।

ହାତକାଟି ଲେଖିଦେବେ ଏତକ ।

ଗୌତମ ମୂକ ହୋଇଗଲେ ।

 

ବିଭୁପଦ କହିଲା, କାମ ଏଇଠି ଶେଷ ହେଉ ନାହିଁ, ଆହୁରି ହବ । ଆହୁରି ଟଙ୍କା ଆସିବ । ତୁମେ ଆରମ୍ଭ କର କକେଇ । ଭଲ ଭଲ ଲୋକ ସତକଥା କହିବାକୁ ଆରମ୍ଭ ନ କଲେ ଦେଶର ନିରୀହ ଜନସାଧାରଣ କଷ୍ଟ ଭୋଗିବେ । ଟାଉଟରଙ୍କ ହାତକୁ ନେତୃତ୍ୱ ଚାଲିଗଲେ ଦେଶ ଉଚ୍ଛନ୍ନ ହୋଇଯିବ ।

 

ଗୌତମ ଆଉ ମନା କରିପାରିଲେ ନାହିଁ । ହରିପଦଙ୍କ କଥା ମନେପଡ଼ିଲା । କେତେବଡ଼ ନେତା ସେ । ତାଙ୍କ ପୁଅ ବିଭୁପଦ । ତାଙ୍କର ଭାବୀଜାମାତା । ପ୍ରସ୍ତାବ ପଡ଼ିଚି ଯେତେବେଳେ, ହବାର ସମ୍ଭାବନା ଅଛି ତ । କିପରି ମନାକରି ବହିରେ ଡୋର ବାନ୍ଧିଦେବେ ଗୌତମ ।

 

ସେ ଭିତରକୁ ଗଲେ କଲମ ଖଣ୍ଡିକ ଆଣିବାପାଇଁ ।

 

ପଇଡ଼ ଏବଂ କଲମ ନେଇ ଫେରିବା ବେଳକୁ ନରୋତ୍ତମକୁ ସେଠାରେ ଦେଖି ସ୍ତବ୍‌ଧ ହୋଇଗଲେ ଗୌତମ ।

 

ନରୋତ୍ତମ ଯୁକ୍ତିକଲା, ଆପଣ ସରଜମିନ କରିବାକୁ ଆସିଚନ୍ତି । ଏଠି ନୁହେଁ, ଜାଗା ଉପରକୁ ଚାଲନ୍ତୁ । ସେଇଠି ଯାହା କହିବାର କଥା ସମସ୍ତେ କହିବେ ।

 

ବିଭୁପଦ ଏବଂ ନରୋତ୍ତମର ମଝିରେ ଛିଡ଼ା ହୋଇଗଲେ ଗୌତମ ।

 

ଇସ୍‌ ! ଏପରି ଅପ୍ରୀତିକର ଅବସ୍ଥାଟି ତାଙ୍କ ଘର ଭିତରେ ସୃଷ୍ଟି ନ ହୋଇ ବାହାରେ ହୋଇଥିଲେ କଅଣ କ୍ଷତି ହୋଇଥାଆନ୍ତା ପୃଥିବୀର ।

 

ବିଭୁପଦ ତାଚ୍ଛଲ୍ୟ କରି କଅଣ ପଦେ କହିଲା । କଥା ବଢ଼ିବାର ଆଶଙ୍କା କରି କହିଲେ ଗୌତମ, ପଇଡ଼ପାଣି ପିଅନ୍ତୁ ସାର୍‌ । ତା’ପରେ ଯିବା । ସରଜମିନ୍‌ କଲେ ସବୁ ପରିସ୍କାର ହୋଇଯିବ ।

 

ତାହେଲେ ଆପଣ ଆଉ ଦସ୍ତଖତ କରିବେ ନାହିଁ ? କହିଲେ ପ୍ରତାପରୁଦ୍ର ମହାନ୍ତି ।

କରିବି, କିନ୍ତୁ ସରଜମିନ ପରେ । ନିର୍ଭୟରେ ଉତ୍ତର ଦେଲେ ଗୌତମ ।

 

ହଠାତ୍‌ ଦୃଶ୍ୟ ବଦଳିଯିବାର ଦେଖି କହିଲେ ଇଞ୍ଜିନିୟର ଅମରେନ୍ଦ୍ର ଜଗଦ୍ଦେବ, ତୁମେ ସମସ୍ତଙ୍କର ହୋଇ କଥା କହୁଚ କାହିଁକି ? ସେମାନଙ୍କର ଅଧିକାର ତୁମକୁ ଦେଲା କିଏ ? ଯଦି ତୁମର ନିଜର କିଛି ବକ୍ତବ୍ୟ ଅଛି ତାହେଲେ କୁହ... ।

 

ନା, ମୋର ଯାହା କହିବାର ଅଛି ଏଠାରେ ନୁହେଁ, ସରଜମିନ୍‌ ପରେ କହିବି । ମୁଁ କେବଳ ଆପଣଙ୍କୁ ପାଛୋଟି ନବାକୁ ଆସିଚି, କହିଲା ଗୌତମ ।

 

ବିରୋଧୀ ଦଳ ସବୁ କାଳରେ ଥିଲା, ଏବେ ବି ଅଛି; ଆଉ ଭବିଷ୍ୟତରେ ବି ରହିବ । ଆମେ କିନ୍ତୁ ସହଜରେ ସେମାନଙ୍କୁ ବାଟ ଛାଡ଼ିଦବୁ ନାହିଁ । ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଚି, ଲୋକମାନେ ଦେଶ ସେବକମାନଙ୍କୁ ଚିହ୍ନି ଗଲେଣି ।

 

ନିରୋତ୍ତମର ମୁହଁ କଠୋର ଦେଖାଗଲା; କିନ୍ତୁ ସେ କିଛି କହିଲା ନାହିଁ ।

 

ଗୌତମ ପରିସ୍ଥିତିକୁ ସଜାଡ଼ି ନବା ପାଇଁ କହିଲେ, ଚାଲ ସମସ୍ତେ ଜାଗା ଉପରକୁ ଯିବା-

 

ନରୋତ୍ତମ କହିଲା, ମୁଁ ବାଧ୍ୟହୋଇ ଆସିଲି । କଥା ଅନୁସାରେ କାମ ହେଉ ନାହିଁ । ଲୋକଙ୍କର ଦୁର୍ଘଟଣା ବଢ଼ୁଚି । ଗ୍ରୀଷ୍ମକାଳ ପରେ ପୁଣି ଆସିବ ବର୍ଷା । ଘାଇ, ରାସ୍ତାଘାଟର ମରାମତି କାମ ଠିକ୍‌ ଭାବରେ ନ ହେଲେ ଲୋକଙ୍କର ଅବସ୍ଥା ଆହୁରି ଖରାପ ହେବ ।

 

ଗୌତମ କହିଲେ, ମିଳିମିଶି କାମ କରିବା ଦରକାର । ପରସ୍ପର ମଧ୍ୟରେ ସହଯୋଗ ଓ ବିଶ୍ୱାସ ନ ରହିଲେ ପ୍ରତ୍ୟେକ ଗାଁ କୁରୁକ୍ଷେତ୍ରରେ ପରିଣତ ହୋଇଯିବ ।

 

ଇଞ୍ଜିନିୟର, ଠିକାଦାର, ବିଭୁପଦ, ଗୌତମ ଏବଂ ନରୋତ୍ତମ ଚାଲିଲେ ଗାଁ ମୁଣ୍ଡକୁ । କେନାଲ କୂଳରେ ଆଲୋଚନା କରିବା ସ୍ଥିର ହେଲା ।

 

ଖରା ନରମି ଯାଇଥିଲା ସେତେବେଳକୁ । ନଈପାଣି ଉପରେ ସୂର୍ଯ୍ୟର ତେରେଚ୍ଛା କିରଣ ଉଜ୍ଜ୍ୱଳି ଉଠୁଥିଲା ।

 

ବିଭୁପଦ ସମର୍ଥକମାନେ ଖବର ପାଇ ପହଞ୍ଚିଗଲେ ।

 

ବିଭୁପଦ କହିଲା, ତୁମେ ସବୁ କୁହ, କାମ ହେଉଚି କି ହେଉ ନାହିଁ, ଆଉ କଅଣ ହବା ଦରକାର ।

 

ଦଳେ ଯୁବକ କହିଲେ, ଏପରି କାମ ଆଉ କେବେ ହୋଇ ନ ଥିଲା କି ଆଉ କେବେ ହବ କହିହବ ନାଇଁ । କାମ ଆହୁରି ଦରକାର । ବେଶୀ ବ୍ୟାଙ୍କ୍ ଋଣ ମିଳୁ, ସ୍କୁଲଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉ... ।

 

ଏକ୍‌ଜିକିଉଟିଭ ଇଞ୍ଜିନିଅର ଅମରେନ୍ଦ୍ର ଜଗଦ୍ଦେବ କହିଲେ, ସବୁ ହବ । କିନ୍ତୁ ଇମିତି ଗୁରୁତର ଅଭିଯୋଗ କଲେ କର୍ମଚାରୀମାନଙ୍କ ନୈତିକ ବଳ ଭାଙ୍ଗିଯିବ, ସେମାନେ ଶଙ୍କିଯିବେ... ।

 

ନରୋତ୍ତମ କହିଲା, କେହି କାହା ବିରୁଦ୍ଧରେ ବ୍ୟକ୍ତିଗତ ଅଭିଯୋଗ କରିନାହିଁ । ବନ୍ଧବାଡ଼ ମରାମତି କାମ, ବନ୍ୟାପରେ ପୁଣି ଥଇଥାନ କାର୍ଯ୍ୟ ଯେଉଁ ନୀତି ଅନୁସାରେ ହବା କଥା ହୋଇନାହିଁ । ଟଙ୍କା ଖର୍ଚ୍ଚ ହୋଇଛି; କିନ୍ତୁ କାମ ଆଖିକୁ ଦିଶୁନାହିଁ... ।

 

ହଠାତ୍ ବିଭୁପଦ ସମର୍ଥକମାନଙ୍କ ମଧ୍ୟରୁ ଜଣେ ଆଗେଇ ଆସି କହିଲା, କାମ ହଉଚି, ଟଙ୍କା ବି ଖର୍ଚ୍ଚ ହଉଚି । ତୁମ ଆଖିକୁ ଯଦି ଦିଶୁନାହିଁ ଚଷମା ଲଗାଅ... ।

 

ନରୋତ୍ତମ କହିଲା, କାହାରି ପ୍ରତି ମୋର ଆକ୍ରୋଶ ନାହିଁ । ବିଭୁପଦ ମୋର ବନ୍ଧୁ । ଆମେ ଆଗପଛ ହୋଇ ପଢ଼ୁଥିଲୁ । ସେ କହୁ... ।

 

ବିଭୁପଦ କହିଲା, ଏମାନେ କୁହନ୍ତୁ । ସେମାନେ ଭୁକ୍ତଭୋଗୀ ।

 

ଯୁକ୍ତିତର୍କ ଆଡ଼କୁ ପୁଣି ପ୍ରସଙ୍ଗ ଯାଉଥିବାରୁ କହିଲେ ଗୌତମ, ଆଜି ଏତିକି ଥାଉ । ଯୋଉ ପିଟିସନ ହୋଇଥିଲା ତାହାର ସତ୍ୟାସତ୍ୟ ଅନୁସନ୍ଧାନ ପରେ କରିବା ।

 

ଅମରେନ୍ଦ୍ର କହିଲେ, ତାହେଲେ ଆଜି ମୁଁ ଯାଉଚି ।

 

ପ୍ରତାପରୁଦ୍ର କହିଲେ, ଯିବା ଆଗରୁ ଦେଖିଯିବା ଭଲ ହେବ । ନ ହେଲେ ଇମିତି ମିଥ୍ୟା ଅଭିଯୋଗ ହଉଥିବ, ପିଟିସନ୍‌ ପଡ଼ୁଥିବ, ଆଉ ନିଷ୍କଳଙ୍କ ଲୋକେ କଳଙ୍କର ବୋଝ ମୁଣ୍ଡେଇ ଚାଲିଥିବେ ।

 

ହରିଯୋଗୀ ପହଞ୍ଚି ଯାଇଥିଲେ ସେତେବେଳକୁ । ସେ ସଂସାରୀ ନୁହଁନ୍ତି କି ସଂସାର ଖବର ରଖନ୍ତି ନାହିଁ । ସେ ଖୋଜୁଛନ୍ତି ଜଣକୁ । ସେ ସ୍ୱର୍ଗରେ ଅଛି କି ପୃଥିବୀରେ ଅଛି ସେ ସମ୍ପର୍କରେ ନିଶ୍ଚିତ ହବାପାଇଁ ନିଜର ଅନୁସନ୍ଧାନକୁ ଆହୁରି ଗଭୀର କରିଛନ୍ତି ସେ । କେହିଜଣେ କବି କୁଆଡ଼େ କହିଥିଲେ ଯେ ମଣିଷହିଁ ଭଗବାନ । ଆଉ ମଣିଷ ବି ରାକ୍ଷାସ । ସେଇକଥା ଶୁଣିବାଦିନୁ ମଣିଷମାନଙ୍କ ମେଳରେ ଭଗବାନଙ୍କୁ ଖୋଜୁଛନ୍ତି ହରି ଯୋଗୀ । ମିଥ୍ୟା ମଧ୍ୟରେ ସତ୍ୟକୁ ଆବିଷ୍କାର କରିବା ଲାଗି ଭୋକ ଶୋଷ ଭୁଲି ଲାଗିଛନ୍ତି ସେଇଦିନୁ । ଏଇ ବନ୍ୟା ଯେପରି ସୁଯୋଗ ସୃଷ୍ଟିକଲା । ମଣିଷର ଭାଗ୍ୟ ଭଗବାନ ତିଆରି କରନ୍ତି ବୋଲି ଏପର୍ଯ୍ୟନ୍ତ ଜାଣିଥିଲେ ସେ-। ତାଙ୍କର ସେ ବିଶ୍ୱାସ ଏବେ ଭାଙ୍ଗିଯାଇଛି । ଏବେ ମଣିଷ କିପରି ମଣିଷର ଭାଗ୍ୟଲିପି ଲେଖୁଚି ତାହା ନିଜ ଆଖିରେ ଦେଖୁଛନ୍ତି ସେ । ସେଥିପାଇଁ ନରୋତ୍ତମ କାହିଁ ବାହାରିଲେ ତା’ ସାଙ୍ଗରେ ଯାଆନ୍ତି, ତାର ପକ୍ଷ ନେଇ ପଦେଅଧେ କଥା କୁହନ୍ତି, କାରଣ ତାଙ୍କର ବିଶ୍ୱାସ ଯେ ନରୋତ୍ତମ ମଣିଷର ଭାଗ୍ୟଲିପିକୁ ବଦଳେଇବା ପାଇଁ ଉତ୍ସର୍ଗ କରିଛି ନିଜକୁ । ନିଜପାଇଁ ନୁହେଁ, ଅନ୍ୟମାନଙ୍କ ପାଇଁ ତାର ଜନ୍ମ ।

 

ହରିଯୋଗୀ କହିଲେ, ସରଜମିନ କରି ନିଅରେ ପୁଅ । ସମସ୍ତେ ଆଖିରେ ଦେଖନ୍ତୁ । କଥାରେ କୁହନ୍ତି, ଯାହା ନ ଦେଖିବୁ ନିଜ ନୟନେ, ପରତେ ନ ଯିବୁ ଗୁରୁବଚନେ ।

 

କିନ୍ତୁ ସରଜମିନ ଆଉ ହୋଇପାରିଲା ନାହିଁ । ଜାଗା ଉପରକୁ ଯିବା ପୂର୍ବରୁ ରାସ୍ତାରେ ବଚସା ଆରମ୍ଭ ହୋଇଗଲା । ଦଳେ ସପକ୍ଷରେ ତ ଆଉ ଦଳେ ବିପକ୍ଷରେ । ପୂର୍ବକଳ୍ପିତ ଯୋଜନା ଅନୁସାରେ ଯେପରି ହେଉଥିଲା ସବୁ କାମ । ବିଭୁପଦର ସମର୍ଥକମାନେ ସଂଗଠିତ ହୋଇ ଆସିଥିଲେ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ । ଜାଗା ଉପରକୁ ଯିବା ବାଟରେ ଶଙ୍କରା ଗଉଡ଼ କହିଲା, ଆମେ ମାନୁଛୁ କାମ ପାଇଁ ଟଙ୍କା ଆସିଛି । ଆମେ ମାନୁଛୁ ଯେ ତୁମେ ନ ଲାଗିଥିଲେ ଏତେ ଶୀଘ୍ର ଏତେ ଟଙ୍କା ବନ୍ଧବାଡ଼, ରାସ୍ତାଘାଟ, ସ୍କୁଲଘର ମରାମତି ପାଇଁ ମିଳି ନ ଥାନ୍ତା । ତୁମର ଆହୁରି ବଡ଼ତି ହେଉ , ଭଗବାନ ତୁମକୁ ଦୀର୍ଘାୟୁ କରନ୍ତୁ; କିନ୍ତୁ ଟଙ୍କା ସବୁ କାମରେ ନ ଲାଗି ଗଲା କୁଆଡ଼େ ? ବନ୍ଧ ଯିମିତି ମରାମତି ହୋଇଚି ଆଉ ଥରେ ବନ୍ୟା ଆସିଲେ ଭୁଷୁଡ଼ି ପଡ଼ିବ ।

 

ବିଭୁପଦ ଉତ୍ତର ଦେବାକୁ ହେଲା ନାହିଁ । ଅମରେନ୍ଦ୍ର ଜଗଦ୍ଦେବଙ୍କୁ ବି କିଛି କହିବାକୁ ହେଲା ନାହିଁ । ହରେକୃଷ୍ଣ ମଲିକ ଗର୍ଜି ଉଠିଲା । ଛୋଟ ମୁହଁରେ ବଡ଼ କଥା ଶୋଭାପାଏ ନି ଶଙ୍କରା ଭାଇ । ଅଦାବେପାରୀ ଜାହାଜ ମୁଲ କରିବାଭଳି ଶୁଭୁଚି ତୋ କଥା । କଅଣ ହେଲା ନ ହେଲା ଦେଖିବାପାଇଁ ଅଛନ୍ତି ଅଫିସର, ଇଞ୍ଜିନିଅର । ଲୋକଙ୍କ ସ୍ୱାର୍ଥ ଜଗିବାଲାଗି ଅଛନ୍ତି ଲୋକପ୍ରତିନିଧି, ନେତା..... । ବିଭୁପଦ ଏତକ କାମ ବିଲାତରେ କରିଥିଲା ରବର୍ଟ କ୍ଳାଇବ ପରି ଅମର ହୋଇଯାଇ ଥାଆନ୍ତା ।

 

ହରେକୃଷ୍ଣ ସପ୍ତମ ଶ୍ରେଣୀରେ ପଢ଼ିଲାବେଳେ ଇତିହାସର ଏଇ ନାମଟା ମୁଖସ୍ତ କରିଦେଇଥିଲା ଯେ ଆଯିଯାଏ ଭୁଲିନାହିଁ । କିରାଣୀ ହୋଇ ଆସିଥିଲେ କ୍ଳାଇବ୍‌ସାହେବ, କୋଟିପତି ହୋଇ ଫେରିଗଲେ । ଗୋଟେ ସାମ୍ରାଜ୍ୟ ସ୍ଥାପନ କରିଗଲେ । ତାଙ୍କ କଥା ସେ ଭୁଲିପାରେ ନାହିଁ । ସେଇପରି ଶୂନ୍ୟରୁ ଆରମ୍ଭକରି ସମ୍ପଦଶାଳୀ ହବାର ବାଟ ନ ଖୋଜିଲେ ଓଡ଼ିଆ କାହିଁକି ଏ ଦେଶର ପଛରେ ପଡ଼ିଥିବେ ।

 

ଶଙ୍କରା ଗଉଡ଼ ଛାଡ଼ିବା ପାତ୍ର ନୁହେଁ । ସେ କହିଲା, ମୁଁ ଏତେ ପାଠ ପଢ଼ି ନାହିଁ । ଯାହା ଦେଖିଲି ତାହା କହିଲି । ମୋ କଥା ମିଛ ହେଲେ ମୁଁ ଭୂଇଁରେ ନାକଘଷି ଦୋଷ ମାନିବି ।

 

ଯୁଧିଷ୍ଠିର, ଦାମ ମାଳି ତାକୁ ସମର୍ଥନ କଲେ । ହରି ଯୋଗୀ ଗୀତଟିଏ ଗାଇବାକୁ ଲାଗିଲେ ।

 

ଦେଖ ଦେଖ ହେ

କେତେ ସୁନ୍ଦର ହୁଏ

ଦିନ ଦି’ପହରେ

ଦାଣ୍ଡରେ ଘାଟରେ

ରାହାଜାନି ବଢ଼ି ବଢ଼ି କି ଯାଏ । ଘୋଷା ।

 

ସେଇ ପଦକ ଶେଷ ହେବା ବେଳକୁ ହରେକୃଷ୍ଣ ଗର୍ଜିଉଠିଲା । ଶଳା ଯୋଗୀ ହୋଇଚି କହୁଚି । ଯୋଗୀ ତ ନୁହେଁ ଭୋଗୀ । ଶଳାର ଥୋମଣି ଭାଙ୍ଗିଦେବି ଯେ ବାପନାମ ସୁମରୁ ଥିବୁ ।

 

ଏତେବେଳ ପର୍ଯ୍ୟନ୍ତ ନୀରବରେ ଚାଲୁଥିଲେ ନରୋତ୍ତମ । କେଉଁଠାର ପାଣି କେଉଁଠାକୁ ଯାଉଛି ଦେଖୁଥିଲା ସେ । ପାଣି ଅବାଟରେ ଯାଉଥିବାର ଦେଖି ସେ ମୁହଁ ଖୋଲିଲା । ହରି ଯୋଗୀଙ୍କୁ ଗାଳିଦିଅନ୍ତି... ସେ ବାବାଜି ମଣିଷ... କାହାରି ମନ୍ଦରେ ନୁହେଁ ସବୁରି ଭଲରେ ଥାଆନ୍ତି ।

 

ଅମରେନ୍ଦ୍ର ଜଗଦ୍ଦେବ କହିଲେ, ଆମକୁ ଡାକି ଏଠାରେ ଅପମାନ କରିବାକୁ ବାକୀ ଥିଲା ନରୋତ୍ତମ । ମୁଁ ଭାବିଥିଲି ତୁମେ ପାଠ ପଢ଼ି ଶିକ୍ଷିତ ହୋଇଚ । ଚାକିରି ବାକିରି ନ କଲ ନାହିଁ, ଗାଁରେ ରହି ବିଭୁପଦ ବାବୁଙ୍କ ପରି କିଛି କରିବ, ତାଙ୍କ ହାତମୁଠା ଟାଣକରି ଏ ଅଞ୍ଚଳରେ ହଉଥିବା ଉନ୍ନତିମୂଳକ କାମକୁ ଆଗେଇ ନବ । ଦେଖୁଚି ତୁମର ସେପରି ଉଦ୍ଦେଶ୍ୟ ନାହିଁ... । ତୁମେ କାକସଂସ୍କୃତିକୁ ଗ୍ରହଣ କରି ନେଇଛ ।

 

ହୋ ହୋ ହୋଇ ହସିଉଠିଲେ ବିଭୁପଦ, ହରେକୃଷ୍ଣ ଏବଂ ସେମାନଙ୍କର ସମର୍ଥକମାନେ । ପ୍ରତାପଚନ୍ଦ୍ର କହୁଥାଆନ୍ତି–ଶହେ କୁକୁର ଭୁକିଲେ ବି ହାତୀ ନିର୍ବିକାର ଭାବରେ ଚାଲିଥିବ ।

 

ଗୌତମ ଅଘଟଣ ଘଟିଯାଇପାରେ ଏଇ ଆଶଙ୍କାରେ କହିଲେ, କାହାରି କଥାକୁ କେହି ଘେନାକରନି ଭାଇ । ସମସ୍ତେ ମିଳିମିଶି ଲାଗିଲେ ସୂତ୍ରଗୋଟେ କିଛି ବାହାରିଯିବ । କଳିଦ୍ୱାରା କୌଣସି କାମର ସମାଧାନ ହୁଏ ନାହିଁ । କାହାକୁ ଅପମାନ କରିବା ମଧ୍ୟ ଆମର ଉଦ୍ଦେଶ୍ୟ ନୁହେଁ ।

 

କିନ୍ତୁ ଏପରି ପ୍ରବଳ ଯୁକ୍ତିତର୍କ ଆରମ୍ଭ ହୋଇଗଲା ଯେ ଗୌତମଙ୍କର ଶେଷ କଥାଗୁଡ଼ାକ ଆଉ ଶୁଭିଲା ନାହିଁ ସମସ୍ତଙ୍କୁ । କଳିଗୋଳ ଆରମ୍ଭ ହୋଇଗଲା । ସେଇ ଭିଡ଼ ଭିତରୁ ହଠାତ୍ ଚିହିଁକି ଆସି ହରି ଯୋଗୀଙ୍କୁ କେହି ଜଣେ ଠେଲିଦବାରୁ ସେ ପଡ଼ିଗଲେ ଭୂଇଁ ଉପରେ ।

 

ନରୋତ୍ତମ ତାଙ୍କୁ ଉଠାଇ ନବାବେଳେ ତାକୁ ବି କେହି ଠେଲିଦବାରୁ ସେ ହରିଯୋଗୀଙ୍କ ଉପରେ ମୁହଁ ମାଡ଼ି ପଡ଼ିଗଲା । ହଇଚଇ ଲାଗିଗଲା । କିଏ କଅଣ କହୁଥିଲା କିଛି ଶୁଣାଯାଉ ନ ଥିଲା । ଏ ଭିତରେ ଅନେକ ଲୋକ ଆସି ଯାଇଥିଲେ । ଧକ୍‌କା ମରାମରି ଆରମ୍ଭ ହୋଇଯାଇଥିଲା । ଗୌତମ ପ୍ରଥମେ ବିସ୍ମୟରେ ହତବାକ ହୋଇଯାଇ ତାପରେ ନିଜର ଉପସ୍ଥିତ ବୁଦ୍ଧି ଫେରିପାଇ ହାଁ ହାଁ କରି ଦୁଇଦଳକୁ ପରସ୍ପରଠାରୁ ବିଚ୍ଛିନ୍ନ କରିବାକୁ ଲାଗିଲେ, ଜଣେ କେହି ଲାଠି ଉଁଚେଇ ଶଙ୍କରା ଗଉଡ଼ ଉପରକୁ କୁଦିପଡ଼ିବାବେଳେ ଲାଠିଟାକୁ ଧରିପକେଇ ଆହାତ ହେଲେ ଗୌତମ, କିନ୍ତୁ ସେଥିପ୍ରତି ଭୃକ୍ଷେପ ମାତ୍ର ନ କରି ପରସ୍ପର ସହିତ ଲଢ଼ୁଥିବା ଲୋକମାନଙ୍କୁ ବିଚ୍ଛନ୍ନ କରିବାକୁ ଲାଗିଲେ । ଏଭିତରେ ନରୋତ୍ତମ ନିଜକୁ ସଜାଡ଼ି ନେଇଥିଲା । ସେ ଉଚ୍ଚସ୍ୱରରେ କହିଲା, ସମସ୍ତ ରାସ୍ତା ଉପରେ ବସିରୁହ, ସେମାନେ ଯାହା କରିବାର କରନ୍ତୁ... ସତ୍ୟାଗ୍ରହ ଏଇଠାରୁ ଆରମ୍ଭ ହେଉ ।

 

ନରୋତ୍ତମର କଥା ମନ୍ତ୍ରପରି କାମକଲା । ଶଙ୍କରା ଗଉଡ଼, ଯୁଧିଷ୍ଠିର, ଦାମମାଳି, ଲକ୍ଷ୍ମଣ, ହରି ଯୋଗୀ ପ୍ରଭୃତି ରାସ୍ତା ଉପରେ ବସି ପଡ଼ିଲେ । ହରିଯୋଗୀଙ୍କର ହାତ କହୁଣୀରୁ ପୁଳାଏ ଛିଣ୍ଡିଯାଇ ରକ୍ତ ବୋହୁଥିଲା । ଶଙ୍କରା ଗଉଡ଼ର ଥୋମଣିରୁ ରକ୍ତ ଝରୁଥିଲା ।

 

ହରେକୃଷ୍ଣ ଅକଥ୍ୟ ଭାଷାରେ ଗାଳିଗୁଲଜ କରିଚାଲିଥାଏ । ତା’ର ସମର୍ଥକମାନେ ଯେ ସଂଖ୍ୟାଧିକ ଏବଂ ପ୍ରଥମ ଯୁଦ୍ଧରେ ସେ ଯେ ବିଜୟୀ ଏଥିରେ ଆଉ କାହାରି ମନରେ ତିଳେହେଲେ ସନ୍ଦେହ ନ ଥିଲା । ଅମରେନ୍ଦ୍ର ଜଗଦ୍ଦେବ ଏବଂ ତାଙ୍କ ସହକର୍ମୀ ଓ ବିଭୁପଦ ଏ ଭିତରେ କେତେବେଳେ ଜିପ୍‌ ଚଢ଼ି ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିବାର ଏତେବେଳେ ଯାଇ ଲକ୍ଷ୍ୟ କଲେ ଗୌତମ ।

ସେ ଗୋଟେ ମାଙ୍କଡ଼ାପଥର ଉପରେ ଛିଡ଼ା ହୋଇଯାଇ କହିଲେ, ମୁଁ ହାତଯୋଡ଼ି ଗୋଟିଏ ଗୁହାରୀ କରୁଚି, ସମସ୍ତେ ଶାନ୍ତ ହୁଅ... ମୋ ସାନକୁହା ମାନ... କୁରୁକ୍ଷେତ୍ର ଯୁଦ୍ଧ କରି ନିଜନିଜର ଲୋକଙ୍କୁ ନିଧନ କରି କେହି ବଡ଼ ହୋଇପାରିବ ନାହିଁ ।

ଗୌତମଙ୍କ କଥାର ମର୍ମ ସେମାନେ ବୁଝିଲେ ବି ସେତେବେଳକୁ କଳିଗୋଳ କରି କ୍ଳାନ୍ତ ହୋଇପଡ଼ିଥିଲେ ଯାହା ହେଉନା କାହିଁକି ହଟ୍ଟଗୋଳ କମି ଆସିଲା । କିନ୍ତୁ ହରେକୃଷ୍ଣ ଚିତ୍କାର କରି କହିଲା, ସେମାନେ ଯାହାଇଚ୍ଛା କହିଯିବେ ଆଉ ଆମେ ସହିଯିବୁ... ।

ଗୌତମ ହରେକୃଷ୍ଣର ହାତଯୋଡ଼ିକ ଧରିପକାଇ କହିଲେ, ଅନେକ ହେଲାଣି ହରି, ତୁ ଟିକେ ତୁନି ହ... ଅବସ୍ଥା ଆୟତ୍ତ ହୋଇଯାଉ... ତାପରେ ସବୁ ବୁଝିବାନି ...

ହରେକୃଷ୍ଣ ଫଁ ଫଁ ହଉଥାଏ । ନିଷ୍ପଳ କ୍ରୋଧରେ ଗର୍ଜୁଥାଏ ।

ଗୌତମ କହିଚାଲିଥାଆନ୍ତି ଗାନ୍ଧି ଏଇ କଥା ଶିଖେଇଥିଲେ ? ଗୋପବନ୍ଧୁ ଏଇ କଥା କହିଥିଲେ ? ସ୍ୱରାଜ ଏଇଥିପାଇଁ ଅର୍ଜିଥିଲୁ ? ଗୋଟେ ଗାଆଁର ସମସ୍ୟା ଆମେ ତୁଟାଇ ପାରୁନୁ, ଏତେବଡ଼ ଦେଶର ଦାଇତ୍ୱ ନବୁ କିପରି ?

ବୋଧହୁଏ ଏବେବି ସବୁଲୋକ ଖରାପ ହୋଇଯାଇ ନାହାନ୍ତି । ବନସ୍ପତି ଯେପରି ଆଉ ଅପମିଶ୍ରିତ ହୋଇ ରହିନାହିଁ, ଗୋରୁ ଚର୍ବିଠାରୁ ଆରମ୍ଭ କରି ଯେ କୌଣସି ପଶୁଚର୍ବି ଏଥିରେ ଆମର ଅଲକ୍ଷ୍ୟରେ ମିଶାଇ ଦିଆଯାଉଛି, ସେହିପରି ଲୋକମାନଙ୍କର ଅଲକ୍ଷ୍ୟରେ ସେମାନଙ୍କର ନିର୍ମଳ ମନକୁ ବିଷାକ୍ତ କରି ଦିଆଯାଉଛି । ରାଜନୀତିଦ୍ୱାରା ଏ ଦେଶ ସ୍ୱାଧୀନ ହୋଇ ନ ଥିଲା, ତ୍ୟାଗ ଏବଂ ସଂଗ୍ରାମଦ୍ୱାରା ହୋଇଥିଲା । ଆଜି ରାଜନୀତିର ନିଶା ଲାଗିଚି, କ୍ଷମତାଲିପ୍‌ସା ବ୍ୟାକୁଳ କରୁଛି ସମସ୍ତଙ୍କୁ । କୌଶଳ କରି କିଏ କାହାକୁ ବେଦଖଲ କରିବ ତା ଜାଗାରୁ ସେଇ ଚିନ୍ତା ଘାରୁଚି ମନକୁ । ଲୋକମାନଙ୍କ ସଂଖ୍ୟା ଖାଲି ବଢ଼ୁନାହିଁ । ଦଳମାନଙ୍କ ସଂଖ୍ୟା ବି ବଢ଼ୁଚି । ମଣିଷ ଉଚ୍ଚ ହବାକୁ ଯାଇ ନୀଚ ହୋଇଯାଉଛି ।

 

ଗୌତମଙ୍କ ଆଗରେ ଜଣ ଜଣ କରି ହରେକୃଷ୍ଣ ଏବଂ ତାର ସମର୍ଥକମାନେ ଜାଗା ଛାଡ଼ି ଚାଲିଗଲେ ।

 

ସେମାନେ ଚାଲିଯିବା ପରେ ନରୋତ୍ତମ ଏବଂ ଆଉ ଦଶଜଣଙ୍କୁ ରାସ୍ତାଉପରେ ବସିଥିବାର ଲକ୍ଷ୍ୟକରି ଭୂଇଁଉପରେ ବସିପଡ଼ି କହିଲେ, ଗୌତମ, ଭଲ କାମ କରିବାକୁ ଯାଇ ସବୁ ଭଣ୍ଡୁର ହୋଇଗଲା ନରୋତ୍ତମ । ଇମିତି ହୁଏ । କଥାରେ ଅଛି, ଶ୍ରେୟାଂସି ବହୁ ବିଘ୍ନାନି । ଭଲକାମ କରିବାକୁ ଯାଇ ବହୁ ବିଘ୍ନର ସମ୍ମୁଖୀନ ହବାକୁ ହୁଏ । କିନ୍ତୁ ଶାନ୍ତ, ସଙ୍ଗଠିତ ହୋଇ ବିଘ୍ନର ମୁକାବିଲା କରିବାକୁ ହବ ।

 

ନରୋତ୍ତମ କହିଲା, ସତ୍ୟାଗ୍ରହରୁ ସ୍ୱରାଜ୍ୟର ଜନ୍ମ । ଏଇ ସତ୍ୟାଗ୍ରହଦ୍ୱାରା ଭ୍ରଷ୍ଟାଚାର, ଦୁର୍ନୀତିର ସଫଳ ପ୍ରତିରୋଧ କରିହେବ ।

 

ଗୌତମ ଆଉଥରେ ଭଲକରି ନରୋତ୍ତମର ମୁହଁକୁ ଅନେଇଲେ ।

 

Unknown

ନରୋତ୍ତମର ମୁହଁ ଉପରେ ମୂର୍ତ୍ତ ହୋଇ ଉଠିଥିବା ସତ୍ୟାଗ୍ରହୀର ସଂକଳ୍ପ ଓ ନିଷ୍ଠା ସୂର୍ଯ୍ୟର ଆଲୋକରେ ଆହୁରି ସୁନ୍ଦର, ସାବଲୀଳ ହୋଇ ଉଠୁଥିଲା ।

 

ଲକ୍ଷ୍ମଣ କହିଲା, ଯାହା ଆଖିକୁ ଭଲ ଦିଶିବ, ଭଲ ବୋଲି ମନକୁ ଛୁଇଁବ, ସେଇଟା ଭଲ କାମ । ଯାହା ଖରାପ ସବୁକାଳେ ଖରାପ । ଜୋରକରି ଖରାପକୁ ଭଲକରି ହେବନାହିଁ ।

 

ଗୌତମ ନିଜକୁ ଅପରାଧୀ ମନେ କରୁଥିଲେ । ତାଙ୍କରି ଘରୁ ସୂତ୍ରପାତ ହେଲା ଗଣ୍ଡଗୋଳର । ସେ ଦୃଢ଼ଭାବେ ନରୋତ୍ତମ ପଛରେ ଛିଡ଼ା ହୋଇଥିଲେ ସେ ହୁଏତ ଲାଞ୍ଛନାରୁ ବର୍ତ୍ତି ଯାଇଥାଆନ୍ତା । ପ୍ରତାପରୁଦ୍ର ଏବଂ ଅମରେନ୍ଦ୍ର ଯେ ଭ୍ରଷ୍ଟାଚାରରେ ବୁଡ଼ିଗଲେଣି ତାହା ସେ ଜାଣନ୍ତି । ବିଭୁପଦ ଯେ ହରେକୃଷ୍ଣକୁ ଆଗରେ ରଖି ଭିତରୁ କଳ ମୋଡ଼ୁଛି ତାହା ବି ସେ ଜାଣନ୍ତି । ସବୁ ଜାଣି ମଧ୍ୟ ସେ ସିଧା ସଳଖ ଭାବରେ ନରୋତ୍ତମର ପକ୍ଷନେଲେ ନାହିଁ; ବରଂ ଦୁଇ ପକ୍ଷକୁ ସମାନ କରିବାକୁ ଯାଇ ଦୁର୍ବଳ ଉପରେ ସବଳର ଅତ୍ୟାଚାରକୁ ସମର୍ଥନ କରିଗଲେ । ଲଜ୍ୟାରେ ତାଙ୍କ ମୁହଁ ତଳକୁ ନଇଁପଡ଼ିଲା । ଗୌତମ ଆଉ ନରୋତ୍ତମର ମୁହଁକୁ ମୁହାଁମୁହିଁ ଅନେଇ ପାରିଲେ ନାହିଁ ।

 

ହରିଯୋଗୀ କହିଲେ, ସବୁ ସେଇ କାଳିଆର ଖେଳ । ମିଛରେ ଜଗନ୍ନାଥ ଦାସେ ଲେଖିଥାଆନ୍ତେ ଭାଗବତରେ ସର୍ବେ ହୋଇବେ ଅଳ୍ପାୟୁଷସ, ପାପେ ସକଳେ ଯିବେ ନାଶ । ଇଏତ କଳିକାଳ । କଳିର ଦୃଷ୍କୃତି ନ ବଢ଼ିଲେ କଳ୍‌କି ଅବତାର ଅବତୀର୍ଣ୍ଣ ହେବେ ନାହିଁ ଯେ... ।

 

ଗୌତମ ନିଷ୍କୃତିର ପଥ ପାଇଯାଇ କହିଲେ, ନିଜେ ନିଜର ଧ୍ୱଂସକୁ ଡାକି ଆଣୁଛି ମଣିଷ । ନିଜର ପାପହିଁ ନିଜକୁ ସଂହାର କରିବ । ଆପଣା କଲା କର୍ମମାନ, ଆଗୁ ହୋଇବ ସାବଧାନ । ସାବଧାନ ହବାପାଇଁ ଏବେ ବି ବେଳ ଅଛି ।

 

ଗୌତମ ସେମାନଙ୍କ ସହିତ କିଛି ସମୟ ଆଲୋଚନା କଲେ । କର୍ମପନ୍ଥା ସ୍ଥିର ହେଲା-। ସତ୍ୟାଗ୍ରହହିଁ ଏକମାତ୍ର ମାର୍ଗ । ମିଥ୍ୟାଚାର, ଭ୍ରଷ୍ଟାଚାର, ଦୁର୍ନୀତି ପ୍ରବଞ୍ଚନା ଏବଂ ଅନ୍ୟାୟ ଓ ଉତ୍ପୀଡ଼ନ ବିରୁଦ୍ଧରେ ଏହାହିଁ ଏକମାତ୍ର ଅସ୍ତ୍ର । ଗାନ୍ଧି ଅହିଂସାମାର୍ଗର ଏହି ଅସ୍ତ୍ରଟିକୁ ଦେଇଯାଇଚନ୍ତି ଭାରତବାସୀଙ୍କୁ ଯାହାକି ମାରଣାସ୍ତ୍ରଠାରୁ ବି ମାରାତ୍ମକ । ସତ୍ୟାଗ୍ରହ ହେବ ସବୁ ପ୍ରକାର ଉତ୍ପୀଡ଼ନ ଏବଂ ଅନ୍ୟାୟ ବିରୁଦ୍ଧରେ । ସତ୍ୟାଗ୍ରହୀ ନିଜ ପାଇଁ ନ କରି ଅନ୍ୟମାନଙ୍କ ପାଇଁ ନିଜର ଶ୍ରମ, ଶକ୍ତି ଏବଂ ନିଷ୍ଠାକୁ ସମର୍ପଣ କରିବ । ତାହା କରିବାବେଳେ ସବୁ ଅପମାନ ଓ ଲାଞ୍ଛନାକୁ ଅକୁଣ୍ଠିତ ଚିତ୍ତରେ ବରଣ କରି ସତ୍ୟକୁ ପ୍ରତିଷ୍ଠିତ କରିବାଲାଗି କୌଣସି ତ୍ୟାଗ କରିବାକୁ ପଶ୍ଚାତ୍‌ପଦ ହେବ ନାହିଁ ।

 

ବଡ଼ କଠିନ ମାର୍ଗ । କିନ୍ତୁ ସଂକଳ୍ପ ଏବଂ ଦୃଢ଼ତା ଥିଲେ ତାହା ଅଗମ୍ୟ ନୁହେଁ–ସୁଗମ ।

 

ନରୋତ୍ତମ କହିଲା, ରାଜନୀତିର ପଙ୍କଭିତରକୁ ପଶି ଆତ୍ମହତ୍ୟା କରିବାକୁ ମୁଁ ଚାହେଁନି-। ସମାଜର ବୃହତ୍ତର କଲ୍ୟାଣ କରିବାଲାଗି ଯାହା କିଛି କରିବି । ବ୍ୟକ୍ତି ବା ଗୋଷ୍ଠୀ ନୁହେଁ, ଧର୍ମ ବା ସମ୍ପ୍ରଦାୟ ନୁହେଁ ସମଗ୍ର ମାନବଜାତିହିଁ ମୋର ଧ୍ୟେୟ ଓ ଧାରଣାର ବସ୍ତୁ । ମୁଁ ଅକିଞ୍ଚନ ହେଲେବି ଯାହା କିଛି ଈଶ୍ୱର ମୋତେ ଦାନ କରିଛନ୍ତି ତାହା ନିଜକୁ ପୁଷ୍ଟ କରିବାଲାଗି ଭୋଗ ନ କରି ସମସ୍ତଙ୍କୁ ସୁଖୀ କରିବାଲାଗି ଉତ୍ସର୍ଗ କରିବି ।

 

ହରିଯୋଗୀ କହିଲେ, ମୁଁ ତୋତେ ସାଙ୍ଗ ଦେବିରେ ପୁଅ । ମୁଁ ତ ଏତେକଥା ଜାଣେ ନାହିଁ, ଏତେପାଠ ପଢ଼ିନାହିଁ । କିନ୍ତୁ ମୋ ଭିତରେ କିଏ ଯେପରି ତୁହାଇ ତୁହାଇ ଗାଉଛି, ତୋର ଡାକ ଶୁନେ ଯଦି କେଉ ନ ଆସେ ତବେ ଏକଲା ଚଲୋରେ .. । ତୁ ସେଇ ଡାକ ଦେଇଛୁ, ମୁଁ ତୋ ଡାକ ନ ଶୁଣି ଇମିତି ଚାଲିଯିବି ...?

 

ଗୌତମ କହିଲେ, ଆଜି ଦିନଟା ବ୍ୟର୍ଥ ହୋଇଗଲା ବୋଲି ଭାବୁଥିଲି । କିନ୍ତୁ ସବୁଦିନ ପରି ଏଇ ଦିନଟି ବି ଶୁଭ, ଏଇ ଦିନଟି ବି ଅମୃତମୟ ।

 

ବିଭୁପଦ ଦେଇଥିବା ପ୍ରତିଶ୍ରୁତିକୁ ପୂର୍ଣ୍ଣ କରିବା ପାଇଁ ସୁଯୋଗ ଦେବା ପାଇଁ ନିବେଦନ କରି ଚିଠି ଖଣ୍ଡିଏ ଲେଖିଛି । କୃତଜ୍ଞତାରେ କବିତାର ଅନ୍ତର ପୂର୍ଣ୍ଣ ହୋଇଗଲା । ଏତେଦିନ ହେଲା ସେ ଲେଖୁଚି, ସରୋଜର ସମୟ ନ ଥାଏ ସେ ସବୁ ପଢ଼ିବା ପାଇଁ । ଅଥଚ ବାହାରର ଲୋକ ବିଭୁପଦ, ସେ ପଢ଼େ ତାର ଲେଖା, ଖବର ରଖେ କଅଣ ଓ କେଉଁଠାରେ ଲେଖେ ସେ ।

 

କବିତା ଚିଠିଟାକୁ ତିନିଥର ପଢ଼ିଲା । ସେଇ ଚିଠିଟିର କେତେ ଧାଡ଼ି ଅକ୍ଷର ଭିତରେ ଯେପରି ସେ ଦେଖୁଥିଲା ବିଭୁପଦର ପୁରୁଷୋଚିତ ମୁହଁ, ସେଥିରେ ଅଯାଚିତ ସ୍ନେହ ଓ ଆଗ୍ରହ ।

 

ମଣିଷର ଏଇ ଆଗ୍ରହ ତାକୁ ଅନ୍ୟର ନିକଟତର କରେ । ଏଇଥିରୁ ଜନ୍ମ ହୁଏ ସମ୍ପର୍କ । ଆଗ୍ରହରୁ ଜନ୍ମ ନିଏ ଜଣକ ମନରେ ଆଉ ଜଣକୁ ଜାଣିବାର ଇଚ୍ଛା, ଆଉ ପରସ୍ପରପ୍ରତି ଆଗ୍ରହ ଦୁହିଁଙ୍କୁ କରେ ନିକଟତର ।

 

ବିଭୁପଦ ସେଦିନର କଥା ରକ୍ଷାକରି ପୁଣି ଯେ ତା ପାଖକୁ ପାଣ୍ଡୁଲିପି ପଠାଇବା ଲାଗି ଖବର ଦବ ଏହା ଥିଲା କବିତାର ଆଶାତୀତ । କେତେଥର ସରୋଜକୁ ସେ କହିଛି । ଏତେ ଲୋକଙ୍କ ସହିତ ତୁମର ଚିହ୍ନା ପରିଚୟ, ଜଣାଶୁଣା । କେତେଲୋକ ତୁମଦ୍ୱାରା ଉପକୃତ । କାହାକୁ ଟିକେ କହିଦେଲେ ମୋ ବହିଟା ବାହାରି ଯାଆନ୍ତା; ଖାତାଗୁଡ଼ାକ ଉପରେ ଧୂଳି ଜମୁଛି ।

 

ସରୋଜଙ୍କୁ ସମୟ ହୋଇନାହିଁ, ସେ ସୁଯୋଗ ପାଇନାହାନ୍ତି କାହାକୁ କହିବାପାଇଁ । ସକାଳୁ ଯାଇ ଫେରନ୍ତି ରାତିରେ । ସେତେବେଳକୁ ଦେହରେ ଶକ୍ତି ଓ ମନରେ ସରସତା ନ ଥାଏ ସ୍ତ୍ରୀର ଗଳ୍ପ ଶୁଣିବା ପାଇଁ ବା ଗଳ୍ପ ସଙ୍କଳନ ପ୍ରକାଶ କରିବା ବିଷୟରେ ଚର୍ଚ୍ଚା କରିବା ଲାଗି । ଆଜିକାଲି ଅନେକ ଲେଖକ ପାଣ୍ଡୁଲିପି ଧରି ପ୍ରକାଶକମାନଙ୍କର ଦ୍ୱାର ଦ୍ୱାର ବୁଲୁଛନ୍ତି ବୋଲି ସେଦିନ କହୁ ନ ଥିଲେ ସରୋଜ ? କବିତାର ଗଳ୍ପଲେଖା ଆଉ ଲୋକ ଲୋଚନକୁ ଆସିପାରିବ ନାହିଁ ଏଇ ଯନ୍ତ୍ରଣା ତାକୁ ବେଳେ ବେଳେ ଅଧୀର କରୁଥିବାବେଳେ ଦେବଦୂତ ପରି ଶୁଭବାର୍ତ୍ତା ନେଇ ପହଞ୍ଚିଲା ବିଭୁପଦର ଚିଠି । ସେଇ ଚିଠିଟାକୁ ଆଉଥରେ ପଢ଼ିଲା କବିତା । ନା, ସବୁ ଠିକ୍‌ ଅଛି । ବିଭୁପଦ ବଦଳି ନାହିଁ । ସେ ତାର ପ୍ରତିଶ୍ରୁତି ମନେରଖିଛି । ସେ ପ୍ରତିଶ୍ରୁତି ପୂର୍ଣ୍ଣକରିବାକୁ ଚାହେଁ ।

 

କବିତା ସବୁ କାମ ଛାଡ଼ି ନିଜର ଶୋଇବା ଘରକୁ ଗଲା । ବାକ୍‌ସ ଭିତରେ ର‍୍ୟାକ୍‌ର ଥାକରେ ଥୁଆ ହୋଇଥିବା ଖାତାଗୁଡ଼ାକୁ ଉଠାଇନେଇ ପଣତକାନିରେ ପୋଛି ପକେଇଲା । ଏଇ ଖାତା ଭିତରେ କେତେ ଘଟଣା ଓ ଦୁର୍ଘଟଣା କେତେ ଚରିତ୍ର ଏବଂ ମନେରଖିବାର ମୁହୂର୍ତ୍ତ ଚିରଞ୍ଜୀବୀ ହୋଇ ରହିଛି । ମଣିଷ ମନେରଖିବ କହି ଭୁଲିଯାଇଥିବାର ସମସ୍ତ ଘଟଣା; ପୁଣି ଯେଉଁଠାରୁ କେବେ କିଛି ପାଇବାର ପ୍ରତ୍ୟାଶା ନ ଥିଲା ସେପରି ସ୍ଥାନରୁ ହଠାତ୍‌ ପ୍ରାପ୍ତିର ଘୋଷଣା ତାକୁ ନ ପାଇବାର ଯନ୍ତ୍ରଣା ଏବଂ ପାଇବାର ଆନନ୍ଦ ତାକୁ ଯୁଗ ଯୁଗ ଧରି ଅଥୟ କରିଚି । ସେଇ ମୁହୂର୍ତ୍ତଗୁଡ଼ାକୁ ଅକ୍ଷୟ କରି ରଖିବା ପାଇଁ ପ୍ରୟାସ କରି ସେ ଧରିଚି କଲମ । ମଣିଷ ମନର କଥା କହିବାକୁ ଯାଇ ତାର ମଧୁରତମ ମୁହୂର୍ତ୍ତଟିକୁ ଯେପରି ସେ ମୃତୁଞ୍ଜୟୀ କରି ରଖିବାଲାଗି ଚରିତ୍ର ଓ ପରିବେଶ ସୃଷ୍ଟି କରିଛି, ସେଇପରି ତାର ବେଦନାପୂର୍ଣ୍ଣ ମୁହୂର୍ତ୍ତଟିକୁ ଧରିରଖିବାକୁ ଆପ୍ରାଣ ଚେଷ୍ଟା କରି ଆସିଛି ଲେଖକ । ସେଇ ଖାତାଗୁଡିକ ବ୍ୟତୀତ କବିତା ଅସମ୍ପୂର୍ଣ୍ଣ, ତାର ଅନ୍ତରର ଆଲୋକ ବି ନିଷ୍ପ୍ରନ୍ଦ । ତା’ ର ଜଗତଟି ଭିନ୍ନ । ସେଠାରେ, ସରୋଜର ଉପସ୍ଥିତି ଯେପରି ଅନକାଂକ୍ଷିତ ତାର ଅନୁପସ୍ଥିତ ମଧ୍ୟ ସେହିପରି ଅପ୍ରାସଙ୍ଗିକ ।

 

କବିତା ଚିଠିଟାକୁ ଆଉଥରେ ପଢ଼ିଲା । ନା, ସେଥିରେ ସନ୍ଦେହର ଅବକାଶ ନାହିଁ; କିନ୍ତୁ ଗୋଟିଏ ସନ୍ଦେଶ ଅଛି ।

 

ବିଭୁପଦ ପଠେଇଥିବା ଲୋକଟି ଏଯାଏ ଅପେକ୍ଷା କରୁଥିବାର ଏବେ ମନେପଡ଼ିଲା କବିତାର । ସେ ଭୁଲିଯାଇଥିଲା ସେକଥା । ଛି, ଛି, କଅଣ ଭାବୁଥିବ ସେ ! କବିତା ଖାତାଗୁଡ଼ାକୁ ଧରି ବସିବା ଘରକୁ ଆସିଲା ଏବଂ ସେହି ଲୋକଟିକୁ କହିଲା, ଖୋଜିକରି ବାହାର କରିବାକୁ ସମୟ ଲାଗିଲା । ତୁମ କଥା ଭୁଲିଯାଇଥିଲି ପ୍ରାୟ ।

 

ସେଇ ଲୋକଟି ଅପେକ୍ଷା କରି ରହିଲା ।

 

କବିତା ଖାତାଗୁଡ଼ାକୁ ପ୍ରଥମେ ଖବରକାଗଜରେ ଗୁଡ଼ାଇ ଭଲ କରି ବାନ୍ଧି ଆଗନ୍ତୁକ ହାତକୁ ବଢ଼ାଇଦେଇ କହିଲା, ଆଉଟିକେ ବସ, ଚିଠି ଗୋଟେ ବି ନେଇଯିବ ।

 

ପ୍ୟାଡ଼ରୁ କାଗଜ ଖଣ୍ଡେ ଟାଣି ନେଇ ଚିଠି ଲେଖିଲା କବିତା । ଛୋଟ ଚିଠିଟିଏ । ପ୍ରଥମେ ବିଭୁପଦ ତାକୁ ସ୍ମରଣ କରିଥିବାରୁ ତାକୁ କୃତଜ୍ଞତା ଜଣାଇ ସେ ଯେ ସେଦିନ ଦେଇଥିବା ପ୍ରତିଶ୍ରୁତିକୁ ଏବେବି ମନେରଖିଚି ଏହା ଅପ୍ରତ୍ୟାଶିତ ବୋଲି ଉଲ୍ଲେଖକରି ଶେଷରେ ଲେଖିଲା ଯେ ଏତେଦିନ ଯେଉଁ ଲେଖା ଉପରେ ଧୂଳି ଜମୁଥିଲା, ତାହା ଯଦି ପ୍ରକାଶିତ ହୁଏ, ସେଥିରେ ଲେଖିକାର ଗୌରବ ଅପେକ୍ଷା ଯାହାଙ୍କର ଉଦ୍ୟମରୁ ସେଇ ଲେଖା ପ୍ରକାଶିତ ହେବାକୁ ଯାଉଛି, ତାଙ୍କର ମହତ୍ତ୍ୱ ଅନେକ ବେଶି ପ୍ରକଟିତ ହେବ । ବିଭୁପଦର ବଦାନ୍ୟତା ସର୍ବଦା ଶ୍ରଦ୍ଧାର ବସ୍ତୁ ହୋଇ ରହିବ ।

 

ଆଗନ୍ତୁକ ଚା ଜଳଖିଆ ଖାଇ ଖାତା ନେଇ ଚାଲିଗଲା ।

 

ବିଭୁପଦ ପ୍ରତି କବିତାର ମନ କୃତଜ୍ଞତାରେ ଭରିଗଲା । ସ୍ୱାମୀ ଯାହା ପାରିଲେ ନାହିଁ ବିଭୁପଦ ତାହା ଯଦି କରିପାରେ ତାକୁ ପୁରସ୍କୃତ କରିବା ପାଇଁ ତା ପାଖରେ କିଛି ନାହିଁ । କଲେଜର ସେଇ ମନୋରମ ଦିନଗୁଡ଼ାକ ଆଉ ଫେରିଆସିବ ନାହିଁ କି ସେ ବି ଗୃହସଂସାରର ଶୃଙ୍ଖଳା ଭାଙ୍ଗି ବାହାରକୁ ଯାଇପାରିବ ନାହିଁ । ବିଭୁପଦ ପାଖରେ ସେ ଆଜୀବନ ଋଣୀହୋଇ ରହିବ । ସେଇ ଋଣ ପରିଶୋଧ କରିବାର କୌଣସି ସୁଯୋଗ ଆଉ ନାହିଁ ତା ପାଖରେ ।

 

କବିତା ସୋଫା ଉପରେ ଆଉଜିପଡ଼ି ଆଖିବୁଜି ଭାବିବାକୁ ଲାଗିଲା । ସେଇ ଭାବନାର ଆଦି ନାହିଁ କି ଅନ୍ତ ନାହିଁ – ତାହା ସୀମାହୀନ ଆକାଶ ବକ୍ଷରେ ସଞ୍ଚରିତ ତରଙ୍ଗପରି, ଯାହା ଆଖିରେ ପଡ଼େନାହିଁ ଅଥଚ ଅନୁଭବ କରିହୁଏ ।

 

ସରୋଜରଞ୍ଜନ କାନୁନ୍‌ଗୋ ତା’ ହେଲେ ଆଉ ଗଳ୍ପର ନାୟକ ହୋଇପାରିଲେ ନାହିଁ । ସେଇ ସ୍ଥାନଟି ଜବରଦସ୍ତ ଦଖଲ କରିନେଲା ବିଭୁପଦ ।

 

କବିତା ବିସ୍ମୟରେ ଅବାକ୍‌ ହୋଇଗଲା । ବହୁଚେଷ୍ଟା କରି ବି ସେ ମନରୁ ଗଳ୍ପର ନାୟକ ବିଭୁପଦକୁ ବହିଷ୍କାର କରିପାରିଲା ନାହିଁ । ଆଉ ବିଳମ୍ୱ ନ କରି ଟେବୁଲ ପାଖରେ ବସି ତରତର ହୋଇ ବିଭୁପଦକୁ ନାୟକ କରି ନୂଆଗଳ୍ପଟିଏ ଲେଖିପକାଇଲା । ଗଳ୍ପ ଲେଖା ଶେଷ ହବା ପରେ ସେ ନିଜେ ସେଇ ଗଳ୍ପକୁ ଆଉଥରେ ପଢ଼ିବାଲାଗି ସାହସ କରି ନ ପାରି ମନକୁ ମନ କହିଲା, ଏତେଦିନ ମୋ ଭିତରେ ଅପେକ୍ଷା କରୁଥିବା ଏଇ ଅବହେଳିତା ଲେଖିକାଟିର ହାତ ତମେ ଟାଣିନେଲ ନାହିଁ କାହିଁକି ! ମୁଁ କଅଣ ଏଡ଼େ ଅଲୋଡ଼ା, ଏତେ ଅସୁନ୍ଦରୀ ?

 

ନିଜ ଆଖିରୁ ଲୁହ ପୋଛିବାବେଳେ କୋହରେ ଭାଙ୍ଗିପଡ଼ିଲା କବିତା ।

 

ସରୋଜ ସହିତ ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କ ବଡ଼ ଶୂନ୍ୟ ମନେହେଲା ତାକୁ । ତଥାପି ସେଇ ଅର୍ଗଳ ଭାଙ୍ଗି ଆସିବାକୁ ଇଚ୍ଛା ନାହିଁ କବିତାର । ମଣିଷ ସହିତ ମଣିଷର ସମ୍ପର୍କଟି କେବଳ ଦେହଜ ନୁହେଁ ମନର, ହୃଦୟର । ଖାଇବାପିଇବା, ଲୁଗାପଟା ଓ ଅଳଙ୍କାର ଏବଂ ସହବାସର ଅକୁଣ୍ଠିତ ବ୍ୟବସ୍ଥା କରି ମଧ୍ୟ ପୁରୁଷ ବେଶି ଦିନ ସ୍ୱାମୀ ହୋଇ ରହିପାରେ ନାହିଁ । ସେ ଯଦି ଅନ୍ତରକୁ ଅନୁରାଗର ରଙ୍ଗରେ ରଞ୍ଜେଇ ନ ପାରେ ସବୁ ଥାଇ ବି ରିକ୍ତ ମନେହୁଏ ସବୁ ।

 

କବିତାର ବାଷ୍ପାକୁଳ ଆଖିଯୋଡ଼ିକ କିନ୍ତୁ ତଥାପି ପ୍ରତୀକ୍ଷା କରୁଥିଲା ସରୋଜର । ଠିକ୍‌ ଏଇ ସମୟରେ ସେ ପହଞ୍ଚିଯାଇ ତାକୁ ଟିକେ ଗେଲ କରନ୍ତେ କି, ତା’ ଓଠରେ ଚୂମା ଦେଲ ତାକୁ ସାନ୍ତ୍ୱନା ଦେଇ କୁହନ୍ତେ କି, ଶୁଭ ଅଶୁଭରେ, ଦୁଃଖସୁଖରେ ଆମର ମନ ଓ ହୃଦୟ ଏକ... ଅମର ଭୂମି ଓ ଭୂମିକା ମଧ୍ୟ ଏକ ।

 

ସୁନନ୍ଦାର ମୁହଁଟି ଭାସିଉଠିଲା ଆଖି ଆଗରେ । ସରୋଜ ଏବଂ ତା ମଧ୍ୟରେ ସେ ଛିଡ଼ାହୋଇଛି ପାଚେରୀ ପରି । ତା’ଠାରୁ ସବୁ ପାଇ ବି ସୁନନ୍ଦା ପାଖକୁ କାହିଁକି ଦଉଡ଼ନ୍ତି ସରୋଜ ଆଦୌ ବୁଝିପାରେନି କବିତା । ବାହାହବା ପରେ ନାରୀର ଦେହ ପରି ଇଚ୍ଛା ବି ଆଉ ରହସ୍ୟ ହୋଇରହେ ନାହିଁ । ଯୁଗ ଯୁଗର ବନ୍ଧ ବାଡ଼ ଭାଙ୍ଗି ସ୍ରୋତସ୍ୱିନୀ ସମୁଦ୍ରଗାମିନୀ ହେବା ପରି ନାରୀ ବି ଏକମୁହଁ । ଦଉଡ଼େ ସେଇ ସଙ୍ଗମରେ ନିଜକୁ ସମର୍ପିଦେଇ ସନ୍ତୋଷ ଓ ଶାନ୍ତି ପାଇବା ପାଇଁ । ଯାହା ପାଇଛି କବିତା କମ୍‌ ନୁହେଁ, ଅବଶିଷ୍ଟ ଜୀବନ କଟେଇ ଦବାଲାଗି ଯଥେଷ୍ଟ ନ ହେଲେ ମଧ୍ୟ ସେତକ ତାର ପୁଞ୍ଜି । ସୂର୍ଯ୍ୟ ଚନ୍ଦ୍ର ଥିବାଯାଏ ସରୋଜ ସ୍ୱାମୀ ଏବଂ ସେ ତାର ସ୍ତ୍ରୀ ।

 

ସୁନନ୍ଦାକୁ ସେ ବୁଝେଇ ଦବାକୁ ଚାହେଁ । ନିଜର ସଂସାର ନାହିଁ ବୋଲି ଅନ୍ୟର ସଂସାରକୁ କାହିଁକି ଭାଙ୍ଗି ଦେବା ପାଇଁ ବାହାରିଛି ସେ । ପ୍ରତିଦିନ ନୂଆ ନୂଆ ପୁରୁଷ ସହିତ ନ ଶୋଇଲେ ଭଲ ଲାଗେନି ସୁନନ୍ଦାକୁ । ଛି, ଛି...... ମଣିଷତ, କୁକୁର କି କୁକୁଡ଼ା ନୁହେଁ ଯେ ଅବାଧ ରତିକ୍ରୀଡ଼ା କରି ଚାଲିଥିବ ।

 

କବିତାର ଆଖି ଆଗରେ ଭାଙ୍ଗିଯାଉଛି ତାର ପ୍ରାସାଦ । ସେ ଅସହାୟ ହୋଇପଡ଼ୁଚି ସେଇ ଧ୍ୱଂସଲୀଳା ଆଗରେ ।

 

ବିଭୁପଦ ବି ମନେପଡ଼ିଲା ଆଉଥରେ । ନା, ବିଭୁପଦ ସହିତ ସମ୍ପର୍କଟା ସିଧା ରାସ୍ତାରେ ଚାଲୁ । ସେ ବନ୍ଧୁ ହୋଇ ରହୁ । ନାରୀର ବନ୍ଧୁ ପୁରୁଷ ବି ହୋଇପାରେ । ବନ୍ଧୁତ୍ୱର ସ୍ୱତନ୍ତ୍ର ରାଜ୍ୟ ଅଛି, ଯେଉଁଠି ସଦାବେଳେ ଚନ୍ଦ୍ର ଉଦିତ ହୁଏ; କିନ୍ତୁ ଅସ୍ତ ଯାଏନି । ରାଜଦ୍ୱାର ବା ଶ୍ମଶାନ ସର୍ବତ୍ର ସେ ବନ୍ଧୁ ।

ବିଭୁପଦର ଆଖିର ଭାଷାରୁ ସେ ଅନ୍ୟଅର୍ଥ ପଢ଼ିଥିଲା ସେଦିନ । ଆଜି ସେଇକଥା ଭାବିବାଲାଗି ଭୟ ଲାଗୁଚି । ସେଦିନ ତାର ଆଚରଣ ବି ନିର୍ମଳ ନ ଥିଲା ବୋଧହୁଏ । କବିତା ଦୋଷ ଦେଲା ନିଜକୁ । କାଳେ ଏଇ ଖାତାଗୁଡ଼ାର ଉପଯୋଗ କରି ବହିଟିଏ ବାହାର କରିଦେଇ ସେ ଯଦି ସେଇ ବ୍ୟାକୁଳତା ନେଇ ଧାଇଁଆସେ ତା ପାଖକୁ ତାକୁ କିପରି ପ୍ରତ୍ୟାଖ୍ୟାନ କରିବ କବିତା ? ଅକୃତଜ୍ଞତା ହବ ନାହିଁ ? ସ୍ୱାର୍ଥପରତା ହବ ନାହିଁ ।

କିନ୍ତୁ ସେ ନିରୁପାୟ । ଲଗାମ ଛିଡ଼େଇ ପଳେଇ ଯିବାକୁ ବସିଥିବା ମନଟାକୁ ଆଉଥରେ ଲଗାମ ଲଗାଇ ବଶୀଭୂତ କରିବା ଲାଗି ସଂକଳ୍ପ କଲା କବିତା । ଶୃଙ୍ଖଳାହିଁ ସୌନ୍ଦର୍ଯ୍ୟ-। ଶୃଙ୍ଖଳାହିଁ ସୁରୁଚି । ଯେତିକି ହୋଇଚି ସେତିକିରେ ରହୁ, ଆଉ ନାହିଁ ।

ସରୋଜ ଘର ଭିତରକୁ ପଶିଆସି ଘୋଷଣା କଲେ, ବଦଳି ଆଦେଶ ରଦ୍ଦ ହୋଇଚି । ଆଉ ଭୟ ନାହିଁ । ବିଭୁପଦ ଯାହା କହେ, ତାହା କରେ । ବିପଦର ବନ୍ଧୁଟିଏ ।

କବିତା ସ୍ୱାମୀ ମୁହଁକୁ ଅନାଇ ପାରିଲା ନାହିଁ । ଦୃଢ଼ ହୋଇ ଆସୁଥିବା ମନଟିକୁ ଆଉଥରେ ଦୁର୍ବଳ କରିଦେବାକୁ ଇଚ୍ଛାନାହିଁ ତାର ।

ସରୋଜ କହିଲା, ଏତେବଡ଼ ଖୁସିର ଖବର; କିନ୍ତୁ ମୌନାବତୀ ପରି ବସିରହିଲ ଯେ...-

ସରୋଜ ପୌରୁଷତ୍ୱ ବାଲିଘର ପରି ଭାଙ୍ଗିପଡ଼ୁଥିଲା କବିତା ଆଗରେ ।

ସରୋଜ ତାକୁ ହଲାଇଦେଇ କହିଲେ, କଅଣ ହୋଇଛି.... ଇମିତି ଚୁପ୍‌ଚାପ୍ ବସିଚ ଯେ... ।

ଇଚ୍ଛା ହେଉଥିଲା ବହୁତ କିଛି ପାଇବା ପାଇଁ । କିନ୍ତୁ କାହିଁକି କେଜାଣି ତା ମୁହଁରୁ ଖସିଗଲା, ବିଭୁପଦ ତୁମ କାମ କରିବା ଆଗରୁ ମୋ କାମ ବି କରିଦେଇଛନ୍ତି । ମୋର ଗଳ୍ପ ସଙ୍କଳନ ତାଙ୍କରି ଉଦ୍ୟମରେ ପ୍ରକାଶ ପାଉଛି ... ।

ଖୁସି ହୋଇ କହିଲେ ସରୋଜ, ଏଇ ତ ବାହାଦୁରୀ... । ତୁମ କାମ ଆଗ ନ କରି ମୋ କାମ ଆଗ କରନ୍ତା ସେ.... ବିଭୁପଦଦ୍ୱାରା ଆହୁରି ବହୁତ କାମ କରେଇ ନବାର ଅଛି । ତାକୁ ହାତରେ ରଖ..... ।

ତୀବ୍ର ଦୃଷ୍ଟିରେ ସ୍ୱାମୀଙ୍କ ମୁହଁଙ୍କୁ ଅନାଇଲା କବିତା । ସରୋଜ କହିଲା, ଏଥିରେ ରାଗିବାର କଅଣ ଅଛି ଯେ ଇମିତ କଟମଟ କରି ଅନେଉଛ । ବିଭୁପଦ ଆଜିର ନେତା, ଆଗାମୀ କାଲିର ମନ୍ତ୍ରୀ । ଇମିତି ଲୋକଙ୍କୁ ହାତରେ ରଖିବାକୁ ହୁଏ ।

ମୋତେ କଅଣ କରିବାକୁ କହୁଛ ଶୁଣେ ? ସିଧା ପଚାରିଦେଲା କବିତା ।

ମୋତେ କହିବାକୁ ପଡ଼ିବନି ସେ କଥା, ତୁମେ ଜାଣ । ପ୍ରତ୍ୟେକ ମହିଳା ଜାଣନ୍ତି ।

କହିସାରି ସରୋଜ ହସିଲେ ଟିକେ । କିନ୍ତୁ ସେଇ ହସ ଇମିତି ବିଭତ୍ସ ଦେଖାଗଲା ଯେ ତାଙ୍କ ମୁହଁକୁ ଆଉ ଚାହିଁ ନ ପାରି ଆଖି ବୁଜିଲା କବିତା ।

ଏଇ ତାର ସ୍ୱାମୀ ।

ଏହାଙ୍କ ହାତଧରି ପରମ ନିର୍ଭୟରେ ଜୀବନଟା କଟାଇ ଦବ ବୋଲି ଅଗ୍ନିକୁ ସାକ୍ଷୀକରି ଶପଥ କରିଥିଲା ସେ ।

ସରୋଜ ସ୍ତ୍ରୀର ହାତଟିକୁ ଟେକିନେଇ କହିଲେ, କଅଣ ହୋଇଛି ତୁମର, ଇମିତି ଗମ୍ଭୀର ହୋଇ ବସିରହିଚ ଯେ ?

କବିତା ହାତ ଛିଞ୍ଚାଡ଼ି ଉଠିଗଲା ସେଠାରୁ । ଆଖି ଆଗରେ ସ୍ୱାମୀର ସୁନ୍ଦର ଏବଂ ମହାନ୍‌ ରୂପଟି ବିକୃତ ହୋଇ ଆସୁଥିଲା ।

ସରୋଜ କିନ୍ତୁ ଛାଡ଼ିବାର ପାତ୍ର ନୁହଁନ୍ତି । ସେ କଥା ଦେଇଛି ବିଭୁପଦକୁ ।

ସେ ପଛେ ପଛେ ଶୋଇବା ଘର ଭିତରକୁ ଯାଇ କହିଲେ, କାଲି ଏତେବେଳକୁ ବିଭୁପଦ ଆମକୁ ଅପେକ୍ଷା କରୁଥିବେ କଟକରେ । କିଛି କାମ ନଉଛି ହାତରେ । ଦୁଇତିନିଦିନର ରହଣି । ପ୍ରସ୍ତୁତ ହୁଅ ଆଜିରୁ ... ।

କବିତା ଘୃଣାରେ ମୁହଁ ଉଠେଇ ପାରିଲା ନାହିଁ ।

ସରୋଜ କହିଲେ, ଏଥିରେ କିଛି ଯାଏ ଆସେନି । ତା’ ସହିତ ଦୁଇରାତି ରହିଗଲେ ତୁମେ ଅଛୁଆଁ ହୋଇଯିବନି । ମୁର୍ଖାମି କରି ଏ ସୁଯୋଗ ଛାଡ଼ିଦେଲେ ଆମର ଏଠାରେ ରହିବା ଯେପରି ଅନିଶ୍ଚିତ ଫଏସଲା ନ ହୋଇ ପଡ଼ିରହିଥିବା ଭିଜିଲାନ୍‌ସ କେଶ୍‌ଟା ବି ପ୍ରମାଣ ହୋଇଯିବା ସୁନିଶ୍ଚିତ । ପିଲାଙ୍କପରି ହୁଅନି । ସବୁକଥା ବୁଝିଶୁଝି କର । ଏଠାରେ ରହିବାଦ୍ୱାରା ଯାହାଲାଭ ହେଉଛି ତାହା ମୁଁ ଜାଣେ, ତୁମେ ବି ଜାଣ ।

କବିତା ଆଉ ଚୁପ୍‌ହୋଇ ବସି ନ ପାରି ଝଙ୍କାର ତୋଳି କହିଲା, ସେଇ ସ୍କୁଲ ମାଷ୍ଟ୍ରାଣୀକୁ ନେଇଯାଅ ଯେ ଦୁହେଁ ପାଳିକରି ଶୋଇବ ତା’ ସାଙ୍ଗରେ । ଲାଜ ଲାଗୁନି ଏକଥା କହିବାକୁ ?

ତଥାପି ଦବି ନ ଯାଇ କହିଲେ ସରୋଜ, ଯାହାପାଇଁ ଯିଏ ନା... ସୁନନ୍ଦା ଗଲେ ତାର କାମ ହେବ ...ଆମର କାମ ହବନାଇଁ ।

ନ ହେଉ । ପରପୁରୁଷ ସାଙ୍ଗରେ ଶୋଇବାକୁ କହିବା ପୂର୍ବରୁ ତୁମେ ମୋତେ ବିଷଟିକେ ଦେଇ ପାରିଥାଆନ୍ତ... କାନ୍ଦିବା ପରି କହିଲା କବିତା ।

ବିଷ ନୁହେଁ ତୁମ ହାତକୁ ଅମୃତ ଟେକି ଦଉଚି... ସଭ୍ୟତା ବଦଳି ଗଲାଣି... ମଣିଷ ଅନେକଦୂର ଆଗେଇ ଆସିଲାଣି । ଦେହଟାକୁ ଛୁଇଁଦେଲେ ମାରା ହୋଇଯାଏ ନାହିଁ । ଦୁଇାରାତି ଅନ୍ୟ କାହା ସହିତ ଶୋଇ ଆସିଲେ ତୁମେ ଅଶୁଦ୍ଧ ହୋଇଯିବ ନାହିଁ । ଲାଭ କ୍ଷତିର ବିଚାର କରି ବହୁ ଭାବିଚିନ୍ତି ଏ ସବୁ କହୁଚି ।

କବିତା କହିଲା, ତୁମେ ପୁରୁଷ ନା ନପୁଂସକ... ନିଜ ସ୍ତ୍ରୀକୁ ଯିଏ ରକ୍ଷା କରି ନ ପାରେ, ତାକୁ କିପରି ସମ୍ବର୍ଦ୍ଧନା ଦିଆଯାଏ ମୋତେ ଜଣାନାହିଁ, ନୋହିଲେ ଏତେବେଳକୁ ସେତକ ସାରିଥାଆନ୍ତି ଯେ... । ଛି, ଛି. ... । ଜିଭ ଲେଉଟେଇ ନିଜ ମୁହଁରେ ଏତକ କହିପାରିଲ ?

 

ସରୋଜ କହିଲେ, ବିଭୁପଦ ତୁମର ବନ୍ଧୁ, ପୂର୍ବ ପରିଚିତ । ହସି ହସି ତା’ ସହିତ କଥା ହୋଇପାର ରସିବା ପାଇଁ, ଟିକେ ଶୋଇପାରିବ ନାହିଁ .... ହୋଟେଲ ‘ଅଭୟ’ରେ ସବୁ ବ୍ୟବସ୍ଥା ହୋଇଚି । ମନା କରନାହିଁ ... ।

 

ମୁଁ ତୁମର ସ୍ତ୍ରୀ ନା ଟଏଲେଟ୍‌ ଯେ ଟଏଲେଟ୍‌ଟାକୁ ବ୍ୟବହାର କରି ଫ୍ଲାଶିଙ୍ଗ କଲେ ସବୁ ପୁଣି ପରିଷ୍କାର ହୋଇଯାଏ... କିନ୍ତୁ ସ୍ତ୍ରୀଲୋକର ଇଜ୍ଜତ ଗଲେ ଆଉ ପୂର୍ବ ଶୁଦ୍ଧତା ଫେରିଆସେ ନାହିଁ... ।

 

ସରୋଜ କହିଲେ, ସମୟ ଅଛି ଆଲୋଚନା କରିବା ଲାଗି । ରାତିଟା ତ ପଡ଼ିଛି... । ମୋର ଧ୍ରୁବ ବିଶ୍ୱାସ ଯେ ତୁମକୁ ମୁଁ ବୁଝେଇ ଦେଇପାରିବି ।

 

ଏପରି ପୁରୁଷ ସହିତ ଆଉ ତର୍କ କରିବାର କୌଣସି ଯଥାର୍ଥତା ନ ଦେଖି ନୀରବ ରହିଲା କବିତା । ତା’ର ସର୍ବାଙ୍ଗରେ ଉହ୍ଲେଇ ଆସୁଥିଲା ଏକ ଅସ୍ୱାଭାବିକ ଅବସାଦ । ସେ ତକିଆ ଉପରେ ମୁହଁଜାକି ଶୋଇପଡ଼ିଲା ।

 

ସରୋଜ ସେହି ପ୍ରସଙ୍ଗ ଛାଡ଼ି ଅନ୍ୟକଥା କହିଲେ । କାମ ବଢ଼ୁଚି ଦିନକୁ ଦିନ । ନୂଆକାମ ମଞ୍ଜୁର ହୋଇଚି । ବଡ଼ ବଡ଼ ଅଫିସରମାନଙ୍କର ଗସ୍ତ ବି ବଢ଼ୁଚି । ବିଶ୍ରାମ ମିଳୁନି ଆଉ-

 

କବିତା କିଛି ପ୍ରତିକ୍ରିୟା ପ୍ରକାଶ କଲା ନାହିଁ ।

 

ପୃଥିବୀ ଛୋଟହୋଇ ଆସିବାବେଳେ ସରୋଜଙ୍କର ପ୍ରସାର ବଢ଼ିବାରେ ଲାଗିଚି । ସେ ଇଞ୍ଜିନିଅର ହବାପାଇଁ ଚାହୁଁ ନ ଥିଲେ । ଓକିଲାତି ଆରମ୍ଭ କରି ରାଜନୀତି କରିବା ସକାଶେ ଇଚ୍ଛା ଥିଲା । କିନ୍ତୁ ବାପା କରେଇ ଦେଲେ ନାହିଁ । ଓଭରସିଅର ଥିଲେ ନରେନ୍ଦ୍ର କାନୁନ୍‌ଗୋ । ସେ ଜାଣନ୍ତି କେଉଁଠାରେ ପାଣି କୁଆଡ଼େ ଯାଏ । ସେ ବାଧ୍ୟକରି ପୁଅକୁ ଇଞ୍ଜିନିଅର କରିଦେଲେ ସିଭିଲ ଇଞ୍ଜିନିଅରିଂ ଚାକିରିଟା ଉପଲକ୍ଷ୍ୟ ମାତ୍ର । ସରକାରୀ କୋଠାବାଡ଼ିର ସଂଖ୍ୟା, ସଡ଼କର ଲମ୍ବ ଯେତିକି ବଢ଼େ, ଇଞ୍ଜିନିଅରଙ୍କର ପ୍ରସାର ସେତିକି ହୁଏ । ବାପା ତାଙ୍କୁ ପର୍ସେଣ୍ଟଜ୍‌ ଆଦାୟ କରିବାର ଇମିତି ସୁଚତୁର କୌଶଳଟି ଶିଖେଇ ଦେଇଥିଲେ ଯେ ତାହା ସମ୍ପୂର୍ଣ୍ଣରୂପେ କାର୍ଯ୍ୟରେ ପ୍ରୟୋଗ କରୁଥିଲେ ସରୋଜ । ଫିଆଟ୍‌ ଗାଡ଼ି ସାଙ୍ଗମାନେ କିଣି ସାରିଲେଣି । ସରୋଜ ବାବୁଙ୍କର କିନ୍ତୁ ଭିନ୍ନ ପ୍ରକାର ଷ୍ଟାଟେଜି । ଭିଜିଲାନ୍‌ସ କେସ୍‌ଟା ଫଏସଲା ନ ହବା ପର୍ଯ୍ୟନ୍ତ ଗାଡ଼ି କିଣା, ରାଜଧାନୀରେ ଘର ତିଆରି କରା ମଧ୍ୟ ସ୍ଥଗିତ ରହିଛି । ମନ୍ତ୍ରୀଙ୍କ ସ୍ତ୍ରୀଙ୍କ ନାମରେ ଗୋଟେ ସିଲ୍‌ଡ଼୍ ଦେଇ ଗତବର୍ଷ ଫୁଟ୍‌ବଲ ମ୍ୟାଚ କରିଥିଲା ବୋଲି ଏଯାଏ ଭିଜିଲାନ୍‌ସ ବାଲା ଚୁଟିଧରି ପାରିନାହାନ୍ତି, ଶବକୁ ଶାଗୁଣା ଘେରିବା ପରି ଖାଲି ଗତିବିଧି ଲକ୍ଷ୍ୟ କରୁଛନ୍ତି, ଆୟ ବ୍ୟୟର ହିସାବ ସଂଗ୍ରହ କରୁଛନ୍ତି । ଯାହାଇଚ୍ଛା କରନ୍ତୁ ସେମାନେ, ଶ୍ୱଶୁର ଠିକ୍‌ ଜାଗାରେ ଥିବାଯାଏ ଢୋଲ ଭିତରେ ମୂଷାର କୌଶଳ ଅବଲମ୍ବନ କରିବାକୁ ଅସୁବିଧା ହେବ ନାହିଁ ।

 

ସରୋଜ ବାବୁଙ୍କର ବିଭୁପଦ ସହିତ ବନ୍ଧୁତ୍ୱ ଲଟାରୀ ଟିକଟ ଜିତିବା ପରି । ସମ୍ଭାବନା ଖାଲି ବୁଦ୍ଧି ପାଇନି ଉଜ୍ଜ୍ୱଳ ହୋଇଚି ମଧ୍ୟ ।

 

କବିତା ଶୋଇ ଶୋଇ କାନ୍ଦୁଥିଲା ବୋଧହୁଏ ।

 

ତା ପାଖରେ ବସିପଡ଼ି ପିଠି ଆଉଁସି କହିଲେ ସରୋଜ, ତୁମେ କଥାଟାକୁ ଇମିତି ସରି୍ଅସଲି ନବ ଜାଣିଥିଲେ କିଛି କହି ନ ଥାନ୍ତି । ମୋ ଭଲ ପାଇଁ ତ କରୁନାହିଁ, ଯାହାକଲେ ଉଭୟଙ୍କର ଭଲହବ ସେୟା କରୁଛି । ମୋର ସୁନାମ, ପ୍ରତିପତ୍ତି ବଢ଼ୁଛି ବୋଲି ଅନ୍ୟମାନେ ସହ୍ୟ କରିପାରୁ ନାହାନ୍ତି । ବଡ଼ ହେଲେ ଶତ୍ରୁଙ୍କ ସଂଖ୍ୟା ବି ବଢ଼େ । ମୋ ବିରୁଦ୍ଧରେ ଦିନରାତି ଲାଗିଚନ୍ତି ଶଳେ । ବିଭୁପଦର ସମ୍ପର୍କ ଅଛି ଉପର ମହଲ ସହିତ । ତାର ଉପରକୁ ଉଠିବାର ଯୋଗ୍ୟତା ବି ଅଛି । ତାକୁ ହାତ କରିଥିଲେ କାମରେ ଲାଗିବ । ତାହାରି ପାଇଁ ତ ବଦଳି ବନ୍ଦ ହେଲା । ତାହାରି କୃପା ଦୃଷ୍ଟିରୁ ତୁମର ବହି ପ୍ରକାଶିତ ହବ । ଅଥଚ ସେଇ ନିଜର ଲୋକଟିକୁ ତୁମେ ପର କରି ଦଉଛ । ସେ ଖାଲି ମୋର ବନ୍ଧୁ ନୁହେଁ ତୁମର ମଧ୍ୟ ।

 

କବିତା କିଛି କହିଲା ନାହିଁ । ଚାକିରି ଓ ଟଙ୍କା ଲୋଭରେ ନିଜ ସ୍ତ୍ରୀକୁ ଅନ୍ୟହାତକୁ ଟେକିଦବା ପାଇଁ ପ୍ରସ୍ତୁତ ଥିବା ଲୋକକୁ ସେ ଆଉ କଅଣ କହିବ । ପୃଥିବୀକୁ ଯେତିକି ଦେଖୁଛି ସେତିକି ବିସ୍ମୟ ବଢ଼ୁଛି କବିତାର । ସେ ଲୋକଚରିତ୍ର ସମ୍ପର୍କରେ ଯେ ସମ୍ପୂର୍ଣ୍ଣ ଅନଭିଜ୍ଞା ଏଇ ସତ୍ୟଟି ବାରମ୍ବାର ମନେପଡ଼ିଲା ତାର ।

 

କ୍ଷମତା ଏବଂ ସମ୍ପଦ ଉଭୟ ଗୋଟିଏ ମୁଦ୍ରାର ଦୁଇପାଖ । ଗୋଟିଏ ଅନ୍ୟ ଗୋଟିକୁ ଆକର୍ଷଣ କରେ । ଆଉ ମାଧ୍ୟାକର୍ଷଣ ଶକ୍ତି ଫଳକୁ ଭୂପତିତ କରିବା ପରି କ୍ଷମତା ପ୍ରୟୋଗ ନ କରି କରିବାର ଛଳନା କଲେ ବି ସମ୍ପଦ ଟାଣିହୋଇ ଆସେ । ଏହାର ବିପରୀତଟି ବି ସେହିପରି ସତ୍ୟ ।

 

ସରୋଜ କହିଲେ, ମୁଁ ଆପତ୍ତି କରିବା ଲୋକ । ମୁଁ ଅନୁମତି ଦଉଛି । ବାଧା ନାହିଁକି ବନ୍ଧନ ନାହିଁ । ତୁମେ ଯେପରି ଅଛ ସେପରି ରହିବ, ତୁମେ ଓ ମୋ ଭିତରେ ଯେଉଁ ସମ୍ପର୍କଟି ସମୟର ସବୁ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇସାରିଛି ତାହା ଆଦୌ କ୍ଷୁର୍ଣ୍ଣ ହେବନାହିଁ । ମୁଁ କଥା ଦେଇଛି କବିତା, ତୁମେ ରାଜି ନ ହେଲେ ସମୁଦ୍ରରେ ବୁଡ଼ି ମରିବାହିଁ ସାରହେବ ।

 

ଏପରି ଲୋକକୁ ଆଉ କଅଣ କହିବ କବିତା ? ସେ କିଛି କହିଲା ନାହିଁ, କେବଳ ମୁହଁ ଫେରାଇ ସ୍ୱାମୀର ମୁହଁକୁ ଦେଖିନେଲା ପଲକରେ । ସେଇ ପଲକରେ ଆଖି ଆଗରେ ବିଜୁଳି ଓ ବଜ୍ର ଚମକିଲା ଯେପରି । ସରୋଜ ବି ଚମକିପଡ଼ି କହିଲେ ଖନେଇ ଖନେଇ, ତୁମେ ରାଗୁଛ ?

 

କବିତା କହିଲା, ନା, ରାଗୁନାହିଁ, ଦୟା କରୁଛି । ମୋର ଦୁର୍ଭାଗ୍ୟ ଯେ ମୁଁ ତୁମପରି ଜଣେ ନିଷ୍ଠୁର କାପୁରୁଷର ସ୍ତ୍ରୀ । ତୁମର ହୃଦୟ ନାହିଁ । ଅର୍ଥପାଇଁ ଆବଶ୍ୟକ ହେଲେ ତୁମେ ମୋତେ ହତ୍ୟା ମଧ୍ୟ କରିପାର ।

 

ସରୋଜ ଭଙ୍ଗା ସ୍ୱରରେ କହିଲେ, ମୋତେ ଏତେ ନୀଚ ମନେକର କବିତା ।

 

ମୋ ହୃଦୟର ଯେଉଁ ଉଚ୍ଚ ସ୍ଥାନଟି ଅଧିକାର କର ତୁମେ ସମ୍ରାଟ ପରି ବସିଥିଲ ଏଯାଏ ସେଠାରୁ ତୁମେ ଖସିପଡ଼ିଛ ଅନେକ ତଳେ । ଭୁଇଁ ଉପରେ ନୁହେଁ, ପାତାଳରେ ମଧ୍ୟ ନୁହେଁ, ନର୍କରେ.... ।

 

ସରୋଜ ଚିତ୍କାର କରି ଉଠିଲେ ।

 

ମୁଁ ତୁମର କୌଣସି କଥା ଶୁଣିବାକୁ ଚାହେଁନି । କୌଣସି ପ୍ରତିବାଦ ମଧ୍ୟ ନିଷ୍ପ୍ରୟୋଜନ । ତୁମକୁ ମୋ କଥା ମାନିବାକୁ ହେବ ।

 

କବିତା ଆହୁରି ଜୋରରେ ଚିତ୍‌କାର କଲା, ମୁଁ ମାନିବି ନାହିଁ, ମାନିବି ନାହିଁ, ମାନିବି ନାହିଁ । ମୋତେ ହତ୍ୟାକରି ମୋ ଶବଟାକୁ ବିଭୁପଦକୁ ଦେଇ ପାର ଭୋଗ କରିବା ପାଇଁ... ।

 

ସରୋଜ ହଠାତ୍‌ ହିତାହିତ ଭୁଲିଯାଇ କବିତାକୁ ନିର୍ମମ ଭାବରେ ଆଘାତ କରିବାକୁ ଲାଗିଲେ ।

 

କବିତା ବାଧାଦେଲା ନାହିଁ, ବରଂ ଭାବିଲା ଯେ ଏଇ ଭଲ, ଏହାହିଁ ନିଷ୍କୃତିର ଉତ୍ତମ ପଥ ।

 

ଗାଆଁ ସମ୍ପଦଶାଳୀଙ୍କ ପାଇଁ ନିରାପଦ ସ୍ଥାନ ନୁହେଁ । ଗାଆଁର ଲୋକଙ୍କୁ ଶୋଷଣ କରି ଗାଆଁରେ ସମ୍ପତ୍ତି ଠୁଳ କଲେ ଆଖିରେ ପଡ଼ିବ ସମସ୍ତଙ୍କର । କ୍ଷୁଦ୍ରମନା, ନୀଚମନା ଲୋକଙ୍କର ତ ଅଭାବ ନାହିଁ ଗାଆଁରେ । ଦେଖି ସହିପାରନ୍ତି ନାହିଁ । ସାମ୍ନାରେ ସିନା ସେମାନଙ୍କର କହିବାର ସାହସ ନାହିଁ; କିନ୍ତୁ ପଛରେ କୁହନ୍ତି, ପେଡ଼ି ଭିତରେ ପଶି ମୂଷା କାଟିବା ପରି ଅନ୍ତରାଳରେ ରହି ଗୋଛି କାଟନ୍ତି । ପ୍ରଭୁପଦ ଜୀବନସାରା ଏଇ ଗାଆଁ ଲୋକଙ୍କ ପାଇଁ ଖଟି ଖଟି ପାଇଲେ କଅଣ ? ତାଙ୍କୁ କିଏ ପଚାରୁଛି ଆଜି । ତାଙ୍କ ପୁଅ ବିଭୁପଦକୁ ବାଟ ଛାଡ଼ିଦେବାଲାଗି ବରଂ କମର ଆଣ୍ଟିଛନ୍ତି କେତେକ । ସେ ଦେଖିନେବେ ସେମାନଙ୍କୁ । ଭୀମର ବଳ କୁଇନ୍ତା ଜାଣେ । ତାଙ୍କ ହାତର ଗାର ପରି ଏଇ ଅଞ୍ଚଳରେ ଲୋକମାନଙ୍କର ହିସାବ ରଖନ୍ତି ସେ । କୁଆଡ଼ର ପାଣି କୁଆଡ଼େ ଯାଉଛି ଦେଖିବା ଲାଗି ଏତେଦିନ ଯାଏ ଚୁପ୍ ହୋଇ ବସିଥିଲେ । ପାଣି କିନ୍ତୁ ନିମ୍ନସ୍ଥାନକୁ ନ ଯାଇ ସ୍ୱଧର୍ମ ବିରୁଦ୍ଧରେ ଊର୍ଦ୍ଧ୍ୱଗତି କରୁଛି । ବନ୍ଧ ବାନ୍ଧି ମହାନଦୀର ପାଣି ଅଟକାଇ ଦିଆଯାଇଛି ହୀରାକୁଦରେ । ଦେବୀ ନଦୀର ପାଣି ସୁଅକୁ ଅଟକାଇ ଦବାପାଇଁ ସେ ବି ମସୁଧା କରିଥିଲେ, ଆସେମ୍ଳିରେ ପ୍ରସ୍ତାବ ଦେଇଥିଲେ । ହେଲା ନାହିଁ । ଯିଏ ଯାହାରା ସ୍ୱାର୍ଥ ନେଇ ବ୍ୟସ୍ତ । ସେ ଆଉ ଆଖି ବୁଜି ବସିବେ ନାହିଁ । ବୟସ ବଢ଼ିଯାଉଛି । ବିଭୁପଦ ଏଣେ ଏଯାଏ କିଛି ଗୋଟେ ହେଲା ନାହିଁ । ସିଏ ଗାଆଁର ଘରଖଣ୍ଡକ ଆଗରେ ପକ୍‌କା କୋଠାଟିଏ ତୋଳିଥିଲେ, ଜମି ଦଶ ଏକର କିଣିଥିଲେ, ପୁଅଝିଅକୁ ମଣିଷ କରିଥିଲେ । ବ୍ୟାଙ୍କରେ ଯାହା ଅଛି, ତାହା ସୁଧରୁ ଘରଖର୍ଚ୍ଚ ଚଳିଯାଏ; କିନ୍ତୁ ସଂସାର ଖର୍ଚ୍ଚ ବଢ଼ିବାରେ ଲାଗିଚି, ରୋଜଗାର ବଢ଼ୁନାହିଁ । ବିଭୁପଦକୁ ଉପରକୁ ଉଠେଇ ନ ଦେଲେ ପିଲାଟା ସମ୍ଭାଳି ପାରିବ ନାହିଁ । ଆଗକୁ ଯିବାଲାଗି ପଛରୁ ଠେଲିବା ଦରାକାର ହୁଏ । ସେ ତ ଅଛନ୍ତି ଏଯାଏ । ଚିହ୍ନା ପରିଚୟ ଅଛି । ଆଉଥରେ ଖେଳିବେ । ରାଜନୀତି କିପରି କରିବାକୁ ହୁଏ ଏଇ ପରିଣତ ବୟସରେ ବି ଦେଖେଇ ଦେବେ ।

 

ହରିପଦ ଅବଶର ନବାକୁ ଚାହିଁଥିଲେ; କିନ୍ତୁ ସେହିକଥା ଆଉ ଭାବୁ ନାହାନ୍ତି ସେ । ସ୍ୱାଧୀନତା ସଂଗ୍ରାମରେ ସେ ଝାସ ଦବାବେଳେ ତିରିଶ ବର୍ଷପରେ ତାର ପୁରସ୍କାରସ୍ୱରୂପ ତାମ୍ରପତ୍ର ବା ପେନ୍‌ସନ୍‌ ପାଇବେ ବୋଲି ଜାଣି ନ ଥିଲେ । ମନ୍ତ୍ରୀ ନ ହେଲେ ନାହିଁ ଜାତି ତାକୁ ଭୁଲି ଯାଇ ନାହିଁ । ତାହାରି ସ୍ୱୀକୃତିର ଫଳ ଏସବୁ । ଏବେ ପୁଣି ତାଙ୍କୁ ଆଉଥରେ ବୀର ବିକ୍ରମରେ ବାହାରିବାକୁ ହେବ । ଆଉ ଦୁଇଟା ବର୍ଷ ପରେ ନିର୍ବାଚନ । କ୍ଷେତ୍ର ପ୍ରସ୍ତୁତ ନ କଲେ ଅନ୍ୟଦଳ ଆଗେଇ ଯିବେ । ଗୋଟିଏ ଦଳରେ ଅଛନ୍ତି ସେ । କିନ୍ତୁ ସେଇ ଦଳ ଯଦି କ୍ଷମତାକୁ ନ ଆସେ ସେ କି ବିଭୁପଦ ସେହି ଦଳରେ ରହିବେ କାହିଁକି । ଲୋକଙ୍କର କଲ୍ୟାଣ ଯେଉଁଥିରେ ହବ ସେୟା କରିବେ ସେ । ଦଳ ବଦଳ ତ ରାଜନୀତିର ଅଙ୍ଗ ହୋଇଗଲାଣି । ପରିସ୍ଥିତିକୁ ଚାହିଁ ଆଦର୍ଶ ବଦଳିଲେ ମହାଭାରତ ଅଶୁଦ୍ଧ ହୋଇଯିବ ନାହିଁ । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଅକାରଣରେ ଦଳେ ଲୋକ ହୁରି ଛାଡ଼ିଚନ୍ତି । କୋଉ ଦେଶ ଏଥିରୁ ମୁକ୍ତ ? ପ୍ରାଚୀନ ଭାରତରେ ଦୁର୍ନୀତି ନ ଥିଲା ? ଭ୍ରଷ୍ଟାଚାର ନ ଥିଲା ? ଏଇନେ ତାହେଲେ ପୃଥିବୀ ପ୍ରଳୟ ହବ କାହିଁକି ? ସେ ନେଇ ନ ଥିଲେ ଅନ୍ୟ କେହି ନେଇଥାଆନ୍ତା । ଧନଜନ ଗୋପଲକ୍ଷ୍ମୀଙ୍କୁ ହତାଦାର କରି କିଏ ବଡ଼ ହୋଇଛି ? ବିଭୁପଦ ଠିକଣା ବାଟ ଧରିଛି । ଦୀପତଳ ଅନ୍ଧାର କରି ନିଜେ ଭୋଗିବ କାହିଁକି ।

 

ହରିପଦ ଚାଲ୍‌ ଖେଳିଲେ ।

 

ହାଟ ଦିନ ସାଧାରଣ ସଭାଟିଏ କରିବାଲାଗି ସ୍ଥିରକଲେ । ସେଇଠାରୁ ପୁଣି ଆରମ୍ଭ କରିବେ ।

 

ପୁରାତନ କର୍ମୀମାନେ ମରିହଜି ଗଲେଣି । ଏବେ ତ ନୂଆ ଲୋକଙ୍କର ସାମ୍ରାଜ୍ୟ । କେତେଜଣ ଅଦ୍ୟାପି ଅଛନ୍ତି ଜୀବନରେ । ସେମାନଙ୍କୁ ଲୋକମାନେ ସ୍ନେହ ଶ୍ରଦ୍ଧା କରନ୍ତି । ସେଇମାନଙ୍କୁ କାର୍ଯ୍ୟରେ ଲଗାଇବାକୁ ହେବ । ବିଭୁପଦର ଯୁବଦଳ ଅଛନ୍ତି । ତାଙ୍କ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାନର ଦଳଗଢ଼ି ଦେଶ କାମ କରୁଥିଲେ । ଏବେ ପିଲଙ୍କୁ କାମରେ ଲଗାଯାଉ ନାହିଁ । ସେମାନଙ୍କୁ ହାତ କରିବା ସହଜ । ସେମାନଙ୍କ ସଂଖ୍ୟା ବି ବେଶୀ । ବିଭୁପଦର ପ୍ରଚାରକାର୍ଯ୍ୟ ସେଇମାନେ କରିବେ ।

 

ହରିପଦ ଗୋଟିଏ ବନ୍ଧୁମିଳନର ଆୟୋଜନ କଲେ । ପୁଣି ପରିଚୟ ଓ ବନ୍ଧୁତ୍ୱ କରିବାକୁ ହେବ । ନିର୍ବାଚନମଣ୍ଡଳୀର ଶହେ ଜଣାଶୁଣା ଭଦ୍ରବ୍ୟକ୍ତି ଏବଂ ଯୁବକର୍ମୀଙ୍କୁ ନିମନ୍ତ୍ରଣ କଲେ ବନ୍ଧୁମିଳନକୁ । ରାଜନୀତି ଖାଲି ହାତରେ ହୁଏନାହିଁ । ସେଇ ଯୁଗ ଗାନ୍ଧିବୁଢ଼ା ସହିତ ଅତୀତ ହୋଇଯାଇଛି ଆଉ ଫେରିବ ନାହିଁ । ବର୍ତ୍ତମାନ ଅର୍ଥଦ୍ୱାରା ପରିଚାଳିତ ରାଜନୀତି । ରାଜନୀତିରେ ପଶିଲେ ନିଜ ପାଣ୍ଠିରୁ କିଛି ମୂଳଧନ ଭାବରେ ବ୍ୟୟ କରିବାକୁ ହୁଏ । ଆଜି ଯାହା ବ୍ୟୟ କରିବେ ତାହା ଅପବ୍ୟୟ ନୁହେଁ ଇନ୍‌ଭେଷ୍ଟମେଣ୍ଟ । ସୁଧମୂଳ ହୋଇ ହଜାରେ ଗୁଣ ଫେରିଆସିବ ପରେ ।

 

ହରିପଦଙ୍କର ନିମନ୍ତ୍ରଣ ପାଇ ଲୋକେ ଧନ୍ୟ ଧନ୍ୟ କଲେ । ସେ ଯେ ଛୋଟ ବଡ଼ କାହାକୁ ଭୁଲିନାହାନ୍ତି ଏଥିପାଇଁ ଅନେକ ବଧେଇ ଜଣେଇଲେ ତାଙ୍କୁ । କେତେକଙ୍କର ପରାମର୍ଶ ଗ୍ରହଣ କରି ହରିପଦ ହରିଜନ କଲ୍ୟାଣ ସଙ୍ଘକୁ ଏକଶତ ଏକ ଟଙ୍କା ନଗଦ ଦାନକଲେ ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାର ସମସ୍ତ ଖର୍ଚ୍ଚ ବହନ କଲେ । ସେ ନିଜେ ରକ୍ତଦାନ କଲେ ପ୍ରଥମ । ସେଇ ଫଟୋ ଦୈନିକ ସମ୍ବାଦପତ୍ରରେ ଛାପା ହେଲା । ପୁଣି ହରିପଦଙ୍କର ଜନସେବା ଆରମ୍ଭ ହେଲା ଏବଂ ସେ ସଗର୍ବରେ ଘୋଷଣା କଲେ ଯେ କ୍ଷମତାପ୍ରାପ୍ତି ତାଙ୍କର ଲକ୍ଷ୍ୟ ନୁହେଁ, ଜନସାଧାରଣଙ୍କର ସେବା କରିବାହିଁ ପରମଧର୍ମ । କ୍ଷମତା ରାଜନୀତି ସହିତ ସେ ଶେଷ ଜୀବନରେ ଆଉ ଜଡ଼ିତ ହେବେ ନାହିଁ । ସେହି କ୍ଷେତ୍ର ଯୁବକମାନଙ୍କର । ଶେଷନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ କେବଳ ଦେଶ ପାଇଁ କାମ କରିଯିବେ । ଲାଭକ୍ଷତିର ହିସାବ ନୁହେଁ ତାଙ୍କଦ୍ୱାରା ଯଦି ଲୋକମାନେ ଉପକୃତ ହୁଅନ୍ତି ତାହାହିଁ ହବ ତାଙ୍କର ପରମ ଓ ଚରମ ସନ୍ତୋଷ ।

 

ଦୁର୍ବଳ ଶ୍ରେଣୀର ଲୋକେ ସବଳମାନଙ୍କର ଅତ୍ୟାଚାରରେ ଉତ୍ପୀଡ଼ିତ । ସେମାନଙ୍କୁ ଆଶ୍ୱାସନା ବାଣୀ ଶୁଣେଇଲେ ହରିପଦ । ଗାନ୍ଧି ସିନା ଆଉ ନାହାନ୍ତି; କିନ୍ତୁ ତାଙ୍କ ଶିଷ୍ୟମାନେ ଏବେ ବି ଅଛନ୍ତି । ଗାନ୍ଧି ମହାତ୍ମା, ଗୋପବନ୍ଧୁଙ୍କର ପଦାଙ୍କ ଅନୁସରଣ କରି ନିଜକାମ କରିଯିବେ ସେ । ପଦପଦବୀର ମୋହ ନୁହେଁ ଜନସେବାହିଁ ଜୀବନର ବ୍ରତ ।

 

ହରିପଦଙ୍କର ଆଦର୍ଶ ଓ ତ୍ୟାଗ ସମ୍ପର୍କରେ ଜଣେ ଗୁଣଗ୍ରାହୀଙ୍କଦ୍ୱାରା ବହୁବର୍ଷ ପୂର୍ବେ ରଚିତ ଏକ ଛୋଟ ପାଣ୍ଡୁଲିପି କୌଣସି ଏକ ଅଜ୍ଞାତ ସୁତ୍ରର ବଦାନ୍ୟତା ଫଳରେ ପୁସ୍ତକ ଆକାରରେ ପ୍ରକାଶିତ ହୋଇ ପ୍ରଚାରିତ ହେଲା । ହରିପଦ ଆଉ ବ୍ୟକ୍ତିବିଶେଷ ନୁହଁନ୍ତି, ଗୋଟିଏ ଅନୁଷ୍ଠାନରେ ପରିଣତ ହୋଇଗଲେ । ତାଙ୍କ ନାମରେ କନ୍ଦରପୁର ମାଛହାଟଠାରୁ କେନାଲ କୁଳ ପର୍ଯ୍ୟନ୍ତ ରାସ୍ତାକୁ ‘ହରିପଦ ମାର୍ଗ’ ନାମରେ ନାମିତ କରାଗଲା ।

‘ବନ୍ଧୁ ମିଳନ’ର ସଫଳତାପରେ ପରେ ହାଟଦିନ ‘ସଧାରଣ ସଭା’ ଅନୁଷ୍ଠିତ ହେଲା । ଶୋଭାଯାତ୍ରା ଶିବମନ୍ଦିରଠାରୁ ବାହାରି କନ୍ଦରପୁର ହାଟରେ ଶେଷ ହେଲା । ଶୋଭାଯାତ୍ରାର ଅଗ୍ରଭାଗରେ ଥିଲେ ହରିପଦ ଏବଂ ସ୍ୱେଚ୍ଛାସେବକ ଦଳ । ତାଙ୍କ ପାଖେ ପାଖେ ଥିଲା ପାଞ୍ଚଟି ଗ୍ରାମରୁ ଆସିଥିବା କୀର୍ତ୍ତନ ଦଳ । ପଛରେ ଚାଲିଥିଲେ ସାଧାରଣ ଲୋକ । ହାଟ ଜମୁଥିବା ସମୟରେ ସଭା ହେଲା । ହାଟଲୋକେ ସେଥିରେ ସାମିଲ ହେଲ ସ୍ୱେଚ୍ଛାକୃତ ଭାବରେ । ସଭାରେ ହରିପଦଙ୍କୁ ଛାଡ଼ି ଆହୁରି ପାଞ୍ଚଜଣ ନାତିଦୀର୍ଘ ବକ୍ତୃତାଦ୍ୱାରା ପୁନର୍ବାର ଦେଶସେବାରେ ଦୀକ୍ଷିତ ହୋଇ ଜାତିର କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିବା ଲାଗି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଲେ । ସଭା ଶେଷହବା ପୂର୍ବରୁ ସ୍ଥାନୀୟ ଯୁବନେତା ହରେକୃଷ୍ଣ ମଳିକଙ୍କଦ୍ୱାରା ଆଗତ ପ୍ରସ୍ତାବ ବିପୁଳ କରତାଳି ଓ ଆନନ୍ଦ ଧ୍ୱନି ମଧ୍ୟରେ ଗୃହୀତ ହୋଇ ହରିପଦଙ୍କୁ ଦେଶବନ୍ଧୁ ଉପାଧିରେ ଭୂଷିତ କରାଗଲା । ସେ ଆଉ ହରିପଦ ଅଧିକାରୀ ହୋଇରହିଲେ ନାହିଁ, ତାଙ୍କ ନାମ ପୂର୍ବରୁ ଦେଶବନ୍ଧୁ ଉପାଧି ଯୋଡ଼ି ଦିଆଗଲା ଏବଂ ଆଗାମୀ ନଭେମ୍ବର ଏକ ତାରିଖ ଦିନ ତାଙ୍କର ଛଅଷଠିତମ ଜୟନ୍ତୀ ମହାସମାରୋହରେ ପାଳନ କରିବା ନିମନ୍ତେ ଘୋଷଣା କରାଗଲା ।

ଦେଶବନ୍ଧୁ ହରିପଦ ଅଧିକାରୀଙ୍କର ଆତ୍ମଜୀବନୀ ମଧ୍ୟ ପ୍ରକାଶିତ ହେଲା । ସ୍ୱାଧିନତା ସଂଗ୍ରାମର ଝାସ ଦେଇ ସେ କିପରି ଗାନ୍ଧି ଏବଂ ଗୋପବନ୍ଧୁଙ୍କ ପଦାଙ୍କ ଅନୁସରଣ କରି ବ୍ରିଟିଶ ସରକାରକୁ ଏ ଦେଶରୁ ତଡ଼ିବାଲାଗି ସର୍ବସ୍ୱ ତ୍ୟାଗ କରି ଅକଥନୀୟ ନିର୍ଯ୍ୟାତନା ଭୋଗ କରିଥିଲେ, ସେଇ ରୋମାଞ୍ଚକର ଇତିବୃତ୍ତି ସହିତ ସ୍ୱାଧୀନୋତ୍ତର ଯୁଗରେ କିପରି ନୀରବ କର୍ମୀଟିଏ ହୋଇ ଲୋପ ପାଇଯାଉଥିବା ଚିରନ୍ତନ ମୂଲ୍ୟବୋଧର ଅବକ୍ଷୟ ମାତ୍ର ଦେଖିବାକୁ ଏଯାଏ ବଞ୍ଚିରହିଛନ୍ତି ତାର ହୃଦୟସ୍ପର୍ଶୀ ବିବରଣୀ ସନ୍ନିବେଶିତ ହୋଇଥିଲା । ସେଇ ଆତ୍ମଜୀବନୀରେ । ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିବାର ପ୍ରମାଣପତ୍ରସ୍ୱରୂପ ଯେଉଁ ତାମ୍ରପତ୍ର ଦେଶବନ୍ଧୁ ହରିପଦ ସ୍ୱୟଂ ଜିଲ୍ଲାପାଳଙ୍କ ହାତରୁ କିଛିବର୍ଷପୂର୍ବେ ଗ୍ରହଣ କରିଥିଲେ ତାଙ୍କ ଘରର ବୈଠକଖାନାରେ ତାହା ଶୋଭା ପାଇବାକୁ ଲାଗିଲା । ପ୍ରତିଦିନ ସେଇ ତାମ୍ରପତ୍ର ଆଗରେ ଶିର ଅବନତ କରି କାର୍ଯ୍ୟ ଆରମ୍ଭ କରୁଥିଲା ବିଭୁପଦ । ଉପଯୁକ୍ତ ପିତାଙ୍କର ଯୋଗ୍ୟତମ ପୁତ୍ର ।

ହରିପଦଙ୍କର ନିନ୍ଦୁକ କେହି ଯେ ନ ଥିଲେ ଏମନ୍ତ ନୁହେଁ । ସେଇ ନିନ୍ଦୁକମାନଙ୍କ ମଧ୍ୟରେ ସର୍ବାର୍ଗେ ଗୌତମ ଜେନା ଏବଂ ନରୋତ୍ତମ ଅଛନ୍ତି ବୋଲି ହୃଦ୍‌ବୋଧ ହବାଦିନୁ ଚିନ୍ତିତ ହୋଇପଡ଼ିଥିଲେ ସେ । ନରୋତ୍ତମର ବିଶ୍ୱାସ ଯୋଗ୍ୟତା ଏଯାଏ ପ୍ରତିଷ୍ଠିତ ହୋଇନାହିଁ ଲୋକମାନଙ୍କ ମଧ୍ୟରେ; କିନ୍ତୁ ଗୌତମ ଜେନାଙ୍କର ଖ୍ୟାତି ଅଛି ଜଣେ ଖାଣ୍ଟି ଲୋକ ଭାବରେ । ପ୍ରାୟ ଦଶଖଣ୍ଡ ଗ୍ରାମରେ ତାଙ୍କ କଥା ଶୁଣିବା ପାଇଁ ଲୋକ ଅଛନ୍ତି । ସେଇ ଗୌତମ ଜେନାଙ୍କୁ ହାତ ନ କଲେ ବିଭୁପଦର ଆଗାମୀ ଦିନଗୁଡ଼ାକ ଯେ ନିଷ୍କଣ୍ଟକ ହୋଇପାରିବ ନାହିଁ ଏହା ଜାଣିଥିଲେ ସେ । ସେଥିପାଇଁ ଗୌତମ ଝିଅକୁ ବୋହୂ କରି ଆଣିଲେ ଗୋଟିଏ କାର୍ଯ୍ୟକରି ଦୁଇଟି ସଫଳତା ହାସଲ କରିପାରିବେ ବୋଲି ଭାବୁଥିଲେ ହରିପଦ । ଶକୁନ୍ତଳା ଉଚ୍ଚଶିକ୍ଷିତା ରୂପରେ ଅଦ୍ୱିତୀୟା ନ ହେଲେ ମଧ୍ୟ ସୁନ୍ଦରୀ ଏବଂ ଗୁଣବତୀ । ସେପରି ଝିଅଟିଏ ଖାଲି ଯେ ହାଣ୍ଡିଶାଳର ବୋହୂ ହୋଇ ରହିବ ନାହିଁ ଏବଂ ସ୍ୱାମୀର ଜନସେବା କାର୍ଯ୍ୟରେ ଏକ ବଡ଼ ସମର୍ଥକ ଶକ୍ତି ହୋଇପାରିବ ଏହା ବେଶ୍‌ ଅନୁଭବ କରୁଥିଲେ ସେ । ନାରୀଶକ୍ତି ଜାଗ୍ରତ ହେଉଛି । ସେମାନେ ଅଧିକକାଳ ଆଉ ପୁରୁଷମାନଙ୍କର ପୁଚ୍ଛ ହୋଇ ରହିବାକୁ ଚାହାନ୍ତି ନାହିଁ । ସେମାନଙ୍କର ସଂଖ୍ୟା ମଧ୍ୟ ପୁରୁଷମାନଙ୍କ ସହିତ ପ୍ରାୟ ସମାନ ଅବା କିଛି ଅଧିକ । ତେଣୁ ଜନସଂଖ୍ୟାର ଏଭଳି ଗୋଟିଏ ବଡ଼ ଅଂଶକୁ ହାତରେ ନ ରଖିବା ବୁଦ୍ଧିହୀନତାର କାର୍ଯ୍ୟ ହେବ । ଶକୁନ୍ତଳା ବି ଦିନେ ନିଜର ବିଦ୍ୟା ଏବଂ ଯୋଗତ୍ୟାଦ୍ୱାରା ଯେ ଆଉ ଗୋଟିଏ ନିକଟବର୍ତ୍ତୀ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ନ ହେବ ଏହା କିଏ କହିବ । ଭବିଷ୍ୟତର ଗର୍ଭରେ ଆଗାମୀର ସମ୍ଭାବନା ଜନ୍ମନିଏ । ଆଉ ବିଂଶ ଶତାବ୍ଦୀର ଶେଷଭାଗରେ ବ୍ରାହ୍ମଣ ଖଣ୍ଡାୟତ ଜାତିପ୍ରଥା ତାଙ୍କୁ ଭୟ ଦେଖେଇ ପାରିବ ନାହିଁ । ସେ ନିଜେ ଅସବର୍ଣ୍ଣ ବିବାହ କରିଥିଲେ ସ୍ୱାଧୀନତା ଆନ୍ଦୋଳନ ଚାଲିଥିବାବେଳେ ।

ଗୌତମ ଜେନାଙ୍କୁ ବିଭିନ୍ନ ସୂତ୍ରରେ ଖବର ଦେଇଛନ୍ତି ହରିପଦ; କିନ୍ତୁ କି ଆଶ୍ଚର୍ଯ୍ୟ, ଯେଉଁ ପ୍ରସ୍ତାବ ଶୁଣି କୌଣସି ଦ୍ୱିଧା ନ କରି ପାଚିଲା ଆମ୍ବପରି ଗୋଟେଇ ନିଅନ୍ତେ ସେପରି ପ୍ରସ୍ତାବ କାନରେ ବାରମ୍ବାର ଶୁଣି ମଧ୍ୟ କିଛି ନ ଶୁଣିବା ପରି ଚୁପ୍‌ ହୋଇ ବସିଛନ୍ତି । ଅଜବଲୋକ ଏଇ ଗୌତମ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ବୋକାମୀ ବି ବଢ଼ୁଚି ଯେପରି । କିନ୍ତୁ ସେ ପକ୍ଷ ନୀରବ ରହିଲେ ବି ଭବିଷ୍ୟତ କଥା ଭାବି ନୀରବରେ ହାତଗୋଡ଼ ଜାକି ବସିପାରୁ ନାହାନ୍ତି ହରିପଦ । କିଛି ଗୋଟେ କରିବାକୁ ହବ । ଆଜି ମଣିଷ ବୁଦ୍ଧି ବଳରେ ଚନ୍ଦ୍ରକୁ ଯାଇ ନିରାପଦରେ ଫେରିଆସି ପାରୁଛି; କିନ୍ତୁ ଏଇ ଗୌତମ ଜେନା ଅସାଧ୍ୟ ହୋଇ ରହିଯିବେ । ହରିପଦ ପୁଣି ଅଣ୍ଟାଭିଡ଼ି ବାହାରିଲେ ।

ହରିପଦ ଆଉ ଏକା ଯାଆନ୍ତି ନାହିଁ, କି ତାଙ୍କୁ ଆଉ ସାଇକେଲ ଠେଲିବାକୁ ହୁଏ ନାହିଁ । ଯୁଆଡ଼େ ଗଲେ ବି ପାଖରେ ଥାଆନ୍ତି ଦୁଇଚାରିଜଣ ଗୁଣମୁଗ୍‌ଧ ସମର୍ଥକ । ଏଇଟା ନେତାମାନଙ୍କର ଶୋଭା । ଏକା ଏକା ଯିବାବେଳେ ଷଣ୍ଢଗୋଟେ ମାଡ଼ି ଆସିପାରେ କି ପ୍ରତିପକ୍ଷର ଲୋକେ ଦାଉ ସାଧି ପାରନ୍ତି । ଅନ୍ୟକୁ ସୁଯୋଗ ନ ଦେଇ ନିଜେ ସବୁ ଗ୍ରହଣ କରିବେ ହରିପଦ । ସେଥିପାଇ ଲୁନାଖଣ୍ଡେ କିଣିଛନ୍ତି । ତାଙ୍କ ସାଙ୍ଗରେ ବୁଲିବାପାଇଁ ସାଇକେଲରେ ଆଉ ଦୁଇଚାରିଜଣ ବି ଯାଆନ୍ତି ।

ହରିପଦ ଲୁନା ଚଢ଼ି ବାହାରିଲେ । ତାଙ୍କ ସାଥି ହେଲେ ତିନିଜଣ । ହରେକୃଷ୍ଣ ମଳିକ, ଜୀବନ ଆଉ ଲୋକନାଥ ତିନିହେଁ ଯୁବକର୍ମୀ । ହରେକୃଷ୍ଣ ତ ନେତା ହୋଇଗଲେଣି । ଲୋକନାଥକୁ ଡଗ୍‌ୱେଲଟିଏ କରିବାପାଇଁ ବ୍ୟାଙ୍କରୁ ଯେଉଁ ଋଣ କରାଇ ଦେଇଥିଲେ ହରିପଦ ସେଇ ଟଙ୍କାରେ ଡଗ୍‌ୱେଲ ନ ଖୋଳି ସେ ବୁଲେଟ୍‌ ମୋଟର ସାଇକେଲଟିଏ କିଣିଥିଲା । ହରିପଦ ତାର ବୁଦ୍ଧିର ପ୍ରଶଂସା ବି କରିଥିଲେ । ବିଭୁର ସମର୍ଥକ ଲୋକନାଥ ତାହାରି ମୋଟର ସାଇକେଲରେ ବସି ବିଭୁ ବି ବୁଲିବ; ଆଉ ନିଜର ପେଟ୍ରୋଲ ପୋଡ଼ି ଅଯଥା ଖର୍ଚ୍ଚ ବଢ଼େଇବ ନାହିଁ-। ଲୋକନାଥ ପଛରେ ଜୀବନ ଏବଂ ସବା ପଛରେ ହରେକୃଷ୍ଣ ବସିଲେ ।

ପୁଣି ସେଇ ବ୍ୟାଙ୍କ୍ ଆଗରେ ଲୁନାରୁ ଓହ୍ଲାଇଲେ ହରିପଦ । ଲୋକନାଥ ବି ବନ୍ଦକଲା ବୁଲେଟ୍‌ ।

ଇ ଆର୍‌, ଆର୍‌. ପି ଯୋଜନା କିପରି ଚାଲୁଚି ତଦାରଖ ନ କଲେ ନେତୃତ୍ୱ ସହିତ ଅର୍ଥ ବି ଅନ୍ୟ ହାତକୁ ଚାଲିଯିବ । ଦୁର୍ବଳ ଶ୍ରେଣୀର ବାଉରୀ କଣ୍ଡରାମାନଙ୍କ ପାଇଁ ଆଜିରୁ କିଛି କାମ ନ କଲେ ହାତଛଡ଼ା ହୋଇଯିବେ ସେମାନେ ।

ହରିପଦ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଅଫିସ ଭିତରକୁ ପ୍ରବେଶ କଲେ ।

ବ୍ୟାଙ୍କ ମ୍ୟାନେଜର ଶ୍ରୀଚରଣ ବାବୁ ଭଦ୍ରଲୋକ ।

ବାଆକୁ ବତା ବର୍ଷାକୁ ଛତାର ପ୍ରୟୋଗ ଜାଣନ୍ତି । ଦେଶବନ୍ଧୁ ହରିପଦ ଅଧିକାରୀଙ୍କୁ ସମ୍ବର୍ଦ୍ଧନା କରି କହିଲେ, ଆପଣଙ୍କୁ ଅଜସ୍ର ଅଭିନନ୍ଦନ । ଅନେକ ଡେରିରେ ହେଲେ ମଧ୍ୟ ଲୋକମାନେ ଯେ ଆପଣଙ୍କୁ ଏବେ ଚିହ୍ନିଲେ ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ଯିଏ ପ୍ରକୃତ ନେତା ସିଏ ସବୁକାଳର, ସବୁ ସ୍ଥାନର । ଆପଣଙ୍କୁ ପାଇ କନ୍ଦରପୁର ଧନ୍ୟ, କଟକ ଜିଲ୍ଲା ଧନ୍ୟ, ଓଡ଼ିଶା ବି ଧନ୍ୟ ।

ହରିପଦ ଚୌକୀ ଦଖଲ କରି ଟେବୁଲ ତଳେ ଗୋଡ଼ ଲମ୍ବେଇଦେଇ କହିଲେ, ଆମ କାମ ସରିଆସିଲାଣି ଶ୍ରୀଚରଣବାବୁ । ଆମ ସମୟର ତ୍ୟାଗ ଆଉ ନାହିଁକି ଭୋଗ ବି ଆଉ ନାହିଁ । ସେତେବେଳେ ଗୋଟିଏ ପଇସାରେ ଯାହା ମିଳୁଥିଲା ଏବେ ଟଙ୍କାଟିଏ ଦେଲେ ମିଳୁଚି । ସେଥିପାଇଁ ତ ଏତେ ସମସ୍ୟା । ହାତରେ ପଇସା ଥାଇ ବି ଜିନିଷ ମିଳୁନି । ଯୋଜନା ହଉଚି, ଖର୍ଚ୍ଚ ବି ବଢ଼ୁଚି, କିନ୍ତୁ କାମ ହେଉ ନାହିଁ । ଆଉ ଦେଖି ସହି ନ ପାରି ପୁଣି ଅଣ୍ଟାଭିଡ଼ି ବାହାରିଛି, ଆପଣମାନଙ୍କ ପରି ବୁଦ୍ଧିମାନ, ଯୋଗ୍ୟ ଅଫିସରମାନେ ଥାଉଁ ଥାଉଁ କାମକୁ ଠିକଣା ବାଟରେ ନବାଲାଗି ପରିଶ୍ରମ କରିବାକୁ ପଡ଼ିବ ନାହିଁ । ଗତ ନଈବଢ଼ିରେ ସବୁ ଯାଇଥିଲା ଏବର୍ଷ ଯେପରି ତାହା ଦୁଇଗୁଣ ହୋଇ ଫେରିଆସିବ ସେଥିଲାଗି ଆଜହୁଁ ଚେଷ୍ଟା ନ କଲେ ଅବସ୍ଥା ସୁଧୁରିବ ନାହିଁ । ମହାନଦୀର ପାଣି ତ ଅଟକୁ ନାହିଁ, ବହିବାରେ ଲାଗିଛି ।

ଆପଣ ଆସି ନ ଥିଲେ ମୁଁ ଆପଣଙ୍କ ପାଖକୁ ଯାଇଥାଆନ୍ତି, କହିଲେ ବ୍ୟାଙ୍କ୍‌ ମ୍ୟାନେଜର ଶ୍ରୀଚରଣ ମହାନ୍ତି । ଗରିବ ଲୋକଙ୍କର ମଙ୍ଗଳପାଇଁ ଇ. ଆର. ଆର୍‍. ପି. ଯୋଜନା ଆରମ୍ଭ ହୋଇଥିବା ଜଣା କଥା । ବାଉରୀ ସାହିରୁ କାର୍ଯ୍ୟ ଆରମ୍ଭ କରିବାଲାଗି ନିଷ୍ପତ୍ତି ହୋଇଥିଲା-। ସେହି ଅନୁସାରେ ପ୍ରଥମେ ବାଉରୀ ସାହି, ତାପରେ ଗୁରୁଜଙ୍ଘର କଣ୍ଡରା ସାହିରେ କାମ କରାଯାଇଛି ।

ହରିପଦ ସୁଯୋଗ ଉଣ୍ଡୁଥିଲେ । ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଏକା ପାଇ ଫିସ୍‌ ଫିସ୍‌ କରି କହିଲେ, ବାହାରେ ଆମ ଦଳର ଅନ୍ୟମାନେ ଅଛନ୍ତି । କେହି ନ ଶୁଣିବା ପରି ମୁଁ କହୁଛି । ଦରିଦ୍ର ଲୋକଙ୍କ ନାମରେ ଅନେକ ଅର୍ଥ ଆତ୍ମସାତ୍‌ କରାଯାଇ ଥିବାର ଖବର ଆସି ପହଞ୍ଚିଛି ମୋ ପାଖରେ-। ଭଗବାନ କରନ୍ତୁ ସେ ସବୁ ଅସତ୍ୟ ହେଉ; କିନ୍ତୁ ଗୁଜବ ଦିନକୁ ଦିନ ପ୍ରବଳ ହେଉଛି ବୋଲି ମୁଁ ଆଉ ଚୁପ୍‌ହୋଇ ବସି ନ ରହି ବାଧ୍ୟହେଲି କହିବାପାଇଁ ।

ଶ୍ରୀଚରଣ ବାବୁ ତିଳେମାତ୍ର ଆଶ୍ଚର୍ଯ୍ୟ ନ ହୋଇ କହିଲେ, ଭଲ ହେଲା ଆପଣ ପ୍ରଥମେ ପ୍ରସଙ୍ଗ ଉତ୍‌ଥାପନ କଲେ । ମୁଁ ମଧ୍ୟ ଏହି ପ୍ରସଙ୍ଗରେ ଆପଣଙ୍କ ସହିତ ପରାମର୍ଶ କରିବା ଲାଗି ଅପେକ୍ଷା କରୁଥିଲି ।

ତା’ପରେ ଚା ଆଣିବା ଲାଗି ପିଅନକୁ କହି ଆରମ୍ଭ କଲେ ଶ୍ରୀଚରଣବାବୁ –ଚାରିଆଡ଼ୁ ଚାପ ପଡ଼ୁଛି । କିନ୍ତୁ ଏହାସତ୍ତ୍ୱେ ଭଲ କାମ ବନ୍ଦ ହବ ନାହିଁ । କିନ୍ତୁ ଅପବ୍ୟୟ ଯେ ହେଉନି ଏହା କହିହେବ ନାହିଁ, ଏପରି ବିରାଟ କାର୍ଯ୍ୟରେ କିଛି ଅପବ୍ୟୟ ହବାବି ସ୍ୱାଭାବିକ ।

ହରିପଦ କହିଲେ, କିନ୍ତୁ ଆମ କଥା ବିଚାର କରନ୍ତୁ । ଆମେ ଯଦି ଆଖିବୁଜି ମୁହଁ ବନ୍ଦକରି ରହୁ, ରାଜନୈତିକ ଜୀବନରେ ଏହା ଆତ୍ମହତ୍ୟା ସଦୃଶ ହେବ । ସେଥିଲାଗି କହୁଛି ସାବଧାନ ହବା ଉଚିତ । କଣ୍ଡରା ସାହିର ମଦନା କହୁଥିଲା ଯେ ତାକୁ ଯୋଉ ଗାଈ ଦିଆଯାଇଥିଲା ତାହା ଦୁଇଦିନ ପରେ ନେଇଯାଉଛନ୍ତି । ସେଇ ଗାଁର ଚତୁରା ପାଖରେ ସେଇ ଗାଈ ଦିନେ ଥିଲା, ଏବେ ଅଛି ବାଉରୀ ସାହିର ଚିନ୍ତାଘରେ । କାଲି ଆଉ କାହା ଘରକୁ ଯିବ କିଏ ଜାଣେ ? ଅଥଚ ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ଦୁଧିଆଳି ଜେରେସି ଗାଈ ଦବାଲାଗି ସରକାରୀ ବ୍ୟବସ୍ଥା ଅଛି ।

ଶ୍ରୀଚରଣବାବୁ ଚା କପେ ହରିପଦଙ୍କ ହାତକୁ ବଢ଼େଇଦେଇ କହିଲେ, ଇମିତି କାଁଭାଁ ହବ । ଉପରିସ୍ଥମାନେ ଲାଇନ୍‌ ଦେଇ ଆସୁଛନ୍ତି । ଦିନ ଗୋଟିଏ ବାଦ ଯାଉନାହିଁ । ସେମାନେ ତ ଖାଲିହାତରେ ଫେରନ୍ତି ନାହିଁ । ପାନ ଭୋଜନ ତ ସ୍ୱତନ୍ତ୍ର । ଫିଲ୍‌ଡ଼ ଅଫିସରଙ୍କ କାନ୍ଧରେ ଏତେ ଶକ୍ତି କାହିଁ ସେମାନଙ୍କ ବୋଝ ବୋହିବା ପାଇଁ ।

ହାତେ ହାତେ ପ୍ରମାଣ ପାଇ କୁରୁଳି ଉଠିଲେ ହରିପଦ । ସେ କହିଲେ ବିଧାନସଭା ଯାଏ କଥା ନ ଯିବ କିଏ କହିବ । ମୁଁ ଶୁଣିଲି ବୋଲି କହିଲି ।

ଶ୍ରୀଚରଣବାବୁ କହିଲେ, ସବୁ ଲୋକ ଆମରି । କାହାକୁ ମାରିବେ, କାହାକୁ ତାରିବେ ? ଆପଣ ବ୍ୟବସ୍ଥା କରନ୍ତୁ, କଥା ପ୍ରଘଟ ନ ହୁଏ ଯେପରି । ଆପଣ ତ ପୋଖତ ଲୋକ, ଅନେକ ଅଭିଜ୍ଞତା ଅଛି ଆପଣଙ୍କର । ମୁଁ ସମସ୍ତଙ୍କୁ କହି ଯାହାହେଉ କିଛି ଗୋଟେ ସୁବ୍ୟବସ୍ଥା କରିବିନି !

ଖୁସି ହେଲେ ହରିପଦ । ସେ ମୌନ ହୋଇ ବସିଥିଲେ ବୋଲି କିଛି ଶୁଣୁ ନ ଥିଲେ କି କରୁ ନ ଥିଲେ । ଘରୁ ପାଦ ବଢ଼େଇବା ପରେ ଅନେକ କଥା କାନକୁ ଆସୁଛି, ଅନେକ ଦୃଶ୍ୟ ଆଖିକୁ ଦିଶୁଛି । ଏସବୁ ଆମ ଆଗେ ଯେ ହଉ ନ ଥିଲା ତାହା ନୁହେଁ; କିନ୍ତୁ ପରିମାଣଟା ବଢ଼ିଯାଇଚି । ଲୋକସଂଖ୍ୟା ବଢ଼ି ନାହିଁ ? ସରକାରୀ ଖର୍ଚ୍ଚ ବଢ଼ିନାହିଁ ? ସମସ୍ୟା ବଢ଼ି ନାହିଁ ? ସବୁ ଯଦି ବଢ଼ିଚି ଏଇ ନେଇଆଣି ଥୋଇ ଆଣିବା କାମଟି ନ ବଢ଼ି କମିବ କିପରି ? ବାବୁମାନେ ଚଳିବେ କିପରି ? ଉପରୁ ଆସୁଥିବା ବଡ଼ ବଡ଼ ମୁନିବମାନଙ୍କୁ ସନ୍ତୁଷ୍ଟ କରିବେ କିପରି ? ଏସବୁ ଦୁର୍ନୀତି ନୁହେଁ, କରିବାକୁ ହୁଏ । ଗତ ପଡ଼ିଗଲାଣି । ନ କରିବାଟା ବରଂ ବେଖାପ ମନେହୁଏ ।

ଏଇ ବର୍ଷ କେତୋଟିରେ ଦେଶ ସେବା କରିବାପାଇଁ ବାହାରିଥିବା ନେତା ଓ କର୍ମୀମାନଙ୍କର ଅବସ୍ଥାର ଅନେକ ଉନ୍ନତି ଘଟିଛି । ସରକାରୀ କର୍ମଚାରୀଙ୍କ ପରି ସେମାନଙ୍କର ଆୟ ବି ହୁ ହୁ ହୋଇ ବଢ଼ିବାରେ ଲାଗିଛି । ମାଛ ଦର ପାଞ୍ଚ ଟଙ୍କାରୁ କୋଡ଼ିଏ ଟଙ୍କାରେ ପହଞ୍ଚିଲାଣି । ଚାଉଳ କିଲୋ ଚାରିଟଙ୍କା । ବାଇଗଣ କିଲୋ ତିନିଟଙ୍କା । ଭୋକ ଉପାସରେ ରହି ଦେଶ କାମ କି ସରକାରୀ କାମ କରି ହୁଏ ନାହିଁ ।

ହରିପଦ ନୀରବରେ ବସି ରହିବାଦ୍ୱାରା ଠକିଗଲେ । ରାଜନୀତି ଚାକିରି ନୁହେଁ ଯେ ଅଠାବନ ବୟସ ପୂର୍ଣ୍ଣହେଲେ ଅବସର ନବାକୁ ହେବ । ରାଜନୀତିରେ ସମୟର ସୀମା ନାହିଁ, ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ଦେଶସେବା ଚାଲୁରହେ । ସୌଭାଗ୍ୟକୁ ସେ ଆଉଥରେ ଯୁଦ୍ଧକ୍ଷେତ୍ରକୁ ଡେଇଁପଡ଼ିଲେ, ନୋହିଲେ ବିଭୁପଦ ଏକା ଏକା କେତେ କରନ୍ତା ! ତଥାପି ପୁଅର ବୁଦ୍ଧିକୁ ପ୍ରଶଂସା କଲେ ହରିପଦ । ସେ ଚାରିଟା ବର୍ଷରେ ଯାହା କରିଛି, ଜୀବନସାରା ହରିପଦ ସେତେ କରି ପାରି ନ ଥିଲେ ଅବଶ୍ୟ ସୁଯୋଗ ବଢ଼ିଛି, ସମ୍ପଦ ବି ବଢ଼ିଛି । ଆଉ ତା ସହିତ ବଢ଼ିଚି ଚାହିଦା ଏବଂ ଯୋଗାଣର ପରିମାଣ ।

ଶ୍ରୀଚରଣ ମହାନ୍ତି ଚତୁର ବ୍ୟକ୍ତି । ପନ୍ଦର ବର୍ଷ ତଳେ କିରାଣୀ ହୋଇ ଭର୍ତ୍ତି ହୋଇଥିଲେ । ନେଇ ଆଣି ଥୋଇ ଜାଣିବା ବିଦ୍ୟାଟି ଆୟତ୍ତ କରି ପାରିଥିବାରୁ ପଦୋନ୍ନତି ହଉଚି ପ୍ରତି ତିନିଚାରି ବର୍ଷରେ । ମଫସଲ ବ୍ୟାଙ୍କ୍‌ରୁ କୁଦାମାରି ସେ ଯିବେ ସହରକୁ, ତାପରେ ନଗରକୁ...-

ଅନେକ ସମୟ ପର୍ଯ୍ୟନ୍ତ ଦୁହେଁ ନିଭୃତରେ ଆଲୋଚନା କରି ସୁଚିନ୍ତିତ ଯୋଜନାଟିଏ ପ୍ରସ୍ତୁତ କଲେ । ପଶୁଡାକ୍ତର ଏବଂ ବି.ଡ଼ି ଓ ମଧ୍ୟ ଆସି ଶେଷ ଆଲୋଚନାରେ ଯୋଗଦେଇ ସର୍ବସମ୍ମତକ୍ରମେ ଯାହା ନିଷ୍ପତ୍ତି ହେଲା ସେଇ ଅନୁସାରେ ହରିପଦ ଲାଭାଂଶର ପ୍ରତିଶତ ଦଶଭାଗ ପାଇବାର ସ୍ଥିରହେଲା । ଏହାଛଡ଼ା ଭୁବନେଶ୍ୱର ଓ କଟକକୁ ଯିବାଆସିବା ଏବଂ ସେଠାରେ ତଦ୍‌ବର କରିବାରେ ଯାହା ଖର୍ଚ୍ଚ ହେବ ତାହା ସ୍ୱତନ୍ତ୍ର ଭାବରେ ତାଙ୍କୁ ଦିଆଯିବ ।

ଆଲୋଚନା ଶେଷହେବା ପରେ ହରେକୃଷ୍ଣ ମଳିକ ସହିତ ଜୀବନ ଏବଂ ଲୋକନାଥକୁ ଭିତରକୁ ଡାକି ପଠେଇଲେ ହରିପଦ । ପୂର୍ବଯୋଜନା ଅନୁସାରେ ସେମାନଙ୍କୁ ନିଷ୍ପତ୍ତି ଶୁଣାଇ କହିଲେ ହରିପଦ, ବ୍ୟାଙ୍କ ପକ୍ଷରୁ ଡଗ୍‍ୱେଲ ବା ଲିଫ୍‌ଟୱେଲ ପାଇଁ ଆହୁରି ଅଧିକ ଲୋକଙ୍କୁ ଋଣ ଦିଆଯିବ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଋଣ ମଞ୍ଜୁର କଲାବେଳେ ସେମାନଙ୍କର ସୁପାରିଶ ପାଇଥିବା ବ୍ୟକ୍ତିକୁ ଋଣ ମଞ୍ଜୁର କରିବାରେ ଅଗ୍ରାଧିକାର ଦିଆଯିବ । ପ୍ରତିମାସ ଯେତେ ଋଣ ମଞ୍ଜୁର ହେବ ପ୍ରତି ଶତ ଏକ ଟଙ୍କା ହିସାବରେ ଗ୍ରମାବିକାଶ ପାଣ୍ଠିକୁ ଦାନ କରାଯିବ । ସେ ଟଙ୍କା ଋଣରୁ କାଟି ରଖି ହରେକୃଷ୍ଣକୁ ଦେବେ ବ୍ୟାଙ୍କ୍‌ ମ୍ୟାନେଜର ।

ହରେକୃଷ୍ଣ ପ୍ରତିଶତ ଦୁଇଟଙ୍କା ଲାଗି ଦାବୀ କରୁଥିଲା; କିନ୍ତୁ ତାକୁ ବୁଝେଇଦେଲେ ହରିପଦ । ଯେଉଁ ହଂସ ଅଣ୍ଡା ଦବ ସେ ବଞ୍ଚିରହୁ ପରେ ପ୍ରତିଶତ ଦୁଇ କାହିଁକି ତତୋଽଧିକ ମଧ୍ୟ ଦିଆଯାଇପାରେ ।

ଶ୍ରୀଚରଣ ବାବୁ କହିଲେ, ଖାଇବାବେଳ ହୋଇଗଲାଣି । ଆୟୋଜନ ପ୍ରାୟ ସମାପ୍ତ । ଆଉ ଟିକିଏ ଅପେକ୍ଷା କରନ୍ତୁ, ମୁଁ ବଢ଼ାବଢ଼ି କାର୍ଯ୍ୟ କେତେଦୂର ଗଲା ବରଂ ଦେଖିଆସେ ।

ହରିପଦ ପ୍ରତିବାଦ କରି କହିଲେ, ଆପଣଙ୍କୁ ହରକତ କରିବାକୁ ଆମେ ଆସିନାହୁଁ, ସେସବୁ ଥାଉ...ଆମେ ସବୁ ଘରକୁ ଫେରି ଖାଇବୁନି...

ତାଙ୍କ କଥା ଶୁଣିବାକୁ ସେତେବେଳକୁ କିନ୍ତୁ ସେଠାରେ ନ ଥିଲେ ଶ୍ରୀଚରଣ ବାବୁ । ସେ ଚାଲି ଯାଇଥିଲେ କ୍ୱାଟର ଭିତରକୁ ।

ମଧ୍ୟାହ୍ନ ଭୋଜନର ଆୟୋଜନ ଦେଖି ହରିପଦ ମନକୁମନ ଅବଶୋଷ କରି କହିଲେ, ଏଇ କେତେବର୍ଷର ଅବସର ସମୟରେ ଅନେକ ରୋହୀମାଛ ଥଳକୂଳ ନ ପାଇ ଭାସିଯାଇଥିବେ ସମୂଦ୍ରକୁ, ଅନେକ କୁକୁଡ଼ା ମରିହଜି ଯାଇଥିବେ ଉପଯୁକ୍ତ ପୃଷ୍ଠପୋଷକତା ନ ପାଇ... । ଯାହାହେଉ ଅବସର ପରିତ୍ୟାଗ କରି ସେ ପୁଣି ଧନୁ ଧରି ରଣକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି... ତାଙ୍କର ଆଉ କିଛି ଅଭୀପ୍‌ସା ନାହିଁ, କୃଷ୍ଣ ପକ୍ଷର ଚନ୍ଦ୍ର ପରି ତାର କ୍ରମଶଃ ଉନ୍ନତି ଦେଖି ସେ ପରମ ସୁଖ ଲାଭ କରିବେ ।

ମଧ୍ୟାହ୍ନ ଭୋଜନ ଶେଷ କରି ଆଉ ଘରକୁ ଫେରିଲେ ନାହିଁ ହରିପଦ । ଘରୁ ବାହାରିଛନ୍ତି ଯେତେବେଳେ ସମୟର ସଦୁପଯୋଗ ନ କରି ବାହୁଡ଼ି ଯିବେ କାହିଁକି ! ସନ୍ଧ୍ୟାବେଳେ ଭିଡ଼ ଜମେ ବଜାରରେ । ପଚିଶଖଣ୍ଡ ଗାଁର ଲୋକ ଠୁଳ ହୁଅନ୍ତି । ସେମାନଙ୍କ ସହିତ ସାକ୍ଷାତ୍‌ ହେବ, ଖବର ବି କିଛି ମିଳିବ । ସେଇଥିରୁ ଲୋକମାନଙ୍କର ନାଡ଼ିର ଗତି ବୁଝିପାରିବେ ହରିପଦ । ତାଙ୍କର ଧ୍ରୁବ ବିଶ୍ୱାସ ଯେ ମହାନଦୀର ପାଣି ଠିକ୍‌ ବହି ବହି ସେଇ ସମୁଦ୍ରକୁ ଯିବ, ଅନ୍ୟଗତି ନାହିଁ-। ନାଗଫାଶରୁ ମୁକ୍ତି ପାଇବାର ସୁତ୍ର ଲୋକମାନେ ଜାଣନ୍ତି ନାହିଁ । ସେଇ ନାଗଫାଶ ପକେଇ ଦ୍ୱାରପାଳ ପରି ଭିତରକୁ ଯିବାପଥ ଅବାରିତ ରଖି ବହିଗମନ ପଥରେ ପ୍ରତିରୋଧକ ହୋଇ ବସି ରହିବେ ସେ । ଯିଏ ପଶିବ ସେ ଆଉ ବାହାରି ଆସିପାରିବ ନାହିଁ ।

ଦଳର କାମ ଶିଥିଳ ହୋଇଯାଇଛି । ଦଳକୁ ଶକ୍ତିଶାଳୀ କରିବାକୁ ଆଉ ଉଦ୍ୟମ ହେଉ ନାହିଁ । ଦଳକୁ ଆଶ୍ରୟକରି ବ୍ୟକ୍ତି ଦୃଢ଼ କରୁଛି ନିଜର ଆସନକୁ । ଦଳକୁ ସିଡ଼ି କରି ଉପରକୁ ଉଠିବା ସହଜ ।

ହରିପଦଙ୍କର ମନପଡ଼େ ଅତୀତ ।

ସେତେବେଳେ ଦଳଟା ଥିଲା ବଡ଼ । ଦଳଭୁକ୍ତ ହୋଇ ବ୍ୟକ୍ତି ଭାବୁଥିଲା ଯେ ସେ ଆଉ ଅରକ୍ଷିତ ବା ଅସହାୟ ନୁହେଁ । ଦଳ ବ୍ୟକ୍ତିର ଭଲ ମନ୍ଦରେ ସହାୟ ହେଉଥିଲା; ଦେଶ ଓ ଦେଶର କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲା । ବର୍ତ୍ତମାନ ଦଳ ଦେଶ ପାଇଁ କାମ ନ କରି ବ୍ୟକ୍ତିର ପୋଷକତା କରୁଛି । ଦଳର ପ୍ରଭାବ ହ୍ରାସ ପାଇବାବେଳେ ନେତାଙ୍କର ପ୍ରଭାବ ବଢ଼ୁଛି ।

ଏଇ ନୂତନ ସଂସ୍କୃତି ବୋଧହୁଏ ଅଧିକ ସ୍ପୃହଣୀୟ । ତାଙ୍କ ଯୁଗ ବଦଳି ଯାଇଛି । ବିଭୁପଦର ଯୁଗର ମନ ଓ ମଣିଷ ଅଲଗା, ସେମାନଙ୍କର ପ୍ରୟୋଜନ ମଧ୍ୟ ଅଲଗା ।

ହରିପଦ ରାସ୍ତା ଉପରକୁ ଆସି ପଶ୍ଚିମରେ ପଡ଼ନ୍ତ ସୂର୍ଯ୍ୟକୁ ଅନେଇ ହସିଲେ ଟିକେ ।

ଭରତ ପାଟଯୋଶୀଙ୍କ ହାତରେ ଆଉଥରେ ଖବର ପଠେଇଲେ ହରିପଦ । କଥା ପକ୍‌କା ହୋଇଯିବା ଭଲ । ଆସନ୍ତା ବୈଶାଖରେ ଭଲ ଯୋଗ ଅଛି । ବିଭୁପଦକୁ ସତେଇଶ ପୁରି ଅଠେଇଶ ଚାଲୁଛି । ଶୁଭସ୍ୟ ଶୀଘ୍ରମ୍‌ ।

ଭରତ ପାଟଯୋଶୀ କାଖତଳେ ବସ୍ତାନି ଜାକି ମୁହଁରେ ଗାମ୍ଭୀର୍ଯ୍ୟ ନେଇ ନାକ ପୁଡ଼ାରେ ପବନର ଗତି ଦେଖି ମା ଜାଗୁଳାଇଙ୍କୁ ସ୍ମରଣ କରି ଦକ୍ଷିଣ ପାଦ ପକେଇବାବେଳକୁ ହରିପଦଙ୍କ କାଳିଗାଈ ଦୃଷ୍ଟିରେ ପଡ଼ିଲା ଦକ୍ଷିଣରେ । ଶୁଭ ସଙ୍କେତ । ବାମେ ଶବ ଶିବା କୁମ୍ଭା, ଦକ୍ଷିଣେ ଗୋ ଦ୍ୱିଜା ମୃଗା, ନକୁଳ ସର୍ବ କାର୍ଯ୍ୟାଣି ଅହି ସର୍ବତ୍ର ବାଧ୍ୟତେ । ଶାସ୍ତ୍ର ବଚନ ମିଛ ହୁଏନାହିଁ । ମନର ସାହସ ବଢ଼ିଗଲା ଭରତ ପାଟଯୋଶୀଙ୍କର ।

ଗୌତମ କେନାଲରୁ ମାଛଟିଏ ହାତରେ ଧରି ଫେରୁଥିଲେ, ଭରତ ପାଟଯୋଶୀଙ୍କ ସହିତ ଦେଖା ହୋଇଗଲା । ହାତରେ ମାଛ, ମୁହଁରେ ହସ । ଆହୁରି ଶୁଭ ସଙ୍କେତ । ନମସ୍କାରଟିଏ କରି କହିଲେ ପାଟଯୋଶୀ, ଆଜ୍ଞା ଏଇବାଟ ଦେଇ ଯିବାବେଳେ ଆପଣଙ୍କ ସଙ୍ଗରେ ଦେଖା । ଯାତ୍ରା ଶୁଭ ନିଶ୍ଚୟ । ଶୁଭ ବେଳରେ ବାହାରିଥିଲି... ।

ଗୌତମ ଭଲ ଭାବରେ ଚିହ୍ନନ୍ତି ପାଟଯୋଶୀଙ୍କୁ । ଭଲ ଗଣକ । ବିଭା, ବ୍ରତ, ଅନ୍ନ ପ୍ରାସନ୍ନ, ମନ୍ଦିର ପ୍ରତିଷ୍ଠା ଯାହାକିଛି ଶୁଭକାର୍ଯ୍ୟ ହୁଏ ପାଖ ଆଖରେ ଭରତ ପାଟଯୋଶୀଙ୍କୁ ଡକାପଡ଼େ ସେଠାକୁ । ଲୋକଟି ସରଳ କଥା କହିଲେ ବି ପ୍ରକୃତି କିନ୍ତୁ ଜଟିଳ ହବା ବୋଧହୁଏ ସ୍ୱାଭାବିକ । ଗୋଟିଏ ଘାଟରେ ତ କାମ ହୁଏନି ଏମାନଙ୍କର, ଅନେକ ଘାଟର ଖବର ରଖିବାକୁ ହୁଏ, ବାଟ ଭାଙ୍ଗି ଅନେକ ଘାଟକୁ ଯିବାକୁ ହୁଏ ।

ଭରତ କହିଲେ, ହାତରେ ରୋହୀମାଛ...ପୁଣି ଆପଣଙ୍କ ହାତରେ....ଅପୂର୍ବ ଦୃଶ୍ୟ ଏ...ସକାଳୁ ଉଠି କାହା ମୁହଁ ଦେଖିଥିଲି କେଜାଣି !

ଗୌତମ କହିଲେ, ଦେଖା ହୋଇଗଲା ଯେତେବେଳେ ଘରକୁ ଆସ ପାଟଯୋଶୀ । ତୁମ ପେଟ ଭିତରେ ତ ରାଜ୍ୟର ଖବର । ଘରେ ବସି ଶୁଣିବା ସବୁ ।

ଭରତ ପାଟଯୋଶୀ ଯାହା ଖୋଜୁଥିଲେ ତାହା ପାଇଗଲେ । ସୁବିଧା ମିଳିଗଲା । ଜବରଦସ୍ତି ତାଙ୍କ ଘରକୁ ନ ଯାଇ ନିମନ୍ତ୍ରିତ ହୋଇ ଯିବାଲାଗି ସୁଯୋଗ ମିଳିଲା ।

ଭରତ ପାଟଯୋଶୀ କହିଲେ, ଖରାଦିନ ମାଡ଼ି ଆସୁଚି । ଏ ବର୍ଷାର ଖରା ଖୁବ୍‌ଟାଣ ହବ କିନ୍ତୁ... ।

ଗୌତମ ଶକୁନ୍ତଳା ହାତକୁ ରୋହୀମାଛଟି ବଢ଼େଇଦେଇ କହିଲେ ନବୀନ ଦେଇଛି.. ଦେଢ଼କିଲୋ ହବ.... ବେଶ୍‌ ତାଜା ମାଛ ...

ଶକୁନ୍ତଳା ହସିଦେଇ କହିଲା, ଆଜି ମାଛ ଘରକୁ ଆସିବ ବୋଲି ବୋଉ କହୁଥିଲା ଏଇନେ । ତା’ ତୁଣ୍ଡର କଥା ସତକୁ ସତ ସତ ହେଲା ।

ଗୌତମ କହିଲେ ଶୀଘ୍ର ଶୀଘ୍ର ଛଡ଼େଇ ନିଅ । ଭରତ ଆଜି ଆଉ ଖାଲି ହାତରେ ପେରିଯିବେ ନି, ଖାଇସାରି ଯିବେ ।

ପାଟଯୋଶୀ ସୁବର୍ଣ୍ଣ ସୁଯୋଗ ପାଇ କହିଲେ, ଆପଣଙ୍କ ଘରେ ମାଗି ଖାଇବା ଲୋକ ମୁଁ । କେତେଥର ଖାଇ ନ ଥିବି ଏଠାରେ । ଆଜି କହୁଛନ୍ତି ଯେତେବେଳେ ମୋ ସୌଭାଗ୍ୟ ବୋଲି ମଣିବି ।

ଶକୁନ୍ତଳା ବେଣୀ ଦୋହଲାଇ ନୃତାୟିତ ଭଙ୍ଗୀରେ ଚାଲିଗଲା ଖଞ୍ଜା ଭିତରକୁ ।

ପାଟଯୋଶୀ କହିଲେ, କନ୍ୟାସୁନା, ଯାହା ଘରକୁ ଯିବ ଆଲୁଅ କରିଦବ ... ।

ଗୌତମ ହାତଧୋଇ କହିଲେ, ଏଯାଏ କିଛିଗୋଟେ କିନାରା ହେଲା ନାହିଁ ପାଟଯୋଶୀ ... କେତେ ପ୍ରସ୍ତାବ ଆସୁଛି; କିନ୍ତୁ କଥା ଛିଡ଼ୁ ନାହିଁ..... ।

କିଛି ନ ଜାଣିବା ପରି କହିଲେ ଭରତ ପାଟଯୋଶୀ, ସେଦିନ ଆପଣଙ୍କୁ କହିଥିଲି ମୁଁ....ବାବାଜି ମହାରାଜାଙ୍କ ସହିତ ଆପଣଙ୍କର ଦେଖାହେଲା କି ନାହିଁ ଜାଣେନି । ସେ ତ ଆପଣଙ୍କର ନାମ ପଡ଼ିଲେ ଖୁସିହୋଇ କୁହନ୍ତି ଯେ ଇମିତି ସାଧୁ ସଚ୍ଚୋଟ ଲୋକ ଘରେ ସମ୍ପର୍କ ହବା ଗର୍ବର କଥା । କଥାରେ ପରା କୁହନ୍ତି, ମା’ ବାପ ଅନ୍ଧ ପ୍ରଜାପତି ସମ୍ବନ୍ଧ । ଆପଣ ବି ସେ କଅଣ କରିବେ । ନିୟତି କେନ ବାଧ୍ୟତେ ... ।

ଗୌତମ ଖଟଉପରେ ବସିପଡ଼ି କହିଲେ, ତୁମେ ଠିଆ ହୋଇ ରହିଛ ଯେ... ଚୌକୀରେ ବସ ... ।

ଭରତ ପାଟଯୋଶୀ କିନ୍ତୁ ସପ ଉପରେ ଚକା ଆସନ ପକାଇ ବସିପଡ଼ି କହିଲେ, ଆପଣଙ୍କ ମନକୁ ପ୍ରସଙ୍ଗଟା କିମିତି ଲାଗୁଚି କେଜାଣି, ମୁଁ କିନ୍ତୁ ଭାବିଲା ଦିନୁ କୁରୁଳୁଛି । ସବୁ ଯୋଗ ଉପରେ ନିର୍ଭର କରେ । ଯଦି ଯୋଗ ଥାଏ ନିଶ୍ଚେ ହବ ।

ଗୌତମ ଶୂନ୍ୟକୁ ଚାହିଁ କହିଲେ, ଏଇ ଅନିଶ୍ଚିତ ଯୁଗରେ ନିଶ୍ଚୟତା ବୋଲି କିଛି ନାହିଁ ପାଟଯୋଶୀ । ଦେଖୁନ ବାତ୍ୟା ପରେ ବନ୍ୟା, ତା’ପରେ ମରୁଡ଼ି କିମିତି ସବୁ ନିଶ୍ଚୟତାକୁ ଅନିଶ୍ଚିତ କରିଦେଇଗଲା । କାଲି ଯେ ରାଜେନ୍ଦ୍ରାସନେ ଆଜି ସେ ଫକିର । ବାସ ଗଲା, ଚାଷ ବି ଗଲା । ନକଲି ବିହନ ନେଇ ବିଆଳି କିଛି କରିଥିଲେ କେତେ ଜଣ କେନାଲ କୂଳରେ । ଗଛ ଉଠିଲା; କିନ୍ତୁ ଫୁଲ ଫୁଟିଲା ନାହିଁ । ସବୁ ବାଳୁଙ୍ଗା ହୋଇଗଲା ।

 

ଭରତ ପାଟଯୋଶୀ କହିଲେ, ଖାଲି ବିଲରେ ନୁହେଁ ଆଜ୍ଞା, ଲୋକମାନଙ୍କ ଭିତରେ ବି ବାଳୁଙ୍ଗାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଖୁନାହାନ୍ତି ହରିଯୋଗୀ ଯୋଗ କରିବାକୁ ବାହାରି ଶେଷରେ କିପରି ସଂସାରୀ ହୋଇଗଲେ ।

 

ଗୌତମ ଚମକିପଡ଼ିବା ପରି କହିଲେ, କଅଣ ହେଲା, ସେଦିନ ତ ହରିଯୋଗୀ ଆସିଥିଲେ ଗାଆଁକୁ ।

 

ପାଟଯୋଶୀ କହିଲେ, ହବ ଆଉ କଅଣ ଯେ.... ସେଇ ଗୋଟିଏ କଥା... । ନରୋତ୍ତମ ବାବୁ ପାଠ ପଢ଼ି ଯଦି ଇମିତି ହେବେ ହରିଯୋଗୀ ତ ସହଜରେ ମୁରୁଖ ଲୋକ... । ତାଙ୍କ ସହିତ ମିଶି ଗାଁ ଗାଁ ବୁଲୁଛନ୍ତି । ଦେଶକୁ କୁଆଡ଼େ ଉଦ୍ଧାର କରିବେ ଏମାନେ ।

 

ଗୌତମ ଟିକିଏ ଚିନ୍ତାକରି କହିଲେ, କିନ୍ତୁ ନରୋତ୍ତମ ତ କିଛି ନାଙ୍କରା କାମ କରୁନି ପାଟଯୋଶୀ । ତା’ପରି ନିର୍ମଳ ପିଲାଟିଏ ଆଜିକାଲି ମିଳିବା ମୁସ୍କିଲ ।

 

ଭରତ ପାଟଯୋଶୀ କଥାର ମୋଡ଼ ଭାଙ୍ଗିବା ପାଇଁ କହିଲେ, ପରଚର୍ଚ୍ଚା କରି ପେଟ ପୋଷିବା ମୋର ଧର୍ମ ନୁହେଁ । ବାପା ଗୋସାଇଁବାପାଙ୍କର ଆଜ୍ଞା ମାନି ସେଇ ଗୋଟିଏ କଥାକୁ ଦୂରରେ ରଖି ମୁଁ ଚାଲେ । ପରଚର୍ଚ୍ଚା କରି ନର୍କରେ ପଡ଼ିବ କିଏ ? ଛାଡ଼ନ୍ତୁ ସେକଥା । କିଏ ଭଲ, କିଏ ବାଳୁଙ୍ଗା ସମୟ ସବୁ ପ୍ରମାଣ କରି ଦବନି !

 

ଗୌତମ ସେଇ ପ୍ରସଙ୍ଗ ଶେଷ ନ କରି କହିଲେ, ନରୋତ୍ତମ ବାହାରିଛି ଲୋକଙ୍କର କାମ କରିବାପାଇଁ । ଚାକିରି କରିଥିଲେ, ଇଞ୍ଜିନିଅର ହୋଇଥାଆନ୍ତା । ସବୁ ଛାଡ଼ି ଏବେ ଅନ୍ୟର କାମ କରିବାରେ ଲାଗିଚି ।

 

ଭରତ କହିଲେ, କରନ୍ତୁ କରନ୍ତୁ, ପିଲାବୟସ ତ ପରର କାମ କରି ସୁଖ୍ୟାତି ଅର୍ଜନ୍ତୁ । ଏଇ ଦେଖୁନାହାନ୍ତି ବିଭୁପଦକୁ, ଖିଆପିଆର ଠିକ୍ ନାହିଁ । ଖରା ବର୍ଷା ଶୀତ କାକର ନ ମାନି ଲାଗିଛି କାମରେ । କୋଉ ଗାଁକୁ ସଡ଼କ ଯିବ ତ କୋଉ ଗାଁର ଭାଙ୍ଗିଯାଇଥିବା ସ୍କୁଲ ଘର ତିଆରି ହବ । ବାପର ଗୋଟିଏ ପୁଅ । ଆପଣ ତ ସବୁ ଜାଣନ୍ତି । ଅଭାବ କିଛି ନାହିଁ । ପାଠ ବି କମ୍ ପଢ଼ି ନାହିଁ ।

 

ଗୌତମ କହିଲେ, ବିଭୁପଦ ଭଲ କାମ କରୁଛି ଶୁଣି ବଡ଼ ଆନନ୍ଦ ଲାଗୁଚି ହେ ପାଟଯୋଶୀ । ବାପପରି ପୁଅ ନ ହେଲେ ଆଉ କିଏ ହବ ? ମୋ ପିଲା ବୟସରେ ଏ ଅଞ୍ଚଳରେ ଏତେ ନେତା ନ ଥିଲେ... ଆମେ ଶୁଣୁଥିଲୁ ଗୋଟିଏ ନାମ... ଆମେ ଜୟ ଧ୍ୱନୀ ଦେଉଥିଲୁ । ସେଇ ଗୋଟିଏ ନାମରେ... ବାବାଜି ମହାରାଜ ଆଜି ସିନା ଅବସର ନେଇ ବସିଛନ୍ତି, ସେଦିନ ଥିଲେ ପରାକ୍ରମୀ ନେତା । ତାଙ୍କ ତୁଣ୍ଡର କଥାହିଁ ଥିଲା ଆଜ୍ଞା ! ଦେଶ ପାଇଁ କଅଣ କମ୍ କରିଛନ୍ତି ସେ ?

 

ଭରତ ପାଟଯୋଶୀ ଶୁଭ ସମୟ ଦେଖି ଅନୁକୂଳ କରିଥିଲେ । ଦେଖାଯାଉ କଅଣ ହେଉଛି ।

 

ଭରତ କହିଲେ, ଏତେ ବଡ଼ ଲୋକଙ୍କ ସହିତ ସମ୍ପର୍କ କରିବାଲାଗି କେତେ ଲୋକ ଆସୁଛନ୍ତି । ପାଞ୍ଚଟା କି ଛଅଟା ନୁହେଁ, ଗୋଟିଏ ବୋଲି ପୁଅ । କଥା ଦେଇ ପାରୁନାହାନ୍ତି । ଖୋଜୁଛନ୍ତି । ଯେଉଁଠି ମନ ମାନିଛି ସେଠାରୁ ଖବର ଆସିନି ।

 

ଗୌତମ ଖୁସି ହୋଇ କହିଲେ, ମନ ମାନିଛି ଯେତେବେଳେ ଖବର ବି ଆସିବ । ହରି ଭାଇନାଙ୍କ ପରି ଲୋକଙ୍କ ପୁଅକୁ ଜ୍ୱାଇଁ କରିବା ଲାଗି ଅନେଇ ବସିଛନ୍ତି ଲୋକେ ।

 

ପାଟଯୋଶୀ କହିଲେ, ଲୋକେ ଅନେଇ ବସିଛନ୍ତି; କିନ୍ତୁ ସିଏ ଅନାଇଛନ୍ତି ଅନ୍ୟଦିଗକୁ-। ସେଦିନ ଦେଖାହେଲାରୁ କହୁଥିଲେ ଆପଣଙ୍କ କଥା । ତାଙ୍କ କଥା ମୁଁ ଜାଣିନାହିଁ, ଏତେ ବଡ଼ ଲୋକଙ୍କୁ ପଚାରିବାର ସାହସ ବି ନାହିଁ । କିନ୍ତୁ ମୋ ଆଖିକୁ ଯାହା ଭଲ ଦିଶୁଛି ସେତକ ବି ନ କହି ରହି ପାରୁନାହିଁ । ଆପଣଙ୍କ ଘରେ ସମ୍ବନ୍ଧ ହେଲେ ହରପାର୍ବତୀ ପରି ଶୋଭା ପାଆନ୍ତେ ଦୁହେଁ... । ସେ ତ ଉପର ମହଲାରୁ ତଳମହଲାକୁ ଓହ୍ଲାଇବାକୁ ରାଜି... ଆପଣ ସମ୍ପର୍କ ପାଇଁ ରାଜିହେଲେ ହେଲା । ଯେତେହେଲେ ବ୍ରାହ୍ମଣ ପୁଅ । କାନ୍ଧରେ ପଇତା ସିନା ପକାନ୍ତିନି; କିନ୍ତୁ ସେହି ରକ୍ତ ତ ବେଷ୍ଟିଛି ଶିରାରେ ।

 

ଗୌତମ ଚୁପ୍‌ହୋଇ ବସି ରହିଲେ କିଛିକ୍ଷଣ । ମନେପଡ଼ୁଥିଲା ସେଦିନର କଥା । ତାଙ୍କରି ଉପସ୍ଥିତିରେ ସେଦିନ ବିଭୁପଦ ଏବଂ ତାର ସହଯୋଗୀମାନେ ଅପଦସ୍ତ କଲେ ନରୋତ୍ତମକୁ ଅଥଚ ସେ ନିଜ ପାଇଁ କିଛି କହୁ ନ ଥିଲା । ଅନ୍ୟମାନଙ୍କର ସ୍ୱାର୍ଥରତା କରିବାକୁ ଯାଇ ଲାଞ୍ଛିତ ହେଲା କେବଳ । ବିଭୁପଦର ଯୋଗ୍ୟତା ସମ୍ପର୍କରେ ତାଙ୍କର କିଛି କହିବାର ନାହିଁ; କିନ୍ତୁ ସେ ଯେଉଁ ମାର୍ଗରେ ନିଜକୁ ପରିଚାଳିତ କରିଛି ତାହା ଶୋଭନୀୟ ବା ସ୍ପୃହଣୀୟ ନୁହେଁ । ତା’ପରେ ମନକୁ ମନ କହିଲେ ଗୌତମ, ଅଭିଜ୍ଞତା ନାହିଁ, ଅଭିଜ୍ଞତା ବଢ଼ିବା ସଙ୍ଗେ ସଙ୍ଗେ ଉତ୍କର୍ଷତା ବି ଆସିଯିବ ଆଚରଣରେ । ଭଗବାନ କରନ୍ତୁ ନରୋତ୍ତମ ସଫଳ ହେଉ ନିଜ ଲକ୍ଷ୍ୟରେ-। ଭଗବାନ କରନ୍ତୁ ବିଭୁପଦ ଆହୁରି ଉର୍ଦ୍ଧ୍ୱକୁ ଉଠୁ... । ଦୁହେଁ ତାଙ୍କ ଆଗରେ ସମାନ ।

 

ଶକୁନ୍ତଳାର ମୁହଁ ଭାସିଉଠିଲା ଆଖି ଆଗରେ । ଏଇ ଟିକେ ଆଗରୁ ତାଙ୍କ ହାତରୁ ମାଛ ନେଇ ଚାଲିଗଲା ଭିତରକୁ । ମାଛ କାଟୁଥିବ ହୁଏତ । ଝିଅ ହୋଇ ଜନ୍ମ ହୋଇଚି ମାଆର ମନ ନେଇ । ଯାହା ଇଚ୍ଛାହୁଏ ମନରେ ସେ ଇଚ୍ଛାମୟୀ ପରି ବୁଝିପାରେ କି କଅଣ ତାଙ୍କର ସେଇ ଇଚ୍ଛାଟି ପୂର୍ଣ୍ଣ କରିବାକୁ ଆଗେଇଆସି କହେ, ମନକଥା ତୁମେ ସିନା ସଫାକରି କହୁନ ବାପା, ମୁଁ କିନ୍ତୁ ତୁମ ମୁହଁର କଥା ଛଡ଼ାଇ ନେଇ କହୁଚି ଶୁଣ.... ତା’ର ସବୁ କଥା ଶୁଣନ୍ତି ଗୌତମ । ସତରେ, ଅନ୍ତରର ସବୁ କଥା ଜାଣିଯାଇଛି ଶକୁନ୍ତଳା । କୁହୁକ ଜାଣେ ନା କଅଣ ତା’ ପାଖରୁ କିଛି ଗୋପନ ରଖି ପାରନ୍ତି ନାହିଁ ସେ ।

 

ପାଟଯୋଶୀ କହିଲେ, ସେଦିନ ଗାଁ ଦାଣ୍ଡରୁ ସତ୍ୟାଗ୍ରହ ଆରମ୍ଭ କଲା ନରୋତ୍ତମ । ବାବାଜି ମହାରାଜ କହୁଥିଲେ ଯେ ସେ ସତ୍ୟାଗ୍ରହ କରିଥିଲେ ଇଂରେଜ ବିରୁଦ୍ଧରେ, ଆଉ ନରୋତ୍ତମ କରୁଚି ନିଜ ଲୋକଙ୍କ ବିରୁଦ୍ଧରେ । ଭାଇ ଭାଇ ମିଳିମିଶି ନ ଚଳିଲେ ଏ ସ୍ୱରାଜ ନିରର୍ଥକ ହୋଇଯିବ ।

 

ହରି ଭାଇନା ଠିକ୍ କଥା କହିଛନ୍ତି ପାଟଯୋଶୀ । ଭାଇ ଭାଇ ପରି ନ ଚଳିଲେ ଦେଶ ଦୁଇ ଭାଗ ହୋଇନାହିଁ ଆହୁରି କେତେ ଭାଗ ହବ ଭବିଷ୍ୟତ କହିବ । ସହଯୋଗ ରହୁନାହିଁ, ସହିଷ୍ଣୁତା ଜନଜୀବନରୁ ଅନ୍ତର୍ହିତ ହୋଇଗଲାଣି । ସ୍ନେହ, ପ୍ରେମ ତ ଦୁର୍ଲଭ ବସ୍ତୁ.... ।

 

ଭରତ ପାଟଯୋଶୀ କହିଲେ, ସେଦିନ କହିବାକୁ ଯାଇ କହିପାରି ନ ଥିଲି, ଆଜି କହୁଛି-। ବାବାଜି ମହାରାଜଙ୍କୁ ପ୍ରସ୍ତାବ ଦିଅନ୍ତୁ, ଏଭଳି ଲକ୍ଷ୍ମୀ ନାରାୟଣ ଯୋଡ଼ି ଖଣ୍ଡମଣ୍ଡଳରେ ନ ଥିବେ ଆଉ ।

 

ସେଇ ଭାବିବାକୁ ଡରୁଥିବା ପ୍ରସ୍ତାବଟି ବିଭିନ୍ନ ଭାବରେ ଫେରିଆସୁଛି । ସେଦିନ ନିଜେ ହରିପଦ କହିଥିଲେ, ଆଜି ପାଟଯୋଶୀଙ୍କ ମୁହଁରୁ ଶୁଣୁଛନ୍ତି । ଗାଁ ଯାକ ତ ରାଷ୍ଟ୍ର ହୋଇଗଲାଣି । ହାଟଦିନ କନ୍ଦରପୁର ବଜାରରେ ଦେଖାହେଲା ଯେ ଗୋପବାବୁଙ୍କ ସହିତ । ସଙ୍କୋଚ ନ କରି ସେ ସିଧା ସିଧା ପଚାରିଦେଲେ । ଶେଷରେ ତା’ହେଲେ ସେଇଠି ଠିକ୍ କଲ ଗୌତମ ? ଆଉ ସବୁ ଭଲ ଯେ, ପିଲାଟା ଠିକ୍ ରାସ୍ତାରେ ଯିବା ପରି ଲାଗୁନି ମୋତେ... ।

 

ସେଇଦିନୁ ଭାବୁଚନ୍ତି ଗୌତମ । ବିଭୁପଦ ଠିକ୍ ରାସ୍ତାରେ କି ଭୁଲ ରାସ୍ତାରେ ଯାଉଛି ଆଉ କାହାକୁ ପଚାରିବାକୁ ସାହସ ହୁଏନି । ନିଜେ ଯାହା ଶୁଣନ୍ତି ସରଳାଙ୍କୁ ବି କହିପାରନ୍ତି ନାହିଁ । ହୁଏତ ଉଡ଼ା ଖବର, ଦେଖି ସହି ନ ପାରି କହୁଥିବେ ଲୋକେ । ଆମ ଦେଶରେ କେହି କାହାରି ଶିରୀ ତ ଦେଖି ସହି ପାରନ୍ତି ନାହିଁ ।

 

ସବୁକଥା ନ ହେଲେ ବି ହୁଏତ କିଛି କିଛି ଶକୁନ୍ତଳା ଏବଂ ସରଳାଙ୍କ କାନକୁ ବି ଯାଉଥିବ । କେନାଲ ତୁଠରେ ମାଇପିମାନଙ୍କର କେତେ କଥା ହୁଏ ତାହା କିଏ ନ ଜାଣେ । ଢିଙ୍କିଶାଳରୁ ଢେଙ୍କାନାଳ ଯାଏ । ପୁଅଝିଅଙ୍କ ବିଭାବ୍ରତଠାରୁ ଆରମ୍ଭକରି କାହା ବୋହୂ ସହିତ ଶାଶୁର ପଡ଼ୁନାହିଁ ତ କୋଉ ବିଧବା ପାପ ପ୍ରେମ କରି ଗର୍ଭବତୀ ହୋଇଛି ସବୁ କଥାର ଆଲୋଚନା ହୁଏ ମାଇପିମାନଙ୍କ ମଧ୍ୟରେ । ଡରଲାଗେ ଗୌତମଙ୍କୁ । କାଳେ ଯଦି ଖରାପ କଥାଗୁଡ଼ାକ ଶୁଣିପକାଏ, ଶକୁନ୍ତଳା ସେଥିପାଇଁ ଆଜିକାଲି ତାକୁ କେନାଲକୁ ଗୋଧୋଇ ଯିବାପାଇଁ ବାରଣ କରନ୍ତି । ଘରେ ତ କୂଅ ଅଛି, ଗାଧୋଇବା, ପାଇଖାନା ଯିବାର ସୁବ୍ୟବସ୍ଥା ବି ବହୁ ଆଗରୁ କରିଛନ୍ତି ସେ । ତଥାପି ସାଙ୍ଗମେଳରେ ଚାଲିଯାଏ । ଗାଁ ମାଇପିମାନେ ଜୋର କରି ଟାଣିନିଅନ୍ତି ସରଳାଙ୍କୁ । ସେମାନଙ୍କୁ ଏଥର ପୁରା ବାରଣ କରିଦେବେ ସେ । ପରଚର୍ଚ୍ଚା କରିବା, ପରର ଗୋହି ଖୋଳିବା, ଯାହାର କାମ ସିଏ କରୁ, ସେମାନେ ଘାଣ୍ଟି ହେବେ କାହିଁକି ?

 

ଗୌତମ କହିଲେ ବୁଝିଲ ପାଟଯୋଶୀ; ମୁଁ ଯେ ଏକଥା ଭାବି ନାହିଁ ସେପରି ନୁହେଁ.... କିନ୍ତୁ ସ୍ଥିର କରିପାରି ନାହିଁ । ଝିଅ ଏଣେ ଲଗେଇଛି ଚାକିରି କରିବ । କାମ ଗୋଟେ ମିଳି ବି ଯିବ । ପ୍ରାୟ ପକ୍‌କା ହୋଇଗଲାଣି । ଏହି ବ୍ଲକ ସ୍କୁଲରେ ମାଷ୍ଟରାଣୀ ହବାପାଇଁ କହୁଛନ୍ତି ତାକୁ । ବି.ଏ ପାସ୍ କରି ଘରେ ବସିଛି ! ବେକାର ହୋଇ ବସିବ ବା କେତେ । କିଛି ଗୋଟେ କରୁ । କାମଧନ୍ଦାରେ ବ୍ୟସ୍ତ ରହିଲେ ମନ ଭଲ ରହେ, ଖରାପ ଚିନ୍ତା ମନକୁ ଅଥୟ କରେ ନାହିଁ । ଏଥିପାଇଁ ମୁଁ ମନା କରୁନାହିଁ । ତା’ ବୋଉ କିନ୍ତୁ ଏବେ ବି ଆପତ୍ତି କରୁଛନ୍ତି । ତାଙ୍କ ମତରେ ଝିଅର ସ୍ଥାନ ବାପ ବା ଶ୍ୱଶୁର ଘର ।

 

–ଠିକ୍ କହିଛନ୍ତି ସେ । ମୋ ମତ ବି ସେୟା । ଆପଣମାନେ ପଢ଼ୁଆ ବୁଦ୍ଧିଆ ଲୋକ.... ଆପଣମାନଙ୍କର ବିଚାର କିନ୍ତୁ ଆମଠାରୁ ଅଲଗା । କହିଲେ ଭରତ ପାଟଯୋଶୀ ।

 

ଗୌତମ କହିଲେ, ଶକୁନ୍ତଳା ଏ ଘରର ଝିଅ ଏବଂ ପୁଅ ଉଭୟ । ଛଅଟା ନୁହେଁ କି ନଅଟା ନୁହେଁ । ତାହାରି ଭଲ କଥା ଭାବିବାକୁ ଯାଇ ଦୁନିଆର ଭଲ ମନ୍ଦ ସବୁ ଭାବିବାକୁ ହୁଏ ।

 

ସେଦିନର ଭାବନା ବି ଛିଡ଼ିଲା ନାହିଁ । ବାପାମାଆଙ୍କର ଭାବନା କେବେ ଛିଡ଼େ ନାହିଁ । କିଏ ଯେପରି ଅଛିଡ଼ା ଗଣ୍ଠି ପକେଇ ଦେଇଛି । ଝିଅ ଥିଲେ ପ୍ରସ୍ତାବ ଆସେ, ଲୋକ ଆସନ୍ତି, ଖାଇବାପିଇବା ହୁଏ । ପୁଣି ଯେଝାଘରକୁ ଫେରି ଯାଆନ୍ତି । ବାହାଘର ହୁଏ ନାହିଁ । କୋଉଠି ଦବା ନବା ଉପରେ କଥା ଭାଙ୍ଗିଯାଏ ତ ଆଉ କୋଉଠି ଝିଅକୁ ଦଶଥର ଦେଖି ବି ନାକଟା ଚେପଟା ନ ହୋଇ ଆଉଟିକେ ଉଠିଥିଲେ ଭଲ ହୋଇଥାଆନ୍ତା ମତ ଦେଇ ପରେ ବିଚାର କରି କହିବା ଲାଗି ସମୟ ନେଇ ପୁଅଘର ଲୋକ ଫେରିଯାଆନ୍ତି ଯେ ଅନିଶା କରି କରି ଆଖିରୁ ପାଣି ମରେ । ଝିଅର ବାପ ମା’ ହୋଇ ଜୀବନଯାକ ତାର ଭଲମନ୍ଦର ବୋଝ ବୋହି ଚାଲିବାହିଁ ସୃଷ୍ଟିର ନିୟମ । ପୁଅର ମାଙ୍କଡ଼ ମୁହଁ କି କୁକୁର ଚରିତ୍ରର ବିଚାର ହୁଏ ନାହିଁ କି ହବ ନାହିଁ । ପୁରୁଷ ପ୍ରଧାନ ସମାଜରେ ଦଶଟା ମାଇକିନିଆ ରଖିବା ପୁଅର ଯୋଗ୍ୟତା ବୋଲି ବିବେଚିତ ହୁଏ ସିନା, ତାକୁ କେହି ଏକଘରିଆ କରନ୍ତି ନାହିଁ, ସମାଜରୁ ତଡ଼ି ଦିଅନ୍ତି ନାହିଁ । ଝିଅ ଦିହରେ ହାତ ବାଜିଗଲେ ସେ ହୁଏ ପତିତା । ଏଇ ସମାଜଟାକୁ ଝିଅମାନେ ତ ଗଢ଼ିନାହାନ୍ତି, ଗଢ଼ିଛନ୍ତି ପୁଅମାନେ । ସେଇ ପୁଅମାନେ ଖେଳିବେ, ଗୋଲ୍ ଦେବେ ପୁଣି ଗୋଲ୍ ବି ଖାଇବେ; କିନ୍ତୁ ଝିଅମାନେ ଫୁଟ୍‌ବଲ ପରି ପଡ଼ୁଥିବେ, ନିଜର ଗତିଦ୍ୱାରା ନୁହେଁ ପୁରୁଷର ଗୋଇଠା ମାଡ଼ ଖାଇ ଖାଇ ।

 

ଆହା ! ଝିଅଜନମ ନ ହୋଇ ବଗିଚାର ଫୁଲଟିଏ କି ଘରଚଟିଆଟିଏ ଜନମ ହୋଇଥାଆନ୍ତା କି ଶକୁନ୍ତଳା ! ଗୌତମ ଆଉ ଭାବିପାରନ୍ତି ନାହିଁ । ସୀମାହୀନ ଭାବନା ରାଜ୍ୟରେ ଦିଗଭ୍ରଷ୍ଟ ହୋଇ ଦରାଣ୍ଡି ବୋଲନ୍ତି ଗୌତମ ଘୂର୍ଣ୍ଣିବାୟୁରେ ଦିଗହରା ହୋଇ ଯିମିତି ଘୂରିବୁଲେ ଶୁଖିଲା ପତରଟିଏ ।

 

କେତେବେଳେ ଏହିପରି ଏକା ଏକା ବସିଥାଆନ୍ତେ, ନିଜର ଚିନ୍ତାକୁ ନେଇ ଶକୁନ୍ତଳା କିନ୍ତୁ ତାଙ୍କୁ ହଲାଇଦେଇ କହିଲା, କେତେବେଳ ହେଲାଣି ଦେଖିଛ ବାପା, ବଢ଼ା ସରିଲାଣି ଯେ, ଆସ ।

 

ଗୌତମ ଯିମିତି ଅଘୋର ନିଦରେ ଶୋଇଥିଲେ । ଧଡ଼୍‌ପଡ଼୍ ଉଠିପଡ଼ି କହିଲେ, କଥାଭାଷା କରୁ କରୁ ମୁଁ ହଜିଯାଇଥିଲି ନିଜ ପାଖରେ । ନିଜେ ନିଜର ଦୂରତ୍ୱ ହୋଇ ଚେଷ୍ଟା କରୁଥିଲି ସେଇ ଦୂରତ୍ୱକୁ ମାପିବା ପାଇଁ । ଆହା, କେତେବେଳ ହେଲାଣି ସତରେ ! ଉଠ ଉଠ ପାଟଯୋଶୀ, ହାତ ଧୁଅ, ବଢ଼ା ସରିଲାଣି ।

 

ଭରତ ପାଟଯୋଶୀ ହଁ କି ନା ପଦେ ଶୁଣିବାଲାଗି ଅନେଇଥିଲେ ଏ ଯାଏ । କିମିତି ଅଜବ ମଣିଷ ଏଇ ଗୌତମ ଜେନା କେଜାଣି.... ବସି ବସି ଗପିଲେ, ପୁଣି ଗପୁ ଗପୁ ନିଜ ପାଖରେ ନିଜେ ହଜିଯାଇ ଇମିତି ଚୁପ୍‌ଚାପ୍‌ ଧୀରସ୍ଥିର ହୋଇଗଲେ ଯେ ଭରତ ପାଟଯୋଶୀଙ୍କୁ ଲାଗୁଥାଏ ଯେପରି କୋଉ ଅଜଣା ଅଚିହ୍ନା ଜାଗାକୁ ଆସି ସେ ବସିଯାଇଚନ୍ତି କାହା ଘରେ । ଏଇ ଗୌତମ ଜେନାଙ୍କୁ ସାଧାରଣ ଲୋକେ ସେଥିପାଇଁ ଚିହ୍ନିପାରନ୍ତି ନାହିଁ । ସମସ୍ତେ କହନ୍ତି କେଡ଼େ ସାଧୁ ସଚ୍ଚୋଟ ସରଳ ।

 

ଖିଆପିଆ ସରିଲା । ଅମୃତ ପରଷିଲେ ସରଳା; ଆଉ ଥାଳିରେ ଦବାବେଳେ କହିଲେ, କିଏ କଅଣ ରାନ୍ଧିଛି । ଶକୁନ୍ତଳାର ହାତ ଯଶ ଆଉ ଘର ଭିତରେ ବନ୍ଦୀ ହୋଇ ରହିଲା ନାହିଁ । ପାଠ ଆଉ ଶାଠ ଦୁଇଟି ବିଦ୍ୟାରେ ସେ ଏଡ଼େ ସୁନିପୁଣା ଏଇ ପ୍ରଥମ ଜାଣିଲେ ଭରତ ପାଟଯୋଶୀ ।

 

ହାତ ଧୋଇ ଗାମୁଛାରେ ମୁହଁପୋଛି ପାନ ଖଣ୍ଡେ ପାଟିରେ ପୂରେଇ କହିଲେ, ଲକ୍ଷ୍ମୀପ୍ରତିମା ୟା’କୁହିଁ କହନ୍ତି । ଯାହା ଘରକୁ ଯିବ ଧନ୍ୟ ହୋଇଯିବେ ସେମାନେ । ଭଗବାନ କରନ୍ତୁ ମୋହରି ମଧ୍ୟସ୍ଥତାରେ ଶୁଭକର୍ମ ସମ୍ପୂର୍ଣ୍ଣ ହେଉ... ।

 

ସରଳା କହିଲେ, ତୁମ ତୁଣ୍ଡରେ ଫୁଲଚନ୍ଦନ ପଡ଼ୁ ପାଟଯୋଶୀ । ଝିଅକୁ ତ ଦେଖିଲ, ତା’ ହାତର ରନ୍ଧଣା ଖାଇଲ । କିଛି ଲୁଚାଛପା ନାହିଁ, ଝିଅ ତ ତୁମ ଆଗରେ ଛିଡ଼ାହୋଇଛି... ୟାକୁ ଚାହିଁ ପୁଅଟିଏ ପାଇଲେ ଆମେ ଧନ୍ୟ ହବୁ... ତୁମ ତୁଣ୍ଡ ସୁତୁଣ୍ଡ ହବ ।

 

ଶକୁନ୍ତଳା ଲଜ୍ୟାରେ ପଳାଇଗଲା ସେଠାରୁ । ବାପା ବୋଉଙ୍କର ବୋଧେ ଆଉକିଛି ଚିନ୍ତା ନାହିଁ । ସବୁବେଳେ ସେଇ ଗୋଟିଏ କଥା । ଝିଅ ବାହାଘର । ଶୟନେ ସ୍ୱପନେ ଜାଗରଣେ ସେଇ ଗୋଟିଏ ଭାବନା ।

 

ଶକୁନ୍ତଳା ଚାଲିଯିବା ପରେ କହିଲେ ପାଟଯୋଶୀ, ମୁଁ ତ ଯାହା କହିବାର କହିଗଲି, ଆଉ ବିଳମ୍ବ ନ କରି କିଛି ପଦେ କହିଲେ ଜଣେଇ ଦେବି ତାଙ୍କୁ । ବାବାଜି ମହାରାଜ ନିଜେ ଆସିଥିଲେ ଏଥିପାଇଁ । ମୁଁ ଆସିନି ଯେ ସେ ନିଜେ ଆସିଚନ୍ତି କୁହନ୍ତୁ ।

 

ସରଳା ସ୍ୱାମୀଙ୍କ ମୁହଁକୁ ଚାହିଁ ରହିଗଲେ । ତାଙ୍କ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ ଏଇ ଟିକେ ଆଗର ମଣିଷଟି ଏଇ କେଇ ମୁହୂର୍ତ୍ତ ମଧ୍ୟରେ କେତେ ବଦଳି ଯାଇଚନ୍ତି ସତରେ ! ଚିହ୍ନି ହଉନାହିଁ । ନିଆଁ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି । କୂଳକିନାରା ଠିକ୍ କରି ନପାରି ମହାନଦୀର ମଝି ସୁଅରେ ଭାସୁଥିବା ଦିଗହଜା ନଉକାଟିଏ । ଗୌତମ ଜେନା ସବୁ କାମକୁ ଆଗ । କେତେ ଜଟିଳ ପ୍ରଶ୍ନର ସମାଧାନ କରିବାଲାଗି ଲୋକ ଆସନ୍ତି ତାଙ୍କ ପାଖକୁ । କେତେ ସନ୍ଦେହର ଅବସାନ କରନ୍ତି ସେ । ଏଇନେ କିନ୍ତୁ ସେ କେଡ଼େ ନିଃସହାୟ । ନିଜପାଖରେ ହାରିଯାଉଥିବା କେଡ଼େ ଅସହାୟ; ଅରକ୍ଷିତ ମଣିଷଟିଏ ! ହାୟରେ କପାଳ ! ଏଇ ପୁଣି ଗୋଟିଏ ପରିବାରର ହର୍ତ୍ତାକର୍ତ୍ତା ।

 

ଗୌତମଙ୍କ ମୁହଁରୁ କଥା ବାହାରୁ ନ ଥାଏ ।

 

କେତେ ପ୍ରଶ୍ନ ଖେଳୁଛି ମନରେ, କେତେ ସନ୍ଦେହ ଜାଗୁଚି ଅନ୍ତରରେ । ବିଭୁପଦ କୁଆଡ଼େ ବାଗ ନ ମାନି ଅମଣିଆ ପଶୁପରି ଦଉଡ଼ୁଛି ଦାଣ୍ଡରେ । କୋଉ ଇଞ୍ଜିନିଅର ସ୍ତ୍ରୀ କୁଆଡ଼େ ତାର ସାଙ୍ଗ । ସେ କୁଆଡ଼େ କାହାଣୀ ଲେଖେ ବିଭୁପଦକୁ ଦେଖି । ସେଇଠି ନିଜକୁ ବିକିଦେଇଛି ବିଭୁପଦ । ସେଇ ପର ସ୍ତ୍ରୀର କାହାଣୀ ବହି ଛାପିବା ପାଇଁ କଟକକୁ ସପ୍ତାହକୁ ଥରେ ଯାଏ ବିଭୁପଦ । କଥା ସେଇଠି ଅଟକି ରହିନାହିଁ । କୋଉ ସ୍କୁଲର ଶିକ୍ଷୟିତ୍ରୀ ସେ । ନାମଟି ତାର ସୁନନ୍ଦା-। ସେ କୁଆଡ଼େ ଗଦ ଶୁଙ୍ଘେଇ ଦେଇଚି ଯେ ବିଭୁପଦ ତାହାରି କଥାରେ ଉଠ୍‌ ବସ୍‌ ହୁଏ । ଦେଶୀ ମଦ ଛୁଏଁ ନାହିଁ ସତ, ସାଙ୍ଗ ମେଳରେ ବିଲାତି ମଦ ପିଏ ବୋଲି ଖବର ରଖିଛୁ । ଏଇଟା କୁଆଡ଼େ ନୂଆ ଆଭିଜାତ୍ୟ ସମ୍ଭ୍ରାନ୍ତପଣିଆ ।

 

ବିଭୁପଦ ଅଧିକରୀ ସରଳ ସହଜ ବ୍ୟକ୍ତି ନୁହେଁ, ପ୍ରବଳ ପରାକ୍ରମଶାଳୀ ପୁରୁଷ । ଦେଶବନ୍ଧୁ ହରିପଦ ଅଧିକାରୀଙ୍କର ଉତ୍ତରାଧିକାରୀ ଏବଂ ଏଇ ଖଣ୍ଡମଣ୍ଡଳର ଭାବୀ ଭାଗ୍ୟବିଧାତା-

 

କାହାର ଛାଇ ଦେଖି ଚମକି ପଡ଼ିଲେ ଗୌତମ ଜେନା । ତାଙ୍କୁ କିଛି ପଦେ କହିବାପାଇଁ ପ୍ରବର୍ତ୍ତେଇବା ଲାଗି କହିଲେ ସରଳା, ପାଟଯୋଶୀ ଅପେକ୍ଷା କରୁଛନ୍ତି, କିଛିଗୋଟେ କହିଦିଅ ତାଙ୍କୁ-

 

ଗୌତମ ଚେଷ୍ଟା କରି ବି କିଛି କହିପାରିଲେ ନାହିଁ । ମନ ଭିତରେ ଉଠିଥିବା ଜଟିଳ ପ୍ରଶ୍ନଗୁଡ଼ାର ଉତ୍ତର ଦେଇପାରିଲେ ନାହିଁ । ସେ ନିଜକୁ ଅସହାୟ ମଣୁଥିଲେ ।

 

ଶକୁନ୍ତଳା ସହାୟ ହବାପରି ଦଉଡ଼ି ଆସି କହିଲା, ମୁଁ ଚାକିରି ପାଇଛି ବାପା, ନରୁଭାଇ ଏଇ କାଗଜଟା ଏଇନେ ଦେଇଗଲେ ମୋ ହାତରେ... ।

 

ନରୋତ୍ତମ ଆସିଥିଲା ? ଅସ୍ପଷ୍ଟ ଭାବରେ ପଚାରିଲେ ଗୌତମ ।

 

ହଁ, ହଁ, ତର ତର ହୋଇ ଚାଲିଗଲେ । କଅଣ ଜରୁରୀ କାମ ଅଛି ଗୁରୁଜଙ୍ଗରେ । ଫେରିବାବେଳେ ଏଇବାଟେ ଫେରିବେ ।

 

ଭରତ ପାଟଯୋଶୀ କାଖରେ ବସ୍ତାନି ଜାକି ପୁଣି ପିଣ୍ଡା ଉପରୁ ତଳକୁ ଗୋଡ଼ ବଢ଼ାଉଥିବାବେଳେ କେନ୍ଦେରା ବଜାଇ ବଜାଇ ଯୋଗୀଟିଏ ଗାଉଥିବାର ଶୁଣିଲେ–।

 

‘‘ପଥ ପଚାରି ପିତା ଘରକୁ ଯିବୁ

ଆଉ ଅଯୋଧ୍ୟା କେବେ ନ ଫେରିବୁ.... ।’’

 

କାହାର ଗୀତ କିଏ ଗାଉଚି କେଜାଣି । ବଡ଼ ଅଡ଼ୁଆ ଲାଗିଲା ଭରତ ପାଟଯୋଶୀଙ୍କୁ । ତାଙ୍କୁ ଲାଗିଲା ଯେପରି ତାଙ୍କୁ ଉପଲକ୍ଷ୍ୟ କରି ଗୀତ ଗାଉଛି ଯୋଗୀ ।

 

ସେ କହିଲେ, ହଉ, ଯାହା ଦେଖିଲି ଶୁଣିଲି କହିବି... ଆଉଟିକେ କିନ୍ତୁ ଭାବିଥିଲେ ଭଲ ହୋଇଥାଆନ୍ତା ଆଜ୍ଞା ।

 

ଗୌତମ ହଠାତ୍ ରାଗିଯାଇ କହିଲେ, ଆଉ ଭାବିବାକୁ ସମୟ ନାହିଁ ପାଟଯୋଶୀ । ଅନେକ ଭାବିଛି । ଏ ବାହାଘର ହୋଇପାରିବ ନାହିଁ ।

 

ଗ୍ରାମ ବିକାଶ ପରିଷଦର ପ୍ରଥମ ବୈଠକ ଦଳେଇ ବନ୍ଧ ଉପରେ ବସି ସେଥିରେ ନରୋତ୍ତମକୁ ପରିଷଦର ସଭାପତି ନିର୍ବାଚିତ କରାଗଲା । ନାହିଁ ନାହିଁ କରୁଥିଲା ନରୋତ୍ତମ । କିନ୍ତୁ ଶେଷରେ ହରିଯୋଗୀ କହିଲେ, ମୁଁ ତ ତୋ ମାୟା ଛାଡ଼ି ଆଉ ଯାଇ ପାରିଲିନିରେ ନରୁ । ପରମଙ୍କୁ ଖୋଜୁ ଖୋଜୁ ତୋହରି ପାଖରେ ପାଇଲି ତାଙ୍କୁ । ସେ ସର୍ବବ୍ୟାପୀ, ସବୁରି ପାଖରେ । କିନ୍ତୁ ତୋହରି ମୁହଁ ଦେଇ ସେ କଥା କୁହନ୍ତି, ତୋହରି ହାତର କାମରେ ତାଙ୍କର କଲ୍ୟାଣ ଝରିପଡ଼େ ଏଇ ପୃଥିବୀରେ... । ତୁ ଆଉ ମନା କରନା ବାପ, ରାଜି ହୋଇ ଯା.... ।

 

ନରୋତ୍ତମ କିଛି କହିବା ପୂର୍ବରୁ କହିଲା ନବୀନ, ଯୋଗୀ ମହାରାଜଙ୍କ କଥାର ଅନ୍ୟଥା ହବନାଇଁ । ନରୋତ୍ତମ ଆମର ସଭାପତି । ସେ ଆମର ନେତା । ସମସ୍ତେ କରତାଳି ଦେଇ ସମର୍ଥନ କଲେ ନବୀନର କଥାକୁ । ଦାମମାଳୀ, ଯୁଧିଷ୍ଠିର, ଶଙ୍କରା ଗଉଡ଼, ପାଟ ଧୋବଣୀ ସମସ୍ତେ ସମସ୍ୱରରେ କହିଲେ, ନରୋତ୍ତମ ଆମର ନେତା, ଆମର ସଭାପତି ।

 

କରତାଳି ଏବଂ ଜୟ ଧ୍ୱନୀରେ କମ୍ପି ଉଠିଲା ସଭାସ୍ଥଳ । ହରିଯୋଗୀ କେନ୍ଦେରାରେ ସ୍ୱର ଦେଇ ସେଇ ପରିଚିତ ଭଜନଟି ଗାଇଲେ–ତୋର ଡାକ ଶୁନେ ଯଦି କେଉ ନ ଆସେ ତବେ ଏକଲା ଚଲୋରେ... ।

 

ନରୋତ୍ତମ କେବେ ନେତା ହବାପାଇଁ ଚାହିଁ ନ ଥିଲା । ସେ କର୍ମୀଟିଏ ହବାଲାଗି ଚାହୁଁଥିଲା ମନରେ । କିନ୍ତୁ ସେମାନେ ତା’ କଥା ଶୁଣିଲେ ନାହିଁ । ତାକୁ ଏକାବେଳେ ସଭାପତି କରିଦେଇ ନେତା ପଦରେ ବସେଇ ଦେଲେ । ଦେଶରେ ନେତାମାନଙ୍କର ସଂଖ୍ୟା ବଜାର ଦର ପରି ଇମିତି ହୁ ହୁ ହୋଇ ବଢ଼ୁଛି ଯେ ନେତା ହବାକୁ ଇଚ୍ଛା ହୁଏନି । ନେତାଙ୍କ ସଂଖ୍ୟା ତ କର୍ମୀଙ୍କ ସଂଖ୍ୟାଠାରୁ ବି ବେଶୀ । କାମ କରିବା ଲାଗି ନିରୋଳା କର୍ମୀଟିଏ ହୋଇ ରହିବା ଭଲ । କିନ୍ତୁ ସଚ୍ଚାକର୍ମୀ ଆଉ ନାହାନ୍ତି ଦେଶରେ । ଅଭିଳାଷ ବଢ଼ିବା ସଙ୍ଗେ ସଙ୍ଗେ କ୍ଷମତା ଲୋଭ ବି ବଢ଼ୁଚି । ସମାଜ କଲ୍ୟାଣ କାର୍ଯ୍ୟରେ ସନ୍ତୋଷ ଥାଇପାରେ; କିନ୍ତୁ ସେଥିରେ ନା ଅଛି କ୍ଷମତା, ନା ଅଛି ପ୍ରତିପତ୍ତି । କ୍ଷମତାହିଁ ସବୁ ଆକର୍ଷଣର ଉତ୍ସ । ସେଥିପାଉଁ କ୍ଷମତା ଦଖଲ କରିବାଲାଗି ଏତେ ପ୍ରତିଯୋଗିତା, ଏତେ ଗଳା କଟାକଟି । ନିଜର ଅନିଚ୍ଛା ସତ୍ତ୍ୱେ ନେତା ହୋଇ ଦଳେଇ ବନ୍ଧ ଉପରୁ ନଦୀ ଉପରକୁ ଅନେଇଲା ନରୋତ୍ତମ । ନଦୀର ପ୍ରବାହ ପରି ଏଇ ଜୀବନ–କେବଳ ଆଗକୁ ବଢ଼ିବାହିଁ ତାର ଧର୍ମ । ଜୀବନ ଗୋଟିଏ ବିନ୍ଦୁରେ ରହିଯିବା ଅର୍ଥ ମୃତ୍ୟୁକୁ ବରଣ କରିବା । ନଦୀର ସ୍ରୋତ ଠେଲି ଆଗେଇ ଆସୁଛି ଡଙ୍ଗା । ନବୀନା ଆଜି ଯାଇନାହିଁ, ତା ସାଙ୍ଗ ଯାଇଛି । ଏଇ ନଦୀକୁ ଦେଖିଲେ ନରୋତ୍ତମ ନିଜକୁ ଭୁଲିଯାଏ ।

 

ସୃଷ୍ଟିର ଆଦିକାଳରୁ ବହୁଛି ଏଇ ମହାନଦୀ, କାଠଯୋଡ଼ି, ବିରୂପା, ଦୟା, ଭାର୍ଗବୀ, ଖରସ୍ରୋତା, ଋଷିକୂଲ୍ୟା, ପ୍ରାଚୀ, ଚିତ୍ରୋତ୍ପଳା, ମହେନ୍ଦ୍ର ତନୟା, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଏବଂ ବୈତରଣୀ । ନଦୀ ମାତୃକା ଦେଶ ଓଡ଼ିଶା । ଆହୁରି କେତେ ନଦୀ ଉପନଦୀ ପ୍ରବାହିତ ହୁଅନ୍ତି ଏଇ ରାଜ୍ୟରେ । ଯୁଗ ଯୁଗ ଧରି ନିଜକୁ କେବଳ ସମର୍ପଣ କରିଛି ନଦୀ । ସେଇ ସମର୍ପଣ ନିଃସ୍ୱାର୍ଥ, ସର୍ତ୍ତହୀନ । ସାଇଥିରୁ ସେ ପାଇଛି ଆନନ୍ଦ, ବ୍ୟାପ୍ତି ଏବଂ ପୂର୍ଣ୍ଣତା । ନଦୀର କୂଳେ କୂଳେ ଗଢ଼ିଉଠିଛି ଜନବସତି, ବଢ଼ିଛି ବନସ୍ପତି, ହସିଉଠିଛି ସବୁଜ ଶ୍ୟାମଳ ଶସ୍ୟକେଦାର, ସ୍ରୋତସ୍ୱିନୀର ସଙ୍ଗୀତ ଜୀବନକୁ ଉଦାର କରିଛି ।

 

ଏଇ ନଦୀ ପୁଣି କେବେ କିପରି ଭୀମ ଭୟଙ୍କରୀ । କୂଳ ଭାଙ୍ଗି ଜନପଦ, କୃଷିକ୍ଷେତ୍ର, ଅରଣ୍ୟ ସବୁ ଧୋଇନେଇ ଯାଇଛି ଅନେକଥର । ମଣିଷର କେତେ ସ୍ୱପ୍ନ, କେତେ ଆଶା ବାଲିଚର ତଳେ ପୋତି ହୋଇଯାଇଛି ସବୁଜ ଧାନକ୍ଷେତ ପରି ।

 

ନରୋତ୍ତମକୁ ହଲେଇଦେଇ କହିଲା ନବୀନା, ଏତେ ଭାବୁଛ କ’ଣ ନରୁଭାଇ... ତମେ ନ କଲେ ଏ କାମ ଆଉ କାହାଦେଇ ହବ ଯେ... ।

 

ହରିଯୋଗୀ ଗୀତ ଗାଇସାରି ଥାଆନ୍ତି ସେତେବେଳକୁ । ମଣିଷ ଏକା ଆସିଛି, ଏକା ଯିବ । ଏଇ ସମାଜଟି କିନ୍ତୁ ଏକା ରହିବାପାଇଁ ତିଆରି ହୋଇ ନାହିଁ । ଏଠାରେ ଏକା ନୁହେଁ ଅନେକ ରହନ୍ତି । ସେଇ ଅନେକଙ୍କ ସହିତ ମିଶିଯାଇ ପାରିଲେ ସମାଜ ସମୃଦ୍ଧ ହୁଏ । ନିଜର ସୁଖ ଓ ସମ୍ପଦକୁ ଏକା ଭୋଗ ନ କରି ସମସ୍ତଙ୍କୁ ଯଦି ଭାଗ ବସାଇବା ପାଇଁ ଡାକନ୍ତା ମଣିଷ, ତା’ହେଲେ ଏତେ ସଂଘର୍ଷ, ଏତେ ଅଶାନ୍ତି ରହନ୍ତା ନାହିଁ ପୃଥିବୀରେ । କିଏ ଖିରିଖେଚେଡ଼ି ଖାଇ ଅତ୍ୟଧିକ ଖାଦ୍ୟ ଖାଇ ବେମାର ପଡ଼ୁଥିବାବେଳେ ଖାଦ୍ୟ ନ ଖାଇ ବା ଅଖାଦ୍ୟ ଖାଇ ଅନେକ ବେମାର ପଡ଼ନ୍ତି । ଏଇ ସମାଜର ବୈଷମ୍ୟ ମଣିଷଦ୍ୱାରା ସୃଷ୍ଟି ହୋଇଛି, ସେଇ ବୈଷମ୍ୟକୁ ଅନ୍ତର କରି ପାପର ପ୍ରାୟଶ୍ଚିତ କରିବା ମଣିଷର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଦୁଃଖ ଓ ଦାରିଦ୍ର୍ୟ ପ୍ରାରବ୍‌ଧ ବୋଲି ନିରୂପାୟ ହୋଇ ବସି ନରହି ତାକୁ ହ୍ରାସ କରିବାପାଇଁ ଲାଗିବାକୁ ହବ । ଭଗବାନ ମର୍ତ୍ତ୍ୟକୁ ଓହ୍ଲେଇ ଆସି ଏହି କାମ କରିବେ ନାହିଁ, ମଣିଷକୁ କରିବାକୁ ହେବ । ଅନ୍ୟର ଦୁଃଖରୁ ଭାଗ ନେଇ ନିଜର ସୁଖରୁ ତାକୁ କିଛି ଦବାକୁ ହେବ ।

 

ହରିଯୋଗୀ ନିଜର ଦୁଃଖକୁ ନିଜ ଭିତରେ ସାଇତି ରଖି ସୁଖ ବାଣ୍ଟିବା ପାଇଁ ଗୀତ ଗାଆନ୍ତି, ଇଶ୍ୱରଙ୍କ କଥା କହନ୍ତି, ଆଉ ମଣିଷକୁ ଉଦ୍ଧାର କରିବା ଲାଗି ନିଜକୁ ନର୍କକୁ ଠେଲି ଦେଇଥିବା ଅନ୍ଧ କବି ଭୀମଭୋଇଙ୍କ କଥା କୁହନ୍ତି । ତାଙ୍କ ମୁହଁର ବଚନ ଅମୃତ ହୋଇ ଝରିପଡ଼େ-। ଲୋକ କହନ୍ତି, ହରିଯୋଗୀ ପରି ନିର୍ମାୟା, ନିର୍ମଳ ମଣିଷଟିଏ ହୋଇପାରନ୍ତା କି ମଣିଷ ?

 

ନରୋତ୍ତମର ପିଠିରେ ହାତ ରଖି କହିଲେ ହରିଯୋଗୀ, ଏଥର ଚାଲ କାମରେ ଲାଗିବା-। ଏତେ କାମ ପଡ଼ିରହିଛି ଚାରିଆଡ଼େ, ଆଉ କାମ କରିବାର ସମୟ ଏତେ ଅଳ୍ପ ଯେ ମୋର ଆଶଙ୍କା ହୁଏ କାଳେ ଆମେ ଅଟକିଯିବା କୋଉଠି, କାମଗୁଡ଼ା ପଡ଼ିରହିବ ସେପରି । ସେଥିପାଇଁ ଶ୍ରୀମା ପରା କହିଥିଲେ–କଥା ନୁହେଁ–କାମ ।

 

ନରୋତ୍ତମ କହିଲା, ସମସ୍ତଙ୍କ ସ୍ନେହ ଶ୍ରଦ୍ଧାହିଁ ମୋର ସମ୍ପତ୍ତି । ତୁମ୍ଭମାନଙ୍କର ଅଗାଧ ବିଶ୍ୱାସହିଁ ମୋର ବଳ । ମୁଁ ତ ଉତ୍ସର୍ଗ କରିଦେଇଛି ନିଜକୁ । ଗ୍ରାମର ରକ୍ଷା ଓ ବିକାଶ ସହରକୁ ଯାଇ କରିହବ ନାହିଁ, ଗ୍ରାମର କଲ୍ୟାଣ ଗ୍ରାମରେ ରହି କରିବାକୁ ହବ । ସହର ବସୁଛି ବସୁ, ସହର ବଢ଼ୁଛି ବଢ଼ୁ, ଆମେ ତାର ବିରୋଧ କରୁନାହୁଁ; କିନ୍ତୁ ଗ୍ରାମ ବି ବଢ଼ୁ, ଗ୍ରାମର ଉନ୍ନତି ହେଉ, ଗ୍ରାମର ଲୋକ ନିରୋଗ, ନିରାମୟ ହୁଅନ୍ତୁ । ସେମାନଙ୍କୁ ସାକ୍ଷର ହବାପାଇଁ ସୁଯୋଗ ମିଳୁ, ନିର୍ମଳ ପାଣି ପିଇବାର ସୁବିଧା ମିଳୁ, ଆଉ ରୋଗର ଚିକିତ୍ସା କରିବା ଲାଗି ବ୍ୟବସ୍ଥା ହେଉ ।

 

ଯେଉଁ କେତେଜଣ ଠୁଳ ହୋଇଥିଲେ ସେଠାରେ ଶପଥ ନେଲେ ନିଜ ନିଜର କାମସାରି ସମାଜର କଲ୍ୟାଣ ପାଇଁ ବି କିଛି କାମ କରିବେ, ନିଜର ସମୟ ଓ ସଞ୍ଚୟରୁ କାଟି ଅନ୍ୟମାନଙ୍କ ପାଇଁ କିଛି ରଖିବେ ।

 

ସଭା ଭଙ୍ଗ ହବାବେଳକୁ ଧଇଁସଇଁ ହୋଇ ଆସି ପହଞ୍ଚିଲା ଚଇତନ । ନବୀନାର ଖୁଡ଼ୁନାପୁଅ ଭାଇ । ଗାଁର ଫୁଟ୍‌ବଲ ଟିମ୍‌ର କ୍ୟାପ୍‌ଟେନ । ମାଇନର ପର୍ଯ୍ୟନ୍ତ ପଢ଼ିଥିଲା, ଆଉ ପଢ଼େଇ ପାରିଲା ନାହିଁ ବାପ । ଏବେ କନ୍ଦରପୁର ବଜାରରେ ପାଦୋକାନଟିଏ କରିଛି । ସେଥିରୁ ଯାହା ପାଏ, ସେଇଥିରେ କୁଟୁମ୍ବ ପୋଷେ ।

 

ଚଇତନକୁ ହଠାତ୍ ସେଠାରେ ଦେଖି କହିଲା ନରୋତ୍ତମ, କଅଣ କିରେ ଚଇତନ... ଏଡ଼େ ବିଳମ୍ବରେ ଆସୁଛୁ... ।

 

ଚଇତନ ଟିକେ ଫୁରୁସତ ନେଇ କହିଲା, ଭିଜିଲାନ୍‌ସ ତଦନ୍ତ ଆରମ୍ଭ ହୋଇଯାଇଚି ନରୁଭାଇ । ଆଜି ଶୁଣିଲି, ଆଉ ସଙ୍ଗେ ସଙ୍ଗେ ଧାଇଁଛି ତୁମକୁ କହିବା ପାଇଁ ।

 

କଅଣ ତଦନ୍ତ କରିବେ ସେମାନେ ? ପଚାରିଲେ ହରିଯୋଗୀ ।

 

ବନ୍ଧବାଡ଼ ମରାମତି ହୋଇନାହିଁ ବୋଲି ଅଭିଯୋଗ ହୋଇଥିଲା । ରାସ୍ତାଘାଟ ମରାମତି ନ କରି ସବୁ କରାଯାଇଛି ବୋଲି ରିପୋର୍ଟ ପଠେଇଥିଲେ କର୍ତ୍ତାମାନେ । ବନ୍ୟାପାଇଁ ଆସିଥିବା ସାହାଯ୍ୟ ବଣ୍ଟନରେ ହେରଫେର ବି ହୋଇଛି । ଶଳେ ବୁଝିବେ ଏଇନେ.... ।

 

ନବୀନ କହିଲା, ଏମାନେ ପଇସା ଦେଇ ସେମାନଙ୍କ ମୁହଁ ବନ୍ଦ କରି ଦେବେନି ତ ନରୁଭାଇ ?

 

ନରୋତ୍ତମ ଟିକିଏ ଭାବିଲା ଏବଂ ତାପରେ କହିଲା, ସେପରି ଚେଷ୍ଟା ଯେ ନ କରିବେ ତାହା ନୁହେଁ । କିନ୍ତୁ ଆମକୁ ସଜାଗ ରହିବାକୁ ହବ । କେହି ଆମର ଶତ୍ରୁ ନୁହେଁ । କିନ୍ତୁ ସତକଥା କହିବାକୁ ଡରିଲେ ଚଳିବ ନାହିଁ । ପ୍ରମାଣ ତ ସବୁଠି ପଡ଼ିରହିଛି; ଖାଲି ଆଖି ଖୋଲି ଦେଖିଲେ ହେଲା । କହିବାର ପ୍ରୟୋଜନ ହବନାଇଁ ।

 

ଚଇତନ କହିଲା, ଆଉ ଗୋଟେ କଥା । ସେ ଦିନ ଇଞ୍ଜିନିଅର ବାବୁମାନଙ୍କୁ ଅପଦସ୍ତ କରାଯାଇଛି, କର୍ତ୍ତବ୍ୟରେ ବାଧା ଦିଆଯାଇଛି ଏବଂ ମାରଧର କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ଥାନାରେ... ।

 

ସତ ? ଅବିଶ୍ୱାସ କରି କହିଲା ନରୋତ୍ତମ ।

 

ତୁମ ଆଗରେ ମିଛ କହିଲେ ମୋ ଜିଭ ଛିଡ଼ିପଡ଼ିବ ନରୁଭାଇ । ତୁମ ନାମରେ ଏତେଲା ଦିଆଯାଇଛି । ଥାନାବାବୁ ଭଲ ଲୋକ । କିନ୍ତୁ ସେ ସବାତଳରେ । ତାଙ୍କୁ ଉପରୁ ଚାପ ପଡ଼ୁଛି । କିଏ ସବୁ କଟକ ଭୁବନେଶ୍ୱର ଧାଁ ଧପଡ଼ କରୁଚନ୍ତି । ମୋର ତ ଅନୁମାନ ଏସବୁ ଶଳା ହରେକୃଷ୍ଣର ଲୀଳା ।

 

ଆହୁରି ବଡ଼ ବଡ଼ ଲୋକ ଅଛନ୍ତି ତା’ ପଛରେ ସେ ଚଇତନ । କହିଲେ ହରିଯୋଗୀ ।

 

–ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି... ମୁଁ କଅଣ ଜାଣିନି ସେକଥା । ବିଭୁବାବୁ ଭଲ ଲୋକ ହେବେ ବୋଲି ଭାବୁଥିଲୁ ଆମେ । କିନ୍ତୁ ବୁଡ଼ିଯିବା ଲୋକର ଗୋଡ଼ ସବୁବେଳେ ତଳକୁ ତଳକୁ... ।

 

ସେମାନଙ୍କୁ ଚୁପ୍ ହବାକୁ କହି କହିଲା ନରୋତ୍ତମ, ପର ଛିଦ୍ର ଖୋଜିବା ଆମର କାମ ନୁହେଁ । କିନ୍ତୁ ଲୋକଙ୍କର ବିପଦ ସମୟରେ ସେମାନଙ୍କର ନାମ କହି ଫାଇଦା ଉଠଉଥିବା ଲୋକଙ୍କୁ ମଧ୍ୟ ଚିହ୍ନି ରଖିବାକୁ ହବ । ଆଉ ମୋ ନାମରେ ଏତେଲା କି ମୋକଦ୍ଦମା କରନ୍ତୁ, ମୁଁ ଡରୁନି... । ଜିଅଲ ଯିବାକୁ ବି ପରୁଆ ନାହିଁ ।

 

ତୁମ ନାମରେ କେହି ମିଛ କଥା କହିଲେ ତା’ ଜିଭ କାଟି ଦେବିନି ନରୁଭାଇ... । ଉତ୍ତେଜିତ ହୋଇ କହିଲା ନବୀନ ।

 

ନବୀନର ପିଠିରେ ଥାପୁଡ଼ା ମାରି କହିଲା ନରୋତ୍ତମ, ମିଛକଥା କସ୍ମିନକାଳେ ସତ ହୁଏନିରେ ନବୀନ । ମିଛ ସବୁକାଳରେ ମିଛ । ସତ୍ୟର ଜୟ ଶେଷରେ ହେଲେ ବି ନିଶ୍ଚିତ... ।

 

ତାହାବୋଲି ସେମାନେ ଯାହାଇଚ୍ଛା ତାହା କହୁଥିବେ, ଗାଳିଗୁଲଜ କରୁଥିବେ, ଆମେ ଖାଲି ସହୁଥିବୁ.... । କହିଲା ନବୀନ ।

 

କେତେକଙ୍କୁ ସାରା ଜୀବନ ସହିବାକୁ ହୁଏ । ସୃଷ୍ଟିର ନିୟମ ଏହା । ସମସ୍ତେ ତ ସମାନ ନୁହଁନ୍ତି, କେହି ତ ପୁଣି ସହିବ । ଗଛକୁ ଦେଖ... ଦତ୍ତାତ୍ରେୟଙ୍କ କଥା ଶୁଣିନୁ... ଗଛ ବି ଗୋଟିଏ ଗୁରୁ... କେତେ ସହୁଛି କହିଲୁ... ଫଳ ଫୁଲ ପତ୍ର ଡାଳ ଦେଇ ବି ତ୍ରାହି ପାଉନି । ଶେଷରେ ଗଛ ପାଖରୁ ଉପକାର ପାଉଥିବା ଲୋକହିଁ ଚୋଟମାରେ ତା ମୂଳରେ... । ବୁଝେଇଲା ନରୋତ୍ତମ ।

 

ହେଲା ଯେ... ନରୁଭାଇ... ସବୁ ବୁଝିଲି । କିନ୍ତୁ ତୁମେ ସେଦିନ କହୁଥିଲ ଯେ ଅନ୍ୟାୟ କରିବା ଯେପରି ପାପ, ଅନ୍ୟାୟ ସହିଯିବା ମଧ୍ୟ କାପୁରୁଷତା... ଅଧର୍ମ... । କହିଲା ନବୀନ ।

 

ହଁ ଅନ୍ୟାୟ ସହିଯିବା ମଧ୍ୟ ଅଧର୍ମ । ଅନ୍ୟାୟର ପ୍ରତିବାଦ କରିବା, ପ୍ରତିରୋଧ କରିବା... କିନ୍ତୁ ସବୁ ହବ ଶାନ୍ତିପୂର୍ଣ୍ଣ ଭାବରେ... ଆଇନ ଅନୁସାରେ । କହିଲା ନରୋତ୍ତମ ।

 

ଆଇନ ସବୁ ବଡ଼ ଲୋକଙ୍କ ପାଇଁ ହୋଇଛି । ଆଇନ ଆମକୁ ସୁରକ୍ଷା ଦିଏ ନାହିଁ କି ଆମର ନ୍ୟାର୍ଯ୍ୟଦାବୀ ଦିଏନାହିଁ । କହିଲା ଯୁଧିଷ୍ଠିର ।

 

ଆଇନ ଯଦି ଆମ କାମରେ ନ ଲାଗେ ସେହି ଆଇନକୁ ବଦଳାଇ ଦବାର ଅଧିକାର ଆମର ଅଛି । କିନ୍ତୁ ଯେପର୍ଯ୍ୟନ୍ତ ସେହି ଆଇନ ବଦଳି ନାହିଁ, ତାହା ନ ମାନି ଆଇନ ଭାଙ୍ଗିଲେ ଅଶାନ୍ତି ଉପୁଜିବ, ସମାଜରେ ଅସ୍ଥିରତା ଦେଖାଦବ । କହିଲେ ନରୋତ୍ତମ ।

ନ୍ୟସ୍ତଭାବେ ଲୋକେ ତ ପୁରୁଣା ଆଇନର ଜଗୁଆଳି । ସେମାନଙ୍କୁ ସେଇ ଆଇନ ସୁଆଏ ବୋଲି ସେମାନେ ପରିବର୍ତ୍ତନ ଚାହାନ୍ତି ନାହିଁ । କହିଲେ ହରିଯୋଗୀ ।

ଆମେ ଚାହୁଁ, ଅଧିକାଂଶ ଲୋକେ ପରିବର୍ତ୍ତନ ଚାହାଁନ୍ତି । ଗଣତନ୍ତ୍ର ଶାସନ ଚାଲିଛି । ଆନ୍ଦୋଳନ କରିବାକୁ ହେବ, ଆଇନକୁ ବଦଳାଇବାକୁ ହେବ । ଏଇ ସମାଜ ବ୍ୟବସ୍ଥାକୁ ବି ବଦଳାଇବାକୁ ହେବ । ଶାନ୍ତିପୂର୍ଣ୍ଣ ପଦ୍ଧତି ଅନୁସରଣ କର । ତାହା ଯଦି ସଫଳ ନ ହୁଏ ଅନ୍ୟପନ୍ଥା ଅଛି... ।

ଶାନ୍ତିରେ କାମ ହବନି ନରୁଭାଇ । ଅନ୍ୟପନ୍ଥା ଧର । ଶାନ୍ତିରେ କାମ ହେଲାନି ବୋଲି ତ କଳ୍‌କି ଅବତାଇ ଆସୁଛନ୍ତି । ବାରହାତ ଖଣ୍ଡାରେ କାଟିବେ ପାପୀଙ୍କ ମୁଣ୍ଡ । କହିଲା ନବୀନ ।

ନରୋତ୍ତମ କହିଲା, ଧୈର୍ଯ୍ୟ ଧର–କାମ ତ ଏଇ ଆରମ୍ଭ ହୋଇଛି । ଭଲ ଭାବରେ ବୁଝିଶୁଝି ସବୁ କରିବାକୁ ହେବ । କିନ୍ତୁ ପରିବର୍ତ୍ତନ ଆଣିବାକୁ ହବ, କେହି ତାହା ବନ୍ଦ କରିପାରିବ ନାହିଁ । ଶାନ୍ତରେ ନ ଆସିଲେ ସଂଘର୍ଷଦ୍ୱାରା ଆସିବ ।

ଚଇତନ କହିଲା, କିନ୍ତୁ ପୁଲିସ ଆଗରେ ଆମେ ସତକଥା କହିବା, ଯାହା ଘଟୁଚି ସବୁ କହିବା । ସେମାନଙ୍କର ବି ଆଖି ଅଛି । ସେମାନେ ବି ଦେଖନ୍ତୁ କାମ ନ କରି କିପରି ସରକାରୀ ଟଙ୍କା ଲୁଟ୍ ହେଉଛି, ତାହା ଜାଣନ୍ତୁ ।

ନରୋତ୍ତମ କହିଲା, ତୋ କଥା ମାନିନେଲି । ଆମେ ଭିଜିଲାନ୍‌ସ ଲୋକଙ୍କୁ ସବୁ ଦେଖାଇବା, ପ୍ରମାଣ ତ ପଡ଼ିଛି ସବୁ ଜାଗାରେ । ସରଜମିନ କଲେ ସେମାନେ ଜାଣିପାରିବେ ।

ଠିକାଦାର ପ୍ରତାପରୁଦ୍ର ମହାନ୍ତି କହିବୁଲୁଛି ଯେ, ଯିଏ ଶତ୍ରୁତା କରିବ, ତାକୁ ସିଏ ଦେଖିନବ । କହିଲା ଚଇତନ ।

ହସିଦେଇ କହିଲା ନରୋତ୍ତମ, ଆମେ କାହାରି ଶତ୍ରୁ ନୋହୁଁ–ଶତ୍ରୁତା କରିବା ଆମର କାମ ନୁହେଁ ।

ଯିଏ ଭିଜିଲାନ୍‌ସ ପାଖରେ କିଛି କହିବ ତାର ଗଣ୍ଡିମୁଣ୍ଡ ଅଲଗା କରିଦବ ବୋଲି ତା’ଲୋକ ଡିଣ୍ଡିମ ପିଟୁଛନ୍ତି ! ଏଇ ଶଳା ହରେକୃଷ୍ଣ ତେଲ ମାଲିସ କରୁଛି । ସମସ୍ତଙ୍କର ଆଉ ଆମର ଚୁଗୁଲି ଗାଉଛି ସେମାନଙ୍କ ପାଖରେ । ଶଳାକୁ ଦେବି ଯେ ପାନେ, ଜୀବନଯାକ ସୁମରୁଥିବ-। କହିଲା ଚଇତନ ।

ନବୀନ ତାକୁ ସମର୍ଥନ କରି କହିଲା, ଏତେ ବଡ଼ ବିପଦବେଳେ ଶଳେ କଟକ ସହରରେ ମଜା ମାରୁଥିଲେ; ଆଉ ଯିମିତି ସରକାରୀ ସାହାଯ୍ୟ ମଞ୍ଜୁର ହେଲା ପଙ୍ଗପାଳ ପରି ଶଳେ ଦଉଡ଼ିଲେ ସାହାଯ୍ୟ କରିବାଲାଗି । ଏ ଶଳେ ଯଦି ସାହାଯ୍ୟ କରିବେ, ଲୋକଙ୍କୁ ରକ୍ଷା କରିବେ, ସେମାନଙ୍କୁ ଠକିବ କିଏ, ଭକ୍ଷିବ କିଏ ?

ସେମାନଙ୍କୁ ଶାନ୍ତକରି କହିଲା ନରୋତ୍ତମ, ସେମାନଙ୍କର କାମ ସେମାନେ କରନ୍ତୁ, ଆମକାମ ଆମେ କରିବା । କିନ୍ତୁ ସମସ୍ତେ ବିଶ୍ୱାସ ରଖ, ଗୋଟିଏ କଥାରେ ନ୍ୟାୟ ଓ ସତ୍ୟର ଜୟ ବିଳମ୍ବରେ ଆସିଲେ ମଧ୍ୟ ନିଶ୍ଚିତ ।

କହିଲେ ହରିଯୋଗୀ, ଅନ୍ୟାୟ ଅଧର୍ମ ବଢ଼ିଲେ ଇଶ୍ୱର ଅବତାର ହୋଇ ଆସନ୍ତି ଏଇ ପୃଥିବୀକୁ ଦୁଷ୍ଟ ଦଳନ କରିବାପାଇଁ । ସେ ଶୂନ୍ୟରେ ରହି କାମକରିବେ ନାହିଁ, ଆମକୁ ମାଧ୍ୟମ କରି ଆମରି ଭିତରେ ରହି କାମ କରିବେ । ଏଇ ନରୋତ୍ତମ ତାଙ୍କରି ସେନାପତି ବିଶ୍ୱାସ ରଖ ।

 

ହରିଯୋଗୀଙ୍କ ଆଖିରେ ଲୀଳା କରୁଥିଲା ବଶ୍ୱାସ ଏବଂ ଦୃଢ଼ତାର ଏକ ଝଲକ । ନରୋତ୍ତମ ଚାହିଁଦେଇ ଚମକି ପଡ଼ିଲା ।

 

ଶିକ୍ଷୟିତ୍ରୀ ପଦରେ ଯୋଗଦେବା ପରେ ସମସ୍ୟାର ସମାଧାନ ହୋଇଗଲା ବୋଲି ଭାବିଥିଲା ଶକୁନ୍ତଳା । କିନ୍ତୁ ସମସ୍ୟା ଆରମ୍ଭ ହବା ଦେଖି ସେ ଚକିତ ହୋଇଗଲା । ସେ ଅବଶ୍ୟ ଆଉ ବେକାର ନୁହେଁ, ନିଜ ଉପାର୍ଜନରେ ଚଳିବା ମଧ୍ୟ ସମ୍ଭବ; କିନ୍ତୁ ଅନ୍ନସଂସ୍ଥାନ ବ୍ୟବସ୍ଥା ତା’ପକ୍ଷରେ ବଡ଼ ନୁହେଁ, ବଡ଼ କଥା ହେଉଛି ବାପା ବୋଉଙ୍କୁ ଶାନ୍ତି ଦବା । ସେ ଚାକିରି କରିବା ପରେ ସେମାନଙ୍କର ଅଶାନ୍ତି ଯେ ବଢ଼ିଯାଇଛି ଏହା ମଧ୍ୟ ଜାଣିବାକୁ ଆଉ ବାକୀ ରହିଲା ନାହିଁ । କିନ୍ତୁ ଚାକିରି ଯେ ଅଶାନ୍ତିର କାରଣ ନୁହେଁ ଏହା ମଧ୍ୟ ସେ ବୁଝୁଥିଲା । କାରଣ ଅନୁସନ୍ଧାନ କରିବାକୁ ଯାଇ ଆବିଷ୍କାର କଲା ଯେ ଶକୁନ୍ତଳା, ଚାକିରିଟା ଉପଲକ୍ଷ୍ୟ ମାତ୍ର, ବିଭୁପଦ ସହିତ ତା’ର ବିବାହ ପ୍ରସ୍ତାବ ଭାଙ୍ଗିଯିବା ସବୁ ଅଶାନ୍ତିର ମୂଳ କାରଣ । ଶକୁନ୍ତଳା ମଣିଷ ମନର ସଂକୀର୍ଣ୍ଣତା ଦେଖି ବିସ୍ମୟରେ ବିମୁଢ଼ ହୋଇଯାଏ । ଅଥଚ ଯଦି ମଣିଷ ଟିକେ ଉଦାର ହୁଅନ୍ତା, ଅନ୍ୟର ମନକୁ ବୁଝିବାଲାଗି ଆଗ୍ରହ ପ୍ରକାଶ କରନ୍ତା, ଏ ପୃଥିବୀ ଭିନ୍ନ ପ୍ରକାର ହୁଅନ୍ତା । ଝିଅଟିଏ ବା ପୁଅଟିଏ ଥିଲେ ଠିକଣା ସମୟରେ ବିବାହ ପାଇଁ ପ୍ରସ୍ତାବ ଉଠିବା ସ୍ୱାଭାବିକ ଏବଂ ସେହିପରି ସେହି ପ୍ରସ୍ତାବ ଭାଙ୍ଗିଯିବାର ସମ୍ଭାବନା ବି ଅନେକ । ପ୍ରତ୍ୟକ ପ୍ରସ୍ତାବ ଯେତେବେଳେ ସଫଳ ହବାର କୌଣସି ସମ୍ଭାବନା ନାହିଁ, ସେତେବେଳେ ବିଭୁପଦ ସହିତ ତା’ର ବିବାହ ପ୍ରସ୍ତାବ ଭାଙ୍ଗିଗଲା ବୋଲି ସେମାନେ ତାକୁ ସହ୍ୟ କରିପାରୁ ନ ଥିବା ଅତି ବିଚିତ୍ର ।

 

ଶକୁନ୍ତଳା କିଛି ମନେକରି ନ ଥାନ୍ତା ଯଦି ସେଇ ପ୍ରସଙ୍ଗ ସେହିଠାରେ ସମାପ୍ତ ହୋଇଥାଆନ୍ତା । କିନ୍ତୁ ହରିପଦବାବୁ ନିଜକୁ ଅପମାନିତ ମନେକରୁଛନ୍ତି ଏ ପ୍ରସ୍ତାବ ଭାଙ୍ଗିଯିବା ପରେ । ସେଦିନ ସେ କୁଆଡ଼େ ହରିଯୋଗୀଙ୍କୁ ସଫା କହିଦେଇଥିଲେ ଯେ ବିଭୁପଦ ପାଇଁ କନ୍ୟା ଅଭାବ ହବ ନାହିଁ; ବରଂ ଏଇଟା ସତ ଯେ ଶହ ଶହ କନ୍ୟାପିତା ତାଙ୍କ ଘରେ ବନ୍ଧୁତ୍ୱ କରିବାଲାଗି ଧାଡ଼ି ବାନ୍ଧୁଛନ୍ତି ଦିନ ରାତି; କିନ୍ତୁ ଗୌତମ ଜେନାଙ୍କ ଗର୍ବ ଭାଙ୍ଗିଯିବ । ସେଇ ଗର୍ବ ଭାଙ୍ଗିବାର କରୁଣ ପରିଣତିକୁ ସେ ନିଜ ଆଖରେ ଦେଖିବେ ଇତ୍ୟାଦି ଇତ୍ୟାଦି । ଶକୁନ୍ତଳା ମନକୁ ମନ କୁହେ, ଯେ ପରା ସ୍ୱାଧୀନତା ସଂଗ୍ରମୀ, ସେ ପରା ବ୍ୟକ୍ତି ସ୍ୱାଧୀନତାରେ ବିଶ୍ୱାସୀ, ପରସ୍ପର ପରସ୍ପର ପ୍ରତି ଶ୍ରଦ୍ଧା ଓ ସହନଶୀଳ ହବାରେ ବିଶ୍ୱାସୀ; ଯଦି ତାହା ହୁଏ, କାହିଁକି ସେ ଏପରି ଭାବିବେ, ସେମାନଙ୍କର ମତାମତକୁ ଉପେକ୍ଷା କରିବେ; ସେମାନଙ୍କର ଯେ କିଛି କହିବାର ଥାଇପାରେ ତାହା କାହିଁକି ଶୁଣିବେ ନାହିଁ । ହରିପଦ ନେତା ହୋଇପାରନ୍ତି, ବିଭୁପଦ ଏ ଅଞ୍ଚଳର ଭାବୀ ଲୋକପ୍ରତିନିଧି ମଧ୍ୟ ହବାର ସମ୍ଭାବନା ଯଥେଷ୍ଟ ବେଶୀ; କିନ୍ତୁ ଯେଉଁ ଗୁଣଦ୍ୱାରା ବ୍ୟକ୍ତି ନେତୃତ୍ୱ ନିଏ, ତାହା ଦୃଷ୍ଟିଗୋଚର ହୁଏ ନାହିଁ । ସେମାନଙ୍କ ଆଚରଣରେ ପରିବେଶଟି ପରସ୍ପର ପ୍ରତି ଅବିଶ୍ୱାସ ଏବଂ ଅସହିଷ୍ଣୁତାଦ୍ୱାରା ଅସହ୍ୟ ହୋଇଉଠିଚି ।

 

ବିଭୁପଦ ପାଇଁ ଦିନେହେଲେ ତାର ନିଭୃତ ମନରେ କମ୍ପନ ଜାଗିନାହିଁ କି ସେ ମନେପଡ଼ିବାକ୍ଷଣି ଶରୀର ରୋମାଞ୍ଚିତ ହୋଇଉଠି ନାହିଁ । ଯେଉଁ ପୁରୁଷ ନାରୀର ସଙ୍ଗୀ ହବା ପାଇଁ ଆସେ, ସେ କେବଳ ଶରୀରରେ ରୋମାଞ୍ଚ କି ହୃଦୟରେ କମ୍ପନ ସୃଷ୍ଟିକରେ ନାହିଁ । ସେ ଅଧିକାର କରିନିଏ ଶୂନ୍ୟ ସିଂହାସନ, ଦଖଲ କରିନିଏ ଖାଲିଥିବା ସବୁ ସ୍ଥାନ । ସେ ଆସିବା କଥା ଘୋଷଣା କରିବା ଆଗରୁ ଆସି ସାରିଥାଏ । କିଛି କହିବା ପୂର୍ବରୁ ଅନେକ କହିସାରିଥାଏ ଏବଂ କିଛି ନ କହି ବି ମନେହୁଏ ଯେପରି ନିଜର ଗୋପନତମ କଥାଟିକୁ କହିଦେଇଛି ।

 

ନରୋତ୍ତମ ସହିତ ତାର ସମ୍ପର୍କଟି ପଲ୍ଲବିତ, ପୁଷ୍ପାୟିତ ହୋଇ ସେ ସଚେତନ ହୋଇ ତା’ ସମ୍ପର୍କରେ ଭାବିବା ପୂର୍ବରୁ ତାକୁ ସ୍ୱାଗତ କରିବା ଲାଗି ବେଳ ପାଇନି ଶକୁନ୍ତଳା । ସେ ପ୍ରତ୍ୟୁଷର ଆଲୋକ ପରି କେତେବେଳେ ପହଞ୍ଚିଯାଇ ସମଗ୍ର ଅନ୍ତରକୁ ଆଲୋକିତ କରି ରାଜକୁମାର ପରି ବସିରହିଛି ସେଠାରେ ।

 

ନରୋତ୍ତମର କଥା ଭାବିବା କ୍ଷଣି ରୋମାଞ୍ଚ ହୁଏ ଶକୁନ୍ତଳାର, ଅଙ୍ଗେ ଅଙ୍ଗେ ପୁଲକ ଜାଗେ, ମନ ପଲ୍ଲବିତ ହୁଏ । ସେଦିନ ଥାଳିଟା ବଢ଼ାଇ ଦବାବେଳେ ତାହାରି ହାତର ପ୍ରଥମ ପରଶ ପାଇ ଶୀତ୍‌କାରରେ ଥରିଉଠିଥିଲା ତା’ର ସର୍ବାଙ୍ଗ । ଯେଉଁ ବାସନା ଲୁଚିଛପି ବସିଥିଲା ମନର ନିଭୃତ କୋଣରେ, ତାହା ଯେପରି ଲମ୍ଫ ଦେଇ ଅଧିକାର କରିନେଲା ମନକୁ । ସେହିଦିନଠାରୁ ଶକୁନ୍ତଳାର ମନେହୋଇଛି ଯେ ସେ ସ୍ରୋତସ୍ୱିନୀ ପରି ବହିବାରେ ଲାଗିଛି । କେବେ ଲକ୍ଷ୍ୟସ୍ଥଳରେ ପହଞ୍ଚି ବିସର୍ଜନ କରିବ ନିଜକୁ, ତାହା ସେ ଜାଣେ ନାହିଁ । ନରୋତ୍ତମ ବିଷୟରେ କିଛି ଭାବିବା ଲାଗି ବଡ଼ ସୁଖ ଲାଗେ ତାକୁ । ତା’ କଥା ଶୁଣିବାପାଇଁ କାନ ଅପେକ୍ଷା କରେ ଅଧୀର ହୋଇ । ସେ ଶୀଘ୍ର ଶୀଘ୍ର ଆସୁନି କାହିଁକି । ଯୋଉଦିନ ସେ ତା’ର ନିଯୁକ୍ତିପତ୍ର ନେଇ ଆସିଥିଲା, ତାପରେ ତ ଆଉ ଆସିନାହିଁ । ସେ ବେକାର ଥିଲା ବୋଲି ତା’ପାଇଁ ତାହେଲେ ଚେଷ୍ଟା କରୁଥିଲା ନରୋତ୍ତମ ? ତା’ ହାତକୁ ନିଯୁକ୍ତିପତ୍ରଟି ବଢ଼ାଇ ଦବାପରେ ତା’ ପ୍ରତି ତା’ର କର୍ତ୍ତବ୍ୟ ଶେଷ ହୋଇଗଲା ? ସେ ଆଉ ତାହେଲେ ଏଠାକୁ ଆସିବାଲାଗି ଆକର୍ଷଣ ଅନୁଭବ କରିବ କାହିଁକି ? ଅନେକ ଲୋକଙ୍କର ଅନେକ ଉପକାର କରୁଛି ନରୋତ୍ତମ । ଏଇ ଉପକାର ତା’ପାଇଁ କରି ନ ଥିଲେ ବି ଚଳିଥାଆନ୍ତା ।

 

ନରୋତ୍ତମକୁ ଏବେ ବି ବୋଧହୁଏ ଭଲଭାବରେ ଜାଣିପାରିନି ଶକୁନ୍ତଳା । ଯେତିକି ଜଣିଛି ତା’ ସମ୍ପର୍କରେ ସେତକ ଅତି ସାମାନ୍ୟ । ସେ ହୁଏତ ତା’ ସମ୍ପର୍କରେ କିଛି ଭାବେ ନାହିଁ, ତା’ ପାଖକୁ ଆସିବା ଲାଗି ନିଜର ହୃଦୟ ଭିତରେ ଆଗ୍ରହ ହୁଏନାହିଁ; ସାମାଜିକତା ରକ୍ଷା କରିବାକୁ ଯାଇ ବା କୌଣସି ପ୍ରୟୋଜନର ତାଡ଼ନାରେ ଆସେ ସେ । ପଲ୍ଲବିତ ହେଉଥିବା ଶକୁନ୍ତଳାର ମନଟିରେ ସଙ୍କୋଚନ ଦେଖାଦିଏ । ଧଡ଼୍‍କରି ଉଠେ ଛାତିତଳେ । ତା’ ପାଖରେ ନରୋତ୍ତମର ପ୍ରୟୋଜନ ଯଦି ନ ଥାଏ, କିମ୍ବା ସେଇ ପ୍ରୟୋଜନଟା ଯଦି ଶେଷ ହୋଇଯାଇଥାଏ ? ବ୍ୟାକୁଳତାରେ ଅଧୀର ହୋଇଉଠିଲା ଶକୁନ୍ତଳାର ପ୍ରାଣ ।

 

ସେ ଆଖି ବନ୍ଦ କରି ଶଙ୍କିତ ହୃଦୟରେଭାବେ ପ୍ରେମ କଅଣ ପ୍ରୟୋଜନ ବା ଆଉକିଛି ଯାହା ପ୍ରୟୋଜନର ଉର୍ଦ୍ଧ୍ୱରେ । କିଛି ନ ଥାଇ ସମ୍ପର୍କ କଅଣ ଗଢ଼ି ଉଠେନାହିଁ । କିଛି ଠିକ୍ କରିପାରେନି ଶକୁନ୍ତଳା । ନରୋତ୍ତମକୁ ମନରୁ ଅନ୍ତର କରିବାକୁ ଚେଷ୍ଟା କରି ସେ ଅଭିଭୂତ ହୋଇ ଅନୁଭବ କରେ ଯେ ସେ ତା’ର ନିଶ୍ୱାସ ପ୍ରଶ୍ୱାସ ଏବଂ ରକ୍ତ ପ୍ରବାହ ସହିତ ମିଶିଯାଇଛି ନିବିଡ଼ ଭାବରେ । ନରୋତ୍ତମ ତା’ପାଖକୁ ପ୍ରତିଦିନ ନ ଆସି ମଧ୍ୟ ପ୍ରତି ମୁହୂର୍ତ୍ତରେ ଆବିର୍ଭାବ ହୁଏ ତା’ ମନରେ । ସେ ମନେପଡ଼ିବାକ୍ଷଣି ସମଗ୍ର ଶରୀର ଏବଂ ମନ ଫୁଟିଉଠେ ଫୁଲ ଫୁଟିବା ପରି । ଏହାରି ନାମ ତା’ହେଲେ ଭଲ ପାଇବା ?

 

ଶକୁନ୍ତଳା ନିଜକୁ ନିଜେ ଉତ୍ତରଦେଇ କହିଲା, ହଁ, ହଁ, ହଁ; ଆଉ ପଛଘୁଞ୍ଚା ଦବା ପଇଁ ଜାଗା ନାହିଁ–ସେ ସମର୍ପି ଦେଇଛି ନିଜକୁ । ନରୋତ୍ତମ ତାକୁ ନଉ ବା ନ ନଉ ସେ ଏକତରଫା ସିଦ୍ଧାନ୍ତ ନେଇସାରିଛି । ଭଲ ପାଇବା ଥରେ ଆସେ ଜୀବନରେ, ଆଉ ତାହାହିଁ ଚିରନ୍ତନ ହୋଇଯାଏ । ଭଲ ପାଇବାର ରଙ୍ଗ ସବୁଦିନର, ସବୁ ଋତୁର, ସବୁ ସମୟର । ସେଠାରେ ପାଇବା ଅପେକ୍ଷା ଦବାପାଇଁ ଲାଗେ ପ୍ରତିଯୋଗିତା । ସେଥିପାଇଁ ମନ ଏଡ଼େ ଆକୁଳ ହୁଏ, ହୃଦୟ ଏଡ଼େ ବ୍ୟାକୁଳ ହୁଏ । ଜୀବନର ବିସ୍ତୃତି ଏତେ ବେଶୀ ଏବଂ ପ୍ରତିଶ୍ରୁତି ଏତେ ଅସୀମ ।

 

ଶକୁନ୍ତଳା ପୁଣି ବିହ୍ୱଳିତ ହୋଇ ଭାବେ ଯେ ସେ ନରୋତ୍ତମକୁ ଭଲପାଏ, ଏକାଗ୍ର ଚିତ୍ତରେ ଭଲପାଏ । ଏଇ ଭଲପାଇବାର ରୋଗ ତା’ ମନକୁ ମାଡ଼ିବସିଛି ବୋଲି ସେ ଜଣକୁ ଛାଡ଼ି ଅନ୍ୟ କାହା କଥା ଭାବିପାରେ ନାହିଁ, ସେଥିପାଇଁ ରାତିରେ ନିଦ ହୁଏନାହିଁ, ଅନେକ କଥା ଭୁଲିଯାଏ ଏବଂ ଅନେକ ସମୟରେ ଅନ୍ୟମନସ୍କ ହୋଇ ହଜାଇ ଦିଏ ନିଜକୁ ।

 

ଶକୁନ୍ତଳାର ସମୟ ଅଫୁରକ୍ତ ନୁହେଁ, ସମୟର ସୀମା ଅଛି । ଦଶଟାରୁ ଚାରିଟା ସ୍କୁଲରେ ରହେ । ତା’ପରେ ଘରକୁ ଫେରିବା ବେଳକୁ ସାଢ଼େଚାରିଟା । ସ୍କୁଲରୁ ଫେରିବା ବାଟରେ ଟିକେ ବୁଲିକରି ଆସେ କେନାଲ କୂଳେ କୂଳେ । ସାଇକଲ ଗଡ଼ିଗଲାବେଳେ ତାକୁ ଲାଗେ ଯେପରି ଜୀବନର ଚକ ବି ଇମିତି ଗଡ଼ୁଛି, ଆଗକୁ ଏବଂ ଆଗକୁ । କେନାଲରେ ବହୁଥିବା ପାଣିର ସ୍ରୋତକୁ ମନଯୋଗ ସହକାରେ ଲକ୍ଷ୍ୟ କଲେ । କିଏ ତିଆରି କରିଥିଲା ଏଇ କେନାଲ କେଜାଣି, ଆଜି ଆଉ ସେଇ ନାମ କେହି ମନେରଖି ନାହାନ୍ତି । କିନ୍ତୁ ଏଇ କେନାଲ ତିଆରି କରିବାପାଇଁ ଅନେକ ସମୟ ଲାଗିଥିବ, ସହସ୍ର ଲୋକ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଗୋଟିଏ ଲକ୍ଷ୍ୟରେ ପହଞ୍ଚିଗଲେ ଯେପରି ଅନାସ୍ୱାଦିତ ଏକ ଲୋଭନୀୟ ସ୍ୱାଦର ସନ୍ତୋଷ ମନକୁ ଲୋଭାଏ, ସେହିପରି ଲକ୍ଷ୍ୟ ପଛରେ ଧାଇଁବାରେ ବି ଗୋଟେ ଅକୁଣ୍ଠ ସଂକଳ୍ପ ଏବଂ ପଛେ ପଛେ ଧାଇଁବାର ନିଶା ! ଲକ୍ଷ୍ୟ ପଛରେ ଧାଇଁବାରେ ନିଶାରେ ମଣିଷ ଯେତେଦିନ ଧାଏଁ, ମସଗୁଲ ଥାଏ ସେତେଦିନ । ସେତେଦିନ କୌଣସି ବାଧାବନ୍ଧନ ସେ ମାନେ ନାହିଁ । ଯୋଉଦିନ ସେଇ ନିଶା ଶେଷ ହୋଇଯାଏ, ସେଇଦିନୁ କୋଇଲା ସରିଯାଇଥିବା ଇଞ୍ଜିନ ପରି ସେ ଅଚଳ; ତାର ବଞ୍ଚିବା ଓ ମରିବା ମଧ୍ୟରେ କିଛି ପ୍ରଭେଦ ନ ଥାଏ ସେତେବେଳେ ।

 

ଶକୁନ୍ତଳା ଜୀବନକୁ ଭଲ ପାଏ । ଏଇ କେନାଲକୁ ବି ଭଲପାଏ । ଏଇ କେନାଲରେ ବହୁଥିବା ପାଣିରେ ସେ ସ୍ନାନ କରେ, ସନ୍ତରଣ କରେ । ସେଇ ପାଣି ଆଜି ଦେହରେ ଲାଗିଲେ ଦେହ ମନ ଏକ ହୋଇଯାଏ ତୃପ୍ତିରେ । ଚାଷ ଜମିକୁ ପାଣି ଯୋଗାଇ ଦେବାଲାଗି କେନାଲରୁ ପାଣି ଛାଡ଼ିଲେ ଗାଆଁର ପିଲାମାନେ ମାଛ ଧରନ୍ତି ବିଲରୁ ।

 

ବଗଟିଏ ବସିଥିଲା କେନାଲ କୂଳରେ ଧ୍ୟାନମଗ୍ନ ଯୋଗୀ ପରି । ମାଛଟିଏ ବୋଧହୁଏ ନିକଟରେ ଅଛି । ମାଛଧରି ବଞ୍ଚିବାପାଇଁ ତା’ର ଏଇ ଜୀବନଚର୍ଯ୍ୟା ।

 

ଗେଣ୍ଡାଳିଆ ଦୁଇଟି ଡେଣା ଝାଡ଼ି ଉଡ଼ିଗଲେ ଆକାଶର ବୁକୁ ଚିରି । ସେମାନଙ୍କ ଆଗରେ ପ୍ରସରିଗଲା ନେଳିଆ ଆକାଶ ।

 

କେନାଲ କୂଳର ନଡ଼ିଆଗଛମାନଙ୍କର ଶୋଭା ଆଉ ଆଖିରେ ପଡ଼ୁନି । ବନ୍ୟା ସମୟରେ ସବୁ ନଡ଼ିଆଗଛ ଉପୁଡ଼ି ଯାଇଥିଲା । ନୂଆ ଗଛ ଏଯାଏ ଲଗା ହୋଇନାହିଁ । ନିଜ ମାଟିରୁ ଚେର ବିଚ୍ଛିନ୍ନ ହୋଇଗଲେ କେବଳ ଗଛ ନୁହେଁ ମଣିଷ ଏମିତି ବିଚ୍ଛିନ୍ନ ହୋଇଯାଏ ।

 

ଶକୁନ୍ତଳା କେନାଲ କୂଳେ କୂଳେ ଫେରୁଥିବା ସମୟରେ ସେଇ ରାସ୍ତା ଦେଇ ଧୂଳି ଉଡ଼େଇ ଜିପ୍‌ଟିଏ ଚାଲିଗଲା । ବାଟକାଟି ବର୍ତ୍ତିଗଲା ସେ; କିନ୍ତୁ ଧୂଳିରେ ଆଖି ମୁହଁ ଭର୍ତ୍ତି ହୋଇଗଲା । ସେଇ ଜିପ୍ ଗାଡ଼ିରେ ବିଭୁପଦ ପରି କିଏ ଜଣେ ବସିଥିବାର ଆଖି ପିଛୁଳା ମାରିବା ପୂର୍ବରୁ ଦେଖିନେଲା ଶକୁନ୍ତଳା । ବିଭୁପଦ ନ ହୋଇ ଅନ୍ୟ କେହି ବି ହୋଇପାରେ ।

 

ଜିପ୍‌ଟା ଆଗେଇଯାଇ ଗତି ମନ୍ଥର କରି ଛିଡ଼ାହେଲା ଖଣ୍ଡେ ବାଟରେ । ସେତେବେଳକୁ ସାଇକେଲରୁ ଓହ୍ଲେଇ ପଡ଼ିଥିଲା ଶକୁନ୍ତଳା ।

 

ଜିପ୍‌ଟା ଦଣ୍ଡେ ଛିଡ଼ା ହୋଇ ଚାଲିଲା ପୁଣି ।

ଶକୁନ୍ତଳା ବି ଉଠିବସିଲା ସାଇକେଲ ଉପରେ ।

 

ବିଭୁପଦର ପୃଥିବୀ କେତେ ବଡ଼ । ସେଠାରେ ଅକଳନ୍ତି ଲୋକଙ୍କର ଭିଡ଼ । କାହିଁକି ତା’ହେଲେ ସେ ଲାଗିଛି ତା’ ପଛରେ ?

 

ଶକୁନ୍ତଳା ନାମରେ ବେନାମୀ ଚିଠିଟିଏ କିଏ ଲେଖିଥିଲା ବୋଲି କହୁଥିଲେ ହେଡ଼୍‌ମାଷ୍ଟର । ମହାଶୟ ଲୋକ ଗୁରୁପଦବାବୁ । ନିଜ କନ୍ୟାପରି ସ୍ନେହ କରନ୍ତି ତାକୁ । ଚିଠିଟା ତାହାରି ଆଗରେ ଟିକି ଟିକି କରି ଚିରି ଫୋପାଡ଼ି ଦେଇ ଶକୁନ୍ତଳାକୁ କହିଥିଲେ, କଅଣ ଲେଖାଥିଲା ତୁମେ ସେସବୁ ନ ଜାଣିବା ଭଲ । ଜାଣିବା ଦରକାର ବି ନାହିଁ । କେବଳ ଏତିକି ଜାଣ ଯେ ଏ ପୃଥିବୀରେ କାପୁରୁଷମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି ।

 

ଗୁରୁପଦବାବୁ ସିନା କହିଲେ ନାହିଁ । ଶକୁନ୍ତଳା କିନ୍ତୁ ଅନୁମାନ କଲା କଅଣ ଲେଖାଯାଇ ଥାଇପାରେ ଚିଠିରେ । ମଣିଷ ନିର୍ମଳ ମନଟିଏ ପାଇଥିଲା କଦର୍ଯ୍ୟ ହୋଇଯାଇଛି । ତା’ର ଦୃଷ୍ଟି ବି କାମଳ ରୋଗୀ ପରି ଦୋଷଦୃଷ୍ଟ ଏବଂ ଆଚ୍ଛନ୍ନ ।

 

ଶକୁନ୍ତଳା ପୁଣି ସେଇ କଥା ଭାବିଲା ।

 

କଅଣ ଲେଖିଥାଇପାରେ କେହି ତା’ ସମ୍ପର୍କରେ । ସେ କାହାରି କିଛି କ୍ଷତି କରିନାହିଁ । କେହି ତା’ର ଶତ୍ରୁ ନୁହନ୍ତି । ତଥାପି କାହାର ଇଚ୍ଛା ହେଲା ତା’ ସମ୍ପର୍କରେ ଇମିତି କିଛି କଦର୍ଯ୍ୟ କଥା ଲେଖିବା ପାଇଁ ଯାହା କି ହେଡ଼୍‌ମାଷ୍ଟର ତା’ ଆଗରେ ପଢ଼ିପାରିଲେ ନାହିଁ କି ବିଷୟବସ୍ତୁ ସମ୍ପର୍କରେ ଆଉ କିଛି ସ୍ପଷ୍ଟୀକରଣ କଲେ ନାହିଁ । ଛାତି ଭିତରଟା ଧଡ଼୍‍କରି ଉଠିଲା । କିଏ ଯେପରି ଜୋର୍‍କରି ତା’ ମନ ଭିତରେ ବୋଝେ ଅବସାଦ ଭର୍ତ୍ତି କରି ଦେଇଥିଲା ।

 

ଶକୁନ୍ତଳା କେନାଲ ଘାଟ ଉପରେ ଥିବା ସିମେଣ୍ଟ ବେଞ୍ଚ ଉପରେ କିଛି ସମୟ ବସି ଅସ୍ତାଚଳ ଉପରେ ଢଳି ପଡ଼ୁଥିବା ସୂର୍ଯ୍ୟଙ୍କୁ ଲକ୍ଷ୍ୟକଲା । ପାଣି ଉପରେ ଶେଷ ସୂର୍ଯ୍ୟର ସୁନେଲି କିରଣ ବିଛେଇ ହୋଇ ପଡ଼ିଥିଲା । ଘରବାହୁଡ଼ା ଗୋରୁଗାଈମାନେ କେନାଲ କୂଳେ କୂଳେ ଫେରୁଥିଲେ । ନଦୀ ଘାଟରେ ହାତଗୋଡ଼ ଧୋଇଥିଲେ କାମରୁ ଫେରୁଥିବା ଲୋକ ।

 

ପୃଥିବୀର ଗତି ପରି ଜୀବନ ଗତି ବନ୍ଦ ହେଉନାହିଁ । ସବୁ ଚାଲିଛି ଗୋଟିଏ ସ୍ରୋତରେ, ପୂର୍ବ ନିର୍ଦ୍ଧାରିତ ବାଟରେ । କିନ୍ତୁ ତା’ ସତ୍ତ୍ୱେ ସୃଷ୍ଟିର ବୈଚିତ୍ର୍ୟ ଏତେ ମନୋରମ, ଜୀବନର ବିଭିନ୍ନତା ଏତେ ଲୋଭନୀୟ ।

 

ଶକୁନ୍ତଳା ସେଠାରେ ବସିଥିବା ଦେଖି କେନାଲରୁ କଳସୀରେ ପାଣି ନେଇ ଫେରୁଥିବା ଲକ୍ଷ୍ମଣର ସ୍ତ୍ରୀ ସତ୍ୟଭମା ଏବଂ ନଟର ସ୍ତ୍ରୀ ନେତ ତା’ ପାଖରେ ଠିଆହୋଇ ପଡ଼ିଲେ ଦଣ୍ଡେ । ନେତ କହିଲା, ମୁହଁ ଖଣ୍ଡକ କଳା ପଡ଼ିଗଲାଣି ଦେଇ... । ସତ୍ୟଭମା ପରିହାସ କରି କହିଲା; ଯିଏ ପାଖରେ ଥିଲେ ମୁହଁର ଝାଳ ପୋଛି ଦିଅନ୍ତା ସେଇ ଅଚିହ୍ନା ମଣିଷଟି କୋଉଠି ଅଛି କିଏ ଜାଣେ ଲୋ ନେତ...ଦେଈ କିନ୍ତୁ ଲକ୍ଷ୍ମୀପ୍ରତିମା...ଯାହା ଘରକୁ ଯିବେ ପୂରିଉଠିବ ତା’ ଘର.... ।

 

ଶକୁନ୍ତଳା କହିଲା, ମୁହଁରୁ କଥା ବାହାରିଲେ ବାଡ଼ବତା ରହେନି ଆଉ....ବାହାହବା ଛାଡ଼ି ଆଉ କିଛି କଥା ନାଇଁ ଜଗତରେ... ।

 

ନେତ ହସିଦେଇ ଛାତି ଫୁଲେଇ କହିଲା, ନାରୀର ଭୂଷଣ ପୁରୁଷ ଗୋ ଦେଈ...ସେ ନ ଥିଲେ ସଂସାର କାଇଁ .... ।

 

ସତ୍ୟଭାମା କହିଲା, ସନ୍ଧ୍ୟାବେଳେ ଗାଁ ଝିଅଙ୍କୁ ପଢ଼ଉଚ ପରା ? ମୁଁ ବି ଆସନ୍ତି ଟିକେ...ବାପଘରେ ବରଷେ ପଢ଼ିଥିଲି, ଆଉ ସ୍ମରଣ ନାହିଁ କିଛି.... ଆସିବି ?

 

ଖୁସିହୋଇ କହିଲା ଶକୁନ୍ତଳା, ନିଶ୍ଚୟ ଆସିବି । ଆଉ ଯିଏ ଆସିବ, ତାକୁ ବି ଡାକି ଆଣିବ... । ସପ୍ତାହକୁ ତିନିଥର....ରବିବାର. ମଙ୍ଗଳବାର, ଶୁକ୍ରବାର.... ।

 

ନେତ କହିଲା, ମୁଁ ବି ଆସନ୍ତି ଯେ ସମୟ ପାଏନି । ପିଲାଗୁଡ଼ାକ ବସେଇ ଉଠେଇ ଦିଅନ୍ତି ନାହିଁ-ଆଉ ଟିକେ ବଡ଼ ହୁଅନ୍ତୁ ତା’ପରେ ଆସିବ ଦେଇ... ।

 

ନେତ, ସତ୍ୟଭାମା ଯେଝା ଘରକୁ ଚାଲିଗଲେ ପାଣି ନେଇ ।

ତଥାପି ବସିରହିଲା ଶକୁନ୍ତଳା ।

ଆଗ୍ରହ ନ ଥିଲା ପାଦଯୋଡ଼ିକରେ ଉଠିବାପାଇଁ ।

 

ଆଉ କେତେ ସମୟ କେନାଲ କୂଳରେ ବସିବ ଏକାକିନୀ । ଘରକୁ ଲେଉଟିବାରେ ବିଳମ୍ବ ହେଲେ ବୋଉ ବ୍ୟସ୍ତ ହେବ । ଅଗତ୍ୟା ଉଠି ବସି ପୁଣି ଘରମୁହାଁ ହେଲା ଶକୁନ୍ତଳା ।

 

ଘରେ ପହଞ୍ଚିବା ବେଳକୁ ବୋଉକୁ ଦେଖିଲା ଦାଣ୍ଡ ପିଣ୍ଡାରେ । ସେ ତାହାରି ପାଇଁ ଅପେକ୍ଷା କରୁଥିଲେ । ହାତ ଘଡ଼ିକୁ ଚାହିଁଲା ଶକୁନ୍ତଳା । ଛଅଟା ବାଜିଯାଇଛି ।

 

ସରଳା କହିଲେ, ଏତେ ଡେରି କଲୁ ଯେ ...କିଛି ଅସୁବିଧା ହୋଇନାହିଁ ତ ?

 

ହସିଦେଇ କହିଲା ଶକୁନ୍ତଳା, ଏତିକିରେ ତୋର ଏତେ ଡର ? ମୁଁ ଯଦି ବଦଳି ହୋଇ ଆଉ କୋଉଠିକି ଚାଲିଯାଏ, ତୁ କଅଣ କରିବୁ ବୋଉ ?

 

ସରଳା ଝିଅକୁ ଛାତି ଉପରକୁ ଆଉଜାଇ ନେଇ କହିଲେ, ବଦଳି କଥା କହନି ଲୋ ମା-! ଚାକିରି କରିବାପାଇଁ ମୁଁ ଏଥିପାଇଁ ମନା କରୁଥିଲି । ବାପ ଝିଅ ଶୁଣିଲ ମୋ କଥା ?

 

ଶକୁନ୍ତଳା ବୋଉର ସରଳ ମନରେ ଆଶଙ୍କା ସୃଷ୍ଟି କରିବାପାଇଁ କହିଲା, କିନ୍ତୁ ହେଡ଼୍‌ମାଷ୍ଟର କହୁଥିଲେ ଯେ ଚାକିରି କରିଛି, ଯେତେବେଳେ ଦିନେ ବଦଳି ହବାକୁ ହବ । ବେଶି ଦୂର ନ ହେଲେ ବି ଯାଜପୁର କି ରେଢ଼ାଖୋଲ ।

 

ସରଳା ଚମକି ପଡ଼ିଲା ପରି କହିଲେ, ମୋତେ ସେ ଅସନା କଥାଗୁଡ଼ା ଆଉ ଶୁଣାନା ଶକୁ । ମୁଁ ବଞ୍ଚିଥିବାଯାଏ ତୁ ଏଇଠି ମୋ ପାଖେ ପାଖେ ଥିବୁ । ମୋ ଅନ୍ତେ ତୁ ଯାହା କରିବୁ କର...-

 

ଶକୁନ୍ତଳା ତାଙ୍କ ଛାତି ଉପରେ ମୁହଁ ଗୁଞ୍ଜି କହିଲା, ମୋତେ ଭୋକ କଲାଣି ଯେ...ଇମିତି ଗପୁଥିବୁ ନା କିଛି ବାଢ଼ିବୁ ?

 

ସରଳା ତରତର ହୋଇ ରୋଷଘର ଭିତରକୁ ଚାଲିଗଲେ ଜଳଖିଆ ଆଣିବାପାଇଁ । ଶକୁନ୍ତଳା ସେହି ଅବସରରେ ହାତ ମୁହଁ ଧୋଇନେଲା ।

 

ନଡ଼ିଆମିଶା ଚୁଡ଼ାଭଜା ଗିନାଏ ତା’ ହାତକୁ ବଢ଼େଇଦେଇ କହିଲେ ସରଳା, ସେ ବଦଳି ଫଦଳି କଥା ଆଉ ତୁ ମୋତେ ଶୁଣେଇବୁନି । ଭଗବାନ କରନ୍ତୁ ଭଲରେ ଭଲରେ ହାତକୁ ଦୁଇହାତ କରିଦେଇ ମୁଁ ଆଖି ବୁଜେ ।

 

ତୁ ଏକା ଏକା ଚାଲିଗଲେ ବାପାଙ୍କ କଥା କିଏ ବୁଝିବ ବୋଉ ? ହସି ଦେଇ କହିଲା ଶକୁନ୍ତଳା ।

 

ସରଳା ଟିକେ ରହିଗଲେ ।

 

ଗୌତମଙ୍କ ହସ ହସ ନିରଳସ ମୁହଁ ଭାସି ଉଠିଲା ତାଙ୍କ ଆଗରେ । ସତେ ତ ଠିକ୍ କହିଛି ଶକୁ । ସେ ଏତେକଥା ଭାବି ନ ଥିଲେ କହିବାବେଳେ । ଗୌତମକୁ ଏକା ଛାଡ଼ି ସେ ସ୍ୱର୍ଗରେ ବି ରହିପାରିବେ ନାହିଁ । କିନ୍ତୁ ଦିନେ ଆଖି ବୁଜିବାକୁ ହେବ ତାଙ୍କୁ । କପାଳରେ ସିନ୍ଦୁର ନେଇ ସେ, ଯେପରି ଟିକେ ଆଗ ଯାଆନ୍ତି, ଏଥିଲାଗି ଭଗବାନଙ୍କୁ ମନେ ମନେ ପ୍ରାର୍ଥନା କରି ଝିଅକୁ କହିଲେ, ତୋ ବାପାକୁ ଛାଡ଼ି ସ୍ୱର୍ଗକୁ ବି ଯାଇପାରିବିନି ମା । ଯେତେଦିନ ଅଛି ତାଙ୍କରି ସେବା କରି ସମୟ କଟିଯାଉ... ।

 

ଶକୁନ୍ତଳା ବୋଉର ଏଇ ସତୀସାଧ୍ୱୀ ରୂପଟିକୁ ଖୁବ୍ ସୁଖ ପାଏ । ତାଙ୍କୁ ଚାହିଁଦେଇ ସେ କଳନା କରେ ତାଙ୍କର ରୂପ ଆଉ ଗୁଣକୁ । ତାଙ୍କ ହୃଦୟ ସମୁଦ୍ର ପରି ଗଭୀର, ଆକାଶ ପରି ଉଦାର । ସ୍ନେହ ମମତାର ପ୍ରସ୍ରବଣ । ସେଇ ମୁହଁକୁ ଚାହିଁଦେଇ ନିଜକୁ ପାଶୋରିଦିଏ ଶକୁନ୍ତଳା । ଜନନୀର ବରାଭୟ ରୂପଟି କେବଳ ଲୀଳା କରେ ଆଖି ଆଗରେ ।

 

ସେ ଖାଇସାରି ପାଣି ପିଇ ସାଷ୍ଟାଙ୍ଗ ହବା ପରେ ତାକୁ ପାଖରେ ବସେଇ କହିଲେ ସରଳା ।

 

–ତାଙ୍କ ଘରୁ ଆସିଥିବା ପ୍ରସ୍ତାବଟା ଭାଙ୍ଗିଯିବା ପରେ ନାନା ଗୁଜବ ରଟୁଛି ଗାଁଆରେ । କିନ୍ତୁ ଈଶ୍ୱର ଜାଣନ୍ତି ଯେ ଆମ ମନ ନିର୍ମଳ, ଆମର କେହି ଶତ୍ରୁ ନାହାନ୍ତି । ଝିଅ ପୁଅ ଘରେ ଥିଲେ ବୟସ ହେଲେ ବାହାଘର ପ୍ରସ୍ତାବ ହୁଏ । ଇଏ ତ ସହଜ ସଂସାରିକ କଥା । ଯେଉଁଠି ପ୍ରସ୍ତାବ ପଡ଼ିବ, ସେଇଠି ଯେ ବିବାହ ହେବ ଏକଥା ବି କେହି କହିପାରିବେ ନାହିଁ । କଥାରେ ପରା କହନ୍ତି, ମା’ ବାପ ଅନ୍ଧ, ପ୍ରଜାପତି ସମ୍ବନ୍ଧ । ଯିଏ ଯାହା ଘର ହାଣ୍ଡିରେ ଚାଉଳ ପକେଇଥିବ ନା ।

 

ଶକୁନ୍ତଳାର କହିବାର ନ ଥିଲା କିଛି, ସେ ବସି ବସି ଶୁଣୁଥିଲା କେବଳ ।

 

Unknown

ସରଳା କହିଚାଲିଲେ–ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି । ମିଛର ହାଟ ବସୁ, ସେଥିରେ ଆମର କ୍ଷତି ନାହିଁ କି ବୃଦ୍ଧି ନାହିଁ । ସତ ସବୁଦିନ ଲୁଚି ରହିବ ନାହିଁ ।

 

ଶକୁନ୍ତଳାର ଇଚ୍ଛା ହଉଥିଲା ସେଇ ବେନାମୀ ଚିଠି କଥା କହିବା ପାଇଁ । କିନ୍ତୁ କିଛି ନ କହି ନୀରବ ରହିଲା । ବୋଉକୁ ସେ ଜାଣେ । ଅଯଥା ବ୍ୟସ୍ତ ହୋଇପଡ଼ିବେ ଏପରି କଥା ଶୁଣି ।

 

ସରଳା କିନ୍ତୁ ନିଜଆଡ଼ୁ ବାହାର କଲେ, ତୋ ବଉଳ ଆସିଥିଲା ଯେ କହୁଥିଲା । ତୋର ଚାକିରି କରିବାଟା କୁଆଡ଼େ ଅନେକଙ୍କର ଚକ୍ଷୁଶୂଳ ହୋଇଛି ।

 

–କିନ୍ତୁ କାହିଁକି, ମୁଁ ତ କାହାରି ଅନିଷ୍ଟ କରୁନାହିଁ । ମୁଁ କରି ନ ଥିଲେ ଆଉ କେହି କରିଥାଆନ୍ତା । ଏଇ ଗାଆଁର ଝିଅ ଚାକିରି ନ ପାଇ ଅନ୍ୟ ଗାଆଁରୁ କେହି ଚାକିରି ପାଇଥିଲେ ଖୁସି ହୋଇଥାଆନ୍ତେ ସେମାନେ ?

 

ଦେଖି ସହି ନ ପାରିଲେ ଲୋକେ ଇମିତି କୁହନ୍ତି । ସେମାନେ ଆହୁରି ବି କହିବୁଲୁଛନ୍ତି ଯେ ଇଏ ସବୁ ନରୋତ୍ତମର ଖେଳ । କହିଲେ ସରଳା ।

 

–ନରୁଭାଇ ଭଲକାମ କରୁଛନ୍ତି....ତାଙ୍କର ମନ ଆଉ ମର୍ଯ୍ୟାଦା ଅନ୍ୟମାନଙ୍କଠାରୁ ଅନେକ ଉଚ୍ଚରେ । କହିଲା ଶକୁନ୍ତଳା ।

 

ସରଳା କଅଣ ବୁଝିଲେ କେଜାଣି କହିଲେ, ନରୁ ବ୍ରାହ୍ମଣଘର ପୁଅ ମା । ଆମେ ଖଣ୍ଡାୟତ । ଏପରି ସମ୍ବନ୍ଧ ତ ଆଗରୁ କେବେ ହୋଇନି ମା....ଏହା କୁଆଡ଼େ ଶାସ୍ତ୍ରବିରୁଦ୍ଧ ।

 

ଶକୁନ୍ତଳା ଏଇକଥା ଶୁଣିବ ବୋଲି ପ୍ରସ୍ତୁତ ନ ଥିଲା । ତାଙ୍କ ମୁହଁରୁ ସେଇ ପ୍ରସଙ୍ଗ ଶୁଣି ସେ ଭାବିବାକୁ ଲାଗିଲା । ଆଗରୁ ହୋଇନି ବୋଲି ଆଉ କେବେ ହବନାହିଁ ଇଏ କିପରି ଯୁକ୍ତି । ଶାସ୍ତ୍ର ଜାତି ପ୍ରଥା ସପକ୍ଷରେ ନୁହେଁ; ବରଂ ଏହାର ବିପକ୍ଷରେ । ମଣିଷମାନଙ୍କୁ ଯୁଗ ଯୁଗ ଧରି ଜାତି ଓ ସମ୍ପ୍ରଦାୟରେ ବିଭକ୍ତ କରିବାର କୁଫଳ ଆଜି ପ୍ରତ୍ୟକ୍ଷ କରୁଛି ସମଗ୍ର ସମାଜ । ଜାତି, ଗୋଷ୍ଠୀ, ସମ୍ପ୍ରଦାୟକୁ ରକ୍ଷା କରିବାକୁ ଯାଇ ମଣିଷ ତୋଳୁଛି ନ୍ୟସ୍ତସ୍ୱାର୍ଥର ଦୁର୍ଗ । ବହୁ ଦୂରରୁ ଭାସିଆସୁଥିବା ନୂତନ ଯୁଗର ପଦଧ୍ୱନି ସମସ୍ତେ ଶୁଣି ପାରନ୍ତି ନାହିଁ । ପ୍ରତ୍ୟୁଷର ପ୍ରଥମ ସୂର୍ଯ୍ୟାଲୋକ ସମସ୍ତଙ୍କ ଦୃଷ୍ଟିଗୋଚର ହୁଏ ନାହିଁ । କିନ୍ତୁ ଯାହା ଅବଧାରିତ, ତାକୁ କିଏ ଅଟକାଇ ରଖିପାରିବ ?

 

ସେ ବୋଉର କୋଳ ଉପରେ ମଥାରଖି କହିଲା, ପୁରୁଣା ସମାଜ, ପୁରୁଣା ମନ ସବୁ ବଦଳି ଯାଇଛି ବୋଉ । ନୂଆ ଯୁଗର ନୂଆ ମଣିଷର ଶୌର୍ଯ୍ୟ ବୀର୍ଯ୍ୟ ଗାଥା ଭାସିଆସୁଛି ପବନରେ । ଏଇ ଦେଶରେ ଏତେ ଜାତି, ସମ୍ପ୍ରଦାୟ ନ ଥାଇ, କେବଳ ବ୍ରାହ୍ମଣ କି ଚଷା ଥାଆନ୍ତେ କି, ଆମେ ଉତ୍କର୍ଷତାର ଚରମ ସୋପାନରେ ପହଞ୍ଚି ପାରିଥାଆନ୍ତେ । ମଣିଷ ସମାଜକୁ ଜାତି ଓ ଗୋଷ୍ଠୀରେ ଭାଗ ଭାଗ କରି ବାଣ୍ଟିବାଦ୍ୱାରା ଯୋଉ ପରିଣତ ସୃଷ୍ଟି ହୋଇଛି ଆଜିର ଅଶାନ୍ତ, ଅସ୍ଥିରତା ତାହାରି ଫଳ ।

 

ସରଳା କହିଲେ, ମୁଁ ଏତେ କଥା ବୁଝିପାରେନି । ତୋ ବାପା ବି ସିମିତି କେତେ ଯୁକ୍ତି କରନ୍ତି । ସମାଜ ବଦଳି ଯାଉଥିବାର କଥା କୁହନ୍ତି । କିନ୍ତୁ ମା’, ମୋ ଆଖିକୁ ସେଇ ନୂଆ ରୂପ ତ ଦେଖାଯାଉନି । ମୁଁ ବରଂ ଦେଖୁଛି ମଣିଷର ଅହଙ୍କାର, ସ୍ୱାର୍ଥପରତା, ଆଉ ତା’ର ଛୋଟ ହୋଇଯାଉଥିବାର ରୂପ... ।

 

ଶକୁନ୍ତଳା କହିଲା, ତୁ ଏତେ ଭାବୁଛୁ କାହିଁକି ? ମୁଁ ତୋତେ ଆଉ ବାପାଙ୍କୁ ଅମାନ୍ୟ କରି କିଛି କରିବି ନାହିଁ ଏହା ନିଶ୍ଚତ ।

 

ସରଳା ଝିଅର ମଥା ଉପରେ ହାତ ବୁଲାଇ ଆଣିଲେ ପରମ ସ୍ନେହରେ । ସାହାସ ଫେରିପାଇଲେ ପୁଣି । ବିଶ୍ୱାସର ଜଗତଟି ପୁଣି ମନୋରମ ଦିଶିଲା । ଶକୁନ୍ତଳାକୁ କହିଲେ ସେ, ତୋ ସାଙ୍ଗରେ ଗପୁ ଗପୁ ସନ୍ଧ୍ୟା ହୋଇଗଲାଣି, ଠାକୁର ଘରେ ଦୀପ ଜାଳି ଆସେ... ।

 

ସେ ଉଠିଯିବା ପରେ ଶକୁନ୍ତଳା ବି ଚାଲିଗଲା ଭିତରକୁ । ମଥାଟା ଭାରି ଭାରି ଲାଗୁଛି । ସ୍ନାନ ଶେଷ କରି ଲୁଗା ବଦଳାଇ ଦେଲେ ହୁଏତ ଟିକେ ଆରାମ ଲାଗିବ ।

 

କେତେ ସ୍ୱପ୍ନ, କେତେ ଆଶା ଲୋଟଣି ପାରା ପରି ଗୁମୁରୁଛି ମନ ଭିତରେ । ଦିନକୁ ଦିନ ଆଉ କାହାପାଇଁ ପ୍ରତୀକ୍ଷା ବଢ଼ୁଛି ପ୍ରାଣରେ । ଅନନ୍ତ କାଳଯାଏ ତା’ ପାଇଁ ଅପେକ୍ଷା କରିବାକୁ ଧୈର୍ଯ୍ୟ ଅଛି ଶକୁନ୍ତଳାର, ତାକୁ ପାଇବାଲାଗି ସବୁ କଷ୍ଟ ସହ୍ୟ କରିବାପାଇଁ ପ୍ରସ୍ତୁତ ସେ ।

 

ସତେ କଅଣ ପରୀରାଇଜର କାହାଣୀ ପରି ମନପବନ କଠଉ ମାଡ଼ି ଚାହିଁବାକ୍ଷଣି ତା’ ପାଖରୁ ଚାଲିଆସି ପାରିବ ନରେତ୍ତମ ! ଆଉ ଯଦି ନ ଆସେ ? ନା, ନା, ନରୋତ୍ତମ ସେପରି ନୁହେଁ, ସେ ଅନ୍ୟର ପ୍ରତ୍ୟୟ ଏବଂ ପ୍ରେମକୁ ସମ୍ମାନ କରି ଜାଣେ, ସେଥିପାଇଁ ତା’ ପାଖରେ ତ୍ୟାଗ କରିବାର ଶକ୍ତି ଅଛି । ସେ ସାଧାରଣ ମଧ୍ୟରେ ଅସାଧ୍ୟାରଣ; ଅନେକ ମଧ୍ୟରେ ଅନନ୍ୟ ।

 

ତଥାପି କିଛି ରହିଯାଏ ମନରେ । ନରୋତ୍ତମ କର୍ମଶାଳା ପୃଥିବୀର ଅଖ୍ୟାତ ଅଞ୍ଚଳର ଏଇ ପରିତ୍ୟକ୍ତ ଲୋକେ । ଦୁଃଖି, ରୋଗୀ ଗରିବ,ଦୁର୍ବଳ ଏବଂ ବିକଳାଙ୍ଗ । ସେମାନଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଛି ନରୋତ୍ତମ । ନିଜର ସବୁ ଶକ୍ତି, ସ୍ନେହ ଶ୍ରଦ୍ଧା ସଂରକ୍ଷିତ କରିଦେଇଛି ସେମାନଙ୍କ ପାଇଁ । ତା’ ପାଇଁ ସେଇ ହୃଦୟ ଭିତରେ କେତେ ଟିକେ ଜାଗା ଅଛି ତାହା ଜାଣିବାର ଉପାୟ ନାହିଁ । ତଥାପି ମନ ଭିତରେ କିଏ ଯେପରି ବାରମ୍ବାର କୁହେ ସେଇ ଗୋଟିଏ କଥା, ମୁଁ ତୁମକୁ ଭଲପାଏ... । ତୁମ ପାଇଁ ମୁଁ ଅପେକ୍ଷା କରିଛି..କରୁଥିବି... । ମନର ବିଶ୍ୱାସ ଆହୁରି ଦୃଢ଼ ହୁଏ ଶକୁନ୍ତଳାର । ସେ ପ୍ରତି ମୁହୁର୍ତ୍ତରେ ଶୁଣେ ନରୋତ୍ତମର ଅଭୟ ବାଣୀ । ରହସ୍ୟ ଭିତରୁ ପ୍ରସ୍ଫୁଟିତ ହୂଏ ଗୋଟିଏ ସ୍ୱରୂପ ।

 

ସେ ଲୁଗା ବଦଳାଇ ବାହାରିଲା ବେଳକୁ ତାହାରି କୋଠରୀ ଭିତରେ ଅପେକ୍ଷା କରୁଥିଲା ସ୍ନେହ ।

 

ଶକୁନ୍ତଳା ଖୁସିହୋଇ କହିଲା, ଆଲୋ ମୋ ବଉଳ... ।

ସ୍ନେହ କହିଲା, ମନ ତ ଅନ୍ୟଠି ଲାଗିଚି, ଆଉ ବଉଳ କଥା ମନେପକେଇବୁ କାହିଁକି ?

 

ଳାଜମିଶା ହସଟିଏ ମୁହଁ ଉପରେ ଖେଳାଇ କହିଲା ଶକୁନ୍ତଳା, ଘରେ ପାଦ ଦବା ଆଗରୁ ମାନଅଭିମାନ...

 

ସ୍ନେହ କହିଲା, ସିଏ ତ ଆଉ ପଚାରୁ ନାହାନ୍ତି । ତୋ ଉପରେ ଅଭିମାନ ନ କରି ଆଉ କାହା ଉପରେ କରନ୍ତି ଯେ... ।

 

କହିଲୁ, କାହିଁକି ତାଙ୍କ ଉପରେ ଏତେ ଅଭିଯୋଗ ? ବିଚାରା ନିର୍ମଳ, ନିରୀହ ମଣିଷ...-

 

–ତୁ, ତାହାଲେ ତାଙ୍କୁ ଚିହ୍ନିନୁ ଲୋ ବଉଳ । ଉପରେ ସିନା ନିରିହ ଭାବ...ଭିତରେ ଭିତରେ ମଣିଷଖିଆ ବାଘ ।

 

–ବାବାରେ ! ହସିଉଠିଲା ଶକୁନ୍ତଳା ।

–ଦେଖୁନୁ ମୋତେ କିମିତି ଶେଷ କରିଦେଲେଣି... ।

 

-ତୋତେ ଦେଖି ତ ବାହା ହବା ପାଇଁ ଅପେକ୍ଷା କରୁଥିବା ଝିଅଟିଏ ପରି ଯିଏ ହେଲେ କହିବ ।

 

–ସେ କିନ୍ତୁ ଚାହାନ୍ତି ଆହୁରି ସୁନ୍ଦରୀ, ତନୁପାତଳୀ ।

–ସତେ !

 

–ଛାତି, କମର, କଟିତଳ ମାପି ସେ କୁହନ୍ତି ଆହୁରି କିଛି କରିବାକୁ ହବ । ଭାତ ନୁହେଁ ରୁଟି । ଘିଅ କି ଚିନି ନୁହେଁ...ଫଳ ଓ ପ୍ରୋଟିନ୍; ଆଉ ଯୋଗସାନ ।

 

–ତୋ କଥା ଶୁଣି ହିଂସା ହଉଚି ଯେ... ।

 

–ମୋ ଜାଗା ତୁ ଦଖଲ କରିନିଅନ୍ତୁ କି । ସେଦିନ କଅଣ କହିଲେ ଜାଣୁ, ଶକୁନ୍ତଳା ପରି ବାଲାନ୍‌ସଡ଼୍‌ ବଡ଼ି କର । ଭାଇଟାଲ ଷ୍ଟାଟିଷ୍ଟିକ୍‌ସଗୁଡ଼ାକୁ ଠିକ୍ ରଖ ।

 

ଲାଜେଇଯାଇ କହିଲା ଶକୁନ୍ତଳା, ଧେତ୍, ମୋ ନାମ କାହିଁକି ଯୋଡ଼ୁଛ....

ମୁଁ କହିନାଇଁ ମ ...ତାଙ୍କ ନଜରରେ ପଡ଼ୁଛି ଲୋ ବଉଲ... ।

 

ତୁ ତାଙ୍କୁ ସମ୍ଭାଳ ବଉଳ । ତୁ ବାପଘରକୁ ଚାଲିଆସିଲେ ସେ ଯଦି ଆଉ କାହାକୁ ଖୋଜନ୍ତି ? କହିସାରି ସ୍ନେହର ମୁହଁକୁ ନିରୀକ୍ଷଣ କଲା ଶକୁନ୍ତଳା ।

 

ମୁହଁ ଉପରେ ଅଳଙ୍କାରର ଦୀପ୍ତି ଖେଳାଇ କହିଲା ସ୍ନେହ, ମୋ ପାଠଶାଳାରେ ନାମ ଲେଖାଇସାରିବା ପରେ ଅନ୍ୟ ସବୁ ପାଠଶାଳା ନିଷିଦ୍ଧାଞ୍ଚାଳ । ଉପରେ ସିନା ସିଂହ ସାବକ; କିନ୍ତୁ ଭିତରେ ମୂଷିକଟିଏ । ମୋ ହାତମୁଠା ଭିତରେ ଯେତେ ନାଟ କୀର୍ତ୍ତନ ।

 

ଶକୁନ୍ତଳା ସୀମନ୍ତିନୀ ନାରୀର ଐଶ୍ୱର୍ଯ୍ୟ ଦେଖି ବିହ୍ୱଳ ହୋଇଗଲା । ବାହାହବା ପରେ କେତେ ବଦଳି ଯାଇଛି ସ୍ନେହ । କଲେଜରେ ପାଠ ପଢ଼ିବାବେଳେ ନୂଆହୋଇ ଆସିଥିବା ଅଧ୍ୟାପକ ଦୀପଙ୍କର ବାବୁଙ୍କ ସହିତ କେତେଥର ସିନେମା ନ ଦେଖିଛି, କେତେଥର ମହାନଦୀ କୂଳ ନ ବୁଲିଛି.... । କିନ୍ତୁ ଦୀପଙ୍କର ଭିନ୍ନ ପୁରୁଷ । ସ୍ନେହକୁ ଠିକ୍‌ ସମୟରେ ଛାଡ଼ି ଚାଲିଗଲେ । ତାଙ୍କର ବିଶ୍ୱାସଘାତକତା ସ୍ନେହକୁ ଦୋହଲାଇ ଦେଇଥିଲା ଯିମିତି ଭୂମିକମ୍ପ ଦୋହଲାଇ ଦିଏ ପ୍ରାସାଦ ଅଟ୍ଟାଳିକାମାନଙ୍କୁ । କିନ୍ତୁ ଅସୀମ ଆତ୍ମବିଶ୍ୱାସ ଏବଂ ସାହସ ସ୍ନେହର । ଯେପରି ଦୁଃସାହସ କରି ଦୀପଙ୍କରଙ୍କ ସହିତ ସାଙ୍ଗ ହୋଇଥିଲା, ସିମିତି ଦୁଃସାହାସ ଦେଖାଇ ତାଙ୍କର ପ୍ରତ୍ୟାଖ୍ୟାନକୁ ଅତିକ୍ରମ କରିଗଲା । ଆଉ ମାସ ତିନିଟାରେ ସ୍ରୋତସ୍ୱିନୀ ପରି ସ୍ନେହ ଆଉଥରେ ପ୍ରବାହିତ ହବାକୁ ଲାଗିଲା । ଆଉଥରେ ସ୍ୱାଭାବିକତା ଫେରିଆସିଲା ତା’ ଜୀବନକୁ ।

 

ସେକ୍ରେଟାରୀଏଟ୍‌ରେ କାମ କରନ୍ତି ବିପିନ୍‌ବାବୁ । ତାଙ୍କୁ ବାହା ହବାପରେ ପରିପୂର୍ଣ୍ଣତାର ଦୀପ୍ତିନେଇ ଏବେ ଦାଣ୍ଡ ଆଲୁଅ କରି ଚାଲେ ସ୍ନେହ । ସେ ବାପଘରକୁ ଆସିବାର ତିନିଦିନ ପୂରିବା ଆଗରୁ ବିଭିନ୍ନ କାମର ଛଳନା କରି ପହଞ୍ଚି ଯାଆନ୍ତି ବିପିନ୍‌ବାବୁ ।

 

ସେଦିନ ସ୍ୱାମୀ କହୁଥିବା କଥାଟି ଶକୁନ୍ତଳା ଆଗରେ ଗପିଗଲା ସ୍ନେହ ।

 

ସେ କିମିତି ମାଇଚିଆ ଶୁଣ୍‌ ବଉଳ । ତୁ ତ ଜାଣୁ ସେ ସାଂସ୍କୃତିକ ବିଭାଗରେ ଚାକିରି କରନ୍ତି । ୟାଙ୍କ ହାତରେ ନୃତ୍ୟ, ସଙ୍ଗୀତ, ନାଟକ ବିଭାଗ । ସେଇ ବିଭାଗରେ ଚାକିରି କରେ ତିଳୋତ୍ତମା । ତୋର ମନେଅଛି କି ନାହିଁ କେଜାଣି, ଆମେ କଲେଜରେ ଭର୍ତ୍ତିହବା ବର୍ଷ ସେ ପାଶ୍‌କରି ଚାଲିଗଲା ମ । କଲେଜ ୟୁନିୟନର ସମ୍ପାଦିକା ନ ଥିଲା ?

 

ଶକୁନ୍ତଳା ମନେପକେଇବାକୁ ଚେଷ୍ଟା କଲା । ଝାପ୍‌ସା ହୋଇ ନାଚିଉଠିଲା ଗୋଟିଏ ମୁହଁ ।

 

ସେଇ ତିଳୋତ୍ତମା ୟା’ଙ୍କ ସହିତ ଏକାବେଳେ ଚାକିରି ଆରମ୍ଭ କଲା ସାଂସ୍କୃତିକ ବିଭାଗରେ । ପ୍ରଥମେ ତ ପାଖକୁ ଆସୁ ନ ଥିଲା । ତାଙ୍କ ସିନିଅର ଅଫିସର ନବେନ୍ଦୁ ବାବୁଙ୍କ ସାଙ୍ଗରେ କେତେ କେଳି କରି ନ ଥିବ । କିଛି ଦିନେ ନବେନ୍ଦୁ ବଦଳି ହୋଇ ଚାଲିଗଲେ ସେଠାରୁ । ତା’ ପରେ ପାଳି ପଡ଼ିଲା ୟା’ଙ୍କର । ଇଏ ସେତେବେଳକୁ ହାତଗୋଡ଼ ବନ୍ଧାହୋଇ ବନ୍ଦୀ ହୋଇ ସାରିଛନ୍ତି, ଏକଥା ଜାଣି ନ ଥିଲା ତିଳୋତ୍ତମା । ୟା’ଙ୍କ ପଛରେ ଧାଇଁଲା କିଛିଦିନ । ଜାଣି ଜାଣି ପାଖରେ ବସେ । ଦେହକୁ ଦେହ ଲଗେଇ ଚିମୁଟି ଦିଏ । ଦିନେ ଇଏ ଏକାଥିବାବେଳେ ମୁହଁ ନୁଆଁଇ ଚୁମା ଖାଇଲା ତିଳ । ୟା’ଙ୍କର ଦେହରୁ ସେତେବେଳକୁ ଝାଳ ବୋହିଗଲାଣି । ଶରୀର ଥରୁଥାଏ । ତୁଣ୍ଡରୁ କଥା ବାହାରୁ ନ ଥାଏ । ତା’ପରେ ଆଉ କଅଣ କରିଥାଆନ୍ତା କି କହିଥାଆନ୍ତା କେଜାଣି ଅନ୍ୟ ଲୋକ ପହଞ୍ଚି ଯିବାରୁ ସେଇଠି ସମାପ୍ତ ହେଲା ରାସକେଳି । ତା’ପରେ ଘରକୁ ଆସି ମୁହଁରେ ସାବୁନ ଘଷି ଭଲ ଭାବରେ ଡେଟଲ ଲଗାଇ ଧୂଆପୋଛା ସାରି ସେଦିନ ଆଉ ବାହାରକୁ ନ ଯାଇ, ଉପାସରେ କଟାଇ ଦେଲେ ।

 

–କାହିଁକି ?

 

ପ୍ରାୟଶ୍ଚିତ୍ତ କରୁଥିଲେ । ମୁଁ ପଚାରିବାରୁ କହିଲେ, ମୋର ସଙ୍ଗସୁଖ ପାଇବାପାଇଁ ତା’ର ଏତେ ମନହେଲା କାହିଁକି ? ମୋ ପାଖରେ ସେ କଅଣ ଦେଖି ଏପରି କଲା ? ହୁଏତ କିଛି ଦେଖିଥିବ ତା’ ଆଖିରେ....ଜ୍ଞାତ ବା ଅଜ୍ଞାତରେ ହେଉ ସେତକ ଅପ୍ରାଧ ଯଥେଷ୍ଟ । ତା’ର ପ୍ରାୟଶ୍ଚିତ୍ତ ଦରକାର ।

 

ତୁ ଭାଗ୍ୟବତୀ ବଉଳ, ଇମିତି ବରର ହାତ ଧରିଛୁ.... ।

 

ମୁଁ କିନ୍ତୁ ତାଙ୍କୁ ଗାଳିଦେଇ, ମାଇଚିଆ ବୋଲି ଚିଡ଼େଇଲି; ଆଉ କହିଲି ଭାତଥାଳି ଛାଡ଼ି କେହି ଉଠିଗଲେ ଲକ୍ଷ୍ମୀ ନାରାଜ ହୁଅନ୍ତି । ତୁମେ ତିଳୋତ୍ତମାର ଚୁମା ନେଲ, ତା’ ଗାଲରେ ଦାଗ ରଖିଦେଇ ପାରିଲ ନାହିଁ...ଛି, ଛି...ମରଦ ନା ମହିଳା...

 

ଶକୁନ୍ତଳା ଲକ୍ଷ୍ୟ କରୁଥିଲା ବଉଳାକୁ । ସ୍ୱାମୀ ଗରବିଣୀ ସ୍ତ୍ରୀର ଐଶ୍ୱର୍ଯ୍ୟ କରୁଣର ଐଶ୍ୱର୍ଯ୍ୟଠାରୁବି ଅଧିକ ।

 

ସ୍ନେହ କାହିଲା, ମୋତେ ଲାଜ ନାହିଁ ବୋଲି ଆସିବାବେଳୁ ଖାଲି ମୋ ନିଜକଥା କହୁଛି.. ଏବେ ତୋ କଥା କହ ବଉଳ...ତୋ ମୁହଁରୁ ଶୁଣିବା ପାଇଁ ଆସିଛି ।

 

ଶକୁନ୍ତଳା ମୁହଁ ଶୁଖେଇ କହିଲା, ସମସ୍ତଙ୍କର ଭାଗ୍ୟ ସମାନ ନୁହେଁ ଲୋ ବଉଳ... ।

 

ସ୍ନେହ ତାକୁ ଛାତି ଉପରକୁ ଆଉଜାଇ ନେଇ କହିଲା, ବିଭୁପଦ ସହିତ ଯୋଉ ପ୍ରସଙ୍ଗ ପଡ଼ିଥିଲା ତାହା ଭାଙ୍ଗିଯିବାର ଶୁଣିଚି । କିନ୍ତୁ ନରୁଭାଇ କଥା କେତେଦୂର ଗଲା ?

 

ଶକୁନ୍ତଳା ଦୀର୍ଘଶ୍ୱାସ ଛାଡ଼ି କହିଲା, ଯେ ପକ୍ଷୀ ଉଡ଼େ ଯେତେ ଦୂର, ସେ ଜାଣେ ତହିଁର ବେଭାର.. । ମୋ ଡେଣାରେ ଏତେ ବଳ କାହିଁ ଲୋ ବଉଳ ଯେ ମୁଁ ଉଡ଼ିବି... ସିଏ ତ ନୀଳ ଆକାଶରେ ଡେଣା ମେଲେଇ ଉଡ଼ୁଛନ୍ତି ... ମାଟି ଉପରର ମଣିଷ ତାଙ୍କ ଦୃଷ୍ଟିରେ ପଡ଼ନ୍ତି କି ନାହିଁ, ମାଟିର ବାସ୍ନା ତାଙ୍କ ନାକରେ ବାଜେ କି ନାହିଁ, ପୃଥିବୀର ସଙ୍ଗୀତ ତାଙ୍କୁ ଶୁଣାଯାଏ କି ନାହିଁ ସେ ଜାଣିଥିବେ... ।

 

ଝାପ୍‌ସା ହୋଇଆସୁଥିବା ଶକୁନ୍ତଳାର ଦୃଷ୍ଟିକୁ ପରିଷ୍କାର କରିଦେବା ପାଇଁ ପଣତରେ ତା’ର ଆଖି ପୋଛିଦେଇ ସ୍ନେହ କହିଲା, ଦେଖାଦେଲେ ତାଙ୍କୁ ପଚାରନ୍ତି, ଯଦି ବୈରାଗୀ ହବାଲାଗି ଏତେ ଇଚ୍ଛା, ମୋ ବଉଳ ପାଖକୁ ଆସୁଥିଲ କାହିଁକି, ସମ୍ପର୍କ ପାତିବା ଲାଗି ଇମିତି ଅନଉଥିଲ କାହିଁକି......କିନ୍ତୁ ମୋର କଅଣ ମନେହୁଏ ଜାଣୁ ବଉଳ, ସେ ଏଇ ମାଟିର ମଣିଷ, ଏଇ ମାଟିର ବାସ୍ନା ତାଙ୍କୁ ଆମୋଦିତ କରେ, ପୃଥିବୀର ସଙ୍ଗୀତ ତାଙ୍କୁ ଭଲ ଲାଗେ ।

 

ଶକୁନ୍ତଳା ମନର କଥା କହିବାପାଇଁ ଲୋକଟିଏ ଖୋଜୁଥିଲା ଆଜି ଯାକେ । ଗୋଟି ଗୋଟି କରି ଅନ୍ତରର ସବୁ କଥା ଓ ଆକୁଳତା ତା’ ପାଖରେ ଖୋଲିଦେଇ ଶେଷରେ କହିଲା, ସମର୍ପି ଦେଇଛି ନିଜକୁ, ଆଉ ଫେରି ଆସିବାର ବାଟ ନାହିଁ, ନିଅନ୍ତୁ କି ନ ନିଅନ୍ତୁ ତାଙ୍କ ଇଚ୍ଛା ।

 

ସ୍ନେହ ଜାଣେ ଭଲ ପାଇବାର ପ୍ରସବଣ ଶୁଖେ ନାହିଁ । ସ୍ୱାମୀଠାରୁ ସବୁ ପାଇ ବି ଏବେ ବି ସେ ଭାବେ ଦୀପଙ୍କର ଆଉ ଥରେ ଆସନ୍ତା କି ...ମୁହୂର୍ତ୍ତକ ପାଇଁ ତା’ ସହିତ ଦେଖା କରନ୍ତା କି.... ।

 

ଗୌତମ ଘରକୁ ଫେରିଆସି କହିଲେ, ବାହାରର ଦୁନିଆ ଏତେ ବଦଳି ଯାଇଛି ବୋଲି ଜାଣି ନ ଥିଲି । ମଣିଷର ଦେବତା ହେବା ପାଇଁ ଆଉ ଅଭିଳାଷ ନାହିଁ, ଅସୁର ହବାଲାଗି ଅହରହ ଉଦ୍ୟମ କରିଚାଲିଚି ।

 

ସରଳା ଭିତରୁ ବାହାରି କହିଲେ, କଅଣ ହେଲା, କଅଣ ନିଷ୍ପତ୍ତି ନିଆଗଲା ସଭାରେ ?

ଗୌତମ ଯାହା ହୋଇଥିଲା ସବୁ କହିଲେ ।

 

ହରିପଦ ଗ୍ରାମବିକାଶ ପରିଷଦର ଘୋର ବିରୋଧ କରି କହିଲେ ଆମ ଦେଶର ମାଟି, ପାଣି, ପବନ ଗଢ଼ିଉଠିନି ଏଇ ଆଦର୍ଶ । ବିଦେଶରୁ ଧାର କରା ଜିନିଷ ନେଇ କେତେଦିନ ଚଳିବ-? ନକ୍‌ସଲ୍‌ପନ୍ଥୀମାନେ ଦେଶର ସର୍ବନାଶ କରିବାପାଇଁ ବଦ୍ଧପରିକର । ସେଥିପାଇଁ ଲୋକମାନଙ୍କ କଲ୍ୟାଣ କରିବା ନାମରେ ସେମାନଙ୍କ ମନଭିତରେ ବିପ୍ଲବର ବୀଜ ବୁଣିବାପାଇଁ ଚାହିନ୍ତି । ଏ ଦେଶ ଗାନ୍ଧିକୁ ସ୍ୱୀକାର କରେ, ମାଓକୁ ନୁହେଁ ।

 

ସରଳା କହିଲେ, ସେ ତତ୍ତ୍ୱ କଥାରୁ ମୋତେ କଅଣ ମିଳିବ । ନିଷ୍ପତ୍ତି କଅଣ ହେଲା ସାଫ୍ ସାଫ୍ କହିଦିଅ ।

 

ଗୌତମ କହିଲେ, ଯାହା ହେଉଛି ବା ହେବ ସବୁ ଠିକ୍ । ଏ ଟୋକାମାନେ ପ୍ରତିବାଦ ବା ପ୍ରତିରୋଧ କରିବାର ଯେଉଁ ସ୍ୱର ଉଠେଇଛନ୍ତି ସବୁ ଭୁଲ । ଗ୍ରାମର ବିକାଶପାଇଁ ବ୍ଲକ୍ ଅଛି, ପଞ୍ଚାୟତ ଅଛି । ସେଥିଲାଗି ଅନ୍ୟ ସଂସ୍ଥାର ଆବଶ୍ୟକତା ନାହିଁ ।

 

–ମୋତେ କିଛି ଭଲ ଦେଖାଯାଉନି । ଏମିତି କଥା ଗଡ଼ି ଗଡ଼ି ସଂଘର୍ଷ ଆଡ଼କୁ ଯିବ.... ।

 

–ସଂଘର୍ଷ ହବାକୁ ଆଉ ବାକୀ ନାହିଁ । ହରିଯୋଗୀ ଆଶ୍ରମକୁ ଫେରୁଥିବାବେଳେ ଆମ୍ୱତୋଟାରେ ଗଛ ଉହାଡ଼ରୁ କେହି ଜଣେ ଟେକା ମାରି ତାଙ୍କ ମୁଣ୍ଡ ଫଟେଇ ଦେଇଛି ।

 

ସରଳା ଭୟରେ ଶୀତେଇଉଠି କହିଲେ, ନରୁର କିଛି ହୋଇଛି ?

 

–ନା, ସେମାନେ ନରୋତ୍ତମକୁ ମାରିବାପାଇଁ ଲକ୍ଷ୍ୟ କରିଥିଲେ; କିନ୍ତୁ ବାଜିଲା ହରିଯୋଗୀଙ୍କ ମୁଣ୍ଡରେ ।

 

–ଏତେଦୂର କଥା ଗଲାଣି, ତମେ ଚୁପ୍ ହୋଇ ବସିଛ ।

–ଘରେ ବଢ଼ିଲା ଝିଅ । ଯେମିତି ପାରିବି କରିବି । ଆଉ ବେଶି ନୁହେଁ ।

 

ତା’ପରେ ସ୍ତ୍ରୀଙ୍କୁ ପାଖକୁ ଡାକି କହିଲେ, ହେଡ଼୍‌ମାଷ୍ଟରଙ୍କ ମୁହଁରୁ ଶୁଣିଲି । ଶକୁ ନାମରେ କେହି ଅଶ୍ଲୀଳ ବେନାମୀ ଚିଠି ଲେଖିଛି... ।

 

କଅଣ ଲେଖିଛି ? ଉତ୍କଣ୍ଠିତ ହୋଇ ପଚାରିଲେ ସରଳା ।

ସେତେବେଳେକୁ ଶକୁନ୍ତଳା ସ୍ନେହକୁ ବିଦାୟ ଦେଇ ଫେରି ଆସିଥିଲା ।

ତା’ କାନରେ ବାପା ବୋଉଙ୍କର ଶେଷ ଦୁଇପଦ କଥା ପଡ଼ିଗଲା ।

 

ବାପାଙ୍କୁ କିଛି କହିବାର ସୁଯୋଗ ନ ଦେଇ ଶକୁନ୍ତଳା କହିଲା, ମିଛ ସବୁଦିନେ ମିଛ ବାପା, ସତର ବିଜୟ ସୁନିଶ୍ଚିତ ।

 

ସରଳା କହିଲେ, ତୁ ଜାଣୁ ଶକୁ ?

 

–ହଁ ସବୁ ଜାଶେ ମା’ । କିନ୍ତୁ ମୋର ଭୟ ନାହିଁ । ମଣିଷ ଭିତରେ ଦେବତା, ଅସୁର ଉଭୟ ଅଛନ୍ତି । ଏସବୁ କଥାକୁ ଧରିବସିଲେ ଚଳିହବ ନାହିଁ ।

 

ଗୌତମ ସାହାସ ପାଇ କହିଲେ, ମୋ ତୁଣ୍ଡରୁ କଥା ଛଡ଼େଇ ନେଇ କହୁଛି ଶକୁ । ତୁମେ ଚିନ୍ତା କରନି । ଅସୁର ଶକ୍ତିର ବିଲୟ ନିଶ୍ଚିତ ।

 

ସରଳା କିନ୍ତୁ ଶାନ୍ତି ହେଲେନି । ଆଖି ପୋଛି କହିଲେ, ମୋ ଝିଅ ନାମରେ ଯିଏ ଅପବାଦ ଦବ, ତାକୁ ଭଗବାନ କ୍ଷମା ଦେବେ ନାହିଁ ।

 

ଗୌତମ କହିଲେ, ହଁ ସେଇ ଭଗବାନଙ୍କ ଉପରେ ସବୁ ଦାୟିତ୍ୱ ସମର୍ପି ଦେଇ ଟିକେ ନିଶ୍ଚିନ୍ତ ହୁଅ ସରଳା । ଆମେ ମଣିଷ, ଆମର ବୁଦ୍ଧି ବିଦ୍ୟା କମ୍‌ । ସେ ସବୁ ଦେଖୁଛନ୍ତି । କିଏ ଭଲ, କିଏ ମନ୍ଦ ସବୁ ଜାଣୁଛନ୍ତି । ତମେ ଚିନ୍ତା କରନି, ଶକୁ ବି ନିର୍ଭୟ ହେଉ.... କରିବାର ସେଇ ଭଗବାନ କରିବେ ।

 

ବିଭୁପଦର କରାମତି ପଣିଆ ଦେଖି ପ୍ରତାପରୁଦ୍ର ପ୍ରୀତି ହେଲେ । ସେଇ ଅଞ୍ଚଳର ସବୁ ବଡ଼ ବଡ଼ କାମ ତାଙ୍କ ହାତକୁ ଆସିଗଲା । ତାଙ୍କୁ ଆଉ କଟକ ଭୁବନେଶ୍ୱର ଦୌଡ଼ିବାକୁ ପଡ଼ୁ ନାହିଁ-। ଉପରିସ୍ଥମାନଙ୍କୁ ଧରିବାପାଇଁ, ସେହି କାମ ବିଭୁପଦ ନିଜ ହାତକୁ ନେଇଛି । ଜଣକୁ ଧରିବା ଭଲ-। ବିଭୁପଦକୁ ଯାହା ଦବା କଥା ସେ ଦିଅନ୍ତି ସ୍ୱେଚ୍ଛାରେ । ଦୁହିଙ୍କ ଭିତରେ ଗୋଟେ ଅସ୍ୱାକ୍ଷରିତ ଚୁକ୍ତି ହୋଇଛି । ଦୁହେଁ ମାନନ୍ତି ଚୁକ୍ତିର ସର୍ତ୍ତ । ଦୁହିଁଙ୍କ ସ୍ୱାର୍ଥ ଗୋଟିଏ ବିନ୍ଦୁରେ ସନ୍ନିବେଶିତ ।

 

ଖବର ପାଇ ବିଭୁପଦ ପାଖରେ ଯାଇ ହାଜର ହେଲେ ପ୍ରତାପରୁଦ୍ର । ତାଙ୍କ ଜିପ୍ ଧୂଳି ଉଡ଼େଇ ଦାଣ୍ଡରେ ଗଲାବେଳେ ପ୍ରତାପରୁଦ୍ରଙ୍କୁ ଲାଗୁଥାଏ ଯେ ତାଙ୍କ ବିରୁଦ୍ଧରେ ସବୁ ଅପପ୍ରଚାର ଏଇ ଧୂଳିପରି ଉଡ଼ିଯିବ ।

 

ତାଙ୍କୁ ଠିକ୍ ସମୟରେ ପହଞ୍ଚିଯିବାର ଦେଖି କହିଲା ବିଭୁପଦ, ମୁଁ ଆପଣଙ୍କୁ ଅପେକ୍ଷା କରୁଥିଲି । ଭଲ ହେଲା ପହଞ୍ଚିଗଲେ ।

 

ପ୍ରତାପରୁଦ୍ର କହିଲେ, ଆପଣଙ୍କ ଚିଠି ପାଇ ନିଶ୍ଚିନ୍ତ ହୋଇ ବସିରହନ୍ତି ମୁଁ ? ଚାଲିଆସିଲି । ଜରୁରୀ କାମ ନ ଥିଲେ ଆପଣ ତ ଡାକନ୍ତି ନାହିଁ ।

 

ବିଭୁପଦ କହିଲା, ଏଇ ଅଞ୍ଚଳରୁ ମନ୍ତ୍ରୀଙ୍କ ପାଖରେ ଆପଣଙ୍କ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ ହୋଇଥିଲା ତା’ର ସତ୍ୟାସତ୍ୟ ସମ୍ପର୍କରେ ସରଜମିନ ହୋଇଯାଇଥିବାର ଆପଣ ଜାଣନ୍ତି । ଫାଇଲ ଥିଲା ମନ୍ତ୍ରୀଙ୍କ ପାଖରେ । ମୁଁ ସବୁ ଠିକ୍ କରିଦେଇ ଆସିଛି । ତାଙ୍କର ହୃଦୟଙ୍ଗମ ହୋଇଛି ଯେ ଏ ସବୁ ଅଭିଯୋଗ ସ୍ୱାର୍ଥ ପ୍ରଣୋଦିତ । ବିରୋଧୀଦଳମାନେ ସରକାରଙ୍କର ବଦନାମ କରିବାଲାଗି ଇମିତି ଗୋଟେ ଷଡ଼ଯନ୍ତ୍ର କରୁଥିବା କଥା ତାଙ୍କୁ କହିଛି । ଆପଣ ନିଶ୍ଚିନ୍ତ ରୁହନ୍ତୁ । ଆଉ କିଛି ହବ ନାହିଁ । କିନ୍ତୁ ଏକାମ କରିବାକୁ ଅନେକ ଖର୍ଚ୍ଚ କରିବାକୁ ପଡ଼ିଲା । ସରଜମିନ କରିଥିବା ଅଫିସରମାନଙ୍କଠାରୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ ସମସ୍ତଙ୍କର ମୁହଁ ବନ୍ଦ କରିବା କାମ କେଡ଼େ କଷ୍ଟକର, ତାହା ଆପଣ ଅନୁମାନ କରିପାରୁଥିବେ ।

 

ପ୍ରତାପରୁଦ୍ର କହିଲେ, ଆଉ ଲକ୍ଷେଟଙ୍କା ରଖିଯାଉଛି ଆଜି । ଏଇ ବ୍ରିଫ୍‌କେସ୍‌ରେ ଅଛି । ପରେ ସବୁ ହିସାବ କରିବା ।

 

ବିଭୁପଦ ଖୁସିହୋଇ କହିଲା, ଆପଣଙ୍କ ପାଖରେ ହିସାବ ବୁଡ଼ିବ ନାହିଁ, ଏହା ମୁଁ ଜାଣେ । କିନ୍ତୁ ଟିକେ ସାବଧାନ ହେବେ । ଛାତ ବା ପୋଲ କାମରେ ବାଲିର ମାତ୍ରା ଟିକେ କମେଇବେ, ନୋହିଲେ ଆଗାମୀ ପ୍ରଥମ ବନ୍ୟାରେ ସବୁ ଭୁଷୁଡ଼ି ପଡ଼ିବ ।

 

ପ୍ରତାପରୁଦ୍ର ମୁଣ୍ଡ ଟୁଙ୍ଗାରିଲେ । ଆଉ କୌଣସି ପ୍ରତିଶ୍ରୁତି ଦବା ଅତ୍ୟଧିକ ଛଳନା ହୁଅନ୍ତା ବୋଲି ସେ ମୁହଁଖୋଲି କିଛି କହିଲେ ନାହିଁ । ତା’ପରେ ଜିପ୍ ଭିତରୁ ଗୋଟେ ଛୋଟ କାଠବାକ୍‌ସ ଆଣି ବିଭୁପଦର ଚାକର ହାତରେ ଭିତରକୁ ପଠାଇଦେଇ କହିଲେ, ଆଜିକାଲି ପଇସାଦେଲେ ବି ପୁରୁଣା ସ୍କଚ୍ ମିଳେନାହିଁ । କଲିକତାରୁ ମଗାଇଥିଲି ଡଜନେ ଅଛି । ରଖି ଦିଅନ୍ତୁ-। କାମରେ ଲାଗିବ ।

 

ବିଭୁପଦ ନିର୍ଲିପ୍ତ ପରି କହିଲା, ହଉଥାଉ... ବଡ଼ ବଡ଼ ଲୋକଙ୍କୁ ଆପ୍ୟାୟିତ କରିବାକୁ ହେଲେ ଏହାର ଉପଯୋଗିତା ଅନେକ ବେଶି ।

 

ପ୍ରତାପରୁଦ୍ର ଠିକାଦାରୀ କଲେଣି କୋଡ଼ିଏ ବର୍ଷ ହବ । ସେ ଅଫିସର ଏବଂ ନେତାମାନଙ୍କର ନାଡ଼ି ନକ୍ଷତ୍ର ସବୁ ଜାଣନ୍ତି । ଉଭୟଙ୍କର ଲକ୍ଷ୍ୟ ଏକ, ସ୍ୱାର୍ଥ ଏକ । ଉଭୟ ଅର୍ଥ ମଦ ଏବଂ ମହିଳାଦ୍ୱାରା ବଶୀଭୂତ । ତଥାପି ବିଭୁପଦକୁ ଖୁସି କରିବାପାଇଁ କହିଲେ, ଏଇ ବୟସରେ ଏସବୁରେ ବ୍ୟବହାର ନ କରିବେ ତ କରିବେ କେବେ ? ମୋର ବିଶ୍ୱାସ ଭୁବନେଶ୍ୱରରେ ଆପଣଙ୍କର କୌଣସି ଅସୁବିଧା ହୋଇ ନ ଥିବ । ଏତେଗୁଡ଼ା ନୂଆ ହୋଟେଲ ଖୋଲିବାଦ୍ୱାରା ଅନେକ ସୁବିଧା ହୋଇଛି । ନୋହିଲେ ଗେଷ୍ଟ ହାଉସ ବା ଖଣ୍ଡଗିରି ବଙ୍ଗଳାରେ ସବୁ କରିବାକୁ ପଡ଼ୁଥାଆନ୍ତା । ସେଠାରେ ବି ଆଉ ଆଗର ନିର୍ଜନତା ବା ଭଦ୍ରତା ନାହିଁ । ଅନେକ ପ୍ରକାର ଲୋକ ଆସୁଛନ୍ତି । କିଏ କୋଉ ଉଦ୍ଦେଶ୍ୟରେ ଆସନ୍ତି ବୁଝିବା କଷ୍ଟକର ।

 

ବିଭୁପଦ ଟିକେ ହସିଲା ।

ଏଇ ହସ ହିଁ ତାର ଉତ୍ତର ।

 

ପ୍ରତାପରୁଦ୍ର କହିଲେ, ଆମ ଓଡ଼ିଶା ଝିଅଗୁଡ଼ା ସେଇ କନ୍‌ଜରଭେଟିଭ ରହିଗଲେ । ସବୁ ସେଇ କଲିକତାରୁ ଆମଦାନୀ କରିବାକୁ ହୁଏ । କଲିକତା ମାଲ ଯୋଗାଣର ପ୍ରଧାନ କେନ୍ଦ୍ର । ଯେତେ ଚାହିଁଲେ ମିଳେ । ଯେତେ ପ୍ରକାର ଚାହିଁଲେ ବି ମିଳେ ।

 

ଅଥଚ ଏଇ କଲିକତା ସହିତ ଯୋଗାଯୋଗର ସହଜ ପଥକୁ ବାଦ୍‌ଦେଇ ସିଧା ଦିଲ୍ଲୀକୁ ଦଉଡ଼ିବାପାଇଁ ଝୁଙ୍କ୍ ଚାଲିଛି କେତେକଙ୍କ ମୁଣ୍ଡରେ । ସିଧା ଟ୍ରେନ୍ ସିଧା ପ୍ଲେନ୍ ପାଇଁ ଦାବୀ ଚାଲିଛି ଅହର୍ନିଶି । ସପ୍ତାହକୁ ତିନିଦିନ ସିଧା ଦିଲ୍ଲୀ ଯବାର ବ୍ୟବସ୍ଥାଟା ବୋଧହୁଏ ସୁବିଧା ଅପେକ୍ଷା ଅସୁବିଧା କରୁଛି ବେଶି ।

 

ଦିଲ୍ଲୀକୁ ବାଦ୍ ଦେଇହବ ନାହିଁକି କଲିକତାକୁ ବି ଛାଡ଼ି ହବନାହିଁ । ଆପଣ ଗୋଟେ ପ୍ରୋଗ୍ରାମ କରି ଦିଲ୍ଲୀ ବୁଲିଆସନ୍ତୁ । କିନ୍ତୁ ସାବଧାନ, ଓଡ଼ିଆ ଭବନରେ ରହି ଓଡ଼ିଆ ନ ହୁଅନ୍ତି ଯେପରି । କହିଲେ ପ୍ରତାପରୁଦ୍ର ।

 

ପୁଣି ଟିକେ ହସିଲା ବିଭୁପଦ ।

 

ତା’ର ହସର ଅର୍ଥ ବୁଝିଗଲେ ପ୍ରତାପରୁଦ୍ର । କୋଡ଼ିଏ ବର୍ଷ ଠିକାଦାରୀ କରି ଅଫିସର ଏବଂ ନେତାଙ୍କର ହସର ଅର୍ଥ ସେ ବୁଝିପାରନ୍ତେ ନାହିଁ ?

 

ପ୍ରତାପରୁଦ୍ର କହିଲେ, ଆପଣ କେବେ ଯିବେ ଆଗରୁ କହିବେ, ମୁଁ ସବୁ ବ୍ୟବସ୍ଥା କରିବି-। ଦିଲ୍ଲୀରେ ବାଦଶାହୀ କାରବାର । ବେଶୀ ଏବଂ ବିଦେଶୀ ଢାଳି ହୋଇ ପଡ଼ୁଛନ୍ତି ରାଜଧାନୀରେ । କଥାରେ ଅଛି, ଯେ ଦେଶେ ଯାଇ, ସେ ଫଳ ଖାଇ । ଦିଲ୍ଲୀର ଫଳ ଖାଇବେ ।

 

ନିରାସକ୍ତ ପରି ବିଭୁପଦ କହିଲା, ଅନେକ କାମ ଅଛି ହାତରେ । ଦୁଇଟା ଦିନ କଟକ କି ଭୁବନେଶ୍ୱରରେ ରହିଗଲେ ଲୋକମାନେ ଅସ୍ଥିର ହୋଇ କୁହନ୍ତି, ଏତେଦିନ କୁଆଡ଼େ ରହିଗଲ, ଆଉ ଦିଲ୍ଲୀ ଗଲେ ତ ଦିନ ସାତଟା ନ ରହି ଫେରି ହବନାହିଁ ।

 

ଲୋକମାନେ ସିମିତି କହୁଥିବେ । ସେମାନେ ସବୁଦିନ କଅଁଳା ପିଲା ହୋଇନାହାନ୍ତି ଯେ, ସେମାନଙ୍କୁ କୋଳେଇ କାଖେଇ ସେମାନଙ୍କର କାମ ଆଉ କେହି କରିଦବ । ଆପଣ ତ ଖୁବ୍‌ ପାରନ୍ତି । ମୁଁ ମୁହେଁ ମୁହେଁ କହିଦିଅନ୍ତି... ।

 

ବିଭୁପଦ କହିଲା, ନେତା ହେଲେ ଏସବୁ କରିବାକୁ ହୁଏ, ସହିବାକୁ ହୁଏ । ଅଧର୍ଯ୍ୟ ହେଲେ ଚଳିବ ନାହିଁ । ଯେତେ ଅଯୌକ୍ତିତ ବଚନିକା ହେଲେ ବି ଶୁଣିବାକୁ ହବ । କର ବା ନ କର, ଆଚ୍ଛା ଦେଖିବି ଠିକ୍ ଅଛି, ସବୁ କରିବି ବୋଲି କହିବାକୁ ହବ । ପ୍ରିତଶ୍ରୁତିରେ ଚାଲିଛି ଦେଶ । ଲୋକେ ସେତକ ଶୁଣି ଖୁସି । ମୁହଁରୁ ନାହିଁ ଶୁଣିବାପାଇଁ ପ୍ରସ୍ତୁତ ନୁହନ୍ତି କେହି ।

 

ତାହା ବୋଲି ଆପଣ ବି ଯେ ମଣିଷ, ଆପଣଙ୍କର ବି କିଛି ପ୍ରୟୋଜନ ଥାଇପାରେ ଏଇ କଥାଟା ସେମାନେ ଭୁଲିଯାଆନ୍ତି କିପରି । ମୁଁ ତ ଆଶ୍ଚର୍ଯ୍ୟ ହୁଏ ଆପଣଙ୍କର ଧୈର୍ଯ୍ୟ ଦେଖି । ବର୍ତ୍ତମାନର ଏମ୍‌. ଏଲ୍.ଏ କିନ୍ତୁ ଏ ଦିଗରୁ ବେଶ୍ ନିଶ୍ଚିନ୍ତ ।

 

–ଗତଥର ଧରାଧରି କରି ଚାଲିଆସିଥିଲେ । ରାଜନୀତି ଯେ ଘରେ ବସି ହୂଏ ନାହିଁ ଏବେ ବୁଝୁଛନ୍ତି । ସେ ଛିଡ଼ା ହେଲେ ବି ତାଙ୍କ ପରିବାରର ସବୁ ଭୋଟ ପାଇବେ କି ନା ସନ୍ଦେହ । ପାର୍ଟି ବି ଆଉ ତାଙ୍କୁ ଟିକଟ ଦବ ନାହିଁ ।

 

ପ୍ରତାପରୁଦ୍ର କହିଲେ, ମୁଁ ବି ସେଇକଥା ଶୁଣି ଆସିଛି କଟକରୁ । ଆପଣ ଖାଲି ତ ଏମ୍‌. ଏଲ୍. ଏ ହୋଇ ରହିବେ ନାହିଁ, ମନ୍ତ୍ରୀ ବି ହେବେ । ଆପଣ ସେତେବେଳେ କିନ୍ତୁ ମନେପକେଇବେ ଟିକେ.... ।

 

ଖୁସି ହୋଇ କହିଲା ବିଭୁଦତ୍ତ, କୋଉ ଜ୍ୟୋତିଷକୁ ଡାକୁଥିଲେ ପରା ?

 

–ହଁ, ତାଙ୍କୁ କହିଛି । ବେମାର ଥିଲେ ବୋଲି ଆସିପାରି ନ ଥିଲେ । ଆସନ୍ତା ମଙ୍ଗଳବାର ଦିନ ଆସିବେ । କିନ୍ତୁ ତା’ ଆଗରୁ ଯାହା କହିଛନ୍ତି ମୋ ମୁହଁରୁ ଏଇନେ ବାହାରିଗଲା । ସେ ତ ଖାଲି ଜ୍ୟୋତିଷ ନୁହନ୍ତି, ତାନ୍ତ୍ରିକ ବି । ତାଙ୍କଦ୍ୱାରା ଅନେକ କାମ ସାଧିତ ହେବ । ତାରଣ ବାରଣ ମନ୍ତ୍ର ବି ଜାଣନ୍ତି । ମୋହିନୀ ମନ୍ତ୍ର ବି ଆୟତ୍ତରେ ।

 

ବିଭୁପଦ କହିଲା, ତାଙ୍କୁ ନିଶ୍ଚୟ ଆଣନ୍ତୁ । ଇଲେକ୍‌ସନ ତ ପାଖହୋଇ ଆସୁଛି.... । ଆଗରୁ ସବୁ ପ୍ଲାନ କରିବା ଭଲ ।

 

ବିଦାୟ ନେଇ ପ୍ରତାପରୁଦ୍ର ଚାଲିଯିବା ପରେ ପୁଣି ଆଉ ଗୋଟେ ଜିପ୍ ଆସି ଛିଡ଼ା ହେଲା ଘରଆଗରେ ।

 

ବିଭୁପଦ କିଏ ଆସିଲା ଜାଣିବାପାଇଁ ଦାଣ୍ଡକୁ ଚାହିଁବାବେଳକୁ ସରୋଜଙ୍କୁ ପାହାଚ ଡେଇଁ ଉପରକୁ ଉଠୁଥିବାର ଦେଖିଲା ।

 

ସରୋଜବାବୁ ଝୁଡ଼ି ଦୁଇଟାକୁ ଘରଭିତରକୁ ପଠେଇଦେଇ କହିଲେ, ଗୋଟାକରେ ପାରାଦୀପର ଚିଙ୍ଗୁଡ଼ି ଏବଂ ଚାନ୍ଦି ମାଛ, ଆଉ ଗୋଟାକରେ କଟକ ସୁଇଟ୍‌ସ ।

 

ଆପଣ କଟକ ଯାଇଥିଲେ ?

ପଚାରିଲା ବିଭୁପଦ ।

 

ହଁ, ନିଜେ ନ ଗଲେ ସବୁ ବ୍ୟବସ୍ଥା ପକ୍‌କା କରିହୁଏ ନାହିଁ । ବିଡ଼ାନାସୀ ପାଖରେ ନୂଆ ହୋଇ ଯେଉଁ ଗେଷ୍ଟହାଉସ୍ ଖୋଲିଛି, ଅଳ୍ପଦିନ ତଳେ ସେଇଠି ରହିବାର ସବୁ ବ୍ୟବସ୍ଥା କରିଛି । ଜାଗାଟା ନିରୋଳା । ମହାନଦୀ କୂଳରେ । ପ୍ରାଇଭେସି ବି ଚମତ୍କାର । ଯିବା ଯିବା କହି ମାସେ ଚାଲିଗଲା । ଏଇଥର ସବୁ ଫାଇନାଲ କରି ଆସିଲି ।

 

ବିଭୁପଦ କଅଣ କହିବ କହିବ ହେଲା; କିନ୍ତୁ କହିପାରିଲା ନାହିଁ । ସବୁକଥା ସିଧାସଳଖ ଭାବରେ କହିହୁଏ ନାହିଁ । ତଥାପି ସେଇ ପ୍ରସଙ୍ଗଟା ପଡ଼ୁ । ଏହାର ତାଡ଼ନାକୁ ଏଡ଼ି ନ ପାରି କହିଲା, ବହିଟା ଏଇମାସ ଶେଷ ବେଳକୁ ବାହାରିଯିବ । ସେତେବେଳକୁ ଉତ୍ସଟିଏ କରିବାକୁ ହବ । ଉତ୍କଳ ସାହିତ୍ୟ ପରିଷଦ ଏହି ଦାୟିତ୍ୱ ନେବେ । ମୁଁ ଆଗରୁ କହିରଖିଛି ।

 

ସରୋଜ ରଞ୍ଜନ ସୁବିଧା ପାଇ କହିଲେ, କବିତା ଯିବ, ମୁଁ ବି ଯିବି । ଲଗାଲଗି ହୋଇ ଦୁଇଟା ସୁଇଟ୍ ରିଜର୍ଭ କରିଛି ।

 

ବିଭୁପଦ ଉତ୍ତର ପାଇଗଲା ।

 

ଅନ୍ୟ ପ୍ରସଙ୍ଗ ଉପରକୁ ଯିବାପାଇଁ କହିଲା ବିଭୁପଦ । ଆପଣଙ୍କୁ ଦେଖିଲେ କଅଣ ମନେହୁଏ ଜାଣନ୍ତି ? ଏ ଦୁନିଆଟା କେଡ଼େ ସରଳ ଆଉ ସୁନ୍ଦର । ନିଜ କକ୍ଷ ଚାରି ପାଖରେ ପୃଥିବୀ ବୁଲୁଥିବାର ଶବ୍ଦ ସିନା କାନକୁ ଶୁଣାଯାଏ ନାହିଁ ବା ତା’ର ଗତି ସିନା ଆଖିକୁ ଦେଖାଯାଏ ନାହିଁ; କିନ୍ତୁ ଏଇ ପୃଥିବୀର ସବୁ ମଣିଷ ଯେ ଗୋଟିଏ ଉପଗ୍ରହର ଅଧିବାସୀ ଏକ ଏକାନ୍ତ ସତ୍ୟ କଥାଟା ବାରମ୍ବାର ମନକୁ ଆସେ । ଆପଣ ନ ଥିଲେ ପୃଥିବୀର ସୌନ୍ଦର୍ଯ୍ୟ ଯିମିତି କମିଯାଆନ୍ତା ।

 

ତାକୁ ଖୁସିକରି ପାରିଥିବାରୁ ସରୋଜ ଆତ୍ମସନ୍ତୋଷରେ ହସିଲା ଟିକେ । ଭାବୀ ବିଧାୟକ । ଭାବୀ ମନ୍ତ୍ରୀ । ମନ୍ତ୍ରୀ ହାତରେ ଥିଲେ ଯନ୍ତ୍ରୀ ହବା ସହଜ ହୁଏ, ସବୁ ଅସମତଳ ଆବୁଡ଼ା ଖାବୁଡ଼ା ରାସ୍ତା ସମତଳ ମନେହୁଏ ।

 

କବିତା ଏତେ ପାଠପଢ଼ି, ଲେଖିକା ହୋଇ ମନର କ୍ଷୁଦ୍ର ପିଞ୍ଜରା ମଧ୍ୟରୁ ବାହାରି ଆସି ଏଇ ବିପୁଳ ପୃଥିବୀର ଅପାଶୋରା ରୂପ ଦେଖିପାରୁ ନାହିଁ । ନିଜର କ୍ଷୁଦ୍ରତା ଭିତରେ ରକ୍ଷଣଶୀଳ ହୋଇ ରହିଯାଇଛି । ଜଣେ ଆଉ ଜଣକୁ ଛୁଇଁଦେଲେ ଛୁଆଁ ଲାଗେ ନାହିଁ । ମଣିଷ ଯେପରି ଅସ୍ପୃଶ୍ୟ ନୁହେଁ, ଜଣେ ଜଣକୁ ଛୁଇଁଦେଲେ ସତୀତ୍ୱ ଚାଲିଯାଏ ନାହିଁ । ଆଉ ଗଲେ ବି ସେଥିରେ ଲାଭ ନାହିଁ କି କ୍ଷତି ନାହିଁ । ଯେଉଁ ସତୀତ୍ୱ କେବଳ ନାରୀର ଭୂଷଣ, ଜୀବନର କୌଣସି ଦରକାରରେ ଆସେ ନାହିଁ, ସେଇ ସତୀତ୍ୱ ଅପେକ୍ଷା ଅସତୀତ୍ୱର ଆବଶ୍ୟକତା ଅଧିକ-ଯାହାକୁ ବିକିଭାଙ୍ଗି ଚଳିହୁଏ । ସତୀତ୍ୱ ମନର କେବଳ ଗୋଟିଏ ଅନୁଭୂତି, ଏହାର ଅସ୍ତିତ୍ୱ ନାହିଁ କି ବାସ୍ତବତା ନାହିଁ । ବିଭୁପଦ ସାଙ୍ଗରେ ଦୁଇଟା ରାତି ଗୋଟିଏ କୋଠରୀରେ ରହିଗଲେ ଜାଣିଯିବ ନାହିଁକି ଦେହ ମାରା ହୋଇଯିବ ନାହିଁ । ଏ ଦେହଟା ଠିକ୍ ଟଏଲେଟ ପରି, ବ୍ୟବହାର କରିସାରି ଧୋଇ ପୋଛିଦେଲେ ପୁଣି ଆଉଥରେ ବ୍ୟବହାରୋପଯୋଗୀ ହୋଇଯାଏ । ପାଣିରେ ଗାର ପଡ଼େ ନାହିଁକି ମନରେ କଳଙ୍କି ଲାଗେନାହିଁ ।

 

ବିଭୁପଦ ସରୋଜ ହାତକୁ ଚା କପେ ବଢ଼େଇ ଦେଇ କହିଲା, ଆଉସବୁ ଖବର କଅଣ-?

 

ସରୋଜ କହିଲେ, ବେକାର ଲୋକମାନଙ୍କର ସେଇ ଗୋଟିଏ କଥା- ସବୁ ଖାଇଗଲେ, ସବୁ ଲୁଟିନେଲେ । କିନ୍ତୁ ମୁଁ ଗୋଟିଏ କଥା ପଚାରେ- ଖାଉଛି କିଏ, ନଉଛି କିଏ ? ଏଇ ଧନ ଜଣକ ହାତରେ ରହିବା ଲାଗି ସୃଷ୍ଟି ହୋଇନାହିଁ । ସେଥିପାଇଁ କଥାରେ କହନ୍ତି ଲକ୍ଷ୍ମୀ ଚଞ୍ଚଳା । ଯାହା କରିବା କଥା କରିସାରିବା ପରେ ଯଦି କରୁଥିବା ଲୋକର ହାତ ଚିକ୍‌କଣ ହୁଏ ତା’ହେଲେ କିଛି କରୁ ନ ଥିବା ଲୋକ ଏତେ ବିବ୍ରତ ହବାର କଅଣ ଅଛି । ଯାହା ଉଦ୍‌ବୃତ୍ତ, ତାହା ଏଇ ଦେଶରେ ଅଛି, ଅନ୍ୟ ଦେଶକୁ ଚାଲିଯାଉ ନାହିଁ ।

 

ବିଭୁପଦ ସରୋଜ ବାବୁଙ୍କର ଯୁକ୍ତି ଶୁଣି ହାତ ତାଳି ଦେଇ କହି ଉଠିଲେ, ଚମତ୍କାର ଯୁକ୍ତି ଆପଣଙ୍କର । ଆପଣ କଳ କୌଶଳ ଜାଣନ୍ତି । ଗୀତାରେ କୁଆଡ଼େ ଭଗବାନ କହିଛନ୍ତି ଯେ ଯୋଗ କର୍ମସୁ କୌଶଳମ୍ କାମକୁ ଭଲ ଭାବରେ କରିବାହିଁ ଯୋଗ ।

 

କୁକୁର ଭୁକୁଥିବ, ହାତୀ ଚାଲିଥିବ । ଯିଏ ଯାହା କହିବାର କହୁଥାଆନ୍ତୁ, ଆମେ ଆମ କର୍ତ୍ତବ୍ୟ କରିଯିବୁ । ଏ ଦେଶର ଅଧେ ଲୋକ ନିଷ୍କର୍ମା । ସେଥିପାଇଁ ପରର ସୁଖ ସମୃଦ୍ଧି ଦେଖିସହି ପାରନ୍ତି ନାହିଁ । ଟିପ୍‌ପଣୀ କାଟିଲା ସରୋଜ ।

 

ବିଭୁପଦର ପ୍ଲାନ ଅନୁସାରେ କାମ ଠିକ୍ ଚାଲିଛି । ପ୍ରତାପରୁଦ୍ର, ଅମରେନ୍ଦ୍ର, ଜଗଦ୍ଦେବ ଏବଂ ସରୋଜ କାନୁନ୍‌ଗୋ ସମସ୍ତଙ୍କର ପ୍ରୟୋଜନ ଅଛି ଏଇ ସମାଜରେ । ଅର୍ଥ ବ୍ୟତୀତ ମଣିଷ ଇଞ୍ଚେ ଆଗେଇ ପାରିବ ନାହିଁ । ନିର୍ବାଚନ ପାଖେଇ ଆସୁଛି । ଦଶଲକ୍ଷ ଟଙ୍କା ହାତରେ ନ ଥିଲେ ବିରୋଧୀ ଦଳ ତାକୁ ହାତ ଫୁଟୁକିରେ ଉଡ଼େଇ ଦେବେ । ଯାହାର ଯେତିକି ଟଙ୍କା ତା’ର ଲୋକବଳ ସେତିକି ବେଶି । ଚକେ ଗଲେ ବାରହାତ । ପାଞ୍ଚବରଷ ପରେ ଯେଉଁ ସୁଯୋଗ ପାଆନ୍ତି, ଲୋକେ ତା’ର ସଦ୍‍ବ୍ୟବହାର ନ କଲେ ନିଜେ ଠକିବେ ।

 

ସରୋଜ ବିଦାୟ ନେଇ ଚାଲିଗଲାପରେ କର୍ମୀମାନଙ୍କୁ ଡକେଇ ପଠାଇଲା ବିଭୁପଦ । ଚୁପ୍‌ହୋଇ ଘରେ ବସି ରହିଲେ ବିରୋଧୀ ଦଳର ସବୁ ଅପପ୍ରଚାର ମୁଣ୍ଡରେ ଅଠାପରି ବୋଳି ହୋଇଯିବ । ପ୍ରତିକାର ଆବଶ୍ୟକ ।

 

ଗ୍ରାମବିକାଶ ପରିଷଦର ଆଞ୍ଚଳିକ ସମ୍ମିଳନୀକୁ ଯେକୌଣସି ପ୍ରକାରେ ଭଣ୍ଡୁର କରିବାକୁ ହେବ । ଦିନକୁ ଦିନ ସେମାନଙ୍କର ପ୍ରଚାର ବଢ଼ିବାରେ ଲାଗିଛି । ହରିଯୋଗୀ ମଥାରେ ପଟି ବାନ୍ଧି ଲୋକଙ୍କୁ କହିବୁଲୁଛି ଯେ ପ୍ରାଣ ବିନିମୟରେ ବି ସେ ନ୍ୟାୟ ପାଇଁ ଲଢ଼ିବ । ଶଳା ହାରାମଜାଦା । ଦୁଇମାସ ଆଗେ ଦିନେ ତାକୁ ସ୍କୁଟର ପଛରେ କନ୍ଦରପୁର ବଜାରରୁ ଗାଆଁକୁ ନେଇ ଆସିଥିଲା ବିଭୁପଦ । ଶଳା ବେଇମାନ । ଅକୃତଜ୍ଞା । ଆଜି ତାହାରି ବିରୁଦ୍ଧରେ ସେ ପଞ୍ଚମୁଖ ହୋଇ ବିଷ ଉଦ୍‌ଗାର କରୁଛି ।

 

ହରେକୃଷ୍ଣ ଏବଂ ଅନ୍ୟ ପ୍ରମୁଖ କର୍ମୀମାନେ ଆସି ପହଞ୍ଚିଗଲେ । ରଜାର କଟୁଆଳମାନଙ୍କ ପରି ଖାଇପିଇ ଆଦେଶ ତାଲିମ କରିବାକୁ ସଦା ପ୍ରସ୍ତୁତ ସେମାନେ ।

 

ହରେକୃଷ୍ଣ ସବୁ ଶୁଣିସାରି କହିଲା, ଗତଥର ବର୍ତ୍ତିଗଲା ହରିଯୋଗୀ । ଏଥର ଶଳାକୁ ଖତମ୍ କରି ନଦୀରେ ଯଦି ଭସେଇ ନ ଦେଇଛି ମୁଁ ଦୀନକୃଷ୍ଣ ମଳିକର ପୁଅ ନୁହେଁ ।

 

ବିଭୁପଦ ତାକୁ ସାବଧାନ କରିଦେଇ କହିଲା, କିନ୍ତୁ ଖୁବ୍ ସାବଧାନତାର ସହିତ ଏସବୁ କରିବାକୁ ହବ । ଆଉ ସେଇ ଚୁପ୍ ଶଇତାନ ନରୋତ୍ତମକୁ ଶିଶୁପାଳ କରି ନ ଛାଡ଼ିବା ପର୍ଯ୍ୟନ୍ତ ମୋ ମନରେ ଶାନ୍ତି ନାହିଁ ।

 

ହରେକୃଷ୍ଣ ମୁହଁ ବିକୃତ କରି କହିଲା, ବାହାରେ ନେତା ବୋଲାଉଛି । ଆଉ ଭିତରେ ଭିତରେ ପେରେମ ଚାଲିଛି । ଶଳାର ପ୍ରେମରୋଗ ଯଦି ମୁଁ ନ ଛଡ଼େଇଛି ତ ମୋ ନାମରେ କୁକୁର ପୋଷିବ ।

 

ବିଭୁପଦର ସବୁ ରାଗ ସେଇ ଜଣକ ଉପରେ । ନରୋତ୍ତମ ନାଟର ଗୋବର୍ଦ୍ଧନ । ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି । ତାକୁ ବାଟରୁ ହଟାଇଦେଲେ ପଥ ନିଷ୍କଣ୍ଟକ ହୋଇଯିବ ।

 

ଲୋକ ଚରିତ୍ର ଦିନକୁ ଦିନ ବଦଳିବାରେ ଲାଗିଛି । ତାହାର ଖାଇ ଅନ୍ୟର ଗୁଣ ଗାଉଛନ୍ତି ଅନେକ । ଶକୁନ୍ତଳା ସହିତ ନରୋତ୍ତମର ଗୁପ୍ତ ପ୍ରଣୟକୁ ପଦାରେ ପକାଇ ଦେଇ ପାରିଲେ ଗୋଟିଏ ନିଶାଣରେ ଦୁଇକାମ ହାସଲ କରିହବ । ନରୋତ୍ତମ ବାଟରୁ ହଟିଗଲେ ଶକୁନ୍ତଳାକୁ ଭୋଗ କରିବାର ବାଟ ବି ସଫା ହୋଇଯିବ । ବିଡ଼ିଓ ଭଲଲୋକ ସାଜି ଯଦି ଶକୁନ୍ତଳାକୁ ଚାକିରି ଦେଇ ନ ଥାନ୍ତା, ତାହାହେଲେ ମହାଭାରତ ଅଶୁଦ୍ଧ ହୋଇଯାଇ ନ ଥାନ୍ତା । ଶଳା ପାଞ୍ଚବରଷ ରହିଲାଣି ଗୋଟେ ଜାଗାରେ । ଚେର ମଡ଼େଇ ଚିରସ୍ଥାୟୀ ହବାପାଇଁ ମସୁଧା କରିଛି ।

 

ହରେକୃଷ୍ଣ କହିଲା, ଆମେ ଏମାନଙ୍କୁ ଛାଡ଼ିବା ନାହିଁ; କିନ୍ତୁ ସେଇ ବିଡିଓକୁ ବି ପାନେ ଦବାକୁ ହବ । ମୁଁ ମନା କରୁଥିଲି ଶକୁନ୍ତଳାକୁ ଚାକିରି ଦବାପାଇଁ । ଏତେ ଯୋଗ୍ୟପ୍ରାର୍ଥୀ ଥିବାଳେଳେ ତାକୁଇ ବାଛିଲା ବିଡିଓ । ଆଉ କେହି ବି.ଏ. ପାସ୍ କରିନାହାନ୍ତି ? ଝିଅପିଲାର ମୁହଁରେ ମହୁ ଲାଗିଛି, ଶଳାକୁ ବଦଳି ନ କଲେ ଆହୁରି କଅଣ କରିବ କିଏ ଜାଣେ । ସାପକୁ ଦୁଧ ଖୁଆଉଥିଲୁ ଆଜିଯାଏ । ଆମରି ସପୋର୍ଟ ପାଇ ଶଳା ଆମରି ବିରୁଦ୍ଧରେ ଗଲା ଶେଷରେ ।

 

ବିଭୁପଦର ମନକଥା କହିଲା ହରେକୃଷ୍ଣ ।

 

ଯିଏ ବିଡିଓ ଆସିବ ତାକୁ କଥାମାନି ଚଳିବାକୁ ହବ । ସ୍ଥାନୀୟ ନେତୃତ୍ୱକୁ ସମ୍ମାନ କରିବାକୁ ହବ । ଏଇ ଅଞ୍ଚଳରେ ସର୍ବେସର୍ବା ହୋଇ ରହିବାପାଇଁ ତାର ଜନ୍ମ ହରିପଦଙ୍କ ପରେ ବିଭୁପଦର ଶାସନରେ ରହିବ ଏ ଅଞ୍ଚଳ । ତା’ପରେ ବିଭୁପଦର ପୁତ୍ର, ପୌତ୍ରାଦି ବଂଶାନୁକ୍ରମେ ଭୋଗ ଦଖଲ କରିବେ ଏ ରାଜ୍ୟ । ଏହା ତାର ପୈତୃକ ଅଧିକାର । ଏଥିରେ କାହାରି ହସ୍ତକ୍ଷେପ ବା କୌଣସି ଅନ୍ତରାୟକୁ ସେ ସହ୍ୟ କରିପାରିବ ନାହିଁ ।

 

ତା’ପରେ ସମସ୍ତଙ୍କୁ ସାଙ୍ଗରେ ନେଇ ବିଭୁପଦ ବାହାରିଲା କନ୍ଦରପୁର ବଜାର ଆଡ଼େ । ସନ୍ଧ୍ୟାବେଳେ ଜନସମାଗମ ହୁଏ ବଜାରରେ । ପାରାଦୀପ ବନ୍ଦରକୁ ରାସ୍ତା ପଡ଼ିବା ଦିନରୁ କନ୍ଦରପୁର ବଜାରରେ ଗହଳି ବଢ଼ୁଛି । ନୂଆ ନୂଆ ଦୋକାନ ଆସୁଛି ପ୍ରତିମାସ । ଟ୍ରକ୍, ଟାକ୍‌ସି, ବସ୍‌ର ସଂଖ୍ୟା ବଢ଼ୁଛି । ବଜାରର ଦୋକାନୀମାନଙ୍କଠାରୁ ରୀତିମତ ଚାନ୍ଦା ଆଦାୟ କରାହୁଏ । ଜବର ଦଖଲକରି ସରକାରୀ ଜମି ଉପରେ ଦୋକାନଘର ତୋଳିବାପାଇଁ ପୂର୍ବେ ହରିପଦଙ୍କର ଅନୁମତି ନବା ଦରକାର ହେଉଥିଲା, ଏବେ ସେଇ ବିଭୁପଦ ଅନୁମତି ଦଉଛି ।

 

କନ୍ଦରପୁର ବଜାରରେ ସେଦିନ ଅପୋକୃତ ଜନଗହଳି ବେଶି ଥିଲା । ମଧୁନନା ହୋଟେଲରେ ବିଭୁପଦ ପାଇଁ ସ୍ୱତନ୍ତ୍ର ଚୌକିଟିଏ ନିର୍ଦ୍ଦିଷ୍ଟ ହୋଇ ରହିଛି । ସେ ଆସିଲେ ବସେ ସେଠାରେ । ଆଉ କାହାରି ସେଇ ଚୌକି ଅଳଂକୃତ କରିବା ନିଷେଧ ।

 

ମଧୁନନା ବିଭପଦକୁ ସଦଳବଳେ ସ୍ୱାଗତ କଲେ । ସମସ୍ତେ ଯେପରି ରଜା ବା ସନ୍ଥ ହୋଇପାରନ୍ତି ନାହିଁ ଏବଂ ସେଥିପାଇଁ ପୂର୍ବଜନ୍ମର ପୁଣ୍ୟଫଳ ଥିବା ଆବଶ୍ୟକ । ସମସ୍ତେ ସେହିପରି ମନ୍ତ୍ରୀ ବା ନେତା ହୋଇପାରନ୍ତି ନାହିଁ । ଶାସକ ହବାର ଷୋହଳ କଳା ଅଛି ବିଭୁପଦ ପାଖରେ ।

 

ସେତେବେଳକୁ ବେଳ ପଡ଼ିଆସିଲାଣି । କନ୍ଦରପୁର ବଜାରର ରାସ୍ତା ଉପରୁ ଓହରିଯାଇ ଘରର ଛାତ ଉପରକୁ ଚାଲିଗଲାଣି ଆଲୋକ । ସଡ଼କର ଉଭୟ ପାର୍ଶ୍ୱରେ ପସରା ମେଲାଇ ବସିଲେଣି ପରିବା ଦୋକାନୀମାନେ ।

 

ଚା’ ଦୋକାନରେ ବେଶ୍ ଭିଡ଼ ଜମିଛି । ପାରାଦୀପରୁ ଆସୁଥିବା ଗୋଟିଏ ବସ୍ ଆସି ଛିଡ଼ା ହବାକ୍ଷଣି ମଧୁନନାଙ୍କ ଦୋକାନରେ ଆହୁରି ଭିଡ଼ ଜମିଲା । ବିଭୁପଦକୁ ଚିହ୍ନିପାରି କେହି କେହି ନମସ୍କାର ବି କଲେ । ମଧୁନନାଙ୍କର ଦୋକାନର ଆକର୍ଷଣ କେବଳ ଭଲ ଛେନାପୋଡ଼ ବା ପକୋଡ଼ି ନୁହେଁ ବିଭୁପଦ ବି । ବିଭୁପଦ ବି ଇମିତି ଗୋଟେ ଜାଗା ପସନ୍ଦ କରେ ଯେଉଁଠି ବିନା କାୟିକ, ମାନସିକ ବା ବାଚନିକ ପରିଶ୍ରମଦ୍ୱାରା ସେ ଲୋକଲୋଚନକୁ ଆସିପାରିବ, ତା’ର ପ୍ରସିଦ୍ଧି ମୁହଁରୁ ମୁହଁକୁ ପ୍ରସାରିତ ହେବ ।

 

ଜଣେ କେହି ଭିଡ଼ ଠେଲି ବିଭୁପଦ ଆଗକୁ ଆସି ତା ହାତକୁ ଚା’ କପେ ବଢ଼େଇଦେଇ କହିଲେ, ଏ ଦେଶର ଭବିଷ୍ୟତ ଆପଣଙ୍କ ହାତରେ ନିରାପଦ । ଆପଣଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇ ଈଶ୍ୱରଙ୍କୁ ଧନ୍ୟବାଦ ଦବାକଥା ।

 

ବିଭୁପଦ ତାଙ୍କ ହାତରୁ ଚା’ କପ୍ ନେଇ ଓଠ ଭିଜାଇ କହିଲା, ମୁଁ ଆପଣମାନଙ୍କର ସେବକ । ଯେତେବେଳେ ଇଚ୍ଛା ହବ କହି ପଠେଇଲେ ହାଜର ହେବି । ଆପଣମାନଙ୍କର ଦୁଃଖ ଦୁର୍ଦ୍ଦିନରେ ଏ ଅଧମକୁ ସ୍ମରଣ କରନ୍ତି ଯେପରି । ମୁଁ ନେତା ନୁହେଁ ଯେ ଆପଣମାନଙ୍କର ଯୋତା –ଯେତେଦିନ ଦରକାର ବ୍ୟବହାର କରିବେ, ଅଦରକାରୀ ହୋଇଗଲେ ଫିଙ୍ଗିଦେବେ ।

 

ମୋହାଚ୍ଛନ୍ନ ପରି ସମସ୍ତେ ଶୁଣୁଥିଲେ ବିଭୁପଦର କଥା । ଏଇ ଯେ ଖାଣ୍ଟି ନେତା । ଖାଣ୍ଟି ସୁନାର ରଙ୍ଗ ଦେଖି ଚିହ୍ନି ହୁଏ ।

 

ସଡ଼କ ଉପରେ ତିନି ଚାରିଜଣ ଧ୍ୱନି ଦେଲେ, ବିଭୁପଦ ବାବୁ କି ଜୟ... ।

 

ମାଛବଜାରରୁ ଗଣ୍ଡଗୋଳର ଶବ୍ଦ ଭାସିଆସିଲା । ହରେକୃଷ୍ଣ କଅଣ କହିଲା କେଜାଣି ଚା’ କପ୍‌ଟାକୁ ଟେବୁଲ ଉପରେ ଥୋଇ ଦୋକାନ ଭିତରୁ ତରତର ହୋଇ ବାହାରିଗଲା ବିଭୁପଦ ।

 

ମାଛବଜାର ଆଗରେ ଚଇତନର ପାନଦୋକାନ । ପ୍ରକୃତରେ ସେଇ ପାନଦୋକାନ ଆଗରେ ଦୁଇଦଳ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଧସ୍ତାଧସ୍ତି ପର୍ଯ୍ୟନ୍ତ ଚାଲିଗଲା । ବିଭୁପଦ ସେଠାରେ ପହଞ୍ଚିବାବେଳେ ଯୁଧିଷ୍ଠିରକୁ ଦୁଇ ତିନିଜଣ ଲୋକ ଘୋଷରାଘୋଷରି କରୁଥାଆନ୍ତି । ତା’ ବେକରେ ଗାମୁଛା ପକେଇ ଲୋକନାଥ କହୁଥାଏ, କୋଉଶଳା ତୋ ପିଠିରେ ପଡ଼ିବ ଡାକ୍ । ଶଳା ହାରାମଜାଦା...ମାସକ ଭିତରେ ଶୁଝିଦବ କହି ବରଷେ ହେଲାଣି ଫାଙ୍କି ଦେଉଛି । ଆହୁରି ମୁହଁ କରୁଛି... ଶଳା ବଜ୍ଜାତ୍ କାହାଁକା... ଡାକ ଡାକ ତୋ ଗୁରୁକୁ... ।

ଯୁଧିଷ୍ଠିର ପାଟିକରି କହୁଥାଏ, ଏପରି ଅନ୍ୟାୟ ଭଗବାନ ସହିବେ ନାହିଁ ପାପ କରି କେହି ବର୍ତ୍ତିଯାଇ ପାରିନାହିଁ ।

ସେତିକିବେଳେ ତା’ ଗାଲରେ ଚଟକଣାଟାଏ କଷିଦେଇ ଚିତ୍କାର କଲା ଲୋକନାଥ, ଶଳାର ମୁହଁ ଟାଣ ଦେଖ... ତୋ ଦାନ୍ତ ଯଦି ଝଡ଼େଇ ନ ଦେଇଛି... ଛୋଟଲୋକଗୁଡ଼ାର ମୁହଁ ସେଇ ଶଳା ବେକାର ନରିଆ ବଢ଼େଇ ଦେଇଚି । ଡାକୁନୁ ତାକୁ ଏଇନେ ତୋ ଟଙ୍କା ଶୁଝିଦବ... ।

ବିଭୁପଦ ପହଞ୍ଚିଯାଇ କହିଲା, କଅଣ ହେଲା କିରେ ଲୋକନାଥ... ?

ତାକୁ ଦେଖି ଲୋକନାଥର ବଳ ବହୁଗୁଣ ବଢ଼ିଗଲା ଯେପରି । ସେ ଯୁଧିଷ୍ଠିର ପିଠିରେ ବିଧାଏ ଚଢ଼େଇଦେଇ କହିଲା, ଏଇ ଶଳାର ମୁହଁ ଖୁର ପରି ଟାଣ । ଶଳା ମାସକ ଭିତରେ ଫେରେଇଦବ କହି ମୋଠାରୁ ଶହେଟଙ୍କା ନେଇଛି ଯେ କେତେ ମାସ ଗଡ଼ିଗଲାଣି, ଯେବେ ମାଗିଲେ କହୁଛି କିନା ହାତ ଖାଲି... ଏଣେ ଶଳା ଚାନ୍ଦା ଦେଇ ଦଳ ଗଢ଼ୁଛି... ।

ବିଭୁପଦ ଲୋକନାଥକୁ ନିବୃତ୍ତ କରିବାକୁ ଇଙ୍ଗିତ ଦେଇ କହିଲା, ସବୁ ସତ ଯୁଧିଷ୍ଠିର ?

ଯୁଧିଷ୍ଠିର କାନ୍ଦ କାନ୍ଦ ହୋଇ କହିଲା, ମୁଁ ଟଙ୍କା ୠଣ ନବା ସତ ବାବୁ । ସୁଧ ବାବଦକୁ ମାସକୁ ମାସ ତିରିଶିଟଙ୍କା ଦଉଛି । ଚାଷ ତ ଗଲା । ବନ୍ୟାରୁ ଯାହା ବର୍ତ୍ତିଥିଲା, ମରୁଡ଼ିରେ ଗଲା । ବିଆଳି ବି ହେଲାନି ଭୁଲ୍ ବିହନ ବୁଣିବା ଯୋଗୁ । ମୋତେ ବଜାରଟାରେ କିମିତି ବେଜ୍ଜିତ କରୁଛନ୍ତି ଦେଖନ୍ତୁ... ।

ବିଭୁପଦ କହିଲା, ଆଉ ଦୁଇଟା ମାସରେ ସବୁ ଶୁଝିଦିଅ । ଲୋକନାଥ ତୁମର ବିପଦ ସମୟରେ ଦେଇଥିଲା ତ...

ମୁଁ ଶୁଝିଦେବି ଆଜ୍ଞା... କିନ୍ତୁ ମୋତେ ନିରୀହ ଦେଖି ବାଡ଼ଉଛନ୍ତି ବଜାରଟାରେ.... ।

ଚୁପ୍‌କର ଶଳା–ଗର୍ଜନ କଲା ଲୋକନାଥ । ତା’ ଦିହରେ ଯେପରି ଭୀମର ବଳ ।

ଏଇନେ ଗୁହାରୀ କରୁଛୁ...ଟିକେ ଆଗରୁ ଶଳା ଟାଇଁ ଟାଇଁ ଜବାବ ଦଉଥିଲୁ । ତୋ ଗୁରୁର ଶିକ୍ଷା ତ ।

କିଏ ତାର ଗୁରୁ କି ? ପଚାରିଲା ହରେକୃଷ୍ଣ ।

ଆଇ କିଏ, ସେଇ ଶଳା ସବୁ ନାଟର ଗୋବର୍ଦ୍ଧନ ନରିଆ.... ।

ଚଇତନ ଏପର୍ଯ୍ୟନ୍ତ ଦୋକାନରେ ନୀରବରେ ବସିଥିଲା । ନରୋତ୍ତମ ଉପରେ ଅକାରଣରେ ଦୋଷ ଲଦି ଦିଆଯାଉଥିବାର ଦେଖି ସମ୍ଭାଳି ନ ପାରି କହିଲା, ନରୁଭାଇ ନାମରେ କିଛି କୁହନା ଲୋକାଭାଇ...ଭଲ ହବନି.... ।

ଲୋକନାଥ ଯୁଧିଷ୍ଠିର ବେକରେ ପକେଇଥିବା ଗାମୁଛାଟାକୁ ସେହିପରି ଧରି ପାନ ଦୋକାନ ଆଡ଼କୁ ଦୁଇପାଦ ଅଣେଇଯାଇ କହିଲା, ତୁ ତ ବଡ଼ ବଡ଼ କଥା କହୁଛୁବେ ଚଇତନ.... ଗାଲ ଚିପି ଦେଲେ ଦୁଧ ବାହାରିବ... ପରର ଓକିଲାତି କରୁଛୁ ?

ଚଇତନ ଦୋକାନ ଉପରୁ ତଳକୁ ଡେଇଁ ପଡ଼ି କମରରେ ହାତ ରଖି କହିଲା, ମୁହଁ ସମ୍ଭାଳି କଥା କୁହ, ନୋହିଲେ... ।

 

ନୋହିଲେ ମାରିବୁ ? ଚିହିଁକି ଯାଇ କହିଲା ଲୋକନାଥ ।

ମୁଁ ଯୁଧିଷ୍ଠିର ନୁହେଁ ଯେ ସହିଯିବି... ମୁଁ କୋଉ ହାରାମଜାଦାର ଖାଏନି କି ଧାରେନି... ।

ଚୁପ୍‌କର ଶଳା... ସୁଅରକା ବଚ୍ଚା... ଚିତ୍‌କାର କଲା ଲୋକନାଥ ।

ଆଖି ପିଛୁଳାକେ ତାକୁ ଲାଥ୍‌ମାରି ମାଟିରେ ପକେଇଦେଲା ଚଇତନ ।

 

ହାଁ ହାଁ କହି ବିଭୁପଦ, ହରେକୃଷ୍ଣ ଲୋକନାଥକୁ ଉଠେଇବାବେଳକୁ ଗର୍ଜନ ଛାଡ଼ିଲା ଚଇତନ, ରାଣ୍ଡ ମାଇପର ମୁହଁଟାଣ...ଆରେ.... ।

 

ଲୋକନାଥ କହିଲା, ଆଖିରେ ସବୁ ଦେଖିଲ ତ....ଏଥର ବିଚାର କର... ।

 

ହରେକୃଷ୍ଣ ତେଜିଉଠି କହିଲା, ଏଇ ପାନ ଦୋକାନରେ ବସି ବସି ଅଣ୍ଟାର ପଇସା ବଳ ଦେଖଉଛୁ କିବେ ଚଇତନ... ତୋ ଦୋକାନରେ ନିଆଁ ଲଗେଇଦେବି ଯେ ଶଳା ବାପ ନାମ ସୁମରୁଥିବୁ... ।

 

ଚଇତନ ଗୁଆକାତିଟା ଦୋକାନରୁ ଉଠେଇ ନେଇ କହିଲା, କୋଉ ବାପର ପୁଅ ଦିହରେ ଏତେ ବଳ ଅଛି ଆସ ମୋ ଆଗକୁ... ଗୁଆ ପରି ଯଦି ଟିକି ଟିକି କରି ନ କାଟିଛି ସଭିଙ୍କୁ । ଶଳା ମିଛଟାରେ କଳି କରୁଛି । ଗରୀବ ମାଇପ ସମସ୍ତଙ୍କର ଶାଳୀ ନୁହେଁବେ.... ଏ ଅନ୍ୟାୟ, ବଡ଼ଲୋକି ଆମେ ଆଉ ବରଦାସ୍ତ କରିବୁ ନାହିଁ.... ।

 

କଥାଟା ଖରାପଆଡ଼କୁ ଯାଉଥିବାର ଦେଖି ବିଭୁପଦ କହିଲା, ଥାଉ ହରି...ଛୋଟଲୋକଗୁଡ଼ାର ମୁହଁ ବଢ଼ିଗଲାଣି...ପଞ୍ଚାୟତରେ ଏକଥା ପକେଇବି ମୁଁ... ଆଇନ ଅଛି, ଅଦାଲତ ଅଛି ।

 

ଚଇତନ ଯୁଧିଷ୍ଠିରକୁ ତା’ ପାଖକୁ ଟାଣିନେଇ କହିଲା, ହଁ ହଁ, ଆଇନ ଅଛି, ଅଦାଲତ ଅଛି । ସେଇଠି ବଳ ପରୀକ୍ଷା ହବ ।

 

ବିଭୁପଦ ସାଙ୍ଗପାଙ୍ଗକୁ ନେଇ ଚାଲିଗଲା । ସନ୍ଧ୍ୟା ହୋଇସାରିଥିଲା ସେତେବେଳକୁ । ଆଉ ମଧୁନନାର ଦୋକାନକୁ ନ ଯାଇ ସେ ଗଲା ଥାନା ଆଡ଼କୁ ।

 

ତାକୁ ମୁହେଁ ମୁହେଁ ଜବାବ ଦେଲା ଚଇତନ । ବିଭୁପଦ ତାର ସାହସ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ଛୋଟଲୋକଗୁଡ଼ାର ମୁହଁ ବଢ଼ୁଛି ଦିନକୁ ଦିନ । ଆଇନ୍‌କାନୁନର ମର୍ଯ୍ୟାଦା ଆଉ ରହୁନାହିଁ । ଏଇ ଘଟଣାଟାକୁ ଲଘୁ ଭାବରେ ଗ୍ରହଣ ନକରି ଏହାର କାରଣ ଖୋଜିବାକୁ ଯାଇ ବିଭୁପଦ ବେଶ୍ ହୃଦୟଙ୍ଗମ କଲା ଯେ ଏସବୁ ନରୋତ୍ତମର ଶିକ୍ଷା । ହୁ ହୁ କରି କେତୋଟି ଦିନରେ ଅନେକ ଭକ୍ତ ଜୁଟିଗଲେଣି ନରୋତ୍ତମ ପାଖରେ । ଅନ୍ୟାୟ, ଅତ୍ୟାଚାରର ମୁକାବିଲା କରିବାପାଇଁ ସେଦିନ ସମସ୍ତେ ହରିଯୋଗୀର ଆଶ୍ରମରେ ଶପଥ କରିଥିଲେ ବୋଲି ସେ ଯାହା ଶୁଣିଥିଲା ତାହା ମିଛ ନୁହେଁ । ଏମାନଙ୍କୁ ଜବତ ନ କଲେ ଆଉ ଚଳିହବ ନାହିଁ କି ନେତୃତ୍ୱ ରହିବ ନାହିଁ ।

 

ହରେକୃଷ୍ଣ କହିଲା, ଇମିତି ମୁହଁବନ୍ଦ କରି ଆମେ ଚାଲିଆସିବାଟା ଭଲ ହେଲାନି ଲୋକମାନେ ଭାବିଥିବେ ଯେ ଆମେ ଦୋଷୀ, ଆମେ ହାରିଗଲୁ... ।

 

ବିଭୁପଦ କହିଲା, ଥାନାରେ ଗୋଟେ ଏତଲା ଦେଇଦେ ଲୋକନାଥ । ତା’ପରେ ଯାହା କରିବା କଥା ମୁଁ କରିବି... ଆଜି ଶନିବାର, ଆସନ୍ତା ଶନିବାରକୁ ଯେପରି ଚଇତନର ଦୋକାନ ନ ଥାଏ ଏଠରେ ।

 

ଲୋକନାଥ ବାହାସ୍ଫୋଟ ମାରି କହିଲା, ତମେ ଥିଲେ ମୁଁ କାହାକୁ ପରୁଆ କରେନି । ନାଗସାପର ଲାଞ୍ଜରେ ହାତ ମାରିଛି ଶଳା... ଏଇଥର ବୁଝିବ ।

 

ଥାନାବାବୁ ନ ଥିଲେ । ବିଭୁପଦ, ଲୋକନାଥ ଏବଂ ହରେକୃଷ୍ଣକୁ ସେଠାରେ ରଖି ଅନ୍ୟମାନଙ୍କ ସାଙ୍ଗରେ ଫେରିଲା ଘରକୁ ।

 

ଘରେ ପହଞ୍ଚିବାବେଳକୁ ତା’ ହାତକୁ ଗୋଟେ ଚିଠି ବଢ଼େଇଦେଇ କହିଲା କେଶବ, ସରପଞ୍ଚବାବୁ ଆସିଥିଲେ-ଆପଣଙ୍କୁ ନ ପାଇ ଚିଠିଟା ଦେଇଯାଇଛନ୍ତି ।

 

ବିଭୁପଦ ଚିଠିଟାକୁ ଗୋଟିଏ ନିଃଶ୍ୱାସରେ ପଢ଼ିନେଇ ଗୁମ୍‌ମାରି ଦଣ୍ଡେ ବସିରହିଲା । ତା’ପରେ ମନକୁ ମନ କହିଲା, ବିଭୁପଦ ବନାମ ନରୋତ୍ତମ । ଦେଖାଯାଉ ଜିତୁଛି କିଏ ।

 

ଶକୁନ୍ତଳା ଫେରୁଥାଏ ସ୍କୁଲରୁ, ବାଟରେ ନରୋତ୍ତମ ସହିତ ଅପ୍ରତ୍ୟାଶିତ ଭାବରେ ସାକ୍ଷାତ୍‍ ହୋଇଗଲା କେନାଲ ପାଖରେ । ତା’ର ସର୍ବାଙ୍ଗରେ ଯେପରି ବିଦ୍ୟୁତ୍ ଚମକି ଉଠିଲା । ମୁହୂର୍ତ୍ତକ ପାଇଁ ଦୁହେଁ ଅନେଇ ରହିଲେ ଉଭୟକୁ । ଗୋଟାଏ ଯୁଗ ଯେପରି ସଞ୍ଜୀବିତ ହୋଇଉଠିଲା ଚାରି ଚକ୍ଷୁର ମିଳନରେ । ଶକୁନ୍ତଳାକୁ ଲାଗୁଥିଲା ଯେପରି ଯୁଗ ଯୁଗ ଧରି ଦେଖିନାହିଁ ନରୋତ୍ତମକୁ, ବହୁକାଳ ପରେ ଆଜି ଦେଖୁଛି । ଟିକେ ଶୁଖିଲା ଦିଶୁଛି ନରୋତ୍ତମ; କିନ୍ତୁ ଦେହରୁ ଗୋଟେ ଦୀପ୍ତି ବାହାରୁଛି ଯେପରି । ଆହୁରି କିଛି ସମୟ ସେହିପରି ଏକ ଲୟରେ ଅନାଇ ରହିଥାଆନ୍ତା ସେ; କିନ୍ତୁ କାଳେ ନରୋତ୍ତମ କଅଣ ଭାବିବ ବୋଲି ଧୀରେ ଧୀରେ ଆଖି ତଳକୁ କଲା ।

 

ହସିଦେଇ କହିଲା, ନରୋତ୍ତମ, ଆରେ ଶକୁନ୍ତଳା ସେ...ଅନେକ ଦିନପରେ ଦେଖାଉଛି ଆଜି...ସବୁ ଭଲ ତ, ଚାକିରି କିମିତି ଲାଗୁଛି ?

 

ଶକୁନ୍ତଳାର ସର୍ବାଙ୍ଗରେ ସଞ୍ଚରି ଯାଇଥିବା ଶିରି ଶିରି ଭାବଟା କ୍ରମଶଃ ଅନୁଭବକୁ ଆଚ୍ଛନ୍ନ କରି ଆଣୁଥିଲା । ହସର ବିନିମୟରେ ସେ ବି ମୁହଁ ଉପରେ ହସ ଫୁଟାଇ କହିଲା, ଚାକିରିଟିଏ କରେଇଦେଇ ତୁମର କର୍ତ୍ତବ୍ୟ ଶେଷ ହୋଇଗଲା ନା.... ସେଇିଦିନୁ ଆସିନାହଁ... ଶୁଖିଯାଇଛ ପରି ଲାଗୁଛି ।

 

ନରୋତ୍ତମର ଆଖି ଆଗରେ ଫୁଲ ଗୁଚ୍ଛାଏ ଫୁଟି ଉଠିଲା । ସେ ଦୃଷ୍ଟି ଅବନତ ନ କରି କହିଲା, ତୋ ସହିତ ଦେଖାକରିବି ବୋଲି କେତେଥର ଭାବିଛି; କିନ୍ତୁ ଦେଖା ହୋଇନାହିଁ ।

 

ଲୋଭ ସମ୍ବରଣ କରି ନ ପାରି ଆଖି ବିସ୍ଫାରିତ କରି ସହସା ଶକୁନ୍ତଳା ପଚାରିଲା, ମୁଁ ଏଡ଼େ ଭାଗ୍ୟବତୀ, ସତରେ ମୋତେ ମନେପକାଅ ?

 

ନରୋତ୍ତମ ମୁହୂର୍ତ୍ତକ ପାଇଁ ନିଜ ପାଖରେ ନିଜେ ହଜିଗଲା ଯେପରି । ତା’ ମୁହଁ ଉପରେ ମୁଗ୍ଧ ହବାର ସ୍ନିଗ୍ଧ ଅନୁଭୂତିଟି ଏବେ ବି ଲୀଳା କରୁଥିଲା ଅସ୍ତ ସୂର୍ଯ୍ୟର ସୁନେଲି କିରଣ ପରି । କିନ୍ତୁ ତା’ପରେ ନିଜକୁ ସଜାଡ଼ି ନେଇ ଶକୁନ୍ତଳାକୁ ଚାହିଁବା ବେଳକୁ ସେ ପଚାରିଦେଲା ଆଉଥରେ...କିଛି କହୁନ ଯେ...ସତରେ ଭାବ ମୋ କଥା !

 

–ସବୁ କଥା କୁହାଯାଏନା ଶକୁ । ତୁ ବଳେ ଜାଣିବୁନି ସେକଥା...ବାପା ବୋଉ ଭଲ ଅଛନ୍ତି ତ ?

 

ଶକୁନ୍ତଳାର ଆଖି ଆଗରେ ନରୋତ୍ତମର କୃପଣତା ଅନ୍ତର୍ହିତ ହୋଇଯାଇ ମୁଠା ମୁଠା ପ୍ରତିଶ୍ରୁତି ଲହଡ଼ି ଭାଙ୍ଗି ମାଡ଼ିଆସିଲା । ସତେ ଯେପରି ଢେଉ ଭାଙ୍ଗିବା ପାଇଁ ସମୁଦ୍ର ଭିତରକୁ ଲମ୍ଫ ଦେଇଛି ସେ । ନରୋତ୍ତମର ସାନିଧ୍ୟ ତାର ଚେତନାକୁ ଉଦ୍‌ଜୀବିତ କରିଦେଲା । ତାକୁ ଲାଗୁଥିଲା ଯେ ସେ ତା’ର ପ୍ରତୀକ୍ଷିତ ମଣିଷଟି ପାଖରେ ଛିଡ଼ା ହୋଇଛି ନୈବେଦ୍ୟର ଥାଳି ଧରି । ନରୋତ୍ତମ ବେଶି ଟିକିଏ କଥା କହନ୍ତାକି-ଏୟା ଆଶା କରୁଥିଲା ଶକୁନ୍ତଳା । କିନ୍ତୁ ତା’ ମୁହଁକୁ ଆଉଥରେ ଚାହିଁଦେଇ ସେ ଚମକି ପଡ଼ିଲା । ନରୋତ୍ତମ ବୋଧହୁଏ ତା’ ସମ୍ପର୍କରେ ସେୟା ଆଶା କରୁଛି ।

 

ଶକୁନ୍ତଳାକୁ ସିଧା ଉତ୍ତର ନ ଦେଇ କହିଲା ନରୋତ୍ତମ, ଜଣେ ଏକା ଏକା ନିଜକୁ ନେଇ ରହିପାରେନା ଶକୁ । ସେଥିପାଇଁ ମଣିଷ ସାଙ୍ଗ ଖୋଜେ, ସମାଜ ଗଢ଼େ । ମଣିଷ ମଣିଷ ମଧ୍ୟରେ ଗଢ଼ିଉଠୁଥିବା ସମ୍ପର୍କଟି ସବୁଦିନ ମଧୁର ।

 

ଶକୁନ୍ତଳାର ଛାତିତଳର କମ୍ପନ ଦୃଢ଼ତର ହେଲା । ସେ ପ୍ରଗଳ୍‌ଭ ହୋଇ କେତେ କଅଣ କହିବାକୁ ଚାହୁଁଥିଲା; କିନ୍ତୁ ସବୁକଥା ଅଟକିଗଲା ତଣ୍ଟି ପାଖରେ । ବାକ୍‌ସ୍ପୁର୍ତ୍ତି ବି ହେଲାନାହିଁ ।

 

ନରୋତ୍ତମ ହାତଘଡ଼ିକୁ ଚାହିଁ କହିଲା, ତୋର ସ୍କୁଲବେଳ ହୋଇଯାଉଛି, ଦେଖୁଛି ମୁଁ ସେଥିପ୍ରତି ଆଦୌ ସଚେତନ ନ ହୋଇ ତୋତେ ବାଟ ମଝିରେ ଅଟକାଇ ରଖିଛି ।

 

ଶକୁନ୍ତଳା ଚାହିଁଥିଲା ଅନନ୍ତକାଳଯାଏ ଏହିପରି ଅଟକି ରହିବାପାଇଁ । ନରୋତ୍ତମର ସାନ୍ନିଧ୍ୟ ପରିବେଶକୁ ବଦଳେଇ ଦେଇଥିଲା । ସେ ମୁହଁ ଉପରେ ଟିକେ ହସ ଖେଳାଇ କହିଲା, ସମୟ ବି ବେଳେ ବେଳେ ପଳେଇ ନ ଯାଇ ଛିଡ଼ା ହୋଇ ଚାହେଁ, କାଳେ ତାକୁ ଗୋଡ଼ାଉଥିବା ଲୋକଟି ପହଞ୍ଚିଯାଇ ପାରିବ ସେଇ ଅବସରରେ... । ତୁମେ ଯେ ସମୟଠାରୁ ବି ମହାର୍ଘ ହୋଇ ଉଠୁଛ !

 

ନରୋତ୍ତମ ଲକ୍ଷ୍ୟକଲା ଶକୁନ୍ତଳାକୁ । ତା’ର ମୁହଁର ଭାଷା ଏବଂ ଆଖିର ଦୃଷ୍ଟିରେ ସେଇ ଗୋଟିଏ କାହାଣୀ ଫୁଟି ଉଠୁଥିଲା । ଏ ଭିତରେ ଟିକେ ବଦଳି ଯାଇଛି ଶକୁନ୍ତଳା । ଦେହର ରଙ୍ଗ ଅଧିକ ଚିକ୍କଣ ଏବଂ କମନୀୟ ଦିଶୁଛି । ତା’ର ସେଇ କମନୀୟ ହସ ଠିକ୍ ଫଗୁଣର ପ୍ରଥମ ମଳୟ ପରି ଦେହ ଓ ମନରେ ସୃଷ୍ଟି କରେ ରୋମାଞ୍ଚ । ମୁଗ୍ଧ ହୋଇ ତାହାରି ମୁହଁକୁ କିଛି ସମୟ ଚାହିଁ ରହିବା ପରେ କହିଲା ନରୋତ୍ତମ, ଗୋଟେ କଥା ପଚାରିବି କିଛି ମନେକରିବୁ ନାହିଁତ ?

 

ଶକୁନ୍ତଳାର ହାତମୁଠା ଭିତରେ ଠୁଳ ହେଉଥିଲା ସୁଯୋଗ ।

ସେ ତଳକୁ ମୁହଁ କରି କହିଲା, କୁହ–

ହରିପଦବାବୁ ଭଲ ପ୍ରସ୍ତାବଟିଏ ଦେଇଥିଲେ । ତୁ କୁଆଡ଼େ ରାଜି ହେଲୁନି ।

 

ଶକୁନ୍ତଳା କଣ୍ଠରେ ଅଭିମାନର ରାଗିଣୀ ତୋଳି କହିଲା, ରାଜି ହୋଇଥିଲେ ତୁମେ ଖୁସି ହୋଇଥାଆନ୍ତ ?

 

ନରୋତ୍ତମ ନିର୍ବାକ୍ ହୋଇ ରହିଗଲା, କିଛି ଉତ୍ତର ଦେଇପାରିଲା ନାହିଁ ।

ଶକୁନ୍ତିଳା କହିଲା, ଚୁପ୍ ହୋଇଗଲେ ଯେ...କିଛି କୁହ ।

 

ନରୋତ୍ତମ ଚାହୁଁଥିଲା ଅନେକ କିଛି କହିବାକୁ । କିନ୍ତୁ କିଛି କହିପାରିଲା ନାହିଁ । ତା’ ଆଗରେ ତା’ର ରାଶି ରାଶି ଅକ୍ଷମତା ଠୁଳ ହବାକୁ ଲାଗିଲା ।

 

କୋତୋଟି ମୁହୂର୍ତ୍ତ ଅତିବାହିତ ହବାପରେ ନରୋତ୍ତମ ଶୁଷ୍କ କଣ୍ଠରେ କହିଲା, ଅନେକ କାମ ହାତକୁ ନେଇଛି ଶକୁ । ସମୟ କୁଳଉ ନାହିଁକି ସୁଯୋଗ ବି ମିଳୁନି ସବୁ କରିବାକୁ ।

 

ତୁମର ଏତେ ସାଙ୍ଗ, ଏତେ ସୁବିଧା...ଆଉ ସମୟ କଥା କହୁଛ ଯେ ! ସମୟ ତ ତୁମ ହାତ ମୁଠାରେ...ରହି ରହି କହିଲା ଶକୁନ୍ତଳା ।

 

ନରୋତ୍ତମ କଅଣ ମନେକଲା କେଜାଣି କହିଲା, ତଥାପି ତ କାମଗୁଡ଼ା ଅଟକି ଯାଉଛି କୋଉଠି...ତୋର ଯଦି କେବେ ସମୟ ହୁଏ ସାହାଯ୍ୟ କରିବୁ ଶକୁ ।

 

ଶକୁନ୍ତଳା ସର୍ବାଙ୍ଗରେ ଏକ ଅଲଂଘ୍ୟ ଶିହରଣ ଅନୁଭବ କଲା । ତା’ର ଆଖି ବାଷ୍ପାକୁଳ ହୋଇଉଠିଲା ଏବଂ ଛାତିତଳର ସ୍ପନ୍ଦନ ଦୃଢ଼ ହବାକୁ ଲାଗିଲା ।

 

ତୁମର ଡାକ ଶୁଣିବା ଲାଗି ମୁଁ ଅପେକ୍ଷା କରୁଛି...ଖାଲି ମୁହଁ ଖୋଲି ଥରେ କୁହ କଅଣ କରିବି... ।

 

ନରୋତ୍ତମ କହିଲା, କହିବି...କହିବି ନିଶ୍ଚୟ କହିବି । ସୁଖରେ ନ ହେଉ ଦୁଃଖରେ ତ ତୋତେହିଁ କେବଳ ସ୍ମରଣ କରିବି ଶକୁ... ।

 

ନରୋତ୍ତମ ଆଉ ଅପେକ୍ଷା ନ କରି କହିଲା, ଡେରି ହୋଇଯାଉଛି, ତୋର ସ୍କୁଲ ବେଳ ହୋଇଗଲାଣି । ମୁଁ ତ ତୁମରି ଘରକୁ ଯାଉଛି ।

 

ଶକୁନ୍ତଳା କହିଲା, ବଡ଼ ଚତୁର ତୁମେ । ମୁଁ ନ ଥିବାବେଳେ ଯାଉଛ, ହଉ ଯାଅ । ବାପା ବୋଉ ସମସ୍ତେ ଅଛନ୍ତି ।

 

ଶକୁନ୍ତଳା ସାଇକେଲ ଉପରକୁ ଉଠିବା ଆଗରୁ ପୁଣି ଥରେ ଫେରି ଚାହିଁଲା, ଦେଖିଲା ନରୋତ୍ତମ ଦୁଇପାଦ ଯାଇ ତାହାରି ଆଡ଼କୁ ନିର୍ବିଚଳିତ ଭାବରେ ଅନାଇ ରହିଛି ।

 

ସେ ପୁଣିଥରେ ହସିଦେଇ ସାଇକଲ ଉପରକୁ ଉଠି ବସିଲା ।

 

ନରୋତ୍ତମର ଆଖି ଆଗରେ ସମୟ ଓ ସୀମାର ସବୁ ଦୂରତ୍ୱ ଅନ୍ତର ହୋଇଗଲା । କେନାଲ ବନ୍ଧ ଉପରକୁ ଉଠିଗଲା ସେ । ଆଉ ଟିକେ ଆଗରେ ଚିର ପ୍ରବାହିତା ସ୍ରୋତସ୍ୱିନୀ । ପ୍ରାରମ୍ଭରୁ ବହିଚାଲିଛି, ଅବସାଦ ନାହିଁ କି ଅବତାର ନାହିଁ । ପ୍ରବାହିତ ହବାରେ ହିଁ ଗୌରବ । ପ୍ରବାହ ନ ଥାଇ ସବୁ ଜୀବନ ସ୍ପନ୍ଦନ, ନିର୍ଜୀବ ।

 

ଏଇ ନଦୀର ପାଣିରେ କେତେଥର ସ୍ନାନ କରିଛି ସେ । ନଦୀର ବାଲିରେ କେତେ ସୂର୍ଯ୍ୟାଦୟ ଓ ସୂର୍ଯ୍ୟାସ୍ତ ଅତିବାହିତ କରିଛି ସାଙ୍ଗମାନଙ୍କ ସାଥୀରେ । କେତେ ବାଲିଘର ତୋଳିଥିଲା ପିଲାବେଳେ । ଆଜି ବି ଆଉ ଥରେ ପିଲା ହୋଇ ସେହିପରି ବାଲିଘର ତୋଳିବାକୁ ଇଚ୍ଛାହୁଏ ନରୋତ୍ତମର । ଆମେ ତିଆରି କରିଥିବା ଗୋଟିଏ ବାଲିଘର ବି ବର୍ତ୍ତିପାରେନି, ଗଢ଼ିବା ପରେ ପୁଣି ଭାଙ୍ଗିଯାଇଛି । ଆଜି ସେ ବଡ଼ ହୋଇଛି, ବୟସ ହୋଇଛି; ଆଜି ଯେଉଁ ବାଲିଘର ତିଆରି କରିବ ତାକୁ ସେ ସମସ୍ତ ଶକ୍ତି ଦେଇ ରକ୍ଷା କରିବ ।

 

ଯାଉ ଯାଉ ପୁଣି ଛିଡ଼ା ହୋଇପଡ଼ିଲା ନରୋତ୍ତମ । ନା, ଶକୁନ୍ତଳା ଅଦୃଶ୍ୟ ହୋଇଗଲାଣି । ସେ ଆଉ ଦୃଷ୍ଟିରେ ପଡ଼ୁନାହିଁ । କିନ୍ତୁ ଶକୁନ୍ତଳାର ସେଇ ହସ ହସ ମୁହଁ ଭାସିଉଠିଲା ଆଖି ଆଗରେ । ସେଇ ମୁହଁରେ କୁଣ୍ଠା କେବେ ଦେଖିନି ନରୋତ୍ତମ, କାର୍ପଣ୍ୟ କେବେ ଲକ୍ଷ୍ୟ କରିନି । ସେଠାରେ ବରଂ ସେ ଲକ୍ଷ୍ୟ କରିଛି ନିବେଦିତାର ଆକୁଳତା, ସମର୍ପଣ କରିବାର ସ୍ୱଚ୍ଛାକୃତ ବ୍ୟାକୁଳତା ।

 

ନରୋତ୍ତମର ଏତେ ସୁଖ ଅଛି ଭାଗ୍ୟରେ ? ସେ ନିଜକୁ ଉତ୍ସର୍ଗ କରି ଦେଇଛି ଅନ୍ୟମାନଙ୍କ ପାଇଁ ।

 

ନରୋତ୍ତମ ଭାବୁଥିଲା । ସଂସାରୀ ହବାପାଇଁ ତାର କିଛି ସମ୍ପଦ ନାହିଁ ଯାହାଥିଲା ସବୁ ତ ଉତ୍ସର୍ଗ କରିଦେଇଛି ସମସ୍ତଙ୍କ ପାଇଁ । ଖାଲିହାତରେ ନିଧିରାମ ସର୍ଦ୍ଦାର ପରି ସଂସାର କରିହୁଏ ନାହିଁ । ତା’ହେଲେ ଶକୁନ୍ତଳାର ମନରେ ସେ ପ୍ରତ୍ୟାଶା ସୃଷ୍ଟି କରିବ କେଉଁ ଅଧିକାରରେ ? ଶକୁନ୍ତଳା ହୁଏତ ପରେ ବୁଝିପାରିବ ତା’ର ଅକ୍ଷମତା ।

 

ସହସା ନରୋତ୍ତମ ଛିଡ଼ା ହୋଇଥିଲା ।

 

ତା’ର ଆଚରଣ ଓ ବ୍ୟବହାରରେ ବୋଧହୁଏ ଏପରି କିଛି ଅଛି ଯାହା ଆକର୍ଷଣ କରୁଛି ଶକୁନ୍ତଳାକୁ । ତାକୁ ଦେଖିବାକ୍ଷଣି ତା’ର ନିବେଦନ କରିବାର ଭାବଟି ଅନୁଭବ କରେ ସେ । ଆଉ ସେ ନିଜେ କଅଣ କିଛି ଭାବେ ନାହିଁ, ଶକୁନ୍ତଳା ସହିତ ଅନ୍ତରଙ୍ଗ ହବାଲାଗି ପ୍ରୟାସ କରେ ନାହିଁ ? ଜୀବନରେ ଏକରୁ ଦୁଇ ହବାର ମାଧୁର୍ଯ୍ୟ ଅନେକ । ସେଥିରେ ସମ୍ଭାବନା ଯେ କିଛି ନାହିଁ ତାହା କହିହବ ନାହିଁ । କିନ୍ତୁ ଏକରୁ ଅନେକ ପାଇଁ ନିଜକୁ ଆହୂତି ଦବାର ସମ୍ଭାବନା ଆହୁରି ଅନେକ ବେଶି । ପୃଥିବୀର ନିର୍ଯାତିତ ଓ ନିପୀଡ଼ିତଙ୍କ ପାଇଁ କାମ କରିବାର ସୁଖ ବି ଅସରନ୍ତି ।

 

ଦ୍ୱନ୍ଦ୍ୱରେ ପଡ଼ିଗଲା ନରୋତ୍ତମ ।

 

ଗୋଟିଏ ପାଖରେ ଜନସାଧାରଣଙ୍କ କଲ୍ୟାଣକଳ୍ପେ କାମ କରିବାର ସଂକଳ୍ପ; ଏବଂ ଅନ୍ୟ ପାଖର ସଂସାର ସୁଖର ଆକର୍ଷଣ । ଗୋଟିଏ ଅନ୍ୟଟିର ପରିପୂରକ ନା ପ୍ରତିବନ୍ଧକ ? ଉତ୍ତର ସହଜରେ ଦେଇପାରିଲା ନାହିଁ ନରୋତ୍ତମ ।

 

ତାକୁ ସେଠାରେ ଛିଡ଼ା ହୋଇଥିବାର ଦେଖି କହିଲେ ଗୌତମ, ତୁ ଇମିତି ଛିଡ଼ା ହୋଇଛୁ ଯେ ଏଠାରେ ?

 

ନରୋତ୍ତମ ଚମକି ପଡ଼ି କହିଲା, ନା କିଛି ନୁହେଁ...ଇମିତି... ।

 

ଗୌତମ କହିଲେ, ତାରୁଣ୍ୟର ଗୋଟେ ବଡ଼ ଗୁଣ ଭାବପ୍ରବଣତା । ଆଉ ଭାବ ନ ଥିଲେ ଅନ୍ୟର ଅଭାବ ତ ଜାଣିହୁଏନି ନରୁ ।

 

ସେଇ କଥାର ରହସ୍ୟ ବୁଝିବାକୁ ଯାଇ ନରୋତ୍ତମ ଖୋଜି ପାଇଲା ନିଜକୁ । ଭାବର ପ୍ରବଣତା ନ ଥିଲେ ନିଜକୁ ସମ୍ପୂର୍ଣ୍ଣରୂପେ ଉତ୍ସର୍ଗ କରିହୁଏ ନାହିଁ, ନିଜର ସାଧନା ପଥରେ ଦୁଃଖ କଷ୍ଟକୁ ଅକାତରରେ ବରଣ କରି ହୁଏ ନାହିଁ ।

 

ଗୌତମ କହିଲେ, ତୁ ଆସିଲୁ ଭଲ ହେଲା, ନୋହିଲେ ତୋ ସହିତ ପରାମର୍ଶ କରିବାଲାଗି ମୁଁ ଯାଇଥାଆନ୍ତି ।

 

ନରୋତ୍ତମ କହିଲା, ଆପଣଙ୍କ ଘରକୁ ଚାଲ, ଶୋଷ କରୁଛି, ଆଗ ପାଣି ଗିଲାସେ ପିଇନିଏ... ।

 

ନରୋତ୍ତମ ସାଙ୍ଗରେ ଗୌତମଙ୍କୁ ଫେରିଆସିବାର ଦେଖି କହିଲେ ସରଳା, ଏଡ଼େ ବେଗି ଫେରିଆସିଲେ ଯେ... ।

 

ଗୌତମ କହିଲେ, ଆଗ ନରୁକୁ କିଛି ଦିଅ–ସେ ପାଣି ଗିଲାସେ ପିଉ... ।

ନରୋତ୍ତମ କହିଲା, ଖାଲି ପାଣି ଗିଲାସେ ।

ସରଳା ହସିଦେଇ କହିଲେ, ହଉ ଆଣୁଛି ।

 

ଟିକିଏ ପରେ ଗୋଟିଏ କାଚଗିନାରେ ଚାରୋଟି ନଡ଼ିଆକୋରା ଏବଂ ଗିଲାସେ ପାଣି ନେଇ ପହଞ୍ଚିଲେ ସେ । ନରୋତ୍ତମ ନାହିଁ କରୁ କରୁ ଶେଷରେ ବାଧ୍ୟ ନେଲା କାଚଗିନାଟି । ସରଳା କହିଲେ, ସକାଳେ ତିଆରି କରିସାରି ସ୍କୁଲ ଗଲା ଶକୁ । ତୁମେ ଖାଇସାରି କହିବ କିମିତି ହୋଇଛି ।

 

ନରୋତ୍ତମ ଗୋଟି ଗୋଟି କରି ଚାରୋଟି ନଡ଼ିଆକୋରା ଖାଇସାରି ପିଇଲା । ପେଟ ଭିତରୁ ଉପରକୁ ଉଠୁଥିବା ଅଭାବବୋଧ ଅନ୍ତର ହୋଇଗଲା । ଦେହ ଓ ମନରେ ଫେରିଆସିଲା ପ୍ରଶାନ୍ତି ।

 

ସରଳା କହିଲେ, ଆଜି ବାଟବଣା ହୋଇ ଏଆଡ଼େ ଚାଲି ଆସିଲ ପରା...?

 

ନା ନା, ଆସିବି ଆସିବି କହି ଆସି ପାରେନି, ସମୟ ହୁଏନି । ଆଜି ଏ ଗାଆଁରେ ତ କାଲି ଆଉ କୋଉଠି । ଲୋକଙ୍କର ଅନେକ ସମସ୍ୟା, ଅନେକ ଅଭାବ ।

 

–ଇଏ ତ ଦିନକର ସମସ୍ୟା ନୁହେଁ –ଯୁଗ ଯୁଗ ଧରି ସମାଧାନ ନ ହୋଇ ପଡ଼ିରହିଛି ଅନେକ ସମସ୍ୟା–ଠୁଳ ହୋଇଛି ଅନେକ ଅଭାବ । ସମୟ ଲାଗିବ ଏସବୁ କରିବାପାଇଁ । କିନ୍ତୁ କେହି ପୁଣି ତ ସେଇ କାମ ଆରମ୍ଭ କରିବ, ସମାଧାନ ନହୋଇ ପଡ଼ିରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ କାମ କରିବ । ତୁ ସେଇ କାମ ଆରମ୍ଭ କରିଛୁ । ଭଲ ହେଲା । ଈଶ୍ୱର ନିଶ୍ଚୟ ସହାୟ ହେବେ । କହିଲେ ଗୌତମ ।

 

ଈଶ୍ୱର ନିରାଶ୍ରୟକୁ ସଦାବେଳେ ରକ୍ଷା କରନ୍ତି । ଅନ୍ତତଃ ସେଇ ଭରସାରେ ସବୁ ଦୁଃଖକଷ୍ଟ, ନିର୍ଯ୍ୟାତନା ମୁହଁବୁଜି ସହିଯାଏ ମଣିଷ । କିଏ ତାଙ୍କରି କରୁଣା ବଳରେ ସଙ୍କଟ ପାର ହୋଇଥାଏ ତ ଆଉ କିଏ ସଙ୍କଟର ମୁକାବିଲା କରୁ କରୁ ବଳିପଡ଼େ ଦେବୀ ଆଗରେ ବୋଦା ବଳିପଡ଼ିବା ପରି; କିନ୍ତୁ ନିଜର ବିଶ୍ୱାସ, ନିଜର ସାହସ ନଥିଲେ ମଣିଷ ପୋକମାଛି ପରି ଜନ୍ମୁଥିବ, ଆଉ ମରୁଥିବ; କିଛି କରିପାରିବ ନାହିଁ । ଜୀବନର ମୂଳଧନ ବିଶ୍ୱାସ । ଲଢ଼ିବାର ପ୍ରଧାନ ଅସ୍ତ୍ର ସାହସ । କହିଲା ନରୋତ୍ତମ ।

 

ଗୌତମଙ୍କୁ କିଛି ଇଙ୍ଗିତ ଦେଇ ସରଳା କହିଲେ, ବସି ବସି ଗପ କର, ମୁଁ ଆସୁଛି... ।

 

ନରୋତ୍ତମ କହିଲା, ଗ୍ରାମ ବିକାଶ ପରିଷଦର କାର୍ଯ୍ୟକଳାପ, ନୀତି ଏବଂ ଆଦର୍ଶ ସମ୍ପର୍କରେ ଶୁଣିଥିବେ ।

 

ହଁ, ଭଲ କାମ ଆରମ୍ଭ କରିଛୁ । ମୋର ବି ମନହୁଏ ତୁମମାନଙ୍କ ସହିତ ମିଶି କିଛି କରିବି... ଚୁପ୍ ହୋଇ ବସିରହିବା ଅର୍ଥ ନିଜକୁ, ସମସ୍ତଙ୍କୁ ଠକିବା, କହିଲେ ଗୌତମ ।

 

ନରୋତ୍ତମ ତାଙ୍କ ପାଖକୁ ଚୌକିଟା ଟାଣିନେଇ କହିଲା, ଚକବନ୍ଦୀ ଆରମ୍ଭ ହୋଇଛି । ବନ୍ଦୋବସ୍ତ ସମୟରେ ବଡ଼ ବଡ଼ ପ୍ରଭାବଶାଳୀ ଲୋକେ ଅନେକ ଅନାବାଦୀ ଗୋଚର ଏବଂ ସର୍ବସାଧାରଣଙ୍କ ଜମିକୁ ନିଜ ନାମରେ ରେକର୍ଡ଼ କରିନେଇଛନ୍ତି ପଇସାର ଖେଳ ଭାନୁମତିର କୁହୁକ ପରି । ଏ ଦେଶରେ ପଇସା ଖର୍ଚ୍ଚ କରିପାରିଲେ ଦ୍ୱିତୀୟ ଈଶ୍ୱର ମଧ୍ୟ ସୃଷ୍ଟି କରିହୁଏ । ଚକବନ୍ଦୀ କରିବା ସମୟରେ କ୍ଷୁଦ୍ର ବା ନାମମାତ୍ର ଚାଷୀମାନଙ୍କର କଥା କେହି ଶୁଣୁନାହିଁ । ଯାହା ଅଳ୍ପସ୍ୱଳ୍ପ ଅଛି, ସେତକ ବି ହାତଛଡ଼ା ହୋଇଯିବ । ଯୁଧିଷ୍ଠିରର ଗହୀର ଜମି ମାଣକ ଚାଲିଗଲା, ସେ ପାଇଛି ଯାହା ତାହା ତା’ ଜମି ତୁଳନାରେ ଅନେକ ନିରସ... ।

 

ଗୌତମ କହିଲେ, ମୋ କାନକୁ ବି ଇମିତି ଅନେକ କଥା ଆସୁଛି । ଅନ୍ୟାୟ ହଉଥିବାର ଅନେକ କାହାଣୀ ଶୁଣୁଛି ପ୍ରତିଦିନ । କିନ୍ତୁ ଉପାୟ କଅଣ ପ୍ରତିକାର କଅଣ ?

 

ନରୋତ୍ତମ କହିଲା, ଆଉ ନିଶ୍ଚିନ୍ତ ହୋଇ ବସିରହିଲେ ଚଳିବ ନାହିଁ । ଆଖିବୁଜି ଅନ୍ୟାୟକୁ ଆଉ ବରଦାସ୍ତ କରିହେବ ନାହିଁ । ଆମେ ସଂକଳ୍ପ କରି ବାହାରିଛୁ । ତୁମେ ଆଶୀର୍ବାଦ କର ।

 

ଗୌତମ କହିଲେ, ଆଶୀର୍ବାଦ କରୁଛି ତୁମେ ସବୁ ସଫଳ ହୁଅ । ମୁଁ ମଧ୍ୟ ପ୍ରସ୍ତୁତ । ଯେତେବେଳେ ଡାକରା ଆସିବ ଲମ୍ଫ ଦେବି ।

 

ସେଇ କଥା କହିବାଲାଗି ଆସିଛି । ଆସନ୍ତା ସୋମବାର ପାଖରୁ ଚକବନ୍ଦୀ ଅଫିସ ଆଗରେ ସତ୍ୟାଗ୍ରହ କରାଯିବ । ଖାଲି ଚକବନ୍ଦୀରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ନୁହେଁ, ଏହାକୁ କେନ୍ଦ୍ର କରି ନଦୀନାଳ ବନ୍ଧବାଡ଼ ମରାମତି କରିବାରେ ଘଟୁଥିବା ଦୁର୍ନୀତି, ପ୍ରତ୍ୟେକ ସ୍ତରରେ ବ୍ୟାପୁଥିବା ଭ୍ରଷ୍ଟାଚାର ବିରୁଦ୍ଧରେ ଏହି ସତ୍ୟାଗ୍ରହ । ଗାନ୍ଧିଜୀଙ୍କ ଅହିଂସା ଓ ସତ୍ୟ ଆମର ପ୍ରଧାନ ଅସ୍ତ୍ର । ଏ ସତ୍ୟାଗ୍ରହ କୌଣସି ବ୍ୟକ୍ତି ବିରୁଦ୍ଧରେ ନୁହେଁ, ଅନୁଷ୍ଠାନକୁ ଅକ୍ତିଆର କରି ଯେଉଁମାନେ ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି ସେହିମାନଙ୍କ ବିରୁଦ୍ଧରେ... । ବ୍ୟକ୍ତିପରି ଅନୁଷ୍ଠାନ ବି ଶୋଷଣର କେନ୍ଦ୍ର ହୋଇଉଠିଛି ।

 

ଆରମ୍ଭ କର । ଯେଉଁଦିନ କହିବୁ ସେହିଦିନୁ ମୁଁ ମଧ୍ୟ ବସିବି ସେଠାରେ । କହିଲେ ଗୌତମ ।

 

–ଆମେ ଆରମ୍ଭ କରୁଛୁ...ଆପଣ ଆମ ପଛରେ ରହନ୍ତୁ-ଦରକାର ହେଲେ ଆମକୁ ସାହାଯ୍ୟ କରିବେ ।

–ନା, ନା-ମୁଁ ପଛରେ ନ ରହି ଆଗରେ ରହିବାକୁ ଚାହେଁ । ନିର୍ଭୀକ ନ ହେଲେ ସତ୍ୟପାଇଁ ଲଢ଼ି ହୁଏ ନାହିଁ । ବରଂ ମୁଁ ପ୍ରଥମ ଦିନରୁ ସତ୍ୟାଗ୍ରହରେ ସାମିଲ ହବାକୁ ଚାହେଁ ।

–ତାହାହିଁ ହେବ । କିନ୍ତୁ ତା’ ଆଗରୁ ସରକାରଙ୍କ ପାଖରେ ଏ ଖବର ପହଞ୍ଚିବା ଦରକାର । ସରକାର ସବୁ ଜାଣନ୍ତୁ ।

–ସରକାର ହୁଏତ ଜାଣୁଥିବେ ।

–ମୋର ତ ମନେହୁଏ ସରକାର ଏକଥା ଜାଣନ୍ତି ନାହିଁ, ଲୋକମାନଙ୍କର ଅଭିଯୋଗ ପହଞ୍ଚୁ ନାହିଁ ସେଠାରେ । ଲୋକଙ୍କ କଥା ଶୁଣିବାଲାଗି ଯେଉଁମାନଙ୍କୁ ରଖିଛନ୍ତି ସରକାର ସେମାନେ ଯେ ଏହି ପରିସ୍ଥିତିରୁ ଫାଇଦା ଉଠାନ୍ତି ଏକଥା ବୋଧହୁଏ ଉପରେ କେହି ଜାଣୁ ନାହାନ୍ତି; ନ ହେଲେ ସରକାରଙ୍କ ଭଲ ନୀତିଗୁଡ଼ା ଏପରି ବ୍ୟର୍ଥ ହୋଇଯାଆନ୍ତା ନାହିଁ ।

ଅଭେଦ୍ୟଦୁର୍ଗ ଭିତରେ ବସି ଶାସନ କରିହୁଏ ନାହିଁରେ ନରୁ । ସେଥିପାଇଁ ଶାସକମାନଙ୍କୁ ବାହାରକୁ ଆସିବାକୁ ହୁଏ, ବାହାରକୁ ଆସିବାକୁ ହୁଏ, ବାହାର ଜଗତର ପାଣି ପବନ ଆଲୁଅ ଓ ଅନ୍ଧକାର ସହିତ ପରିଚିତ ହବାକୁ ହୁଏ । ଯେଉଁ ମୁହୂର୍ତ୍ତରେ ଜନସାଧାରଣ ଏବଂ ସେମାନଙ୍କର ପ୍ରତିନିଧିମାନଙ୍କ ମଧ୍ୟରେ ଯୋଗସୂତ୍ରଟି ବନ୍ଦ ହୋଇଯାଏ, ସେହି ମୁହୂର୍ତ୍ତରୁ ଅସନ୍ତୋଷ, ଅଶାନ୍ତି ବ୍ୟାପେ ।

କିନ୍ତୁ ସେହି ଯୋଗସୂତ୍ର ରକ୍ଷା କରିବାପାଇଁ ଯେଉଁ ଶାସନ କଳଟା ଅଛି, ତାହା କ୍ରମଶଃ ଯେ ଅତ୍ୟାଚାରୀ ହୋଇଉଠୁଛି ।

ସେଥିପାଇଁ ତ ଆମର ସତ୍ୟାଗ୍ରହ ବ୍ୟକ୍ତି ବିରୁଦ୍ଧରେ ନୁହେଁ ଅନୁଷ୍ଠାନ ବିରୁଦ୍ଧରେ । ଅନୁଷ୍ଠାନର ଶକ୍ତି ବ୍ୟକ୍ତିଗତ ସ୍ୱାର୍ଥ ବା ଈର୍ଷାର ବାହାରେ । ଅନୁଷ୍ଠାନ ସମସ୍ତଙ୍କ ପାଇଁ । ଅନୁଷ୍ଠାନ ସମସ୍ତଙ୍କର କଲ୍ୟାଣ କରିବାର ଏକ ମାଧ୍ୟମ । ସେହି ମାଧ୍ୟମକୁ ଆୟତ୍ତ କରିନେଇ ମୁଷ୍ଟିମେୟ ବ୍ୟକ୍ତି ଯେଉଁ ଶୋଷଣ ଆରମ୍ଭ କରିଛନ୍ତି, ତା’ର ମୂଳୋତ୍ପାଟନ କରିବାକୁ ହବ ।

ବହୁ ସମୟଧରି ଗୌତମଙ୍କ ସହିତ ଆଲୋଚନା କରି ତାଙ୍କଠାରୁ ବିଦାୟ ନବାବେଳକୁ ସରଳା କହିଲେ, ଆଉ ତ ବିଳମ୍ବ କରିବା ଶୋଭନୀୟ ହେବ ନାହିଁ ନରୋତ୍ତମ । ଶକୁନ୍ତଳାର ବାହାଘରକୁ ଟାଳଟୁଳ କରି ଆଉ ବେଶିଦିନ ଗଡ଼େଇ ଦବା ସମ୍ଭବ ନୁହେଁ ।

ଶକୁନ୍ତଳାର ବିବାହ ସମ୍ପର୍କରେ ତାକୁ କର୍ତ୍ତବ୍ୟ ସମ୍ପର୍କରେ ଅବହିତ କରିବାପାଇଁ ବା ସେଥିରେ ସହାୟତା କରିବାପାଇଁ ବା ସେଥିରେ ସହାୟତା କରିବାପାଇଁ କେଉଁଥିପାଇଁ ଯେ ସରଳା ତାକୁ ସତର୍କ କରିଦେଲେ ସେ ବୁଝିପାରିଲା ନାହିଁ । କିନ୍ତୁ ତା’ର ସାଧାରଣ ଆନ୍ତରିକତା ପ୍ରଦର୍ଶନ କରି କହିଲା, କିଛି ଗୋଟେ ଅବଶ୍ୟ ହବ...ମୁଁ ମଧ୍ୟ କେତେଦିନ ହବ ଭାବୁଛି ସେ ସମ୍ପର୍କରେ– ।

ଏହା ତା’ର ସମ୍ମତିର ଲକ୍ଷଣ ଭାବି କହିଲେ ସରଳା, ଆଗାମୀ ବୈଶାଖରେ ଶୁଭଦିନ ଅଛି । କାମ ସାରିଦେଲେ ନିଶ୍ଚିନ୍ତରେ ନିଃଶ୍ୱାସ ମାରିବି ମୁଁ ।

ନରୋତ୍ତମ କହିଲା, ଶକୁନ୍ତଳା ପରି ଝିଅ କେବେ ଚିନ୍ତାର କାରଣ ହୋଇ ନ ପାରେ । ସେ ବୁଦ୍ଧିମତି ଏବଂ ଉପଯୁକ୍ତା । ତା’ ପାଇଁ ଚିନ୍ତା କରିବା ଦରକାର ନାହିଁ ।

ମା’ ବାପର ମନ ତୁମେ ବୁଝିପାରୁନ । କହିଲେ ସରଳା । ତା’ ପରେ ଯୋଗକଲେ, ଏଇ ଚାକିରିଟା ହାତକୁ ନେଇଛି, ଦରକାର ହେଲେ ଛାଡ଼ି ବି ଦବ । କିନ୍ତୁ ଲୋକଙ୍କ ମୁହଁରେ ବାଡ଼ବତା ଦବ କିଏ ? ଯାହାଇଚ୍ଛା ତାହା କହିବୁଲନ୍ତି କେହି କେହି ।

 

ଶକୁନ୍ତଳା ନାମରେ ଯେଉଁ କୁତ୍ସାରଟନା ହୋଇଥିଲା, ସେଥିରୁ କିଛି ନରୋତ୍ତମର କାନକୁ ବି ଆସିଥିଲା । ତା’ ନାମ ବି ସେଥିସହିତ ଯୋଡ଼ିହୋଇ ଯାଇଥିଲା । କିନ୍ତୁ ନିଜପାଇଁ ଯେତେ ନୁହେଁ ଶକୁନ୍ତଳାର ସୁନାମ ରକ୍ଷା କରିବାଲାଗି ସେତିକି ବିଚଳିତ ହୋଇପଡ଼ିଥିଲା ନରୋତ୍ତମ । ଯାହା ଅସତ୍ୟ, ତାହା ସବୁଦିନ ଅସତ୍ୟ । ମିଥ୍ୟାକୁ ରଙ୍ଗଦେଇ ସତ୍ୟ ବୋଲି ଘୋଷଣା କରାଯାଇ ପାରେ; କିନ୍ତୁ ମିଥ୍ୟାରସ୍ୱରୂପକୁ ବେଶିଦିନ ଘୋଡ଼େଇ ରଖିବା ସମ୍ଭବ ନୁହେଁ । ସେଥିପାଇଁ ସେ ଶକୁନ୍ତଳାକୁ ବି ଦିନେ ସତର୍କ କରି କହିଥିଲା ଯେ, ସତ୍ୟର ପଥ ଦୁର୍ଗମ ହେଲେ ମଧ୍ୟ ସେହି ପଥରେ ହିଁ ଶେଷରେ ବିଜୟ ହୁଏ ।

 

ସରଳାକୁ ସାନ୍ତ୍ୱନା ଦେଇ କହିଲା ନରୋତ୍ତମ ଯିଏ ଯାହା କହିବ କହୁଥାଉ, ଶକୁ ଯେ ଏସବୁର ବହୁ ଉର୍ଦ୍ଧ୍ୱରେ ଏହା ଆଉ କେହି ଜାଣନ୍ତୁ ବା ନ ଜାଣନ୍ତୁ ମୁଁ ଜାଣେ, ଆପଣମାନେ ଜାଣନ୍ତି-

 

କିନ୍ତୁ ଲୋକମାନଙ୍କ ମୁହଁ ବନ୍ଦ କରିହୁଏ ନାହିଁ । କିଏ କେତେ ପ୍ରକାର କୁହନ୍ତି । ବଢ଼ିଲା ଝିଅ ପୁରୁଣା ଘିଅ ପରି । ଲୋକମାନଙ୍କ ଆଖିରେ ଝିଅର ଗୋଟିଏ ରୂପ । ଝିଅ ଜନମ ପର ଘରକୁ-। ତା’ର ଅନ୍ୟ ରୂପ, ଅନ୍ୟ ଭୂମିକା କେହି ଭାବିପାରେ ନାହିଁକି ସହ୍ୟ କରିପାରେ ନାହିଁ ।

 

ସରଳା କହିଲେ, ତୁମେ ତ ସବୁ ଜାଣ ବାପା । ସଂସାର ଭିତରେ ଘର କଲେ ସଂସାରର ନିୟମକୁ ବି ମାନିବାକୁ ହୁଏ । ଗୋଟିଏ ଶୁଭଦିନ ଦେଖି କାମ ଉଠେଇଦେଲେ ହୁଏ । ନରୋତ୍ତମ କେବଳ କହିଲା, ସବୁଦିନ ଭଲଦିନ ।

 

ତା’ ମୁହଁ ଉପରେ ଫୁଟିଉଠିଲା ରହସ୍ୟମୟ ହସ । କିଛି ବୁଝି ପାରିଲେ ନାହିଁ ସରଳା । ସେ ହିଁ କଲା କି ନାହିଁ କଲା ପୂର୍ବାପେକ୍ଷା ଆହୁରି ଅବାଧ୍ୟ ରହିଗଲା ।

 

ଗୌତମଙ୍କ ସହିତ କଥା କହୁଁ କହୁଁ ଆଗେଇଲା ନରୋତ୍ତମ । ବହୁତ କାମ ବାକି ଅଛି । ଏ ଭିତରେ ସତ୍ୟାଗ୍ରହର ବାର୍ତ୍ତା ପହଞ୍ଚିଯାଇଛି ଘରେ ଘରେ । ଲୋକମାନେ କିଛି ଖବର ରଖନ୍ତି ନାହିଁ ବୋଲି ଭାବୁଥିଲା ସେ । କିନ୍ତୁ ତା’ର ସେହି ଧାରଣା ଯେ ଭୁଲ ଏହା ପ୍ରମାଣିତ ହୋଇଯାଇଛି-। ଲୋକମାନେ ସବୁ ଜାଣନ୍ତି, ସବୁ ଖବର ରଖନ୍ତି । ସେମାନଙ୍କ ମଧ୍ୟରେ ନୀରବରେ ପ୍ରସ୍ତୁତି ମଧ୍ୟ ଚାଲିଛି ସଙ୍କଟର ମୁକାବିଲା କରିବାପାଇଁ । କିନ୍ତୁ ସେମାନେ ଏକଜୁଟ ହୋଇପାରୁ ନ ଥିବାରୁ ଶକ୍ତି ପାଉନାହାନ୍ତି ପ୍ରବଳ ପ୍ରତାପୀ ଅତ୍ୟାଚାରୀମାନଙ୍କ ସହିତ ଲଢ଼ିବାପାଇଁ । ସେମାନଙ୍କୁ ନେତୃତ୍ୱ ଦେଇ ଏକତ୍ର କରିପାରିଲେ ଦୁଃସାଧ୍ୟ କର୍ମ ବି ସାଧନ କରିହେବ ।

 

ଗୌତମ ବି ସେଇକଥା କହିଲେ ତାକୁ । ଲୋକମାନେ ମୁହଁ ବୁଜି ସବୁ ସହିଯାଉଛନ୍ତି ବୋଲି ଭାବିବା ଉଚିତ ନୁହେଁ ଯେ ସେମାନେ ଅଜ୍ଞ ଅସହାୟ । ସେମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା କରିବାକୁ ହେବ । ଜଣେ କେବଳ ନିଜପାଇଁ ନଭାବି ସମାଜ ପାଇଁ ବି ଭାବିବ । ନିଜର ସ୍ୱାର୍ଥ ସାଧନ କଲାବେଳେ ତାହାର ସାମାଜିକ ଦିଗପ୍ରତି ସଚେତନ ହବାକୁ ହେବ । ଯାହା ଜଣଙ୍କର ବା ମୁଷ୍ଟିମେୟଙ୍କର ସ୍ୱାର୍ଥରକ୍ଷା ଲାଗି ଅଭିପ୍ରେତ; କିନ୍ତୁ ଅନେକଙ୍କର ଅକଲ୍ୟାଣକର ସେପରି କାମ ବର୍ଜନୀୟ ପ୍ରତ୍ୟେକଙ୍କର ସାମାଜିକ ଦାୟିତ୍ୱ ରହିଛି । ତାହା ପାଳନ କରିବା ସୁନାଗରିକର କର୍ତ୍ତବ୍ୟ-। ସେଥିପାଇଁ ଗାନ୍ଧିଜୀ ଅନ୍ୟମାନଙ୍କୁ କିଛି କରିବାପାଇଁ ନିର୍ଦ୍ଦେଶ ଦବା ଆଗରୁ ନିଜେ ତାହା କରୁଥିଲେ । ଆଚରଣଗତ ଶୁଦ୍ଧତା ଏବଂ ଚରିତ୍ରଗତ ନିର୍ମଳତାର ପ୍ରୟୋଜନ ଅତ୍ୟନ୍ତ ବେଶି । ସେଥିପାଇଁ ମନରେ ସଂକଟ ଦେଖାଦେଲେ ସେ ନିଜ ଚାରିପାଖରେ ଥିବା ଦୁର୍ବଳ, ଦୁସ୍ଥମାନଙ୍କ ମୁହଁକୁ ଅନଉଥିଲେ । ସେମାନଙ୍କ ମନରେ ଯେପରି ଲେଖାଥାଏ ସିଦ୍ଧାନ୍ତ ।

 

ଗୌତମ ତାକୁ ବିଦାୟ ଦବାବେଳେ କହିଲେ, ଭଲକାମ କରିବାକୁ ଭଗବାନ ଶକ୍ତି ଦିଅନ୍ତି । ପ୍ରତ୍ୟେକ ବ୍ୟକ୍ତି ତ ପ୍ରେରଣାର ଉତ୍ସ । ସମସ୍ତଙ୍କ ପାଖରେ ଏହି ବାଣୀ ପହଞ୍ଚାଇଦିଅ । ସବୁ ସ୍ଫୁଲିଙ୍ଗ ଏକତ୍ର ହେଲେ ବାଡ଼ବାଗ୍ନି ।

 

ନରୋତ୍ତମ ସବୁକଥା ଭୁଲିଯାଇ କେବଳ ଭାବୁଥିଲା ଆଗାମୀ ସଂଗ୍ରାମର କଥା । ଲୋକମାନଙ୍କୁ ସଂଗଠିତ କରିବାକୁ ହେବ । ସଂଗଠନହିଁ ହେବ ସଂଗ୍ରାମର ଅସ୍ତ୍ର । ଭାଙ୍ଗିଯାଇଥିବା ପଞ୍ଚାୟତକୁ ପୁନର୍ଗଠନ କରିବାକୁ ହେବ, ଗ୍ରାମର ସାଧାରଣ ସମସ୍ୟା ଯେପରି ଗ୍ରାମର ଲୋକମାନେହିଁ ସମାଧାନ କରିବେ, ପ୍ରତ୍ୟେକ ଗ୍ରାମର ସାଧାରଣ ସାମାଜିକ ସେବା ସେହି ଗ୍ରାମବାସୀମାନଙ୍କ ହାତରେ ରହିବ । ଯେଉଁ କାମ ସେମାନଙ୍କ ଶକ୍ତିର ବାହାରେ, ସେହି କାମପାଇଁ ସରକାର ଅଛନ୍ତି ।

 

ଆଖି ଆଗରେ କୋଟି କୋଟି ଟଙ୍କା ବ୍ୟୟ ହୁଏ, ଅଥଚ ଯେଉଁମାନଙ୍କ ପାଇଁ ଏହା କରାଯାଏ, ସେମାନେ କାମ ସହିତ ସମ୍ପୃକ୍ତ ନୁହନ୍ତି କି ସେମାନଙ୍କ ପାଖରେ ଏହାର ସୁଫଳ ପହଞ୍ଚେ ନାହିଁ । ବାଟମାରଣା ହୋଇଯାଏ ଅନେକ ଅର୍ଥ । ଏହାର ପ୍ରତିରୋଧ କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଲୋକମାନଙ୍କର ବିନା ସକ୍ରିୟ ଅଂଶ ଗ୍ରହଣ ଦ୍ୱାରା କୌଣସି ଭଲ କାର୍ଯ୍ୟ କରିବା ସମ୍ଭବ ନୁହେଁ । ଲୋକଶକ୍ତିକୁ ସଙ୍ଗଠିତ କରି ବିକାଶମୂଳକ କାର୍ଯ୍ୟରେ ଲଗେଇବା, ଜନଜୀବନରୁ ଭ୍ରଷ୍ଟାଚାରର ବିଲୋପ ପାଇଁ ସଚେତନ ଭାବରେ କାର୍ଯ୍ୟ କରିବା ଆଜିର ପ୍ରଧାନ ଆହ୍ୱାନ । ସେହି ଆହ୍ୱାନକୁ ଗ୍ରହଣ କରିଛି ନରୋତ୍ତମ ।

 

ସେ ଆମ୍ବତୋଟା ଅତିକ୍ରମ କରି ସଡ଼କ ଉପରକୁ ଆସିବାବେଳେ ଲୋକନାଥ ସହିତ ଦେଖା ହୋଇଗଲା । ଲୋକନାଥ ତାର ନୂଆ ହୋଇ କିଣିଥିବା ବୁଲେଟ୍ ଉପରୁ ଓହ୍ଲେଇପଡ଼ି କହିଲା, ଭଲ ହେଲା ତୁମ ସହିତ ଦେଖା ହୋଇଗଲା ନରୁଭାଇ-ତୁମକୁ ମନେ ମନେ ଖୋଜୁଥିଲି ।

 

ନରୋତ୍ତମ ତା’ ପାଖକୁ ଆସି କହିଲା, ସବୁ ଭଲ ତ–ତୁମ ଗାଁରେ କଅଣ ଯଜ୍ଞ କରୁଛ ପରା ?

 

ଲୋକନାଥ କହିଲା, ପୃଥିବୀକୁ ଦୁର୍ନୀତି, ଭ୍ରଷ୍ଟାଚାରର କଳଙ୍କ ଗ୍ରାସ କରିବାକୁ ବସିଲାଣି-। ସାଧାରଣ ଲୋକେ ତ୍ରାହି ତ୍ରାହି ଡାକ ଦେଲେଣି । ସଙ୍କଟରୁ ସେମାନଙ୍କୁ ରକ୍ଷା କରିବା ପାଇଁ ଏହି ମହାଯଜ୍ଞର ଆୟୋଜନ । ଜନଜୀବନକୁ ନିଷ୍କଳଙ୍କ, ନିର୍ମଳ କରିବା ଏହାର ଲକ୍ଷ୍ୟ । ଏହି କାମଦ୍ୱାରା ଅକାଳ, ଅଭାବ ଅନାଟନକୁ ଏଡ଼ାଇ ଦିଆଯାଇପାରେ ।

 

ନରୋତ୍ତମ ମୁରୁକି ହସି କହିଲା, ଯଜ୍ଞଦ୍ୱାରା ଲୋକ ଚରିତ୍ର ସଂଶୋଧନ ହୁଏନାରେ ଲୋକା, ସେଥିପାଇଁ ଲୋକମାନଙ୍କୁ ସଦାଚାର ଅଭ୍ୟାସ କରିବାକୁ ହୁଏ । ବ୍ୟକ୍ତି ନିର୍ଭୀକ ନ ହେଲେ ନିର୍ମଳ ବି ହୋଇପାରିବ ନାହିଁ । ଲୋକମାନଙ୍କ ମନରୁ ଭୟ ଓ ଭ୍ରାନ୍ତି ଦୂର କରି ସେମାନଙ୍କୁ ସେମାନଙ୍କର ଗୁପ୍ତ ଶକ୍ତି ସମ୍ପର୍କରେ ସଚେତନ କରିପାରିଲେ ମହାନ୍ କାର୍ଯ୍ୟ କରିହେବ, ଯଜ୍ଞର ମହତ୍ୱ ଯେ ନାହିଁ ମୁଁ କହୁନାହିଁ; କିନ୍ତୁ ତାହା ଭିନ୍ନ ପ୍ରକାର ।

Unknown

 

ଲୋକନାଥ କହିଲା, ତୁମର ଆମର ବାଟ ଅଲଗା ନରୁଭାଇ । କିନ୍ତୁ ତୁମକୁ ଆଗରୁ କହିରଖୁଛି ତୁମେ ଯାହା କହୁଛ ତାହା ଠିକ୍ ନୁହେଁ । ସରକାରୀ ଅଫିସରମାନେ ଆମର ସେବକ । ସେମାନଙ୍କ ବିରୁଦ୍ଧରେ ତୁମ୍ଭର ଅଭିଯାନଦ୍ୱାରା କିଛି ମଙ୍ଗଳ ହବ ନାହିଁ ।

 

ନରୋତ୍ତମ କହିଲା, ସବୁ ସରକାରୀ ଅଫିସର ଖରାପ ନୁହଁନ୍ତିରେ ଲୋକା । ଯେଉଁମାନେ ଦୁର୍ନୀତିଗ୍ରସ୍ତ, ଲୋକମାନଙ୍କର ହିତ ପାଇଁ କାର୍ଯ୍ୟ ନ କରି ଅହିତ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମର ଅଭିଯୋଗ ।

 

ଲୋକନାଥ ବୁଲେଟ ଷ୍ଟାର୍ଟ କରି କହିଲା, ତୁମ କାମ କର, ଆମ କାମ ଆମେ କରିବୁ; କିନ୍ତୁ ବିପଦଆପଦ କିଛି ଆସିଲେ ଆଉ କାହାକୁ ଦୋଷ ଦବନାହିଁ ।

 

ଲୋକନାଥର ନୂଆ ଲାଲ ରଙ୍ଗର ବୁଲେଟ ମଟର ସାଇକେଲ ଆଖି ଆଗରେ ଅଦୃଶ୍ୟ ହୋଇଗଲା ନରୋତ୍ତମର । ସେ ବାଟ ଭାଙ୍ଗିଲା ଆଶ୍ରମକୁ ଯିବା ପାଇଁ ।

 

ହରିଯୋଗୀ ତାକୁ ସ୍ୱାଗତ କରି କହିଲେ, ଏଇନେ ଭାବୁଥିଲି ଆଜି ଏକା ଏକା ଖାଇବାକୁ ହବ । ତୁ ପହଞ୍ଚିଗଲୁ ଠିକ୍ ସମୟରେ । ହାତ ମୁହଁ ଧୋଇନେ । ବସିଯିବା ଏକାସାଙ୍ଗରେ-। ପ୍ରସାଦ ପ୍ରସ୍ତୁତ ହୋଇ ରହିଛି ।

 

ନରୋତ୍ତମ ଆଶ୍ଚର୍ଯ୍ୟ ହୁଏ ତାଙ୍କୁ ଦେଖି । ଏହି ଲୋକଟିର ଚିନ୍ତା ବୋଲି କିଛି ନାହିଁ । ଖୋଲା ମନ । ଅଛି ତ ଖାଆନ୍ତି, ନ ଥିଲେ ନାହିଁ । ହରିଯୋଗୀ କହନ୍ତି, ଈଶ୍ୱର ଜନ୍ମ ଦେଇଛନ୍ତି ଯେତେବେଳେ ଆଉସବୁ କଥା ବୁଝିବେ...ତାଙ୍କରି ଉପରେ ନିର୍ଭର କରି ନ ଶିଖିଲେ କେହି ନିଶ୍ଚିନ୍ତ ହୋଇପାରେ ନାହିଁ ।

 

ନରୋତ୍ତମ ହାତ ମୁହଁ ଧୋଇ ଆସନରେ ବସିଲା ଆସି । ଖେଚେଡ଼ି ଏବଂ ସନ୍ତୁଳା ।

 

ହରିଯୋଗୀ କହିଲେ, ଅନ୍ନବ୍ୟଞ୍ଜନ ଖାଇସାରି ଜଗନ୍ନାଥେ ପହଡ଼ ପକେଇଲେଣି ଏତେବେଳକୁ । ଆମେ ଆଉ ବିଳମ୍ବ କରିବା କାହିଁକି ?

 

ଖାଇସାରି ମୁହଁ ହାତ ଧୋଇ କଷାଫଳଟିଏ ପାଟିରେ ଦବାବେଳକୁ ଦଳେ ଲୋକ ପହଞ୍ଚିଲେ ଆଶ୍ରମରେ । ହରିଯୋଗୀ କହିଲେ, ଆଉ ଟିକେ ଆଗରୁ ଆସିଥିଲେ ଯାହା ଥିଲା ଭାଗକରି ଖାଇଥାନ୍ତେ...ଏତେ ଡେରି କଲ ଯେ–।

 

ଯୁଧିଷ୍ଠିର କହିଲା, ମୋ ଜମି ଖଣ୍ଡିକ ଚକବନ୍ଦୀରେ ଚାଲିଗଲା ଆଜ୍ଞା । ମୋତେ ତା’ ବଦଳରେ ଯାହା ମିଳିଛି ସେଥିରେ ଧାନ ହବ ନାହିଁ କି ମୁଗ ହବ ନାହିଁ । ବାଲୁଚର ।

 

ଅନାଦି କହିଲା, ଯୁଧି ଭାଇନାଙ୍କ ପରେ ମୋ ପାଳି ପଡ଼ିବ । ମୋ ଜମି ଖଣ୍ଡିକ ତାଙ୍କ ଜମିକୁ ଲାଗି । ଜଳ ଜମି । ମାଣେ ଜମିରେ ଛଅମାସ ଚଳିଯାଏ । ସେଇ ମାଣକ ଉପରେ ବି ତାଙ୍କର ନଜର ପଡ଼ିଛି ।

 

ସବୁ ଶୁଣିଲା ନରୋତ୍ତମ ।

ହରିଯୋଗୀ କହିଲେ, କଅଣ ବାବାଜି, ଏ ସବୁ ବି ସହିଯିବାକୁ ହବ ?

 

ନରୋତ୍ତମ କହିଲା, ହଠାତ୍ କିଛି ଗୋଟେ କରିପକେଇବା ବିଜ୍ଞତାର କାର୍ଯ୍ୟ ହବ ନାହିଁ-

 

ଯୁଧିଷ୍ଠିର ଉତ୍ତେଜିତ ହୋଇ କହିଲା, ତା’ହେଲେ ସେମାନଙ୍କ ଯଜ୍ଞରେ ଆମକୁ ବଳିପଡ଼ିବାକୁ ହବ କହୁଛ !

 

ନରୋତ୍ତମ କର୍ତ୍ତବ୍ୟ ସ୍ଥିର କରିନେଲା କ୍ଷଣକରେ । ତା’ର ଇଚ୍ଛା ହଉଥିଲା ଏସବୁ ଅନ୍ୟାୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାପାଇଁ । କିନ୍ତୁ ପ୍ରତିପକ୍ଷ ସାମାନ୍ୟ ନୁହେଁ, ଅତ୍ୟନ୍ତ ପରାକ୍ରମଶାଳୀ । ବୁଝି ବିଚାରି କାର୍ଯ୍ୟ କଲେ ପ୍ରମାଦ ନ ପଡ଼ଇ ଭଲେ । କିନ୍ତୁ ସମୟ ଖସିଯାଉଛି ହାତରୁ । ଶୀଘ୍ର କିଛି ନ କଲେ ନେଡ଼ିଗୁଡ଼ କହୁଣୀକୁ ବୋହିଯିବ । ନରୋତ୍ତମ ଆଉ ବିଶ୍ରାମ ନ କରି ବାହାରିପଡ଼ିଲା ସେମାନଙ୍କ ସହିତ । ଚକବନ୍ଦୀ ଅଫିସରଙ୍କ ସହିତ ଆଲୋଚନା ପରେ ପରବର୍ତ୍ତୀ କର୍ତ୍ତବ୍ୟ ସ୍ଥିର କରିବ ସେ ।

 

ଚକବନ୍ଦୀ ଅଫିସରେ ପହଞ୍ଚିବାବେଳକୁ ଦିନ ତିନିଟା ବାଜିଯାଇଥିଲା । ଅନେକ ଲୋକ ଅନୁରୂପ ଅଭିଯୋଗ ନେଇ ଆସିଥିଲେ ଆପତ୍ତି କରିବାକୁ । ଚକବନ୍ଦୀ ଅଫିସର ଶଙ୍କର୍ଷଣବାବୁ ମଧ୍ୟାହ୍ନ ବିଶ୍ରାମ ଶେଷ କରି ଅଫିସକାମ କରିବାବେଳକୁ ଚାରିଟା ବାଜିଲା । ତାଙ୍କୁ ଦେଖିବାକ୍ଷଣି ଲେକେ ଆହୁରି ଉତ୍ତେଜିତ ହୋଇଉଠିଲେ ।

 

ଶଙ୍କର୍ଷଣ ମଙ୍ଗରାଜ ଚକବନ୍ଦୀ କାର୍ଯ୍ୟ ଆରମ୍ଭରୁ ଅଛନ୍ତି ଏଠାରେ । ଏ ଭିତରେ ତାଙ୍କର ଆର୍ଥିକ ଉନ୍ନତି ବେଶ୍ ହୋଇଛି । ଉପରିସ୍ଥମାନେ ଆସନ୍ତି ଏବଂ ଯାଆନ୍ତି, ସେମାନଙ୍କୁ ଆଦର ଆପ୍ୟାୟନ କରି ଖୁସି କରିବାର ଦାୟିତ୍ୱ ପାଳନରେ ସେ କେବେ ତ୍ରୁଟି କରିନାହାନ୍ତି । ବରଂ ସେଥିପ୍ରତି ସେ ଅଧିକ ସଚେତନ ।

 

ଶଙ୍କର୍ଷଣବାବୁ ଏତେ ଲୋକଙ୍କୁ ଏକତ୍ର ଦେଖି ବିରକ୍ତ ହୋଇ କହିଲେ, ଏତେ ଲୋକ କାହିଁକି ଏଠାରେ । ଏଠାରେ ତ୍ରିନାଥମେଳା ହେଉନାହିଁ...ବେକାର ସବୁ...

 

ପିଅନ ସମସ୍ତଙ୍କୁ ଚାଲିଯିବାପାଇଁ କହିଲାରୁ ନରୋତ୍ତମ କହିଲା, ଜରୁରୀ କଥା ଅଛି । ଆପଣଙ୍କ ସହିତ ଆଲୋଚନା କରିବାକୁ ଆସିଛି ।

 

ଶଙ୍କର୍ଷଣବାବୁ ହଠାତ୍ ରାଗିଯାଇ କହିଲେ, ମୋର ସମୟ ନାହିଁ, ତୁମେ ସବୁ ଯାଅ ଏଠାରୁ..ଯାହାର ଯାହା କହିବାର ଅଛି ଲେଖି ପଠାଅ...ଯଥା ସମୟରେ ବିଚାର କରାଯିବ ।

 

ନରୋତ୍ତମ ପାଦେ ସୁଦ୍ଧା ନ ଟଳି କହିଲା, ଆପଣଙ୍କୁ ଶୁଣିବାକୁ ହେବ । ଯୁଧିଷ୍ଠିର, ଅନାଦି ପ୍ରଭୃତିଙ୍କ ପ୍ରତି ଯେଉଁ ଅନ୍ୟାୟ କରାଯାଇଛି ସେହି ବିଷୟରେ ଆପଣଙ୍କ ସହିତ ଆଲୋଚନା କରିବାକୁ ଆସିଛି । ପ୍ରଜାମାନଙ୍କର ଅଭିଯୋଗ ଶୁଣିବା ଆପଣଙ୍କର କର୍ତ୍ତବ୍ୟ ।

 

ଶଙ୍କର୍ଷଣ ଆହୁରି ରାଗିଗଲେ । ସେ କୋଠରୀ ଭିତରକୁ ପଶିଯାଇ ପିଅନକୁ ଫାଟକ ବନ୍ଦ କରିଦବା ପାଇଁ କହିଲେ । ସେତେବେଳକୁ ଦୀର୍ଘ ସମୟ ଧରି ଅପିସରଙ୍କୁ ଦେଖାକରି ନିଜର ଗୁହାରି ଜଣେଇବା ଲାଗି ଅପେକ୍ଷା କରୁଥିବା ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଲା । ସେମାନେ ଜବରଦସ୍ତ ଫାଟକ ଖୋଲି ଧସେଇ ପଶି ଆସିଲେ ଭିତରକୁ । ନରୋତ୍ତମ ଚକବନ୍ଦୀ ଅପିସରଙ୍କ ଅଫିସ ସାମ୍ନାରେ ବସିପଡ଼ି ଘୋଷଣା କଲା, ଆମ ସହିତ ଆଲୋଚନା ନ କରିବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁରହିବ । ଆପଣମାନେ ଧୈର୍ଯ୍ୟ ଧରନ୍ତୁ । ଆମେ ଶାନ୍ତିପ୍ରିୟ...ବିଶୃଙ୍ଖଳା ସୃଷ୍ଟି କରବାକୁ ଆସିନାହୁଁ ।

 

କେତେକଙ୍କର ତର୍ଜନ ଗର୍ଜନରେ ଜାଗାଟି ସରଗରମ ହୋଇଉଠିଥାଏ ସେତେବେଳକୁ-। ନରୋତ୍ତମର ଅନୁରୋଧ ରକ୍ଷାକରି ସେମାନେ ଚୁପ୍ ହେଲେ । ଅନାଦି କହିଲା, ତୁମେ ଯାହା କହିବ ଆମେ ମାନିବୁ ନରୁଭାଇ...କିନ୍ତୁ ଅଫିସରଙ୍କୁ ସାବଧାନ କରିଦିଅ...ଆମେ ଭିକ୍ଷା ମାଗିବା ପାଇଁ ଆସିନୁ, ଆମର ଅଧିକାର ସମ୍ପର୍କରେ କହିବାକୁ ଆସିଛୁ ।

 

ଧାରଣା ଆରମ୍ଭ ହୋଇଗଲା ।

 

ନରୋତ୍ତମ ବସିପଡ଼ିବାର ଦେଖି ଅନ୍ୟମାନେ ମଧ୍ୟ ଭୂଇଁ ଉପରେ ବସିପଡ଼ିଲେ । ଅଫିସକୁ ପ୍ରବେଶ କରିବାର ପଥ ବନ୍ଦ ହୋଇଗଲା ।

 

ସନ୍ଧ୍ୟା ସାତଟାବେଳକୁ ପୁଲିସ ଫୌଜ ସାଙ୍ଗରେ ଧରି ପହଞ୍ଚିଲେ ମାଜିଷ୍ଟ୍ରେଟ୍ । ଶାନ୍ତି ଭଙ୍ଗ କରୁଥିବା ଲୋକମାନଙ୍କୁ ସତର୍କ କରିଦେଇ କହିଲେ, ସରକାରୀ ଅଫିସର କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି କରିବା ଏବଂ ଅଫିସରଙ୍କୁ ତାଙ୍କ କୋଠରୀ ଭିତରେ ବନ୍ଦୀ କରି ରଖିବା ଆଇନ ଅନୁସାରେ ଧର୍ତ୍ତବ୍ୟ ଅପରାଧ । ସାଙ୍ଗେ ସାଙ୍ଗେ ସ୍ଥାନ ତ୍ୟାଗ କରି ଚାଲି ନ ଗଲେ ପୁଲିସ ବାଧ୍ୟହୋଇ ନିୟମ ରକ୍ଷାପାଇଁ କାର୍ଯ୍ୟ କରିବ ।

 

ଲୋକମାନେ ତିଳେମାତ୍ର ବିଚଳିତ ହେଲେ ନାହିଁ । ବରଂ ସେମାନଙ୍କର ଧାରଣା ଆହୁରି ସୁଦୃଢ଼ ହେଲା । ନରୋତ୍ତମ ସହିତ ସମସ୍ତେ ରାମଧୁନ ଗାଇବାକୁ ଲାଗିଲେ ।

 

ମାଜିଷ୍ଟ୍ରେଟ୍ ଅନ୍ୟ ଉପାୟ ନ ଦେଖି ନରୋତ୍ତମକୁ ଗିରଫ କଲେ । ନରୋତ୍ତମକୁ ପୁଲିସ୍ ଭ୍ୟାନ୍ ଭିତରକୁ ନବାବେଳେ ଅନ୍ୟମାନେ ରାସ୍ତା ଉପରେ ଶୋଇପଡ଼ି ଧ୍ୱନି ଦେଲେ –ବନ୍ଦେ ମାତରମ୍...ଜୁଲୁମବାଜି ଚଳିବ ନାହିଁ...ଭ୍ରଷ୍ଟାଚାର ମୁର୍ଦ୍ଦାବାଦ– ।

 

ସେଠାରେ ଠୁଳ ହୋଇଥିବା ଲୋକମାନଙ୍କର ସମାବେଶକୁ ବେଆଇନ୍ ଘୋଷଣା କରି ୧୪୪ ଧାରା ଜାରୀହେଲା । ଦଶମିନିଟ୍ ମଧ୍ୟରେ ସେମାନେ ସ୍ଥାନ ତ୍ୟାଗ ନ କଲେ ଆଇନ ତା’ ବାଟରେ ଯିବ ବୋଲି ମଧ୍ୟ ସତର୍କ କରାଇ ଦିଆଗଲା । କିନ୍ତୁ ଫଳ କିଛି ହେଲା ନାହିଁ । ଯେଉଁମାନେ ସେଠାରେ ବସିଥିଲେ ସେମାନଙ୍କର ସଂଖ୍ୟା ବରଂ ବଢ଼ିବାରେ ଲାଗିଲା ।

 

ଆହୁରି ପାଞ୍ଚଜଣଙ୍କୁ ଗିରଫ୍ କରି ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ପାଇଁ ଆଦେଶ ଦେଲେ ମାଜିଷ୍ଟ୍ରେଟ୍ । ଦୁଇଟା ଗ୍ୟାସ୍ ବମ୍ ଫାଟିବା ପରେ ପରେ ଛତ୍ରଭଙ୍ଗ ଦଉଥିବା ଲୋକଙ୍କ ଉପରେ ଲାଠିଚାର୍ଜ କରିବା ଲାଗି ଆଦେଶ ଦିଆଗଲା । ପୁଲିସବାହିନୀ ରଣାଙ୍ଗନକୁ ଲମ୍ଫଦେଲେ ଯେପରି । କେତେଜଣ ଆହତ ହେଲେ । ଆଉ କେତେ ପ୍ରାଣ ବିକଳରେ ପାଖଘର ମାନଙ୍କରେ ଆଶ୍ରୟ ନେଲେ । ଧୂଆଁର ପ୍ରକୋପରେ କିଛି ବୁଝାଗଲା ନାହିଁ ।

 

ଅଧଘଣ୍ଟାଏ ମଧ୍ୟରେ ପୁଣି ଶାନ୍ତି ଫେରିଆସିଲା ସେଠାକୁ ।

ସେତେବେଳକୁ ପଳେଇ ଥାଆନ୍ତି ସମସ୍ତେ ।

 

ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ହାଜତକୁ ପଠାଇଦବା ଲାଗି ପୁଲିସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇ ଚକବନ୍ଦୀ ଅଫିସରଙ୍କ ସହିତ ପରାମର୍ଶ କରିବା ଲାଗି ଭିତରକୁ ଗଲେ ମାଜିଷ୍ଟ୍ରେଟ୍ । ଶଙ୍କର୍ଷଣବାବୁ ଯେଉଁ ରିପୋର୍ଟଟି ପ୍ରସ୍ତୁତ କରିଥିଲେ ଘଟଣା ସମ୍ପର୍କରେ ତାହା ହାତକୁ ବଢ଼େଇଦେଇ କହିଲେ, ନରୋତ୍ତମ ପ୍ରହରାଜ ସବୁ ନାଟର ଗୋବର୍ଦ୍ଧନ । ସେ ଆଇନ ଅମାନ୍ୟ କରିବାଲାଗି ଉସୁକାଉଛି ଅନ୍ୟମାନଙ୍କୁ । ସେ ଶାନ୍ତିଭଙ୍ଗର ପ୍ରଧାନ କାରଣ । ସେ ହିଂସାନୀତିର ପ୍ରଧାନ ପ୍ରବକ୍ତା-

 

ମାଜିଷ୍ଟ୍ରେଟ୍ ଚକବନ୍ଦୀ ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ସାବଧାନ କରିଦେଇ କହିଲେ, ନରୋତ୍ତମକୁ ଜବଦ କରିବାପାଇଁ ବେଶି ସମୟ ଲାଗିବ ନାହିଁ । କିନ୍ତୁ ଲୋକଙ୍କର ନ୍ୟାଯ୍ୟ ଦାବୀକୁ ମଧ୍ୟ ଉପେକ୍ଷା କରାଯାଇ ନ ପାରେ । ଚକବନ୍ଦୀ କାମ ଲୋକଙ୍କ ହିତ ପାଇଁ କରାଯାଉଛି । କାହାର କିଛି ଅସୁବିଧା ହେଲେ ତାର ଅପୋଷ ମୀମାଂସା ହବା ଉଚିତ । ଗଣତାନ୍ତ୍ରିକ ଶାସନରେ ପ୍ରଜାମାନଙ୍କର ମତାମତ ଶୁଣିବା ଦରକାର ।

 

ଶଙ୍କର୍ଷଣ ମିଛରେ କହିଲେ, ସବୁ ଲୋକଙ୍କୁ ଏକତ୍ର କରି ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଛି ନରୋତ୍ତମ । ଆପଣ ବିଭୁପଦ ପ୍ରଭୃତି ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ପଚାରନ୍ତୁ, ସଠିକ୍ ସମ୍ବାଦ ପାଇପାରିବେ ।

 

ରାତ୍ରଭୋଜନ ସେହିଠାରେ ସମାପ୍ତ କରି ଫେରିଗଲେ ମାଜିଷ୍ଟ୍ରେଟ୍ ।

 

ଶଙ୍କର୍ଷଣ ଶୋଇଥିଲେ । ହଠାତ୍ ବାହାରେ କୋଳାହଳ ଶୁଣି ଉଠି ବସି ଝରକାଦେଇ ବାହାରକୁ ଚାହିଁବା ବେଳକୁ ଅଫିସଘରେ ନିଆଁ ଲାଗିଥିବାର ଦେଖିଲେ ସେ ।

 

ସବୁ ଚେଷ୍ଟା ସତ୍ତ୍ୱେ ବେଶି କିଛି ରକ୍ଷାକରାଯାଇ ପାରିଲା ନାହିଁ । ଅଫିସର ଆସବାବପତ୍ର ସମେତ ଅନେକ ଦରକାରୀ କାଗଜପତ୍ର, ଜମିଦାର ରେକର୍ଡ଼ ଓ ଦଲିଲ ପୋଡ଼ି ଧ୍ୱଂସ ହୋଇଗଲା ।

 

ବିଡ଼ନାସୀର ବିସ୍ତୃତ ଅଞ୍ଚଳ ଆଉ ପରିତ୍ୟକ୍ତ ଅରଣ୍ୟ ନୁହେଁ । ସେଠାରେ ଗଢ଼ିଉଠୁଛି ଏକ ନୂତନ ସହର । ମହାନଦୀକୁ ମୁହଁ କରି ଏକ ଅପେକ୍ଷାକୃତ ଏକ ନିଭୃତ ସ୍ଥାନରେ ନୂତନ ନିର୍ମାଣ କରାଯାଇଥିବା ଗେଷ୍ଟ ହାଉସର ବାରଣ୍ଡାରେ ବସି ଦକ୍ଷିଣା ପବନ ଦେହରେ ବୋଳି ହେଉଥିଲା ବିଭୁପଦ । ଦୁଇଦିନ ପାଇଁ ଆସି ଚାରିଦିନ ରହିଗଲାଣି । ଫେରିବାକୁ ମନ ହଉ ନ ଥାଏ-। ଦୈନନ୍ଦିନ ଜଞ୍ଜାଳ ଭିତରୁ ତ୍ରାହି ପାଇବା ସମ୍ଭବ ହୁଏ ନାହିଁ । ରାଜନୀତିରେ ଯୋଗଦବାଦିନୁ ସେ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସମୟ ପାଇନି । ଲୋକମାନଙ୍କର ପ୍ରତିନିଧି ହବା ସହଜ କଥା ନୁହେଁ-। ଯେତେ ଯାହା କଲେ ବି ସେମାନଙ୍କର ପ୍ରତିଦିନ ବଢ଼ୁଥିବା ସମସ୍ୟାର ସମାଧାନ କରିବା ସହଜ ନୁହେଁ । ଲୋକସଂଖ୍ୟା ସହିତ ସମସ୍ୟା ବି ବଢ଼ୁଛି । ସବୁ ସମସ୍ୟାର ସମାଧାନ ଈଶ୍ୱରଙ୍କ ଉପରେ ନ୍ୟସ୍ତ କରି ବିଭୁପଦ ପଳେଇ ଆସିଛି ନିରୋଳାରେ ଟିକେ ମଉଜ କରିବାପାଇଁ । ସାରାଜୀବନ କାମ କରିବା ପାଇଁ ପଡ଼ିରହିଛି । ମଉଜ କରିବାର ସମୟ କିନ୍ତୁ ଖୁବ୍ ଅଳ୍ପ । ବୟସ ବସି ରହେ ନାହିଁ ।

 

ସରୋଜ କାନୁନ୍‍ଗୋ ଅନେକ ଧନ୍ୟବାଦ ଜଣାଇଲା ବିଭୁପଦ । ଉତ୍ତମ ବ୍ୟବସ୍ଥା କରିବାରେ ଅବହେଳା କରି ନ ଥିବା ଯୋଗୁଁ ତାଙ୍କୁ ବାରମ୍ବାର ପ୍ରଶଂସା କଲା ।

 

ସରୋଜବାବୁ କିନ୍ତୁ ଦୁଇଦିନ ବିଳମ୍ବରେ ପହଞ୍ଚିଲେ । ଠିକ୍ ଆସିବା ଦିନ ପ୍ରଧାନ ଯନ୍ତ୍ରୀ ପରିଦର୍ଶନରେ ଆସିବାରୁ କଟକ ଆସିବାରେ ବିଳମ୍ବ ହେଲା । କିନ୍ତୁ ଯଥାସମୟରେ ଖବର ପାଇ ଅଟକିଗଲା ବିଭୁପଦ । ଦୁଇଦିନର ଅସଫଳତା ତାକୁ ଯେତିକି ହତୋତ୍ସାହ କରିଥିଲା, ଆଗାମୀ ଦିନର ସଫଳତା ସମ୍ଭାବନା ତାକୁ ସେତିକି ଉତ୍ସାହିତ କରିଦେଲା ।

 

ସରୋଜବାବୁ କବିତା ସହିତ ଜିପରୁ ଓହ୍ଲେଇବାବେଳକୁ ଆଗେଇ ଆସି କହିଲା ବିଭୁପଦ ବେଟର ଲେଟ୍ ଦ୍ୟାନ୍ ନେଭର୍...କେବେ ହେଁ ନ ପହଞ୍ଚିବା ଅପେକ୍ଷା ପହଞ୍ଚିବା ଭଲ । ମୁଁ ତ ଦୁଇଦିନ ହେଲା ଅପେକ୍ଷା କରୁଛି ।

 

ସରୋଜବାବୁ କହିଲେ, ଚିଫ୍ ଚାଲିଆସିଲେ । ତାଙ୍କ ଝିଅ ଜ୍ୱାଇଁ ପାରାଦ୍ୱୀପରେ ଅଛନ୍ତି-। ସେମାନଙ୍କୁ ସଙ୍ଖୋଳିବାକୁ ଆସି କିଛି କାମ ବି ଦେଖିଗଲେ ।

 

କବିତାକୁ ଛିଡ଼ା ହୋଇଥିବାର ଦେଖି କହିଲା ବିଭୁପଦ, ଆରେ ତୁମେ ଚୁପ୍ ହୋଇ ରହିଲ ଯେ -ଯାଅ ଭିତରକୁ ଯାଅ-ଏତେ ବାଟ ଆସିବାରେ ଗରମ ଚା’ କପେ ପିଅ –ତା’ପରେ ଅନନ୍ତ ସମୟ ଆମ ହାତରେ ।

 

ବିଭୁପଦକୁ କଣେଇ ଚାହିଁ କବିତା ପାହାଚ ଉପରେ ପାଦ ଦେଲା ।

 

ସରୋଜ ପିଅନକୁ ଜିନିଷପତ୍ର ଭିତରକୁ ନବାପାଇଁ କହି ବିଭୁପଦକୁ କହିଲା, ଠିକ୍ କହିଛନ୍ତି ଆପଣ –ହାତ ମୁହଁ ଧୋଇ ଫ୍ରେସ୍ ହୋଇ ଏଇ ବାରଣ୍ଡାରେ ବସି ମହାନଦୀକୁ ମୁହଁ କରି ଚା’ ପିଇଲେ ଅକବି ବି କବି ହୋଇଯିବ ।

 

କବିତା ନିଜ କୋଠରୀ ଭିତରକୁ ଚାଲିଗଲା ।

ବିଭୁପଦ ମହାନଦୀର ବକ୍ଷକୁ ଅନାଇରହିଲା ଅନେକ ପ୍ରତ୍ୟାଶା ନେଇ ।

ଅନେକ ଦୂରରେ ମହାନଦୀର ବକ୍ଷ ଛୁଇଁ ନଇଁ ଆସିଛି ଆକାଶ ।

 

ଯୋଡ଼ି ଯୋଡ଼ି ହୋଇ ଉଡ଼ିଯାଉଛନ୍ତି ଗେଣ୍ଡାଳିଆ । ଗୋଟିଏ ନୌକା ଯାତ୍ରୀ ନେଇ ଆସୁଛନ୍ତି କଟକ । କଲେଜରେ ପଢ଼ିବାବେଳେ କବି ମାନସିଂହଙ୍କର ମହାନଦୀରେ ଜ୍ୟୋସ୍ନା ବିହାର କବିତାଟି ମନେପଡ଼ିଲା ବିଭୁପଦର । ଧନ୍ୟ କବି ! ଆଉ କିଛି ନ ଲେଖି ଏଇ ଗୋଟିଏ କବିତା ଲେଖିଥିଲେ ବି ଅମର ହୋଇଯାଇଥାନ୍ତେ ।

 

ସରୋଜ ପାଖ ଚୌକିଟା ଟାଣିନେଇ ବସିପଡ଼ିଲା । ଟେବୁଲ ଉପରେ ଫୁଲଦାନୀରେ ସଜାହୋଇଥିଲା ଗୁଚ୍ଛାଏ ଫୁଟନ୍ତା ରଜନୀଗନ୍ଧା । ତାହାରି ମହକ ଲାଗୁଥିଲା ନାକରେ, ଦେହରେ ।

 

ବିଭୁପଦ କହିଲା, ଆପଣଙ୍କର ଚଏସକୁ ପ୍ରଶଂସା ନ କରି ରହିପାରୁ ନାହିଁ । ଇମିତି ଜାଗାରେ ବସିଲେ ମର୍ତ୍ତ୍ୟ ସ୍ୱର୍ଗରେ ପରିଣତ ହୁଏ ।

 

ସରୋଜ ଗର୍ବ କଲା ମନେ ମନେ । ବିଭୁପଦ ଯେ ଆଶାତୀତ ଭାବରେ ଖୁସି ହୋଇଛି, ଏଥିରେ ସେ ନିଃସନ୍ଦେହ । ଆଜି ବିଭୁପଦର ସବୁ ସମୟ ସରୋଜର ହାତ ମୁଠାରେ । କିନ୍ତୁ କାଲି ଯେତେବେଳେ ସେ ବିଧାନସଭାକୁ ଯିବ ଏବଂ ମନ୍ତ୍ରୀ ହବ ସେତେବେଳେ ତାର ସମୟ ନ ଥିବ ସରୋଜ ପାଇଁ । ତା’ର ଦେଖା ପାଇବାପାଇଁ ହୁଏତ ଦିନ ଦିନ ଅପେକ୍ଷା କରିବାକୁ ହବ । ଯେଉଁମାନଙ୍କର ଭବିଷ୍ୟତ ଅଛି ସେମାନଙ୍କୁ ସମସ୍ତେ ଚିହ୍ନିପାରନ୍ତି ନାହିଁ । ଯିଏ ଚିହ୍ନେ ସେ ହୁଏ ଲାଭବାନ । ବିଭୁପଦର ଆଗାମୀ ଦିନଗୁଡ଼ା ଏଇ ମହାନଦୀ ଉପରେ ଲୀଳା କରୁଥିବା ଝିଲିମିଲି ଖରା ପରି । କ୍ରମବର୍ଦ୍ଧମାନ ଏଇ ବିଡ଼ାନାସୀ ପରି ।

 

ସରୋଜ କହିଲା, କୋଉଦିନୁ କହୁଛି ଆପଣଙ୍କୁ । କାମ କରି କରି କ୍ଲାନ୍ତ ଲାଗିଲେ ମଝିରେ ମଝିରେ ଚାଲିଆସିବେ ଏଠାକୁ । ମୁଁ ସବୁ ବ୍ୟବସ୍ଥା କରି ରଖିଛି, ଚାହିଁଲା କ୍ଷଣି ରିଜର୍ଭେସନ ମିଳିଯିବ ।

 

ବିଭୁପଦ ଭାବୁଥିଲା ଅନ୍ୟକଥା । ଏଇ ନୈସର୍ଗିକ ସୌନ୍ଦର୍ଯ୍ୟର ଉପାସନା କରି ମଣିଷ ନିଜକୁ ଭୁଲି ନ ଯାଇ ଆହୁରି ନିଜକୁ ବେଶି ମନେପକାଏ କାହିଁକି । ଗେଣ୍ଡାଳିଆ ଏକା ଏକା ଉଡ଼ି ନ ଯାଇ ସଙ୍ଗିନୀ ସାଥୀରେ ବୋଧହୁଏ ସେଥିପାଇଁ ନୀଳଆକାଶର ବକ୍ଷ ଚିରି ଉଡ଼ିଯାଏ ଆଉ ଗୋଟିଏ ଜାଗାକୁ ବସା ବାନ୍ଧିବା ପାଇଁ ।

 

ଲନ୍ ଚାରିପାଖରେ ନାନା ଜାତିର ଫୁଲ । ମଲ୍ଲୀ ଗଛରେ ପତ୍ର ଅପେକ୍ଷା କଢ଼ି ଅଧିକ । ସବୁଜ ପତ୍ର ଗହଣରୁ ଆକାଶ ବକ୍ଷର ତାରା ପରି ଶୋଭା ପାଉଛନ୍ତି କଢ଼ିମାନେ । ସକାଳ ହବାବେଳକୁ ଆଉ କାହା ହାତର ପରଶ ପାଇ କିରି କିରି ହସିଉଠିବେ ସେମାନେ । ସେତେବେଳେ ପ୍ରତ୍ୟେକ ଗଛ ଫୁଲିଉଠିବ ମଲ୍ଲୀ ଫୁଲର ଶୋଭାରେ ।

 

ଚା’ ଦେଇଗଲେଣି ବେହେରା । ଗୋଟିଏ ପ୍ଲେଟରେ ଭଜା କାଜୁ ଏବଂ କିଛି ସନ୍ଦେଶ । କବିତା ପାଇଁ ଅପେକ୍ଷା କରୁଥିଲା ବିଭୁପଦ ।

 

ସରୋଜ ଉଠିଗଲା ଭିତରକୁ । କବିତାକୁ ମନେପକାଇ ଦବାପାଇଁ କହିଲା ଯେ ଚା’ ଦିଆ ସରିଲାଣି । ଶିଘ୍ର ନ ଗଲେ ସବୁ ଥଣ୍ଡା ହୋଇଯିବ ।

 

କବିତା ସ୍ୱମୀ ମୁହଁକୁ ଚାହିଁ କଅଣ ବୁଝିଲା କେଜାଣି କହିଲା, ତୁମେ ଦୁହେଁ ଖାଇପାରିଥାଆନ୍ତ... ।

 

ନା, ନା । ବିଭୁପଦ ସେପରି ଅଭଦ୍ରାମିକୁ କଦାପି ପ୍ରଶୟ ଦେବେ ନାହିଁ । ତୁମେ ବରଂ ଶିଘ୍ର ଆସ । ମୁଁ ଏଇନେ ଆସୁଛି ।

 

ବାଥରୁମ୍ ଭିତରକୁ ପଶିଗଲା ସରୋଜ ।

କବିତା ଆସି ଟିକେ ଦୂରରେ ବସିଲା ।

 

ବିଭୁପଦ କହିଲା, ଆଜି ଖୁବ୍ ବିମର୍ଷ ଜଣାପଡ଼ୁଛ ଯେ...ତୁମର ଫୁଲ ପରି ସ୍ୱାଭାବିକତା କେଉଁଠି ହଜାଇ ଦେଇ ଆସିଛ ଯେପରି ।

 

କବିତା ଅନ୍ୟମନସ୍କ ପରି କହିଲା କେଜାଣି... ।

 

–ଅନେକ ବାଟ ଆସିବା ପରେ ଇମିତି ଲାଗେ । ଗରମ ଚା’ କପେ ପିଇ ନିଅ ସବୁ ଠିକ୍ ହୋଇଯିବ ।

 

ଟିକେ ଦୂରତ୍ୱ ରଖି ବସିଲା କବିତା ।

ଚା’ ତିଆରି କରିବାକୁ ଆରମ୍ଭ କରି ପଚାରିଲା ବିଭୁପଦକୁ, ଚିନି କେତେ ?

–ଦୁଇ ।

ଠିକ୍ ସମୟରେ ପହଞ୍ଚିଯାଇ ସରୋଜ କହିଲେ, ମୋର କିନ୍ତୁ ସେଇ ଏକ... ।

–କାହିଁକି ଡାଇବେଟିକ୍‌ସ୍‌କୁ ଡରି ? କହିଲା ବିଭୁପଦ ।

 

–ଦେଖୁନାହାନ୍ତି କେମିତି ମୋଟା ହୋଇଗଲିଣି । ଆଜି କଣ୍ଟ୍ରୋଲ ନ କଲେ ଦିନେ ଅଚଳ ହୋଇଯିବାର ସମ୍ଭାବନା ଅଛି ଯେ... ।

 

କାଜୁ ସହିତ ଗରମ ଚା’ ବେଶ୍ ଭଲ ଲାଗୁଥିଲା ।

 

କିନ୍ତୁ ନିଜର ଅନୁଭବକୁ ସମ୍ପୂର୍ଣ୍ଣ ସରସ ମନରେ ଗ୍ରହଣ କରିପାରୁ ନ ଥିଲା କବିତା । କେଉଁ ସନ୍ଧିକ୍ଷଣରେ ବିଭୁପଦ ସହିତ ତା’ର ଦେଖା ହୋଇଥିଲା କେଜାଣି ସେ ପରିବେଶର ଚାପରେ କେବଳ ତାହାରି ଆଡ଼କୁ ଟାଣି ହୋଇ ଆସୁଛି । ପ୍ରଥମେ ନିରୋଳା ବନ୍ଧୁତ୍ୱ ପାଇଁ ଆକୁଳ ହୋଇ ହାତ ବଢ଼ାଇଥିଲା ସେ । କିନ୍ତୁ ଜଣେ ତରୁଣ ଏବଂ ଜଣେ ତରୁଣୀ ମଧ୍ୟରେ ସମ୍ପର୍କଟା ସଦାବେଳେ ସେଇ କାମନାଭିମୁଖୀ ବୋଲି ସେତେବେଳେ ଭାବି ନ ଥିଲା ସେ । ତା’ର ବନ୍ଧୁତ୍ୱ ଏବଂ ଉଦାରତାକୁ ଭୁଲି ବୁଝି ବିଭୁପଦ ସେଇଦିନୁ ପଦେ ପଦେ ଆଗେଇ ଆସିଛି । ତା’ର ହୃଦୟର ପ୍ରବଣତାକୁ ଭୁଲ ବୁଝି ସେ ତାକୁ ଅନ୍ୟ ପ୍ରକାର ଭାବିଛି । କିନ୍ତୁ ଏଇନେ ବିଭୁପଦ ତା’ ସମ୍ପର୍କରେ କଅଣ ଭାବୁଥିବ କେଜାଣି । ସ୍ୱାମୀ ସହିତ ଅବସର ବିନୋଦନ କରିବାକୁ ଆସି ବିଭୁପଦର ଜାଲରେ ପଡ଼ିବ ବୋଲି ସେ ଆଶଙ୍କା କରୁଥିଲେ ବି ଗୋଟିଏ ଜାଗାରେ ଏତେ ପାଖାପାଖି ସେମାନେ ରହିବେ ବୋଲି ସେ ଭାବି ନଥିଲା ଆଦୌ । ଲୋକଙ୍କର ଚକ୍ଷୁ ଲଜ୍ୟା ଅଛି, ସଂସାରର ସାମାଜିକତା ଏବଂ ବାଧା ବନ୍ଧନ ଅଛି । କିନ୍ତୁ ସରୋଜ ଯେପରି ଦୁଇହାତରେ ସବୁ ଦାନକରି ନିଜର କ୍ୟାରିଅର ତିଆରି କରିବାଲାଗି ସମର୍ପଣ ନ କରିବେ ଏହାର ଗ୍ୟାରେଣ୍ଟି ମଧ୍ୟ ନାହିଁ । ବରଂ ସେହିପରି କିଛି ସୂଚନା ଆଗରୁ ସେ ଦେଇଥିଲେ କବିତାକୁ । ସେଦିନର ଏତେ ମାନ ଅଭିମାନ ପରେ ବି ସରୋଜ ଭିତରେ ଭିତରେ ଯେ ସେହିପରି କିଛି ଗୋଟେ ଅଭିସନ୍ଧି ରଖିବାକୁ ଏଠାକୁ ଆଣିଛନ୍ତି ବିଡ଼ାନାସୀରୁ । ଗେଷ୍ଟହାଉସରେ ପାଦ ଦେଇ ସେ ବିଷୟରେ ଅଧିକ ଆତଙ୍କିତ ହୋଇପଡ଼ିଛି ସେ ।

 

କବିତା ତା’ର କର୍ତ୍ତବ୍ୟ ସମ୍ପର୍କରେ ସେ କିଛି ସ୍ଥିର କରିପାରୁ ନ ଥିଲା । ସେ ଖାଲି ଜାୟା ନୁହେଁ ଜନନୀ ମଧ୍ୟ । ଜଣେ ସ୍ୱାମୀ ଯେ ନିଜ ସ୍ତ୍ରୀର ସାନ୍ନିଧ୍ୟକୁ ଅନ୍ୟ ହାତକୁ ଅକାତରରେ ଟେକିଦେଇ ପାରେ ଏହା ଏଇ ପ୍ରଥମ ଜାଣିଲା କବିତା ।

 

ବିଭୁପଦ ସୁଯୋଗ ଖୋଜୁଥିଲା । ସରୋଜବାବୁଙ୍କୁ ଖୁସି କରିବାଲାଗି କହିଲା, ଆପଣ ସୌଭାଗ୍ୟବାନ । ଘରେ ଲେଖିକା ଥିଲେ ଜୀବନରେ ତରଙ୍ଗ ସଦାବେଳେ ଥାଏ ।

 

ସରୋଜ କହିଲେ, ଲେଖିକା ବୋଲି ତ ଜାଣେ; କିନ୍ତୁ ସତ କହୁଛି ମୋତେ ତାଙ୍କ ଲେଖା ପଢ଼ିବାକୁ ସମୟ ହୁଏ ନାହିଁ । ମୁଁ ସାହିତ୍ୟର ଧାର ଧାରେନା । ଇଞ୍ଜିନିୟରିଂର ଛାତ୍ର ମୁଁ....-

 

–ଆପଣ ଅରସିକ । ସାହିତ୍ୟ ସୂକ୍ଷ୍ମ ଚେତନଶୀଳ ମନର ଆବେଗରୁ ସୃଷ୍ଟି । କବିତା ଶୁଷ୍କ ପ୍ରାଣର ଅଭିବ୍ୟକ୍ତି ନୁହେଁ, ଭାବାବେଗର ସ୍ୱତସ୍ଫୁର୍ତ୍ତ ପ୍ରକାଶ ।

 

କହିସାରି ବିଭୁପଦ ଚାହିଁଲା କବିତା ଆଡ଼କୁ ।

କବିତା ସେତେବେଳକୁ ମୁହଁ ଫେରାଇ ନେଇଥିଲା ।

 

ବିଭୁପଦ ଏହି ସୁଯୋଗରେ କହିଲା, ପାଣ୍ଡୁଲିପି ଯେଉଁ ପ୍ରକାଶକଙ୍କୁ ଦେଇଥିଲି ସେ କାମ ସାରିଦେଲଣି ପ୍ରାୟ । ଆସନ୍ତା ମାସ କୌଣସି ଏକ ଶୁଭ ଦିନରେ ପୁସ୍ତକ ଉନ୍ମୋଚନ କରାଯିବ । ସେଦିନର ଯାହା ହବ ସବୁ ମୋର ଦାୟିତ୍ୱ ।

 

ସରୋଜ ଖୁସି ହୋଇ କହିଲେ, ମୋର ଆନନ୍ଦ ଯେ କବିତାଙ୍କ ସହିତ ମୁଁ ମଧ୍ୟ ଅମର ହୋଇଯିବି । ସେଥିପାଇଁ କଥାରେ କହନ୍ତି ବଡ଼ଲୋକ ହବ କିମ୍ବା ବଡ଼ ଲୋକ ପଛେ ପଛେ ଥିବ ।

 

କବିତାକୁ ଭଲ ଲାଗୁ ନ ଥିଲା କିଛି । ସେଦିନ କେଉଁ ଅଶୁଭ ଲଗ୍ନରେ ମୁହୂର୍ତ୍ତର ଦୁର୍ବଳତାକୁ ଏଡ଼ି ନ ପାରି ନିଜର ନାମ ଏବଂ କୃତୀକୁ ଛାପା ଅକ୍ଷରରେ ଦେଖିବା ସକାଶେ ଏତେଦୂର ଆଗେଇଲା । ଆଜି ଭାବିପାରିଲା ନାହିଁ । ଫେରିଯିବାର ଉପାୟ ନାହିଁ । ଫେରିବାର ପଥ ବନ୍ଦ ହୋଇପାରିଛି । ସେ ଯାହା ଆଶଙ୍କା କରୁଥିଲା ତାହା ହବାକୁ ଯାଉଛି । ସରୋଜ ଯେଉଁ କର୍ତ୍ତବ୍ୟ କରିପାରି ନ ଥିଲେ ବିଭୁପଦ ତାହା ଆନନ୍ଦର ସହିତ କରୁଛନ୍ତି ।

 

ମୋଟର ଲଞ୍ଚର ବ୍ୟବସ୍ଥା କରିଥିଲେ ସରୋଜ । ମହାନଦୀ କୂଳରେ ରହି ମହାନଦୀ ବକ୍ଷରେ ଜ୍ୟୋତ୍ସ୍ନା ବିହାର ନ କରି ଫେରିଯିବାର କୌଣସି ଅର୍ଥ ହୁଏନା । ଜୀବନରେ ସବୁ ସୁଯୋଗ ସବୁବେଳେ ଆସେ ନାହିଁ । କିନ୍ତୁ ଆଜିର ସୁଯୋଗକୁ ସେ ବ୍ୟର୍ଥ ହବାପାଇଁ ଦେବେ ନାହିଁ । ନିଜ ହାତରେ ନିଜର ଭାଗ୍ୟ ଯେଉଁମାନେ ତିଆରି କରନ୍ତି, ସେମାନଙ୍କୁ ସୁଯୋଗର ଉପଯୋଗ କରିବାକୁ ହୁଏ ।

 

ସନ୍ଧ୍ୟା ଆସୁ ଆସୁ ନରାଜ ସେପାଖର ପାହାଡ଼ ତଳେ ଲୁଚିରହିଲା ଯେପରି । କାଲି ପୂର୍ଣ୍ଣିମା । ସନ୍ଧ୍ୟା ହବାକ୍ଷଣି ପ୍ରାୟ ହସି ହସି ଉଠିଆସିଲେ ପୂର୍ବ ଦିଗରେ, ଜ୍ୟୋତ୍ସ୍ନା ପ୍ଲାବିତ ମହାନଦୀର ଜଳରାଶି ତରଳ ରୂପା ପରି ଚହଟି ଉଠିଲା । କୌଣସି ନାଉରୀ ନାଆ ଛାଡ଼ିଦେଇ ବଂଶୀରେ ସ୍ୱର ଦେଇଛି । ଆପଣା ମନକୁ ଭାସିଯାଉଛି ଡଙ୍ଗା । ବେଳେ ବେଳେ ସବୁ କଥା ଭୁଲି ଇମିତି ଭସେଇ ଦବାକୁ ଇଚ୍ଛା ହୁଏ ନିଜକୁ ।

 

ବିଭୁପଦ ଏବଂ ସରୋଜ ଦୁଇ ପାଖରେ ବସିଥିଲେ । ମଝିରେ ବସିଥିଲା କବିତା ।

 

ବିଭୁପଦ ଅନୁରୋଧ କଲା । ତୁମେ ଲେଖିକା । ତୁମ ପ୍ରାଣର ଦରଦ, ଅନ୍ତରର ଆକୁଳତା ଅସାଧାରଣ । ତୁମ ପ୍ରାଣର ପ୍ରବଣତା ଏଇ ନଦୀର ପ୍ରବାହ ପରି ଚିରସ୍ରୋତା । ତୁମ ମୁହଁରୁ ଶୁଣିବାକୁ ଇଚ୍ଛା ହେଉଛି...ଗୀତଟିଏ ଗାଅ…. ।

 

କବିତା କହିଲା, ମୋତେ କେବଳ ଗୀତ ଗାଇବାର ଦେଖିଛ କେହି... ।

 

ସରୋଜ କହିଲେ, ମୁଁ ଦେଖିନାହିଁ ଶୁଣିଛି । ତୁମେ ଗୁଣୁ ଗୁଣୁ ହୋଇ ସ୍ୱର ଦେବାର ମୋ କାନରେ ବାଜିଛି ।

 

କବିତା ହଠାତ୍ ସଚେତନ ହୋଇଗଲା ।

 

ଜୀବନର କେତେ ସୁରର ରାଗ ରାଗିଣୀ ହଜିଯାଏ ସେଇ ଗୁଣୁ ଗୁଣୁ ଭିତରେ କିଏ ଖବର ରଖେ ? ଯେତେବେଳେ କହିବା କଥା କହିହୁଏ ନାହିଁ ଶୁଣିବା ଲୋକର ଅଭାବରୁ, ଯେତେବେଳେ ନିଜର ବେଦନାକୁ ବ୍ୟକ୍ତ କରିହୁଏ ନାହିଁ ଦରଦୀ ହୃଦୟ ଗୋଟିଏ ପାଖରେ ନପାଇ, ସେତେବେଳେ ମଣିଷ ନିଜେ ନିଜର ଗୀତ ଶୁଣେ, ନିଜେ ନିଜକୁ ନିଜର କଥା କୁହେ । ସରୋଜଙ୍କର ଯଦି କାନ ଥାଆନ୍ତା ତାହେଲେ ସେ ଶୁଣିଥାଆନ୍ତେ ଛାତି ତଳର ସ୍ପନ୍ଦନ, ହାତ ଥିଲେ ଅନୁଭବ କରିପାରିଥାଆନ୍ତେ ଟିକେ ଗେଲ ହବା ପାଇଁ ଅଧୀର ଆକୁଳତାରେ ଅପେକ୍ଷା କରୁଥିବା ଅଧରର କମ୍ପନ... । କିନ୍ତୁ ହାୟ, ସେ କେବଳ ନିଜର ଦେହଟାକୁ ସୁଖ ଦବାପାଇଁ ତା’ ସହିତ ଖେଳନ୍ତି, ତା’ ମନର ଖବର ମହାନଦୀର ପଠା ଭିତରେ ଚକୋରୀର କ୍ରନ୍ଦନ ପରି ଅଶୁଣା ରହିଯାଏ-

 

ବିଭୁପଦ ଦବି ନ ଯାଇ କହିଲା, ମାନସିଂହଙ୍କର କୌଣସି କବିତା ଆବୃତ୍ତି କରିପାର ।

 

ଅନୁରୋଧ ସତ୍ତ୍ୱେ ନିରୁତ୍ତର ହୋଇ କବିତାକୁ ବସି ରହିବାର ଦେଖି ମନେ ମନେ କ୍ଷୁଣ୍ଣ ହେଲା ସରୋଜ । ବିଭୁପଦକୁ ଅନ୍ୟ ଦଶଜଣଙ୍କ ପରି ଜଣେ ସାଧାରଣ ଲୋକ ଭାବରେ ବିଚାର କରାଯାଇ ନ ପାରେ । ଏକ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ସେ । ତାହାରି କୃପାରୁ ବଦଳି ବନ୍ଦ ହେଲା । ତାହାରି କୃପାରୁ ଭିଜିଲାନ୍ସ ଇନ୍‍କୁଆାରି ବି ବନ୍ଦ ଅଛି । ଆଉ ତାହାରି କୃପାଦୃଷ୍ଟି ପଡ଼ୁଥିଲେ ଭବିଷ୍ୟତରେ ପଦୋନ୍ନତି ବି ଠିକ୍ ସମୟରେ ହେବ ।

 

ବଡ଼ ଲୋକ ଆକାଶରୁ ଖସନ୍ତି ନାହିଁ, ଏଇ ପୃଥିବୀରେ ତିଆରି ହୁଅନ୍ତି । ଯିଏ ଷୋହଳ କଳା ନେଇ ଜନ୍ମ ହୋଇଛି, ତା’ର ଭବିଷ୍ୟତ ଶୁକ୍ଳପକ୍ଷର ଚନ୍ଦ୍ର ପରି କ୍ରମବର୍ଦ୍ଧିଷ୍ଣୁ ।

ସରୋଜ ଟିକେ ବିରକ୍ତ ହବା ପରି କହିଲେ, ଏତେ ଅଭିମାନ କାହିଁକି ? ଏତେ ଅନୁରୋଧ କାନକୁ ଶୁଣାଯାଉ ନାହିଁ ।

କବିତା ଅବିଚଳିତ ଭାବରେ ଏକାପରି ବସିରହିଲା, କୌଣସି ପ୍ରତିକ୍ରିୟା ପ୍ରକାଶ କଲାନାହିଁ ।

ପ୍ରାୟ ରାତି ଦଶଟା ପର୍ଯ୍ୟନ୍ତ ମହାନଦୀରେ ଜ୍ୟୋତ୍ସ୍ନାବିହାର କଲେ ସେମାନେ ।

ସନ୍ଧ୍ୟାଟା ନଷ୍ଟ ହେଲା ଭାବି ରାତିଟାକୁ ଅନ୍ତତଃ ସଫଳ କରିବାପାଇଁ ଫେରିବାର ପ୍ରସ୍ତାବ କଲେ ସରୋଜ । ଦଶଟା ବାଜିଲାଣି । ଖାଇପିଇ ଶୋଇବା ବେଳକୁ ଏଗାରଟାରୁ କମ୍ ହବ ନାହିଁ ।

ନୌକା ବିହାର ଶେଷ କରି ଫେରିଆସିବା ପରେ ବିଭୁପଦର କୋଠରୀକୁ ଯାଇ କହିଲେ ସରୋଜ, ଖାଇବା ଆଗରୁ ଗୋଟେ କୋର୍ସ ଅନ୍ତତଃ ହଉ...ଖୁବ୍ ଭଲ ସ୍କଚ ଅଛି ।

ବିଭୁପଦ ମନାକଲା ନାହିଁ ।

ସ୍କଚ୍ ସହିତ ସୋଡ଼ା ମିଶାଇ ଗୋଟିଏ ଗ୍ଲାସ୍ ବିଭୁପଦ ହାତକୁ ବଢ଼ାଇ କହିଲେ ସରୋଜ, ଚିଅର୍‌ସ୍‌..

ଚିଅର୍ସ....ପ୍ରତ୍ୟୁତ୍ତର ଦେଲା ବିଭୁପଦ ।

ଚିଜ୍ ରୋଲରୁ ଗୋଟିଏ ପାଟିରେ ପୂରେଇ କହିଲା ବିଭୁପଦ...ଆପଣଙ୍କର ପସନ୍ଦ ଅଛି-

ସରୋଜ ଫୁଲିଉଠିଲା ଗର୍ବରେ ।

ଗ୍ଲାସ୍ ପରେ ଗ୍ଲାସ୍ ସରିବାକୁ ଲାଗିଲା ।

କାନ୍ଥ ଘଡ଼ିରେ ଏଗାରଟା ବାଜିବା ଶବ୍ଦ ଶୁଣି କହିଲା ବିଭୁପଦ...କବିତା କ୍ଲାନ୍ତ ଦିଶୁଥିଲେ...ଆଉ ବିଳମ୍ବ କରିବା ଅନ୍ୟାୟ ହବ ।

ସରୋଜ ବେହେରାକୁ ବାଢ଼ିବାକୁ କହି ଶେଷ ଗ୍ଲାସରେ ମୁହଁ ଲଗାଇଲା ।

ଦେହ ଭିତରଟା ଜଳୁଛି । ମନ ବି ଜଳୁଚି । ଏକା ନୁହେଁ ସାଙ୍ଗ ହବାଲାଗି କିଏ ବାଧ୍ୟ କରୁଛି ଭିତରୁ । ଆଉ ରୋକି ପାରୁନି ନିଜକୁ । ସରୋଜ ନିଜପାଇଁ ବ୍ୟବସ୍ଥା କରି ରଖିଛି । ସୁନନ୍ଦା ଗେଷ୍ଟ୍ ହାଉସର ଅନତିଦୂରରେ ନୂଆହୋଇ ଖୋଲିଥିବା ହୋଟେଲ ପ୍ରିୟତମାରେ ପ୍ରତୀକ୍ଷା କରୁଥିବ । ସେ ଗଲାକ୍ଷଣି ତାହାରି କୋଳରେ ସମର୍ପିଦବ ନିଜକୁ । ଆଉ କବିତାକୁ ନେଇ ମଉଜ କରନ୍ତୁ ବିଭୁପଦ । ଦେହଟାକୁ ଛୁଇଁଦେଲେ ମାରା ହୋଇଯାଏ ନାହିଁ । କିଛି ବିନାମୂଲ୍ୟରେ ମିଳେ ନାହିଁ ଯେତେବେଳେ, କ୍ୟାରିଅର ବି କିଛି ନ ଥାଇ ଗଢ଼ି ହୁଏନି । ଡିନର୍ ଖାଇସାରିବାବେଳକୁ ରାତି ବାରଟା ।

ସରୋଜ ଏବଂ କବିତାର କୋଠରୀ ସହିତ ସଂଲଗ୍ନ କୋଠରୀଟି ବିଭୁପଦର ମଝିରେ ଦରଜା । ପାଖରେ ଜାଣିଶୁଣି ବିଭୁପଦ ପାଇଁ ବ୍ୟବସ୍ଥା କରିଛନ୍ତି ସରୋଜ । ସେ ଚାଲିଗଲା ପରେ ଦରଜା ଖୋଲି ନିଃସଂକୋଚରେ କବିତାର କୋଠରୀ ଭିତରକୁ ପ୍ରବେଶ କରିପାରିବେ ସେ ।

ଶୁଭରାତ୍ରି ଜଣାଇ ନିଜ ନିଜର କୋଠରୀ ଭିତରକୁ ଗଲେ ସମସ୍ତେ । କିଛି ସମୟପରେ ପୂର୍ବ ବ୍ୟବସ୍ଥା ଅନୁସାରେ ପତ୍ରବାହକ ଆସି ଉଠେଇଦେଲା ସରୋଜବାବୁଙ୍କୁ । କବିତା ବିରକ୍ତ ହୋଇ କହିଲା, ତମେ ପରା ଛୁଟିନେଇ ଆସିଛ...ଏତେ ରାତିରେ ପୁଣି କାହାର ଦରକାର ହେଲା ?

ସରୋଜ ନ ଜାଣିବାପରି କହିଲେ, କଅଣ ଜରୁରୀ କାମ ପଡ଼ିଲା କେଜାଣି... ।

ପତ୍ରବାହକ ହାତରୁ ବାର୍ତ୍ତାଟି ନେଇ ଏକାନିଃଶ୍ୱାସରେ ପଢ଼ିସାରି ଅବାକ୍ ହବା ପରି କହିଲେ ସରୋଜ, ଘଣ୍ଟାକୁ ଅଶୀ କିଲୋମିଟର ବେଗରେ ତୋଫାନ ହବାର ସମ୍ଭାବନା । ବେଗ ଆହୁରି ବଢ଼ିବାର ବି ସମ୍ଭାବନା ଅଛି । କୁଜଙ୍ଗ ପାରାଦ୍ୱୀପ ଅଞ୍ଚଳରେ ବିପଦ ସମ୍ଭାବନା ଥିବାର ମୋତେ ଏହିକ୍ଷଣି ସେଠାକୁ ଯିବାକୁ ନିର୍ଦ୍ଦେଶ ଆସିଛି ।

ମୁଁ ବି ବାହାରୁଛି ତା’ ହେଲେ....ନିରୁଦ୍‌ବେଗ କଣ୍ଠରେ କହିଲା କବିତା ।

ନା, ନା...ମୁଁ ଚାଲିଗଲି ବୋଲି ତୁମେ ଚାଲିଯିବାଟା ସୁନ୍ଦର ହବନି । ଯେତେହେଲେ ବିଭୁପଦ ବାବୁ ଆମର ଅତିଥି... ।

କବିତା ପ୍ରତିବାଦ କରି କହିଲା, ମୁଁ ଏକା ଏଠାରେ ରହିବି ନାହିଁ... ।

ସରୋଜ ଧମକ୍ ଦେବା ଭଳି କହିଲେ, ସବୁବେଳେ ମୁଁ ତୁମର ଚୌକିଦାର ହୋଇ ରହିବି ବୋଲି ଗ୍ୟାରେଣ୍ଟି ଦେଇନାହିଁ । ମୋ କଥା ମାନ, ମୁଁ ଯାହା କହୁଛି ଶୁଣ । ସେ ଆମର ଅତିଥି । ସେ ଆମର ଉପକାରୀ । ଆମେ ତାଙ୍କୁ ଏକା ଛାଡ଼ି ଚାଲିଯିବା... ।

କବିତା ସ୍ୱାମୀର ମୁହଁ ଦେଖି ସ୍ତବ୍‌ଧ ହୋଇଗଲା । ସେହି ମୁହଁରେ ପୌରୁଷତ୍ୱର ଆଲୋକ ଅପେକ୍ଷା କାପୁରୁଷତାର କାଳିମା ଥିଲା ଅଧିକ ।

ସରୋଜ ଚାଲିଗଲେ । ଆଖିରେ ଦୁଇବିନ୍ଦୁ ଲୁହ ନେଇ କିଛି ସମୟ ସେଇ ଯିବା ପଥକୁ ଚାହିଁ ରହିଲା କବିତା ।

ରାତି ଅନେକ ହେଲାଣି । କବାଟ ବନ୍ଦ କରି ବିଛଣା ଉପରକୁ ଫେରିଆସି ଦୀର୍ଘଶ୍ୱାସଟିଏ ଛାଡ଼ିଲା କବିତା ।

ଶୋଇବାକୁ ଯାଇ ପୁଣି ଉଠି ବସିଲା ବିଛଣା ଉପରେ । ବିଶ୍ୱାସ ତୁଟି ଯାଉଛି । ନିଜ ଉପରେ ବି ବିଶ୍ୱାସ ରହୁନାହିଁ । ଦୁଇ କୋଠରୀ ମଝିରେ ଯେଉଁ ରାସ୍ତା ବନ୍ଦ ଅଛି ତାହା ଖୋଲା କି ବନ୍ଦ ଜାଣିବା ସମ୍ଭବ ନ ଥିଲା । ସେ ପାଖରେ ଅଛି ବିଭୁପଦ । ତା’ର ଆଖିର ଚାହାଣୀରେ, କଥାର ଚଟୁଳତାରେ ସେଇ ଉଦଗ୍ର କାମନା । କେଉଁ ଅଶୁଭ ମୁହୂର୍ତ୍ତରେ ତା’ ସହିତ ଦେଖାହୋଇଥିଲା କେଜାଣି, ଧୂମକେତୁ ପରି ସେ ମାଡ଼ି ବସିଛି ଜୀବନାକାଶ ।

ବନ୍ଦଥିବା କବାଟ ପାଖକୁ ଯାଇ କାନ ପାରିଲା କବିତା । ସେ ପାଖରେ ବିଶ୍ୱାସହୀନ ପୃଥିବୀ କଡ଼ ଲେଉଟାଉଥିଲା । ସ୍ୱର ଶବ୍ଦ କିଛି ଶୁଭୁନି । ବିଭୁପଦ ଶୋଇଗଲାଣି ବୋଧହୁଏ । ନିଜ ବିଛଣା ଉପରକୁ ଫେରିଆସିଲା । ତଥାପି ଛାତି ତଳର ସ୍ପନ୍ଦନ କମୁ ନ ଥାଏ, ଉଦବେଗ ଯାଉ ନ ଥାଏ ମନରୁ ।

ଶୋଇବାକୁ ଚେଷ୍ଟା କରି ବି ଶୋଇପାରିଲା ନାହିଁ କବିତା । ଆଖିର ନିଦ ନାହିଁ । ସରୋଜ ଏପରି ନିଷ୍ଠୁର ହୋଇପାରନ୍ତି ଏହା ମଧ୍ୟ କଳ୍ପନା କରି ନ ଥିଲା ସେ । ସ୍ୱାମୀ ବୋଲି ତାଙ୍କର ହାତ ଧରିବା ଦିନୁ ତାଙ୍କୁ ନିଜର ରକ୍ଷକ ଭାବିଆସିଛି । ତାଙ୍କରି ଇଚ୍ଛାକୁ ନିଜର ଇଚ୍ଛା ବୋଲି ଗ୍ରହଣ କରିନେଇଛି ପ୍ରତିବାଦ ନ କରି । ତାଙ୍କରି ସୁଖ ପାଇଁ ନିଜକୁ ତିଳ ତିଳ ଆହୂତି ଦେଉଛି ପ୍ରତି ମୁହୂର୍ତ୍ତରେ ।

ନିଜକୁ ଦୋଷଦିଏ କବିତା । କାହିଁକି ବିଭୁପଦର କଥାର ଚାତୁରୀରେ ଭସେଇ ଦେଲା ନିଜକୁ । କାହିଁକି ଆକର୍ଷଣ କଲାଭଳି କଥା କହିଲା ସେ । କଲେଜ ଜୀବନରେ କେତେ ଲୋକଙ୍କ ସହିତ ବନ୍ଧୁତ୍ୱ ହୁଏ; କିନ୍ତୁ କେହି ସ୍ୱାମୀ ହୁଅନ୍ତି ନାହିଁ-ବନ୍ଧୁ ହୋଇ ରହନ୍ତି । ବନ୍ଧୁର ମର୍ଯ୍ୟାଦା ଏବଂ ସ୍ୱାମୀର ଐଶ୍ୱର୍ଯ୍ୟ ଭିତରେ ଯେଉଁ ପାର୍ଥକ୍ୟ ବିଦ୍ୟମାନ ତାହା ଦିବାନିଶି ପରି ସ୍ପଷ୍ଟ । ବନ୍ଧୁତ୍ୱର ସୀମା ପାର ହୋଇ ସ୍ୱାମୀର ସିଂହାସନକୁ ଯିବାକୁ ହୁଏ । ସେଠାରେ ସଦା ଆଲୋକ, ସଦା ସଙ୍ଗୀତର ସମାରୋହ ଏବଂ ସ୍ରୋତସ୍ୱିନୀର ପ୍ରବାହ ।

କେତେବେଳେ ଆଖିକୁ ନିଦ ଲାଗିଆସିଲା ଜାଣିପାରିଲା ନାହିଁ କବିତା ।

କେତେ ରାତି ହୋଇଥିବ କେଜାଣି । ରାତିର ନିର୍ଜନତା ସର୍ବାଙ୍ଗକୁ ନିଥର କରି ନ ଦେଇ ଚଞ୍ଚଳ କରେ ବୋଲି ନା କଅଣ ବାରମ୍ବାର କଡ଼ ଲେଉଟାଇବାକୁ ହୁଏ, ହାତ ଦୁଇଟି ପ୍ରସାରିତ ହୋଇଯାଏ ଆଉ କାହାର ସନ୍ଧାନରେ, ଅଧର କମ୍ପିଉଠେ ଦଂଶନ କରିବାପାଇଁ ।

ହଠାତ୍ ବିସ୍ଫୋରଣ ଘଟିଲା ଯେପରି । କବିତା ପ୍ରଥମେ କିଛି ବୁଝି ପାରିଲା ନାହିଁ । କିନ୍ତୁ କେଇ ମୁହୂର୍ତ୍ତ ପରେ ସେ ଯେଉଁ ଅନୁଭବ ପାଇଲା, ତାହା ଯେ ଅପରିଚିତ ଏଥିରେ ନିଃସନ୍ଦେହ ହୋଇ ଚିତ୍କାର କରି ଉଠିବା ବେଳକୁ ତା’ ମୁହଁରେ ହାତ ଜାକି ତାକୁ ନିଜ ଦେହ ସହିତ ମିଶାଇ ଦେଇ କହିଲା ବିଭୁପଦ....ଚୁପ୍ ଚୁପ୍...ଭୟ କ’ଣ ? ମୁଁ ଆସିଛି କବିତା...ମୁଁ ।

ସକାଳେ କିନ୍ତୁ ଫେରିଆସିଲେ ସରୋଜ ।

ବିଭୁପଦ ତାଙ୍କୁ ଦେଖି କହିଲା, କାଲି ଟେଲିଫୋନ୍‌ରେ କଥା ସରିଯାଇଛି । ପ୍ରମୋସନ ପରେ ଆପଣ ଯେପରି ବଦଳି ନ ହୋଇ ଆମ ଅଞ୍ଚଳରେ ରହନ୍ତି ତାହା ବି କହିଛି ।

ସରୋଜ ଏହି ଖବରଟା କବିତାକୁ ଜଣେଇବାକୁ ଉତ୍କଣ୍ଠିତ ହୋଇଉଠିଲେ ।

କିନ୍ତୁ ଏପର୍ଯ୍ୟନ୍ତ ଉଠି ନ ଥିଲା କବିତା । ଦରଜା ବନ୍ଦ ଥିଲା ଭିତରୁ ।

ବିଭୁପଦ ଚା ଆଣିବାକୁ କହିଲା ।

ସରୋଜ ତା’ ପାଖରେ ବସିପଡ଼ି କହିଲେ, ତା’ପରେ ସମୟ କିମିତି କଟିଲା କୁହନ୍ତୁ...ବେଶ୍ ଭଲ ଲାଗିଲା ତ ?

ବିଭୁପଦ ଓଠରେ ହସ ଖେଳାଇ କହିଲା, ଇମିତି ପରିବେଶରେ ରହିଲେ ଦୁଇବର୍ଷ ଧରି ଦିନକୁ ଷୋହଳ ଘଣ୍ଟା କରି ମଧ୍ୟ କଳନ୍ତ ଲାଗିବ ନାହିଁ । ଏଠାରେ ଆକାଶ ବତାସ ସର୍ବତ୍ର ପ୍ରେରଣାର ଉତ୍ସ ।

ସରୋଜକୁ ସଙ୍କୋଚ ଲାଗୁଥିଲା କବିତା ସମ୍ପର୍କରେ ପଚାରିବା ପାଇଁ ।

କିନ୍ତୁ ବିଭୁପଦ ଭିନ୍ନ ଧାତୁର ମଣିଷ । ସେ କହିଲା, କବିତା କିନ୍ତୁ ବେଶି ଏନ୍‌ଜୟ କରିପାରି ନାହାନ୍ତି । ଆପଣ ଚାଲିଯିବା ପରେ ତାଙ୍କର ପ୍ରଫୁଲ୍ଲତା ଆଉ ଫେରିଆସିଲା ନାହିଁ ।

କିନ୍ତୁ ମୁଁ ତ କାମରେ ଯାଇଥିଲି– ।

ସ୍ତ୍ରୀଲୋକମାନେ ବଡ଼ ଭାବପ୍ରବଣ ସରୋଜବାବୁ । ସ୍ୱାମୀକୁ ପାଖରେ ପାଇଲେ ସେମାନେ ପଞ୍ଚମୁଖ-କିନ୍ତୁ ମୁଁ ନ ଥିଲେ ବି ସେ ନିର୍ଜନ ଦ୍ୱୀପରେ ରହୁ ନ ଥିଲେ ନିଶ୍ଚୟ । ଉଦ୍‌ବିଗ୍ନ ହୋଇ କହିଲେ ସରୋଜ । ମନରେ ଖଟକା ଲାଗିଲା ତାଙ୍କର । ବିଭୁପଦ ଖୁସି ହୋଇଛି କି ଭଦ୍ରତା ରକ୍ଷାକରି ଉପରେ ପ୍ରଶଂସା କରୁଛି, ଏହା ଜାଣିବାର ଅବକାଶ ନ ଥିଲା ତାଙ୍କର । ତଥାପି କହିଲେ ସେ, ସକାଳୁ ଉଠିବାର ଅଭ୍ୟାସ ତାଙ୍କର । ଆଠଟା ବାଜିଗଲାଣି... ।

ବିଭୁପଦ ବ୍ୟସ୍ତହୋଇ କହିଲା, କାଲି ଅବଶ୍ୟ ଅନେକ ଡେରିରେ ଶୋଇଥିଲେ... ।

ସରୋଜ ବ୍ୟସ୍ତ ହୋଇପଡ଼ିଲେ । ସକାଳୁ ଉଠିବା କବିତାର ଅଭ୍ୟାସ ସୂର୍ଯ୍ୟୋଦୟ ନ ଦେଖିଲେ ମେଜାଜ୍ ଠିକ୍ ରହେ ନାହିଁ । ଆଜି ସୂର୍ଯ୍ୟୋଦୟ ସେ କେବଳ ଦେଖିପାରିଲା ନାହିଁ । ଅପର୍ଯ୍ୟାପ୍ତ ସୂର୍ଯ୍ୟାଲୋକରେ ସମଗ୍ର ଗେଷ୍ଟ ହାଉସ ଉଦ୍‌ଭାସିତ ହେଉଥିଲେ ମଧ୍ୟ ତାହା କବିତାର ନିଦ ଭାଙ୍ଗିବାପାଇଁ ଯଥେଷ୍ଟ ନୁହେଁ ।

କବିତାର ଦେହ ଖରାପ ହୋଇନାହିଁ ତ ? ମନକୁ ମନ ପ୍ରଶ୍ନକଲେ ସରୋଜ ।

 

ବିଭୁପଦ ପରିହାସ କରି କହିଲା, ଆପଣଙ୍କୁ ଦେଖି ମୋତେ ଲାଗୁଛି ଯେ, ଆପଣ ତାଙ୍କୁ ଦେଖିବା ଲାଗି ଉତ୍କଣ୍ଠିତ ହୋଇ ଉଠିଛନ୍ତି । ମାତ୍ର ରାତିକର ବ୍ୟବଧାନ ସହ୍ୟ କରି ନ ପାରି ଆପଣ ବ୍ୟସ୍ତ ହୋଇ ଉଠିଛନ୍ତି ।

 

ବିଭୁପଦର କଥା କାନରେ ପଡ଼ି ବି ପଡ଼ୁ ନ ଥିଲା ।

ସରୋଜ ଝରକା ଦରଜାରେ ଖଟ୍‌ଖଟ୍‌ କଲେ; କିନ୍ତୁ କୌଣସି ପ୍ରତ୍ୟୁତ୍ତର ମିଳିଲା ନାହିଁ ।

ଖଟ୍‌କା ଲାଗିଲା ମନରେ ।

 

ଝରକା ପାଖକୁ ଯାଇ ପର୍ଦ୍ଦା ଠେଲି ଭିତରକୁ ଚାହିଁଦେଇ ବିଛଣାରେ କାହାକୁ ନଦେଖି ଚାରିଆଡ଼କୁ ଅନାଇଲେ ସେ ।

 

ହଠାତ୍ ତାଙ୍କର ଶଙ୍କିତ ଦୃଷ୍ଟି ଗୋଟିଏ ଜାଗାରେ ସ୍ଥିରହୋଇ ରହିଗଲା । ସେ ଆତଙ୍କରେ ଚିତ୍‌କାର କରି ଉଠିଲେ-ଏ କଅଣ କଲ କବିତା ।

 

ବିଭୁପଦ ଦଉଡ଼ି ଯାଇ ତାଙ୍କୁ ଧରିପକେଇ ନ ଥିଲେ ସରୋଜ ହୁଏତ ପଡ଼ିଯାଇଥାଆନ୍ତେ ତଳେ । ତାଙ୍କୁ ଛାତି ଉପରକୁ ଆଉଜାଇ ଆଣି କହିଲା ବିଭୁପଦ, କଅଣ ହେଲା-ଏତେ ବ୍ୟସ୍ତ କାହିଁକି ?

 

ସରୋଜ ଭୋ ଭୋ କରି କାନ୍ଦିଉଠି କହିଲେ-କବିତା ଆତ୍ମହତ୍ୟା କରିଛି ବିଭୁବାବୁ... ସିଲିଂ ପ୍ୟାନ୍‌ରୁ ଝୁଲିପଡ଼ି ଶେଷ କରିଦେଇଛି ନିଜକୁ ।

 

ବିଭୁପଦ ସ୍ତବ୍‌ଧ ହୋଇ ରହିଗଲା ମୁହୂର୍ତ୍ତେ । ତା’ପରେ ସେ ଚୁପ୍ ଚୁପ୍ କହିଲା ସରୋଜବାବୁଙ୍କୁ–ଏ କାନ୍ଦିବାର ବେଳ ନୁହେଁ ସରୋଜବାବୁ । ଯିଏ ଗଲା ସେ ଆଉ ଫେରିବ ନାହିଁ, ଯାହା ଅଛି ତାକୁ ଆଉ ଭସେଇ ଦିଅନ୍ତୁ ନାହିଁ... । ଧୈର୍ଯ୍ୟ ଧରନ୍ତୁ... ମୁଁ ସବୁ ବ୍ୟବସ୍ଥା କରୁଛି ।

 

ସବୁ ବ୍ୟବସ୍ଥା କଲା ବିଭୁପଦ ।

ମୂକ ହୋଇଯାଇଥିଲେ ସରୋଜ ।

ଶ୍ମଶାନରୁ ଫେରିବାବେଳକୁ ସନ୍ଧ୍ୟା ଆରତିର ଘଣ୍ଟା ଧ୍ୱନି ଶୁଣାଯାଉଥିଲା ମନ୍ଦିରରୁ ।

 

ବିଡ଼ାନାସୀର ଖିଏ ଆଲୋକ ନେପଥ୍ୟରେ ପଳେଇ ଯାଇ ପଡ଼ିଥିଲା ମହାନଦୀର ବୁକୁରେ ।

 

ବିଭୁପଦ ସାନ୍ତ୍ୱନା ଦେଇ କହିଲା, କବିତା ମରି ନାହିଁ ସରୋଜବାବୁ... ସେ ଏଇ ଚିରନ୍ତନ ଜୀବନ ପ୍ରବାହ ହୋଇ ମିଶିଯାଇଛି ଏଇ ଆଲୋକରେ; ଆଉ ଶୋକ କରିବା ଉଚିତ ନୁହେଁ ।

 

କବିତା ଦେବୀଙ୍କର ଗଳ୍ପ ସଂକଳନ....ଠିକ୍ ତାଙ୍କର ଏଗାର ଦିନରେ ଉନ୍ମୋଚିତ ହେବ ।

ସରୋଜ ଚାହିଁ ରହିଲେ ଶୂନ୍ୟକୁ ।

 

ବିଭୁପଦର ସବୁ ଉଦ୍ୟମ ସତ୍ତ୍ୱେ କବିତାର ଅକସ୍ମାତ୍ ମୃତ୍ୟୁ ନାନା ରୂପରେ ପ୍ରକାଶ ପାଇଲା ସମ୍ବାଦପତ୍ରରେ । ପୃଥିବୀରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଜନ୍ମ ହୁଅନ୍ତି ଯେପରି ମରନ୍ତି ବି ସେହିପରି । ମୃତ୍ୟୁ ସ୍ୱାଭାବିକ ହେଉ ବା ଅସ୍ୱାଭାବିକ ହେଉ ତାହା ଆଉ ଜୀବନ ନୁହେଁ ।

 

ଏତେ ଯତ୍ନ ସତ୍ତ୍ୱେ ଦୈନିକ ସକାଳରେ ପ୍ରଥମେ କବିତାର ମୃତ୍ୟୁ ସମ୍ବାଦ ପ୍ରକାଶିତ ହେଲା । ଗେଷ୍ଟହାଉସରେ ରହିବା ସମୟରେ କବିତାର ରହସ୍ୟଜନକ ମୃତ୍ୟୁ ସମ୍ପର୍କରେ ଅବତାରଣା କରି ବିଶେଷ ଅନୁସନ୍ଧାନ କଲେ ସେହି ରହସ୍ୟୋଦ୍‌ଘାଟନ ହବାର ସମ୍ଭାବନା ଥିବାର ସୂଚନା ବି ଦେଇଥିଲେ ସାମ୍ବାଦିକ । ବିଭୁପଦ ଅର୍ଥ ଏବଂ ପ୍ରତିପତ୍ତି ବଳରେ ସବୁ ପ୍ରମାଣ ଯେପରି ନଷ୍ଟ କରିଦେଇଥିଲା, ଗେଷ୍ଟହାଉସ୍‌ରେ କର୍ମ କରୁଥିବା କର୍ମଚାରୀମାନଙ୍କୁ ବି ଉତ୍କୋଚ ଦେଇ ଏବଂ ଚାକିରି ଯିବାର ଭୟ ଦେଖାଇ ବଶୀଭୂତ କରିନେଇଥିଲା । ତଥାପି ଯେ ଏହି ଖବର କିପରି ପ୍ରକାଶ ପାଇଲା ଏବଂ ଏହା ପଛରେ କାହାର ସନ୍ଧାନୀ ଶକ୍ତି କାର୍ଯ୍ୟ କରୁଛି, ତାହା କଳନାକରି ନ ପାରି ସେ ଚିନ୍ତିତ ହୋଇପଡ଼ିଲା । ସେ ନିଶ୍ଚିତ ଭାବରେ ଜାଣିଥଲା ଯେ ଦୁଇ ତିନିମାସ ଅତିବାହିତ ହୋଇଯିବାପରେ ଏହି ଖବର ପୁରୁଣା ହୋଇଯିବ ଏବଂ ସମସ୍ତେ ଭୁଲିଯିବେ ଏହି ଘଟଣାକୁ । କିନ୍ତୁ ପ୍ରତିପକ୍ଷ ଯେପରି ସନ୍ଧାନୀ ଯଦି କେହି ଆହୁରି ଭିତରକୁ ଯାଇ ସରୋଜ ନ ଥିବା ସମୟରେ ଏବଂ ସେ ରହୁଥିବା ସମୟରେ କବିତାର ରହସ୍ୟଜନକ ମୃତ୍ୟୁ ହୋଇଥିବାର ସୂଚନା ପ୍ରକାଶ କରିଦିଏ, ତା’ ହେଲେ ତା’ର ରାଜନୈତିକ ଜୀବନର ସବୁ ସମ୍ଭାବନା ଏହିଠାରେ ଶେଷ ହୋଇଯିବ । ଉଠିପଡ଼ି ଲାଗିଲା ବିଭୁପଦ । ବଡ଼ ଛୋଟ ସମସ୍ତଙ୍କୁ ଅକ୍ତିଆର କରିନବାପାଇଁ ପ୍ରଚେଷ୍ଟା ବାକି ରହିଲା ନାହିଁ । କିନ୍ତୁ ତଥାପି କବିତାର ଏକାଦଶାହ ଦିନ ସାମାଜିକ କ୍ରିୟା ଶେଷ ହବା ପରେ ପୁସ୍ତକ ଉନ୍ମୋଚନ କରିବାକୁ ସାଂସ୍କୃତିକ ବିଭାଗ ମନ୍ତ୍ରୀ ମହୋଦୟଙ୍କୁ ନିମନ୍ତ୍ରଣ ହୋଇଥିଲା । ଆଜି ଏକାଦଶାହ କବିତାର । ତା’ର ଗଳ୍ପବହି ଆଜି ଉନ୍ମୋଚିତ ହବାର କଥା; କିନ୍ତୁ ମନ୍ତ୍ରୀ ଆସି ନ ପାରି ଏକ ବାର୍ତ୍ତା ପଠାଇବାରୁ ମନେ ମନେ ଶଙ୍କିତ ହୋଇଉଠିଲା ବିଭୁପଦ । ଅପରିହାର୍ଯ୍ୟ କାରଣରୁ ମନ୍ତ୍ରୀଙ୍କ ଅନୁପସ୍ଥିତି ଘୋଷିତ ହବାପରେ ସ୍ୱନାମଧନ୍ୟ ବୟୋଜ୍ୟେଷ୍ଠ ଔପନ୍ୟାସିକ ଶ୍ରୀକାନ୍ତ ମହାନ୍ତିଙ୍କଦ୍ୱାରା କବିତାର ପ୍ରଥମ ପୁସ୍ତକ ଉନ୍ମୋଚିତ କରାଇ ମୁଖ୍ୟ ଅତିଥିଙ୍କୁ ଧନ୍ୟବାଦ ଦବାବେଳେ ଭାବପ୍ରବଣ ହୋଇ ବିଭୁପଦ ଯେପରି ଶିଶୁପରି କାନ୍ଦିବାକୁ ଲାଗିଲା ତାହା ଦେଖି ଉପସ୍ଥିତ ସମସ୍ତ ବ୍ୟକ୍ତି ତାର ଅସାମାନ୍ୟ ଉଦାରତା ଏବଂ ସ୍ନେହ ଏବଂ ପରୋପକାରିତା ସମ୍ପର୍କରେ ପ୍ରଶଂସା ସୂଚକ ମନ୍ତବ୍ୟ କଲେ ।

 

ଏ ଦେଶର ଲୋକମାନଙ୍କର ସବୁ କଥାରେ ଅଯଥା ସନ୍ଦେହ ଏବଂ ସବୁ କଥା ଜାଣିବାର ଆଗ୍ରହାତିଶଯ୍ୟକୁ ଆଦୌ ପସନ୍ଦ କରେନାହିଁ ବିଭୁପଦ । ସେ ମନେକରେ ଯେ ଲୋକ ଅକର୍ମା ହେଲେ ବୋଧହୁଏ ଅନ୍ୟର ସୌଭାଗ୍ୟ ବା ଦୁର୍ଭାଗ୍ୟ ସମ୍ପର୍କରେ ଏଡ଼େ ଅନିସନ୍ଧିତ୍ସୁ ହୁଏ । ନିଜ ସମୟର ସଫଳ ବିନିଯୋଗ ନ କରି ଅନ୍ୟର ସମୟ ଓ ସୁବିଧାର ଦୁରୂପଯୋଗର କାରଣ ଅନୁସନ୍ଧାନ କରିବାକୁ ଯାଏ । ଛିଦ୍ରାନ୍ୱେଷୀ ମଣିଷକୁ ଭୟକରେ ବିଭୁପଦ । ସେଥିପାଇଁ ସେ ଯେଉଁଠାକୁ ଯାଏ ବା ଯାହା ସହିତ ସାକ୍ଷାତ୍‍ ହୁଏ, କଥା ପ୍ରସଙ୍ଗରେ କବିତାର କଥା ନିଜଆଡ଼ୁ ଉତ୍‌ଥାପନ କରି କୁହେ, ଏପରି ମହିୟସୀ ମହିଳା କମ୍ ଅଛନ୍ତି ଦେଶରେ; କିନ୍ତୁ ଯାହାନାହିଁ, ଯାହା ଅତୀତ ହୋଇଯାଇଛି, ତା’ର ଗୁଣଗାନ କରାଯାଇପାରେ ସିନା, ଆଉ ଅଧିକ କିଛି କରିବା ମଣିଷର ବୁଦ୍ଧିର ବାହାରେ । ମୃତ୍ୟୁକୁ କେହି ଦେଖିନାହିଁ । ସେଥିପାଇଁ ମୃତ୍ୟୁ ରହସ୍ୟ ହୋଇ ରହିଛି-। ପୃଥିବୀରେ ଏତେ ରହସ୍ୟର ଉଦ୍‌ଘାଟନ ହୋଇପାରୁ ନ ଥିବା ସମୟରେ କବିତାର ଜୀବନ ‘ବୃତ୍ତାନ୍ତ’ ରହସ୍ୟାବୃତ୍ତ କି ଖୋଲାବହି ପରି ପ୍ରକାଶିତ ସେ ସମ୍ପର୍କରେ ତର୍କ କରାଯାଇପାରେ; କିନ୍ତୁ ତାହା ଯେ ନିରର୍ଥକ ଏହା ଯେ କୌଣସି ବ୍ୟକ୍ତି ସ୍ୱୀକାର କରିବ ।

 

ଅନେକ ସମ୍ମତ ହୁଅନ୍ତି ତା’ ସହିତ ।

 

କେହି କେହି ଅଧିକ ଜାଣିବାପାଇଁ ପଚାରନ୍ତି, ହଠାତ୍ କିପରି ହୃଦ୍‌ଯନ୍ତ୍ର କ୍ରିୟା ବନ୍ଦ ହୋଇଗଲା ତାହାହିଁ ରହସ୍ୟ ହୋଇ ରହିଯାଇଛି । ସେଇ ରହସ୍ୟୋଦ୍‌ଘାଟନ ପାଇଁ କାହାରି ଶକ୍ତି ବା ସମୟ ନାହିଁ ।

 

ବିଭୁପଦ ସମସ୍ତଙ୍କୁ ବୁଝାଏ । ଜୀବନ ଏପରି ଅନିଶ୍ଚିତ ଯେ କେତେବେଳେ କାହାର ଜୀବନ ଚାଲିଯିବ କେହି କହିପାରିବ ନାହିଁ । ମଣିଷ ମାନଙ୍କର ସଂଖ୍ୟା ବଢ଼ିବା ପରି ରୋଗମାନଙ୍କର ବି ସଂଖ୍ୟା ବଢ଼ୁଛି । ଅପଘାତ ମୃତ୍ୟୁ ବି କମ୍ ହେଉ ନାହିଁ । ଏଭଳି ପରିସ୍ଥିତିରେ ମରିବାଟ ରହସ୍ୟ ନୁହେଁ ବଞ୍ଚିରହିବାହିଁ ରହସ୍ୟ ।

 

ଲୋକମାନେ ଗ୍ରହଣ କରିନିଅନ୍ତି । ଯିଏ ଗ୍ରହଣ ନକରେ, ସେ ପ୍ରଶ୍ନକରେ; କିନ୍ତୁ ସେହି ପ୍ରଶ୍ନର ଉତ୍ତର ଆଉ କେହି ଦିଏ ନାହିଁ, ଦବାର ପ୍ରୟୋଜନ ନାହିଁ । ଆଇନ ତାର ବାଟ ଧରିବ ବୋଲି କୁହାଯାଏ । କିନ୍ତୁ ବିଭୁପଦ ଜାଣେ ଯେ ଆଇନର ବାଟକୁ ମନଇଚ୍ଛା ବଦଳାଇ ହୁଏ । ଯିଏ କ୍ଷମତାର ଅଧିକାରୀ ବା ଅଧିକାରୀମାନଙ୍କ ସହିତ ଯାହାର ନିବିଡ଼ ଯୋଗାଯୋଗ ଅଛି ଏବଂ ଅର୍ଥବଳ ଯାହାର କରାୟତ୍ତ, ତା’ ପାଇଁ ପରିସ୍ଥିତିକୁ ଚାହିଁ ଆଇନର ପ୍ରୟୋଗ ହୁଏ ବା ହୁଏ ନାହିଁ । ଆଇନ ସାଧାରଣଙ୍କ ପାଇଁ, ଅସାଧାରଣଙ୍କ ପାଇଁ ନୁହେଁ ।

 

ସେ ଉପରକୁ ଉଠିବାକୁ ଚାହେଁ । ଉତ୍ତରାଧିକାରୀ ସୂତ୍ରରେ କେବଳ ପୈତୃକ ସମ୍ପତ୍ତି ଭୋଗ ଦଖଲ କରାଯାଏ ନାହିଁ, ରାଜନୈତିକ କ୍ଷମତା ମଧ୍ୟ ହାସଲ କରିହୁଏ, ହରିପଦ ଅଧିକାରୀ ଯେଉଁଠାରୁ ଛାଡ଼ିଲେ ବିଭୁପଦ ସେହିଠାରୁ ଆରମ୍ଭ କରିଛି । ବାପା ଖାଲି ଏମ୍.ଏଲ୍.ଏ. ହୋଇଥିଲେ, ପୁଅ ମନ୍ତ୍ରୀ ହବ । ଯିଏ ଅନ୍ୟମାନଙ୍କୁ ପଛରେ ପକେଇ ସେମାନଙ୍କ ମୁଣ୍ଡ ଉପର ଦେଇ ଉପରକୁ ଉଠେ, ତାକୁ ପଛରୁ ଠେଲିବାପାଇଁ କିମ୍ବା ଉପରୁ ଟାଣିବାପାଇଁ ଲୋକ ଥାଆନ୍ତି । ବିଭୁପଦର ସେହି ସୁବିଧା ଅଛି, ତାକୁ ପ୍ରତିଯୋଗିତା କରିବାକୁ ପଡ଼ିବ ନାହିଁ ।

 

ବିଭୁପଦର ନିଜସ୍ୱ ଦର୍ଶନ ଅଛି, ନିଜର ମନଟିଏ ବି ଅଛି । ସେ ବଡ଼ ହବ । ତା’ର ଯିବାବାଟ ଆଉ କେହି ଅତିକ୍ରମ କରୁ ଏହା ସେ ଚାହେଁ ନାହିଁ । ନିଷ୍କଣ୍ଟକ ହବାପାଇଁ ସବୁ କଣ୍ଟା ଉପାଡ଼ିବାକୁ ହୁଏ । ଆଉ ତା’ ମନଟି ତ ମଧୁବନ । ସେଠାରେ ନିତ୍ୟ ପ୍ରତିଦିନ ବଂଶୀସ୍ୱନ ଶୁଣାଯାଏ । ସେଠାରେ ସବୁ ରାତି ମଧୁଚନ୍ଦ୍ରିକା ପାଇଁ ଉଦ୍ଦିଷ୍ଟ ।

 

ସରୋଜ ରଞ୍ଜନ କାନୁନ୍‌ଗୋ ତା’ପାଇଁ ଯାହା କରିଥିଲେ ତା’ର ପ୍ରତିଦାନ ଦେଇଛି ବିଭୁପଦ । ସେ ନିମକ ହାରାମ ନୁହେଁ । କୋଡ଼ିଏ ଜଣ ସିନିଅରଙ୍କୁ ପଛରେ ପକେଇ ସେ ପଦୋନ୍ନତି ପାଇଛି । ତା’ ନିଜଲୋକମାନେ ଗୁରୁତ୍ୱପୂର୍ଣ୍ଣ ଘାଟି ସବୁ ଦଖଲ କରି ରହିଛନ୍ତି । ଯନ୍ତ୍ର, ମନ୍ତ୍ର, ଅର୍ଥର ଯୁଗ ଇଏ । ଆଉ କାହାକୁ ପରୁଆ କରେନି ବିଭୁପଦ ।

 

ନରୋତ୍ତମକୁ ସେ ପ୍ରତିପକ୍ଷ ବୋଲି ମାନେନାହିଁ । କିନ୍ତୁ କ୍ରମଶଃ ତାହାରି ଆଡ଼ୁ ବିଘ୍ନ ସୃଷ୍ଟି କରାଯାଉଛି । ସେ ତା’ର ବାଟ ଓଗାଳି ଛିଡ଼ା ହୋଇଛି ।

 

ଚେଲା ଚାମୁଚାଙ୍କ ସଂଖ୍ୟା ବଢ଼ିଛି ଏ ଭିତରେ । ପ୍ରତ୍ୟେକ ଗ୍ରାମରେ ସେବାଦଳ ଗଢ଼ିଛି ବିଭୁପଦ ସେମାନଙ୍କ ସାହାଯ୍ୟରେ । ପ୍ରତି ଗ୍ରାମରେ କ୍ଳବ ଗଠନ କରାଯାଇଛି । ସମସ୍ତଙ୍କୁ ବାଡ଼ିଖେଳ, ଖଣ୍ଡାଖେଳ, କାରାଟେ ଶିକ୍ଷା ଦିଆଯାଇଛି । ସେମାନେ ନିଜକୁ ରକ୍ଷା କରିବାପାଇଁ ଯେପରି ସମର୍ଥ, ଅନ୍ୟକୁ ଅଚାନକ ଆକ୍ରମଣ କରି ଧରାଶାୟୀ କରିବାରେ ମଧ୍ୟ ସେହିପରି ସିଦ୍ଧହସ୍ତ । ସେବାଦଳର କମାଣ୍ଡର ଭାବରେ ହରେକୃଷ୍ଣ ଅତି ସାହସିକତାର ପରିଚୟ ଦେଇଛି ।

 

ବିଭୁପଦ ଏକା ବସି ଖବରକାଗଜ ପଢ଼ୁଥିଲା । ଖବରକାଗଜ ଉପରେ ତା’ର ଆକ୍ରୋଶ ବେଶି । ଖୋଳିତାଡ଼ି ସବୁ ଜାଣିବା ଶଳାଙ୍କର କାମ । କାକ ସଂସ୍କୃତିର ଅଧିକାରୀ ସେମାନେ । ସେମାନେ ଦେବତା ନୁହନ୍ତି ଯେ ହାରିଯିବ ବିଭୁପଦ । ମଦ, ମାଂସ, ମୈଥୁନର ବଶୀଭୂତ ସେମାନେ । ପ୍ରାୟ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛି ସେ । ଯିମିତି ଚାହେଁ ସିମିତି ଖବର ବାହାରେ-। ରାଜନୀତିରେ ବଞ୍ଚିବାପାଇଁ ହେଲେ ଖବରକାଗଜରେ ନିଜର ନାମ ପ୍ରତିଦିନ ସକାଳେ ପଢ଼ିବା ଦରକାର । ତାହାହିଁ କିଛି ନ କରି ବି ଅନେକ କରୁଥିବାର ପ୍ରମାଣପତ୍ର । ନରୋତ୍ତମର ଚେଲା ବନିଛି ଶଳା ଅମରେଶ । ତାହାରି କଥା ବାରମ୍ବାର ଲେଖି ତାକୁ ମର୍ଯ୍ୟାଦା ଦବାରେ ଲାଗିଛି-। ମଣିଷ ହୋଇ ବି ଶଳାର ମଦ, ମାଂସ, ମୈଥୁନ ପ୍ରତି ଲୋଭ ନାହିଁ । ସନ୍ନ୍ୟାସୀ ଶଳା-। ତା’କୁ ଜବଦ କରିପାରିଲେ ନରୋତ୍ତମ ଅଧେ ଜବତ ହୋଇଯିବ ।

 

ହରେକୃଷ୍ଣ ପହଞ୍ଚିଯାଇ କହିଲା, ସବୁ ଠିକ୍ କରି ଆସିଛି । ଏଥର ଶଳାକୁ ଶେଷ ନ କରି ଛାଡ଼ିବି ନାହିଁ ।

 

ବିଭୁପଦ ଖବରକାଗଜ ପୃଷ୍ଠା ଉପରୁ ଆଖି ନ ଉଠେଇ କହିଲା, କଅଣ ଠିକ୍ କରିଛୁ ?

 

ହରେକୃଷ୍ଣ ବାହାସ୍ଫୋଟ ମାରି କହିଲା, ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିପାଁ କଳି । ଶାସ୍ତ୍ର ବଚନ ମିଥ୍ୟା ନୁହେଁ । ସେଇ ଶଳା ସାମ୍ବାଦିକ ଅମରେଶର ଗୁପ୍ତ ତଥ୍ୟ ଜାଣିଯାଇଛି ।

 

ଖବର କାଗଜରେ ମୁହଁ ଢାଙ୍କି ସେହିପରି ଶୁଷ୍କ କଣ୍ଠରେ ପଚାରିଲା ବିଭୁପଦ, କହି ଯା’ ସବୁ... ।

 

ହରେକୃଷ୍ଣ କହିଲା, ଶଳା ଗୋଏନ୍ଦାଗିରି କରିବାକୁ ଆସିଛି... ସେଆଡ଼ୁ ତ ମୋଟାଟଙ୍କା ପାଏ... ଏଆଡ଼େ ନଜର ରହିବ କାହିଁକି ?

 

ବିଭୁପଦ ତଥାପି ମୁହଁ ନ ଉଠାଇ ପଚାରିଲା, କାହାର ଗୋଏନ୍ଦାଗିରି କରୁଛି... ?

 

କଟକରେ ଯେଉଁ ଫରେନ୍ ଫ୍ରେଣ୍ଡସିପ୍ ସୋସାଇଟ ଅଛି ସେଉଠୁ ଶଳା ଟଙ୍କା ପାଏ । ନିର୍ଭୁଲ ତଥ୍ୟ ଅଛି ମୋ ପାଖରେ ।

 

ଖବରକାଗଜଟା ଫିଙ୍ଗିଦେଇ ହରେକୃଷ୍ଣର କରମର୍ଦ୍ଦନ କରି କହିଲା ବିଭୁପଦ, କଙ୍ଗ୍ରାଚୁଲେସନ କମ୍‌ରେଡ଼... ।

 

ପୋଷ୍ଟମାଷ୍ଟରଙ୍କୁ ହାତକରି ଅମରେଶ ନାଏକର ତିନୋଟି ଚିଠିର ଫଟୋକପି କରିଥିଲା ହରେକୃଷ୍ଣ । ବିଭୁପଦକୁ ସେ ସବୁ ଦେଇ କହିଲା, ଏହାଠାରୁ ଆଉ ବଡ଼ ପ୍ରମାଣ କଅଣ ଥାଇପାରେ-। ଏଥର ଶଳାକୁ ସହଜରେ ଜବଦ କରିହବ ।

 

ବିଭୁପଦ ଖୁସିହୋଇ କହିଲା, ବିଦେଶୀ ଅର୍ଥ ପାଉଛି ଶଳା, ଏଣେ ବ୍ରହ୍ମଚାରୀ ବୋଲାଉଛି... । ସରକାରଙ୍କୁ ଏହି ତଥ୍ୟ ଯଥାଶୀଘ୍ର ଯୋଗାଇଦେବି ମୁଁ । ସେ ଯେପରି ଆମ ପଛରେ ଲାଗିଛି, ତା’ ପଛରେ ବି ପୁଲିସ ଲାଗିବ ।

 

ହରେକୃଷ୍ଣର ବୁଦ୍ଧିର ପ୍ରଶଂସା ନ କରି ରହିପାରିଲା ନାହିଁ ବିଭୁପଦ । ମଣିଷ ଚତୁର ହୋଇ ନ ଥିଲେ ଏପରି କାମ କରିବା ସମ୍ଭବ ନୁହେଁ । ଫ୍ରେଣ୍ଡସିପ୍ ସୋସାଇଟ ପକ୍ଷରୁ ଅମରେଶ ଯେ ଅର୍ଥ ସାହାଯ୍ୟ ପାଏ ଏଥିରେ ସନ୍ଦେହ କରିବାର ଅବକାଶ ନାହିଁ । ଅର୍ଥ ଥିଲେ ଅନର୍ଥ ବି ଥାଏ-। ଆହୁରି ଟିକେ ଅନୁସନ୍ଧାନ କଲେ କେଉଁ ନାରୀ ଅମରେଶର ପ୍ରେରଣାର ଉତ୍ସ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ।

 

ହରେକୃଷ୍ଣ ମନେ ମନେ ପ୍ରସ୍ତୁତ କରିଥିବା ଯୋଜନାଟି ଆମୂଳଚୂଳ କହିଗଲା ।

 

ହାତ ତାଳି ଦେଇ କହିଲା ବିଭୁପଦ, ବ୍ରାଭୋ ବ୍ରଦର... । ଶକୁନ୍ତଳାର ଶାଢ଼ୀ ଠିକ୍ ଅଠାକାଠିରେ ଲାଗିଯିବ । ସତୀ ସାବିତ୍ରୀଙ୍କୁ ଉପଯୁକ୍ତ ସତ୍ୟବାନଟିଏ ମିଳିବ ।

 

ହରେକୃଷ୍ଣର ଦୁଷ୍ଟବୁଦ୍ଧି ସମ୍ପର୍କରେ ନିଃସନ୍ଦେହ ଥିଲା ବିଭୁପଦ । ତାହାରି ଭୟରେ ଯେଉଁମାନେ ବନ୍ୟା ଓ ବାତ୍ୟା ପରେ ପୁନଃ ନିର୍ମାଣକାର୍ଯ୍ୟ ଠିକ୍ ଭାବରେ ହୋଇ ନାହିଁ ବୋଲି ଘର ଉପରୁ ଚିତ୍କାର କରୁଥିଲେ, ସେମାନଙ୍କର ସ୍ୱର ନୀରବ ହୋଇଯାଇଛି । ଯେସାକୁ ତେସା ନୀତି ନ ଧରି ଭଲ ଲୋକ ହେଲେ ଦୁର୍ଭୋଗହିଁ ଭୋଗିବାକୁ ହୁଏ । ଲୋକମାନେ ବି କ୍ରମଶଃ ଛିଦ୍ରାନ୍ୱେଷୀ ହୋଇ ଉଠୁଛନ୍ତି । ଭଲ କାମ ଆଖିରେ ପଡ଼ୁନି । ଯାହା ହୋଇଛି ସେ ବାହାର କରାଯାଉଛି । ଏପରି ପରିବେଶରେ ବଡ଼ ବଡ଼ କାମ କରିହୁଏ ନାହିଁ । ଲୋକମାନେ ତା’ ସହିତ ସହଯୋଗ କରିଥିଲେ ଏଇ ଅଞ୍ଚଳ ପାଇଁ ଆହୁରି ବେଶି ଅର୍ଥ ମଞ୍ଜୁର କରାଇ ପାରିଥାଆନ୍ତ ସେ ।

 

ହରେକୃଷ୍ଣ ଏବଂ ଦଳବଳଙ୍କୁ ନେଇ ବାହାରିଲା ବିଭୁପଦ । ଗ୍ରାମ ବିକାଶ ପରିଷଦର ସାଧାରଣ ସଭାକୁ ଭଣ୍ଡୁର କରିବାକୁ ହେବ । ଚାରିଆଡ଼େ ବେଶ୍ ପ୍ରଚାର କରିଛି ନରୋତ୍ତମ । ହରିଯୋଗୀ ନୂଆ ଗୀତରେ ସୁର ଦେଇଛନ୍ତି । ସେଇ ଗୀତ ଶୁଣି ଗ୍ରାମବାସୀମାନଙ୍କର ଉତ୍ସାହ ବଢ଼ିଯାଇଛି । ହରିଯୋଗୀ ପୁଣି ସେଇ ଗାନ୍ଧି ମହାତ୍ମାଙ୍କର ପୁରୁଣା କଥାଗୁଡ଼ାକୁ ଆଉ ଥରେ ଦୋହରାଉଛନ୍ତି । ସବୁ ନୂଆ ଶୁଭୁଛି କାନକୁ ।

 

ବାଟରେ ଯିବାବେଳେ ଲୋକନାଥ ଏବଂ ଜୀବନ ବୁଲେଟରେ ଆସି ଯୋଗଦେଲେ । ସେଇମାନଙ୍କ ମୁହଁରୁ ବିଭୁପଦ ଶୁଣିଲା ଯେ ପାହାନ୍ତା ସମୟରେ କେହି ନିଆଁ ଲଗାଇଦବା ଫଳରେ ଚଇତନର ପାନ ଦୋକାନଟି ପୋଡ଼ି ପାଉଁଶ ହୋଇଯାଇଛି । ପୁଲିସରେ ଏତଲା ଦେଇଛି ଚଇତନ-। ସିଏ ତ ପାଗଳ ପରି ଚାରିଆଡ଼େ କହିବୁଲୁଛି ଯେ ସେ ଦେଖିନବ ସେମାନଙ୍କୁ । ସେ କୁଆଡ଼େ ଜାଣେ ଏ କାମ କିଏ କରିଛି ।

 

ପୁଲିସକୁ ସେତକ କହିଦଉନି ? କହିଲା ହରେକୃଷ୍ଣ ।

 

ସାକ୍ଷୀ ସବୁତ୍‍ ନ ଥାଇ ଉଡ଼ା କଥା କହିଲେ ହାତକଡ଼ି ପଡ଼ିଯିବନି । ଶଳା ଇନ୍ଦ୍ରଚନ୍ଦ୍ର ମାନୁ ନ ଥିଲା । ଏଥର ନିଜ ପ୍ରଭୁକୁ ଧ୍ୟାନ କରୁ... ।

 

ବିଭୁପଦ ମନେ ମନେ ଖୁସି ହେଲେ ବି ମନରେ ଟିକେ ଆଶଙ୍କା ବି କଲା । ଏଇ ଲୋକଗୁଡ଼ା ଦିନକୁ ଦିନ ଯେପରି ଅମାନିଆ ହୋଇ ଉଠୁଛନ୍ତି କେତେବେଳେ କଅଣ କରି ପକେଇବେ କିଏ କହିବ । ଯାହା କରନ୍ତି ନଗା ନାହିଁକି ପଘା ନାହିଁ । ଚଇତନର ଜ୍ଞାନ ବୁଡ଼ିଲେ ସେ ଖୁନ୍ ବି କରିପାରେ ।

 

ତଥାପି ସାଙ୍ଗମାନଙ୍କୁ ନିରୁତ୍ସାହିତ କରିବାକୁ ସାହସ ହେଲାନି ତାର । ବରଂ ସେମାନଙ୍କର କାମକୁ ମନେ ମନେ ପ୍ରଶଂସା କରିବାକୁ ଲାଗିଲା । ସେଦିନ ହାଟରେ ଯେଉଁ କଳିଗୋଳ ହୋଇଥିଲା ତାର ପ୍ରତିଶୋଧ ନବାପାଇଁ ଯେ ଲୋକ ଏତକ କରାଇଥିବ ଏଥିରେ ତା’ ମନରେ ଆଉ ବିନ୍ଦୁମାତ୍ର ସନ୍ଦେହ ରହିଲା ନାହିଁ ।

 

ପୁଲିସକୁ ଆଗରୁ କହିରଖିବା ଭଲ । ଆଉ ବଜାର ଆଡ଼କୁ ନ ଯାଇ ଥାନାକୁ ଗଲା ବିଭୁପଦ । ଥାନାବାବୁ ନଥିଲେ । ପରେ ତାଙ୍କ ସହିତ କଥାଭାଷା ହବା ପାଇଁ ମନସ୍ଥ କରି ବଜାରକୁ ଗଲା ବିଭୁପଦ ।

ମଧୁନନାର ଦୋକାନ ଆଗରେ ଦଳେ ଲୋକ ଠୁଳ ହୋଇ କଅଣ ସଲାପରାମର୍ଶ କରୁଥିଲେ । ସେମାନଙ୍କୁ ଦେଖି କଥା ବନ୍ଦ କରିଦେଲେ ହଠାତ୍ । ଏମାନଙ୍କର ମତଲବ ଜାଣିବାଲାଗି ଜୀବନକୁ ପଠେଇଲା ବିଭୁପଦ ।

ମଧୁନନା ବିଭୁପଦକୁ ଦେଖିବାକ୍ଷଣି କହିଲେ, ଯିଏ ଏ କାମ କଲା ତାକୁ ପୁଲିସ ଧରି ନ ପାରୁ; କିନ୍ତୁ ଭଗବାନଙ୍କ ଅଦାଲତରୁ ସେ ଖସିଯାଇ ପାରିବ ନାହିଁ । ସାଙ୍ଗ ହୋଇ ଆମେ ଛୋଟ ବଡ଼ ବ୍ୟବସାୟ କରି ପେଟ ପୋଷୁ । ଆମର କେହି ଶତ୍ରୁ ନୁହନ୍ତି, ସମସ୍ତେ ମିତ୍ର । ଆଜି ଚଇତନ ନିରାଶ୍ରୟ ହୋଇଗଲା, କାଲି ଆଉ କାହାରି ପାଳି ପଡ଼ିବ, କିଏ କହିବ ?

ବିଭୁପଦ କଥାର ମୋଡ଼ ଫେରେଇବାଲାଗି କହିଲା, ଯିଏ ଖରାପ କାମ କରିବ, ସେ ତା’ ଫଳ ଭୋଗ କରିବ । ଯାହା ହବାର ତ ହୋଇଗଲାଣି । ଏବେ ଚଇତନକୁ ମିଳିମିଶି କିଛି ସାହାଯ୍ୟ କଲେ ସେ ପୁଣି ଛିଡ଼ା ହେବ । ତୁମ ହାତରେ ମୁଁ ଏଇ ଶହେ ଟଙ୍କା ଦେଲି ମଧୁନନା, ତୁମେ ଆଉ କିଛି ସଂଗ୍ରହ କରି ତାକୁ ଦିଅ... ସେ ଆଉଥରେ ଦୋକାନ ଆରମ୍ଭ କରୁ ।

 

ମଧୁନନା ବିଭୁପଦ ହାତରୁ ଶହେ ଟଙ୍କିଆ ନୋଟ୍‌ଟିଏ ନେଇ ବାକ୍‌ସରେ ରଖି କହିଲା, ତୁମ ପରି ଦୟାଳୁ ଲୋକ ପାଞ୍ଚଜଣ ବାହାରିଲେ ଦେଶର ଭାଗ୍ୟ ଓଲଟି ଯାଆନ୍ତା ବିଭୁବାବୁ । ତୁମେ ଆହୁରି ବଡ଼ ହୁଅ... ଈଶ୍ୱର ତୁମକୁ ଆହୁରି ବଡ଼ କରନ୍ତୁ ।

 

ଦୋକାନ ଆଗରେ ଯେଉଁମାନେ ଛିଡ଼ାହୋଇଥିଲେ ନୀରବରେ ସେମାନେ ଦେଖୁଥିଲେ, ଶୁଣୁଥିଲେ ସବୁ ।

 

ମଧୁନନା ଦୋକାନରେ ଢିଙ୍କିଶାଳରୁ ଢେଙ୍କାନାଳ ଯାଏ ସବୁ କଥା ଆଲୋଚନା ହୁଏ । ହାତରେ ଚା’ ଗିଲାସ ଧରି ଦଳକୁ ଦଳ ଆସର ଜମାନ୍ତି । ରାଜନୀତି ଆଲୋଚନା ହୁଏ ବେଶି । ରାଜନୀତି ଆଉ ରାଜଧାନୀର ଏକଚାଟିଆ ବିଷୟ ହୋଇ ରହିନାହିଁ, ତାହା ହାଣ୍ଡିଶାଳକୁ ବି ଚାଲିଗଲାଣି । ଲୋକମାନଙ୍କର ରକ୍ତ ପ୍ରବାହରେ ରାଜନୀତିର ପ୍ରଭାବ ପଡ଼ୁଛି । ରାଜନୀତିର ପ୍ରଭାବରୁ କିଛି କାମ ନ କରି ବି ଦଳେ ଲୋକ ଟାଉଟରୀ କରି ବେଶ୍ ଆରାମରେ ଅଛନ୍ତି । ସେମାନଙ୍କର ପୋଷାକ, ଖାଦ୍ୟପେୟ ଦେଖିଲେ ସଂଶୟ ଜାତ ହୁଏ ମନରେ । ଚାନ୍ଦା ଉପରେ ଚଳନ୍ତି ସମସ୍ତେ । ହାତର ଟଙ୍କା ସରିବା ଆଗରୁ ବଡ଼ ବଡ଼ ଅଫିସର କି ଠିକାଦାର କି କଣ୍ଟ୍ରୋଲ ଜିନିଷ ବିକୁଥିବା ଦୋକାନୀ ପାଖରେ ହାଜର ହୋଇ ନିଜର ପାଉଣା ଆଦାୟ କରିନିଅନ୍ତି । ଚାନ୍ଦା ନ ଦେଲେ ଧମକ । ଦୁର୍ନୀତି ଧରାଇ ଦେବାର ଧମକ । ପୁରାପୁରି ବ୍ଲାକ୍ ମେଲ୍.... ।

 

ମଧୁନନା କହିଲେ, ଆଜି ସଭାରେ ବି ଏଇ କଥା ଉଠିପାରେ ।

କିଛି ନଜାଣିବା ପରି କହିଲା ବିଭୁପଦ, କୋଉ ସଭାରେ ?

 

ତୁମେ ଜାଣିନ, ଆଶ୍ଚର୍ଯ୍ୟ ଲାଗୁଛି... । ଗ୍ରାମ ବିକାଶ ପରିଷଦର ସଭା । ନରୋତ୍ତମବାବୁ ନେତା । ଭଲ କଥା । ଭଲ କାମ କରିବାକୁ ମନ ନାହିଁ । ମିଳିମିଶି ସମସ୍ତେ ଏକଜୁଟ ହୋଇ ଯାହା କରିବା କଥା କରନ୍ତ କି !

 

ବିଭୁପଦ କହିଲା, କିଛି ହୋଇ ନପାରିଲେ, ନେତା ହବାର ନିଶା ଲାଗେ ମନରେ ମଧୁନନା । ଆମକୁ କିଏ ପଚାରେ! ମିଳିମିଶି କରିବାର ମନ ତ ଭାଙ୍ଗିଯାଉଛି । ଆମକୁ ଖବର ଦେଇଥିଲେ ଆମେ ବି ସଭାକୁ ଯାଆନ୍ତୁ... । ଆମେ ବି ଲୋକଙ୍କର ମଙ୍ଗଳ ଚାହୁଁ । ଉଦ୍ଦେଶ୍ୟ ମହତ୍-। କିନ୍ତୁ ଉଦ୍ଦେଶ୍ୟ ହାସଲ କରିବାକୁ ଯେଉଁ ଉପାୟ ଅବଲମ୍ବନ କରାଯାଉଛି, ତାହା ମହତ୍ ନୁହେଁ । ମୁଁ ତ ଗୋପବନ୍ଧୁଙ୍କୁ ଦେଖିନାହିଁ । ବାପାଙ୍କ ମୁହଁରୁ ଶୁଣିଛି । ସେ କୁଆଡ଼େ କହୁଥିଲେ କି-ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ । ଆହା, ଏପରି କଥା ଆଉ କେହି କହିଛି ? ଅଥଚ ଆମେ ତାଙ୍କୁ ଭୁଲିଗଲୁ । ତାଙ୍କ ଆଦର୍ଶକୁ ଭୁଲିଗଲୁ ।

 

ପଚିଶି ତିରିଶ ଜଣ ପତାକା ଉଡ଼େଇ ଧ୍ୱନି ଦେଇ ରାସ୍ତାରେ ଆସୁଥିବାର ଦେଖାଗଲା । କୌତୂହଳୀ ହୋଇ ସମସ୍ତେ ଅନେଇଲେ ସେଆଡ଼େ ।

 

ଶୋଭାଯାତ୍ରା ଆଗରେ ହରିଯୋଗୀ । ହାତରେ କେନ୍ଦେରା । ମୁହଁରେ ଧ୍ୱନି... ।

 

ସେମାନଙ୍କୁ ଦେଖିବାପାଇଁ ଦୋକାନ ଭିତରେ ବସିଥିବା ଗରାଖମାନେ ବାହାରି ଆସିଲେ । ରାସ୍ତା କଡ଼ରେ ଖେଳୁଥିବା ପିଲାମାନେ ସେମାନଙ୍କ ସହିତ ମିଶିଗଲେ । ବେକାର ହୋଇ ବୁଲୁଥିବା ଟୋକା କେତେଜଣ ଶୋଭାଯାତ୍ରାର ଶେଷପୁଚ୍ଛରେ ରହି ସ୍ଲୋଗାନ ଦୋହରାଇଲେ ।

 

ନରୋତ୍ତମର ଦେଖାନାହିଁ । ହରିଯୋଗୀ ଶୋଭାଯାତ୍ରାର ଅଗ୍ର ଭାଗରେ ।

 

ଜୀବନ କହିଲା, ନରୋତ୍ତମ ମନ୍ଦିର ପାଖରୁ ଆଉ ଗୋଟେ ଶୋଭାଯାତ୍ରା ବାହାର କରୁଛି । ସେଥିରେ ବି ସେଇ ପଚିଶ ତିରିଶ ।

 

ହାଟ ପଡ଼ିଆରେ ସେତେବେଳକୁ ଲୋକ ଠୁଳ ହବାକୁ ଆରମ୍ଭ କଲେଣି । ଆଜି ହାଟ ଦିନ ନୁହେଁ, କିନ୍ତୁ ତଥାପି ବଜାରକୁ ଯେଉଁମାନେ ଆସିଥିଲେ ସଭାରେ ଯୋଗ ଦବା ପାଇଁ ମନକୁ ମନ ଯାଉଥିବାର ଦେଖିଲା ବିଭୁପଦ । ଶହେ ସରିକି ଲୋକ ଠୁଳ ହୋଇଗଲେଣି । ଶୋଭାଯାତ୍ରା ପହଞ୍ଚିବା ପରେ ତାହା ଯେ ଦୁଇଗୁଣ ବଢ଼ିଯିବ ଏହା ନିଃସନ୍ଦେହ ।
 

ଯେଉଁ ଲୋକ କେତେଜଣ ମଧୁନନାଙ୍କ ଦୋକାନ ଆଗରେ ଛିଡ଼ାହୋଇ ଗପୁଥିଲେ, ସେମାନେ, ଚାଲିଗଲେଣି ସଭାସ୍ଥଳୀକୁ । ଯୁଧିଷ୍ଠିର ହାତରେ ଫୁଲମାଳ ଧରି ସଭାକୁ ଯିବାର ଦେଖିଲା ବିଭୁପଦ ।

 

ଶଳା ହାରାମଜାଦା.... ।

 

ଏଇ ଯୁଧିଷ୍ଠିରକୁ ଅନେକ ସାହାସ୍ୟ କରିଛି ବିଭୁପଦ । ଅଥଚ ତା’ ପାଖକୁ ନ ଆସି ଶଳା ନରୋତ୍ତମର ଜୟ ଜୟକାର କରୁଛି ।

 

ମଧୁନନାଙ୍କୁ ଭଲ ପକୋଡ଼ି ଛାଣିବା ଲାଗି କହିଲା ବିଭୁପଦ । ପକୋଡ଼ି ସାଙ୍ଗକୁ ଚା ଭଲ ଲାଗିବ ।

 

ଇମିତି ଛୋଟ ବଡ଼ ନେତାଙ୍କୁ ଆପ୍ୟାୟିତ କରନ୍ତି ମଧୁନନା । ନ ହେଲେ ଏଠାରେ ତିଷ୍ଠିରହିବା ଅସମ୍ଭବ । ତାଙ୍କର ଦୁର୍ଭାଗ୍ୟ ଯେ ଆଉ କାହା ଦୋକାନରେ ଏମାନେ ଭିଡ଼ ନ କରି ତାଙ୍କରି ଦୋକାନରେ ଭିଡ଼ କରନ୍ତି । ସେଥିଲାଗି ତାକୁ କମ୍ ତ୍ୟାଗ କରିବାକୁ ପଡ଼େନାହିଁ । ମାସକୁ ପ୍ରାୟ ପାଞ୍ଚଶହ ଟଙ୍କା ନେତା ଏବଂ ସେମାନଙ୍କର ଚାମଚାମାନଙ୍କୁ ଚର୍ଚ୍ଚା କରିବାରେ ଖର୍ଚ୍ଚ ହୋଇଯାଏ । କିନ୍ତ ମୁହଁ ଫିଟାଇ କିଛି କହିପାରନ୍ତି ନାହିଁ । ଉଡ଼ିଆସି ଛିଡ଼ି ପଡ଼ିଛନ୍ତି ସେ ଏଠାରେ । ଆଠଗଡ଼ରେ ଘର । ଚଉଦ ବରଷରେ ଚାକିରି କରିବାକୁ ଆସି ଏଇଠି ରହିଗଲେ । ଯୋଉ ଦୋକାନରେ ଚାକିରି କରୁଥିଲେ ସେହି ଦୋକାନର ମାଲିକ ହବା ତିରିଶବର୍ଷ ହେଲାଣି । ଲୋକେ ଆଉ ପୂର୍ବ ମାଲିକଙ୍କ ନାମ ନ କହି ତାଙ୍କରି ନାମ କୁହନ୍ତି । ସେ କନ୍ଦରପୁର ବଜାରର ପ୍ରଧାନ ଜଳଖିଆ ଦୋକାନୀ ।

 

ବିଭୁପଦକୁ ସେଠାରେ ଛାଡ଼ି ପକୋଡ଼ି ଆଉ ଚା ଖାଇ ଚାଲିଗଲେ ହରେକୃଷ୍ଣ ଏବଂ ଲୋକନାଥର ଦଳ ।

 

ଖବରକାଗଜଟା ଘରେ ପଢ଼ିଥିଲେ ବି ସମୟ କଟେଇବାଲାଗି ଆଉଥରେ ଟାଣିନେଇ ପଢ଼ି ନ ଥିବା ଛୋଟ ଛୋଟ ଖବରଗୁଡ଼ାକ ଉପରେ ଆଖି ପକେଇଲା ବିଭୁପଦ ।

 

କ୍ରୋଡ଼ପତ୍ରର ଏକାଂଶରେ ଗୋଟିଏ ଛୋଟ ସମ୍ବାଦ ପଢ଼ି ଚମକି ପଡ଼ିଲା ସେ । ଲୋକମାନଙ୍କର ସ୍ମୃତିଶକ୍ତି ଅତି ଅଳ୍ପ ବୋଲି ଯାହା ଧାରଣା ଥିଲା ତାହା ଅସତ୍ୟ ପ୍ରମାଣିତ ହୋଇଛି-। ବିଡ଼ାନାସିର ଗେଷ୍ଟହାଉସରେ ଘଟିଥିବା ଆତ୍ମହତ୍ୟା ଘଟଣାଟି ଏଯାଏ ଭୁଲି ନାହାନ୍ତି ଲୋକେ । ପ୍ରତ୍ୟକ୍ଷ ଭାବରେ ତାର ନାମୋଲ୍ଲେଖ ନ କରି ପରୋକ୍ଷରେ ଯାହା ସୂଚନା ଦିଆଯାଇଛି ତାହା ଯେ ଏଡ଼ିଯାଇହେବ ନାହିଁ ଏହା ଅନୁଭବ କଲା ବିଭୁପଦ । ସି.ବି.ଆଇ.କୁ ଅନୁସନ୍ଧାନ କରିବାକୁ କହିବାପାଇଁ ଦାବୀ କରିଛନ୍ତି ଲୋକେ ।

 

ଖବରକାଗଜଟା ଆଉ ପଢ଼ୁ ନ ଥିଲେ ମଧ୍ୟ ସେହିପରି ଆଖି ଆଗରେ ଧରି ବସିରହିଲା ବିଭୁପଦ ।

 

ସେହିପରି ବୋଧହୁଏ ଆହୁରି ଅନେକ ସମୟ ବସିଥାଆନ୍ତା ବିଭୁପଦ । ତାକୁ ଏକା ଦେଖି ତା ପାଖକୁ ଲାଗିଆସି କହିଲେ ମଧୁନନା, ଠିକାଦାର ବାବୁ ଗୋଟେ ଚିଠିଦେଇ ଯାଇଛନ୍ତି । ଆପଣଙ୍କୁ ଏକାଥିବାବେଳେ ଦବାଲାଗି କହିଥିଲେ ।

 

ଅର୍ଥଶୂନ୍ୟ ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁ ହାତ ବଢ଼ାଇଲା ବିଭୁପଦ ।

 

ପ୍ରତାପରୁଦ୍ର ଚିଠି ନ ଦେଇ ନିଜେ ଆସି ପାରିଥାଆନ୍ତେ ! କାମ ଥିବାବେଳେ ସମସ୍ତେ ଆସନ୍ତି, କାମ ଶେଷହେଲେ ଆଉ କାହାରି ଦେଖା ମିଳେନି ତାଙ୍କ ପକ୍ଷରୁ କୈଫିୟତ ଦବାପରି କହିଲେ ମଧୁନନା, ଖୁବ୍ ଜରୁରୀ କାମରେ ଚାଲିଗଲେ ପାରାଦୀପ । କାଲି ଯେପରି ହେଉ ଆପଣଙ୍କ ସହିତ ସାକ୍ଷାତ୍‍ କରିବେ ।

 

ବିଭୁପଦ ଚିଠିଟା ପଢ଼ିସାରିଥିଲା ସେତେବେଳକୁ । ଛୋଟ ଚିଠି ।

 

ପ୍ରତାପରୁଦ୍ରଙ୍କ ଚିଠିରୁ ଏତିକି ଆଭାସ ପାଇଲା ଯେ ସବୁ ଠିକ୍ ଯାଉନାହିଁ, ଅବସ୍ଥା ଖରାପ ଆଡ଼କୁ ଗତି କରୁଛି । ଭିଜିଲାନ୍‌ସ ରିପୋର୍ଟ ଅନୁକୂଳ ନୁହେଁ । କାମ ହୋଇନାହିଁ ବା ଖରାପ ହୋଇଥିବାର ପ୍ରମାଣ ପାଇଛନ୍ତି ସେମାନେ । ସରକାରଙ୍କ ସର୍ବୋଚ୍ଚ ସ୍ତରରେ ରିପୋର୍ଟର ବିଚାର ଚାଲିଛି । ଏହି ସମୟରେ କିଛି ବ୍ୟବସ୍ଥା ନ କଲେ ସଙ୍କଟରୁ ତ୍ରାହି ପାଇବା ଅସମ୍ଭବ ହୋଇପଡ଼ିବ ।

 

ବିଭୁପଦର ମୁଣ୍ଡ ଘୂରିବାକୁ ଲାଗିଲା । ବହୁତ ଚେଷ୍ଟା କରିଥିଲା ଭିଜିଲାନ୍‌ସକୁ ହାତ କରିବାପାଇଁ । କିନ୍ତୁ ଶଳେ ସବୁ ଏକା ଜାତିର । ଅର୍ଥ ଲୋଭ କାମ କଲାନି ନାରୀ ବା ସୁରାର ଲୋଭ ବି ଏଡ଼ିଗଲେ ସେମାନେ । ଏ ପୃଥିବୀର ନୁହଁନ୍ତି ଅନ୍ୟ କେଉଁ ଉପଗ୍ରହରୁ ଯେପରି ଆସିଛନ୍ତି ଶଳେ ।

 

ବିଭାଗୀୟ ରିପୋର୍ଟ ଅନୁକୂଳ ହୋଇଥିଲା ସେମାନଙ୍କର । କିନ୍ତୁ ସେଥିରେ ସନ୍ତୁଷ୍ଟ ନ ହୋଇ ପୁଣି ଭିଜିଲାନ୍‌ସ ତଦନ୍ତ କରିବାର କି ଆବଶ୍ୟକତା ଥିଲା ? ଯାହାକୁ ଯାହା ଦବାକଥା ଠିକଣା ସ୍ଥାନରେ ପହଞ୍ଚାଇ ଦବାପାଇଁ ପ୍ରତାପରୁଦ୍ର ଦାୟିତ୍ୱ ନେଇଥିଲେ । କୌଣସିଠାରେ ଅବହେଳା ରହିଗଲା ବୋଧହୁଏ ।

 

ଗୋଟିକ ପରେ ଗୋଟିଏ ବିପଦ ମାଡ଼ିଆସୁଛି । ବିପଦ ଯେତେବେଳେ ଆସେ, ସାଙ୍ଗସାଥୀ ହୋଇ ଆସେ ।

 

ହରିପଦବାବୁଙ୍କ ସମବୟସ୍କମାନେ ଆଉ କ୍ଷମତାରେ ନାହାନ୍ତି । ଏ ଭିତରେ ସେ ପାଞ୍ଚଥର ଭୁବନେଶ୍ୱର ଯାଇ ବି ବିଶେଷ କିଛି ସୁବିଧା କରି ପାରିନାହାନ୍ତି । ଯେଉଁମାନେ କ୍ଷମତାରେ ଅଛନ୍ତି, ସେମାନଙ୍କ ସହିତ ତାଙ୍କର ସେପରି ଘନିଷ୍ଠତା ନାହିଁ । ଯୋଗସୂତ୍ର ନିବିଡ଼ ଥିଲେ କାମ ହୁଏ । ବହୁ କଷ୍ଟରେ କବିତାର ଆତ୍ମହତ୍ୟା ମାମଲାରୁ ମୁକ୍ତି ପାଇଛି ବିଭୁପଦ । ଏବେବି ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବୀ ହେଉଛି । ବିଭିନ୍ନ ଭାବରେ ତାର ନାମ ଲୋକଲୋଚନକୁ ଆସିଯାଉଛି ।

ବାପାଙ୍କ ସହିତ ଦୀର୍ଘ ଆଲୋଚନା ପରେ ପିତାପୁତ୍ର ଦୁହେଁ ଏକତ୍ର ଯାଇଥିଲେ ଭୁବନେଶ୍ୱର । ସମସ୍ତଙ୍କୁ ଶଙ୍ଖୋଳି ଥିଲେ । ଯେଉଁଠି ଯାହା ଦବା କଥା ଦେଇଥିଲେ; କିନ୍ତୁ ତାହା ସତ୍ତ୍ୱେ ମଝିରେ ସେଇ ପୁରୁଣା କଥାର ତର୍ଜମା ଚାଲିଛି । କେତେ ଧୋଇ, ମରୁଡ଼ି, ବାତ୍ୟା ଯାଇଛି ଆଗରୁ । ପ୍ରତିଥର ଅଜସ୍ର ଅର୍ଥ ବ୍ୟୟ ହୋଇ ବି କାମ ଯେତେବେଳେ ହୋଇନାହିଁ ଏଥର ସବୁ କାମ ଅଟକଳ ଅନୁସାରେ କିପରି ହେବ ତାହା ବୁଝିପାରେନି ବିଭୁପଦ । ଅଟକଳ ଅନୁସାରେ କାମ କଲେ ଠିକାଦାର ନିଜେ ହୁଏତ ବଞ୍ଚିପାରେ, ଉପରିସ୍ଥଙ୍କର ହାତ ଚିକ୍‌କଣ ହବ ନାହିଁ, ଚାନ୍ଦାଭେଦା ଦେଇହବ ନାହିଁ । ରାଜନୀତି ତ ଏଇ ଚାନ୍ଦାଭେବାରୁ ଚଳେ । ଘରୁ ଖାଇ ପର ପାଇଁ ଦଉଡ଼ିବା ସମ୍ଭବ ନୁହେଁ । ଗୋପବନ୍ଧୁଙ୍କ ପାଖରୁ ସେହି କାମ ଶେଷ ହୋଇଯାଇଛି ।

ବିଭୁପଦ ଅଡ଼ୁଆରେ ପଡ଼ିଯାଇଛି ।

ହଠାତ୍ ଦୂରର କୋଳାହଳ ନିକଟରୁ ଶୁଣାଗଲା । ମଧୁନନା କଅଣ ହେଲା ଜାଣିବା ସକାଶେ ରାସ୍ତା ଉପରକୁ ଗଲେ ।

ହାଟ ଆଡ଼ୁ କେତେଜଣ ଦୌଡ଼ି ଦୌଡ଼ି ଆସୁଥିବାର ଦେଖିଲେ ମଧୁନନା ।

ଏହି ସମୟରେ ପ୍ରଚଣ୍ଡ ଶବ୍ଦ କରି ବିଷ୍ଫୋରଣ ଘଟିଲା ନିକଟରେ । ଭୂମିକମ୍ପ ହେଲେ ଘରଦ୍ୱାର ଯେପରି ଦୋହଲିଯାଏ, ସେହିପରି ହେଲା । ଝରକା ଏବଂ କବାଟ ବାଡ଼େଇ ହୋଇଯିବାର ଶବ୍ଦ ଶୁଣାଗଲା ।

 

ବିଭୁପଦ ରାସ୍ତା ଉପରକୁ ଓହ୍ଲେଇ ଯାଉଥିଲା, ତାକୁ ବାରଣ କରି ଭିତରକୁ ନେଇଗଲେ ମଧୁନନା ।

 

କିଏ ବୋମା ଫୁଟାଇ ଦେଇଛି ହାଟ ପାଖରେ । ବିଷ୍ଫୋରଣ ହବାପରେ ଧୂଆଁରେ ପୂରିଗଲାଣି ହାଟ ଅଞ୍ଚଳ । ବାରୁଦର ଗନ୍ଧ ବଜାର ପର୍ଯ୍ୟନ୍ତ ମାଡ଼ିଆସିଲାଣି । ପ୍ରାଣ ବିକଳରେ ପଳେଇ ଆସୁଥିବା ଲୋକେ କହିବାର ଶୁଣିଲେ ମଧୁନନା-କେତେକ ଆହତ ହୋଇଛନ୍ତି । ପୁଲିସ ହୁଏତ ଆସିଯିବଣି ଏତେବେଳକୁ ।

 

କେତେଜଣ ତାଙ୍କ ଦୋକାନ ଭିତରକୁ ପଶିଆସିଲେ । ସେମାନଙ୍କଠାରୁ ଯାହା ଶୁଣିଲେ ତାହା ଏହିପରି ।

 

ସଭା ଆରମ୍ଭ ହବାବେଳକୁ ପ୍ରାୟ ପାଞ୍ଚଶହ ଲୋକ ଠୁଳ ହୋଇଥିଲେ ହାଟ ବଜାରରେ-। ସଭା ଆରମ୍ଭ ହବାର ଅଧଘଣ୍ଟାଏ ପରେ ଗୋଟେ ବୁଲା ଷଣ୍ଢକୁ କେତେକ ଲୋକ ତରକାଇ ଦବାରୁ ସେ ଲୋକଗହଳି ଭିତରକୁ ଧସେଇ ପଶିଗଲା । ଲୋକମାନେ ମାରଣା ଷଣ୍ଢ ଭୟରେ ଛିନ୍ନଛତ୍ର ହେଉଥିବାବେଳେ କେତେକ ସ୍ୱେଚ୍ଛାସେବକ ଷଣ୍ଢକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ-। ଠିକ୍ ଏତିକିବେଳେ ମଞ୍ଚପାଖରେ ବୋମା ଫାଟିଲା । କେହି ଦୁର୍ବୃତ୍ତ ବୋଧହୁଏ ଆଗରୁ ଯୋଜନା କରିଥିଲା ଏଥିପାଇଁ । ବିଷ୍ପୋରଣ ଘଟିବାପରେ ପ୍ରାଣ ବିକଳରେ ଯିଏ ଯେଉଁଆଡ଼େ ପାରିଲା ପଳେଇଗଲା । କିଏ ଏବଂ କେତେଜଣ ଆହତ ହେଲେ କେହି ସଠିକ୍ କହିପାରିଲେ ନାହିଁ-

 

ସେଠାକୁ ଯିବାର ଏହା ଅନୁକୂଳ ସମୟ ନୁହେଁ ଭାବି ଆଉ ଗଲାନି ବିଭୁପଦ । ସେ ଯାଉ ବା ନ ଯାଉ ସଠିକ୍ ସମ୍ବାଦ ନିଶ୍ଚୟ ପାଇବ ହରେକୃଷ୍ଣ ଏବଂ ଲୋକନାଥ ଆସିଲେ ।

 

ସେ କିଛି ନ ଜାଣିବା ପରି କହିଲା, ଲୋକଙ୍କ ମନରେ ହିଂସାଭାବ ବଢ଼ୁଛି । ଶତ୍ରୁତା ବି ବଢ଼ୁଛି । କଥା କଥାକୁ ବୋମା ମାଡ଼ ବା ଛୁରୀମାଡ଼ । ସଭା ମଝିରେ ବୁଲା ଷଣ୍ଡ ପଶେଇଦବା ଆଗରୁ ଶୁଣା ନ ଥିଲା । ସ୍ୱାଧୀନ ଦେଶରେ ସମସ୍ତଙ୍କର କହିବାର, ସଭାସମିତି କରିବାର ଅଧିକାର ଅଛି । ସେଥିରେ ବିଘ୍ନ ସୃଷ୍ଟି କଲେ ଗଣତନ୍ତ୍ର ଶାସନ ତିଷ୍ଠିପାରିବ ନାହିଁ ।

 

ଦୋକାନ ଭିତରେ ଠୁଳ ହୋଇଥିବା ଲୋକମାନେ ବିଭୁପଦର କଥା ଶୁଣି ତାକୁ ପ୍ରଶଂସା କଲେ । ତା’ପରି ନେତୃତ୍ୱ ଯେ ଆଜିର ଆବଶ୍ୟକତା ତାହା ମଧ୍ୟ କହିଲା ଜଣେ ।

 

ଏହି ସମୟରେ ମଧୁନନା ପାଖ ଦୋକାନରୁ ଶୁଣିଆସି ଖବରଦେଲେ ଯେ-ବୋମା ବିଷ୍ଫୋରଣ ଯୋଗୁଁ ନରୋତ୍ତମ ଆହତ ହୋଇଛି ସାଙ୍ଘାତିକ ଭାବରେ । ତାକୁ ବ୍ଲକ୍‌ ହସ୍‌ପିଟାଲକୁ ନିଆଯାଇଛି । ଆମ୍ବୁଲାନ୍‌ସ ପହଞ୍ଚିବାକ୍ଷଣି କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯିବ ।

 

ସଂଜ୍ଞାହୀନ ଭାବରେ ବଡ଼ ଡାକ୍ତରଖାନାର ନ୍ୟୁରୋଲଜି ଓ୍ୱାର୍ଡ଼ରେ ଶୋଇଥିଲା ନରୋତ୍ତମ ।

 

ବର୍ଷାଧୁଆ ସକାଳର ଚେନାଏ କୋମଳ ଆଲୋକ ଭେଣ୍ଟିଲେଟର ବାଟ ଦେଇ ଆସି ପଡ଼ିଥିଲା ତା’ର ଛାତି ଉପରେ । ପନ୍ଦରଦିନ ଏହିପରି ସଂଜ୍ଞାହୀନ ଅବସ୍ଥାରେ ଅଛି ସେ । ଆଘାତ ସାଂଘାତିକ ହେଲେ ବି ଅବସ୍ଥାର ଉନ୍ନତି ହୋଇଛି ଏବଂ ନରୋତ୍ତମ ସଂଜ୍ଞା ଫେରିପାଇବ ବୋଲି ଆଶା କରନ୍ତି ଡାକ୍ତରମାନେ ।

 

ପ୍ରଥମ ଦିନରୁ ସେବା ଯତ୍ନ କରିବାଲାଗି ନରୋତ୍ତମର ପାଖେ ପାଖେ ଅଛି ଶକୁନ୍ତଳା । ଗୌତମ ନିଜେ ରହିବାପାଇଁ ଚାହୁଁଥିଲେ, ପାଖରେ ରହି ସେବା ସୁଶ୍ରୂଷା କରିବାକୁ ଅନ୍ୟ ଲୋକର ବି ଅଭାବ ନ ଥିଲା । କିନ୍ତୁ ବୋମା ବିସ୍ଫୋରଣ ଘଟିବା ପରେ ନରୋତ୍ତମ ଆହତ ହୋଇଥିବାର ସମ୍ବାଦ ପାଇବା ପରେ ପରେ ସେ ତା’ର କର୍ତ୍ତବ୍ୟ ନିର୍ଣ୍ଣୟ କରିନେଇଥିଲା । ସରଳା ତାକୁ ସାନ୍ତ୍ୱନା ଏବଂ ସାହସ ଦବାଲାଗି କହିଥିଲେ ଯେ ଯାହା ବିଧିଲିପି ତାହା ଘଟିବ ହିଁ ଘଟିବ । ତାହା ଅଲଂଘ୍ୟ-। ଯଦି ଈଶ୍ୱରଙ୍କର କୃପା ଥାଏ, ତା’ ହେଲେ ନରୋତ୍ତମ ସୁସ୍ଥ ହୋଇ ଫେରିଆସିବ ପୁଣି । ଶକୁନ୍ତଳା ତାଙ୍କୁ ନିଜର ସଂକଳ୍ପ ଜଣାଇ ଦେଇଥିଲା । ଯାହାକୁ ସେ ମନ ଏବଂ ହୃଦୟ ଅର୍ପଣ କରିସାରିଛି ତାଙ୍କର ସଙ୍କଟ ସମୟରେ ସେ ପାଖେ ପାଖେ ରହିବା ସ୍ୱାଭାବିକ । ଯାହା ଅଲଂଘ୍ୟ ଏବଂ ଅବଧାରିତ ତାହା ଘଟିଯାଇଛି; କିନ୍ତୁ ସେଥିପାଇଁ ଆଉ ବିଚଳିତ ହୋଇ ଲାଭ ନାହିଁ । ଶକୁନ୍ତଳାର ବିଶ୍ୱାସ ଯେ ପୃଥିବୀର ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ ସତୀ ଓ ଧର୍ମ ନିଶ୍ଚୟ ରହିବ । ନରୋତ୍ତମକୁ ଧର୍ମହିଁ ରକ୍ଷା କରିବ ।

ତା’ର ପ୍ରଚଣ୍ଡ ଆତ୍ମ ପ୍ରତ୍ୟୟ ଦେଖି ହରିଯୋଗୀ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସେ ବି ଆହତ ଅବସ୍ଥାରେ ଆସିଥିଲେ ହସ୍‌ପିଟାଲକୁ; କିନ୍ତୁ ନିରୋତ୍ତମ ତୁଳନାରେ ତାଙ୍କର ଆଘାତ ସାମାନ୍ୟ । ସେ ଭଲ ହୋଇଗଲେଣି । କିନ୍ତୁ ହସ୍‌ପିଟାଲରୁ ଛାଡ଼ ପାଇ ବି ହସ୍‌ପିଟାଲ ଛାଡ଼ି ନାହାନ୍ତି । ନରୋତ୍ତମ ସାଙ୍ଗରେ ଆସିଥିଲେ ସେ, ତାକୁ ଛାଡ଼ି ଯାଇପାରିଲେ ନାହିଁ । ଶକୁନ୍ତଳାକୁ ନରୋତ୍ତମ ପାଖରେ ଦେଖି ପ୍ରଥମେ ସେ ଟିକେ ଆଶ୍ଚର୍ଯ୍ୟ ହୋଇଥିଲେ; କିନ୍ତୁ ଶକୁନ୍ତଳାର ସଂକଳ୍ପ ଶୁଣି ସାରିବା ପରେ ସେ କହିଲେ ଯେ ଯାହା ସ୍ୱାଭାବିକ ତାହା ଘଟୁଛି । ଆଉ କେହି ତା’ପାଖରେ ରହୁ ବା ନ ରହୁ ତା’ର ସେବା ସୁଶ୍ରୂଷା ଶକୁନ୍ତଳାଠାରୁ ଅନ୍ୟକେହି ଅଧିକ ଆନ୍ତରିକତା ଏବଂ ନିଷ୍ଠାର ସହିତ କରିପାରିବ ନାହିଁ । ତାକୁ ସାହାଯ୍ୟ କରିବାପାଇଁ ହରିଯୋଗୀ ହସପିଟାଲରେ ସକାଳ ଓ ସନ୍ଧ୍ୟା ଅନେକ ସମୟ ରହନ୍ତି । ପନ୍ଦର ଦିନ ଅକ୍ଲାନ୍ତ ପରିଶ୍ରମର ଚିହ୍ନ ଶକୁନ୍ତଳାର ମୁହଁ ଓ ଦେହକୁ କ୍ଷୀଣ କରିଥିଲେ ବି ତା’ର ଦୀପ୍ତି ଆହୁରି ଉଜ୍ୱଳ ହୋଇଛି । ତା’ର ମନୋବଳ ଦେଖି ଡାକ୍ତର ଏବଂ ନର୍ସମାନେ ମଧ୍ୟ ଚମତ୍କୃତ ହୋଇଛନ୍ତି ।

ନରୋତ୍ତମର ମଥା ପାଖରେ ଗୋଟିଏ ଷ୍ଟୁଲ ଉପରେ ବସି ତା’ର ମୁହଁକୁ ପ୍ରତୀକ୍ଷମାଣ ନୟନରେ ଚାହିଁ ରହିଥିଲା ଶକୁନ୍ତଳା । ହରିଯୋଗୀ ସକାଳର ନିତ୍ୟକର୍ମ ଏବଂ ପୂଜା ଆରାଧନା କରି ଆସି ନରୋତ୍ତମର ମଥା ଉପରେ ହାତ ରଖି ଧ୍ୟାନସ୍ଥ ହେଲେ ମୁହୂର୍ତ୍ତେ । ତା’ପରେ ନରୋତ୍ତମ ଉପରେ ପଡ଼ିଥିବା ସକାଳର ନରମ ଆଲୋକକୁ ଦେଖେଇ କହିଲେ ସେ, ଆଲୋକହିଁ ଆଲୋକର ଧାରା ମା । ଆଲୋକ ନିଜ ମନକୁ ନରୋତ୍ତମର ପଥ ବରଣ କରିବାକୁ ଆସିଛି ଯେତେବେଳେ ଆଉ ଚିନ୍ତା ନାହିଁ, ସେ ନିଶ୍ଚୟ ଭାବରେ ଭଲ ହୋଇଯିବ ।

ଶକୁନ୍ତଳାକୁ ବି ସେଇ ଏକ କଥା ଆଉ କେହି ବାରମ୍ବାର କହିଆସୁଛି । ନରୋତ୍ତମକୁ ଆହାତ ହବାର ଦେଖିବା ବେଳଠାରୁ ତାକୁ ସେହି ଅଦୃଷ୍ଟ ଆଶ୍ୱାସନା ଦେଇ ଆସୁଛି । ଶକୁନ୍ତଳାର ମନୋବଳ ଏବଂ ପ୍ରଣୟ ଦିନକୁ ଦିନ କ୍ଷୀଣ ନ ହୋଇ ବରଂ ବଢ଼ିଛି ।

ସେ ହରିଯୋଗୀଙ୍କ ମୁହଁକୁ ଅନେଇଲା । ସେଇ ମୁହଁ ସେ କେବଳ ସହୃଦୟତାର ବ୍ୟାପ୍ତି, ଐଶ୍ୱରୀକ କରୁଣାର ଦୀପ୍ତି । ଶକୁନ୍ତଳା କିଛି କହିଲା ନାହିଁ, ତା’ ମୁହଁ ଉପରେ ସ୍ନିଗ୍‌ଧ ହସ ଟିକେ ଫୁଟିଉଠିଲା କେବଳ । ସେ ଯେପରି କହିବାକୁ ଚାହୁଁଥିଲା, ମୁଁ ସେକଥା ଜାଣେ । ନରୋତ୍ତମକୁ ଫେରି ଆସିବାକୁ ହବ । ତା’ ମୁହଁ ଉପରେ ସେଇ ସ୍ନିଗ୍‌ଧ ହସ କଣିକାଏ ଦେଖି ମୁଗ୍‌ଧ ହୋଇଗଲେ ହରିଯୋଗୀ । ସାବିତ୍ରୀ ଏବଂ ସତ୍ୟବାନଙ୍କୁ ସେ ଦେଖି ନାହାନ୍ତି, ସେମାନଙ୍କର କଥା ପଢ଼ିଛନ୍ତି ପୁରାଣରୁ । ଯୁଗେ ଯୁଗେ ଅଳ୍ପାୟୁଷ ସତ୍ୟବାନଙ୍କୁ ପରମାୟୁ ଦବା ପାଇଁ ବୋଧହୁଏ ସାବିତ୍ରୀ ଜନ୍ମଗ୍ରହଣ କରନ୍ତି ସହଧର୍ମିଣୀ ହୋଇ । ଶକୁନ୍ତଳାର ଜୀବନ ବ୍ୟର୍ଥ ହବନାହିଁ, ତା’ର ସାଧନା ଯେ ଅବ୍ୟର୍ଥ ଏହା ନିଶ୍ଚିତ ।

ମୃତ୍ୟୁ ସହିତ ଜୀବନର ଅବିରତ ସଂଗ୍ରାମ ଦେଖି ଜୀବନର ସ୍ୱାଦ କେଡ଼େ ଅଲଂଘ୍ୟ ଏବଂ ଏହାର ଆକର୍ଷଣ କେଡ଼େ ଅମୋଘ, ତାହା ଅନୁଭବ କରେ ଶକୁନ୍ତଳା । ଅନେକ ଜାଣି ବି ଜୀବନ ସମ୍ପର୍କରେ ଯେପରି ଆହୁରି ଅଜଣା ରହିଯାଏ । ଯାହା ସହିତ ପ୍ରତି ମୁହୂର୍ତ୍ତରେ ଭେଟହୁଏ ସେ ଯେ ଏଡ଼େ ରହସ୍ୟମୟ ତାହା ପ୍ରତିକ୍ଷଣରେ ଉପଲବ୍‌ଧି କରାଯାଏ । ଜୀବନର ଅଭିଜ୍ଞତା ଯେତିକି ବଢ଼େ ତାର ପରିସର ଏବଂ ବ୍ୟାପ୍ତି ସେତିକି ହୁଏ ଦୀର୍ଘତର ।

 

ଚେନାଏ ଖରା ଲୀଳା କରୁଥିଲା ନରୋତ୍ତମର ଛାତି ଉପରେ ।

 

ଏହି ଅତି ସାଧାରଣ ମଣିଷଟିକୁ ଯେତେ ଦେଖେ ଶକୁନ୍ତଳା, ତାର ଅସାଧାରଣତ୍ୱ ସେତିକି ଆଖିରେ ପଡ଼େ । ସେ ଜୀବନକୁ ଭଲପାଏ ବୋଲି ଅନ୍ୟମାନଙ୍କୁ ଭଲପାଏ ନୁହେଁ, ଅନ୍ୟମାନଙ୍କୁ ଭଲ ପାଏ ବୋଲି ଜୀବନକୁ ଭଲପାଏ । ସେଥିପାଇଁ ସେମାନଙ୍କ ପାଇଁ ନିଜକୁ ସେ ଉତ୍ସର୍ଗ କରିଛି । ସେମାନଙ୍କର ସୁଖ ଦୁଃଖକୁ ନିଜର କରିନେଇଛି ଏବଂ ନିଜ ଭିତରେ ଅବସାଦ ଆସିଲେ ଉତ୍ସାହ ଲାଗି ସେ ସେମାନଙ୍କ ମୁହଁକୁ ଅନେଇଛି । ସମସ୍ତଙ୍କର ସ୍ୱପ୍ନକୁ ସେ ଅନୁଭବ କରେ ହୃଦୟର ସ୍ପନ୍ଦନରେ, ନିଜସ୍ୱ ଅନୁଭବ କହିଲେ ସବୁ ଯେପରି ସେମାନଙ୍କର, ନିଜସ୍ୱ ବୈଭବ ମଧ୍ୟ ସବୁ ଅନ୍ୟମାନଙ୍କର ।

 

ଏଡ଼େ ଛୋଟ ମଣିଷଟି ଭିତରେ ଏଡ଼େ ବିରାଟ ସମ୍ଭାବନା । ତାହାରି ପାଖରେ ନିଜକୁ ନିବେଦନ କରି କୃତକୃତ୍ୟ ହୁଏ । ଶକୁନ୍ତଳା ସେ ଦିବାନିଶି ବ୍ୟାକୁଳ ଭାବରେ ପ୍ରାର୍ଥନାକରେ, ହେ ଈଶ୍ୱର ! ନରୋତ୍ତମକୁ ଭଲ କରିଦିଅ ସେ । ତ ବଞ୍ଚିବାକୁ ଚାହାନ୍ତି ନାହିଁ, ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ଚାହାନ୍ତି । ନିଜପାଇଁ ଦୁର୍ଭୋଗ ଏବଂ ଲାଞ୍ଛନା, ଅଭାବ ଏବଂ ଉତ୍ପୀଡ଼ନ ମଧ୍ୟରେ ସଢ଼ୁଥିବା ଏଇ ଲୋକମାନଙ୍କୁ ବହୁ ସୁଖରୁ ବଞ୍ଚିତ କରିଛ । ନରୋତ୍ତମର ସାନ୍ନିଧ୍ୟରୁ ଆଉ ସେମାନଙ୍କୁ ବଞ୍ଚିତ କରନାହିଁ । ସେ ସେମାନଙ୍କ ପାଇଁ ଲଢ଼ିବ, ସେମାନଙ୍କ ଅଶ୍ରୁ ପୋଛିଦବା ନିମନ୍ତେ ହାତ ବଢ଼ାଇବ ।

 

ଡାକ୍ତରମାନଙ୍କର ଅକ୍ଲାନ୍ତ ପ୍ରଚେଷ୍ଟା ସଫଳ ହେବ ନିଶ୍ଚୟ । ଅନ୍ତର ଭିତରେ ପ୍ରତ୍ୟୟର ପଦ୍ମଟି ପାଖୁଡ଼ା ମେଲେ । ଶକୁନ୍ତଳା ଭୁଲିଯାଏ ନିଜକୁ ।

 

ହରିଯୋଗୀ ଦଉଡ଼ି ଆସି କୁହନ୍ତି, ଶୁଣିଲୁ ମା, କଅଣ କହିଲେ ଡାକ୍ତର... ?

ଶକୁନ୍ତଳା ଶୁଣିପାରେ ନାହିଁ–ହଜିଯାଇଛି ନିଜ ଭିତରେ ।

 

ହରିଯୋଗୀ ପୁଣି କୁହନ୍ତି, ସେ କଳ୍ପତରୁ । ସେ ସମସ୍ତଙ୍କର ଡାକ ଶୁଣନ୍ତି । ତାଙ୍କରି ଅକ୍ଷୟ ଚେତନାରୁ ଅଣୁଟିଏ ଯଥେଷ୍ଟ ଏଇ ଚରାଚର ବିଶ୍ୱକୁ ଆଲୋକିତ କରିବାପାଇଁ । ସେ ଯେତେବେଳେ ଯାହା ଇଚ୍ଛା କରନ୍ତି, ତାହା ସଂଘଟିତ ହୁଏ । ନରୋତ୍ତମ ତାଙ୍କରି ଦୂତ । ତୋର ପ୍ରତ୍ୟାଶା ବ୍ୟର୍ଥ ହବ ନାହିଁ ।

 

ଅଭିଭୂତ ହୋଇ ଶୁଣେ ଶକୁନ୍ତଳା । ଅନେକ ଦୂରରୁ ଯେପରି କହୁଛି କିଏ... ସେ ପୁଣି ହଜାଇଦିଏ ନିଜକୁ... ।

 

ହରିଯୋଗୀ ଡାକ୍ତରମାନଙ୍କଠାରୁ ଶୁଣି ଆସି ଆଉ ଥୟଧରି ରହିପାରୁ ନାହାନ୍ତି । ଆସିବା ବାଟରେ ଯାହାକୁ ଦେଖିଲେ ତାକୁ କହିଲେ, ନରୋତ୍ତମ ଭଲ ହୋଇଯିବ... ହୁଏତ କାଲି ସୁଦ୍ଧା ସଂଜ୍ଞା ଫେରିପାଇବ, ହୁଏତ ଆଜି । ଏହା ମୋ ତୁଣ୍ଡର କଥା ନୁହେଁ... ଡାକ୍ତରମାନଙ୍କ କଥା...ଈଶ୍ୱରଙ୍କ ଆଶୀର୍ବାଦ ।

 

ସେମାନଙ୍କ ତୁଣ୍ଡରେ ଫୁଲଚନ୍ଦନ ପଡ଼ୁ । ଡାକ୍ତରମାନଙ୍କର କଥା ସତ ହେଉ । ମନେ ମନେ କହେ ଶକୁନ୍ତଳା ।

 

ସେ ତ ଆଉ ନିଜର ହୋଇ ରହି ନାହିଁ । ସେଇ ନଟନାଗର ଶ୍ରୀକୃଷ୍ଣଙ୍କୁ ଦେଖିବା ପରେ କୌଣସି ଗୋପାଙ୍ଗନା ନିଜର ହୋଇ ରହିଥିଲା ? ସେ ଏତେ ବଡ଼ ସ୍ୱପ୍ନ ଦେଖିନାହିଁ... ପରମଙ୍କୁ ନିଜର କରିବାର ବାସନା ତା’ ମନରେ ଏଯାଏ ବ୍ୟାକୁଳତା ସୃଷ୍ଟି କରିନାହିଁ... କିନ୍ତୁ ନରୋତ୍ତମକୁ ସେ ଚାହେଁ ଫେରେଇ ଆଣିବାପାଇଁ-ଯିମିତି ସତ୍ୟବାନଙ୍କୁ ଫେରେଇ ଆଣିଥିଲେ ସାବିତ୍ରୀ ।

 

ହେ ଈଶ୍ୱର, ହେ ପରମ ଦୟାଳୁ... ତୁମେ ବିଶ୍ୱାସକୁ ଦୃଢ଼ କର... ବ୍ୟାକୁଳ ହୃଦୟର ଆକୁଳ ପ୍ରାର୍ଥନା ଶୁଣ... ଚାହିଁ ଦିଅ ଟିକେ ଆଡ଼ ନୟନରେ... ।

 

ବାପା ବୋଉ ସେହିଦିନୁ କଟକ ଆସିଛନ୍ତି ଯେ ଆଉ ଫେରିଯାଇ ପାରୁନାହାନ୍ତି । ଝିଅକୁ ଛାଡ଼ି ଯାଇପାରିବେ ନାହିଁ ବୋଲି ବାରମ୍ବାର କୁହନ୍ତି ସରଳା । ଗୌତମଙ୍କ ଆଖିରେ ବିଶ୍ୱାସର ସମୁଦ୍ର । ମନରେ ଅପୂର୍ବ ତନ୍ମୟତା । ନରୋତ୍ତମ ନିଶ୍ଚେ ଭଲ ଯୋଇଯିବ ।

ସଂଗ୍ରାମ ଆରମ୍ଭ ହୋଇଛି ମାତ୍ର । ଆହୁରି କେତେ କାମ କରିବାକୁ ବାକୀ ଅଛି ଯେ... । ସେ ଥରେ ଆରୋଗ୍ୟ ହୋଇ ଫେରିଗଲେ ଆଉ ତାଙ୍କୁ ଏକା ଛାଡ଼ିଦବନି ଶକୁନ୍ତଳା । ସେ ପାଖେ ପାଖେ ରହିବ ।

ଡାକ୍ତରଖାନାକୁ ଧାଡ଼ି ବାନ୍ଧିଛନ୍ତି କନ୍ଦରପୁର, ଜଗତସିଂପୁର ଅଞ୍ଚଳର ଲୋକମାନେ । ପ୍ରତିଦିନ ଆବାଳବୃଦ୍ଧବନିତା ଆସନ୍ତି ନରୋତ୍ତମକୁ ଦେଖିବାପାଇଁ, ତା’ର କୁଶଳ ଜାଣିବାପାଇଁ । ସମସ୍ତଙ୍କର ଆଶା ଗୋଟିଏ ବିନ୍ଦୁରେ ମୂର୍ତ୍ତି ହୋଇଛି । ସମସ୍ତଙ୍କର ସଞ୍ଚୟ ସଞ୍ଜୀବିତ ହେଉଛି ଗୋଟିଏ ମଣିଷ ପାଖରେ ।

ନିଜ କଥା ଭାବୁ ଭାବୁ ଦିନରାତି ସରିଯାଏ । ନିଜର ସ୍ୱାର୍ଥ ସଂରକ୍ଷଣ କରୁ କରୁ ସମୟ ଅତିକ୍ରାନ୍ତ ହୋଇଯାଏ । ସମସ୍ତେ ଚାହାନ୍ତି ସୁଖରେ ରହିବେ, ସମ୍ପଦଶାଳୀ ହେବେ... କ୍ଷମତାଶାଳୀ ହେବେ । ସମସ୍ତେ ଚାହାଁନ୍ତି ନିଜ ନିଜର ଅହଙ୍କାରଙ୍କୁ ସାବ୍ୟସ୍ତ କରିବାଲାଗି...କର୍ତ୍ତବ୍ୟ କଥା କାହାରି ମନେପଡ଼େ ନାହିଁ ।

ଏତେ ଲୋକଙ୍କୁ ଦେଖି ହସିଦେଇ କୁହନ୍ତି ହରିଯୋଗୀ, କିଏ କହେ ନରୋତ୍ତମ ଏକାକୀ...ତାର କେହି ନାହିଁ । ମୋତେ ଲାଗୁଛି ଏତେବଡ଼ ପରିବାର କମ୍ ଭାଗ୍ୟବାନ ଲୋକର ଅଛି ।

ଶକୁନ୍ତଳା ମୁଗ୍‌ଧ ଓ ବିସ୍ମୟରେ ଅନାଇରହେ ନିମୀଳିତ; ଚକ୍ଷୁ ଦୁଇଟିକୁ... ।

 

ନବୀନ, ଚଇତନ, ଯୁଧିଷ୍ଠିର, ଲକ୍ଷ୍ମଣ ଏବଂ ସତ୍ୟଭାମା ପ୍ରଭୃତି ଗାଁରୁ ଦଳେଲୋକ ଆସି ପହଁଞ୍ଚିଲେ । ନବୀନର ହାତରେ ଠାକୁରାଣୀଙ୍କ ପୂଜାଫୁଲ ଏବଂ ସିନ୍ଦୂର, ସତ୍ୟଭାମା ହାତରେ ବାଡ଼ି ପିଜୁଳି ଗଛର ପ୍ରଥମ ଫଳ ।

 

ସବୁ ନରୋତ୍ତମ ପାଇଁ ।

ସେମାନଙ୍କ ଆଖିରେ ଆଶାର ଲହରୀ । ନରୋତ୍ତମ ସେମାନଙ୍କର ।

ଶକୁନ୍ତଳାର ପଲକ ପଡ଼େନାହିଁ ।

 

ଏତେ ଅସରନ୍ତି ସ୍ନେହ, କୃତଜ୍ଞତା ଅଛି ଏ ପୃଥିବୀରେ ! ଆଗରୁ ବିଶ୍ୱାସ ହେଉ ନ ଥିଲା-ଏବେ ବିଶ୍ୱାସ ହେଉଛି । ଘୃଣା ଅକୃତଜ୍ଞତା ଶଠତା, ପ୍ରବଞ୍ଚନା ସବୁ ଯେପରି ଇତିହାସର ବସ୍ତୁ ହୋଇଯାଉଛି । ଅପସରି ଯାଉଛି ହିଂସା, ଦ୍ୱେଷ, ଅସହଯୋଗ ଏବଂ ଅସହିଷ୍ଣୁତା ।

 

ନଇତନ କହିଲା, କାଲି ପାହାନ୍ତାରେ ସପନ ଦେଖିଲି ଯେ ନରୁଭାଇ କଥା କହୁଛନ୍ତି.. ଆଉ ସମ୍ଭାଳି ପାରିଲି ନାହିଁ । ସମସ୍ତଙ୍କୁ କହିଲା । ସତ୍ୟଭାମା ବି ସେଇ ସ୍ୱପ୍ନ ଦେଖିଥିଲା କହୁଛି... ।

 

ସ୍ୱପ୍ନ ସତ ହବରେ ଚଇତନ, କହିଲେ ହରିଯୋଗୀ । ସ୍ୱରରେ ଅପୂର୍ବ ନିଶ୍ଚୟତା ।

 

ସେୟା ହେଉ ଗୋସାଇଁ...ଭଗବାନ ଆମ ଗୁହାରି ଶୁଣି ଆମ ଲୋକକୁ ଫେରେଇ ଦିଅନ୍ତୁ...ଆଖି ପୋଛି କହିଲା ଲକ୍ଷ୍ମଣ, ବାଉରୀର ସ୍ତ୍ରୀ ସତ୍ୟଭାମା ।

 

ସେଦିନ ନରୋତ୍ତମକୁ ଛାଡ଼ି ଆଉ କେହି ଗାଁକୁ ଫେରିଗଲେ ନାହିଁ । ସ୍ୱପ୍ନ ସତ ହବ ବୋଲି ନିର୍ଭରବାଣୀ ଶୁଣେଇଛନ୍ତି ହରିଯୋଗୀ । ସେମାନେ ଡାକ୍ତରଖାନା ବାରନ୍ଦାରେ ବସିରହିଲେ-। ଗୌତମ ଯେତେ କହିଲେ ଗାଁକୁ ଫେରିଯିବାଲାଗି, ସେମାନେ ନିଜ ପ୍ରତିଜ୍ଞାରେ ଅଟଳ ରହିଲେ ସେତିକି । ସେମାନେ ଖାଲି ହାତରେ ଫେରିବେ ନାହିଁ-ନରୋତ୍ତମକୁ କଥା କହିବାର ଦେଖିସାରି ଫେରିବେ ।

 

ଶକୁନ୍ତଳା କଳ୍ପନା କରିପାରେ ନାହିଁ ଏଇ ନଗଣ୍ୟ ଲୋକମାନଙ୍କର ଏତେ କୃତଜ୍ଞତା, ଆନୁଗତ୍ୟ ଏବଂ ଐକାନ୍ତିକ ବିଶ୍ୱାସକୁ ଉପେକ୍ଷା କରି ନିଶ୍ଚୟ ଚାଲିଯାଇ ପାରିବ ନାହିଁ ନରୋତ୍ତମ । ଆଉ ନରୋତ୍ତମ ଭିନ୍ନ ନୁହେଁ ତା’ଠାରୁ । କାୟମନୋବାକ୍ୟରେ ସେ କାମନା କରେ ତାକୁ । ନରୋତ୍ତମହିଁ ତା’ର ସମ୍ପୂର୍ଣ୍ଣତା । ସୂର୍ଯ୍ୟ ପରି ସେ ଅଧିକାର କରିଛି ତା’ର ପୃଥିବୀକୁ । ସନ୍ଧ୍ୟା ସୃଷ୍ଟି କରେ ସ୍ୱପ୍ନ । କିନ୍ତୁ ସନ୍ଧ୍ୟା ବି ଆଗାମୀ ସୂର୍ଯ୍ୟୋଦୟର ସମ୍ଭାବନା ଆଣେ ମନରେ । ନରୋତ୍ତମ ସ୍ୱପ୍ନ ହୋଇ ରହିଯିବ ନାହିଁ । ଏହା ତା’ର ପ୍ରତ୍ୟାଶା ।

 

ହରିଯୋଗୀ ତାକୁ ଶିଖେଇଥିବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଅହର୍ନିଶ ମନରେ ଆବୃତ୍ତି କରୁଛି ଶକୁନ୍ତଳା । ତା’ର ହୃଦୟର ପ୍ରତ୍ୟୟ ଦୃଢ଼ ହୋଇଛି । ତା’ର ପ୍ରତ୍ୟାଶା ପୂର୍ଣ୍ଣହେଉ ବା ନହେଉ ସେ ନିଜ ସଂକଳ୍ପରେ ଅଟଳ, ଅବିଚଳିତ ।

 

ହରିଯୋଗୀ ଆଶ୍ୱାସନା ବାଣୀ ଶୁଣାଇବା ପରି କହିଲେ, ପୃଥିବୀରେ ଅନ୍ୟାୟ ଅତ୍ୟାଚାର ବଢ଼ିଲେ, ଧର୍ମର ଗ୍ଲାନିହେଲେ ମଣିଷମାନଙ୍କୁ ଉଦ୍ଧାର କରି ଧର୍ମ ସଂସ୍ଥାପନ କରିବା ସକାଶେ ଭଗବାନ ଯୁଗେ ଯୁଗେ ଅବତାର ଭାବରେ ଧରାଧାମରେ ଅବତରଣ କରନ୍ତି । ଖାଲି ସେ ତ ଆସନ୍ତି ନାହିଁ, ତାଙ୍କ କାର୍ଯ୍ୟକୁ ସଙ୍ଗଠିତ କରିବାପାଇଁ ଦୂତମାନଙ୍କୁ ବି ପଠାନ୍ତି । ସେ କାଳରେ ଦଧିଚୀ, ହରିଶ୍ଚନ୍ଦ୍ର, ବଶିଷ୍ଟ, ବିଶ୍ୱାମିତ୍ର ସେହି କାମ କରୁଥିଲେ । ଏ କାଳରେ ଗାନ୍ଧି, ଗୋପବନ୍ଧୁ ଜନ୍ମି ସେହି କାମ କରିଯାଇଛନ୍ତି । ନରୋତ୍ତମର ଶରୀରରେ ସେହି ରକ୍ତ ପ୍ରବାହିତ ହେଉଛି । ତାର ଲକ୍ଷ୍ୟ ବ୍ୟର୍ଥ ହବନାହିଁ ।

 

ତାଙ୍କ ମୁହଁକୁ ଚାହିଁଲା ଶକୁନ୍ତଳା ।

 

ତା’ର ମଥା ଉପରେ ହାତ ବୁଲାଇ ଆଣି ସ୍ନେହସ୍ନିଗ୍‌ଧ ସ୍ୱରରେ କହିଲେ ହରିଯୋଗୀ, ତୋ ପାଖରେ ବି ସେହି ସ୍ଫୁଲିଙ୍ଗ ଅଛି ମା । ତୋ ରକ୍ତରେ ବି ପରପାଇଁ ନିଜକୁ ନିଃଶେଷ କରିବାର ଉଚ୍ଚାଶୀ ଅଛି । ତୁ ତ ଆଉ ଏକାକିନୀ ନୋହୁଁ, ତୋ ଚାରିପାଖରେ ଅନେକ ଅପେକ୍ଷା କରି ରହିଛନ୍ତି-

ଶକୁନ୍ତଳାର ବେଦନାଦଗ୍‌ଧ ମୁହଁ ଉପରେ ଅନ୍ତର ଭିତରେ ସଞ୍ଜୀବିତ ହେଉଥିବା ପ୍ରତ୍ୟାଶା ଏବଂ ପ୍ରତୀତିର ନବାରୁଣ ଉକୁଟି ଉଠିଲା । ତାକୁ ଏକା ବସିବାକୁ ଦେଇ ବାରନ୍ଦାକୁ ଚାଲିଗଲେ ହରିଯୋଗୀ ।

ଆଷାଢ଼ ମାସର ଆକାଶାରେ ସଙ୍ଗଠିତ ହେଉଥିଲେ ମେଘମାନେ ।

ଚଇତନ, ନବୀନ, ଯୁଧିଷ୍ଠିର, ଲକ୍ଷ୍ମଣ ଓ ସତ୍ୟଭାମା ପ୍ରଭୃତିଙ୍କୁ ପାଖରେ ବସେଇ ଭାଗବତରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଜନ୍ମବୃତ୍ତାନ୍ତ ଶୁଣାଉଥିଲେ ହରିଯୋଗୀ ।

ନରୋତ୍ତମର ମୁହଁକୁ ଚାହିଁ ଚାହିଁ କେତେବେଳେ ଶକୁନ୍ତଳାର କ୍ଲାନ୍ତ ଆଖିପତା ମୁଦି ହୋଇଆସିଲା ।

ତା’ର ଡାହାଣ ହାତ ନରୋତ୍ତମର ଛାତି ଉପରେ ଆଶ୍ରୟ ନେଇଥିଲା ନିର୍ଭୟରେ ।

କାହାର ଅନୁଚ୍ଚ ସ୍ୱର କାନରେ ବାଜିଲା ଆସି । ତନ୍ଦ୍ରାରେ ସ୍ୱପ୍ନ ଦେଖୁଥିବା ପରି ଲାଗୁଥିଲା ତାକୁ ।

ଆଉଥରେ ସେହି ଅସ୍ପଷ୍ଟ ସ୍ୱର କାନରେ ବାଜିଲା । ଅସ୍ପଷ୍ଟ, ଅବୋଧ ହେଲେବି ଅତି ପରିଚିତ ପରି ଲାଗୁଥିଲା ତାକୁ ।

ତା’ର ହାତ ତଳେ ନରୋତ୍ତମର ହୃତ୍‌ପିଣ୍ଡ । ହୃଦୟର ସ୍ପନ୍ଦନ ଦୃଢ଼ତର ହେଲା ଶକୁନ୍ତଳାର ।

ତା’ର ଛାଇନିଦ ଭାଙ୍ଗିଗଲା ।

କର୍ତ୍ତବ୍ୟରେ ଅବହେଳା କିରିଛି ଭାବି ସେ ନିଜକୁ ଶାସନ କରି ନରୋତ୍ତମ ମୁହଁ ଉପରେ ଆଖି ରଖିଲା ପୁଣି । ବାହାରେ ସୂର୍ଯ୍ୟାଲୋକ ନିଷ୍ପ୍ରଭ । ଆଉଟିକେ ପରେ ଦିନ ସରିଯିବ । ସୂର୍ଯ୍ୟ ଉଇଁଲେ ସ୍ୱପ୍ନ । ସ୍ୱପ୍ନପରେ ପୁଣି ବାସ୍ତବତା ସହିତ ମୁହାଁମୁହିଁ ।

ବିସ୍ମୟ ବିମୂଢ଼ ହୋଇ ନରୋତ୍ତମ କିଛି କହିବାକୁ ଚେଷ୍ଟା କରୁଥିବା ଲକ୍ଷ୍ୟକଲା ଶକୁନ୍ତଳା-। ସେ ଆନନ୍ଦାତିଶଯ୍ୟରେ ଅଧୀର ହୋଇ ତା’ର ମୁହଁ ଉପରେ ନଇଁପଡ଼ିଲା, କୁହ କୁହ କଅଣ କହିବ କୁହ, ମୁଁ ପାଖେ ପାଖେ ଅଛି ଯେ... । ଶକୁନ୍ତଳାର ଛାତିତଳର ସ୍ପନ୍ଦନ ଆହୁରି ଦୃଢ଼ତର ହେଲା ।

ଅଧର ଦୁଇଟି କମ୍ପିଉଠିଲା ନରୋତ୍ତମର । ଧିରେ ଧିରେ ସେ କହୁଥିବାର ଶୁଣିଲା ଶକୁନ୍ତଳା–ବ...ନ୍ଦେ...ମା...ତ...ରଂ

ତା ମୁହଁରୁ ବି ଅନାୟାସରେ ଉଚ୍ଚାରିତ ହେଲା–ବନ୍ଦେ ମାତରଂ ।

Image